Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଗୋପାଳଙ୍କ ରୋଷେଇ
ଗୋପାଳଙ୍କ ରୋଷେଇ
★★★★★

© ଓଡିଆ ଶିଶୁ ଗପ

Children

4 Minutes   396    15


Content Ranking

ଶୀତ ଦିନ ଆସିଲା । ସେ ବର୍ଷ ହାଡ ଭଙ୍ଗା ଶୀତ ହେଉ ଥାଏ । ରାଜା କୃଷ୍ଣ ଚନ୍ଦ୍ର ଶୀତରୁ ରକ୍ଷା ପାଇବା ପାଇଁ ଦେହ ସାରା ଗରମ ପୋଷାକ ଆବୃତ କରି ଥାନ୍ତି ।

ସଭାରେ ଯେତେକ ଥିଲେ ସମସ୍ତେ ମଧ୍ୟ ଶୀତ ଲୁଗା ଘୋଡାଇ ହୋଇ ଥାନ୍ତି ।

ରାଜା ସମସ୍ତଙ୍କ ଆଡକୁ ଥରେ ଦୃଷ୍ଟି ପକାଇଲେ ତା’ପରେ କହିଲେ – ଆମେ ତ ଏତେ ଗରମ କପଡାର ବସ୍ତ୍ର ପରିଧାନ କରି ସୁଦ୍ଧା ଶୀତ ଦାଉରୁ ରକ୍ଷା ପାଇ ପାରୁ ନାହୁଁ । ଗରିବ ମାନେ ଏ ଶୀତ ଦିନେ କେମିତି ରହୁ ଛନ୍ତି । ସେମାନଙ୍କ ପାଖରେ ତ ଲୁଗା ପଟା ନଥିବ ସେମାନେ କେମିତି ଚଳୁଛନ୍ତି?

ରାଜାଙ୍କ କଥା ଶୁଣି ସଭା ମଧ୍ୟରୁ ଜଣେ କହିଲେ – ମହାରାଜା, ଗରିବଙ୍କୁ ଶୀତ ହୁଏନା । ଯେଉଁ ମାନେ ବଡ ଲୋକ, ଯେଉଁ ମାନଙ୍କ ଘରେ ଯଥେଷ୍ଟ ଶୀତ ବସ୍ତ୍ର ଅଛି, ସେମାନଙ୍କୁ ଶୀତ ତାର ପରାକ୍ରମ ଦେଖାଏ ।

ରାଜା ହସି ହସି ଗଡି ଗଲେ ଏ କଥା ଶୁଣି । ଭଲ କଥା କହୁଛ । ଯଦି ଶୀତ କେବଳ ଧନୀ ଲୋକଙ୍କୁ ହୁଏ ଗରିବଙ୍କୁ ହୁଏ ନାହିଁ ତେବେ ପରୀକ୍ଷା କରିବା ।

ସଭାସଦ୍ କହିଲେ ତାହାହିଁ ହେଉ ।

ରାଜା ପୁଣି କହିଲେ – ଆମ ବେଂଟ ପୋଖରୀ ପାଣିରେ ଯେଉଁ ଲୋକ ବେକ ପର୍ଯ୍ୟନ୍ତ ବୁଡି ରହିବ ମୁଁ ତାକୁ ସକାଳେ ଶହେ ଟଙ୍କା ପୁରସ୍କାର ଦେବି ।

ରାଜାଙ୍କର ଘୋଷଣା ଶୁଣି ଜଣେ ଗରିବ ନାଗର ଛିଡା ହୋଇ କହିଲେ – ମଣିମା ମୁଁ ରାତି ସାରା ପାଣିରେ ଛିଡା ହୋଇ ରହି ପାରିବି ।

ରାଜା – ନାଗର । ଅତି ଲୋଭରୁ ମୃତ୍ୟୁ ହୁଏ । ତୁମେ କ’ଣ ଏହା ଜାଣିନା । ତୁମେ ଧନ ଲୋଭରେ ମୃତ୍ୟୁ ବରଣ କଲେ ମୋତେ ପାପ ଲାଗିବ ।

ଗରିବ ନାଗର କିନ୍ତୁ ରାଜାଙ୍କ ମନା ମାନିଲେ ନାହିଁ । ଟଙ୍କା ଲୋଭରେ ସଂନ୍ଧ୍ୟାରୁ ସକାଳ ଯାଏଁ ପାଣିରେ ପଶି ରହିବାକୁ ପ୍ରସ୍ତୁତ ହେଲେ ।

ରାଜା ଚାରି ଜଣ ପାଇକଙ୍କୁ ନିର୍ଦେଶ ଦେଲେ । ପୋଖରୀ ହିଡରେ ବସି ଗରିବ ନାଗରଙ୍କୁ ଜଗିବା ପାଇଁ । ନାଗର ବେକେ ପାଣିରେ ପଶି ରାତି ସାରା ରହିଲେ । ରାଜାଙ୍କ ଉଆସରେ ଉଜ୍ଜଳ ଆଲୁଅଟିଏ ଜଳୁ ଥାଏ । ଗରିବ ନାଗର ଆଲୁଅକୁ ଚାହିଁ ଈଶ୍ୱରଙ୍କୁ ଡାକୁ ଥାନ୍ତି । ଦେହ ବରଡା ପତ୍ର ଭଳି ଥରୁ ଥାଏ । ମାତ୍ର ଟଙ୍କା କଥା ଭାବିଲେ ମନ ଓ ଦେହ ଗରମ ହୋଇ ଯାଉ ଥାଏ । ଏମିତି ଦୁଃଖ କଷ୍ଟରେ ରାତିଟି ପାହି ଗଲା ।

ରାତି ପାହି ସକାଳ ହେଲା । ମନରେ ବହୁ ଆଶା ବାନ୍ଧି ବିଚରା ଗରିବ ନାଗର ରାଜ ଦରବାରରେ ପହଁଚିଲେ । ପୁରସ୍କାର ପାଇବାର ଆଶା । ରାଜା କିଛି କହିବା ପୂର୍ବରୁ ଜଣେ ମନ୍ତ୍ରୀ କହିଲେ – କ’ଣ ପାଇଁ ଆସିଛ?

– ଆଜ୍ଞା । ରାଜାଙ୍କ ବରାଦ ଅନୁସାରେ ରାତି ସାରା ପୋଖରୀ ଭିତରେ ଥିଲି, ଏବେ ମୋତେ ମୋ ପୁରସ୍କାର ମିଳୁ ।

– ତୁମେ ରାତି ସାରା ପାଣିରେ ଛିଡା ହୋଇ ଥିଲ ବୋଲି କିଛି ପ୍ରମାଣ ଅଛି?

– ହଁ ଆଜ୍ଞା ପ୍ରହରୀ ମାନେ ମୋତେ ରାତି ସାରା ଜଗି ଛନ୍ତି, ସେମାନଙ୍କୁ ପଚାରନ୍ତୁ । ଆଉ ମଧ୍ୟ ପ୍ରାସାଦରେ ଯେଉଁ ଉଜ୍ଜ୍ୱଳ ଆଲୋକ ଜଳୁ ଥିଲା ତାହାକୁ ମୁଁ ରାତି ସାରା ଚାହିଁ ରହିଛି । ଏ କଥା ମଧ୍ୟ ସେମାନଙ୍କୁ ପଚାରନ୍ତୁ ।

ଏବେ ମନ୍ତ୍ରୀଙ୍କୁ ସୁବିଧା ମିଳି ଗଲା । ସେ ହୋ ହୋ ହୋଇ ହସି ଉଠିଲେ । କହିଲେ – ତୁମେ ଆଲୋକ ପ୍ରତି ଦୃଷ୍ଟି ରଖି ଥିବାରୁ ଶୀତ କଷ୍ଟ ଅନୁଭବ କରି ପାରିଲ ନାହିଁ । ତୁମର ଦୃଷ୍ଟି ଶକ୍ତି ଆଲୋକ ଶକ୍ତିକୁ ଆକର୍ଷଣ କରି ଥିବାରୁ ଦେହ ତୁମର ଗରମ ହୋଇ ଗଲା । ତୁମେ ତ ଠିକ୍ ରୂପେ ପଣ ରଖି ପାରିଲ ନାହିଁ । କି ପୁରସ୍କାର ପାଇବ?

ରାଜା ମଧ୍ୟ ତହୁଁ ବଳି । ମନ୍ତ୍ରୀଙ୍କ କଥାରେ ରାଜା ସମ୍ମତି ପ୍ରକାଶ କଲେ ।

ରାଜା ଗୋଜା । ବିଚରା ଗରିବ ନାଗରର କ’ଣ ଚାରା ଅଛି । ଦୁଃଖରେ କାନ୍ଦି କାନ୍ଦି ଘରକୁ ଫେରିଲେ । ଯିବା ବାଟରେ ଗୋପାଳ ସହିତ ଭେଟ ହୋଇ ଗଲା । ଗରିବ ନାଗର ଆଉ କାନ୍ଦ ସମ୍ଭାଳି ନପାରି ସବୁ କଥା ଗୋପାଳକୁ କହି ଦେଲେ ।

ଗୋପାଳ କହିଲେ ମୋତେ ଆପଣ କେବଳ ଆଶୀର୍ବାଦ କରନ୍ତୁ, ଆଉ ଘରକୁ ଫେରି ଯାଆନ୍ତୁ । ମୁଁ ରାଜାଙ୍କ ଠାରୁ ନିଶ୍ଚୟ ଟଙ୍କା ଆଦାୟ କରି ଦେବି ।

ଏକଥା ଶୁଣି ବିଚରା ଗରିବ ନାଗର ଗୋପାଳକୁ ଆଶୀର୍ବାଦ ଦେଇ ଘରକୁ ଫେରି ଗଲେ ।

ଦିନେ ଦୁଇ ଦିନ ପରେ ନବାବଙ୍କ ମନ୍ତ୍ରୀ ଆସି ରାଜାଙ୍କ ଦରବାରରେ ଉପସ୍ଥିତ ହେଲେ । ନବାବଙ୍କୁ ରାଜା କୃଷ୍ଣ ଚନ୍ଦ୍ରଙ୍କର ଭାରି ଭୟ । ନବାବଙ୍କ ମନ୍ତ୍ରୀଙ୍କର ଅଭ୍ୟର୍ଥନା ପାଇଁ ସେ ଗୋପାଳଙ୍କୁ ନିଯୁକ୍ତି କଲେ । ଗୋପାଳ ତ ଓର ଉଣ୍ଡୁ ଥିଲେ । ସେଇଠୁ ଉଠି ନିଜ ଘରକୁ ଚାଲି ଗଲେ । ଅଗଣାରେ ଗୋଟିଏ ବାଉଁଶ ପୋତି ତା ଆଗରେ ଗୋଟିଏ ହାଣ୍ଡି ରଖିଲେ । ତଳେ ଏଣେ ନିଆଁ ଜଳୁ ଥାଏ ।

ଗୋପାଳ ରାଜ ସଭାକୁ ଫେରିବା ବହୁତ ଡେରି ହେଲା । ରାଜା ବ୍ୟସ୍ତ ହୋଇ ଗୋପାଳକୁ ଡକାଇ ପଠାଇଲେ । ଯେଉଁ ଲୋକ ଡାକିବାକୁ ଆସି ଥିଲା, ତାକୁ ଗୋପାଳ କହିଲେ – ତୁ ଯାଇ ରାଜାଙ୍କୁ କହିବୁ ମୁଁ ଭାତ ରାନ୍ଧୁଛି । ଭାତ ରନ୍ଧା ସରିଲେ ଖାଇ କରି ରାଜ ନଅରକୁ ଯିବି ।

ଲୋକଟି ଫେରି ଯାଇ ଯାହା ଦେଖି ଥିଲା ସବୁ କଥା ରାଜାଙ୍କୁ କହିଲା । ଗୋପାଳ ମଧ୍ୟ ଯାହା କହି ଥିଲେ ସେ କଥା ସବୁ କହିଲା ।

ରାଜା ଏସବୁ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ । ରାଜା ପାତ୍ର ମନ୍ତ୍ରୀଙ୍କୁ ସାଥିରେ ଘେନି ଗୋପାଳଙ୍କର ଘରେ ଆସି ପହଁଚି ଗଲେ । କଥାଟା ସତ କି ମିଛ ଜାଣିବା ପାଇଁ ତାଙ୍କ ମନରେ ଭାରି ଆଗ୍ରହ । ସେତେ ବେଳକୁ ଗୋପାଳ ବାଉଁଶ ତଳେ ବସି ନିଆଁ ଜାଳୁ ଥାନ୍ତି ।

ରାଜା ବିରକ୍ତ ହୋଇ କହିଲେ – ଗୋପାଳ । ତୁମେ ଏସବୁ କ’ଣ କରୁଛ?

– ଆଜ୍ଞା ଭାତ ରାନ୍ଧୁଛି । ଭାତ ହେଲେ ଖାଇ କରି ଯିବି ।

– ଭାତ ହାଣ୍ଡି କାହିଁ?

– ହେଇ ବାଉଁଶ ଅଗରେ ଅଛି, ମୁଁ ତଳେ ବସି ନିଆଁ ଜାଳୁଛି ।

ରାଜା ହସି ହସି କହିଲେ ତୁମେ କ’ଣ ପାଗଳ ହୋଇ ଗଲ ନା କ’ଣ? ଏତେ ଦୂରକୁ ନିଆଁ ତାତି ଯାଇ କେମିତି ହାଣ୍ଡି ତାତିବ ଯେ ଚାଉଳ ଫୁଟିବ?

ଏ କଥା ଶୁଣି ଗୋପାଳ କହିଲେ – ମହାରାଜ । ପୋଖରୀ ଓ ପ୍ରାସାଦ ଆଲୁଅ ଠାରୁ ତ ଏ ବେଶୀ ଦୂର ନୁହଁ । ସେହି ଆଲୁଅ ଯେମିତି ଗରିବ ନାଗରକୁ ପାଣି ଭିତରେ ଉଷୁମ୍ କରି ଦେଲା, ସେମିତି ମୋ ହାଣ୍ଡିକୁ ବି ତତାଇ ଦେବ ।

ରାଜା ଗୋପାଳର ଅସଲ କଥାଟାକୁ ବୁଝି ଗଲେ । କହିଲେ ଗୋପାଳ ମୋତେ ଆଉ ଲଜ୍ଜା ଦିଅନା । ତୁମେ ଏବେ ନବାବଙ୍କ ମନ୍ତ୍ରୀ କଥା ବୁଝ ମୁଁ ସେ ଗରିବ ନାଗରଙ୍କୁ ଡାକି ତାଙ୍କର ପୁରସ୍କାର ଟଙ୍କା ଦିଆଇ ଦେଉଛି । ରାଜା ଗରିବ ନାଗରଙ୍କୁ ଦୁଇ ଗୁଣ ଟଙ୍କା ଦେଇ ପୁରସ୍କୃତ କଲେ ।

ଶୀତ ଦିନ ରାଜା କୃଷ୍ଣ ଚନ୍ଦ୍ର ପୋଷାକ

Rate the content


Originality
Flow
Language
Cover design

Comments

Post

Some text some message..