Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Acharya

Drama Abstract

2  

Arabinda Acharya

Drama Abstract

ଅଜାଗା ଘା'

ଅଜାଗା ଘା'

9 mins
7.4K


           ବିଭୁ ଘଣ୍ଟେ ହେବ ସେମିତି ମୋବାଇଲ ଟାକୁ ଧରି ବସିଛି | ଲାଇକ, କମେଣ୍ଟ କାହିଁ ? ବାପା ଦି ଥରଡାକି ସାରିଲେଣି | ଏତେ ଦିନ ଧରି , ବହୁତ ମନ ଦେଇ ଗପ ଟି ଲେଖିକି ପୋଷ୍ଟ କରିଥିଲା ଏଇ ଗ୍ରୁପ ରେ | କିନ୍ତୁ ,ଏତେ ସମୟ ହେଲା କେହି ବି ଜଣେ କିଛି ଲେଖିକି ଦେଲେନି | ହଉ , ବାପାଙ୍କ କାମ କରି ସାରି ଆସେ , ପୁଣି ଥରେ ଅନଲାଇନ ହେବି | ଏଇଆ ଭାବି ମୋବାଇଲକୁ ଅଫ ଲାଇନ କରିଲା | ମୋବାଇଲକୁ ପକେଟରେ ପୁରେଇ ପୁରେଇ ବାପାଙ୍କ ପାଖରେ ପହଞ୍ଚିଲା | ବାପା ସେମିତି ସେଇ ଟେବୁଲ ପାଖରେ ଚୌକିଟି ଉପରେ ବସି ଡାଇରିରେ କଣ ସବୁ ଲେଖୁଥିଲେ | ବିଭୁ ପାଖକୁ ଆସିବା ଜାଣି, ତା ଆଡକୁ ନ ଚାହିଁ କହିଲେ , “ମୋବାଇଲ ନିଶା , ତୋତେ କିଛି କାମ କରେଇ ଦବ ନି ! ଟିକେ ପାଠ ଆଡେ ମନ ଦେ ! “ “କଣ ପାଇଁ ଡାକୁଥିଲ କହୁନ ? ମୁଁ ତ ମୋବାଇଲ ବନ୍ଦ କରି ଆସିଛି , କୁହ !”ବାପା ସେତିକିବେଳକୁ ବିଭୁକୁ ଚାହିଁ ମୁରୁକି ମୁରୁକି ହସୁଥିଲେ | ବିଭୁକୁ ଇଲେକ୍ଟ୍ରିବିଲ ଆଉ ଟଙ୍କା ବଢେଇ ଦେଇ ,ଡିପୋଜିଟ କରି ଆସିବାକୁ କହିଲେ | ବିଭୁ ବି ସଙ୍ଗେ ସଙ୍ଗେ ସାଇକେଲ ଧରି ଛୁଟିଲା | ଇଲେକ୍ଟ୍ରି ଅଫିସ ତାଙ୍କ ଘରଠୁ ୧୫ ମିନିଟର ବାଟ | ସେଠି ପହଞ୍ଚି ଯାହା ଦେଖିଲା ତା ହୋସ ଉଡିଗଲା | ବାପରେ ଏତେ ଲମ୍ବା ଲାଇନ | ଯେମିତି ହେଲେ ବି ଲାଇନରେ ଲାଗିଗଲା | ତା ପଛରେ ମଧ୍ୟ ସଙ୍ଗେ ସଙ୍ଗେ ଆହୁରି କେତେ ଲାଇନକୁ ଲମ୍ବା କରିବାକୁ ଆସିଯାଇଥିଲେ | ତା ଆଗରେ ତାରି ବୟସର ପିଲାଟିଏ ଥାଏ | ବହୁତ ସମୟ ସେମିତି ଠିଆ ହେଇ ହେଇ ଦୁହେଁ ଦୁହିଁଙ୍କୁ ଚାହିଁ ବେଳେ ବେଳେ ମୁରୁକି ହସା ଦଉଥାନ୍ତି | ଲାଇନରେ ପଛରେ ଥିବା ଲୋକ ମାନେ ଟିକେ ଡେରି ହେବା ଦେଖି ମଝିରେ ମଝିରେ ଗରଗର ହେଉଥାନ୍ତି |ଏମିତି ଏମିତି ଠିଆ ହେଉ ହେଉ ସେ ପିଲାଟିର ପାଳି ଆସିଲା | ଟଙ୍କାକୁ କାଉଣ୍ଟରରେ ଦଉ ଦଉ , ସେ କାଉଣ୍ଟର କ୍ଳର୍କ ଖୁଚୁରା ମାଗିଲା | ପିଲାଟି ପାଖରେ ଖୁଚୁରା ନାହଁ | ବିଭୁକୁ ଚାହିଁ ହସିଲା | ବିଭୁ ତା ସହିତ ମିଶେଇ ନିଜ ବିଲ ପଇସା ଦେଇଦେଲା | ଖୁଚୁରା ସବୁ ଆଡଜଷ୍ଟ ହେଇଗଲା | କିନ୍ତୁ ପିଲାଟି ବିଭୁକୁ ୧୫ ଟଙ୍କା ଫେରେଇବାକୁ ଥାଏ | ସେଥିପାଇଁ ସିଏ ବିଭୁକୁ ଡାକିଲା , ଆଉ ଦୁହେଁ ଗୋଟେ ରେଷ୍ଟୁରାଣ୍ଟକୁ ଗଲେ | ବିଭୁ ମନା କରୁଥିଲା କିନ୍ତୁ ପିଲାଟି ବାଧ୍ୟ କରି ,ତାକୁ ଟାଣି ଟାଣି ନେଲା | ଦୁହିଁଙ୍କ ଭିତରେ ଆତ୍ମୀୟତା ଆସିଯାଇଥିଲା | ବିଭୁ ଜାଣିଲା ,ପିଲାଟି ତାଙ୍କ ସହରର ନୁହେଁ | ବାହାରେ ହାଇଦ୍ରାବାଦରେ ରୁହେ | ଛୁଟିରେ ଅଜା ଆଇଙ୍କ ପାଖକୁ ଆସିଛି ବୁଲିବାକୁ | ତା ମାମୁଁ ବାହାରକୁ ବିଶେଷ କିଛି କାମରେ ଯାଇଥିବାରୁ ସିଏ ଆସିଥିଲା ସେଇ ଇଲେକ୍ଟ୍ରି ବିଲ ଦେବାକୁ | ତା ନା ରଶ୍ମିରଞ୍ଜନ ମହାନ୍ତି | ଡାକ ନା ରଶ୍ମି | ଦୁଇଜଣ ସବୁ ନିଜ ନିଜ କଥା କହିଲେ | whatsapp ନମ୍ବର ବି ଦିଆ ନିଆ ହେଲେ | ପରେ whatsappରେ କଥା ହେବା କହି , ଦୁହେଁ ବିଦାୟ ବି ନେଲେ |

ରାତିରେ ପାଠ ପଢା ସାରି , ଖାଇସାରି , ଶୋଇଲା ବେଳକୁ ବିଭୁ ମୋବାଇଲରେ ଅନଲାଇନ ହେଲା | ୫ ଟା ଲାଇକ ଆଉ ୪ ଟା କମେଣ୍ଟ ଆସିଥିଲା | ତା ଗପକୁ ପଢି ବହୁତ ଖୁସି ହେଇଥିଲେ ସେ ଗ୍ରୁପର ସାଙ୍ଗ ମାନେ | ଏମିତି ଦେଖୁ ଦେଖୁ ଗୋଟେ ନୂଆ ଗ୍ରୁପରେ ସିଏ ଆଡ ହେଇଥିବାର ଦେଖିଲା | ତାକୁ ତାର ନୂଆ ସାଙ୍ଗ ରଶ୍ମି ଆଡ କରିଥିଲା | ସେ ଗ୍ରୁପରେ ବହୁତ ସଦସ୍ୟ ଥିଲେ | ସମସ୍ତଙ୍କୁ ଖେଳେଇ ଖେଳେଇ ଦେଖୁଥିଲା ବିଭୁ | କାହାକୁ ବି ଜାଣିନି କି ଚିହ୍ନି ନି | ଖାଲି ହାଲୋ ହାଇ , କହି ଶେଷରେ ଗୁଡ ନାଇଟ କହି ମୋବାଇଲ ବନ୍ଦ କଲା | ସକାଳୁ ଉଠି ଦେଖିଲା ମୋବାଇଲ ରେ ୩୫ ଟା ମ୍ୟାସେଜ ଗୋଟେ ନୂଆ ନମ୍ବରରୁ |

ଯେଉଁ ନୂଆ ନମ୍ବରଟିରୁ ଏତେ ଗୁଡେ ମ୍ୟାସଜ ଆସିଥିଲା , ସେ ନମ୍ବର ବିଷୟରେ ବିଭୁର କୌତୁହଳ ବଢିଲା | ପ୍ରଥମେ ସେ ରଶ୍ମିକୁ ଚାଟ କରି ପଚାରିବ ବୋଲି ଭବିଲା | କାରଣ ଏ ନୂଆ ଗ୍ରୁପରେ ରଶ୍ମି ହିଁ ଆଡମିନ | ସିଏ ସମସ୍ତଙ୍କୁ ଜାଣିଥିବ | ରଶ୍ମି କହିଲା , ଯିଏ ତାକୁ ପର୍ସୋନାଲ ମ୍ୟାସେଜ ପଠେଇଛି ସିଏ ତାର ମାମୁଁଙ୍କ ଝିଅ | ନାଁ ଟା ତାର ସୁଦୀପା | ସିଏ କୁଆଡ ବହୁତ ଦିନରୁ ବିଭୁର ଗପ whatsapp ଗ୍ରୁପ ଫେସବୁକ ଇତ୍ୟାଦିରେ ପଢି ଆସୁଛି | କିନ୍ତୁ ବିଭୁ ସହିତ ସାଙ୍ଗ ହେଇ ନଥିଲା | ରଶ୍ମିର ଗ୍ରୁପରେ ବିଭୁକୁ ଜାଣି | ରଶ୍ମିକୁ ସବୁ ପଚାରି ଏତେ ସବୁ ମ୍ୟାସେଜ କରିଛି | ୩୫ଟା ମ୍ୟାସେଜରେ ପ୍ରାୟ ବିଭୁର ବିଭିନ୍ନ ଗପର ବିଷୟରେ କିଛି କିଛି ଉତ୍କଣ୍ଠା ଆଉ ବିଭୁକୁ ବହୁତ ବଧାଇ ଦେଇଥିଲା ସେ | ବିଭୁ ଏତିକି ଜାଣି , ବହୁତ ଖୁସି ହେଉଥିଲା | ଭାବୁଥିଲା ଜାହେଉ ତା ଗପର ଏତେବଡ ଫ୍ୟାନଟିଏ ଏଇ ସହରରେ ଅଛି | ଏମିତି ଭାବୁ ଭାବୁ କୋଚିଂ କ୍ଳାସ ସମୟ ହେଇଯାଇଥିଲା | ଦିନସାରା ପ୍ରତି କାମ କଲାବେଳେ ସେଇ ସୁଦୀପାର ମ୍ୟାସେଜ ଗୁଡାକ ମନେପଡେ ବିଭୁର | ପୁଣି ପାଠ ପଢାରେ , ଖେଳରେ ଆଉ ଘରୋଇ କାମରେ ବ୍ୟସ୍ତ ହେଇଯାଏ ସେ | ସେତେବେଳେ କିଛି ସମୟ ପାଇଁ ସୁଦୀପା କଥା ଭୁଲିଯାଏ | ରାତିରେ ଶୋଇବା ପୂର୍ବରୁ ସୁଦୀପାକୁ ଗୋଟେ ପର୍ଶନାଲ ମ୍ୟାସେଜ କରିବାକୁ ଭାବିଲା | କଣ ଲେଖିବ ? ଏମିତି ଭାବୁ ଭାବୁ କିଛି ସମୟ ପଳେଇଲା | ଶେଷରେ କେବଳ ଏତିକି ଲେଖିଲା , “ ଧନ୍ୟବାଦ ସୁଦୀପା ବାନ୍ଧବୀ ! ମୋ ଗପ ସବୁ ପଢ ବୋଲି ଜାଣିଲି | ଭଲ ମଧ୍ୟ ଲାଗୁଛି ବୋଲି ଶୁଣି ବହୁତ ଖୁଶି ଲାଗିଲା | ଏମିତି ପଢି ଚାଲ | ଆଉ ମତାମତ ଦେଇ ଚାଲ | “ ଏମିତି ଏମତି ବହୁତ ଦିନ ଗଲା | ବିଭୁ ତାର ନିଜ ପାଠ , କଲେଜ , କୋଚିଙ୍ଗ , ଘର କାମ , ଖେଳ ଭିତରେ ସମୟ କଟେଇ ଚାଲିଲା | କୋଚିଙ୍ଗର ଏସ କ୍ୟାଟ ( SCAT ) ପରୀକ୍ଷା ପାଇଁ ଆଉ whatsapp , ଫେସବୁକରେ ଆକ୍ଟିଭ ନଥିଲା | ଭାବୁଥିଲା ପରୀକ୍ଷା ସାରିଲେ ନୂଆ ଗପଟିଏ ଆରମ୍ଭ କରିବ |ଆଗକୁ ଦୁର୍ଗାପୂଜା , ବହୁତ ବନ୍ଧୁ ବାନ୍ଧବ ସବୁ ଆସିବେ |

ଘରେ ବହୁତ ଭିଡ ବି ରହିବ | ସେ ଯା ହେଉ , ସିଏ କିନ୍ତୁ ବାପାଙ୍କ କଥା ମାନି , ସବୁ ପରୀକ୍ଷାରେ ଭଲ କରି ଦେଖେଇବ | ଯେଉଁ ଦିନଠୁ ସେ ଜାଣିଥିଲା ଯେ , ତା ଗପର କେହି ଏତେ ବଡ ଫ୍ୟାନ ଅଛି | ତା ଜୀବନରେ ବହୁତ ପରିବର୍ତ୍ତନ ଆସିଥିଲା | ସବୁ ଥିରେ ପଜିଟିଭ ଚିନ୍ତା ଆସୁଥିଲା | ଭିତରୁ ଭଲ କାମ କରିବାକୁ କିଏ ଯେମିତି ପ୍ରେରଣା ଯୋଗୋଉ ଥିଲା | ମଣିଷର ସହଜାତ ପ୍ରବୃତି ଏୟା ଯେ , ସିଏ ଖୁସିକୁ ଖୋଜି ବୁଲେ | କିନ୍ତୁ ଯେତେବେଳେ ସିଏ ଜାଣେ ଯେ ,ଖୁଶି ଖୋଜିବା ଜିନିଷ ନୁହେଁ , ଅନୁଭବ ଦ୍ଵାରା ସୃଷ୍ଟି କରିବା ଜିନିଷ ସେତେବେଳେ ସିଏ ନିଜକୁ ଆଉ ଏକ ଦୁନିଆଁରେ ଆବିଷ୍କାର କରେ | ସେକଥା ଗୁଡିକ ଧୀରେ ଧୀରେ ସତ ହେଇ ଆସୁଥିଲା ବିଭୁର ଜୀବନରେ | ଏମିତି ଏମିତି ଅନେକ ଦିନ ଚାଲିଗଲା | ବିଭୁର SCAT ( Sunday Comprehensive Assessment Test ) ରେ ବହୁତ ଭଲ ହେଲା | ସିଏ ସବୁ ସବଜେକ୍ଟରେ ଭଲ କରିଥିଲା | ବାପା ବି ତାକୁ ଖୁସିରେ କୁଣ୍ଢେଇ ପକେଇଲେ | ପରୀକ୍ଷା ସରିଲା ପରେ ଦିନେ ସନ୍ଧ୍ୟାରେ ନୂଆ ଗପର ଗୋଟିଏ ପାର୍ଟ ଲେଖି whatsappରେ ପୋଷ୍ଟ କରିବାକୁ ଅନଲାଇନ ହେଲା | ଆରେ ଏ କଣ ? ସୁଦୀପା ପାଖରୁ ଏତେଗୁଡେ ମ୍ୟାସେଜ ? ସେ ମ୍ୟାସେଜ ସବୁରେ ଖାଲି ଲେଖା ଯାଇଥିଲା , “ଆପଣ କଣ ପାଇଁ ଅନଲାଇନ ହେଉ ନାହାନ୍ତି ? ମୋର କିଛି ଭୁଲ ହେଲା କି ? ଅଜାଣତରେ କିଛି ଯଦି ଲେଖିଛି ପ୍ଳିଜ କ୍ଷମାଦେବେ……………………..” ଏମିତି ଏମିତି ଅନେକ ଅନୁରୋଧ | ବିଭୁ ବୁଝିପାରୁନଥିଲା ସେ କଣ ଲେଖିବ | ସିଏ ତ ଜାଣିଶୁଣି ପରୀକ୍ଷା ପାଇଁ ଏମିତି କରୁଥିଲା , ଏଠି ରାଗିବାର ପ୍ରଶ୍ନ ଆସିଲା କୁଆଡୁ | ଉତ୍ତର ହିସାବରେ କେବଳ ଏତିକି ଲେଖିଲା “ ନା , ମୁଁ ରାଗିବି କାହିଁକି ? ରାଗିନାହିଁ | ପରୀକ୍ଷା ଥିଲା ତ ସେଥିପାଇଁ ଅନଲାଇନ ହେଉ ନଥିଲି , ହଉ ନୂଆ ଗପ ଦେଉଛି ପଢିବ |”

ଏମିତି ଗପ ଦେବା ଆଉ ଚାର୍ଟ କରିବା ଜାରି ରହିଲା | ଦୁହେଁ କିଛି ନହେଲେବି ସପ୍ତାହରେ ଦୁଇ ଦିନ ଅନଲାଇନ ରହୁଥିଲେ ବହୁତ ସମୟ ଧରି | ଗୋଟେ ଦିନ ହେଲା , ପରୀକ୍ଷା ସରିବା ଦିନ , ଆଉ ଗୋଟେ ହେଲା ନୂଆ ଗପ ଅପଲୋଡ କରିବା ଦିନ | ସେଇ ନୂଆ ଗ୍ରୁପଟିର ଆହୁରି ଅନେକ ସଦସ୍ୟ ମାନେ ମଧ୍ୟ ବିଭୁକୁ ବହୁତ ଭଲ ଲାଗୁଥିଲେ | କିନ୍ତୁ କେହି କେବେ ତାକୁ କିମ୍ବା ତା ଗପକୁ ଅପେକ୍ଷା କଳା ପରି ଲାଗୁ ନଥିଲା | ସେଥିପାଇଁ ବିଭୁ ବେସି ସୁଦୀପାର ମ୍ୟାସେଜକୁ ହିଁ ଅପେକ୍ଷା କରି ରହୁଥିଲା | ଦିନେ ରଶ୍ମି ସେ ଗ୍ରୁପରେ ଗୋଟେ ପ୍ରସ୍ତାବ ଦେଲା , ଯେ ସେଇ ଗ୍ରୁପର ପରବର୍ତ୍ତୀ ଗେଟଟୁଗେଦର ପାର୍ଟି ଭୁବନେଶ୍ଵରର “କ୍ଲବ ଡାଇନ “ ହୋଟେଲରେ କରାଯିବ | ସମସ୍ତଙ୍କୁ ନିମନ୍ତ୍ରଣ | ପୂର୍ବରୁ ସେ ଗ୍ରୁପର ସଦସ୍ୟ ଏମିତି ବହୁତ ପାର୍ଟି କରୁଥିଲେ ବୋଲି ବିଭୁ ଜାଣିଲା | କିନ୍ତୁ ତା ପାଇଁ ଏମିତି ପାର୍ଟି ନୂଆ | ଯିବ କି ନଯିବ ଚିନ୍ତା କରୁଥିଲା | ନୂଆ ନୂଆ ସାଙ୍ଗଙ୍କୁ ଭେଟିବା , ତାଙ୍କ ସହିତ ସାମ୍ନା ସାମ୍ନି ହେଇ କଥା ହେବାର ରୋମାଞ୍ଚ ତାକୁ ଧୀରେ ଧୀରେ ପାର୍ଟିରେ ଯୋଗ ଦେବାକୁ ଅଧିକ ପ୍ରେରିତ କରୁଥିଲା | ଘରେ କାହାକୁ ସେ ଏ ବିଷୟ ଜଣଉ ନଥିଲା | ତା ଛଡା ବାପା ବି ତାକୁ ଆଉ କିଛି କହୁନଥିଲେ | ପାଠରେ ଭଲ କରୁଥିଲେ କିଏ କାହିଁକି କଣ କହିବ ?

ବିଭୁ ଭାବୁଥିଲା , ଭଗବାନ କେମିତି ଗଢିଛନ୍ତି ଏ ସଂସାର | ଏତେ ଜୀବଙ୍କୁ ସୃଷ୍ଟି କରିଛନ୍ତି , ତାଙ୍କ ଭିତରେ ପୁଣି ସମ୍ପର୍କର ହାଲକା ରଙ୍ଗ ଭରିଛନ୍ତି | ବୟସ,ରୂପ ,ଭାବନା ,ସ୍ଥାନ , କାଳ , ପାତ୍ର ଏସବୁ ମଳିନ ହେଇଯାଏ ସେଇ ସମ୍ପର୍କର ନୂଆ ଦୁନିଆଁରେ | କେହି ବି କେତେବେଳେ କାହାକୁ ଭଲ ଲାଗିପାରେ | ସେଠାରେ କିଛି ବି ମାନେ ରଖେନା | ରଶ୍ମିକୁ କିଛି ଦିନ ପୁର୍ବରୁ ସେ ଜାଣି ବି ନଥିଲା | ସୁଦୀପାକୁ ମଧ୍ୟ ଜାଣି ନଥିଲା | କିନ୍ତୁ ଏବେ ସେମାନେ ଗୋଟେ ଆଦେଖା ସମ୍ପର୍କ ସୂତ୍ରରେ ବନ୍ଧା | ଏମିତି ଏମିତି ଭାବୁ ଭାବୁ ସେ ନିଶ୍ଚୟ କଲା ସେ ଗେଟଟୁଗେଦର ପାର୍ଟିକୁ ଯିବ | କିଛି ସମୟର ତ କଥା , ତାର ପାଠ ପଢାରେ ବି ସେମିତି କିଛି ଅସୁବିଧା ବି ହବନି |

ଶେଷରେ ସେ ଦିନଟି ଆସିଲା | ବିଭୁ ଟ୍ରେନରେ ଯାଇ ଭୁବନେଶ୍ବର ଷ୍ଟେସନରେ ପହଞ୍ଚିଲା | ପହଞ୍ଚିସାରି ରଶ୍ମିକୁ ଫୋନ କଲା | ସେପଟରୁ ରଶ୍ମି ବିଭୁକୁ “କ୍ଲବ ଡାଇନ “ ର ଠିକଣା ଜାଗାଟି ବିସ୍ତୃତ ଭାବରେ କହିଲା | ଆଉ କହିଲା , ସିଏ ଟିକେ ଲେଟରେ ଆସିବ, କଣ ମାର୍କେଟିଙ୍ଗ ଅଛି | ତେଣୁ ବିଭୁକୁ କହିଲା ଯେ, ସିଏ ଆସି ସିଧା ହୋଟେଲରେ ପହଞ୍ଚି ଫ୍ରେସ ହେଇଯାଉ | କିଛି ବି ଅସୁବିଧା ହବନି | ସେ ହୋଟେଲ ମ୍ୟାନେଜର ରଶ୍ମିର ବହୁତ ଭଲ ସାଙ୍ଗ , ସିଏ ସବୁ ବୁଝିବ | କେହି ନ ପହଞ୍ଚି ଥିଲେ ବି କିଛି ଅସୁବିଧା ନାହିଁ | ବିଭୁ ନିଜ ବ୍ୟାକ ପ୍ୟାକଟି ପିଠିରେ ଧରି ଆଟୋକୁ “କ୍ଲବ ଡାଇନ “ ଯିବାକୁ କହିଲା |

ଷ୍ଟେସନରୁ ବିଭୁକୁ ଧରି ଅଟୋ ଭୁବନେଶ୍ବରର ଗହଳି ରାସ୍ତାରେ ଛୁଟି ଚାଲିଲା “କ୍ଲବ ଡାଇନ “ ଅଭିମୁଖେ | ରାସ୍ତାର ଦୁଇପାର୍ଶ୍ଵର ସୁଉଚ୍ଚ ଅଟ୍ଟାଳିକା ସତେଯେମିତି ବିଭୁକୁ ଦେଖୁଥିଲେ | ଭୁବନେଶ୍ଵରର ରାସ୍ତା କଡର ସବୁ କାନ୍ଥରେ ଅଙ୍କା ଯାଇଥିବା ଆଦିମ ଚିତ୍ର ସବୁକୁ ଦେଖି ଦେଖି ବିଭୁ ନୂଆ ନୂଆ ଗପ ତିଆରିରେ ବୁଡି ରହିଥିଲା | “ଆଜ୍ଞା ! ଏଇଠି ତ ?” ଅଟୋ ବାଲାର ପ୍ରଶ୍ନରେ ବିଭୁ ଭାବନା ରାଜ୍ୟରୁ ଫେରି ଆସିଲା | ଦେଖିଲା ସାମ୍ନାରେ ହୋଟେଲ “କ୍ଲବ ଡାଇନ “

ହୋଟେଲକୁ ପଶି ଯାଉ ଯାଉ ସଙ୍ଗେ ସଙ୍ଗେ ରେସେପ୍ସନିଷ୍ଟ ପଚାରିଲା ” କଣ ସେବା କରିପାରେ ?”ବିଭୁ ରଶ୍ମି କହିଥିବା କଥା ସବୁ କହିଲା | କାଳବିଳମ୍ବ ନକରି ଜେନ ୱେଟରକୁ ଡାକି ରିସେପ୍ସନିଷ୍ଟଟି ବିଭୁକୁ ପାଛୋଟି ନେଲା |ବିଭୁ ଭିତରକୁ ଯାଇ ଫ୍ରେସ ହେଲା | ସେତେବେଳକୁ କେହି ଜଣେ ବି ସଦସ୍ୟ ଆସି ନଥିଲେ | ହଲରେ ବସି ଟିଭି ଦେଖୁ ଦେଖୁ ସର୍ବତ ଗ୍ଳାସଟିରେ ଓଠ ଛୁଆଁଇଲା | କିଛିସମୟ ଏମିତି କଟିଲା ପରେ ବାହାର ଗେଟ ପାଖରୁ ଅସ୍ପଷ୍ଟ କିଛି ଶବ୍ଦ ଶୁଣିପାରିଲା | ଦୁଇ ତିନିଜଣ ମହିଳାଙ୍କ କଣ୍ଠ ସ୍ଵର | ସେମାନେ ହଲ ଭିତରକୁ ପଶିଆସିଲେ | ସମସ୍ତେ ନିଜ ନିଜ ଭିତରେ କଥା ହେଉଥିଲେ | କିନ୍ତୁ ହଲରେ ବିଭୁକୁ ଦେଖି ଦେଇ ଟିକେ ଚୁପ ହେଇଗଲେ | ତାଙ୍କ ମଧ୍ୟରୁ ଜଣେ ହଠାତ ବିଭୁକୁ କିଛି ସମୟ ଏକଲୟରେ ଚାହିଁ ହଠାତ କହିଲା , “ବିଭୁ ସାର ? ଆପଣ ତ ? ”

ବିଭୁ ଲକ୍ଷ କରୁଥିଲା , କିନ୍ତୁ ଚିହ୍ନି ପାରୁନଥିଲା | ସେମାନେ ସବୁ ସେଇ ଗେଟ ଟୁଗେଦର ପାର୍ଟିର ସଦସ୍ୟ ଥିଲେ | ସମସ୍ତେ ଅଚିହ୍ନା କିନ୍ତୁ ବିଭୁର ଗପ ପଢି ଅନେକ ତାର ଡ଼ିପି ଦେଖି ପୁରା ମନେ ରଖିଦେଇଥିଲେ | ସିଏ କିନ୍ତୁ କୌଣସି ମହିଳା ସଦସ୍ୟଙ୍କୁ ଚିହ୍ନି ପାରିଲା ନାହିଁ କାରଣ , ସବୁ ମହିଳା ସଦସ୍ୟ ଡ଼ିପିରେ ଫୁଲ , ହିରୋଇନ ଇତ୍ୟାଦିଙ୍କ ଫଟୋ ଦେଇଥିଲେ | ଏମିତି କଥା ହେଉ ହେଉ ଆହୁରି ସଦସ୍ୟ ମଧ୍ୟ ଆସିଲେ | ପୁରୁଷ ସଦସ୍ୟଙ୍କୁ ମଧ୍ୟ ଆସିବାର ଦେଖା ଗଲା | କେତେ ଜଣଙ୍କୁ ବିଭୁ ଚିହ୍ନି ପାରିଲା | ସେମିତି ସେମିତି ଚିହ୍ନା ପରିଚୟ ଚାଲିଥାଏ | ଏତିକିବେଳେ ଛୋଟ ଝିଅ ଟିଏ , ଦୁଇ ତିନି ବର୍ଷର ହେବେ ବୋଧେ ବିଭୁ ପାଖକୁ ଆସି ଡାକିଲା ,“ଅଙ୍କଲ ! ମମି ଡାକୁଛି !” ଭିଡ ଭିତରେ ବିଭୁ ଝିଅଟି ଡାକୁଥିବା ସ୍ଥାନକୁ ଗଲା | ସେଠାରେ ଗୋଟିଏ ଦମ୍ପତି ଛିଡାହେଇଥିଲେ | ସେମାନେ ବିଭୁକୁ ହ୍ୟାଣ୍ଡସେକ କରିବାକୁ ହାତ ବଢେଇଲେ | ଝିଅଟି ଯାହାକୁ ମମି ବୋଲି ଡାକୁଥିଲା ସେ ମହିଳା ଜଣକ କହିଲେ , ” ଚିହ୍ନି ପାରିଲେଣି ? ନା ପାରିବେନି …… ମୁଁ ସୁଦୀପା !”


Rate this content
Log in

Similar oriya story from Drama