Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyut lata Mishra

Tragedy Inspirational Others

3  

Bidyut lata Mishra

Tragedy Inspirational Others

ରକ୍ତ ସମ୍ପର୍କ

ରକ୍ତ ସମ୍ପର୍କ

6 mins
204



   ମହାନ୍ତି ବାବୁ ,ଏଇ ନାଁ ରେ ହିଁ ଏଠିକାର ସବୁ ଲୋକ ତାଙ୍କୁ ଚିହ୍ନନ୍ତି । କେବେ କେତେବେଳେ ବାବା ଙ୍କ ସହ ମହାନ୍ତି ବାବୁ ଙ୍କୁ ଦେଖିଲେ ହାତ ଯୋଡି ନମସ୍କାର ଟିଏ କରିଦେଲେ ,ଚିରଞ୍ଜିବି ହୋଇଥା ବୋଲି ମୁଣ୍ଡ ରେ ହାତ ବୁଲେଇ ଆଣନ୍ତି । ତାଙ୍କ ସ୍ପର୍ଶ ରେ ଏକ ଅଦ୍ଭୁତ ଶିହରଣ ଖେଳେ ଦେହରେ । କହିବାକୁ ଗଲେ ସ୍ନେହୀ ଓ ପରୋପକାରୀ ଗୁଣ ଯୋଗୁଁ ଏହି ସହରରେ ପ୍ରାୟ ସମସ୍ତଙ୍କ ସେ ପ୍ରିୟ ଥିଲେ । ତିନି ପୁଅ ମହାନ୍ତି ବାବୁ ଙ୍କର । କୋଦଳା ରେ ବିରାଟ ବଡ଼ ଲୁଗା ଦୋକାନ ତାଙ୍କର । ଆମ ଭାଇ ଭଉଣୀ ଙ୍କ ବିବାହ ,ବ୍ରତ ଘରେ ତାଙ୍କ ଘରୁ ଲୁଗା ଆସେ । ମହାନ୍ତି ବାବୁ ଙ୍କ ପାଖେ ବର୍ଷ ବର୍ଷ ଧରି ଟଙ୍କା ଥିଲେ ସେ ମୁଁହ ଖୋଲି ମାଗନ୍ତି ନାହିଁ କିନ୍ତୁ ବାବା ଦରମା ମିଳିବା ମାତ୍ରେ ଦେଇଦିଅନ୍ତି ।


 ମହାନ୍ତି ବାବୁ ,ବାବା ଦେଇଥିବା ଟଙ୍କା କେବେ ଗଣିବା ମୁଁ ଦେଖିନି । ଅର୍ଥାତ ବାବା ଓ ମହାନ୍ତି ବାବୁ ଙ୍କ ସମ୍ପର୍କ ବିଶ୍ୱାସ ର ଡୋରି ରେ ବନ୍ଧା ଥିଲା । ମହାନ୍ତି ଦୋକାନ କୁ ଆଖ ପାଖ ଗାଁ ଗହଳି ରୁ ଲୋକ ଛୁଟି ଆସନ୍ତି । ବାବା କୁହନ୍ତି ,"ଜାଣିଛୁ ସୁବୁ ,ଦୋକାନ ଟି ଦେଖିବାକୁ ସିନା ଛୋଟ କିନ୍ତୁ ପ୍ରତିଦିନ ଲକ୍ଷ ଲକ୍ଷ ର ବ୍ୟବସାୟ ହୁଏ । "


 ଏହିପରି ଗଡିଚାଲେ ଦିନ । ଦୁଇ ବର୍ଷ ପରେ ଘରକୁ ଫେରିଥାଏ ମୁଁ ସାନ ଭଉଣୀ ର ବାହାଘର । ଲୁଗା ପଟା କିଣା ହେବ । ବାବା ଙ୍କ ସ୍କୁଟି ପଛରେ ବସି ଚାଲିଲି ମୁଁ । ବାବା କିନ୍ତୁ ମହାନ୍ତି ଦୋକାନ ବଦଳରେ ଆଉ ଗୋଟିଏ ଛୋଟିଆ ଦୋକାନ ପାଖେ ଗାଡି ରଖିଲେ, "ହୀରା ବସ୍ତ୍ରାଳୟ" । ଦୁଇ ବର୍ଷ ରେ ଏମିତି କଣ ହୋଇଗଲା ମହାନ୍ତି ବାବୁ ଆଉ ବାବାଙ୍କ ଭିତରେ । ପଛରେ ଛାଡ଼ିଦେଇ ଗଲୁ ମହାନ୍ତି ଡ୍ରେସେସ କୁ । ଲୁଗା ପଟା କିଣା ହେଲା କିନ୍ତୁ ମନ ରହିଥିଲା ସେହି ମହାନ୍ତି ଡ୍ରେସେସ ପାଖେ । ବାପାଙ୍କ ଠୁ ଶୁଣିଥିଲି କିଛି ମାସ ତଳେ ମହାନ୍ତି ବାବୁ ଙ୍କ ସ୍ତ୍ରୀ ଚାଲିଗଲେ । ମହାନ୍ତି ବାବୁ ତାଙ୍କ ସ୍ତ୍ରୀ ଙ୍କୁ ବହୁତ ଭଲ ପାଉଥିଲେ । ଜାଣିଥିଲି ସେ ଏହି ଘଟଣା ରେ ଭାଙ୍ଗିପଡିଥିବେ କିନ୍ତୁ ଏହି ଘଟଣା ର ବାବା ଙ୍କ ସହ ମହାନ୍ତି ବାବୁ ଙ୍କ ସହ ସମ୍ପର୍କ କଟିବା ସହ ସମ୍ବନ୍ଧ ବା କଣ?


 ଭଉଣୀ ର ବିବାହ ଦିନ ର ବ୍ୟସ୍ତତା ଭିତରେ ଦେଖିଲି ପ୍ରବେଶ କଲେ ମହାନ୍ତି ବାବୁ । ମହାନ୍ତି ବାବୁ ଙ୍କ ସହ ଆସିଥାଏ ତାଙ୍କ ଠାରୁ ୩୦ ବର୍ଷ ସାନ ,ପାଖାପାଖି ୩୦,୩୫ ବର୍ଷ ର ସ୍ତ୍ରୀ ଲୋକ ଟିଏ । ମହାନ୍ତି ବାବୁ ବହୁତ ଖୁସି ଜଣା ପଡୁଥାନ୍ତି । ଦେଖୁଥିବା ଲୋକ ମାନେ ଫୁସୁରଫାସୁର ହେଉଥାନ୍ତି । କେହି କେହି ଘୃଣା ରେ ମୁଁହ ବୁଲାଇ ନେଉଥାନ୍ତି । ସ୍ତ୍ରୀ ଲୋକ ଟି ବହୁତ ସୁନ୍ଦର ଥିଲା । ମୋ ସାଙ୍ଗ ପପୁ କହିଲା" ଦେଖେ ସାଙ୍ଗ ଯୁଗ କଣ ହେଲା ପଇସା ଲୋଭ ରେ ଷାଠିଏ ବର୍ଷ ର ବୁଢା କୁ ଭି ରସିଗଲା । "

 ବୁଢା ର ଦ୍ଵିତୀୟ ସ୍ତ୍ରୀ ।

ସ୍ତ୍ରୀ ମରିବାର କେଇ ମାସ ନ ପୁରୁଣୁ ବୁଢ଼ା ବୟସ ରେ ମସ୍ତି କରୁଛି ମହାନ୍ତି ବୁଢ଼ା ।

ତୁ କେମିତି ଜାଣିଲୁ ସ୍ତ୍ରୀ ?ମୋର ପ୍ରଶ୍ନ ଶୁଣି ପପୁ ଆଉଟିକେ ଜୋର ଦେଇ କହିଲା । ତେବେ ଆଉ କଣ ହେଇଥିବ । ବୁଢା ତିନି ମାସ ଗାଁ ଛାଡି ବାହାରେ ରହିଲା । ଫେରିବା ବେଳେ ଝିଅଟିକୁ ନେଇ ଆସି ଅଲଗା ଘରେ ରହୁଛି ଏଇ ଝିଅ ସହ । ଛିଃ କଣ କହିବ ଏହି ଲୋକକୁ ।


ମହାନ୍ତି ବାବୁ ଙ୍କ ପାଇଁ ମନରେ କେମିତି ଗୋଟିଏ ଖରାପ ଭାବ ଟିଏ ସୃଷ୍ଟି ହେଲା ମନରେ । ଏହି ବୁଢା ବୟସରେ ଝିଅଟାକୁ କୋଉ ସୁଖ ଦେବେ ମହାନ୍ତି ବାବୁ । ସ୍ତ୍ରୀ ଲୋକ ଜଣଙ୍କ କିନ୍ତୁ ଆଦର୍ଶ ସ୍ତ୍ରୀ ଭଳି ମହାନ୍ତି ବାବୁ ଙ୍କ ପଛେ ପଛେ ବୁଲୁଥାନ୍ତି । ଖାଇବା ସମୟରେ ଦୁହେଁ କିଛି ଚୁପ ଚୁପ କଥା ହେଉଥାନ୍ତି ।


ଭଉଣୀ ର ଭଲ ରେ ବାହାଘର ସରିଗଲା । ମୁଁ ଫେରି ଆସିଲି ଭୁବନେଶ୍ୱର । ବାପା ଙ୍କୁ ଫୋନ ରେ ପଚାରିବାକୁ ଇଛା ହେଲା ମହାନ୍ତି ବାବୁ ଙ୍କ କଥା କିନ୍ତୁ କଣ ଭାବି ଚୁପ ରହିଲି, ବାପା କହିଲେ ସୁବୁ ତୁ ୨୫ ତାରିଖ ଦିନ ଟିକେ ମହାନ୍ତି ବାବୁ ଙ୍କୁ ଦେଖା କରି ୩୦,୦୦୦ ଟଙ୍କା ଦେଇଦେବୁ ,ତୋର ତ ଦରମା ମିଳିସାରିଥିବ ।


ମହାନ୍ତି ବାବୁ ଙ୍କର ସେଦିନ ଭୁବନେଶ୍ୱର ରେ କିଛି କାମ ଥିଲା ,ସେ ମତେ ଗୋଟିଏ ପାର୍କ ର ଠିକଣା ଦେଇଥିଲେ । ଯେଉଁଠି ମୁଁ ମହାନ୍ତି ବାବୁ ଙ୍କ ସହ ସେଇ ସ୍ତ୍ରୀ ଲୋକ ଏବଂ ଆଉ ଗୋଟିଏ ଆଠ ଦଶ ବର୍ଷ ର ଝିଅ ପାଖରେ ଖେଳୁଥିବା ଦେଖିଲି । ମୁଁ ମହାନ୍ତି ବାବୁ ଙ୍କୁ ନମସ୍କାର କଲି ,ଚିରାଚରିତ ଢଙ୍ଗ ରେ ଚିରଞ୍ଜିବି ହୋଇଥା ବୋଲି କହି ମୋ ମୁଣ୍ଡ ରେ ହାତ ବୁଲେଇ ଆଣିଲେ । ମହାନ୍ତି ବାବୁ ଙ୍କୁ ଟଙ୍କା ବଢ଼େଇ ଦେବା କ୍ଷଣି ସେ ନ ଗଣି ନିଜ ପ୍ୟାଣ୍ଟ ପକେଟ ରେ ରଖିଦେଲେ । ମୁଁ ଅଫିସ ଲେଟ ହେବ କହି ସେଠୁ ଫେରିବା ସମୟରେ ଦେଖିଲି କିଛି ଦୂରରେ ଖେଳୁଥିବା ଝିଅଟି ଅଜା ଅଜା କହି କାନ୍ଦିବାକୁ ଲାଗିଲା । ଝିଅଟି ଦୋଳିରୁ ଖସି ପଡିଥିଲା କିଛି ମାଡ଼ ହୋଇନଥିଲା କିନ୍ତୁ ଝିଅଟି ବହୁତ ଡରି ଯାଇଥିଲା । ମୁଁ ଘରକୁ ଫେରି ବାବାଙ୍କୁ ସବୁ ଜଣେଇଲି ।


 ବାବା କହିଲେ ସୁବୁ ତୁ ବି ମହାନ୍ତି ବାବୁ ଙ୍କୁ ଭୂଲ ବୁଝିଥିଲୁ,କିନ୍ତୁ ଯେଉଁମାନେ ମହାନ୍ତି ବାବୁଙ୍କୁ ଅତି ନିକଟରୁ ଜାଣନ୍ତି ସେମାନେ ସତ ଜାଣନ୍ତି । କେତେ ଲୋକଙ୍କୁ ଆମେ ସତ ଟାକୁ ବୁଝେଇବା,ଭଲ ରେ ଭେଲ ଖୋଜିବା ଲୋକଙ୍କ କାମ । ଅନ୍ୟର ଦୁର୍ଦ୍ଦିନରେ ନାକରେ ଆଙ୍ଗୁଠି ଦେଇ ହସିବାକୁ ଭଲ ପାଉ । ମହାନ୍ତି ବାବୁ ଥିଲେ ଜନ୍ମ ରୁ ବାପା ମା ଛେଉଣ୍ଡ । ଭାଗ୍ୟ ବଳରେ କରଣ ଘର ପିଲା ହୋଇବି କଲିକତା ରୁ ଲୁଗା ଆଣି ଫେରିବାଲା ଭଳି ବିକିଲେ । ସେହି ସମୟରେ ତାଙ୍କ ନିଃସଙ୍ଗ ଜୀବନ ର ସାଥି ଭାବେ ବାଛିଥିଲେ ଗୋଟିଏ ଝିଅ ଯିଏ ବିଧବା ଥିଲା ଓ ତାର ଚାରି ମାସ ର ଛୁଆଟିଏ ଥିଲେ । ମହାନ୍ତି ବାବୁ କୁହନ୍ତି ଝିଅଟିକୁ ବିବାହ କଲା ପରେ ସେ ରାତା ରାତି ଫେରିବାଲା ମହାନ୍ତି ରୁ ମହାନ୍ତି ଡ୍ରେସେସ ର ମାଲିକ ପାଲଟି ଗଲେ । ସାକ୍ଷାତ ଲକ୍ଷ୍ମୀ ଥିଲେ ମହାନ୍ତି ବାବୁ ଙ୍କ ସ୍ତ୍ରୀ ।


  ମହାନ୍ତି ବାବୁ ଙ୍କ ଔରସ ରୁ ଜନ୍ମ ନେଲେ ତିନୋଟି ପୁଅ । ବଡ଼ ପୁଅ ବିଦେଶ ରେ ଡାକ୍ତର ,ମଝିଆ ଇଞ୍ଜିନିୟର ଓ ସାନ ପୁଅ ମହାନ୍ତି ବାବୁ ଙ୍କ ବ୍ୟବସାୟ ସମ୍ଭାଳୁଛି । ମହାନ୍ତି ବାବୁ ନିଜ ର ସମସ୍ତ ସମ୍ପତ୍ତି ପିଲାଙ୍କ ନାଁ ରେ ବହୁତ ଆଗରୁ କରିଦେଇଥିଲେ । ନିଜର ତିନି ପୁଅଙ୍କୁ ଜୀବନଠୁ ବଳି ଭଲପାଉଥିଲେ ସେ,କିନ୍ତୁ ଏହି ସବୁ ଭିତରେ ବଳି ପଡ଼ିଲା ସେହି କୁନିଝିଅ, ଯିଏ ବାପା ସ୍ନେହ ପାଇବା ପୂର୍ବରୁ ବାପା ଛେଉଣ୍ଡ ହୋଇଯାଇଥିଲା ଓ ଭାଇ ମାନେ ଜନ୍ମ ହେବା ପରେ ତାକୁ ଅଜା ଘରେ ଛାଡିଦିଆ ଗଲା ମାତୃ ସ୍ନେହ ରୁ ବଞ୍ଚିତ କରି । ମହାନ୍ତି ବାବୁ ନିଜ ଜୀବନରେ ଏହି ଭୁଲ ପାଇଁ ସାରା ଜୀବନ ଅନୁତପ୍ତ ଥିଲେ କିନ୍ତୁ ନିଜ ସ୍ତ୍ରୀ ଆଗରେ ଦିନେ ସୁଦ୍ଧା କହିନଥିଲେ । ପୁଅ ମାନଙ୍କ ରାସ୍ତାରେ ଝିଅଟି କଣ୍ଟା ନହେଉ ଭାବି ସେ ପିଲାଦିନରୁ ତାକୁ କେବେ ବାପା ସ୍ନେହ ଦେଇନଥିଲେ ଆଉ ତାକୁ ନିଜ ମାଆ ସହ ମିଶିବାର,ଚିହ୍ନିବାର ସୁଯୋଗ ଦେଇନଥିଲେ ,ଏଥିପାଇଁ ସେ ନିଜ ଶଶୁର ଘରୁ ସମ୍ପର୍କ କାଟିବାକୁ ପଛେଇ ନଥିଲେ । ଅନାଥ ଛୁଆ ଭଳି ସେ ଝିଅ ବଢିଚାଲିଲା କେଉଁ ଏକ ଅନ୍ଧାରୀକୁପରେ ।


  ଏହି ଦୁଃଖ ଭିତରେ ଭିତରେ ଖାଇ ଚାଲିଲା ଶେଷରେ ହାର୍ଟଷ୍ଟ୍ରୋକ ରେ ଚାଲିଗଲେ ତାଙ୍କ ସ୍ତ୍ରୀ । ସ୍ତ୍ରୀ କୁ ହରେଇବା ପରେ ଡେରିରେ ହେଲେ ବି ମହାନ୍ତି ବାବୁ ବୁଝିପାରିଲେ ନିଜ ଭୁଲକୁ । କିନ୍ତୁ ଆଉ କିଛି ବାକିନଥିଲା । ଯେଉଁ ପିଲା ମାନଙ୍କ ସୁଖ ଓ ଭବିଷ୍ୟତ ପାଇଁ ସେ ଏସବୁ କରିଥିଲେ ଶେଷରେ ସେହି ପିଲାମାନେ ହିଁ ତାଙ୍କୁ ହତାଦର କରିବାକୁ ଲାଗିଲେ । ଘରୁ ଗଳା ଧକ୍କା ମାରି ବାହାର କରିବାକୁ ମଧ୍ୟ ପଛେଇଲେନି । ପୁଣି ଥରେ ଫେରିବାଲା ମହାନ୍ତି ଅବସ୍ଥାରେ ତାଙ୍କୁ ଛାଡିଦେଲେ । ମହାନ୍ତି ବାବୁ କିନ୍ତୁ ଅତି ଚାଲାକି ରେ ପୁଅ ମାନଙ୍କ ଅଗୋଚରରେ ନିଜ ନାମ ରେ ଲକ୍ଷାଧିକ ଟଙ୍କା ରଖିଥିଲେ ,ସେହି ଝିଅ ପାଇଁ କିନ୍ତୁ ସାହାସ ଜୁଟେଇ ପାରୁନଥିଲେ ଝିଅଟିକୁ ଭେଟିବା ପାଇଁ । ନିଜ ଭିତରର ପାପବୋଧ ତାଙ୍କୁ ବାଧ୍ୟ କଲା ପ୍ରାୟଶ୍ଚିତ ପାଇଁ ଦୀର୍ଘ ତିନି ମାସ ର ସନ୍ଧାନ ପରେ ସେ ଖୋଜି ପାଇଲେ ହଜିଯାଇଥିବା ହୀରା କୁ । ନିଜ ମଦ୍ୟପ ସ୍ୱାମୀ ଠାରୁ ଛାଡପତ୍ର ନେଇ ହୀରା ନିଜ ଝିଅ ସହ ଗୋଟିଏ ବସ୍ତି ରେ ରହୁଥିଲା । ଡେରି ରେ ହେଲେ ବି ମହାନ୍ତି ବାବୁ ଝିଅଟିକୁ ନିଜ ପରିଚୟ ଦେବା କ୍ଷଣି ସେ କହିଥିଲା ସେ ସବୁ ଶୁଣିଛି ତା ମାମୁଁଙ୍କ ଠାରୁ କିନ୍ତୁ ସବୁ ବିଷ ପିଇ ସେ ଅମୃତ ବାଣ୍ଟିଛି । ବୁଝେଇ ଦେଇଛି ମନକୁ । ମନେ ମନେ ଖୋଜିଛି ମାଆ ର ପଣତ ,ବାପା ର ସ୍ନେହ କିନ୍ତୁ ଥକିଯାଇଛି । ଆଜି ଆଠ ବର୍ଷ ର ଝିଅକୁ ମଣିଷ କରିବାକୁ ସେ ନିଜ ଜୀବନ କୁ ମଧ୍ୟ ବାଜି ଲଗେଇ ତାକୁ ଭଲ ସ୍କୁଲରେ ପଢ଼ାଉଛି । ମହାନ୍ତି ବାବୁ ଙ୍କ ଠାରୁ ଟଙ୍କାଟିଏ ମଧ୍ୟ ସେହି ଝିଅ ଗ୍ରହଣ କରିନି ସୁବୁ ।


ଯେଉଁ ଝିଅ ରକ୍ତର ନହୋଇ ବି ଆଜି ମହାନ୍ତି ବାବୁଙ୍କ ବୃଦ୍ଧବସ୍ଥା ରେ ସାହାରା ହେଲା । ଆଉ ନିଜ ରକ୍ତ ର ପୁଅ ମାନେ ସ୍ୱାର୍ଥ ପୂର୍ଣ ହେଲା ପରେ ରାସ୍ତାକୁ ଠେଲିବା ପାଇଁ ପଛାଇଲେ ନାହିଁ ।  ଏହା ହିଁ ଆଜି କାଲିର ରକ୍ତ ସମ୍ପର୍କ । ହୀରା ପାଇଁ ମହାନ୍ତି ବାବୁ ଛୋଟିଆ ଲୁଗା ଦୋକାନ ଟିଏ କରିଛନ୍ତି "ହୀରା ବସ୍ତ୍ରାଳୟ" ଯେଉଁଠାରୁ ଆମେ ମିନୁ ବାହାଘର ପାଇଁ ଲୁଗା ଆଣିଲେ । ମହାନ୍ତି ଡ୍ରେସେସ କୁ ସାନ ପୁଅ ନିଜ ନାଁ ରେ କରେଇ ଦେଇଛି ସତ କିନ୍ତୁ ମହାନ୍ତି ବାବୁ ନିଜର ସବୁ ବିଦ୍ୟା ବୁଦ୍ଧି ହୀରା ଡ୍ରେସେସ ରେ ଖଟେଇଛନ୍ତି । ଲୋକ ତ ବହୁତ କିଛି କହିବେ କିନ୍ତୁ ମହାନ୍ତି ବାବୁ ଲୋକ ଙ୍କୁ ବୁଝେଇବା ଛାଡ଼ିଦେଇଛନ୍ତି । ମୁଁ କେବେ କେମିତି ଲୋକ ମାନେ ହୀରା ସହ ମହାନ୍ତି ବାବୁ ଙ୍କୁ ଯୋଡି କୁହନ୍ତି କହିଲେ ସେ ହୋ ହୋ ହୋଇ ହସି ଗାଇ ଉଠନ୍ତି ,


   କୁଛ ତୋ ଲୋଗ କହେଙ୍ଗେ

        ଲୋଗୋ କା କାମ ହେ କେହେନା 



Rate this content
Log in

Similar oriya story from Tragedy