Bidyut lata Mishra

Tragedy Others

3  

Bidyut lata Mishra

Tragedy Others

କଳା ମାଣିକରେ: ଦାଦନ ମା'ର ଦୁଃଖ

କଳା ମାଣିକରେ: ଦାଦନ ମା'ର ଦୁଃଖ

5 mins
12K



  ଜଗା ବୋଉ ସେତିକି ବେଳୁ ଖୁଣ୍ଟଟା ପରି ଏରୁଣ୍ଡି ବନ୍ଧ ପାଖେ ବସି ଗାଁ ଦାଣ୍ଡକୁ ଚାହିଁଥାଏ ।ସୁନସାନ ରାସ୍ତାରେ କାଳେ ସିଏ ଆସିବ ଆଉ ବୋଉ ବୋଲି ଡାକି ବେକରେ ହାତ ଛନ୍ଦି ଓହଳି ପଡିବ କିନ୍ତୁ ନା ସବୁ ସ୍ୱପ୍ନ ଯେମିତି ପାଣି ଫୋଟକା ପରି ମିଳେଇ ଯାଉଛି।


  ଜଗା କେତେ ଅବା ଥିଲା ତାର ବୟସ ଏଇ ୧୨ ପଶି ୧୩ ଚାଲୁଥିଲା।ଗାଁ ଏମ.ଇ. ରେ ସାତ ପାସ କରିଥିଲା ଆଠ ଶ୍ରେଣୀରେ ନାଁ ଲେଖାଇଥାନ୍ତା କିନ୍ତୁ ଦଇବ ସହିଲାନି।ଅବେଳରେ ବାପା ଚାଲିଗଲା ଯକ୍ଷ୍ମା ରୋଗରେ।ପଞ୍ଚୁ କକା ସାଥେ ଚାଲିଗଲା ପିଲାଟା ସୁରଥ ଦାଦନ ଖଟିବାକୁ।କେତେ ବୁଝାଇଲା ମା ଭାବେ ଜଗାକୁ 

-ବାବୁରେ ଆମେ ଶାଗ ପେଜ ଖାଇ ବଞ୍ଚିବା ତୁ ବିଦେଶ ଯାନି।


-ବୋଉ "ସର ଅପା" ଆଉ "ସୁଲ ଅପା" କୁ ତ ବିଭା କରିବାକୁ ହେବ ଆଉ ଚାରି ପ୍ରାଣୀ କୁଟୁମ୍ବ ଚଳିବା କେମିତି?ଆମର କିଛି ସେମିତି ଜମି ବି ନାଇଁ ଯେ ଚସି ଖାଇବା ।ତୁ ମତେ ଅଟକାନା!!


ଦାୟିତ୍ବର ବୋଝ ମୁଣ୍ଡେଇ ପିଲାଟା ଚାଲିଗଲା ସେଦିନ ସୁରଥ।ଜଗା ବୋଉ ଝୁରୁଥିଲା ଜଗାକୁ ଦୁଇଝିଅ ତଳେ ପୁଅ ହୋଇଥିଲା ବୋଲି ପ୍ରସବ କଷ୍ଟ ଭୁଲି ତାକୁ ଜାକି ଧରିଥିଲା ଛାତିରେ।ଜଗନ୍ନାଥଙ୍କ କୃପାରୁ ଜନ୍ମିଲା ବୋଲି ନା ଦେଲା ଜଗା।ରଙ୍ଗ କଳା ହେଲେ ବି ଭାରି ସୁନ୍ଦରିଆ ଥିଲା ଜଗା।ସବୁ କହନ୍ତି ପଙ୍କରେ ପଦ୍ମ।ଗାଁ ଇସ୍କୁଲରେ ଆଜ୍ଞା ମାନେ ଯେତେବେଳେ ଜଗନ୍ନାଥ ବୋଲି ଜଗାକୁ ଡାକୁଥିଲେ ଜଗା ବୋଉ ମନ କୁଣ୍ଢେମୋଟ ହୋଇଯାଉଥିଲା।ନୀତି ସଞ୍ଜରେ ଜଗା ଡିବିରି ଲଗେଇ ପାଠ ପଢ଼େ,ଉଚ୍ଚ ସ୍ୱରରେ ସପ୍ତମଶ୍ରେଣୀର ଗୀତ ବୋଲୁଥିଲା,

  "ନିଧନ ସଙ୍ଖାଳି ମୋର ଦରିଦ୍ର ପସରା

       ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନହାରା

            କଳାମାଣିକରେ......"

ସତେ ଯେମିତି ଏ ଗୀତର ପ୍ରତ୍ୟକ ପଦ ଜଗାବୋଉ ପାଇଁ ଲେଖା ହୋଇଛି।ଚୁଲି ମୁଣ୍ଡରୁ ଭାତ ଗଳା ଛାଡି ପୁଅକୁ ଜାବୁଡି ଧରୁଥିଲା ଜଗାବୋଉ।ହୃଦୟ ସେତେବେଳେ ବିଳପି ଉଠୁଥିଲା ଜଗାବୋଉର।ଜଗା କହୁଥିଲା,

-ଆଲୋ ବୋଉ ଏମିତି କଣ ହେଉଛୁ,ଜାଣୁ ଏଇ ଗୀତ ଯଶୋଦା ମାତା କୃଷ୍ଣଙ୍କ ପାଇଁ ଗାଉଥିଲେ କିନ୍ତୁ କୃଷ୍ଣ କେମିତି ତ ତାଙ୍କୁ ଛାଡି ମଥୁରା ଚାଲିଗଲେ?


ବୋଉ ବୋଉ....

 ଜଗା ବୋଉକୁ କିଛି ଶୁଭୁନଥିଲା ,ନିରକ୍ଷର ଜଗାବୋଉ ହାର ମାନୁଥିଲା ,ପଚାରୁଥିଲା ଆଜ୍ଞାଙ୍କୁ ପଚାରୁନୁ?


  ହସି ଉଠି ଜଗା କହୁଥିଲା,କର୍ତ୍ତବ୍ୟ ବୋଉ ,କୃଷ୍ଣ ନିଜ କର୍ତ୍ତବ୍ୟ ପାଳନ ପାଇଁ ମା ଙ୍କୁ ଛାଡି ଯିବାକୁ ବାଧ୍ୟ ହେଲେ।


  ଯଶୋଦା ଆଉ କୃଷ୍ଣଙ୍କ କଥା ଶୁଣି ଆଖିରୁ ଲୁହ ଝରୁଥିଲା ଜଗା ବୋଉର।ଜଗା ନିଜ ହାତରେ ବୋଉ ଆଖିର ଲୁହ ପୋଛି କହିଉଠିଲା,

  "ଖବର୍ ଦାର୍ ଜଗନ୍ନାଥ ସାହୁଙ୍କ ବୋଉ ଆଖିରୁ ଲୁହ ଯେମିତି ନ ଝରେ!!!"


  ହୋ ହୋ ହୋଇ ହସି ଉଠିଲା ପୁରା ପରିବାର।


ଅବେଳରେ ଯକ୍ଷ୍ମାରେ ବାପା ଚାଲିଗଲା ପରେ ଭାଙ୍ଗିଗଲା ହସଖୁସିରେ ପୁରି ଉଠିଥିବା ପରିବାର।ଜଗା ବୋଉର ପଣତ ବାନ୍ଧି ପାରିଲାନି ଜଗାକୁ,ଦୁଇ ଭଉଣୀଙ୍କ ବୁକୁ ଫଟା କାନ୍ଦ ଫେରେଇ ପାରିଲାନି ଜଗାକୁ ତା ଲକ୍ଷ୍ୟ ପଥରୁ।ଜଗା ବୋଉ ,ଦୁଇଝିଅ ସର ଆଉ ସୁଲକୁ ନେଇ ଚାହିଁ ରହୁଥିଲା ପ୍ରତିବର୍ଷ ଖରାଦିନକୁ ।ଆସୁଥିଲା ଜଗା କିନ୍ତୁ ତାକୁ କିଏ ସେତେବେଳେ ଗାଁ ଦାଣ୍ଡରେ ଦେଖେନାହିଁ। ଯେଉଁ ୧୦, ୧୫ଦିନ ରୁହେ ଘରେ ହିଁ ରୁହେ। ଜଗା , ବୋଉ କୋଳରେ ମୁଣ୍ଡ ରଖି କୁହେ ,"

"ବୋଉ ଲୋ ବର୍ଷଟା କର ପରିଶ୍ରମ ତୋ କୋଳରେ ଶୋଇଲେ ଚାଲିଯାଏ।"


ସନ୍ଧ୍ୟାରେ ଜଗା ତା ପୁରୁଣା ବହି ଦେଖେ।ବୋଉ ଆସି ପାଖେ କୁହେ ବାବୁରେ ସେ ଗୀତଟି ଗାଇବୁନି?? ନା ତୁ ଫେରେ କାନ୍ଦିବୁ ,ମୁଁ ଗାଇବିନି।


ମୋ ରାଣେ ତୁ ଗା ରେ ବାବୁ ।ଜଗା ଗାଏ,

 " ମୋ ଜୀବ ଜୀବନ ତୁହି ନୟନ ପ୍ରତିମା

     ତୋତେ କି ପାଶୋରି ହେବ ମୋର ସୁଖସୀମା

            କଳା ମାଣିକରେ। ।।

ରାଣ ଭୁଲିଯାଏ ବୋଉ ,କୋହ ଉଠେ ଅଜାଣତରେ ଜାବୁଡି ଧରି ଧକେଇ ହୁଏ।

★★★★

 ଅଦିନିଆ ବର୍ଷାରେ ଘରର ପୁରୁଣା ଛାତରୁ ଟୋପା ଟୋପା ପାଣି ପଡ଼େ, ଜଗା କୁହେ ସାନ ଅପା ବାହା ସରିଲେ ପୁଣି ଛାତ ପକେଇଦେବା ବୋଉ। ଜଗା ବୋଉ ଜଗାର ହାତ ଧରି କୁହେ 

"ନା ରେ ପୁଅ ଆଉ ଛାତ ପକେଇବା ଦରକାର ନାହିଁ ତୁ କହିଥିଲୁ ନା ସୁଲ ଅପା ବାହା ପରେ ତୁ ଆଉ ସୁରଥ ଯିବୁନି।

  ଅନ୍ୟମନସ୍କ ହୋଇ ଜଗା ଉଠି ଚାଲିଗଲା ,ପୁରୁଣା ଖାତାଟି କାଢି କଣ ଲେଖି ପୁଣି ଚାହିଁ ରହିଲା ବର୍ଷା ପାଣି ପଡୁଥିବା ପୁରୁଣା ଛାତକୁ।ସୁଲ ଅପା ଆଉ ବୋଉ ତା ତଳେ କିଛି ରସ ବାସନ ରଖୁଥିଲେ ସେଠି ପାଣି ଟପ ଟପ ହୋଇପଡୁଥିଲା।


କଣ ସବୁ ହିସାବ କରୁଥିଲା ଜଗା,ଗଲା ବର୍ଷ ବଡ଼ ଅପାର ବାହାଘରରେ କିଛି ଋଣ ହୋଇଛି।ଖୋଜି ଖୋଜି ଭଲ ଘର ଆଉ ବର ଦେଖି ସର ଅପାକୁ ବାହା କଲା ପରେ କିଛି ମାତ୍ରାରେ ଖୁସି ହୋଇଥିଲା ସେ ।ଗାଁ ଲୋକ ଧନ୍ୟ ଧନ୍ୟ କରୁଥିଲେ ଜଗାକୁ।


ଜଗା ପୁଣି ଫେରିଯାଏ ସୁରଥ ।ଦାଦନର ମୋହର ମାରି ବଞ୍ଚେ।ସେ ଭିତରେ ଲୁଚିଯାଏ ତୃତୀୟ, ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇ ଶିକ୍ଷକଙ୍କ ଠାରୁ ବାହା ବାହା ସାଉଁଟି ଥିବା ଜଗନ୍ନାଥ ସାହୁ।ଜଗନ୍ନାଥ ମଧ୍ୟ ସେହି ଲୁଚିଯିବାରେ ଖୁସି।ଯେଉଁ ଜଗନ୍ନାଥର ପରିଚୟ ଦୁଇ ଓଳି ଦୁଇମୁଠା ଆହାର ଯୋଗେଇ ପାରେନା ସେ ପରିଚୟ ଲୁଚିଯାଉ ଲୁଚିଯିବା ହିଁ ଶ୍ରେୟସ୍କର।ଏହି ହାତ ହିଁ ଜଗନ୍ନାଥ।

★★★★★★

ଓଭର ଡିଉଟି କରେ ଜଗା ,ସାନ ଅପା ବାହାଘର ପାଇଁ ଟଙ୍କା ସଞ୍ଚେ ।ସାନ ଅପା ପାଇଁ ମଧ୍ୟ ବର ଠିକ୍ ହୋଇସାରିଛି।ଏଇ ମାର୍ଗଶିର ରେ ବାହାଘର ହେବ।ଖରା ଛୁଟିରେ ଯାଇ ସବୁ କିଣାକିଣି କରି ଚାଲିଆସିବ।ଆଉ ମାର୍ଗଶିରରେ ସପ୍ତାହେ ଛୁଟି ନେଇ ଯିବ ମାଲିକ ଠୁ।କିନ୍ତୁ ଏଇ ମାରାତ୍ମକ କରୋନା ଓଲଟ ପାଲଟ କରିଦେଲା ସବୁ କିଛି।


ଜଗା ବୋଉ ସେମିତି ଏରୁଣ୍ଡି ବନ୍ଧ ପାଖରେ ବସି ଲୁହ ଝରାଉଥାଏ।ଗାଁ ରେ ଘଡିକେ ଘୋଡା ଛୁଟେ କିଏ କହେ ଗାଡି ଓଲଟିଲା ତ କିଏ କୁହେ ଏତିକି ମଲେ ସେତିକି ମଲେ।ଚାରିଦିନ ହେଲା ଘରେ ଚୁଲି ଜାଳିନି ,ପେଟକୁ ପାଣି ମୁନ୍ଦେ ଯାଉନି।ଜଗା ବୋଉ ଦଉଡି ଯାଏ ଗାଁ ଠାକୁରାଣୀ ପାଖକୁ ମା ପାଖେ ଲମ୍ବ ହୋଇ ପଡ଼େ, ଖାଡା ଖାଡା ଉପାସ ରହି ବ୍ରତ ରଖେ, ମୋ ଜଗାକୁ ତୋ ଘଣ୍ଟ ଘୋଡେଇ ରଖିବୁ ଲୋ ମାଆ... ମୋ ଜଗାର କିଛି ହେଲେ ମୁଁ ତୋ ପାଖେ ଜୀବନ ହାରିବି ବୋଲି ଧମକ ଦିଏ।

  ବସି ବସି ଜଗା ର ପୁରୁଣା ଖାତା ବହି ଦେଖେ।କିଛି ବୁଝେନି ତା ପାଠ ଖାଲି ଗୋଲ ଗୋଲ ଅକ୍ଷର ଦେଖି ଛାତିରେ ଜାବୁଡି ଧରେ ଜଗାର ଗୀତ ମନେପଡେ,

    "ନିଶାଚର ମାତିବାର ଶୁଭୁଛି ଶ୍ରୁତି କି

       ମୁଁ ଡଙ୍କୁଣୀ ଛାଡିଦେଲି ବନ କୁ କାହିଁକି 

         କଳା ମାଣିକରେ.....।


ସୁଲ ଭାଇର ପୁରୁଣା ଖାତା ଦେଖୁ ଦେଖୁ ଗୋଟିଏ ଜାଗାରେ ଅଟକି ଗଲା।

ଜଗା ଲେଖିଥିଲା,

  " ମୁଁ ବଡ଼ ହେଲେ ବଡ଼ ଚାକିରୀ କରିବି।ବଡ଼ ଘର ଟିଏ କରିବି । ବାବା ଙ୍କୁ ଆଉ ମିସ୍ତ୍ରୀ କାମ କରିବାକୁ ଖରା ତରାରେ ପଡିବ ନାହିଁ।"

 ଆଉ କିଛି ପୃଷ୍ଠାରେ ଲେଖା ଥିଲା,

"ପାଠ ପଢିବାକୁ ସମୟ ନାହିଁ କି ପଇସା ନାହିଁ ,ଦୁଇ ମୁଠା ଆଧାର ଯୋଗାଇବାକୁ ସୁରଥ ଯିବାକୁ ହେବ।"


ପୁଣି କିଛି ହିସାବ ପତ୍ର କରିଥାଏ,ସେଥିରେ ଥାଏ ବଡ ଅପାର ବିବାହରେ ଖର୍ଚ୍ଚ ହିସାବ। ସାନ ଅପାର ବିବାହ ପାଇଁ ଆବଶ୍ୟକ ଜିନିଷ ଲିଷ୍ଟ। ବଡ଼ ଅପା ପାଇଁ ଲେଖିଥିଲା,"ଅପା ଲୋ ତୋ ଗରିବ ସାନ ଭାଇ ତୋ ପାଇଁ ଯୋଗ୍ୟ ବର ବାଛିଚି କି ନାହିଁ ଜାଣିନି କିନ୍ତୁ ତୁ ଯୋଗ୍ୟ ବୋହୁଟେ ହେବୁ।"


ସୁଲ ପାଇଁ ମଧ୍ୟ ଦୁଇଧାଡ଼ି ଲେଖିଥାଏ

 "ଆସନ୍ତା ମାର୍ଗଶିରରେ ସାନ ଅପା ବି ପରଘର ଚାଲିଯିବ ,ମଧୁ ବଣିଆ ପାଖେ ସୁନା ମଙ୍ଗଳ ସୂତ୍ର ଟିଏ ବନେଇବି।" ମଧୁ ବଣିଆ କିଛିଦିନ ତଳେ ଦେଇ ଯାଇଥିଲା ସୁନା ମଙ୍ଗଳସୁତ୍ର ଜଗା ପଇସା ଆଗରୁ ଦେଇସାରିଥିଲା।


ବାପ ଛେଉଣ୍ଡ ଝିଅ ଦୁଇଟିକୁ ହସ ଖୁସିର ସଂସାର ଭେଟି ଦେବା ପାଇଁ ରକ୍ତକୁ ପାଣି କରି ଖଟୁଥିଲା ସେ।ବୋଉର ଶ୍ଵାସ ବେମାରୀ ପାଇଁ ତାକୁ ବାହାରକୁ ରୋଇ ବାଛି ଯିବାକୁ ମୁଣ୍ଡଖିଆ ରାଣ ପକେଇ ଥାଏ ଜଗା।

 ଜଗାବୋଉ ସେତିକି ବେଳୁ ସେମିତି ବସିରହିଥାଏ ସୁଲକୁ କହିଉଠିଲା ଯା ତ ବଡ଼ ବୋଉ ଘର tv ଦେଖିବୁ କିଛି ଖବର ଆସିଛି କି? ଆଉ ବଡ଼ ବୋଉଙ୍କୁ ମାଗି ଟିକେ ଫୋନ କରିବୁ।ପାଞ୍ଚ ଦିନ ତଳେ ପିଲା କହୁଥିଲା ଗାଡ଼ିରେ ବସିଛି ବୋଲି ଏଯାଏଁ କିଛି ଖବର ମିଳିଲାନି।


ସେଇ ସମୟରେ ମାଧିଆ ବୋଉ ଫୋନ ଧରି ଆସିଲେ କହି ଉଠିଲେ ନିଅ ଜଗା ଫୁନ୍ କରିଛି।

-କୋଉଠୁ ଅଛୁରେ ବାବୁ,କେବେ ଘରକୁ ଆସିବୁ?ଦେହ କେମିତି ଅଛିରେ ମୋ ଧନ?


-ମୁଁ ଭଲ ଅଛି ବୋଉ,ଏଇ ରୋଗ ପାଇଁ ଆମେ ଏଇ ପଂଚାୟତ ପାଖ ସ୍କୁଲରେ ଅଛୁ।ଖୁବ ଭଲରେ ଅଛୁ।ଭଲ ଖାଦ୍ୟ ବି ମିଳୁଛି।ଦୁଇଦିନ ହେଲା ଆସିଲିଣି କିନ୍ତୁ ବସ୍ ରେ ଆସିବା କଷ୍ଟ ଯୋଗୁଁ ମୁଣ୍ଡ ବୁଲାଉ ଥିଲା।ଖାଇଲା ବେଳେ ତୋର ଓ ସୁଲ ଅପାର ମୁଁହ ଦିଶୁଛି ଖାଲି।ତୁମେ ଖା ପିଆ କରି ରୁହ ମୁଁ କିଛି ପଇସା ଆଣିଛି।ଖୁସିରେ କିଛି ଦିନ ଚଳିବା ତେଣିକି ତୋ କାଳିଆର ଇଛା।


-ତୁ ଘରକୁ ଚାଲିଆ ଧନ ତୋତେ ଟିକେ ଦେଖିବାକୁ ଭାରି ମନ ହେଉଚି ମୁଁ ରହିପାରୁନି?


-ଘରକୁ ଯିବା କଥା କହନା ଏଠି ସ୍ୱାସ୍ଥ୍ୟ ପରୀକ୍ଷା ହେଉଛି,ଆଉ ୧୨ ଦିନ ପରେ ମୁଁ ଘରକୁ ଯିବି କିନ୍ତୁ ଭାବୁଛି ସେଠି ଆଉ ୧୫ଦିନ ତୁମ ମାନଙ୍କ ଠୁ ସଙ୍ଗରୋଧ କରି ରହିବି ,ଏ ରୋଗ ବହୁତ ମାରାତ୍ମକ ବୋଉ,ଟିକିଏ ଭାବପ୍ରବଣ ହୋଇ ମୁଁ ଆମମାନଙ୍କ ପାଇଁ ବିପଦ ଡାକିବିନି ମୋ ଅଧଗଢା ସ୍ୱପ୍ନ ପାଇଁ ମୋତେ ଏଇ କଷ୍ଟ କୁ ହସି ହସି ବରଣ କରିବାକୁ ହେବ।

-ହଉ ରେ ଧନ ତୋ ଇଛା।


ଫୋନ କାଟି ସାରିଥିଲା ଜଗା।ଜଗା ବୋଉ ସୁଲ କୁ ଜଗାର ସପ୍ତମ ଶ୍ରେଣୀ ବହିଟି ଆଣି କଳା ମାଣିକରେ ଗୀତଟି ଗାଇବାକୁ କହିଲେ,

  ସୁଲ ଗାଇ ଉଠିଲା,

     ଧୀରେ ଘେନ କାନନରେ କୃଷ୍ଣ ବିଲମ୍ବିତ

       ବାର୍ଛଲ୍ୟ ମମତା ଘେନି ଭାଲୁଛନ୍ତି ମାତ

           କଳା ମାଣିକରେ ।।


ରାତ୍ରିର ଅନ୍ଧକାରରେ କଳାମାଣିକରେ ଗୀତର କ୍ଷୀଣ ସ୍ୱର ଭିତରେ ଦୁଇ ଯୋଡ଼ା ଆଖିରେ ଜଗନ୍ନାଥଙ୍କ ପାଖରେ ଲୁହର ଦୀପାଳି ଜଳୁଥିଲା ଜଗାର ସୁସ୍ଥ ଏବଂ ନିରୋଗ ଭାବେ ଘରବାହୁଡା ପାଇଁ।



Rate this content
Log in

Similar oriya story from Tragedy