Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational

5.0  

Writer Roja Panda

Inspirational

ଉଚିତ କର୍ମର ଉଚିତ ଫଳ

ଉଚିତ କର୍ମର ଉଚିତ ଫଳ

6 mins
718


ଲେଖିକା-ରୋଜା ପଣ୍ଡା

ଥରେ ନାରଦ ମୁନି ଭଗବାନ ବିଷ୍ଣୁଙ୍କ ସହିତ ବାର୍ତ୍ତାଳାପ କରୁଥିଲେ । ତାଙ୍କ ଦୃଷ୍ଟି ମର୍ତ୍ତ୍ୟର ଜଣେ ଡାକ୍ତରଙ୍କ ଉପରେ ପଡ଼ିଲା । ସଙ୍ଗେ ସଙ୍ଗେ ନାରଦ ମୁନି ଭଗବାନ ବିଷ୍ଣୁ ଙ୍କୁ କହିଲେ - ପ୍ରଭୁ ଦେଖନ୍ତୁ ସେଇ ଡାକ୍ତର ଜଣକ ଗୋଟେ ବହୁତ ବଡ଼ ନାସ୍ତିକ ।

ଭଗବାନ ବିଷ୍ଣୁ ନାରଦଙ୍କୁ ପଚାରିଲେ - ନାରଦ ତମେ କେମିତି ଜାଣିଲ ଯେ, ସେ ଜଣେ ନାସ୍ତିକ । ତା ପାଖରେ ବିଦ୍ୟା ନଥିଲେ ସେ କଣ ଏତେ ବଡ ଜଣେ ଡାକ୍ତର ହେଇପାରିଥାନ୍ତା ?

ନାରଦ କହିଲେ - ପ୍ରଭୁ ମର୍ତ୍ତ୍ୟରେ କେତେ ନର ନାରୀ,ଯୁବକ ଯୁବତୀ ଏବଂ ବୃଦ୍ଧ ଓ ବୃଦ୍ଧା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ବିଭିନ୍ନ ଢାଞ୍ଚାରେ ବାର ଓଷା, ତେର ବ୍ରତ ନିଷ୍ଠାରେ ପାଳନ କରୁଛନ୍ତି । କେତେ ନୀତି ନିୟମ ମାନି ଚଳୁଛନ୍ତି । କେତେ ଭୋଗ ରାଗ ତିଆରି କରି ଆପଣଙ୍କର ଓ ଅନ୍ୟାନ୍ୟ ଦେବାଦେବୀଙ୍କର ପୂଜା କରୁଛନ୍ତି । ନାନା ଜାତିର ପିଠାପଣା କରି ଆପଣଙ୍କୁ ଆଉ ମା ଲକ୍ଷ୍ମୀଙ୍କୁ ସମର୍ପଣ କରୁଛନ୍ତି । ହେଲେ ଏଇ ନାସ୍ତିକ ଡାକ୍ତର ଆଉ ତାର ନାସ୍ତିକ ସ୍ତ୍ରୀ କେବଳ ନିଜ କାମରେ ସାରା ଦିନ ବ୍ୟସ୍ତ ରହୁଛନ୍ତି । କେବେ କେମିତି ମନ୍ଦିର ଆସିଲେ କେବଳ ଦୀପଟିଏ ଜାଳି ଚାଲି ଯାଉଛନ୍ତି । ଆଉ ଘରର ପୂଜା ଓଷା ଓ ବ୍ରତ ପାଳନ ପାଇଁ ଖୁବ କମ ସମୟ ଦେଉଛନ୍ତି । ନିଜ ମନକୁ ଯାହା ପାଉଛି ତାହା ଆଣି ଆପଣଙ୍କୁ ଭୋଗ ଲଗାଇ ଦେଉଛନ୍ତି । କେଉଁ ଓଷା ବ୍ରତରେ କେଉଁ ପିଠାପଣା ଭୋଗ ହୁଏ ତାହା ବି ତାଙ୍କୁ ଜଣାନାହିଁ । ଆଉ ଏମାନେ ନାସ୍ତିକ ନୁହେଁ ତ କଣ ?

ନାରଦଙ୍କ ମୁଖରୁ ଏପରି ବାକ୍ୟ ଶୁଣି ଭଗବାନ ବିଷ୍ଣୁ ବହୁତ ଜୋର ରେ ଠୋ ଠୋ ହେଇ ହସିବାକୁ ଲାଗିଲେ ଆଉ ପଚାରିଲେ, - ନାରଦ ତାହା ହେଲେ ତ ଏମାନେ ନିଜର କର୍ମ ଅନୁସାରେ ଫଳ ପାଉଥିବେ ନିଶ୍ଚିତ । ନିଶ୍ଚିତ ଏମାନେ ବହୁତ ଦୁଃଖ କଷ୍ଟରେ ଆଉ ଅଭାବ ରେ ଚଳୁଥିବେ । ଟିକେ ନିଜର ଦିବ୍ୟଦୃଷ୍ଟିରେ ଦେଖ ଏମାନଙ୍କ ଅବସ୍ଥା ।

ନାରଦ ନିଜ ଦିବ୍ୟଦୃଷ୍ଟିରେ ସବୁ ଦେଖି ସାରି ଭଗବାନଙ୍କୁ ପଚାରିଲେ - ପ୍ରଭୁ ଏ କେମିତି ସମ୍ଭବ ? ସେମାନେ ଦିନ ରାତି ପରିଶ୍ରମ କରୁଛନ୍ତି ହେଲେ ଥକୁନାହାନ୍ତି । ସେମାନେ ଦୁହେଁ ସୁଖରେ ବେସି ଖୁସି ହେଉନାହାନ୍ତି କିମ୍ବା ଦୁଃଖରେ ଅତ୍ୟନ୍ତ ଭାଙ୍ଗି ପଡୁନାହାନ୍ତି, ଦୁହେଁ ମିଶି ଯେକୌଣସି ପରିସ୍ଥିତିରୁ ମୁକୁଳିବାର ନୂଆ ପନ୍ଥା ବାହାର କରୁଛନ୍ତି । ଦୁହେଁ ଦୁହିଁଙ୍କୁ ଅଖଣ୍ଡ ବିଶ୍ୱାସ କରୁଛନ୍ତି ।

ନିଜ ରୋଜଗାର ଟଙ୍କାର ଅଧିକାଂଶ ସେମାନେ ଅନ୍ୟର ହିତ ପାଇଁ ଖର୍ଚ୍ଚ କରୁଛନ୍ତି ତଥାପି ସେମାନଙ୍କର କିଛି ଅଭାବ ରହୁନି । ଖୁବ ଖୁସିରେ ଚଳୁଛନ୍ତି । ଅଧିକା ଧନ ପାଇଁ ସେମାନଙ୍କର ଲୋଭ ନାହିଁ ।

ନାରଦ ମୁନି ପୁଣି କହିଲେ - ପ୍ରଭୁ ଏମାନେ ଆପଣଙ୍କୁ ଅବମାନନା କରୁଛନ୍ତି ତଥାପି ଏମାନଙ୍କୁ ଆପଣ ଭଲରେ ରଖିଛନ୍ତି ହେଲେ ଯେଉଁମାନେ ଆପଣଙ୍କର ଏତେ ପୂଜାର୍ଚନା କରୁଛନ୍ତି,ଏତେ ନୀତିନିୟମ ମାନୁଚନ୍ତି ସେମାନଙ୍କୁ କାହିଁକି ଦୁଃଖ ଦେଉଛନ୍ତି ।

ନାରଦଙ୍କ ମୁଖରୁ ଏମିତି ଶୁଣି ପ୍ରଭୁ ସ୍ମିତହାସ୍ୟ ଦେଇ ଉତ୍ତର ଦେଲେ - କିଏ କହିଲା ଏମାନେ ମତେ ଅବମାନନା କରୁଛନ୍ତି ? ବରଂ ଏମାନେ ମୋର ସ୍ଥିତିକୁ ଅନୁଭବ କରିପାରୁଛନ୍ତି । ମୁଁ କୌଣସି ମନ୍ଦିର କି ପୂଜା ଘରେ ନଥାଏ ,ଥାଏ ସକଳ ଘଟରେ । ସେଥିପାଇଁ ତ କୁହାଯାଇଛି, " ସକଳ ଘଟେ ନାରାୟଣ" । ମୁଁ କୌଣସି ନୀତିନିୟମ ନୁହେଁ ମୁଁ ଭକ୍ତର ଭକ୍ତିରେ ବନ୍ଧା, ଭକ୍ତର ପ୍ରେମରେ ବନ୍ଧା ।

ମୁଁ କୌଣସି ଓଷା ବ୍ରତ ନୁହେଁ କର୍ମ କୁ ପ୍ରାଧାନ୍ୟ ଦିଏ । ମୁଁ ମନୁଷ୍ୟର ନାନା ପ୍ରକାର ଭୋଗରାଗ କୁ ନୁହେଁ ମନୁଷ୍ୟର ସରଳ ମନ, ତାର ଧାର୍ମିକ ପ୍ରବୃତ୍ତି, ସତ୍ୟ ବଚନ ଓ ସମସ୍ତଙ୍କୁ ସମାନ ନଜରରେ ଦେଖୁଥିବା ଆଖିକୁ ଭଲପାଏ ।

ସଂସାରରେ ବହୁତ ଲୋକ ବହୁତ ନୀତିନିୟମ ରେ ମୋର ପୂଜାର୍ଚନା କରନ୍ତି ,କିଛି ଏକ୍ସଚେଞ୍ଜ ଅଫର ମଧ୍ୟ ଦିଅନ୍ତି ଯେ," ପ୍ରଭୁ ଖିରି ପିଠା ଭୋଗ ଲଗାଉଛି ମୋ ପୁଅକୁ ଭଲରେ ରଖିବ, ମୋର ଥାଳ ସୁନା,ରୂପାରେ ଭରିଦେବ,ମୋର ଝିଅ ବାହାଘର କରିଦେବ ଏମିତି ଅନେକ କିଛି" । ଆଉ ଯୋଉ ନୀତିନିୟମ ସବୁ କରନ୍ତି ତାହା ମୁଁ ତିଆରି କରିନାହିଁ ତାହା ସେମାନେ ନିଜେ କିମ୍ବା ସେମାନଙ୍କ ପୂର୍ବପୁରୁଷ ମାନେ ତିଆରି କରିଛନ୍ତି ଯାହାକୁ ସେମାନେ ନିଜେ ଠିକ ବୋଲି ଭାବୁଛନ୍ତି । ଆଉ ସେଇ ନିୟମ ସବୁ ନିଜର ଆଗାମୀ ପିଢିଙ୍କ ଉପରେ ଲଦିଦେଉଛନ୍ତି ନିଜକୁ ଠିକ ବୋଲି ପ୍ରମାଣିତ କରିବାପାଇଁ କେବଳ । ଏତେ ନୀତିନିୟମରେ ଚଳି, ମତେ ଏତେ ଭୋଗରାଗ ଦେଇ ମଧ୍ୟ ସେମାନେ ନିଜର କୁକର୍ମ ପାଇଁ ଦୁଃଖ ଭୋଗୁଛନ୍ତି । ମୁଁ କେବେ ବିନା ଦୋଷରେ କାହାକୁ ଦଣ୍ଡ ଦିଏନାହିଁ କିମ୍ବା ଦୋଷୀକୁ ତାର କର୍ମଫଳ ଭୋଗିବାରୁ ବଞ୍ଚିତ କରେନାହିଁ ।

ଏଇ ଡାକ୍ତର ଘଣ୍ଟା ଘଣ୍ଟା ଧରି ମୋର ପଥର ମୁର୍ତ୍ତିକୁ ପୂଜା କରୁନି ସତ କିନ୍ତୁ ମୁଁ ସୃଷ୍ଟି କରିଥିବା ପ୍ରାଣୀଙ୍କୁ ସେ ଆରୋଗ୍ୟ କରୁଛି ଆଉ ତାର ସ୍ତ୍ରୀ କଣ କରୁଛି ମୋର ଦିବ୍ୟଦୃଷ୍ଟିରେ ଦେଖ । ତାର ସ୍ତ୍ରୀ ପ୍ରତିଦିନ ସକାଳୁ ବିଛଣାରୁ ଉଠି ମତେ ବିନତି କରୁଛି ,"ହେ ପ୍ରଭୁ ଏଇ ସାରା ସଂସାରର ସମସ୍ତଙ୍କୁ ଦୀଘାୟୁ କର,ସମସ୍ତଙ୍କ ଦୁଃଖ ଦୂର କର,ଆଉ ରାତିରେ ଶୋଇବାକୁ ଯିବା ସମୟରେ ମତେ ପ୍ରଣିପାତ କରି ପୁନର୍ବାର ସକାଳର ନିବେଦନ ଦୋହରାଉଛି" । ରାସ୍ତାରେ ଯାଉଥିବା ପ୍ରତ୍ୟେକ ଟି ଆମ୍ବୁଲାନ୍ସର ଶବ୍ଦ ଶୁଣି ସେ ମତେ ଡାକେ," ହେ କାହ୍ନା ଆମ୍ବୁଲାନ୍ସ ରେ ଯାଉଥିବା ରୋଗୀର ଦେହ ଭଲ କରିଦିଅ, ତାର ସବୁ ରୋଗ ମତେ ଦେଇ ତାକୁ ନିରୋଗ କରିଦିଅ ପ୍ଲିଜ" । ମୁଁ ବେଳେବେଳେ ତାର ପିଲାଳିଆମୀ ପ୍ରାର୍ଥନା ରଖିପାରେନି, କାରଣ କାହାର ଆୟୁଷ ବଢାଇବା ପ୍ରକୃତିର ନିୟମ ବିରୁଦ୍ଧରେ । କେବେ କିଏ ଅଳ୍ପ ବୟସରେ ମୃତ୍ୟୁବରଣ କରେ ତ କିଏ ରୋଗରେ ଛଟପଟ ହୁଏ ନିଜର ଅତୀତର କର୍ମ ଅନୁସାରେ । ସେ ଏସବୁ ଦେଖେ । ତଥାପି ପର ମୁହୂର୍ତ୍ତରେ ପ୍ରତିଦିନ ସେଇ ପୁରୁଣା ପ୍ରାର୍ଥନା କରିଚାଲେ ମୋ ସାମ୍ନାରେ । ଏହାର ଅର୍ଥ କଣ ଜାଣିଛ ନାରଦ ? ଏହାର ଅର୍ଥ ତାର ମୋ ପ୍ରତି ଥିବା ଅଖଣ୍ଡ ବିଶ୍ୱାସ ଯେ କେବେ ନା କେବେ ମୁଁ ତାର ଡାକ ଶୁଣିବି । ଆଉ ଲଷ୍ମୀପୂଜା ସମୟରେ ଦେବୀ ଲଷ୍ମୀଙ୍କୁ ଯେତେବେଳେ ନାରୀମାନେ ନିଜର ଧନ ସମ୍ପତ୍ତି ବଢାଇବା, ନିଜ ସ୍ୱାମୀର ଶୁଭ ମନାସିବା,ସୁନାରୁପାରେ ଘର ପୂର୍ଣ୍ଣ କରିବାର ଆଶୀର୍ବାଦ ମାଗନ୍ତି ସେତେବେଳେ ସେ କଣ ଡାକେ ଜାଣିଛ ? ସେ ଡାକେ," ହେ ମା ଲଷ୍ମୀ ମୋର ସୁନାରୁପା ର ଆବଶ୍ୟକତା ଅପେକ୍ଷା କାହାର କ୍ଷୁଦା ନିବାରଣ କରିବା ଅଧିକ ଅପରିହାର୍ଯ୍ୟ । ମତେ ବଞ୍ଚିବା ପାଇଁ ଖାଦ୍ୟ ମିଳୁଛି,ସେଥିପାଇଁ ମତେ ମୋର ସୁନାରୁପା ,ଧନ ସମ୍ପତ୍ତି ପରିବର୍ତ୍ତେ ସମସ୍ତ କୃଷକ,ଗରିବ,ଦିନଦୁଃଖିଙ୍କ ମୁଖରେ ଖାଦ୍ୟ ଦିଅ ମାଆ,ସଂସାରରେ କାହାର ବି କେବେ ପେଟ ଖାଲି ନରହୁ । କିଏ ବି ଭୋକ ଉପାସରେ ନ ମରନ୍ତୁ" ।

ଆଉ ଏଇ ଡାକ୍ତର ଯାହାକୁ ତମେ ନାସ୍ତିକ କହୁଛ ସେ ନିଜ ରୋଜଗାର ଟଙ୍କାରେ ଗରିବ ଲୋକଙ୍କୁ ଔଷଧ ଦିଏ । ଆଉ ନ୍ୟାୟ ବିଚାରରେ ତ ସେ ନିଜ ପରିବାରଙ୍କୁ ବି ଛାଡେନି । ସେ ମତେ ଭୟ କରେନି ବରଂ ମତେ ବିଶ୍ୱାସ କରେ । ମନ୍ଦିର ଭିତରେ ଥିବା ମୋର ପଥର ମୂର୍ତ୍ତି ଉପରେ ଢାଳିବା ପାଇଁ ନେଇଥିବା କ୍ଷୀରକୁ ସେ ମନ୍ଦିର ବାହାରେ ବସିଥିବା ମୋର ସ୍ୱରୂପ ଭିକାରୀଙ୍କୁ ଦିଏ ।

ଏ ଦୁହେଁ ମତେ କେବେ ନିଜ ପାଇଁ କିଛି ମାଗିନାହାନ୍ତି । ମୋ ପାଖୁ ଆସନ୍ତି ଖୁବ କମ । ଆଉ ଦୀପଟିଏ ଜାଳି ସାରା ସଂସାରର ଶୁଭ କାମନା କରି ଚାଲିଯାନ୍ତି । ଏମାନେ ମତେ ନିଜର ବାପା,ମାଆ ଆଉ ଗୋଟେ ସାଙ୍ଗ ବୋଲି ଭାବନ୍ତି । ଏମାନେ ନିଜ ପରିବାରରେ ରହି ମଧ୍ୟ ମତେ ନିଜର ପରିବାର ଭାବନ୍ତି । ଦୁନିଆରେ ସବୁଠୁ ଅଧିକା ବିଶ୍ୱାସ ଏ ଦୁହେଁ ମତେ କରନ୍ତି,ସେଇଥିପାଇଁ ତ ନିଜର ଦୁଃଖ, କଷ୍ଟ ,ଅସୁବିଧା ବିଷୟରେ ସେମାନେ କାହା ସାମ୍ନାରେ ଖୋଲି କରି ନକହି ମୋ ପାଖୁ ଦୌଡ଼ି ଆସନ୍ତି ଏଇ ବିଶ୍ୱାସରେ ଯେ ଦୁନିଆରେ ମୁଁ ହିଁ ଏକମାତ୍ର ଯିଏ କି ଏମାନଙ୍କର ମନକଥା ବୁଝିପାରିବି । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଲାବେଳେ ଏମାନେ ପ୍ରଥମେ ମୋର ନାମ ନିଅନ୍ତି ।

ଏମାନେ ଦିନସାରା ନିଜ ନିଜର କର୍ମ ସ୍ଥଳରେ ବିଶ୍ୱାସଯୋଗ୍ୟ ଭାବରେ ନିଜର କର୍ମ କରନ୍ତି । କେବଳ ନିଜପାଇଁ ନୁହେଁ ସମାଜ କଲ୍ୟାଣ ପାଇଁ ମଧ୍ୟ ଏମାନେ ଉପାର୍ଜନ କରନ୍ତି । ଟଙ୍କା ଉପାର୍ଜନ କରି ମଧ୍ୟ ଏମାନଙ୍କର ଟଙ୍କା ପ୍ରତି ଲୋଭ ନାହିଁ ।

ଏମାନେ ବି ବେଳେବେଳେ ଭୁଲ କରନ୍ତି ଆଉ ମୁଁ ମଧ୍ୟ ତାଙ୍କୁ ତାଙ୍କ କର୍ମଫଳ ଦିଏ । ସେମାନେ କାନ୍ଦନ୍ତି, କଷ୍ଟ ପାଆନ୍ତି, ନିଜର ଭୁଲ ଖୋଜି ଅନୁତାପ କରନ୍ତି । ଆଉ ଆଗକୁ ବି ସେ ଯାହା ଭୁଲ କରିବେ ତାର କର୍ମଫଳ ଭବିଷ୍ୟତରେ ନିଶ୍ଚିତ ପାଇବେ ।

ଏମାନେ ଖୁସି ରୁହନ୍ତି କାରଣ ଏମାନେ କାହାଠାରୁ କିଛି ଆଶା ରଖନ୍ତିନାହିଁ । ଏମାନଙ୍କ ବିଷୟରେ ଯିଏ ଯାହା ଭାବିଲେ ଏମାନଙ୍କୁ କିଛି ଫରକ ପଡେନାହିଁ । କାରଣ ଆଶା ହିଁ ଦୁଃଖର କାରଣ । ଏମାନେ ଖୁସି ରୁହନ୍ତି କାରଣ ଏମାନଙ୍କର ସଂସାରରେ କାହା ପ୍ରତି ମୋହମାୟା ନାହିଁ,ଏମାନେ କେବଳ ନିଜର କର୍ତ୍ତବ୍ୟ କରିବାକୁ ଚାହାନ୍ତି । ଏମାନେ ଖୁସି ରୁହନ୍ତି କାରଣ ଏମାନେ ସାରା ବିଶ୍ୱକୁ ନିଜ ପରିବାର ଭାବନ୍ତି । ନିଜ ପର ନ ଭାବି ସମସ୍ତଙ୍କୁ ସମାନ ନଜରରେ ଦେଖନ୍ତି । ରାସ୍ତା କଡରେ ଚା' ବିକ୍ରି କରୁଥିବା ବୁଢ଼ୀ ମାଉସୀ କୁ ସେ ନିଜର ମାଆ ସହିତ ତୁଳନା କରି ତାର ଯତ୍ନ ନିଅନ୍ତି । ଟ୍ରେନ ଲାଇନ କଡରେ ଘୁଷୁରି ଘୁଷୁରି ଭିକ ମାଗୁଥିବା ବୁଢାକୁ ଏମାନେ ନିଜ ବାପାର ଆସନ ଦେଇ ତାକୁ ଖାଦ୍ୟ ଦିଅନ୍ତି । ଏମାନଙ୍କ ମୁଣ୍ଡ ଉପରେ ଲକ୍ଷ ଲକ୍ଷ ମାଆଙ୍କର ଆଶୀର୍ବାଦ ଅଛି । ଲକ୍ଷ ଲକ୍ଷ ବୁଢା ବାପା ମାନଙ୍କର ଆଶୀର୍ବାଦ ଅଛି । ଲକ୍ଷ ଲକ୍ଷ ଅନାଥ ଶିଶୁଙ୍କର ସ୍ନେହ ଅଛି । ସେଥିପାଇଁ ସେମାନେ ଏତେ ଖୁସିରେ ଅଛନ୍ତି ।

ମନରେ କପଟ ରଖି ମତେ ଯେତେ ପୂଜା କଲେବି ମୁଁ ଗ୍ରହଣ କରିବିନାହିଁ । ଯେତେ ନୀତିନିୟମ ପାଳନ କଲେବି ଯଦି ହୃଦୟ ସଫା ନଥାଏ ତେବେ ସବୁ ବ୍ୟର୍ଥହୀନ । ମୁଁ ସବୁବେଳେ କର୍ମ ଅନୁସାରେ ଫଳ ଦେଉଛି ଆଉ ଦେଉଥିବି ମଧ୍ୟ । ଭଲ ପାଇଁ ଭଲ ଓ ମନ୍ଦ ପାଇଁ ମନ୍ଦ ।

ନାରଦ ମୁନି ପ୍ରଭୁଙ୍କ ଦିବ୍ୟଦୃଷ୍ଟିରେ ସବୁ ଦେଖିସାରି କହିଲେ - ଧନ୍ୟ ଆପଣ ପ୍ରଭୁ, ଧନ୍ୟ ଲୀଳା ଆପଣଙ୍କର ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ,ନେତାଜୀ ନଗର,ମଧୁପାଟଣା, କଟକ-୭୫୩୦୧୦


Rate this content
Log in

Similar oriya story from Inspirational