Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଚନ୍ଦ୍ର ରାଜାଙ୍କର କାହାଣୀ
ଚନ୍ଦ୍ର ରାଜାଙ୍କର କାହାଣୀ
★★★★★

© ଓଡିଆ ଶିଶୁ ଗପ

Children

5 Minutes   7.6K    13


Content Ranking

ଗୋଟିଏ ରାଜ୍ୟରେ ‘ଚନ୍ଦ୍ରଦେବ’ ନାମକ ରାଜାଥିଲେ । ତାଙ୍କର ପୁତ୍ର ଉପବନରେ ଦଳେ ମାଙ୍କଡ ରଖିଥିଲେ । ରାଜକୁମାର ପ୍ରତିଦିନ ସେହି ମାଙ୍କଡ ମାନଙ୍କୁ ଖାଇବାକୁ ଦେଇ ପୋଷା ମନାଇ ଥାଆନ୍ତି । ସମୟ ପାଇଲେ ଉପବନରେ ସେମାନଙ୍କ ସହିତ ନାନାଦି ଖେଳ ଖେଳନ୍ତି । ମାଙ୍କଡ ମାନଙ୍କ ବ୍ୟତୀତ ରାଜକୁମାର କେତେଗୁଡିଏ ମେଣ୍ଢାଙ୍କୁ ମଧ୍ୟ ପାଳିଥାଆନ୍ତି । ମେଣ୍ଢାପଲ ମଧ୍ୟରେ ଗୋଟିଏ ଦୁଷ୍ଟ ମେଣ୍ଢା ଥାଏ । ସେ ପ୍ରତିଦିନ ରାଜାଙ୍କର ରୋଷେଇ ଶାଳରେ ପଶି ଯାହା ରନ୍ଧା ହୋଇଥାଏ, ସେଥିରେ ମୁହଁ ମାରେ । ରାଜାଙ୍କ ରୋଷେଇୟାମାନେ ମେଣ୍ଢାକୁ ଦେଖିବା ମାତ୍ରକେ କାଠ, ଚଟୁ ଯାହା ପାଆନ୍ତି ତାହା ଧରି ଘଉଡାଆନ୍ତି । ପୂଜାରୀ ମାନଙ୍କୁ ଦେଖିବା ମାତ୍ରକେ ମେଣ୍ଢାଟି ମେଣ୍ଢାଶାଳ ଆଡକୁ ଦୌଡେ ।

ମେଣ୍ଢାଟି ଏହିପରି ଦୌଡି ଦୌଡି ଯିବା ସମୟରେ ମାଙ୍କଡ ମାନଙ୍କର ଦଳପତି ଗଛ ଉପରେ ବସି ଏହି ଦୃଶ୍ୟ ଦେଖନ୍ତି । ଏହା ଦେଖି ସେ ଚିନ୍ତା କଲେ ଦିନେ ଏଇ ମେଣ୍ଢାମାନଙ୍କ ପାଇଁ ମାଙ୍କଡ ମାନଙ୍କର ପ୍ରାଣଯିବ । ଏହାଭାବି ଦଳପତି ତାଙ୍କ ଦଳର ସବୁ ମାଙ୍କଡକୁ ଏକଥା କହିଲେ । ମାଙ୍କଡ ମାନଙ୍କର ଦଳପତି କହିଲେ, ମେଣ୍ଢାଟି ପ୍ରତିଦିନ ରାଜାଙ୍କ ରୋଷେଇ ଶାଳରେ ପଶୁଛି । ତାକୁ ଦେଖି ପୂଜାରୀମାନେ କାଠ ଧରି ଗୋଡାଉଛନ୍ତି । ଯଦି ଦୁର୍ଭାଗ୍ୟବଶତଃ ମେଣ୍ଢାଟି ପୋଡିଯାଏ ଏବଂ ସଂଗେ ସଂଗେ ସେ ଘୋଡା ଶାଳ ବାଟ ଦେଇ ଯିବା ସମୟରେ ସେଠାରେ ଥିବା ଶୁଖିଲା ଘାସ, ପତ୍ରରେ ନିଆଁ ଲାଗିଲେ ଘୋଡାମାନେ ପୋଡିଯିବେ । ଭାଇମାନେ ତୁମେ ଜାଣିନକି ଘୋଡା ମାନଙ୍କ ଚମଡା ପୋଡିଗଲେ ତାହା କେବଳ ମାଙ୍କଡ ଚର୍ବି ଦ୍ୱାରା ଭଲ ହୋଇଥାଏ । ତେଣୁ ଘୋଡା ମାନଙ୍କୁ ବଂଚାଇବାପାଇଁ ରାଜା ଆମ୍ଭମାନଙ୍କୁ ମାରିବାପାଇଁ ଆଦେଶ ଦେବେ । ଏତେ କଥା ହେବା ଆଗରୁ ଆମେ ଏହି ସ୍ଥାନ ଛାଡି ଅନ୍ୟତ୍ର ଚାଲିଯିବା ଭଲ ହେବ ।

ମାଙ୍କଡ ଦଳପତିର ଏହିକଥା ଅନ୍ୟ ମାଙ୍କଡ ମାନଙ୍କର ମନକୁ ପାଇଲା ନାହିଁ । ସେମାନେ ଦଳପତିକୁ ପରିହାସ ଛଳରେ କହିଲେ, “ଆପଣଙ୍କର ବୟସ ବେଶୀ ହୋଇ ଗଲାଣି । ତେଣୁ ଆପଣଙ୍କ ମୁଣ୍ଡରେ ଆଉ ବୁଦ୍ଧି ବୃତି ନାହିଁ । ଏଠାରେ ଆମକୁ ନାନାଦି ସୁଖାଦ୍ୟ ଖାଇବାକୁ ମିଳୁଛି । ଆମେ କିଆଁ ଏ ସ୍ଥାନ ଛାଡି ଅନ୍ୟତ୍ର ଯାଇ ପିତା, ଖଟା ଫଳ ଖାଇବୁ । ପିଲାମାନଙ୍କର ଏପରି କଥା ଦଳପତିକୁ ଖୁବ୍ ଆଘାତ ଦେଲା । ସେ ସେମାନଙ୍କୁ କହିଲା, “ମୁଁ ଏଠାରେ ରହି ତୁମର ବିନାଶକୁ ଦେଖି ପାରିବି ନାହିଁ । ତେଣୁ ମୁଁ ଏହି ସ୍ଥାନ ଛାଡି ବର୍ତ୍ତମାନ ଚାଲିଯାଉଛି ।” ଏକଥା କହି ଦଳପତି ବନବାସ କରିବାକୁ ବାହାରିଲେ ।

କିଛିଦିନ ଗଲା । ହଠାତ୍ ଦିନେ ମେଣ୍ଢାଟି ରୋଷେଇ ଶାଳରେ ପଶିବା ମାତ୍ରକେ ପୂଜାରୀ ଜଳନ୍ତା କାଠରେ ମେଣ୍ଢାକୁ ପିଟିଦେଲା । ମେଣ୍ଢା ସଂଗେ ସଂଗେ ଘୋଡାଶାଳ ମଧ୍ୟ ଦେଇ ଚାଲିଯିବା ସମୟରେ ଘୋଡା ଶାଳରେ ମଧ୍ୟ ନିଆଁ ଲାଗିଗଲା । ଫଳରେ ଘୋଡାମାନେ ପୋଡି ହୋଇଗଲେ । ରାଜା ଏହା ଦେଖି ବିବ୍ରତ ହୋଇପଡିଲେ । ସଂଗେ ସଂଗେ ପଶୁ ଚିକିତ୍ସକମାନଙ୍କୁ ଡକାଇ ଘୋଡା ମାନଙ୍କର ପୋଡାକ୍ଷତ ଶୀଘ୍ର ଭଲ କରିବାପାଇଁ କହିଲେ । ଚିକିତ୍ସକମାନେ ଶାସ୍ତ୍ର ଦେଖି କହିଲେ, “ମାଙ୍କଡ ଚର୍ବି ଘୋଡା ମାନଙ୍କର କ୍ଷତ ସ୍ଥାନରେ ଲଗାଇଲେ ସେମାନଙ୍କର କ୍ଷତ ଶୀଘ୍ର ଭଲ ହୋଇଯିବ । ରାଜା ଏହା ଶୁଣିବା ମାତ୍ରକେ କର୍ମଚାରୀମାନଙ୍କୁ ଆଦେଶ ଦେଲେ ଉପବନରେ ଯେତେ ମାଙ୍କଡ ଅଛନ୍ତି, ସମସ୍ତଙ୍କୁ ହତ୍ୟାକରି ଚର୍ବି ସଂଗ୍ରହ କର ।” ସଂଗେ ସଂଗେ କର୍ମଚାରୀମାନେ ତାହା କଲେ । ମାଙ୍କଡମାନଙ୍କ ଚର୍ବିଦ୍ୱାରା ଘୋଡା ମାନଙ୍କ କ୍ଷତ ଖୁବ୍ ଅଳ୍ପଦିନରେ ଭଲ ହୋଇଗଲା ।

ଅରଣ୍ୟ ମଧ୍ୟରେ ରହି ମାଙ୍କଡମାନଙ୍କ ଦଳପତି ଯେତେବେଳେ ଏହି କଥା ଶୁଣିଲେ, ସେ ମନେ ମନେ ଖୁବ୍ ଦୁଃଖ ପ୍ରକାଶ କଲେ । ସେହି ଦିନ ସେ ପ୍ରତିଜ୍ଞା କଲେ ରାଜା ଚନ୍ଦ୍ରଦେବ ଯେପରି ତାଙ୍କ ବଂଶକୁ ଧ୍ୱଂସ କଲେ, ସେ ମଧ୍ୟ ଚନ୍ଦ୍ରଦେବର ବଂଶ ଧ୍ୱଂସ କରିବେ । ସେହିଦିନଠାରୁ ଦଳପତି କିପରି ରାଜାଙ୍କ ଉପରେ ପ୍ରତିଶୋଧ ନେବ ସେହି କଥା ଚିନ୍ତା କରୁଥାଏ । ଦିନେ ବଣରେ ବୁଲୁଥିବା ସମୟରେ ତାକୁ ଭୀଷଣ ଶୋଷ ଲାଗିଲା । କିଛି ବାଟ ଯିବା ପରେ ଏକ ପୋଖରୀ ପଡିଲା । ପୋଖରୀରେ କାଚକେନ୍ଦୁ ଭଳି ପାଣି ଭର୍ତି ହୋଇଥାଏ । ପୋଖରୀରେ ମଧ୍ୟ ବହୁତ ପଦ୍ମଫୁଲ ଫୁଟିଥାଏ । ମାଙ୍କଡ ପୋଖରୀ କୂଳରେ ବସି ଦେଖିଲା ଯେ ବିଭିନ୍ନ ଜନ୍ତୁମାନଙ୍କର ପାଦଚିହ୍ନ ପଡିଛି । କିନ୍ତୁ ଫେରିବାର ଚିହ୍ନ ପଡିନାହିଁ । ଏହା ଦେଖି ଚତୁର ମାଙ୍କଡ ମନେ ମନେ ଚିନ୍ତାକଲା, ‘ଏଠାରେ ପାଣି ପିଇବା ବିପଦ । ଏହି ପୋଖରୀରେ ନିଶ୍ଚୟ କିଛି ଗୋଟେ ଅଛି । ଏହା ଭାବି ମାଙ୍କଡ ପୋଖରୀ ହୁଡାରେ ବସି ହାତ ବଢାଇ ଏକ ପଦ୍ମନାଡ ଆଣି ସେହି ପଦ୍ମନାଡରେ ଜଳ ଶୋଷି ଶୋଷି ପାନ କଲା ।

ଏହାପରେ ହଠାତ୍ ଗୋଟେ ବ୍ରହ୍ମ ରାକ୍ଷସ ପାଣି ଭିତରୁ ଉପରକୁ ଉଠିଆସି ମାଙ୍କଡକୁ କହିଲା “ବାଃ! ତୁମ ବୁଦ୍ଧି ଚମତ୍କାର । ଆଜି ପର୍ଯ୍ୟନ୍ତ ଯେତେ ପ୍ରାଣୀ ଏଠାକୁ ପାଣି ପିଇବା ପାଇଁ ଆସିଛନ୍ତି ସେମାନେ ମୋର ଶିକାର ହୁଅନ୍ତି । ଯାହାହେଉ ତୁମ ବୁଦ୍ଧିକୁ ମୁଁ ପ୍ରଶଂସା ନକରି ରହି ପାରୁ ନାହିଁ । ମୁଁ ତୁମ ସହିତ ବନ୍ଧୁତା କରିବାକୁ ଚାହୁଁଛି । ବ୍ରହ୍ମ ରାକ୍ଷସର କଥା ଶୁଣି ମାଙ୍କଡ କହିଲା, “ଯାହାହେଉ ମୁଁ ମଧ୍ୟ ତୁମପରି ବଂଧୁ ପାଇ ନିଜକୁ ଭାଗ୍ୟବାନ ମନେ କରୁଛି । ଆମେ ଏଥର ପରସ୍ପରର ବିପଦ ଆପଦରେ ସାହା ହୋଇ ଠିଆ ହେବା ।”ମାଙ୍କଡ ପଚାରିଲା, ବଂଧୁ ପାଣି ଭିତରେ ପଶିଲେ ତୁମେ କେତେ ଜଶଙ୍କୁ ଏକାଥରକେ ଖାଇ ପାରିବ? ରାକ୍ଷସ କହିଲା, “ମୁଁ ଏକାଥରେ ଲକ୍ଷେ ପ୍ରାଣୀ ଖାଇପାରିବି । ଯିଏ ପାଣିରେ ପଶିବ ମୁଁ ତାକୁ ଖାଇପାରିବି । କିନ୍ତୁ ବାହାରେ ଠିଆ ହୋଇଥିଲେ ମୋର ଖାଇବାକୁ ଶକ୍ତି ପାଏ ନାହିଁ ।

ଏହାପରେ ମାଙ୍କଡ କହିଲା, “ମୁଁ ତମ ପାଇଁ ଜଣେ ରାଜାଙ୍କର ବଂଶ ଖାଇବା ପାଇଁ ଦେବି, କିନ୍ତୁ ଗୋଟିଏ ସର୍ତରେ । ତୁମ ବେକରେ ଥିବା ରତ୍ନମାଳାଟି ମୋତେ ଦିଅ । ମାଙ୍କଡର କଥା ଶୁଣି ରାକ୍ଷସ ଖୁସି ହୋଇ ସଂଗେ ସଂଗେ ରତ୍ନହାରଟି ଦେଇଦେଲା । ମାଙ୍କଡ ସେହି ରତ୍ନହାରକୁ ବେକରେ ଲମ୍ବାଇଦେଇ ରାଜାଙ୍କ ଉପବନକୁ ଗଲା । ମାଙ୍କଡ ବେକରେ ରତ୍ନମାଳା ଦେଖି ରାଜ କର୍ମଚାରୀ ମାନେ ସେ ସଂପର୍କରେ ପଚାରିଲେ । କିନ୍ତୁ ମାଙ୍କଡ ରାଜ କର୍ମଚାରୀ ମାନଙ୍କୁ ନକହି କେବଳ ରାଜାଙ୍କୁ କହିବ ବୋଲି କହିଲା । ରାଜକର୍ମଚାରୀ ମାନେ ସଂଗେ ସଂଗେ ଏହି କଥା ରାଜାଙ୍କୁ କହିଲେ । ରାଜା ଏ ଖବର ଶୁଣିବା ମାତ୍ରକେ ମାଙ୍କଡକୁ ଡକାଇ ଆଣି ପଚାରିଲେ, କିହୋ ମାଙ୍କଡ ସର୍ଦ୍ଧାର । ତୁମର କ’ଣ କିଛି ଦିନହେବ ଦେଖା ସାକ୍ଷାତ ନଥିଲା । ଏ ରତ୍ନମାଳାଟି କେଉଁଠାରୁ ପାଇଲ?

ରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମାଙ୍କଡ କହିଲା, “ମହାରାଜ! ମୁଁ କିଛିଦିନ ପାଇଁ ଭ୍ରମଣରେ ଯାଇଥିଲି । ଅରଣ୍ୟ ମଧ୍ୟରେ ଧନର ଦେବତା କୁବେରଙ୍କ ସହିତ ମୋର ସାକ୍ଷାତ ହେଲା । ସେ ବଣ ମଧ୍ୟରେ ଏକ ଚମତ୍କାର ପୋଖରୀ ଖୋଳାଇଛନ୍ତି । ସେହି ପୋଖରୀରେ ରବିବାର ସୁର୍ଯୋଦୟ ପୂର୍ବରୁ ଯିଏ ବୁଡ ପକାଇବ ତାର ବେକରେ ଆପେ ଆପେ ଏହିପରି ରତ୍ନମାଳାଟିଏ ଲମ୍ବିଯିବ । ମୁଁ ଏହି ମାଳାଟି ସେହିଠାରୁ ପାଇଛି । ଆପଣଙ୍କର ଯଦି ଏପରି ଏକ ମାଳା ଦରକାର ଆପଣଙ୍କୁ ମୋ ସହିତ ସେଠାକୁ ଯିବାକୁ ପଡିବ ।”

ରତ୍ନମାଳା ଦେଖି ରାଜା ଆଉ ଲୋଭ ସମ୍ଭାଳି ପାରିଲେ ନାହିଁ । ରାଜା କହିଲେ, ମୁଁ ଏକା କାହିଁକି ଯିବି । ମୋର ପରିବାରର ସମସ୍ତେ ଯାଇ ସେଠାରେ ବୁଡ ପକାଇ ଏକ ଏକ ରତ୍ନମାଳା ଆଣିବେ । ତହିଁ ଆରଦିନ ରାଜାଙ୍କ ଆଦେଶରେ ସେଠାକୁ ଯିବା ପାଇଁ ପ୍ରସ୍ତୁତ କରାଗଲା । ରାଜା, ରାଣୀ, ରାଜକୁମାର, ରାଜକନ୍ୟା, ପାତ୍ର, ମନ୍ତ୍ରୀ ସମସ୍ତେ ପୋଖରୀ ନିକଟକୁ ଚାଲିଲେ । ରାଜା ଆଦରରେ ମାଙ୍କଡକୁ କୋଳରେ ବସାଇଥାନ୍ତି । ଶନିବାର ଦିନ ଠାରୁ ସେମାନେ ଯାଇ ପୋଖରୀ ନିକଟରେ ପହଁଚିଗଲେ । ସେଦିନ ରାଜା ସେଠାରେ ବିଶ୍ରାମ ନେଲେ । ତହିଁଆରଦିନ ସୁର୍ଯୋଦୟ ପୂର୍ବରୁ ମାଙ୍କଡ ସମସ୍ତଙ୍କୁ ଉଠାଇ ଦେଇ କହିଲା, “ମହାରାଜ! ସମସ୍ତଙ୍କୁ ଏଥର ପୋଖରୀରେ ବୁଡ ମାରିବାକୁ କୁହନ୍ତୁ । ସେମାନେ ସମସ୍ତେ ରତ୍ନମାଳା ନେଇ ଫେରିବା ପରେ ମୁଁ ସେଠାକୁ ଆପଣଙ୍କୁ ନେଇଯିବି ।

ମାଙ୍କଡର କଥାଶୁଣି ରାଜା ଖୁସି ହୋଇଗଲେ । ସମସ୍ତେ ଯାଇ ପୋଖରୀରେ ବୁଡ ମାରିଲେ ସତ, କିନ୍ତୁ କେହି ଉଠିଲେ ନାହିଁ । ସେମାନେ ନ ଉଠିବାରୁ ରାଜା ମାଙ୍କଡକୁ ପଚାରିଲେ କ’ଣ କେହି ଉଠୁ ନାହାନ୍ତି । ମାଙ୍କଡ ସଂଗେ ସଂଗେ ଗଛ ଉପରକୁ ଚଢିଯାଇ କହିଲା, “ମହାରାଜ! ସେମାନେ କେହି ଫେରିବେ ନାହିଁ । ସେହି ଜଳ ମଧ୍ୟରେ ଏକ ବ୍ରହ୍ମରାକ୍ଷସ ଅଛି । ସେ ସେମାନଙ୍କୁ ମାରି ଦେଇଥିବ । ଅତୀତରେ ଆପଣ ଯେପରି ମୋର ବଂଶକୁ ନିପାତ କରିଥିଲେ ମୁଁ ଯେଉଁ ଦୁଃଖ ଅନୁଭବ କରୁଛି ଆପଣ ଠିକ୍ ସେହିପରି ଆପଣଙ୍କର ବଂଶଧର ମାନଙ୍କୁ ହରାଇ ଦୁଃଖ ଅନୁଭବ କରନ୍ତୁ ।” ମାଙ୍କଡର କଥା ଶୁଣି ରାଜା ପାଗଳ ପ୍ରାୟ ହୋଇ ସେଠାରୁ ପଳାଇ ଆସିଲେ ।

କାହାଣୀଟି କହି ସାରିବା ପରେ ସୁବର୍ଣ୍ଣସିଦ୍ଧି କହିଲେ, “ଭାଇ! କାହାଣୀତ ଶୁଣିଲ, ଏଥର ମୋତେ ବିଦାୟ ଦିଅ ।” ଚକ୍ରଧର କହିଲେ, “ବଂଧୁ ତୁମର ବିପଦରେ ପଡିଛନ୍ତି । ମୋତେ ଏପରି ଅବସ୍ଥାରେ ଛାଡି ଦେଇ ତୁମେ କିପରି ଯିବ? ଦୟାକରି ଏପରି କର ନାହିଁ ।” ଚକ୍ରଧରର କଥା ଶୁଣି ସୁବର୍ଣ୍ଣସିଦ୍ଧି କହିଲେ, ତୁମକୁ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ ମୋର ଶକ୍ତି ନାହିଁ । ତୁମର କଷ୍ଟ ମୁଁ ସହ୍ୟ କରି ପାରୁନାହିଁ । ଏଠାରେ ଅଧିକ ସମୟ ରହିଲେ ମୋ ଉପରକୁ ହୁଏତ କିଛି ବିପଦ ଆସି ଯାଇପାରେ । ଏହା କହି ସୁବର୍ଣ୍ଣସିଦ୍ଧି ନିଜ ଗୃହ ଅଭିମୁଖେ ଯାତ୍ରା କଲେ; ଏବଂ ଚକ୍ରଧର ନିଜ ଭାଗ୍ୟକୁ ଆଦରି ସେଠାରେ ପଡି ରହିଲେ ।

ଚନ୍ଦ୍ରଦେବ ମାଙ୍କଡ ମେଣ୍ଢା

Rate the content


Originality
Flow
Language
Cover design

Comments

Post

Some text some message..