ଓଡିଆ ଶିଶୁ ଗପ

Children


ଓଡିଆ ଶିଶୁ ଗପ

Children


ବିକ୍ରମ ବେତାଳ - ୩୩

ବିକ୍ରମ ବେତାଳ - ୩୩

3 mins 7.4K 3 mins 7.4K

ଦୁଃଶ୍ଚରିତ୍ରା ନାରୀ

ରାଜା ବିକ୍ରମ! ମୁଁ ତୁମକୁ ବର୍ତ୍ତମାନ ଏକ ସତ୍ୟ ଘଟଣା ସଂପର୍କରେ କହିବାକୁ ଯାଉଛି । ସ୍ୱର୍ଣ୍ଣ ଦେଶରେ ଜଣେ ଧନୀକ ବ୍ୟକ୍ତି ବାସ କରୁଥିଲେ । ସେ ସବୁ ସମୟରେ ଗରୀବମାନଙ୍କର ସହାୟତା କରୁଥିଲେ । ତେଣୁ ତାଙ୍କର ପ୍ରଶଂସା ସବୁଆଡେ ବ୍ୟାପୁଥାଏ । ସ୍ୱର୍ଣ୍ଣ ଦେଶର ରାଜା ମଧ୍ୟ ଧନୀ ବ୍ୟକ୍ତିକୁ ଖୁବ୍ ପ୍ରଶଂସା କରୁଥାଆନ୍ତି । ସେହି ଧନୀ ବ୍ୟକ୍ତିଙ୍କର ଗୋଟିଏ ବୋଲି ପୁତ୍ରଥାଏ । ଏକମାତ୍ର ସନ୍ତାନ ହୋଇଥିବାରୁ ଧନୀ ସେଠ୍ ଏବଂ ତାଙ୍କର ପତ୍ନୀ ଖୁବ୍ ଆଦରଯତ୍ନରେ ପାଳିଥାଆନ୍ତି । ଦିନ ପରେ ଦିନ ଗଡିଚାଲିଲା । ସେହି ପୁତ୍ରଟି କ୍ରମେ ଯୁବକ ହେଲା । ଯୁବାବସ୍ଥାରେ ସେ ଖୁବ୍ ଆକର୍ଷଣୀୟ ଦେଖାଯାଉଥାଏ । ଧନୀ ବ୍ୟକ୍ତିଙ୍କର ପଡୋଶୀ ଭାବରେ ଜଣେ ବିବାହିତା ନାରୀ ରହୁଥାଏ । ତାର ସ୍ୱାମୀ ସବୁ ସମୟରେ ବ୍ୟବସାୟ କାର୍ଯ୍ୟରେ ବାହାରେ ରହୁଥାଏ । ସେହି ନାରୀ ଧନୀକର ପୁତ୍ରର ଆକର୍ଷଣୀୟ ଚେହେରାରେ ମୁଗ୍ଧ ହୋଇ ତାକୁ ମନେ ମନେ କିପରି ଉପଭୋଗ କରିବ ଚିନ୍ତା କରୁଥାଏ ।

ଦୁଇଜଣଙ୍କ ଘର ପାଖାପାଖି ହୋଇଥିବାରୁ ଯିବାଆସିବା ସବୁ ସମୟରେ ପ୍ରାୟ ଲାଗିଥାଏ । ଏହି ସୁଯୋଗରେ ସେହି ପଡୋଶୀ ଘରର ସ୍ତ୍ରୀ ଲୋକ ଧନୀ ସେଠ୍ର ପୁତ୍ରର ଶୋଇବା ଘର ଦେଖିଥାଏ । ଦିନେ ରାତିରେ ସେ ଧନୀ ସେଠ୍ ପ୍ରାସାଦ ମଧ୍ୟରେ ପ୍ରବେଶ କଲା । ତା’ର ପୁତ୍ର ଯେଉଁ ଘରେ ଶୋଇଛି ସିଧା ସିଧା ତାରି ଶୟନ କକ୍ଷକୁ ଗଲା । ଧନୀକର ପୁତ୍ର କିନ୍ତୁ ସେହି ସମୟରେ ଶୋଇନଥାଏ । ସେ ଜଣେ ଯୁବତୀ ନାରୀକୁ ନିଜ ଶୟନ କକ୍ଷରେ ଦେଖି ଚମକି ପଡିଲା ଏବଂ କହିଲା, “ତୁମେ କିଏ?”ଯୁବତୀ କୌଣସି ଉତ୍ତର ନଦେଇ ତା’ର ପାଖକୁ ଚାଲିଆସିଲା ଏବଂ ତାକୁ ଧରି ପକାଇଲା । ଧନୀକ ପୁତ୍ର ତା’ର ଏପରି ଆଚରଶର କିଛି ଅର୍ଥ ବୁଝିନପାରି ତାକୁ ଏକ ପ୍ରେତିନୀ ବୋଲି ଭାବିଲା । ଭୟଭୀତ ହୋଇଯାଇ ଶେଷରେ ମୂର୍ଚ୍ଛା ହୋଇଗଲା । ଏହା ଦେଖି ସେହି ଯୁବତୀ ଜଣକ ସଂଗେ ସଂଗେ ସେହି ଘରୁ ବାହାରକୁ ପଳାଇ ଆସିଲା ।

ଠିକ୍ ଏହି ସମୟରେ ଗୋଟିଏ ଚୋରଦଳ ଧନୀ ବ୍ୟକ୍ତିର ଘରେ ଚୋରୀ କରିବାପାଇଁ ପଶୁଥାଆନ୍ତି । ସେହି ଚୋରଦଳରେ ଯୁବତୀ ନାରୀର ସ୍ୱାମୀ ମଧ୍ୟ ଥାଏ । ଯିଏ କି ସ୍ତ୍ରୀ ଆଗରେ ବ୍ୟବସାୟ କାର୍ଯ୍ୟ କଥା କହି ବାହାରେ ରହି ଚୋରୀ କରେ । ଚୋରୀ ଜିନିଷକୁ ବ୍ୟବସାୟର ଲାଭ ବୋଲି କହୁଥାଏ । ଯୁବତୀ ନାରୀ ଚୋରମାନଙ୍କୁ ଦେଖି ଲୁଚିଗଲା । ଲୁଚି ଲୁଚି ସେ ସବୁ କଥା ଲକ୍ଷ୍ୟ କରୁଥାଏ । ସେ ଚୋରଦଳ ମଧ୍ୟରେ ତା’ର ସ୍ୱାମୀକୁ ଦେଖି ସ୍ୱାମୀର କାର୍ଯ୍ୟକଳାପ ସଂପର୍କରେ ସବୁ କଥା ଜାଣିପାରିଲା । ଚୋରମାନେ ଚୋରୀ କରି ଯାଇସାରିବାପରେ ସେ ତା’ର ଘରକୁ ଚୁପ୍ ଚାପ୍ ଫେରି ଗଲା । ଧନୀ ବ୍ୟକ୍ତିର ପୁତ୍ର ପଡିଶା ଘରର ଯୁବତୀକୁ କିନ୍ତୁ ଚିହ୍ନି ପାରିଥାଏ । ପରଦିନ ସେ ସମସ୍ତ ଘଟଣା ତା’ର ପିତାଙ୍କୁ କହିଦେଲା । ଧନୀ ବ୍ୟକ୍ତି ସଂଗେ ସଂଗେ ରାଜାଙ୍କୁ ଖବର ଦେଲେ । ରାଜାଙ୍କ ସିପାହୀମାନେ ଆସି ପଡିଶା ଘରର ଯୁବତୀକୁ ବାନ୍ଧି ନେଇଗଲେ । ଯୁବତୀ କିନ୍ତୁ ଏସବୁ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହୁଥାଏ, ଧନୀ ସେଠ୍ ପୁତ୍ର ତା’ ଉପରେ ମିଥ୍ୟା ଅଭିଯୋଗ ଆଣୁଛି । କିନ୍ତୁ ରାଜା ବିକ୍ରମ ଯୋଗ ଏମିତି ଦେଖ ତା’ର ସ୍ୱାମୀ ସେହିଦିନ ରାଜାଘର ସିପାହୀମାନଙ୍କ ହାତରେ ଧରାପଡିଲା । ଯୁବତୀ ଜଣକ ଯେତେବେଳେ ତା’ର ସ୍ୱାମୀକୁ ଏପରି ଅବସ୍ଥାରେ ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇଗଲା ।

ରାଜା ସବୁ ଘଟଣା ଜାଣିବାପରେ ଚୋରକୁ ଫାଶୀ ଖୁଂଟରେ ଝୁଲାଇଦେଲେ ଏବଂ ତାର ପତ୍ନୀକୁ ରାଜ୍ୟରୁ ବାହାର କରିଦେବାକୁ ନିର୍ଦ୍ଧେଶ ଦେଲେ।

କାହାଣୀ କହିସାରି ବେତାଳ କହିଲା, “ରାଜା ବିକ୍ରମ! ରାଜାଙ୍କର ଏହି ନ୍ୟାୟ କ’ଣ ଠିକ୍? ବେତାଳର କଥା ଶୁଣି ରାଜା ବିକ୍ରମ କହିଲେ, “ତାର ସ୍ୱାମୀକୁ ମୃତ୍ୟୁ ଦଣ୍ଡ ମିଳିବା ଠିକ୍ କଥା । କିନ୍ତୁ ଯୁବତୀକୁ ରାଜ୍ୟରୁ ବାହାର କରିଦେବା ଉଚିତ୍ ନଥିଲା । ଯୁବତୀଟି କିନ୍ତୁ ସବୁ କିଛି ଜାଣି ସାରିବାପରେ ଲୁଚାଇଥିଲା । ସେ ନିଜକୁ ବଂଚାଇବା ପାଇଁ ଏସବୁ କରୁଥିଲା । ଏହା ତ’ ତାର ଧର୍ମ ଥିଲା ।” ରାଜାଙ୍କ କଥା ଶୁଣି ବେତାଳ କହିଲା-“ଯେଉଁ ସ୍ତ୍ରୀର ଚରିତ୍ର ଠିକ୍ ନୁହେଁ ତା’ର ପୁଣି ଧର୍ମ କ’ଣ? ବିକ୍ରମ କହିଲା- “ଶୁଣ ବେତାଳ! ଯେତେ ଦୁଃଶ୍ଚରିତ୍ରା ହେଲେ ମଧ୍ୟ ମଣିଷ ମନରେ ଦୟା, ଧର୍ମ ଅବଶ୍ୟ ଥାଏ । ସାମୟିକ ଉତ୍ତେଜନାର ବଶବର୍ତୀ ହୋଇ ସେ ବାଟବଣା ହୋଇ ଯାଇଥିଲା । ତଥାପି ମଧ୍ୟ ତା’ର ସ୍ୱାମୀ ପ୍ରତି ଭଲପାଇବା, ଭକ୍ତି କମିନଥାଏ । ତେଣୁ ଯୁବତୀ ନାରୀକୁ ମୃତ୍ୟୁଦଣ୍ଡ ଦେବା ଉଚିତ୍ ନଥିଲା ।”

ବିକ୍ରମଙ୍କର କଥା ଶୁଣିବାପରେ ବେତାଳ କିନ୍ତୁ ତାଙ୍କ କାନ୍ଧରୁ ଖସି ଗଲା ନାହିଁ । ବିକ୍ରମ ସେମିତି ଚାଲୁଥାଆନ୍ତି । ଏବେ ବେତାଳ ତା’ର ଶେଷ ଗପ କହିବାକୁ ଆରମ୍ଭ କଲା ।


Rate this content
Originality
Flow
Language
Cover Design