Bismita Sahoo

Inspirational


5.0  

Bismita Sahoo

Inspirational


ବବୁଲୁ ଓ ଛୋଟା ଭୀମ

ବବୁଲୁ ଓ ଛୋଟା ଭୀମ

3 mins 542 3 mins 542

ପାଞ୍ଚବର୍ଷର ପୁଅ ବବୁଲୁ ମନରେ ଘୋର ସନ୍ଦେହ। ଘରେ କିଛି ଗୋଟାଏ ହେଇଛି ନିଶ୍ଚୟ। ନଚେତ ପାପା, ମମି,ଜେଜେବାପା, ଜେଜେମା ସମସ୍ତେ ଏକାଠି ବସି ଟିଭି କେମିତି ଦେଖୁଛନ୍ତି? ଯଦିବା ଦେଖୁଛନ୍ତି ରିମୋଟ ପାଇଁ ଝଗଡ଼ା କେମିତି ହେଉନାହାନ୍ତି?

ସବୁଦିନ ସକାଳ ହେଲାମାନେ ଜେଜେମା ହାତଯୋଡ଼ି ପ୍ରାଥନା ଚ୍ୟାନେଲ ଲଗେଇ ବସିଯିବେ। ଜେଜେବାପା ଗାଧେଇକି ଆସିଲାମାନେ ରିମୋଟ ଟା ତାଙ୍କ ହାତରେ ଥିବା ଦରକାର। ରାତିରେ ଦେଖିଥିବା ଯାତ୍ରାକୁ ପୁଣି ଦିନରେ ଆଉଥରେ ନଦେଖିଲାଯାଏ ତାଙ୍କ ଭାତ ହଜମ ହୁଏନି। ମମି ସକାଳ ଜଳଖିଆ ତିଆରି କରି ସାରିଲା ପରେ ଟିଭିରେ ତାଙ୍କ ପ୍ରିୟ ଶାଶୁ ବୋହୂ ଧାରାବାହିକ ଦେଖିବାକୁ ବସିଯାନ୍ତି। ଯଦି ସେ ଧାରାବାହିକରେ ବୋହୂ ଶାଶୁକୁ କିଛି ତାଗିଦ କରେ ତେବେ ମୁରୁକି ମୁରୁକି ହସନ୍ତି। ବବୁଲୁ ଜାଣେ ତା ମମି ଆଜିଯାଏ ଜେଜେମାକୁ କେବେବି କଡ଼ା କଥା ପଦେ କହିନି ଯଦିଓ ଜେଜେମା ଖାଇବାରେ ଟିକିଏ ଡେରିହେଲେ କିମ୍ବା ଖାଦ୍ୟ ସ୍ୱାଦିଷ୍ଟ ନଲାଗିଲେ ତା ବାପଘରର ସାତପୁରୁଷ ଯାଏ ଓଗାଳି ପକାଏ। ତା ପାପା କିନ୍ତୁ ସମ୍ପୁର୍ଣ୍ଣ ଅଲଗା। କୌଣସି ପ୍ରକାରର ଫିଲ୍ମ, ସିରିଏଲ, ଯାତ୍ରା ତାଙ୍କୁ ଭଲ ଲାଗେନି। ଅଫିସରୁ ଆସିଲାମାନେ ହାତ ଗୋଡ଼ ଧୋଇ ହେଇ ସ୍ପୋର୍ଟସ ଚ୍ୟାନେଲ ଲଗେଇ ବସିଯାନ୍ତି। ମମି ପରଷିଥିବା ଗରମା ଗରମ ଖାଇବା କେତେବେଳେ ବରଫ ପରି ଥଣ୍ଡା ହେଇଯାଏ ସେ ଜାଣିପାରନ୍ତିନି। ଏସବୁ ଭିତରେ ବିଚରା ବବୁଲୁ ହାତକୁ ରିମୋଟ ଟି ଆସିପାରେନି। ସେ ସର୍ବଦା ସୁବର୍ଣ୍ଣ ସୁଯୋଗ ଖୋଜୁଥାଏ।

ଯାତ୍ରା ଦେଖୁ ଦେଖୁ ଜେଜେବାପା ଶୋଇପଡନ୍ତି ଓ ତାଙ୍କ ଥନ୍ତଲ ପେଟଟି ଘୁଙ୍ଗୁଡ଼ିର ତାଳେ ତାଳେ ଉଠୁଥାଏ ପଡ଼ୁଥାଏ ସେ ଚୁପଚାପ ରିମୋଟ ଟି ନେଇ ଚ୍ୟାନେଲ ଚେଞ୍ଜ କରିଦିଏ। ଛୋଟା ଭୀମ ଗପାଗପ ଲଡୁ ଖାଇ ଯେତେବେଳେ ଶତ୍ରୁସାଙ୍ଗେ ଲଢ଼ିବାକୁ ବାହାରେ ଜେଜେବାପାଙ୍କ ନିଦ ଠିକ୍ ସେହି ସମୟରେ ଭାଙ୍ଗିଯାଏ। ଜେଜେବାପା ରିମୋଟ ପାଇଁ ଏତେ ଜୋରରେ ଚିତ୍କାର କରନ୍ତି ଯେ ତାଙ୍କ ଚେହେରା ଛୋଟାଭୀମର କାଳିଆ ମୋଟୁ ସହିତ ମେଳ ଖାଏ ଆଉ ବବୁଲୁ ବିଚରା ଢୋଲୁ, ଭୋଲୁ ପରି କୁଁ କୁଁ କରି ଜେଜେବାପାଙ୍କ ଆଗ ପଛ ହୁଏ ଏହି ଲୋଭରେ କି କେତେବେଳେ ଯଦି ତାଙ୍କ ମନ ପରିବର୍ତ୍ତନ ହେବ ଆଉ ରିମୋଟ ତା ହାତକୁ ଚାଲି ଆସିବ।

ହେଲେ ଏବେ ଘରେ ରିମୋଟ ପାଇଁ କେହି ମାଡ଼ ହଉନାହାନ୍ତି। ଯେତେବେଳେ ଦେଖିବ ନିଉଜ ଚ୍ୟାନେଲ ଲଗେଇ ସମସ୍ତେ ଅପଲକ ନୟନରେ ଟିଭି ସାମ୍ନାରେ ବସି ଯାଉଛନ୍ତି। ମମି ଭଲ ଖାଇବା ନ ବନେଇଲେ ଜେଜେମା ତା ଉପରେ ରାଗୁନି କି ଜେଜେବାପା ଯାତ୍ରା ଦେଖିବା ପାଇଁ ବ୍ୟସ୍ତ ହେଉନାହାନ୍ତି। ବବୁଲୁ ଜାଣେ ନିଉଜ ଚ୍ୟାନେଲରେ କେବେବି କାର୍ଟୁନ ଫିଲ୍ମ ପରି ମଜାଦାର ଜିନିଷ ଦେଉ ନ ଥିବ। ତେଣୁ ସେ ଟିଭି ଆଡକୁ ଥରେ ବି ନଜର ପକାଏନି। ହେଲେ ସେ ବି ଟିଭି ନ ଦେଖି ପୁରା ବିରକ୍ତ ହେଇଗଲାଣି।

ସାରା ପରିବାର ନିଉଜ ଦେଖିବାରେ ବ୍ୟସ୍ତ। ସେ କେତେବେଳୁ ସ୍କୁଲରୁ ଆସିଲାଣି। କାହାର ତା ପ୍ରତି ନଜର ନାହିଁ। ବବୁଲୁକୁ ଆଜି ଭାରି ରାଗ ମାଡୁଥିଲା। ସେ ବୁଝିପାରିଲା ତାକୁ ଆଗପରି କେହି ଭଲ ପାଉନାହାନ୍ତି। ତେଣୁ ସେ ଘର ଛାଡ଼ି ଚାଲିଯିବ। ତାର ଯେତେସବୁ ପ୍ରିୟ ଖେଳନା ସବୁ ତା ସ୍କୁଲବ୍ୟାଗରେ ଭର୍ତ୍ତି କଲା। ଫ୍ରିଜରୁ ଦିଟା ଜୁସ ବଟଲ, କିଛି ସେଓ ଓ ତା ପ୍ରିୟ କ୍ୟାଡ଼ବରୀ ଚକଲେଟ ବି ରଖିଲା। ହଠାତ ତାର ମନେପଡ଼ିଲା ତା ଜନ୍ମଦିନରେ ଜେଜେବାପା ତାକୁ ଯେଉଁ ଡୋରେମନ ଖେଳନାଟି ଦେଇଥିଲେ ସେଇଟା ତା ସାଂଗ ରୋଶନ ପାଖରେ ଅଛି।

ରୋଶନ ତାଙ୍କ ସାମ୍ନା ଫ୍ଲାଟରେ ରୁହେ। ଦୌଡ଼ିଗଲା ସେ ତା ପାଖକୁ। ରୋଶନ ତାକୁ ଦେଖି କାନ୍ଦି କାନ୍ଦି କହିଲା -

ଜାଣିଚୁ ଆମ ଦେଶରେ ଯୁଦ୍ଧ ଲାଗିଲାଣି। ମୋ ପାପା ଆର୍ମିରେ ଚାକିରି କରନ୍ତି। ତାଙ୍କୁ ଶତ୍ରୁମାନେ ଧରି ନେଇଛନ୍ତି।ଜମା ଛାଡୁନାହାନ୍ତି। ମୋ ମମି କିଛି ଖାଉନି। ଖାଲି କାନ୍ଦୁଛି। ତୁ କଣ ନିଉଜ ଦେଖୁନୁ କି? ଟିଭିରେ ପରା ସବୁ ଦେଖଉଛି।

ତାଙ୍କ ଘରେ ସମସ୍ତେ ମିଶି କାହିଁକି ଖାଲି ନିଉଜ ଦେଖୁଛନ୍ତି ତାର ବୁଝିବାରେ ଆଉ ବାକି ରହିଲାନି। ରୋଶନ ଡୋରେମନ ଖେଳନା ଟି ଆଣି ବବୁଲୁ ହାତକୁ ବଢ଼େଇ ଦେଇ କହିଲା, ତୁ ତୋ ଡୋରେମନକୁ କହ ତା ଗାଜେଟ ବାହାର କରି ସେ ଦୁଷ୍ଟମାନଙ୍କୁ ମାରିକି ମୋ ପାପାଙ୍କୁ ଫେରେଇ ଆଣିବ?

ବବୁଲୁ କଣ ବୁଝିଲା କେଜାଣି ଦୌଡ଼ିଗଲା ଘର ଭିତରକୁ। ମମିଙ୍କ ହାତକୁ ଟାଣି ଟାଣି ରୋଷେଇ ଘରକୁ ନେଇଗଲା। କହିଲା , ମମି ମୋତେ ଜଲଦି ଜଲଦି ଲଡୁ ଦିଅ। ମୁଁ ଛୋଟାଭୀମ ପରି ଲଡୁ ଖାଇକି ବଳବାନ ହେବି। ଯୁଦ୍ଧ କରିକି ସେ ଦୁଷ୍ଟଗୁଡାଙ୍କ ମୁଣ୍ଡ ଫଟେଇବି ଓ ରୋଶନର ବାପାଙ୍କୁ ଫେରାଇ ଆଣିବି।

ମମି ବବୁଲୁକୁ ଛାତିରେ ଜାବୁଡ଼ି ଧରି କୋହଭରା କଣ୍ଠରେ କହିଲେ- ଖାଲି ତୁ ନୁହେଁରେ ବାବା , ଏବେ ସମୟ ଆସିଛି ଆମେ ସଭିଏଁ ଏକ ହୋଇ ଦେଶର ଅଖଣ୍ଡତା ବଜାୟ ରଖିବା ପାଇଁ ଏଇ ଯୁଦ୍ଧରେ ସାମିଲ ହେବା। ବବୁଲୁ ପାଟିରୁ ସ୍ଵତଃସ୍ଫୁର୍ତ୍ତ ଭାବେ ଉଚ୍ଚାରିତ ହେଲା ବନ୍ଦେ ମାତରଂ। ଜୟ ହିନ୍ଦ।

(ବିସ୍ମିତା)


Rate this content
Originality
Flow
Language
Cover Design