Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

puspanjali das

Inspirational


4.3  

puspanjali das

Inspirational


ନିରୁତା ଉପହାର

ନିରୁତା ଉପହାର

4 mins 202 4 mins 202


    ଦିନଟି ଥିଲା ଦୀପାବଳୀ, ପବିତ୍ର ଆଉ ଆନନ୍ଦର ଦିନଟିଏ, ହେଲେ ଆରାଧ୍ୟାର ମନଟା ଭାରି ଖରାପ ଥିଲା । ଦୀପାବଳୀ ଦିନଟି ତା’ ପରିବାର ପାଇଁ ସବୁଠାରୁ ଖୁସିର ଦିନଟିଏ, ପ୍ରତିବର୍ଷ ତା’ ପିଲାମାନେ ଦୁଇ ଦିନ ପାଇଁ ହେଉ ପଛକେ ଘରକୁ ଆସନ୍ତି, ଆଉ ଫୁଲର ରଙ୍ଗୋଲି ସାଙ୍ଗରେ ଦୀପମାଳାରେ ଦାଣ୍ଡ ଦୁଆର ସବୁ ସଜାଇ ଦିଅନ୍ତି । ଦିନଟି ଆରମ୍ଭ ହୁଏ ମା କାଳୀଙ୍କ ଦର୍ଶନରୁ ଯେ, ପିଲାଙ୍କୁ ନେଇ ବାପ ଘରକୁ ଯିବା ମଧ୍ୟ ଯେମିତି ଗୋଟାଏ ଚିରାଚରିତ ପ୍ରଥା ତାଘରେ ହୋଇଯାଇଥିଲା । ହାତରେ ତିଆରି ବେସନ ଲଡୁ ନେଇ ପ୍ରତିବର୍ଷ ସେ ତା’ ଦୁଇ ଭାଇଙ୍କ ଘର ବୁଲିଆସେ ଆଉ ସାଙ୍ଗରେ ପିଲାମାନେ କେତେ ଆଶୀର୍ବାଦ ମଧ୍ୟ ସାଉଁଟି ଆଣନ୍ତି । ସନ୍ଧ୍ୟା ବେଳେ ଲଷ୍ମୀ ପୂଜା ସମସ୍ତେ ଏକାଠି କରି ଦୀପାବଳୀର ସନ୍ଧ୍ୟାଟିକୁ ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ବିନା ବାଣ ଫୁଟାଇ ହସ ଖୁସିରେ କଟାଇ ଦିଅନ୍ତି, ଅବଶ୍ୟ ଅନାଥ ଆଶ୍ରମରେ ମିଠା ସହିତ ଛୋଟ ଛୋଟ ପିଲାଙ୍କ ପାଇଁ କିଛି ଫୁଲଝରି ଦବାକୁ ଭୁଲନ୍ତିନି । ଏବର୍ଷ କିନ୍ତୁ ସବୁ ଯେମିତି ଓଲଟପାଲଟ ହୋଇ ଯାଇଥିଲା । ଲଗାତାର ବର୍ଷାଟା କିଛି ବି କରାଇ ଦେଲାନି!ଜଳାବୃତ ଘରଟି ଭିତରେ ପିଲମାନଙ୍କ ଅନୁପସ୍ଥିତି ସାଙ୍ଗକୁ ଲଷ୍ମୀପୂଜା ମଧ୍ୟ କରିହବନି ଭାବି ଆରାଧ୍ୟା ଯେମିତି ଠାକୁରଙ୍କ ଉପରେ ସବୁଯାକ ଅଭିମାନ ତା’ ର ଅଜାଡି ଦେଉଥିଲା । ପୁରୁଣା ପିତ୍ତଳ ଦୀପଗୁଡିକ ବାହାର କରୁଥିଲା ମାଜିବା ପାଇଁ, ଏତିକିବେଳେ ପାରୋ ଘର ଭିତରକୁ ପଶିଆସିଥିଲା ଲୁଗା ଅଳ୍ପ ଟେକି ଟେକି, ଆଉ କହିପକାଇଥିଲା–ମୁଁ ଆସିଲିଣି ମାଆ, ଠାକୁର ବାସନ ସାଙ୍ଗରେ ସବୁ ମାଜିଦେବି, ରଖିଦିଅ । 

     ପାରୋକୁ ଦେଖି ଆରାଧ୍ୟା ଆଶ୍ଚର୍ଯ୍ୟ ହୋଇଯାଇ କହିଉଠିଥିଲା–ଆରେ, ଏତେ ବର୍ଷାରେ , ତା’ ଛଡା ରାସ୍ତାରେ ଏତେ ପାଣି ହୋଇଯାଇଛି, କେମିତି ଆସିଲୁ?ସବୁଦିନ ପରି ହସଟିଏ ହସିଦେଇ ପାରୋ ଲୁଗା ସଜାଡୁ ସଜାଡୁ କହିପକାଇଥିଲା–ଆଣ୍ଠୁଏରୁ ଟିକିଏ ବେଶି ହବ ରାସ୍ତାରେ ପାଣି, ଗାଡ଼ି ସିନା ଆସିପାରିବନି, ହେଲେ, ମୋ ଗୋଡ଼ ଦୁଇଟା କଣ ଅଟକିଯିବ?ତମେ କେତେ ହଇରାଣ ହେବ, ପିଲାମାନେ ଆସିପାରିଲେନି, ଆଉ ବାବୁ କ'ଣ , ରୋଗିଣା ଲୋକ , ଏତେ ପାଣିରେ ଵାହାରକୁ ଯାଇପାରିବେ ?ତମ ଘରେ ଏଇ ବେଳାଟା କରିଦେଇଯିବି, କାଲି ସକାଳେ ଯଦି ପାଣି ଟିକେ କମିଯାଇଥିବ ତ ଆସିବି, ନ ହେଲେ ସଞ୍ଜ ବେଳକୁ ଆସିବି । ପାରୋ ତାର ନିଜର କାମରେ ଲାଗିପଡ଼ିଲା, ଘର ଦ୍ୱାର ସବୁ ପୋଛାପୋଛି କରି , ବାସନ ତକ ମାଜିଦେଇ ବହାରିପଡ଼ିଲା, ଆଉ ଗଲା ବେଳେ ଆରାଧ୍ୟାର ହାତକୁ ଗୋଟିଏ ଛୋଟିଆ ପ୍ୟାକେଟଟିଏ ବଢାଇଦେଇ କହିଲା–ମାଆ, ଦିଦିମାନେ ନାହାନ୍ତି, ଏଇଟା ତମପାଇଁ ଦିଦିମାନଙ୍କ ତରଫରୁ ଆଉ ମୋ ତରଫରୁ । ଆରାଧ୍ୟା କିଛି କହିବା ପୂର୍ବରୁ ପାରୋ ଛତାଟିକୁ ଖୋଲି ଦେଇ , ପୁଣି ପିନ୍ଧିଥିବା ଲୁଗାକୁ ଅଧାଟେକି ଚାଲିଗଲା । 

   ଆରାଧ୍ୟା ହାତରେ ଧରିଥିବା ପ୍ୟାକେଟଟିକୁ ନ ଖୋଲିକି ରଖିଦେଉଥିଲା, ପୁଣି କ'ଣ ଭାବିକି ଖୋଲିବସିଲା ବେଳକୁ ଆଖି ପଡିଯାଇଥିଲା ଯେ ପାରୋ ପାଇଁ ରଖିଥିବା ପ୍ୟାକେଟଟି ସେମିତି ଦାଣ୍ଡ ଘର ଟେବୁଲ ଉପରେ ରହିଯାଇଛି । ପାରୋ ଏଡିକି ବାଉଳିଟା, ଭାବି ଟିକେ ବ୍ୟସ୍ତ ହୋଇଯାଇଥିଲା । ସେଥିରେ ସେ ତା’ ଝିଅ ପାଇଁ କିଛି ତା’ ହାତତିଆରି ବେସନ ଲଡୁ ଓ ଖଜା ରଖିଥିଲା, ଆଉ ପାଞ୍ଚଶହ ଟଙ୍କା ରଖିଥିଲା । ଏଥରକ ସିନା ଏତେ ବର୍ଷାରେ କିଛି ବାଣ କିଣି ପାରିବନି, ହେଲେ ପରେ ତା ଝିଅ ପାଇଁ କି ଘର ପାଇଁ ପ୍ରତି ବର୍ଷ ପରି କିଛି ତ କିଣି ପାରିବ!କାଲି ଆସିଲେ ନେବ ଭାବି ପାରୋ ଦେଇଥିବା ପ୍ୟାକେଟଟି ଖୋଲି ବସିଲା, ଯେତେ ମନା କଲେବି ତା’ ବାଡ଼ିର ପିଜୁଳିଟାଏ କି କରମଙ୍ଗା ଦୁଇଟା ନେଇଆସେ ପ୍ରତିବର୍ଷ ପୂଜାପାଇଁ । ସେମିତି କିଛି ହେଇଥିବ ଭାବି ଖୋଲୁ ଖୋଲୁ ଭାବୁଥିଲା ଯେ , ଏଥରକ ତ ଲକ୍ଷ୍ମୀ ଗଣେଶଙ୍କ ମୂର୍ତ୍ତି ଆଣି ହେଲାନି, ପୂଜା କେମିତି ସିଏ କରିବ?

   ଇଏ କ'ଣ?ହଠାତ ପାରୋ ଦେଇଥିବା ଛୋଟିଆ ପ୍ୟାକେଟଟା ଭିତରୁ ବାହାରି ଥିଲା, ନୂଆ ନାଲି କନା ଖଣ୍ଡକରେ ସିଲେଇ ହୋଇଥିବା ପ୍ଲାଷ୍ଟିକର ଗଣେଶ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି!କେତେ ସୁନ୍ଦର ହୋଇ ଚୁମକି ସବୁ ନାଲି କନା ଖଣ୍ଡକରେ ସଜା ହୋଇ ଅଠାରେ ଲଗା ହୋଇଛି । ଆଉ ଗୋଟିଏ ହଳ ଦିଆ କନା ଖଣ୍ଡକରେ ଛୋଟ ଛୋଟ ମାଟି ଦୀପ ଚାରୋଟି , ଆଉ ପିଜୁଳିଟିଏ । 

    ହାତ ତାର ରହିଗଲା ସେସବୁକୁ କାଢିକି ବାହାର କରିବାକୁ । ଭାବନାଟା ତାର ଲମ୍ବି ଯାଇଥିଲା ଆଠ ବର୍ଷ ତଳ କୁ–କେତେ ନେହୁରା ହୋଇ ପତଳା ସଦ୍ୟ ବିବାହିତା ଝିଅଟିଏ , ତା’ ଘରେ କାମ କରୁଥିବା ବୁଢ଼ୀ ସାଙ୍ଗରେ ଆସି ବିକଳ ହୋଇଥିଲା କାମ ଟିକେ ଦବାକୁ । ଅଚିହ୍ନା ଝିଅଟିକୁ କେମିତି ଘରେ କାମ କରିବାକୁ ଦେବ ଭାବି ଦ୍ଵନ୍ଦରେ ପଡିଥିବା ବେଳେ, କାମ କରୁଥିବା ବୁଢ଼ୀ ମାଉଷୀର କଥା ଉପରେ ବିଶ୍ୱାସ କରି ତାକୁ ଖାଲି ସପ୍ତାହକୁ ଥରେ ଘର ଝଡା ଝଡି କରିବାକୁ ଅନୁମତି ଦେଇଥିଲା, ହେଲେ ଖୁବ କମ୍ ଦିନ ଭିତରେ ଏତେ ଆପଣାର ହେଇଯାଇଥିଲା ଯେ ବୁଢ଼ୀ ମାଉଷୀ ତାକୁ ତା’ ଘରର ସବୁଯାକ କାମ ଲଦିଦେଇ ଗାଁକୁ ଚାଲିଯାଇଥିଲା ତା’ ଝିଅ ପାଖକୁ । ଆଉ ସେଇଦିନଠୁ ପାରୋ ଯେମିତି ଆରାଧ୍ୟା ଘରର ଜଣେ ସଦସ୍ୟ ହୋଇଯାଇଥିଲା । କିଛି ମାସ ପରେ ଝିଅଟିଏକୁ ଜନ୍ମ ଦେଇ ଥିଲେ ମଧ୍ୟ ତା’ ଘର କାମ କରିବା ଛାଡିନଥିଲା, ଅବଶ୍ୟ ସେଇ କେତେମାସ ତାକୁ ଅନ୍ୟଜଣଙ୍କ ସାହାଯ୍ୟ ନେବାକୁ ପଡିଥିଲା । 

       ଫୋନଟି ବାଜିବା ଶବ୍ଦରେ ଆରାଧ୍ୟା ଭାବନା ରାଜ୍ୟରୁ ଫେରି ଆସିଥିଲା । ବଡ଼ ଝିଅର ଫୋନ ଥିଲା, ବର୍ଷା ଯୋଗୁଁ ନେଟୱର୍କ ଖରାପ ଥିବାରୁ ଜୋରରେ କହିବାକୁ ପଡୁଥିଲା, ଆରପଟୁ ମଧ୍ୟ ଠିକ ଭାବରେ ଶବ୍ଦ ଗୁଡିକ ଶୁଭୁନଥିଲା, ତଥାପି ଦୁଇଚାରିପଦ କଥା ହୋଇଗଲା । ସେ ଆସିନପାରିବାରୁ ଅନ୍ ଲାଇନରେ ଲକ୍ଷ୍ମୀ ଗଣେଶଙ୍କ ମୂର୍ତ୍ତି ଓ ଭୋଗ ସରଞ୍ଜାମ କିଛି ଅର୍ଡର କରିଥିଲା, ପହଞ୍ଚିଲା କି ନାହିଁ ପଚାରିବାରୁ ଆରାଧ୍ୟାକୁ ସାମାନ୍ୟ ହସ ଲାଗିଥିଲା, କହିଦେଲା–ଆରେ, ଏତେ ବର୍ଷା, ପୁରା ପାଣିଘେରରେ ଆମେ ଅଛୁ, କୋଉ ଆମାଜନ୍, କି କୋଉ ଅନ୍ୟ ସାଇଟରୁ ଡେଲିଭରି କେମିତି ହବ?କିଏ ଆସିବ ଏଇ ପାଣିଭିତରେ ପଶିକି?ତୁ ବ୍ୟସ୍ତ ହ ନା, ଆମର ଠାକୁର ପଠେଇସାରିଲେଣି । କେଡେ ସୁନ୍ଦର ସଜେଇ ପାରୋ ଲକ୍ଷ୍ମୀ, ଗଣେଶଙ୍କର ପ୍ଲାଷ୍ଟିକ ମୂର୍ତ୍ତି ଯୋଡିଏ ଦେଇଯାଇଛି । ତା’ ଝିଅ ସେ ମାରୱାଡ଼ି ଘରେ ପାରୋ ସାଙ୍ଗରେ ଯାଏ କାମ କରିଲା ବେଳେ, ତାଙ୍କରି ଦୋକାନରୁ ପୁରୁଣା ରାଖୀ ଓ ଅନ୍ୟ ସଜା ସଜି ଜିନିଷରୁ ପ୍ଲାଷ୍ଟିକ ମୂର୍ତ୍ତି, ଚୁମୁକି, ମାଳି ସବୁ ସାଇତି ରଖୁଥିଲା, ସେଇଥିରେ ବୋଧେ ପାରୋ ରାତିରେ ନୂଆ ନାଲିକନା ଖଣ୍ଡକରେ ରଖି କେତେ ସୁନ୍ଦର ସଜେଇକି ଆଣିଛି, ଦୀପ ଚାରୋଟି ବୋଧେ କିଣିକି ଆଣିଥିଲା ଆଗରୁ ତା’ ଘରେ ଲଗେଇବ ବୋଲି । ଏଇ ଦୁଇଦିନ ହେଲା ତ କୋଉ ଦୋକାନ ବଜାର ଖୋଲିବା ଅବସ୍ଥାରେ ନ ଥିଲା । ସେ ଯାହାହେଉ, ମୁଁ ତା ଦେଇଥିବା ମୂର୍ତ୍ତିରେ ପୂଜାଟି କରିଦେବି । ଠାକୁର ସବୁ ଦେଖୁଛନ୍ତି, ଜାଣୁଛନ୍ତି । ଫୋନ ରଖିସାରିଲା ପରେ ବି ଝିଅର କଥା ତା’ କାନରେ ବାରମ୍ବାର ଶୁଭୁଥିଲା–ବୋଉ, ଏତେ ସୁନ୍ଦର ମନ ଦେଇଥିବା ଝିଅଟିକୁ ଭଗବାନ କାହିଁକି ଏତେ କଷ୍ଟ ଦେଲେ କହିଲୁ?ଏଡ଼େ ଅମଣିଷ ହାତରେ ତାକୁ ଛନ୍ଦି ଦେଇ ତା’ ଜୀବନ ଟା ନଷ୍ଟ କରିଦେଲେ!...ଆରାଧ୍ୟା ଭାବି ଚାଲିଥିଲା, ସତରେ ଭଗବାନ କାହିଁକି ତାକୁ ଏମିତି କଲେ?ଯାହା ସହିତ ସଂସାର ଗଢ଼ିବ ବୋଲି ଭାବି କେତେ ସପନ ନେଇ ତା’ ହାତ ଧରିଥିଲା, ତାକୁ ଗର୍ଭବତୀ ଅବସ୍ଥାରେ ଘରୁ ବାହାର କରିଦେଲା, ଗୋଟାଏ ପର ସ୍ତ୍ରୀ ପାଇଁ?ଭଗବାନଙ୍କ ନ୍ୟାୟ ଅନ୍ୟାୟ ଭିତରେ ଯେମିତି ଛନ୍ଦି ହୋଇ ପଡୁଥିଲା ଆରାଧ୍ୟା । 

    ସକାଳର ସୂର୍ଯ୍ୟ ଉଇଁବା ସାଙ୍ଗରେ ଜଳାର୍ଣ୍ଣବ ଏରିଆଟିର ଜଳପତ୍ତନ ଟିକେ ଖସିଯାଇ, ଚଳଚଞ୍ଚଳ ହୋଇଯିବା ପୂର୍ବରୁ ନିତିଦିନ ପରି ପାରୋ , ଆରାଧ୍ୟା ଘରର କଲିଙ୍ଗବେଲ ମାରିଥିଲା, ଆଉ କବାଟ ଖୋଲୁ ଖୋଲୁ କହିପକାଇଥିଲା–ମାଆ, ପଞ୍ଚାମୃତରେ ଧୋଇଛନ୍ତି ତ ମୂର୍ତ୍ତି ଦିଓଟିଙ୍କୁ ପୂଜା କରିବା ଆଗରୁ?ଆରାଧ୍ୟା ହସିଦେଇ କହିପକାଇଥିଲା–ତୁ କଣ ଜାଣିନୁ, ଏତେ ବର୍ଷ ହେଲା କାମ କରୁଛୁ?ହେଲେ ମନେ ମନେ ଭାବୁଥିଲା–ପଞ୍ଚାମୃତରେ ନ ଧୋଇଥିଲେ ବି ତା’ ପୂଜା ଠାକୁର ପାଇଥାନ୍ତେ, ଏତେ ଶ୍ରଦ୍ଧା ସେଥିରେ ଲିପାହୋଇଥିଲା ଯେ!!



Rate this content
Log in

More oriya story from puspanjali das

Similar oriya story from Inspirational