Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Bijayalaxmi Das

Inspirational


4  

Bijayalaxmi Das

Inspirational


ମାଉସୀଙ୍କ ଝିଅ

ମାଉସୀଙ୍କ ଝିଅ

5 mins 248 5 mins 248

ଆଜି ଜାଗର। ମନ୍ଦିର ପ୍ରବଳ ଭିଡ଼ ହେବ। ତେଣୁ ତରତରରେ ଘର ପୂଜା ସାରି ମନ୍ଦିରକୁ ମୁଁ ବାହାରିପଡିଲି। ମନ୍ଦିରରେ ଠାକୁରଙ୍କୁ ଦର୍ଶନ, ଦୀପଦାନ ପରେ ଶୀଘ୍ର ଶୀଘ୍ର କିପରି ଘରେ ଆସି ଚା' ପିଇବି, ସେଥିପାଇଁ ସକାଳୁ ଉଠି ମୁଁ ମୋ କାର୍ଯ୍ୟକ୍ରମ ସବୁ ସାରିପକାଏ ଓ ମନ୍ଦିରକୁ ବାହାରିଯାଏ। ଚା' ପାଇଁ ମୋର ପ୍ରବଳ ନିଶା। ପିଲାଦିନେ ପାଠପଢିବାବେଳେ ମୋ ମା' ରୋଷେଇଘରେ ଥାଇ ଚା' ପିଇବାପାଇଁ ସ୍ନେହରେ ଯାଚିଯାଚି ଏକପ୍ରକାର ଅଭ୍ୟାସ କରାଇ ଦେଇଥିଲେ।


ଆଗରୁ ମୁଁ ମନ୍ଦିର ଯାଏନି କି ଉପାସ ବି କରେନି। ତା ମାନେ ନୁହେଁ ଯେ ମୁଁ ଭଗବାନଙ୍କୁ ବିଶ୍ୱାସ କରେନି। ବାହାଘରର ୧୦ ବର୍ଷ ପରେ ମହାଦେବଙ୍କୁ ଡାକିବା ପାଇଁ ମନରେ ଶ୍ରଦ୍ଧା ଜାତହେବାରୁ ଉପାସକଲି। ସକାଳୁ ମନ୍ଦିର ଯାଇ ଦୀପଜାଳି ଆସି ଦ୍ୱିପ୍ରହର ରୋଷେଇ ସାରି ସଂଧ୍ୟାବେଳେ ମନ୍ଦିର ଗଲି। 'ମହାଧୂପ' କ'ଣ ଓ କେମିତି ଉଠେ ମୁଁ ସେ ବିଷୟରେ କିଛି ଜାଣି ନଥିଲି। ପିଲାମାନେ ବଡହେବାପରେ ମୁଁ ସଂଧ୍ୟାବେଳେ ମନ୍ଦିର ଯାଏ,ଦୀପବସାଏ , 'ମହାଧୂପ' ଉଠିଲା ପରେ ଘରେ ଆସି ପ୍ରସାଦ ପାଏ।


କିନ୍ତୁ ଏ ଥରକର ଜାଗର ମୋ ପାଇଁ ଥିଲା ଭିନ୍ନ। ମୁଁ ସଂଧ୍ୟା ବେଳେ ଦୀପ ଜଳାଇ ବସିଗଲି ଭକ୍ତ ମାନଙ୍କ ଗହଣରେ। ରାତି ୧୦ଟାରେ 'ମହାଧୂପ' ଉଠିଲା। ସେ ଦୃଶ୍ୟ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ମୋତେ ବି ବହୁତ ଖୁସି ଲାଗୁଥିଲା ଦେଖିବାକୁ। ମନ୍ଦିରର ମୂଖ୍ୟ ଭାଇନା ବହୁତ ବଡଦୀପଟେ ଧରି ଉପରକୁ ନେଇ ଧିରେଧିରେ ଗଲେ ଓ ମନ୍ଦିର ଶିଖରରେ ନେଇ ଥୋଇଲେ। ସେତେବେଳେ ମୁଁ ଭାଇନା କିପରି ଆସି ନିରାପଦରେ ତଳେ ପ‌ହଁଚିବେ ପ୍ରାର୍ଥନା କରୁଥିଲି। ଯାହାହେଉ 'ମହାଧୂପ' ଭଲରେ ଭଲରେ ଉଠିଲା ଓ ପ୍ରସାଦ ଵଣ୍ଟାଗଲା। ପ୍ରସାଦ ନେଇ ଘରକୁ ଆସୁଥିଲି,ପଛରୁ ଭିଡମଧ୍ୟରୁ ମୋତେ କିଏ ଜଣେ 'ଝିଅ ...ଝିଅ' ବୋଲି ଡାକିଲା। ପଛକୁ ଅନାଇ ଦେଖେ ତ ଧଳା ଶାଢ଼ୀ ପିନ୍ଧିଥିବା ଜଣେ ବୁଢୀ ଲୋକ ମୋତେ ଡାକୁଛନ୍ତି। ବୟସ ସତୁରୀ ହେବ ବୋଧହୁଏ। ମୋ ପାଇଁ ସେ ଥିଲେ ସଂପୂର୍ଣ୍ଣ ଅଜଣା।


ମୁଁ ପଚାରିଲି , "ମାଉସୀ କ'ଣ ହେଲା?"

--ଝିଅ , ମୋତେ ନେଇ ଆମ ଘରେ ଟିକେ ଛାଡ଼ିଦେବ ? ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି , "ମାଉସୀ ତମେ କ'ଣ ଏକୁଟିଆ ଆସିଛ? ତମର କ'ଣ କେହି ନାହାନ୍ତି?"

-- ହଁ ଝିଅ ,ମୋ ସାନପୁଅ ବୋହୁ ଅଛନ୍ତି।

--ମାଉସୀ ତମ ପୁଅ ନେବାକୁ ଆସିବେନି?

-ନାଇଁ...ନାଇଁ , ସେକଥା କହନି ମା'। ପୁଅ ଯଦି ଆସିଵ ବୋହୁ ଘରଦ୍ୱାର ବାଡ଼େଇ ଭଙ୍ଗାରୁଜା କରିଵ। ମୋ ଆଖି ବଡ ବଡ ହୋଇଗଲା। ମୁଁ କହିଲି ,ମାନେ ! ତମ ପୁଅ ତମକୁ ନେବାକୁ ଆସିଲେ ବୋହୁ କ'ଣ ଏମିତି କରିବ?

--ହଁ ରେ ମା', ମୋ ଵୋ‌ହୁ ସେମିତି। ବଡ଼ପୁଅ ବୋହୁ ଆମେରିକାରେ ରହୁଛନ୍ତି। ଏମାନେ ସାନପୁଅ ବୋହୁ। ମୋ ସ୍ୱାମୀ କେବେଠାରୁ ଆରପାରିକୁ ଚାଲିଗଲେଣି।


ଇତିମଧ୍ୟରେ ମୋ ମିଷ୍ଟର ଆସି ପହଁଚିଲେ ମୋତେ ନେବାପାଇଁ। ମୁଁ କହିଲି , "ଚାଲ , ମାଉସୀଙ୍କୁ ଟିକେ ଛାଡ଼ି ଦେଇ ଆସିବା।" ସେତେବେଳକୁ ରାତି ଆସି ୧୧ଟା ବାଜିଲାଣି। ତାଙ୍କ ଘର ମୁହଁରେ ତାଙ୍କୁ ଆମେ ନିରାପଦରେ ଛାଡ଼ିଦେଇ ଆସିଲୁ। ତା' ପରଦିନ ତାଙ୍କ ବିଷୟରେ ପଚାରି ଜାଣି ପାରିଲି ଯେ ମାଉସୀ ଯାହାସବୁ କହିଲେ ତାହା ସତ ଥିଲା।


ଅନ୍ୟ‌ ଏକଦିନେ ମୁଁ ବାହାରକୁ କାମରେ ଯାଇଥିଲି।ସେଠାରେ ଥିବା ତାରିଣୀ ମନ୍ଦିର ନିକଟରେ ମାଉସୀ ନାଚାର ହୋଇ ଛିଡ଼ାହୋଇଥିଲେ। ମୋତେ ଦେଖି ରୋଡକ୍ରସ୍ କରାଇଦେବାକୁ କହିଲେ। ମୁଁ ତାଙ୍କୁ ରୋଡକ୍ରସ୍ କରାଇଦେଲି ଓ ଗାଡ଼ିରେ ନେଇ ଘରେ ଛାଡ଼ିଦେଇ ଆସିଲି।


ଏହିପରି ତାଙ୍କୁ ମୁଁ ଅନେକଥର ଦେଖିଛି। ପ୍ରତିଥର କିଛି ନା କିଛି ସେ ମୋତେ କହିଥାନ୍ତି। ଶେଷଥର ଯେଉଁଦିନ ମୁଁ ତାଙ୍କୁ ଘରଠି ଦେଖିଥିଲି ସେ ମୋତେ ଆଖି ଛଳଛଳ କରି କହିଲେ , "ତୁ ଆରଜନ୍ମରେ ମୋ ଝିଅ ଥିଲୁରେ ମା'।" ବହୁତ ଶାନ୍ତି ଲାଗିଥିଲା ମୋତେ ଏ କଥା ପଦକ ଶୁଣି ତାଙ୍କଠାରୁ। ସେ କଥାରେ ସତେଯେମିତି ଏକ ମା'ର ଆଶୀର୍ବାଦ ଥିଲା ଭଳି ମୋତେ ଲାଗୁଥିଲା।


ଏଇତ ଏବେ ଭାବୁଛି ପୁଣି ତାଙ୍କ ନିକଟକୁ ଯିବାପାଇଁ। କିନ୍ତୁ ବର୍ତ୍ତମାନ ସେ ରହୁଛନ୍ତି ଏକୁଟିଆ। ପୁଅର ବଦଳି ହୋଇଗଲା , ବୋହୁକୁ ସାଙ୍ଗରେ ନେଇଯା' ବୋଲି ସେ ପୁଅକୁ କହିଥିଲେ। ଯିବାକୁ ଇଚ୍ଛା ଥିଲେ ଵି ମୋ ଗୋଡ଼କୁ ଆଜିକାଲିର ଭୟ ନାମକ ବେଡି ଜାବୁଡ଼ି ଧରିଥିଲା।ଆମର ବୟୋଜ୍ୟେଷ୍ଠ ନାଗରିକ ମାନଙ୍କ ବିଷୟରେ ପେପର୍ ରୁ ପଢି ଭୟ ଲାଗୁଛି। କିଛି ଗୋଟେ ଘଟଣା ଘଟିଗଲା ପରେ ତାଙ୍କ ନିକଟସ୍ଥ ଲୋକଙ୍କୁ ହିଁ ଶୂଳି ଚଢ଼ିବାକୁ ପଡ଼ିଥାଏ। କେବଳ ଭଗବାନ୍ ଙ୍କୁ ତାଙ୍କର ମଙ୍ଗଳ ମନାସି ପ୍ରାର୍ଥନା କରୁଛି , "ମାଉସୀଙ୍କୁ ଭଲରେ ରଖିଥାଅ ପ୍ରଭୁ।''


ଆଜି ମାଉସୀଙ୍କ କଥା ବହୁତ ମନେ ପଡୁଛି। ତାଙ୍କ ନମ୍ବର ରଖି ମଝିରେ ମଝିରେ ଫୋନ୍ କରେ। ପୂଜା ପର୍ବାଣୀ ହେଲେ ଆମ୍ବଡ଼ାଳ,ଦୂବ ଆଣିବାକୁ ଯାଏ। ଏଇଟା ଏକ ବାହାନା ମାତ୍ର। ମନରେ ଥାଏ-- ଏକୁଟିଆଟା ରହୁଛନ୍ତି, ଦେଖି ଦେଇ ଆସିଲେ ଶାନ୍ତି ଲାଗିବ। ନହେଲେ ଆମ ଆପାର୍ଟମେଣ୍ଟର ପାଖରେ ବି ଦୂବ, ଆମ୍ବଡ଼ାଳ ମିଳିଯାଏ।


କରୋନା ଟାଇମ୍ ହୋଇ ଥିବାରୁ ବହୁତ ମନେ ପଡ଼ିଲେ। ପୁଅ ବୋହୁ କେହି ପାଖରେ ରହୁନାହାନ୍ତି। କେମିତି ଥିବେ କେଜାଣି। ଆଗରୁ ଜଣେ ପରିବା ବାଲା ତାଙ୍କ ଦୁଆର ମୁହଁରେ ପରିବା ଥୋଇଦେଇ ଯାଆନ୍ତି ବୋଲି କହୁଥିଲେ। ଯେଉଁ ଦିନ ଯାଇଥିଲି କଡ଼ାଇରେ ପୂରା କଡ଼ାଇଟେ ତରକାରୀ କରିଥିଲେ। ଏତେ ବୟସରେ ରୋଷେଇ ନିଜେ କରି ପଡ଼ିଶା ଘରକୁ ବି ଦିଅନ୍ତି। ବିରାଟ ବଡ଼ ଘର। କିନ୍ତୁ ଘର ଖାଲି ଖାଁ ଖାଁ ଲାଗୁଥିଲା। ମୋତେ ଦେଖି ଖୁସି ହୋଇ ଚାରିଆଡ ବୁଲାଇ ଆଣିଲେ। ଖୁସିରେ ଗଦଗଦ୍ ହୋଇ ଗୋଟେ ଖଟକୁ ଆଙ୍ଗୁଠି ଦେଖାଇ କହିଲେ ,"ମୋ ବଡ଼ପୁଅ

ଆମେରିକାରୁ ଆସିଲେ ଏଇଠି ଶୁଏ ଆଉ କହେ-- ବୋଉ କ'ଣ ରାନ୍ଧିଛୁ ଦେଲୁ , ମୁଁ ଏଇଠି ଖାଇବି। ତା'ପରେ ଶଶୁର ଘରକୁ ଯିବି। ଖାଇଦେଇ ଏଇ ଖଟରେ ଶୋଇପଡେ। ଏଇ ଖଟରେ ତା' ପିଲାଦିନେ ମୋ ପାଖରେ ଗପ ଶୁଣୁଶୁଣୁ ଶୋଇ ଯାଉଥିଲା। ଏବେ ଆସିଲେ ବି ସେଇ ଖଟରେ ଶାନ୍ତିରେ ଶୋଇପଡେ। ଏତେ ଶାନ୍ତିରେ ଶୋଇଥାଏ ଯେ ଉଠାଇବାକୁ ଆଉ ଇଛା ହୁଏ ନାହିଁ। ପୁଣି ତା' ଶଶୁର ଘରକୁ ଯିବ... ଏହା ଭାବି ଉଠାଇଦିଏ। ବୋହୁ ଆସେନି କେବେ ମୋ ପାଖକୁ। ସାନପୁଅ,ବୋହୁ ବେଳେ ବେଳେ ଆସନ୍ତି।"


ସମୟ କାଢି ଟିକେ ତାଙ୍କ ସହ କଥା ହୋଇଗଲେ ମନ ଖୋଲି ସବୁ କଥା କହି ପକାନ୍ତି। ଏ ବୟସରେ ଏଇଟା ହିଁ ଦରକାର। କ'ଣ ବା କରିପାରିବି ମୁଁ ଆଉ ଅଧିକ ତାଙ୍କ ପାଇଁ ...।


ମୁହଁରେ ମାସ୍କ ଲଗାଇ ଗଲି ତାଙ୍କ ପାଖକୁ। ମୋ ଘରଠାରୁ ୧୫ମିନିଟ୍ ଲାଗେ। କବାଟରେ ମୃଦୁ ଆଘାତ ଦେଲି। କିଛି ଶବ୍ଦ ଆସୁଥାଏ। ଠିଆ ହେଲି କିଛି ସମୟ। ୧୦ମିନିଟ୍ ପରେ କବାଟ ଖୋଲିଲେ ନିଜେ ମାଉସୀ। ମାସ୍କ ପିନ୍ଧିଥାନ୍ତି। ମୋତେ ଦେଖି ଖୁସି ହୋଇ 'ମୋ ଝିଅ ଆସିଛି ଲୋ' କହି କୁଣ୍ଢାଇ ପକାଇଲେ। କହିଲି , "କରୋନା ଟାଇମ୍ ମାଉସୀ। ମୋତେ ଛୁଅଁନ୍ତୁ ନାହିଁ।" କହିଲେ--- 


--- ତୁ ଆସିଛୁ ଏତେ ଦିନ ପରେ। ଟିକେ ଗେଲ୍ହା କରିବିନି !! ମୋର ସେ କରୋନା କିଛି କରିପାରିବନି। ଦେଶି ଓଷଦ ସବୁ ସକାଳୁ ଖାଉଛି। ବେଲପତ୍ର , ତୁଳସୀ ,ମହୁ ଶିଳରେ ବାଟି ଖାଉଛି କହି ମୋତେ ଶିଳଟାକୁ ଦେଖାଇଲେ। ଗ୍ରାଇଣ୍ଡର ଅଛି , ହେଲେ ମୋତେ ପୋଷାଏନି। ଉଷୁମ ପାଣି ବି ପି‌ଉଛି। 


ଉଖୁଡା କରିଥିଲି କହି ଗୋଟେ ପ୍ଲେଟ୍ ରେ ଆଣି ଥୋଇଦେଲେ। ନେ , ଖାଇଦେଲୁ କହି ମୋ ପାଖରେ ବସିପଡ଼ିଲେ। ଚା' ଟିକେ ବସେଇଦେଇ ଆସେ କହି ଉଠି ପଡ଼ିଲେ। କହିଲି , "ମାଉସୀ ମୁଁ ବସେଇଦେଉଛି।" ନାଇଁ...ତୁ ଜାଣିବୁନି , ମୁଁ କରିବି କହି ଗ୍ୟାସ୍ ଲଗାଇ ଚା' କରିକି ଦେଲେ। ମୋ ମା'ଙ୍କ ହାତ ଚା'ଭଳି ଲାଗିଲା। 


ମୋ ମା'ଙ୍କୁ ମନେ ପକାଇ ଭାବୁଥିଲି-- ମୋ ମା' ସିନା ନାହାନ୍ତି ଏ ପାରିରେ, ଆଉ ଗୋଟିଏ ମା'ର ସ୍ନେହ ମମତା ତ ପାଉଛି ଭଗବାନ୍ ଙ୍କ ଆଶୀର୍ବାଦରୁ !!!


ପୁଅ ଫୋନ୍ କରିବାରୁ ବାହାରିଲି ଆସିବା ପାଇଁ। ମୋତେ କହିଲେ-- ମୋ ନାତିକୁ ଆଣିକି ଆସିବୁ। ପୂଣି ଉଖୁଡା ପୁରାଇ ଗୋଟେ ଜରିରେ ପୁଅ ପାଇଁ ଦେଲେ। 


-- ଗୁଆ ଘିଅ ବୋଳି ଉଖୁଡା କରିଛି। ନେ...ମୋ ନାତିଆ ଟୋକାକୁ ଦେବୁ।


ହଁ... କହି ଆସିଲା ବେଳକୁ ଦୁଆର ମୁହଁରେ ମୋତେ ଏକଲୟରେ ଅନାଇ ଠିଆ ହୋଇଥିଲେ। ତାଙ୍କ ମୁହଁରୁ ଏକ ଖୁସି ଓ ପ୍ରଶାନ୍ତିର ଚିହ୍ନ ମୁଁ ସ୍ପଷ୍ଟ ଦେଖି ପାରୁଥିଲି।

                  


 


Rate this content
Log in

More oriya story from Bijayalaxmi Das

Similar oriya story from Inspirational