Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶୁଆ ଶାରୀ କଥା - ୨୪
ଶୁଆ ଶାରୀ କଥା - ୨୪
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.6K    16


Content Ranking

ବର ବଦଳ କଥା

କୃଷ୍ଣ ସୁନ୍ଦର କହିଲା – ଦେଖନ୍ତୁ ବାବା ଆପଣ ମୋତେ ଖାଇବାକୁ ଦେଇ ମୋର ଜୀବନ ବଂଚେଇଲେ । ପୁଣି ମୋତେ ଗୋଟିଏ ସୁବର୍ଣ୍ଣ ମୋହର ଦେବେ ବୋଲି କହୁଛନ୍ତି । ଏଥର କୁହନ୍ତୁ ମୋତେ ଆପଣଙ୍କ ଲାଗି କେଉଁ କାମ କରିବାକୁ ପଡିବ । ହଁ, ମୋର ଆଉ ଗୋଟିଏ କଥା – ଆପଣଙ୍କ କାର୍ଯ୍ୟ ସାରି ମୁଁ ସକାଳୁ ସକାଳୁ ଏ ସ୍ଥାନ ଛାଡି ସେହି ଗ୍ରାମକୁ ଯିବି । ସେହିପରି ଯଦି ବ୍ୟବସ୍ଥା ଦେବେ ତାହା ହେଲେ ମୁଁ ଆପଣଙ୍କ କାର୍ଯ୍ୟ କରିଦେବା ପାଇଁ ଆଦୌ ଆକୁଣ୍ଠିତ ହେବି ନାହିଁ ।

ବରର ପିତା କହିଲେ ତୁ ତାହା ହେଲେ ସତ କହୁଛୁନା – ମଝିରେ କଥା ବଦଳାଇ ଅସତ୍ୟ ହେବୁ ନାହିଁ ତ!

କୃଷ୍ଣ ସୁନ୍ଦର କହିଲେ – ଗୁରୁ ମୋତେ ଶିଖାଇଛନ୍ତି ଯେ ତୁମେ କାହାକୁ କିଛି କରି ଦେବାର ଯଦି ପ୍ରତିଶୃତି ଦେବ, ତାହା ହେଲେ ପ୍ରାଣ ବରଂ ଚାଲିଯିବ ହେଲେ ଦେଇଥିବା ବଚନ କେବେ ଖଣ୍ଡନ କରିବ ନାହିଁ । ମୁଁ ଯେତେବେଳେ ଆପଣଙ୍କୁ ବଚନ ଦେଉଛି ତାହା ହେଲେ ବଚନ ଖଣ୍ଡନ କରିବାର ପ୍ରଶ୍ନ ଉଠିବ ନାହିଁ ।

କୃଷ୍ଣ ସୁନ୍ଦରଙ୍କ କଥା ଶୁଣି ବରର ପିତା ଖୁବ୍ ଆନନ୍ଦ ହୋଇଯାଇ କହିଲେ ତୁ ପୁଅ ମୋତେ ଆଜି ଗୋଟାଏ ବଡ ବିପଦରୁ ବଂଚାଇ ଦେଲୁ । ବିପଦଟା ଏପରି ଯେ ମୋର ପୁଅ କଣା, ସେଥି ଲାଗି ଝିଅଟିଏ ଦେବାକୁ ଯିଏ ଆସୁଥିଲା ସେତିକି ଦେଖି ମୁଖ ଆମ୍ବିଳା କରି ଫେରି ଯାଉଥିଲା । ଏବେ ମୋ ପୁଅର ବାହାଘର । କନ୍ୟାର ପିତା ଜାଣନ୍ତି ନାହିଁ ଯେ ସେ ଯାହାକୁ ଜୋଇଁ କରିବାକୁ ଯାଉଛନ୍ତି ସେ ଗୋଟାଏ କଣା, ଗୋଟାଏ ଆଖିକୁ ଦିଶୁଛି ତ ଅନ୍ୟ ଆଖିକୁ ଦିଶୁ ନାହିଁ । ଏତିକି ଅସୁବିଧା ବ୍ୟତୀତ ମୋର କ’ଣ ନାହିଁ । ଗୋଟାଏ ରାଜାର ଯାହା ନଥିବ ତା’ର ଦୁଇ ଗୁଣ ଧନ ମୋର ଅଛି । ଗୋଟାଏ ବୋଲି ପୁଅ ମୋର । ଘରକୁ ପୁଅ ବିଭାକରି ବୋହୁ ଗୋଟିଏ ଆଣିବା ଲାଗି ସ୍ତ୍ରୀ ମୋର କି ବିକଳ ହେଉଛି । ଯାହା ହେଉ ବାପ ତୁ ବି ମୋର ଗୋଟାଏ ପୁଅ । ଆଜି ଏହି ବିପଦରୁ ତୁ ମୋତେ ବଂଚାଇ ଦେଲୁ ।

କୃଷ୍ଣ ସୁନ୍ଦର ବରର ପିତାଠାରୁ ସବୁ ଶୁଣି ସାରି କହିଲା କୁହନ୍ତୁ ଏଥି ଲାଗି ମୋତେ ପୁଣି କ’ଣ କରିବାକୁ ହେବ । ସେତକ ଉପକାର କରି ଦେଇ ସକାଳୁ ସକାଳୁ ମୋତେ ଏ ଗ୍ରାମ ଛାଡି ଆର ଗ୍ରାମକୁ ଯିବାକୁ ହେବ ।

ବରର ପିତା କହିଲେ – ସେତେ ବଡ କଥା ନୁହଁ ପୁଅ । ଖୁବ୍ ଛୋଟିଆ କାର୍ଯ୍ୟ ଗୋଟିଏ । ପୁଅ ମୋର ବର ବେଶ ହୋଇ ଆସିଛି । ତୁ କେବଳ ତା’ର ବର ପୋଷାକ ପିନ୍ଧି ପାଲିଙ୍କିରେ ବସି ବାହା ହେବା ଲାଗି ଦି’ ଘଂଟା ଲାଗି କନ୍ୟା ଘରକୁ ଯିବୁ । କନ୍ୟା ସହିତ ତୋର ବାହାଘର ହୋଇଯିବା ପରେ କଥା ସରିଲା । ତେଣିକି ମୁଁ ବୋହୂକୁ ନେଇ ଆସିଲେ ପୁଣି ଏଇଠି ତୁ ତୋର ପୋଷାକ ପିନ୍ଧି ତୋ କାର୍ଯ୍ୟରେ ଯିବୁ; ଆଉ ପୁଅ ମୋର ତା’ର ବର ପୋଷାକ ପିନ୍ଧି ମୋ ଗ୍ରାମକୁ ବାହୁଡି ଯିବ । କଥା ଦେଇଥିଲା ଯେତେ ବେଳେ କୃଷ୍ଣ ସୁନ୍ଦର ରାଜି ହୋଇ ବର ବେଶ ହୋଇ ପାଲିଙ୍କିରେ ବସି ବାହା ହେବାକୁ ଗଲା ।

ବର ରାଜ ନଅରରେ ପହଁଚିବା ବେଳକୁ ବହୁତ ଲୋକ ବର ରୂପ ଦେଖିବା ଲାଗି ବର ପାଖକୁ ଲମ୍ବା ଲାଇନ୍ ଲଗାଇ ଥିଲେ । ସମସ୍ତେ ବରର ରୂପ ଦେଖି ଖୁସ୍ । ସମସ୍ତଙ୍କ ମୁଖରେ ସେହି ଗୋଟିଏ କଥା ରାଜା ଝିଅ ପାଇଁ ବର ରୂପ ଖୁବ୍ ସୁନ୍ଦର ହୋଇଛି । ହଁ, ବିଧାତା ନିର୍ମାଣ, ଯାହାର ଯାହା ଘରେ ଚାଉଳ ପଡିଛି ବିଧାତା ତାହାହିଁ ଯୁଟାଇ ଦିଅନ୍ତି । ଉଆସ ଲୋକେ ଯେଉଁ ମାନେ ବରକୁ ଦେଖିଲେ ସେମାନେବି ବରର ରୂପ ଦେଖି ଖୁବ୍ ଆନନ୍ଦ ହେଲେ ।

ବିଭାଘର ସରିଲା – ତା’ପରେ ଝିଅ ଜ୍ୱାଇଁ ମଧୁଶଯ୍ୟା ଘରକୁ ଗଲେ । ହେଲେ କ’ଣ ହେବ ଦିନ ସାରା ଉପାସରେ ଥିଲା କୃଷ୍ଣ ସୁନ୍ଦର । ସାମାନ୍ୟ କ’ଣ ଜଳଖିଆ ଖାଇ ବର ବେଶ ହୋଇ ପାଲିଙ୍କିରେ ବସିଲା । ଏବେ ରାତି ପାହିବାକୁ କେତେ ବା ବେଳ ଅଛି । କ୍ଷୁଧାରେ ସେ ଛଟ ପଟ ହେଲାଣି । ଏଥିରେ ସେ ମଧୁଶଯ୍ୟା କରିବାକୁ ଶକ୍ତି ପାଉଛି କେଉଁଠି । ସେ ଆଉ କ୍ଷୁଧା ସମ୍ଭାଳି ନପାରି ରାଜା ଝିଅକୁ କହିଲା, ମୋତେ ଖୁବ୍ ଭୋକ ହେଉଛି ।

ରାଜା ଝିଅ କହିଲା ସେହି କଥା ମୋତେ ଆଗରୁ କହିଲ ନାହିଁ । ମୁଁ ଦାସୀ ହସ୍ତରେ ମଗାଇ ଦେଇ ଥାଆନ୍ତି । ଏବେ ଆଉ କି ଉପାୟ କରିବି । ତା’ଛଡା ଭଣ୍ଡାର ଘର ତ ବନ୍ଦ ହୋଇ ଗଲାଣି ।

କୃଷ୍ଣ ସୁନ୍ଦର କହିଲା ତୁମେ ଯାହା କର ପଛକେ ମୋ ଲାଗି ଆଗ ଖାଇବାର ବନ୍ଦୋବସ୍ତ କର । ନଖାଇଲେ ମୁଁ ଆଉ ସମ୍ଭାଳି ହୋଇ ରହି ପାରିବି ନାହିଁ ।

ରାଜା ଝିଅ ସ୍ୱାମୀଙ୍କ କଥା ଶୁଣି ନାଚାର । ଏବେ ତ କିଛି ଉପାୟ ନାହିଁ । ତେଣୁ ସେ କ’ଣ କଲାନା, ବନ୍ଦାଣ ଥାଳିରେ ଯେଉଁ ଚାଉଳ ଥିଲା ସେହି ଚାଉଳକୁ ଆଣି ଲୁଗାପଟା ଜାଳି ଭାତ ଗଣ୍ଡାକ ଫୁଟାଇ ଦେଲା । ସେହି ଭାତକୁ ଖାଇ କୃଷ୍ଣ ସୁନ୍ଦର ଟିକେ ଶାନ୍ତିରେ ନିଃଶ୍ୱାସ ମାରିଲା । ତା’ପରେ ଦୁହିଁଙ୍କ ମଧ୍ୟରେ ପ୍ରେମା ଳାପ ଜମିଲା ।

ଏହିପରି ଭାବରେ ମଧୁଶଯ୍ୟା ଘରେ କୃଷ୍ଣ ସୁନ୍ଦର ରାତିଟି ବିତାଇ ତା’ପରେ ସକାଳ ହେବାରୁ ମଧୁଶଯ୍ୟା ଘର ଛାଡି ପଳାଇ ଆସିଲା । ତା’ପରେ ବରର ବାପ ଠାରୁ ସୁବର୍ଣ୍ଣ ମୋହରଟି ନେଇ ପାନ୍ଥଶାଳା ଆଡେ ପଳାଇ ଗଲା ।

କୃଷ୍ଣ ସୁନ୍ଦର ସେ ସ୍ଥାନ ଛାଡି ଦେଇ ଚାଲିଯିବା ପରେ ବରର ବାପ ଏବେ ଗୋଟାଏ ଗୋଳା ଉଠାଇ କହିଲା ମୋ ପୁଅର ଆଖିଟା କାହିଁକି ଖରାପ ହୋଇଗଲା ।

ବରର ବାପ ଯେତେ ବେଳେ ଏକଥା କହିଲା ସେ କଥା ଶୁଣି ସମସ୍ତେ ତଟସ୍ଥ ହୋଇଗଲେ । ଏକଥା ଶୁଣି ଶାଶୁ ଶଶୁରଙ୍କର ମନ ଖୁବ୍ ଦୁଃଖ ହେଲା ।

କିନ୍ତୁ ଖୁବ୍ ଚାଲାଖ୍ ଥିଲା ରାଜ କୁମାରୀ, ସେ ଏକଥା ସବୁ ଜାଣିବା ପରେ ରାଜ କନ୍ୟା ଡେରାବାଟ ସେପଟେ ଥାଇ ବରକୁ ଦେଖିନେଇ ଜାଣି ପାରିଲା ଯେ ସେ ଯାହାଙ୍କୁ କାଲି ରାତିରେ ବାହା ହୋଇଥିଲା ସେ କିନ୍ତୁ ୟେ ନୁହଁ । ତାହା ହେଲେ ଏହା ଭିତରେ କିଛି ଗୂଢ ରହସ୍ୟ ଅଛି । ସେହିଠୁ ସେ ବାପ ମାଆଙ୍କୁ ହାତ ଯୋଡି କହିଲା – ମାଆ କାଲି ଯାହାଙ୍କୁ ମୁଁ ବିଭା ହୋଇଥିଲି, ମଧୁଶଯ୍ୟାରେ ଯାହାଙ୍କ ସହିତ ରାତିଟା ବିତାଇଲି ସେ ବର କିନ୍ତୁ ୟେ ନୁହଁ । ସେ ନିଶ୍ଚୟ ଆଉ ଜଣେ କିଏ ଥିଲେ । ଆପଣ ରାଜବୈଦ୍ୟ ଡକାଇ ତା’ର ଆଖି ପରୀକ୍ଷା କରନ୍ତୁ । ରାଜବୈଦ୍ୟ ନିଶ୍ଚୟ ଏହାଙ୍କର ଆଖି କେତେଦିନ ହେଲା ଖରାପ ହେଲାଣି ସେକଥା ରାଜବୈଦ୍ୟ ନିଶ୍ଚୟ କହି ଦେବେ ।

ଝିଅ ଠାରୁ ଏକଥା ଶୁଣିବା ପରେ ରାଜା ରାଗରେ ନିଆଁ ବାଣ ହୋଇଗଲେ । ରାଗ କ୍ରୋଧରେ ବରଯାତ୍ରୀ ମାନଙ୍କୁ ରାଜ ଉଆସରୁ ବାହାର କରି ଦେଲେ । ଗୋଟିଏ ବୋଲି ଝିଅ ମୋର, ତା’ କପାଳରେ ପୁଣି ଏୟା ଥିଲା ।

ରାଜାଙ୍କ ଠାରୁ ଏକଥା ଶୁଣି ରାଜା ଝିଅ କହିଲା ଯାହା ଭାଗ୍ୟରେ ବିଧାତା ନିଜ ହାତରେ ଲେଖି ଦେଇଛନ୍ତି ସେ କଥାକୁ ପୁଣି ଆନ କରିବ କିଏ । ଶୁଣ ତାହା ହେଲେ ମୁଁ ତୁମକୁ ଏଠାରେ ଗୋଟିଏ ଗପ କହୁଛି । ଏହା ପରେ ରାଜା ଝିଅ ବାପା ମାଆଙ୍କ ଶୁଣିବା ଲାଗି ଗପଟିଏ କହିଲା ।

କୃଷ୍ଣ ଜୀବନ ସୁବର୍ଣ୍ଣ

Rate the content


Originality
Flow
Language
Cover design

Comments

Post

Some text some message..