Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Children Tragedy

3  

Narayan chandra Senapati

Children Tragedy

ଚାଲିଗଲୁ କି ରେ ଧନ?

ଚାଲିଗଲୁ କି ରେ ଧନ?

3 mins
712


ମରିସସର ଏକ ନିଘଞ୍ଚ ଜଙ୍ଗଲ।ସମୀରଣର କଅଁଳ ଛୁଆଁ ସାଙ୍ଗକୁ ପୁଅଝିଅ ନାତିନାତୁଣୀଙ୍କ ଅଭିମାନୀ ଆଉଜା ବୃକ୍ଷଲତାଙ୍କୁ ଆନନ୍ଦ ବିଭୋର କରିଦେଇଛି।ହେଲେ ସେଇ ଭିତରେ କାଲଭେରିଆଟା ବାହୁନି ବାହୁନି କାନ୍ଦୁଛି। ନାଁ ଅଛି ତା ପାଖରେ ପୁଅ ଝିଅ, ନାଁ ଅଛି ନାତି ନାତୁଣୀଙ୍କ ଅଳି ଅଝଟ।ନିଃସନ୍ତାନ ଅଭିଶପ୍ତ ଶୁଷ୍କ ଜୀବନ ଅତିବାହିତ କରୁଛି ସେ ଆଖିର ଲୁହକୁ ସାକ୍ଷୀ ରଖି।ପ୍ରାଣ ତା କାନ୍ଦୁଛି ଡୋଡୋ ପାଇଁ।କି ମଧୁର ଛୁଆଁ ପାଇ ନଥିଲାସେ ଡୋଡୋ ଠାରୁ!ଡୋଡୋ ମାନେ ଉଡି ଉଡି ଆସନ୍ତି,ତା ଉପରେ ବସନ୍ତି,କେତେ ସୁନ୍ଦର ଗୀତ ଗାଆନ୍ତି, ବେଳେ ବେଳେ ତା କୋଳରେ ଆଉଜି ବି ଯାଆନ୍ତି।ସେମାନେ ଯେତେବେଳେ କିଚିରି ମିଚିରି ଶବ୍ଦ କରନ୍ତି,ସେ ଜାଗା ଚହଲି ଉଠେ,ତାଙ୍କର ଗରମ ନିଃଶ୍ଵାସରେ ତା ଦେହରେ ଶିହରଣ ଖେଳି ଯାଏ। କି ଅନୁପମ ଥିଲା ତାଙ୍କ ସ୍ପର୍ଶ ! ବାତ୍ସଲ୍ୟ ମମତାରେ ଫାଟି ଉଠୁଥିଲା ସେ।କେମିତି ଦିନ ଗୁଡାକ ଚାଲି ଯାଉଥିଲା, ସେ ଜାଣିପାରୁ ନ ଥିଲା। ଦୀର୍ଘ ତିନିଶହ ବର୍ଷ ହେଲାଣି ସେ ଛୁଆଙ୍କ ମୁହଁ ଆଉ ଦେଖିନି।ନିଃସଙ୍ଗତାର ଯନ୍ତ୍ରଣାରେ ଛଟପଟ ହୋଇ ମରି ମରି ବଞ୍ଚି ରହିଛି ସେଇମାନଙ୍କୁ...... ଚାହିଁ, କେବେ ଦେଖିବ ତାଙ୍କୁ ଆଖି ପୁରେଇ....,କେବେ ଦେଖିବ ତାଙ୍କ କୁନି ଓଠର ଗୁଲୁରୁ ଗୁଲୁରୁ ହସ....।

ପାଖରେ ବୁଢା ପାହାଡ଼ଟା କ୍ଲାନ୍ତରେ ବିଶ୍ରାମ ନେଉଛି।ପାଖରେ ଛିଡା ହୋଇ ଥଣ୍ଟ ଘଷୁଛି ସୁନ୍ଦରୀ ମୟୁରଟା।ପବନରେ ନାଚି ଉଠୁଛି ତା ଚିକ୍କଣ ରଙ୍ଗୀନ ଆକର୍ଷଣୀୟ ପୁଚ୍ଛ।

ଦୁଃଖମିଶା ଗଳାରେ କାଲଭେରିଆ କହିଲା,ପାହାଡ଼ ଭାଇ,ମୋ ଡୋଡୋ କୁ ଦେଖିଛ କି?

ମୁଁ ତ ଅଚଳ ହୋଇ ବସିଛି ଅଥର୍ବ ପରି,ମୁଁ କେମିତି ଦେଖିବି ଯେ?ପାହାଡ ଉତ୍ତର ଦେଲା...।

ତା ପରେ କେତେ ଆଶା ନେଇ ମୟୂରୀକୁ ପଚାରିଲା...ଏ, ଭଉଣୀ, ମୋ ଡୋଡୋ କୁ ଦେଖିଥିଲ କି?

ନା ତ,ଅନେକ ଦିନ ହେବ ତାକୁ ମୁଁ ଖୋଜୁଛି,ହେଲେ ତାକୁ ମୁଁ ପାଉନାହିଁ।

କାଲଭେରିଆ ଭାବିଲା ଏ ପବନ ତ ସବୁଆଡେ ବୁଲୁଛି,ସେ ନିଶ୍ଚୟ ତା ଡୋଡୋ କୁ ଦେଖିଥିବ।ଆକୁଳ ଓ ଆତୁର ହୋଇ ପଚାରିଲା, ପବନ ଭାଇ ମୋ ଡୋଡୋ ତୁମ ନଜରରେ ନାହିଁ ?

ପବନ କିଛି ନ କହି ଗୁମ୍ ମାରି ବସିଲା।କଣ ବା କହିବ ଯେ।ଏ ଡୋଡୋ ବିଷୟରେ କ'ଣ ବା ସେ ନ ଜାଣିଛି ? ତା ଆଖି ଆଗରେ ତା'ର ସବୁ କିଛି ଧୂଳିସାତ ହୋଇଗଲା।କେଡେ ସରଳ ନିରୀହ ଜୀବଟିଏ ସେ।ଦେଖିଲେ ଦୟା ଲାଗେ।କି ସୁନ୍ଦର ଚେହେରା ଥିଲା ତା'ର ! ଦେଖିଲେ ପେଟ ପୁରି ଯିବ, ଆଖି ଖୋସି ହୋଇଯିବ ପରା ! ପକ୍ଷୀଟିଏ ସିନା କିନ୍ତୁ ଉଡିପାରେନା।ଖାଲି ଖପ୍ ଖପ୍ ହୋଇ ତ କେତେବେଳେ ଢଳି ଢଳି ଚାଲୁଥାଏ।ଗୋଟେ ଗୋଟେ ଡୋଡୋ ପାଖାପାଖି ପଚିଶ କେଜିରୁ ବେଶୀ ହେବେ।

ପବନ ଦେଖୁଥାଏ କାଲଭେରିଆ ର ବିକଳ।ବିଚରା ଭାବୁଛି, କାଇଁ ଡୋଡୋକୁ ତ କେବେ ବି ମୁଁ ରାଗି ନାହିଁ।ମୋତେ ଛାଡ଼ି କେମିତି ଚାଲିଗଲା ଯେ।ସେ ଥିଲା, ମୋତେ ସବୁ ଥିଲା ପରି ଲାଗୁଥିଲା।ଧୀର ଗଳାରେ କହିଲା, ପବନ ଭାଇ, କିଛି କହିଲ ନାହିଁ ଯେ।ମୋ ଡୋଡୋ କ'ଣ ମୋତେ ରାଗିଛି,ମୋ କଥା କ'ଣ କହୁଥିଲା କି ? ପିଲାଟାକୁ ଟିକେ ବୁଝେଇ ଦେଲ ନାହିଁ।ଭାରି ଅଝଟିଆଟା।

ଦୀର୍ଘଶ୍ଵାସ ଟେ ପକାଇଲା ପବନ।କେଉଁଠୁ ଆରମ୍ଭ କରିବ ସେ କାହାଣୀ ସେ ଭାଵି ପାରିଲା ନାହିଁ।କେମିତି ନ କହିବ ଯେ। ହଁ କହୁଛି ଶୁଣ କହି ଆରମ୍ଭ କଲା ସେ କରୁଣ କାହାଣୀ।ସେ ତ ଦିବ୍ୟଦ୍ରଷ୍ଟା, ଆଉ ଲୁଚେଇ ଲାଭ କଣ।।

ସେଦିନ ପର୍ତ୍ତୁଗୀଜ ସାହେବ ମାନେ ନଦୀ,ସମୁଦ୍ର ପାର ହୋଇ ଆସିଲେ ଏଠାକୁ।ଅତିଥି ମାନଙ୍କୁ ଦେଖି ଡୋଡୋ ମାନଙ୍କର ଖୁସି କହିଲେ ନ ସରେ?କ'ଣ ଗୁଣୁ ଗୁଣୁ କିଚିରି ମିଚିରି କରି ସ୍ୱାଗତ କରିବାକୁ ଗାଇଲେ ସ୍ୱାଗତ ସଂଗୀତ।ତାଙ୍କ ଚାରିପଟେ ଘୁରି କଲେ କେତେ ଯେ ନାନା ଵାୟା ନାଚ।ଖୁସି ରେ ଫାଟି ପଡୁଥିଲେ ସେମାନେ।ଲୋଭାତୁର ପର୍ତ୍ତୁଗୀଜ ମାନେ ଦଳ ବଳ ଧରି ଆସିଥିଲେ ସିନା ବଣିଜ ବେପାର କରିବା ଆଶାରେ ହେଲେ ସାଥିରେ ଆଣିଥିଲେ ସଉକରେ ରଖିଥିବା ବିଲେଇ ଓ କୁକୁର ଦଳକୁ।ଡୋଡୋ ମାନେ ଦେଖି ଡରୁଥିଲେ ସେମାନଙ୍କୁ।ସତରେ ସେ ବଦମାସ ଗୁଡାକ ଡୋଡୋଙ୍କର କି ସର୍ବନାଶ କଲେ... ଶୁଣିଲେ ତୁମେ ମୁଣ୍ଡରେ ହାତ ଦେବ।ଆଇସିଣିଆ ବିଲେଇ ଗୁଡାକ ଖାଇଦେଲେ ଡୋଡୋର ଅଣ୍ଡାଗୁଡିକୁ।ଆଉ ବଦମାସ କୁକୁର ଗୁଡାକ ମାରି ଖାଇଗଲେ ଡୋଡୋ ଚିଆଁ ଗୁଡାକୁ।ଧୀରେ ଧୀରେ ସଂଖ୍ୟା କମିବାକୁ ଲାଗିଲା।ଏତିକିରେ ଦୁଃଖ ସରିଲା ନାହିଁ।ମଦ୍ୟପ ସାହେବ ଗଣ ଖୋଜିଲେ ମଦ ସଂଗେ ମାଂସ।ଆମ ଦେଶୀୟ ତୋଷାମଦକାରୀ ଚୁଗୁଲିଆ ଦଳ ଦେଖାଇଲେ ଡୋଡୋର ସୁନ୍ଦର ଚେହେରା ତଳେ ଲୁଚିଥିବା ଛନ ଛନିଆ କଅଁଳିଆ ମାଂସକୁ।ଥରେ ଏ ମଧୁର ମାଂସ ପାଟିରେ ଲାଗିଲା ତ ଚାଲିଲା ଚାଖଣା।ଏସବୁ ଦେଖି ମୋ ହୃଦ ଫାଟି ଯାଉଥାଏ,ଆତ୍ମା କାନ୍ଦୁଥାଏ।ଧୀରେ ଧୀରେ ଡୋଡୋ ସଂଖ୍ୟା କମିଗଲା।ଯିଏ ରହିଲେ ପ୍ରାଣ ବିକଳେ ଲୁଚିଲେ ,ଉଡି ଜାଣି ନ ଥିବାରୁ ସହଜରେ ବି ଶୀକାର ହେଲେ।ଲୋପ ପାଇଗଲା ତାଙ୍କ ବଂଶ!

ଏତିକି ଶୁଣିବା ମାତ୍ରେ କାଲଭେରିଆଟା ରଡି ଛାଡି କାନ୍ଦିଲା।ପବନ ବୁଝାଇବାକୁ ବହୁତ ଚେଷ୍ଟା କଲା ହେଲେ ଧକେଇ ଧକେଇ ବାହୁନି କାନ୍ଦିଲା କାଲଭେରିଆ।କେମିତି କାନ୍ଦିବନି ଯେ।ଏ ଡୋଡୋ ପାଇଁ ପରା ତା ବଂଶ ବଢ଼ୁଥିଲା।ଲୁହ ପୋଛୁ ପୋଛୁ ପବନ କହିଲା, ଭାଇ ଏ ଡୋଡୋ ତୁମର ଏତେ ପ୍ରିୟ ଥିଲା !!! କେବଳ ପ୍ରିୟ ନ ଥିଲା ସେ ଥିଲା ଆମ ଜାତି ପାଇଁ ଜୀବନ।ଏଇ ଦେଖ, ଜଙ୍ଗଲରେ କେତେ ଗଛ ଲତା, କି ଆନନ୍ଦରେ ନାଚୁଛନ୍ତି,ନିଜ ପୁଅ ଝିଅ ନାତି ନାତୁଣୀକୁ ନେଇ କି ମଜା ଖୁସି କରିଛନ୍ତି।ଆଜି ଡୋଡୋ ନାହିଁ ବୋଲି ମୋ ସଂସାର ଭାସିଯାଇଛି।ମୁ ଆଜି ନିଃସ୍ବ,ନିଃସଙ୍ଗ,କେହି ମୋର ନାହିଁ।ଚିନ୍ତାର ଭଉଁରୀ ରେ ଘୁରୁଥିଲା ପବନ।ଭାବିଲା ଏ ଡୋଡୋ ସହ ୟା ବଂଶର କି ସମ୍ପର୍କ? କାଲଭେରିଆ କହିଲା ଭାଇ, ମୋ ଫଳ ଦେଖୁଛ.. ବହୁତ ଟାଣ । ତା ଚୋପା ଏତେ ଵହଳ ଯେ ଆପେ ଆପେ ତା ଭିତରୁ ବୀଜଟା ଫଟାଇ ଆସି ପାରେ ନାହିଁ।ସେ ଡୋଡୋଟା ଭାରି ଭଲ ପାଉଥିଲା ମୋ ଫଳକୁ।ଗିଳି ପକାଉଥିଲା ଗୋଟିକ ପରେ ଗୋଟେ।ମୁ ବି ଖୁସି ହେଉଥିଲି, କହୁଥିଲି,ଖାଉ ମୋ ଛୁଆଟା।ଗିଳି ସିନା ପକାଏ ତା ପେଟରେ ମୋ ଫଳ ରହି ନରମ ହୋଇଯାଏ।ହଜମ କରି ନ ପାରି ମଳରେ ବାହାରି ଯାଏ।ସେ ଫଳରୁ ଧୀରେ ଧୀରେ ଗଜା ବାହାରି ଗଛ ହୁଏ।ମୋ ବଂଶ ବଢିଯାଏ।ସେ ଯେଉଁଦିନରୁ ଗଲାଣି ସେଇ ଦିନଠୁ ମୁଁ ମୋ ପୁଅ ଝିଅ ମୁହଁ ଦେଖି ପାରିନାହିଁ।ମୋତେ ତିନିଶ ବର୍ଷ ହେଲାଣି।ମୋର ମୃତ୍ୟୁ ଆସିଲାଣି ପାଖେଇ ପାଖେଇ।

ଏତିକି କହୁ କହୁ ତା ଆଖିରୁ ଝରିପଡ଼ିଲା ସବୁକିଛି ହରାଇ ଥିବା ସର୍ବହରାର ଚିରସ୍ରୋତା ଅଶ୍ରୁ। ଆଉ ଡୋଡୋ ନ ଆସିବା ଶୁଣି ତା ହୃଦୟ ଫାଟିଯାଉଥିଲା।

ଭାବବିହ୍ଵଳ ହୋଇ ପବନର ଆଖିରୁ ଝରିଗଲା କେଇଟୋପା ଜଳକଣାଥିବା ଅଶ୍ରୁଧାର।ବାସ୍ତବରେ ଏ ସୃଷ୍ଟିର ସମ୍ପର୍କର ବନ୍ଧନଟାକୁ ପାଖରୁ ଅନୁଭବ କଲା ସେ।ଗୋଟିଏ ବିନା ଗୋଟିକ ଜୀବନ ଶ୍ମଶାନ- ଉପଲବ୍ଧି ହେଲା ତାର।

ବାର୍ଦ୍ଧକ୍ୟର ଝରକାଫାଙ୍କରେ ବସି ନିଜର ଲୁହକୁ ନିଜେ ପୋଛୁଥିଲା କାଲଭେରିଆ।ଖାଲି ଏତିକି ଶୁଭୁଥିଲା ଆରେ ଡୋଡୋ.. ମୋତେ ଏ ଵୃଦ୍ଧକାଳରେ ଛାଡ଼ିଦେଇ ଏକା ଏକା ଶୁନ୍ୟକୁ ଚାଲି ଗଲୁରେ ଧନ।କିଏ ପୋଛିଦେଵ ମୋ ଆଖିର ଲୁହ?

*ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*


Rate this content
Log in

Similar oriya story from Children