Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଫାଶ
ଫାଶ
★★★★★

© T.Durga Prasad Rao

Tragedy

7 Minutes   14.3K    18


Content Ranking

ଅ... ..., ଅ... ...।

ବେସିନ୍.ରେ ଅଳ୍ପ ବାନ୍ତି କରି ଦୁଇ ହାତରେ ପାଣି ଛାଟି ମୁହଁଟାକୁ ଧୋଇ ପକାଇଲା ଅଙ୍କିତା। ମନେ ପକାଇବାକୁ ଚେଷ୍ଟା କଲା ସକାଳୁ ଘରୁ ସେ କଣ ଖାଇ ଆସିଥିଲା କଲେଜକୁ। ଆରେ ହଁ... ରୁଟି ପଟେ ତ କ୍ଷୀରରେ ବୁଡ଼ାଇ ଖାଇ ଆସିଛି। ଆଉ କିଛି ତ ୟାଡ଼ୁ ସାଡ଼ୁ ପାଟିକି ନେଇ ନାହିଁ। ଏ ନିଆଁଲଗା ଗ୍ୟାଷ୍ଟ୍ରିକ୍ ଭାରି ହନ୍ତସନ୍ତ କରୁଛି। ନା, କିଛି ଭଲ ଲାଗୁନି। ଏମିତିରେ କ୍ଲାସ୍.ରେ ବସିଲେ କିଛି ବି ପାଠ ମୁଣ୍ଡକୁ ଢୁକିବନି। ଗାର୍ଲସ୍ କମନରୁମ୍ ବାଥରୁମରୁ ବାହାରି ଅଙ୍କିତା ପଦାକୁ ଆସିଲା। ପଲ୍ଲବୀ ପଚାରିଲା, “କଣ ହେଲା?” “ନା, ଟିକିଏ ଅସୁସ୍ଥ ଲାଗୁଛି। ଯାଉଛି, ଘରକୁ ପଳେଇଯିବି।” ପାହାଚ ଓହ୍ଲାଉ ଓହ୍ଲାଉ କହିଲା ଅଙ୍କିତା। ଗୋଟିଏ ଅଟୋ ଡାକି ବସି ପଡ଼ିଲା ସେଥିରେ। ମନେ ମନେ ଭାବୁଥିଲା, “ଟିକିଏ ଶୋଇପଡ଼ିଲେ ଆପେ ଠିକ୍ ହୋଇଯିବ। ନା, ନେଇଯିବକି ‘ଇନୋ’ରୁ ଦୁଇ ସାଚେଟ୍?” “ଭାଇନା, ଏଇଠି... ଆଉ ଟିକିଏ... ହଁ ଏଇ ମେଡ଼ିକାଲ୍ ଷ୍ଟୋର୍... ବାସ୍... ବାସ୍... ଦୁଇ ମିନିଟ୍...ସାଙ୍ଗେ ସାଙ୍ଗେ ଆସୁଛି।” ଅଟୋବାଲାକୁ ଅଟକାଇ ଦେଇ ଅଙ୍କିତା ଦୌଡ଼ିଗଲା ସାମ୍ନାରେ ଦିଶୁଥିବା ଏକ ମେଡ଼ିକାଲ୍ ଷ୍ଟୋର୍ କୁ। ଦୁଇଟା ଇନୋ ସାଚେଟ୍ ଭ୍ୟାନିଟିରେ ପୁରାଇ ଫେରି ଆସିଲା ଅଟୋ ପାଖକୁ।

ଘର ସାମ୍ନାରେ ଅଟୋ ରହିଲା ପରେ ତାର ଆଖିଦୁଇଟି ସ୍ୱତଃ ଭାବେ ଘୁରିଗଲା ପାଖ ଘରର ସାମ୍ନା ପଟ ଦରଜା ଆଡ଼କୁ। “ଏ ମା- ଇଏ କଣ ଆଜି ଅଫିସ୍ ଯାଇନାହାନ୍ତି ନା କଣ?” ଅଟୋବାଲାକୁ ପଇସା ଦେଇ ଘର ଭିତରକୁ ପଶିଗଲା ଅଙ୍କିତା। ଅଙ୍କିତାର ମା ଦାଣ୍ଡ ଘରେ ବସି ଟିଭି ଦେଖୁଥିଲେ। ଅଙ୍କିତାକୁ ଦେଖି ପଚାରିଲେ, “ଆଜି କଣ ବେଳା ବେଳି ଆସିଗଲୁ, କ୍ଳାସ୍ କିଛି ନାହିଁ କି?” କିଛି ଉତ୍ତର ନ ଦେଇ ଅଙ୍କିତା ତା ରୁମ୍.କୁ ଚାଲିଗଲା। ଲୁଗା ବଦଳାଇ ମ୍ୟାକ୍ସି ପିନ୍ଧି ପ୍ରଥମେ ଗୋଟିଏ ଗ୍ଳାସ୍.ରେ ଇନୋ ଗୋଳାଇ ପିଇନେଲା। ଗଡ଼ି ପଡ଼ିଲା ଖଟଟାରେ। ଦ୍ୱିପହର ଖାଇବା ସମୟରେ ମା ଯେତେ ଉଠାଇଲେ ବି ଆଉ ଉଠିଲାନି ଅଙ୍କିତା। ନିଦ ଭାଙ୍ଗିଲା ଯାଇ ସନ୍ଧ୍ୟା ଛଅଟାରେ। ଟିକିଏ ହାଲୁକା ଲାଗୁଥିଲା ଅଙ୍କିତାକୁ। ବାହାରକୁ ଆସି ପାଖ ଘରକୁ ନଜର ପକାଇଲା। ବାରଣ୍ଡା ଉପରେ ଧୋତି ପଞ୍ଜାବୀ ପିନ୍ଧି ଟହଲୁଥିଲା ଅନିକେତ। ଧୋତି ପଞ୍ଜାବୀ ଅନିକେତକୁ ଭାରି ମାନେ। ଲମ୍ବା ଦେହ ସାଙ୍ଗକୁ ଗୌର ବର୍ଣ୍ଣ। ହିନ୍ଦି ଚଳଚ୍ଚିତ୍ର ନାୟକ ଅକ୍ଷୟ କୁମାର ପରି ଚେହେରା। ଅଙ୍କିତା ଏପଟ ସେପଟ ଚାହିଁ ଦେଇ ଅନିକେତର ବାରଣ୍ଡାକୁ ଉଠିଗଲା, ତାପରେ ସିଧା ଘର ଭିତରକୁ।

ଏ ଘରକୁ ତାର ଅବାଧ ପ୍ରବେଶ। ଅନିକେତର ସବୁ ଜିନିଷରେ ତାର ଯେମିତି ପୁରା ଅଧିକାର। କୌଣସିରେ ତାକୁ ଅନିକେତର ଅନୁମତି ନେବାକୁ ପଡ଼େନି। ଗୋଟିଏ ବାଉଣ୍ଡେରୀ ଭିତରେ ଦୁଇଟି ଘର। ଏ ଘରଟା ବି ତାଙ୍କର। ଅନିକେତ ରହୁଛି ଭଡ଼ାରେ । ପ୍ରତିମାସ ଭଡ଼ା ଦୁଇ ହଜାର ଟଙ୍କା। ମାଗିବା ଆବଶ୍ୟକ ହୁଏନି। ନିଜେ ଯାଇ ବାପାଙ୍କ ହାତରେ ଧରାଇଦିଏ ପ୍ରତିମାସ ପ୍ରଥମ ତାରିଖରେ। ଅନିକେତ ଏ ଘରକୁ ଆସି ପାଞ୍ଚ ଛଅ ମାସରୁ ବୋଧେ ଅଧିକ ହେବନି। ପ୍ରଥମ ଯେଉଁଦିନ ଅନିକେତ ଆସି ବାପାଙ୍କୁ ଦେଖା କରି ଘରଭଡ଼ା ମିଳିବ କି ବୋଲି ପଚାରିଥିଲା, ବାପା ତାକୁ ଆପାଦମସ୍ତକ ଚାହିଁ ପ୍ରଥମ ପ୍ରଶ୍ନ କରିଥିଲେ, “ବିବାହିତ ନା ଅବିବାହିତ?” ଅନିକେତ ଚଟାପଟ ଉତ୍ତର ଦେଇଥିଲା ଯେ ସେ ବିବାହିତ, କିନ୍ତୁ ସ୍ତ୍ରୀକୁ ଆଣିପାରିବ ନାହିଁ। ଘରେ ତାର ରୁଗ୍ଣା ମା ଅଛନ୍ତି। ବାପାଙ୍କର ବୟସ ବି ଅଶୀଏ ପାର ହୋଇଯାଇଛି। ତାଙ୍କ ପାଖରେ ତାଙ୍କର ସେବା ଶୁଶ୍ରୁଷା ପାଇଁ ଜଣେ ନିହାତି ଦରକାର। ଅନିକେତର ରୋକ୍.ଠୋକ୍ କଥାରେ ବାପା ପ୍ରଭାବିତ ହୋଇପଡ଼ିଲେ। ତାପରେ ବୁଝିନେଲେ ସେ କଣ କରନ୍ତି, ଘରେ ଆଉ କିଏ କିଏ ଅଛନ୍ତି ଇତ୍ୟାଦି ଇତ୍ୟାଦି କଥା ସହ ଘରଭଡ଼ା କଥା ମଧ୍ୟ। ସେଦିନ ରବିବାର ଥିବାରୁ ଅଙ୍କିତା ଘରେ ଥିଲା ଆଉ ଏ ଦୁଇଜଣଙ୍କର କଥୋପକଥନ ଶୁଣୁଥିଲା। ଆଖି ତାର ପହଁରି ଆସୁଥିଲା ଅନିକେତର ସୁଡୋଲ୍, ସୁଠାମ ଚେହେରା ଉପରେ। ତା ନିଜ ଇଚ୍ଛାରେ ଚାହା କରି ବି ପିଆଇଥିଲା ଅନିକେତକୁ। କାହିଁକି କେଜାଣି ପ୍ରଥମ ଦେଖାରୁ ହିଁ ଲୋକଟା ଭଲ ଲାଗିଥିଲା ଅଙ୍କିତାକୁ।

ଧିରେ ଧିରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଧୁତ୍ୱରେ ବଦଳିଲା। ଦିନେ ଅତି ସ୍ପଷ୍ଟ ଭାବେ ଅନିକେତ ଅଙ୍କିତାକୁ କହିଲା କି ସେ ଅବିବାହିତ। ଚମକି ପଡ଼ିଲା ଅଙ୍କିତା। ପଚାରିଲା, “ତାହେଲେ ବାପାଙ୍କୁ ମିଛ କହିଲ କାହିଁକି?” ଅତି ସହଜ ଭାବରେ ଅନିକେତ ଉତ୍ତର ଦେଲା, “ମିଛ ନ କହିଥିଲେ, ତୁମ ବାପା କଣ ମୋତେ ଘର ଭଡ଼ାସୂତ୍ରରେ ଦେଇଥାନ୍ତେ? ବହୁତ ଜାଗାରେ ପଚାରି ସତ କହି ଘର ଭଡ଼ା ନ ପାଇ ଶେଷରେ ତମର ଏଇଠି ପହଞ୍ଚିଲି। ଯଦି ଏଇଠି ବି ମୁଁ ଅବିବାହିତ ବୋଲି କହିଥାନ୍ତି, ନିଶ୍ଚୟ ତମ ବାପା ମୋତେ ନିରାଶ କରି ଫେରାଇଥାନ୍ତେ।” ତାପରେ ଅଙ୍କିତାର ହାତକୁ ଧରି ପକାଇ କହିଲା, “ବାପାଙ୍କୁ ଏକଥା କହିବନି ଦେଖ, ମୁଁ ତୁମକୁ ବିଶ୍ୱାସରେ କହିଦେଲି।” ଅଙ୍କିତା ମନେ ମନେ ଉଲ୍ଲୁସି ଉଠିଲା। “ଯା, ଏବେ ଇଏ ଯିବ କୁଆଡ଼େ? ଚୁଟିଟା ମୋ ହାତରେ। ଯେମିତି ନଚେଇବି ସେମିତି ନାଚିବ।” ମନର ଭାବନାକୁ ମନ ଭିତରେ ରଖି ବାହାରେ ଭାବମୂର୍ତ୍ତି ସଫା କରି କହିଲା, “ନାଇଁ ମୁଁ କାହିଁକି କହିବାକୁ ଯିବି, ସେକଥା ବାପା ବୁଝିବେ ତମେ ବୁଝିବ।” ଅନିକେତ ମୁହଁରେ ହସ ଫୁଟି ଉଠିଲା। ଏବେ ଅଙ୍କିତାକୁ ଆଉ କିଛି ବାରଣ ନ ଥିଲା। ଅନିକେତର ଜୀବନରେ ସେ ଯେମିତି ଧସେଇ ପଶି ଯାଇଥିଲା ବିନା ଅନୁମତିରେ। ଅନିକେତର ସବୁ ଜିନିଷରେ ତାର ଯେମିତି ସ୍ୱତଃ ଭାବେ ଅଧିକାର ଆସି ଯାଇଥିଲା। ଅଙ୍କିତା କଲେଜରୁ ଓ ଅନିକେତ ଅଫିସରୁ ଫେରିଲା ପରେ ଦୁହେଁ କିଛି ସମୟ ବାରଣ୍ଡାରେ କଥା ହୁଅନ୍ତି। ତାପରେ ସୁବିଧା ଦେଖି ପଶିଯାନ୍ତି ଘର ଭିତରେ। ଅଙ୍କିତା ବିଭିନ୍ନ ବାହାନାରେ ଅନିକେତକୁ ଛୁଇଁବାକୁ ଚେଷ୍ଟା କରେ। “ଆଜି ପୁରା ହିରୋ ବାଗିଆ ଦେଖାଯାଉଛ। ଦାଢ଼ୀଟା ବଢ଼ିଗଲାଣି, କାଟୁନ କାହିଁକି?” ମୁଣ୍ଡଟାକୁ ଏକଡ଼ ସେକଡ଼ କରି ଦେଖେ ଅଙ୍କିତା। ତାର ମନେ ପଡ଼ିଯାଏ ମାମିନାର କଥା, କେମିତି ସେ ଚେଷ୍ଟା କରି ଦିନ ରାତି କଷ୍ଟ କରି ଗୋଟିଏ ଇଞ୍ଜିନିୟରକୁ ଫସେଇ ବାହା ହେଇଛି। ନ ହେଲେ ତା ଭଳି ବାହାଡ଼ା ଦାନ୍ତିକୁ ଇଞ୍ଜିନିୟର ସ୍ଵାମୀ! ତା ବାପା ତ ହାର ମାନି ଯାଇଥିଲେ ବର ଖୋଜି ଖୋଜି। ଅଙ୍କିତା ବସି ବସି ଶୁଣେ ତାର ସେସବୁ ରୋମାଞ୍ଚକର କଥା। କେମିତି ପ୍ରଶଂସା କରି ତାଙ୍କ ମନକୁ ପ୍ରଥମେ ନିଜ ଆଡ଼କୁ ଟାଣିବା, ଟିକିଏ ଦେହ ହାତ ଲଗାଇ ତାଙ୍କ ଦେହରେ ଶିହରଣ ସୃଷ୍ଟି କରିବା। ତାଙ୍କ ସହିତ ଭାବର ଲୁଚକାଳି ଖେଳିବା। ଟିକିଏ ଟିକିଏ କଥାରେ ଅଭିମାନ କରି ତାଙ୍କୁ ବଶ କରିବା ଇତ୍ୟାଦି ଇତ୍ୟାଦି। ନିଜ ଆଡ଼ୁ ବି ଅଙ୍କିତା କିଛି କିଛି ଫାନ୍ଦି ଯୋଡ଼ି ଦିଏ ଅନିକେତକୁ ତାର ନିକଟତର କରିବା ପାଇଁ। ଭଲ ଭଲ ରୁଚିକର ଖାଦ୍ୟ ତିଆରି କରି ଥୋଇଦିଏ ଅନିକେତ ଆଗରେ। ନିଜେ ବି ଖୁଆଇ ଦିଏ ପାଟିରେ ହାତ ଲଗାଇ। ଚୁନିରେ ମୁହଁ ପୋଛି ଦିଏ। ଅନିକେତର ହୃଦ୍ ସ୍ପନ୍ଦନ ବଢ଼ିଯାଏ ଅଙ୍କିତାର ଛୁଆଁରେ। ଅଙ୍କିତା ନିକଟତର ହେଲେ ଅନିକେତ ତାର ହାତ ଧରି ଟାଣି କୋଳରେ ବସାଇଦିଏ। ଅଙ୍କିତା ସୁଦୁ ବାହାନା କରେ ଉଠିଯିବା ପାଇଁ। ଛାଡ଼େନି ଅନିକେତ। କିଛି ସମୟ ପରେ ଅଙ୍କିତାକୁ ଠେଲି ଦେଇ କହେ ଦରଜା ବନ୍ଦ କରିଦେବା ପାଇଁ।

ଚୁନିରେ ଗଣ୍ଠିଟିଏ ବାନ୍ଧୁ ବାନ୍ଧୁ ଅଙ୍କିତା ପଶିଗଲା ଘର ଭିତରେ। ପଛେ ପଛେ ପଶି ଆସିଲା ଅନିକେତ। ଅଙ୍କିତା ପଚାରିଲା, “ଆଜି କଣ ଅଫିସ୍ ଯାଇନ?” ଅନିକେତ ହାତ ଉପରକୁ ଟେକି ଅଳସ ଭାଙ୍ଗି କହିଲା, “ନା, ଦେହଟା ଭଲ ଲାଗୁନି।” ତାପରେ ହାତ ଦୁଇଟାକୁ ଅଙ୍କିତାର ମୁଣ୍ଡ ଦେଇ ଗଳେଇ ଆଣି ଭିଡ଼ିନେଲା ଅଙ୍କିତାକୁ ନିଜ ଆଡ଼କୁ। କହିଲା, “କିଛି ଅନୁଭବ କରିପାରୁନ? ଟିକିଏ ଉଷୁମ ଉଷୁମ ଲାଗୁନି କି ଦେହଟା?” ଅଙ୍କିତା ଅନିକେତର ବେକରେ ହାତ ଦୁଇଟାକୁ ଛନ୍ଦି କହିଲା, “ମୋତେ ବି ଆଜି କିଛି ଭଲ ଲାଗିଲାନି, ଅଧାରୁ କ୍ଳାସ୍ ଛାଡ଼ି ଚାଲି ଆସିଲି।” ଅନିକେତ ଟିକିଏ ଭ୍ରୁକୁଞ୍ଚିତ କରି ପଚାରିଲା, “କାହିଁ, କଣ ହେଲା?” “ନା, ସେମିତି କିଛି ନାହିଁ। ଗ୍ୟାଷ୍ଟ୍ରିକ୍ ବୋଧେ। ଟିକିଏ ବାନ୍ତି ବାନ୍ତି ଲାଗୁଥିଲା। କଲେଜରୁ ଫେରିଲାଠୁ ଶୋଇଛି ଶୋଇଛି, ଏବେ ନିଦ ଭାଙ୍ଗିଲା। ସକାଳଠୁ ଟିକିଏ ଦୁର୍ବଳ ବି ଲାଗୁଛି।” ଅଙ୍କିତା ଦୀର୍ଘଶ୍ୱାସ ଛାଡ଼ି କହିଲା। ଅନିକେତ ଅଙ୍କିତାକୁ ବାହୁଫାଶରୁ ମୁକ୍ତ କରିଦେଇ ପଲଙ୍କରେ ବସିଲା। ଟିଭି ଅନ୍ କରି ଚ୍ୟାନେଲ୍ ବଦଳାଉ ବଦଳାଉ କହିଲା, “ଔଷଧ କିଛି ଆଣି ଦେବି କି?” “କାହିଁକି, କଣ ହେଇଛି କି? ମୁଁ ଇନୋ ନେଇଛି, ଏବେ ଠିକ୍ ଲାଗୁଛି।” ଅଙ୍କିତା ଥିରି କରି ଅନିକେତ ଗାଲରେ ଚୁମାଟିଏ ଆଙ୍କିଦେଲା। ଟିଭିରେ ଲଭ୍ ସିନ୍ ଦେଉଥିଲା। ଅନିକେତ ବିରକ୍ତ ହେଲା। ଚ୍ୟାନେଲ୍ ବଦଳାଇ କ୍ରିକେଟ୍ ଲଗାଇଲା। ଅଙ୍କିତା ଅନିକେତ ଠାରୁ ରିମୋଟ୍ ଛଡ଼ାଇ ଟିଭି ବନ୍ଦ କରି କହିଲା, “ଆଜି ତମର କଣ ହେଇଛି?” ଅନିକେତ କହିଲା, “ଏଇ ପରା ଟିକିଏ ଆଗରୁ କହିଲି, ଜରୁଆ ଜରୁଆ ଲାଗୁଛି ବୋଲି, ପୁଣି କାହିଁକି ପଚାରୁଛ?” ଅଙ୍କିତା ଅନିକେତ ଉପରକୁ ନିରବ କଟାକ୍ଷ ହାଣି କଥା ବଦଳେଇଲା। କହିଲା, “କିଛି ଖାଇଛ କି ନାହିଁ?” “ସକାଳେ ଯାହା ଖାଇଛି।” “ମୁଁ ବି ଖରାବେଳେ କିଛି ଖାଇନି। ଭାରି ଭୋକ। ତମେ ରୁହ, ମୁଁ କିଛି ନେଇ ଆସୁଛି।” ଅଙ୍କିତା ଉଠି ଚାଲିଗଲା। ପଛରୁ ଅନିକେତ ହାତ ହଲାଇ ମନା କରୁଥିଲା। ଅଙ୍କିତା ସେତେବେଳକୁ ଦୂରକୁ ଯାଇ ସାରିଥିଲା। ଅଙ୍କିତା ଫେରିଲା ବେଳକୁ କିନ୍ତୁ ଅନିକେତର ଘର ଦରଜା ବାହାରୁ ବନ୍ଦ ଥିଲା। ଆଉ ଦେଖା ହୋଇ ନ ଥିଲା ଅନିକେତ ସହ ଅଙ୍କିତାର। ଅନେକ ରାତିରେ ଫେରିଥିଲା ଅନିକେତ।

ଅ... ..., ଅ... .... ସକାଳୁ ସକାଳୁ ବାନ୍ତି ଉଠିଲା ଅଙ୍କିତାର। ମା କହିଲେ, “କଣ ହେଲା?” ଅଙ୍କିତା କିଛି ପ୍ରତ୍ୟୁତ୍ତର ନ ଦେଇ ବାଥରୁମ୍ ଦରଜାଟା ଟାଣିଦେଲା।

କଲେଜରେ ପହଞ୍ଚି କ୍ଲା୍ସ୍.ରେ ବସିବ, ପୁଣି ସେଇ ବାନ୍ତି। ମୁହଁ ଚାପି ଉଠି ଆସିଲା ଅଙ୍କିତା ବେଞ୍ଚରୁ। କ୍ଳାସ୍ ସାରି ପଲ୍ଲବୀ ଦେଖିଲା ଅଙ୍କିତାର ବାନ୍ତି ଛାଡୁନାହିଁ। ପଲ୍ଲବୀ ଅଙ୍କିତାର ଟପ୍ ଟାଣି ଦେଇ ମୁହଁରେ ଥଟ୍ଟା ଫୁଟାଇ କହିଲା, “ପେଟରେ କିଛି ଧରିଛୁ ନା କଣ?” ଅଙ୍କିତାର ଆଖିଦୁଇଟି କିଛି ସମୟ ପାଇଁ ସ୍ଥିର ହୋଇଗଲା ପଲ୍ଲବୀର ମୁହଁକୁ ଚାହିଁ। ସେ ଧଡ଼ପଡ଼ ହୋଇ ଭ୍ୟାନିଟି ଉଠେଇ ବାହାରି ଗଲା ଟଏଲେଟ୍ ରୁ। ପଲ୍ଲବୀ ପଛରୁ ଅଙ୍କିତାର ହାତ ଧରି କହିଲା, “ରାଗିଗଲୁ ନା କଣ? ମୁଁ ଏମିତି ଥଟ୍ଟାରେ କହିଲି ନା!” ଅଙ୍କିତା ହାତ ଛଡ଼ାଇ ନେଇ କହିଲା, “ମୁଁ ଜାଣେ।” ତାପରେ କ୍ଷୀପ୍ର ଗତିରେ କଲେଜ୍ ହତା ପାର ହୋଇ ମେନ୍ ରୋଡ୍.କୁ ଦୌଡ଼ିଲା। ଅଟୋଟିଏ ଡାକି ବସିଲା ସେଥିରେ।

ଘରେ ପହଞ୍ଚି ଦେଖିଲା ପାଖଘରର ଝରକା ବନ୍ଦ ଅଛି। ଦରଜା ବି ବନ୍ଦ ଅଛି ବାହାରୁ। କିଛି ସମୟ ବାରଣ୍ଡାରେ ଏପଟ ସେପଟ ହେଲା ଅଙ୍କିତା। ପୁଣି ଭାବିଲା କାହାକୁ ଅପେକ୍ଷା କରୁଛି, ଏଇଟା ତ ଅନିକେତର ଅଫିସ୍ ସମୟ। ଭିତରେ ଯାଇ କିଛି ସମୟ ଟିଭି ଦେଖିଲା। ନା ଭାରି ଅଶ୍ଵସ୍ତି ଲାଗୁଛି। ମଝିରେ ମଝିରେ ବାଥରୁମ୍ ଯାଉଛି। ପୁଣି ଫେରି ଆସି ପାଖ ଘର ଦରଜାରେ ନଜର ପକାଉଛି। ମା ଲକ୍ଷ୍ୟ କରୁଛନ୍ତି ତାର ବିବ୍ରତ ଭାବ। ତାଙ୍କୁ କିଛି ଅନୁମାନ ଲଗାଇବାକୁ ନ ଦେଇ ନିଜ ରୁମ୍.ରେ ପଶି ଗଡ଼ିପଡ଼ିଲା ଅଙ୍କିତା। ବେଳେ ବେଳେ ଅନିକେତ ଖାଇବା ଛୁଟିରେ ବିଶ୍ରାମ ପାଇଁ ଘରକୁ ଫେରେ। ଅଙ୍କିତା ଅପେକ୍ଷା କଲା ସେଇ ସମୟକୁ। କିନ୍ତୁ ଅନିକେତର ଦେଖା ନାହିଁ। ଠିକ୍ ସେଇ ସମୟରେ ବାପା ଆସି ପହଞ୍ଚିଲେ। ଅଙ୍କିତାକୁ ପାଖ ଘରକୁ ଚାହିଁ ରହିଥିବା, ତାଙ୍କ ନଜରରେ ପଡ଼ିଲା। ସେ ପଚାରିଲେ, “କାହାକୁ ଖୋଜୁଛୁ ମା?” ଚମକି ପଡ଼ିଲା ଅଙ୍କିତା। ତାର ସେ ପର୍ଯ୍ୟନ୍ତ ଲକ୍ଷ୍ୟ ନାହିଁ ଯେ ବାପା ଗେଟ୍ ମୁହଁରେ ହେଲେଣି। “ନାଇଁ, ଏମିତି। ବହିଟେ ମାଗି ନେଇଥିଲେ ତ, ଏବେ ପଢ଼ିଥାନ୍ତି।” ଅଙ୍କିତା ଛେପ ଢୋକି କହିଲା। “କିଏ, ଅନିକେତ? ସେ କଣ ଆଉ ଅଛି, ଭୋରୁ ଭୋରୁ ପରା ଗାଁକୁ ଗଲାଣି ତାର ହଠାତ୍ ଅନ୍ୟତ୍ର ବଦଳି ହେଇଛି। ରାତିରେ ମୋତେ ଚାବି ଫାବି ଦେଇ ହିସାବ କିତାବ କରି ଯାଇଛି।” ଅଙ୍କିତାର ଆଖିକୁ ଅନ୍ଧାର ଦିଶିଲା। ହଠାତ୍ ପାହାଚ ତଳକୁ ଖସି ପଡୁଥିଲା ଅଙ୍କିତା, ବାପା ଧରିନେଲେ। କହିଲେ, “ଆରେ ସମ୍ଭାଳ... ଏମିତି କଣ ହେଉଛୁ... ଭଲ ଲାଗୁନି କି ଦେହଟା?” ବାପାଙ୍କ ପ୍ରଶ୍ନର ଉତ୍ତର ନ ଦେଇ କୋହ ଚାପି ଅଙ୍କିତା ପଚାରିଲା, “ତା ମାନେ କଣ... ସେ ଆଉ ଫେରିବେନି!” “କାହିଁ ତୋର କିଛି ମୂଲ୍ୟବାନ ଜିନିଷ ତା ପାଖରେ ରହିଗଲା କି?” ଅଙ୍କିତା କହି ପାରୁନଥିଲା କି ମୂଲ୍ୟବାନ ଜିନିଷ ସେ ହରାଇଛି। ଚୁପ୍ ଚାପ୍ ନିଜ ରୁମରେ ପହଞ୍ଚି ଭିତରୁ ଦରଜା ବନ୍ଦ କରି ଭୋ ଭୋ କରି କାନ୍ଦି ପକାଇଲା ଅଙ୍କିତା।


ଟି.ଦୁର୍ଗା ପ୍ରସାଦ ରାଓ

ଫାଶ ମେଡ଼ିକାଲ୍ ଷ୍ଟୋର୍ ଘରଭଡ଼ା

Rate the content


Originality
Flow
Language
Cover design

Comments

Post

Some text some message..