Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଏଇ'ତ ଜୀବନ
ଏଇ'ତ ଜୀବନ
★★★★★

© Prasant Kumar Senapati

Inspirational

5 Minutes   7.3K    14


Content Ranking

ରାତି ଯାତ୍ରାର ଅନ୍ତିମ ପ୍ରହର । ଘନ ଅନ୍ଧକାର ସହିତ କୁହୁଡିର ଚାଦର ସାରା ସହରକୁ ଢାଙ୍କି ରଖିଥାଏ । ରାସ୍ତା କଡର ବିଜୁଳି ଆଲୁଅ ଝାପ୍ସା ଝାପ୍ସା ନିଜ ଅସ୍ଥିତ୍ୱ ବଞ୍ଚାଇବା ପାଇଁ ବିକଳ ପ୍ରୟାସ କରୁଥାନ୍ତି। ମୋବାଇଲ୍ ସ୍କ୍ରୀନ୍ ରେ ଦେଖିଲି ସମୟ ଓ ତାପମାନ ସାମାନ୍ୟ ଅନ୍ତରରେ ନିଜ ନିଜ ଭିତରେ ପ୍ରତିଯୋଗିତାରେ ବ୍ୟସ୍ତ । ସମୟ ସକାଳ ତିନିଟା ଓ ତାପମାନ ପାଞ୍ଚ ଡିଗ୍ରୀ । ପ୍ରବଳର ସତ୍ତ୍ବେ ବି ଉଚ୍ଚ ତାପମାନ ଶରୀରକୁ ଏହି ନିମ୍ନ ତାପମାନ ଆରାମ ଅନୁଭୂତ ହେଉଥିବାରୁ ଦୀର୍ଘ ପଇଁଚାଳିଶି ମିନିଟି ହେଲା ଡିସେମ୍ବରର ଶେଷ ଅନ୍ଧକାରମୟ ଶୀତ ରାତିକୁ ଛାତ ଉପରେ ଠିଆ ହୋଇ ମୁଁ ନିଦ୍ରାରତ ସହରକୁ ଉପଭୋଗ କରି ଚାଲିଥିଲି ।

ଆସନ୍ତାକାଲି ନୂଆବର୍ଷ । ସମୟ ବଦଳିବ, ତାରିଖ ପରେ ତାରିଖ ବଦଳିବ, ମାସ ପରେ ମାସ ଓ ବର୍ଷ ପରେ ବର୍ଷ । କିନ୍ତୁ କଣ ମୋ ସହର ବଦଳିବ ନାହିଁ, ଏ ସମାଜ ବଦଳିବ ନାହିଁ, ଅମାନବିକତା ଅଶାନ୍ତି ବଦଳିବ ନାହିଁ, ତେବେ ବଦଳିଲା କଣ ? ନୂଆ ବର୍ଷରେ କଣ ଆମେ ଶପଥ ନେଲେ, କଣ ଆମେ ବଦଳାଇ ପାରିବା ।।

ମୁଁ ଦେଖୁଥିଲି ସହରର ମଝି ଛକରେ ଥିବା ଜନ ଗହଳି ପୁର୍ଣ୍ଣ ଚା ଦୋକାନଟି ରାତ୍ରୀ ଅନ୍ଧକାରେ ସମ୍ପୁର୍ଣ୍ଣ ନୀରବ ନିଶବ୍ଦ । ଏକ ଚିରା ଫଟା କମ୍ବଳ ତଳେ ଛୋଟ ପିଲାଟି ଦିନହୀନ ଆବସ୍ଥାରେ ପଡିଛ । ଯିଏ ଦିନ ତମାମ ଗ୍ଲାସ୍ ଗ୍ଲାସ୍ ଗରମ ବାଣ୍ଟୁଥିଲା, ଏବେ ସେ ଶୀତ ଦାଉରୁ ନିଜ ଶରୀରକୁ ରକ୍ଷା କରିବା ପାଇଁ ବାରମ୍ବାର ବିଫଳ ପ୍ରୟାସ କରୁଛି ।

କିଛଦୂର ଖୋଲା ଆକାଶରେ ଗୋମାତା ବି ଶୋଇଛି, ଯେଉଁ ଗୋମାତା ନାମ ଧରି ହଜାର ହଜାର ଥର ରକ୍ତର ନଦୀ ବହିଛି, ସେହି ଗୋମାତା ପାଇଁ ଅଧୀକାର ଦାବୀ କରିଥିବା କିଛି ବ୍ୟକ୍ତି ଶୀତତାପ ନୀୟନ୍ତ୍ରିତ ଆଲିସାନ ବଙ୍ଗଳା ଭିତରେ ରେଜେଇ ଢାଙ୍କି ହୋଇ ଆରାମରେ ଶୋଇଛନ୍ତି । କୁଆଡେ ଗଲା ସେ ଗୋମାତାକୁ ନେଇ ହୋଇଥିବା ଆନ୍ଦୋଳନ, କେତେ ଦୂର ଫଳପ୍ରଦ ଓ କେତେ ସାଫଲ୍ୟ । ଆଲିସାନ ବଙ୍ଗଳା ଭିତରେ ଶୋଇଥିବା ଆନ୍ଦୋଳନର ମୁଖୀଆମାନେ ଏହା ଭାବି ଶାନ୍ତି ନିଦରେ ଶୋଇଛନ୍ତି ଯେ ଗୋମାତା ତ ଆମ ମା ଅଟେ । ମା'କୁ କଣ ଶୀତ ହୁଏ କି ?

ମୁଁ ଦେଖି ଚାଲିଥିଲି....ଏକ ବଡ ବ୍ୟାଙ୍କର ଏ.ଟି.ଏମ୍ ର କୋଣରେ ବୁଢା ସିକ୍ୟୁରିଟି ଗାର୍ଡ ଯିଏକି ଦିନ ରାତି ମେସିନ୍ ରୁ ବାହାରୁଥିବା ଗୋଲାପି ଗୋଲାପି ନୋଟ୍ ର ଜଗୁଆଳ କରୁଛି, ମାସ ଶେଷରେ ତିନୋଟି ଗୋଲାପୀ ନୋଟ୍ ନେଇ ନିଜ ପୁଅ ବୋହୁ ହାତରେ ଧରେଇ ଜୀବନର ଅନ୍ତିମ ପାହାଚରେ ନିଜ ସୁରକ୍ଷା ପାଇଁ ଅସହାୟ ଭାବେ ହାତ ପାତି ସେମାନଙ୍କ ହାତଟେକାକୁ ଚାହିଁ ରହୁଛି ।

ମୁଁ ଦେଖୁଛି ସେ ପଇଁତିରିଶି ବର୍ଷର ମହିଳାକୁ ଯିଏ ପରିବାର, ସ୍ବାମି ଓ ପିଲାମାନଙ୍କର ଯତ୍ନ ନେବା ପରେ ନିଜ ପାଇଁ ଭାବିବାକୁ ସମୟ ଟିକିଏ ପାଇନାହିଁ, ଆଜି ସେ ଅତ୍ୟନ୍ତ ଦୁର୍ବଳ, ଭାରୀ ମୋଟା ଶରୀର ଓ ଚିନ୍ତାର ରେଖା ତଳେ ଚାପି ହୋଇ ନିଜ ସୁନ୍ଦରତା ହରେଇ ବସିଛି, ସେହି ମହିଳା ଯିଏକି ଦଶବର୍ଷ ତଳେ ହୋଇଥିଲେ କଲେଜ୍ କୁଇନ୍ ।

ମୁଁ ଦେଖୁଛି ଆଠ ବର୍ଷର ପୁଅକୁ, ଯିଏ ଶୋଇବା ସମୟରେ ବି ସ୍କୁଲ୍, କ୍ଲାସ, କୋଚିଙ୍ଗ ଓ ପଞ୍ଚାନବେ ପ୍ରତିଶତ ମାର୍କ ଟେଷ୍ଟରେ ରଖିବା ପ୍ରତିଯୋଗିତାରେ ପିଲାଦିନର ସର୍ବଶ୍ରେଷ୍ଠ ସମୟକୁ ଭୁଲିବାକୁ ବାଧ୍ୟ ହେଉଛି । ସେ ବି ଚାହୁଁଛି କିଛି ସମୟ ଲୁଚି ଲୁଚି ପିଲାମାନଙ୍କ ସହିତ ଚୋର ପୋଲିସ୍ ଖେଳନ୍ତା କି, ବରଷାରେ ଭିଜି ଭିଜି କାଗଜର ଡଙ୍ଗା ଭସାଇ ପାରନ୍ତା କି ?

ମୁଁ ଦେଖି ପାରୁଛି ସେହି ମଧ୍ୟମ ଶ୍ରେଣୀର ସ୍ବାମିମାନଙ୍କୁ, ବଡି ଭୋଓରୁ ଉଠି ବେସରକାରୀ ସଂସ୍ଥାରେ ନିଜ ଚାକିରୀ ବଞ୍ଚାଇବା ପାଇଁ ସକାଳୁ ସକାଳୁ ବସ୍ ଲୋକାଲ ଟ୍ରେନ୍ ଭିଡରେ ଧକ୍କା ମୁକ୍କା ଖାଇ ଅଫିସ୍ ରେ ପହଞ୍ଚୁଛି ଓ ଅଫିସ୍ ରେ ମାଲିକ ଠାରୁ ଠିକ୍ ହେଉ କି ଭୁଲ୍ ପାଇଁ ଗାଳି ଗୁଲଜ ଶୁଣି ନିଜର ଚାକିରୀ ବଞ୍ଚାଇବାର ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ପୁନଶ୍ଚ ଅଫିସ୍ କାମ ସାରି ଘରକୁ ଫେରିବା ବେଳକୁ ରାତି ଦଶଟା । ଶୋଇଥିବା ଅବସ୍ଥାରେ ନିଜ ସନ୍ତାନ ସନ୍ତତିଙ୍କ ମଥାରେ ସ୍ନେହ ପରଶ ବୋଳା ହାତଟି ଆଉଁସି ଏକ ଅସହାୟ ପିତା ରାତ୍ରୀ ଭୋଜନ ସାରି ଆସନ୍ତାକାଲିର ରୁଟିନ୍ ପାଇଁ ବିଶ୍ରାମ କରୁଛି ।

ମୁଁ ଦେଖି ପାରୁଛି ସେହି ଆଖି ଲୁହରେ ଭିଜି ଯାଉଥିବା ତକିଆ ଉପରେ ଶୋଇଥିବା ନବ ବଧୂକୁ, ଯିଏ ପନ୍ଦର ଦିନ ତଳେ କାହାର ପ୍ରେମିକା ଥିଲା ଓ ଆଜି ଆଉ କାହାର ପତ୍ନି ।

ମୁଁ ଦେଖି ପାରୁଛି ସେହି ପ୍ରେମିକାକୁ ଯିଏ ନିଜ ପ୍ରେମିକର ସିଗାରେଟ୍ ଅଭ୍ୟାସ ପାଇଁ ସପ୍ତାହ ସପ୍ତାହ ଅଭିମାନରେ କଥା ହେଉନଥିଲା, ଆଜି ତାର ସ୍ବାମି ପ୍ରତ୍ୟକଦିନ ମଦ ପିଇ ଆସି ତାର ବଳାତ୍କାର କରୁଛି ।

ମୁଁ ଦେଖି ପାରୁଛି ରାଜ ରାସ୍ତାରେ ଠିଆ ହୋଇଥିବା ଟ୍ରକରୁ ମଧ୍ୟମ ବୟସ୍କର ମହିଳା ହାତରେ ଶହେ ଟଙ୍କିଆ ତିନି ଖଣ୍ଡ ଧରି ଓହ୍ଲେଇ ଆସୁଛି, ଯେଉଁ ପଇସାରେ ସ୍ବାମି ପାଇଁ ମଦ ଆସିବ ଓ ପିଲାମାନଙ୍କ ପେଟ ଭରିବ ।

ମୁଁ ଦେଖି ପାରୁଛି ନିଜ ଶରୀରର ଯନ୍ତ୍ରଣାକୁ ଦୂର କରିବା ପାଇଁ ମେଡିସିନ୍ ଖାଇ ଶୋଇବାକୁ ଯାଉଥିବା ସେ ସତର ଅଠର ବର୍ଷ ଝିଅକୁ, ଯିଏ ଦିନ ତମାମ୍ କୌଣସି ଏକ ସମାରୋହର ଫାଟକ ନିକଟରେ ଠିଆ ହୋଇ ଅତିଥୀ ମାନଙ୍କୁ ସଜ ଗୋଲାପର ଉପହାର ମାଧ୍ୟମରେ ସ୍ବାଗତ କରୁଥିଲା । ଅତିଥୀ ମାନଙ୍କ କଟାକ୍ଷ ଚାହାଣୀରେ ବାରମ୍ବାର ବଳତ୍କାର ହେଉଥିଲା, ଯେପରି ଗୋଲାପ କେବଳ ଫୁଲଟିଏ ନୁହେଁ ସେ ବି ଗୋଟେ ଫୁଲ ସମସ୍ତଙ୍କ ପାଦତଳେ ଦଳି ମକଚି ହେବ । ସେ ଝିଅ ପାଇଁ ଲାଲ୍ ଗୋଲାପ ଫୁଲଟି କୌଣସି ପ୍ରେମର ପ୍ରତୀକ ନଥିଲା, ଥିଲା ତାର ଘର ପରିବାରର ଗୋଟିଏ ଦିନ ପ୍ରତିପୋଷଣର ଖର୍ଚ୍ଚ ।

ମୁଁ ଦେଖି ପାରୁଛି ପ୍ରେମିକ ଠାରୁ ଧୋକ୍କା ଖାଇ ରାଗରେ ସିମ୍ ଭାଙ୍ଗି ଫୋପାଡି ଦେଉଥିବା ପ୍ରେମିକାକୁ, ଏପାଖେ ନୂଆ ପ୍ରେମିକା ସହିତ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଜିୟୋ ସିମ୍ ରେ ଅନଲିମିଟେଡ୍ କଥା ହେଉ ହେଉ ଶୋଇ ପଡୁଥିବା ପ୍ରେମିକକୁ ।

ମୁଁ ଦେଖି ପାରୁଛି ଘର ଠାରୁ ଶହ ଶହ କିଲୋମିଟର ଦୂରରେ ରହି ମେଡିକାଲ, ଇଞ୍ଜିନିୟରିଂ ଓ ସିବିଲ୍ ପାଇଁ ଗୋଟିଏ ଗୋଟିଏ ବଖରା ଭିତରେ ଦଶ ଦଶ ଜଣ ଛାତ୍ର ବର୍ଷ ବର୍ଷ ଧରି ନିଜକୁ ପ୍ରସ୍ତୁତ୍ କରୁଥିବାର ଓ ସେମାନଙ୍କ ମଧ୍ୟରୁ ଅନେକ ରାତିରେ ଘର କଥା ବାପା ମାଆଙ୍କ କଥା ମନେ ପକାଇ ଝରୁଥିବା ଆଖିର ଲୁହକୁ।

ମୁଁ ଦେଖି ପାରୁଛି ବସ୍ ଠାରୁ ଗାଳି ଗୁଲଜ ଶୁଣିବା ପରେ ଆହତ କର୍ମଚାରୀ ନିଜର ଏକ ସ୍ବତନ୍ତ୍ର କମ୍ପାନୀ ଖୋଲିବାର ବିଫଳ ପ୍ରଚେଷ୍ଟାକୁ ।

ମୁଁ ଦେଖି ପାରୁଛି ରାତ୍ରୀ ଅନ୍ଧକାରରେ ଅଳିଆ ଆବର୍ଜନାରେ ଫୋପାଡି ଦେଇ ଯାଉଥିବା କନ୍ୟା ଭୃଣକୁ ।

ମୁଁ ଦେଖି ପାରୁଛି ପୋଷ୍ଟମର୍ଟମ ଘର ବାହାରେ ଶବକୁ ଅପେକ୍ଷା ବସିଥିବା ଏକ ଅସହାୟ ଭାଇକୁ ।

ମୁଁ ଦେଖି ପାରୁଛି ରାତି ତମାମ୍ ଚୋର ଓ ପୋଲିସ୍ କଳା କାରାବାରରେ ଲିପ୍ତ ହୋଇ ଆୟ କରାଥିବା ଟଙ୍କାର ଭାଗ ବାଣ୍ଟକୁ ।

ଲୁହ, ଅସହାୟ, ଚିତ୍କାର, ଲାଚାର, ବ୍ୟଭିଚାର, ଭ୍ରଷ୍ଟଚାର ଓ ଅସଫଳତା ସବୁ ଭରି ରହିଛି ଏହି ଅନ୍ଧକାର ମୟ ରାତ୍ରୀରେ ।

କିଛି ସମୟ ପରେ ପାଖ ମସଜିଦ୍ ରୁ ଆଲ୍ଲା ନାମ ଶୁଣାଯିବ ଓ ପାଖ ମନ୍ଦିରରୁ ଘଣ୍ଟ ଘଣ୍ଟାର ଶବ୍ଦ ଭାସି ଆସିବ ।

ହାରି ଯାଇଥିବା ମଣିଷ ଆଲ୍ଲା ଠାରୁ ଆରମ୍ଭ କରି ଭଗବାନ ପର୍ଯ୍ୟନ୍ତ ସଫଳତା ପାଇଁ ଗୁହାରୀ କରିବ ।

ସୂର୍ଯ୍ୟ ଦେବ ପୃଥିବୀ ଧରା ପୃଷ୍ଠରେ ନିଜ କିରଣ ବିଞ୍ଚିଦେବେ ଓ ଦିବାଲୋକରେ ରାତ୍ରି ଅନ୍ଧକାରର ସମସ୍ତ କଳା କାରାନାମା ଲୁଚିଯିବ ।

ବର୍ଷ ବର୍ଷ ଧରି ଏହିପରି ଚାଲି ଆସୁଛି, ଦିବାଲୋକରେ ଅନ୍ଧକାର ରାତ୍ରିର ସବୁ ବ୍ୟଭିଚାର, ହିଂସାଁ, ଅସହାୟତା ନିଜ ଅସ୍ତିତ୍ବ ହରେଇ ବସୁଛନ୍ତି ।

ଗତ ରାତ୍ରୀ ଅନ୍ଧକାରରେ ସେହି ମଣିଷମାନେ ଘଟାଇଥିବା ପାପ ପୁଣ୍ୟକୁ ଭୁଲାଇ ଜଣେ ଜଣେ ଭଲ ମଣିଷର ମୁଖୋଟା ତଳେ ନିଜକୁ ହଜାଇ ଦେଉଛନ୍ତି ଆଉ ଏକ ରାତ୍ରୀର ପ୍ରତିକ୍ଷାରେ ।

ମୁଁ ସ୍ତବ୍ଧ, ନିଶବ୍ଦ ଓ ସ୍ଥାଣୁ ପ୍ରାୟ । ମୋ ଶରୀରରୁ ଜ୍ବରର ତାପମାନ କମି ଆସିଥାଏ ଓ ଶୀତର ପ୍ରଭାବ ଅନୁଭବ କରି ମୁଁ ଫେରି ଆସିଲି ଏକ ନୂତନ ସକାଳର ଆଶା ଆଶ୍ବସନା ମନରେ ଭରି ।

ମୋ ଶରୀର ଓ ହୃଦୟ ଅଧିକା କିଛି ଦେଖିବା ପାଇଁ ଅନୁମତି ଦେଲାନାହିଁ । ରେଜେଇ ଢାଙ୍କି ହୋଇ ଭାବିବାକୁ ବାଧ୍ୟ ହେଉଥିଲି ଆମେ ପାଇଲେ କଣ, ହରେଇଲେ କଣ ?

ଏଠାରେ ଆମେ କାହା ପାଇଁ ବଞ୍ଚିଛେ ନା ବଞ୍ଚିବାର ଅଭିନୟ ମାତ୍ର କରୁଛେ ।

ନିଜ ସ୍ବାର୍ଥ ପାଇଁ ନା ଅନ୍ୟର ମଙ୍ଗଳ ପାଇଁ....ଏହା ଏକ ପ୍ରତିଯୋଗିତା, ଯାହା ଚାଲିଥିଲା, ଚାଲିଛି ଓ ଚାଲିବ ମଧ୍ୟ ।

ସମୟ, ଦିନ, ବାର ବର୍ଷ ବଦଳୁଛି....କିନ୍ତୁ ବଦଳୁ ନାହାନ୍ତି ଆମେ । ଯଦି କେହି କହିବ ଆମେ ବି ବଦଳୁଛନ୍ତି, ତେବେ ମୁଁ କହିବି ଆମେ ଆଧୁନିକତାର ଢାଞ୍ଚାରେ ସେହି ପୁରୁଣା ରୀତିନିତୀକୁ ବଦାଳାଉଛନ୍ତି । ବଦଳୁଛି ନାମକୁ ମାତ୍ର ପୁରୁଣା କ୍ୟାଲେଣ୍ଡରଟି ।

ଇଂରାଜୀ ନବବର୍ଷ ୨୦୧୮ ଆପଣ ମାନଙ୍କ ପାଇଁ ସୁଖ, ଶାନ୍ତି ସଫଳତା ଆଣିଦେଉ, ପରିବାରରେ ହସ ଖୁସିର ପରିବେଶ ମହକୁ ଥାଉ, ସ୍ବାସ୍ଥ୍ୟ, ସମ୍ପଦ, ଚାକିରୀ ବାକିରୀରେ ଉନ୍ନତି ହେଉ, ଏତିକି କାମନା ।

ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।।

ଧନ୍ୟବାଦ ।।

ପ୍ରଶାନ୍ତ ସେନାପତି୍ତ ସେନାପତି

ସମାଜର ଦର୍ପଣ -The Mirror Of Society

ମୋ-୯୬୦୦୧୬୮୧୬୩

ଶୀତ ନୂଆବର୍ଷ ପ୍ରତିଯୋଗିତା

Rate the content


Originality
Flow
Language
Cover design

Comments

Post

Some text some message..