Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Tragedy

2.7  

T.Durga Prasad Rao

Tragedy

ସମୟ ହିଁ ତ ନାହିଁ

ସମୟ ହିଁ ତ ନାହିଁ

7 mins
737



- ମାଉସୀ, କିଛି ଖରାପ ଭାବ ନାହିଁ, ମୋ ପାଖରେ ସମୟ ନାହିଁ, ସମୟ ହିଁ ତ ନାହିଁ। ନଚେତ୍ ତମେ କହିବ ଆଉ ମୁଁ ଏତିକି ଟିକିଏ କାମ ତମ ପାଇଁ କରି ଦେବିନାହିଁ। ବାଇକ୍ ବୁଲେଇ ଦେଇ ଚାଲିଗଲେ ଦିନେଶ୍ ଭାଇ। ଦିନେଶ୍ ମଣ୍ଡଳ। ଆମ ପଡ଼ୋଶୀ ସୁରଜିତ୍ ଅଙ୍କଲ୍.ଙ୍କ ପୁଅ। ମୁଁ ସେତେବେଳେ ସପ୍ତମ ଶ୍ରେଣୀର ଛାତ୍ର। ଦିନେଶ୍ ଭାଇଙ୍କ ଏ ସମୟ ତତ୍ତ୍ୱ ମୁଁ ଠିକ୍ ରୂପେ ବୁଝିପାରେ ନାହିଁ। ମାଆ କଣ ଏତେ ବଡ଼ କାମଟିଏ କହିଲେ ଯେ ସେଥିପାଇଁ ତାଙ୍କୁ ସମୟ ବାହାର କରିବାକୁ ହେବ। ସେଇ ବାଟ ଦେଇ ଯିବେ ତ କରେଣ୍ଟ୍ ବିଲ୍.ଟା ପୈଠ କରିଦେବାକୁ କହିଲେ। ଏଥିରେ କଣ ଏମିତି ପୃଥିବୀ ଓଲଟ ପାଲଟ ହେଇଯିବ।

ଦିନେଶ୍ ଭାଇ ଏବେ ଏବେ ଯୁକ୍ତ ତିନି ପଢ଼ା ଶେଷ କରିଛନ୍ତି। ପଢ଼ା ତାଙ୍କର ଏତେ ଭଲ ହୁଏ ନାହିଁ। କିନ୍ତୁ ନବାବୀ କାଇଦା। ପଇସା ରୋଜଗାରରେ ସିଦ୍ଧହସ୍ତ। କାହା ସହ କେମିତି କଥା ହେବାକୁ ହୁଏ ଠିକ୍ ଜାଣନ୍ତି। ବିନା ମୂଲ୍ୟରେ କିଛି ମଧ୍ୟ କରନ୍ତି ନାହିଁ। ବେଳେ ବେଳେ ସୁରଜିତ୍ ଅଙ୍କଲ୍ ତାଙ୍କର ପିଲା ବେଳର କାହାଣୀ କହନ୍ତି। କେମିତି ତାଙ୍କ ନିଜ ପାଇଁ ପେନ୍ କି ପେନ୍.ସିଲ୍.ଟିଏ ଆଣିବାକୁ କହିଲେ ମଧ୍ୟ ଚକୋଲେଟ୍.ଟିଏ ତାଙ୍କର ଲାଞ୍ଚ ଦରକାର। ଅର୍ଥାତ୍ ପ୍ରତି କାମରେ ସେ ଖୋଜନ୍ତି ଫାଇଦା। ସୁରଜିତ୍ ଅଙ୍କଲ ଅବଶ୍ୟ ତାଙ୍କ ପୁଅର ପାରିବା ପଣିଆରେ ଖୁସି ହୁଅନ୍ତି। ଯୁକ୍ତ ତିନି ସରୁ ସରୁ ସେ କେମିତି କାହା ସହିତ ମିଶି ପାର୍ଟନର୍.ସିପ୍.ରେ ଠିକାଦାରୀ କରୁଛନ୍ତି ଆଉ ନିଜେ ନିଜ ଗୋଡ଼ରେ ଠିଆ ହୋଇ ପାରିଛନ୍ତି। ବାଇକ୍.ଟି ସେ ନିଜ ରୋଜଗାର ପଇସାରେ କ୍ରୟ କରିଛନ୍ତି।


ପ୍ରତି କାମରେ ହାତ ଦିଅନ୍ତି ଦିନେଶ୍ ଭାଇ। କୌଣସି କାମ ତାଙ୍କୁ ଅଜଣା, ଏକଥା କେହି କହି ପାରିବ ନାହିଁ। ଋତୁ ହିସାବରେ ତାଙ୍କ ରୋଜଗାର ପନ୍ଥା ବଦଳେ। ଏଇ ଯେମିତି ରାଶି ଅମଳ ସମୟରେ ସେ ହାଟ ହାଟ, ଗାଁ ଗାଁ ବୁଲି ଚାଷୀମାନଙ୍କ ଠାରୁ ଖୁବ୍ କମ୍ ଦାମ୍.ରେ ରାଶି କ୍ରୟ କରି ବଡ଼ ରାଶି କ୍ରେତାଙ୍କୁ ବିକ୍ରି କରିଦିଅନ୍ତି। ବାଦାମ୍ ସମୟରେ ବାଦାମ୍, ଲଙ୍କା ମରିଚ ସିଜନ୍.ରେ ଲଙ୍କା ମରିଚ ଇତ୍ୟାଦି ଇତ୍ୟାଦି। ଆଉ ଠିକାଦାରୀ କାମ ତ ଚାଲିଥାଏ ବର୍ଷ ସାରା। ଦିନେଶ୍ ଭାଇଙ୍କ ପରିଶ୍ରମକୁ ଲକ୍ଷ୍ୟ କରି ମୋ ଡାଡି ବେଳେ ବେଳେ ମୋତେ ତାଙ୍କର ଉଦାହରଣ ଦିଅନ୍ତି। କହନ୍ତି, କିଛି ଶିଖ୍ ଦିନେଶ୍ ଠାରୁ। କେତେ କମ୍ ବୟସରୁ କେମିତି ସେ ତା ବାପାଙ୍କ ସାହାରା ହୋଇଛି, ଆଉ ସମୟର ମୂଲ୍ୟ ବୁଝିପାରିଛି। ସମୟକୁ ଅର୍ଥରେ ପରିବର୍ତ୍ତିତ କରିବାର କଳା ଦିନେଶ୍ ଛଡ଼ା ଆଉ କିଏ ବା ଅଧିକ ଜାଣେ?

ଅଷ୍ଟମ ପଢ଼ିବା ପାଇଁ ମୁଁ ଚାଲିଗଲି ଭୁବନେଶ୍ୱର। ହଷ୍ଟେଲ୍.ରେ ରହି ପଢ଼ିଲି ପୁରା ତିନି ବର୍ଷ। ଏ ତିନି ବର୍ଷ ଭିତରେ ମୁଁ ଯେ ମୋ ସହରକୁ ମୋଟେ ଆସିନାହିଁ, ସେକଥା ନୁହେଁ, କିନ୍ତୁ ଅଳ୍ପ କିଛି ଦିନର ରହଣୀ ଭିତରେ ମୁଁ ଦେଖି ପାରେନି ଦିନେଶ୍ ଭାଇଙ୍କୁ। ସେ ସବୁବେଳେ କାର୍ଯ୍ୟବ୍ୟସ୍ତ। ତେବେ ତାଙ୍କ ବିଷୟରେ ଶୁଣେ କିଛି କିଛି ଡାଡିଙ୍କ ଠାରୁ। କେମିତି ସେ ଠିକାଦାରୀ ସହିତ ରାଜନୀତି ମଧ୍ୟ କରୁଛନ୍ତି। ଇଲେକ୍ସନ୍ ସିଜନ୍.ରେ ଏକ ନିର୍ଦ୍ଦିଷ୍ଟ ନିର୍ବାଚନ ଦଳର ପ୍ରଚାର କାର୍ଯ୍ୟର ଦାୟିତ୍ୱ ନେଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏସବୁ ଶୁଣି ମୁଁ ଭାବେ, ମୁଁ ଏବେ ନିହାତି ଛୋଟ ଏସବୁ ବିଷୟରେ ଚିନ୍ତା କରିବା ପାଇଁ।

ଦିନ ଗଡ଼ି ଚାଲେ। ସେଇ ଭୁବନେଶ୍ୱରରେ ହିଁ ମେସ୍.ରେ ରହି ମୋର ଯୁକ୍ତ ଦୁଇ ଯୁକ୍ତ ତିନି ପଢ଼ା ଶେଷ ହୁଏ। ତାପରେ ଡାଡି ମୋତେ ଦିଲ୍ଲୀ ପଠେଇ ଦିଅନ୍ତି ଏମ୍.ବି.ଏ ଉଦ୍ଦେଶ୍ୟରେ। ବୋଧେ ଡାଡିଙ୍କର ମଧ୍ୟ ପ୍ରଚ୍ଛନ୍ନ ଅଭିଳାଷଟିଏ ଥିବ ତାଙ୍କ ପୁଅ ମଧ୍ୟ ଦିନେଶ୍ ଭଳି ସମୟକୁ ଅର୍ଥରେ ପରିବର୍ତ୍ତିତ କରିବାର କଳା ଶିଖୁ। ଦିଲ୍ଲୀ ଯିବା ପୂର୍ବରୁ ମୁଁ ଛୁଟିରେ ଆସୁଥାଏ ଘରକୁ। ମୋ ସହରକୁ ଭୁବନେଶ୍ୱରରୁ ସିଧାସଳଖ କୌଣସି ଗମନାଗମନାର ବ୍ୟବସ୍ଥା ନ ଥାଏ। ମୁଁ ଟ୍ରେନ୍ ଯୋଗେ ଜୟପୁରରେ ପହଞ୍ଚି ସେଇଠୁ ବସ୍ ଧରି ପହଞ୍ଚେ ମୋ ସହରରେ। ମୁଁ ଷ୍ଟେସନ୍.ରୁ ଅଟୋଟିଏ ଧରି ବସଷ୍ଟାଣ୍ଡ୍.ରେ ପହଞ୍ଚିଛି, ହଠାତ୍ ଦେଖା ହୋଇଗଲା ଦିନେଶ୍ ଭାଇଙ୍କ ସହ। ସେ ଆମ ସହରର ବିପରୀତ ଦିଗରେ କାର୍ ଚଳାଉଥିଲେ। କହିଲେ, ଘରକୁ ଯଦି ଯିବାର ଅଛି, ତାହେଲେ ତୁ ଏଇଠି ମୋତେ ଅପେକ୍ଷା କର। ମୁଁ କାମ ସାରିଦେଇ ଠିକ୍ କୋଡ଼ିଏ ମିନିଟ୍.ରେ ଫେରିବି। ତୋତେ କିନ୍ତୁ ଖୋଜିବାକୁ ମୋ ପାଖରେ ସମୟ ନ ଥିବ। ତୁ ଏଇଠି ଏ ପାନ ଦୋକାନ ଆଗରେ ଠିଆ ହୋଇଥିବୁ, ହେଲା। ମୁଁ ହିସାବ କରି ଦେଖିଲି କାର୍ ଛାଡ଼ି ବସ୍.ରେ ଗଲେ ମୋତେ ଘରେ ପହଞ୍ଚିବାକୁ ଅଧିକ ସମୟ ଲାଗିବ। ଏଣୁ ଅପେକ୍ଷା କରିବାଟା ହିଁ ବୁଦ୍ଧିମାନ୍.ର କାମ ହେବ। ସମୟର ପକ୍କା ଦିନେଶ୍ ଭାଇ। ଠିକ୍ କୋଡ଼ିଏ ମିନିଟ୍.ରେ ଆସି ପହଞ୍ଚିଲେ ଉଦ୍ଦିଷ୍ଟ ସ୍ଥାନରେ। ମୁଁ ଡୋର୍ ଖୋଲି ବସି ପଡ଼ିଲି ଆଗ ସିଟ୍.ରେ।

ଦାମୀ କାର୍। ଭିତରେ ଏ.ସି. ଲାଗିଛି। କାର୍.ର ଚାକଚକ୍ୟ କହୁଛି କାର୍.ଟି ନିହାତି ଦଶ ଲକ୍ଷରୁ ଅଧିକ ହେବ। ମୁଁ କଥା ଛଳରେ ପଚାରିଦେଲି, ଭାଇ କାର୍.ଟା କେବେ ଆଣିଲ? ଗତ ଥର ତ ମୁଁ ଦେଖି ନ ଥିଲି? ଅଡ଼ିଓ ସିଷ୍ଟମ୍.ର ଭଲ୍ୟୁମ୍ ଟିକିଏ କମାଇ ଦେଇ କହିଲେ, ତୁ କୋଉଠି ରହୁଛୁ ଯେ ଦେଖିବୁ? ୟା ପୂର୍ବରୁ ଦୁଇ ଦୁଇଟା ଗାଡ଼ି ଚଳାଇ ସାରି ବିକ୍ରି କରି ସାରିଲିଣି। ଏଇଟା ମୋର ତୃତୀୟ ନମ୍ବର କାର୍। ଏଇ ଛଅ ମାସ ହେଲା କିଣିଛି। ତାପରେ ସେ କାର୍.ର ଫିଚର୍.ସ୍ ଉପରେ ଯାଚି ପଡ଼ି ଗୋଟିଏ ଛୋଟିଆ ଭାଷଣ ଦେଲେ। ମୋତେ ସେସବୁ କହିବାର କିଛି ଆବଶ୍ୟକତା ନ ଥିଲା। କାରଣ ମୋର ନିକଟ ଭବିଷ୍ୟତରେ କାର୍ କିଣିବାର କିଛି ଉଦ୍ଦେଶ୍ୟ ନ ଥିଲା। ହଠାତ୍ ଖଣ୍ଡେ ଦୂରରୁ ରାସ୍ତା ଉପରେ କୋଳାହଳ ଦେଖି ଦିନେଶ୍ ଭାଇ ଗାଡ଼ିଟିକୁ ଧୀର କରିଦେଲେ। ବୁଝାବୁଝି କରିବାରୁ ଜଣା ପଡ଼ିଲା ଗୋଟିଏ ବାଇକ୍ ଚାଳକ ଗାଡ଼ିର ନିୟନ୍ତ୍ରଣ ହରାଇ ପିଟି ହୋଇ ଯାଇଛି ରାସ୍ତା କଡ଼ରେ ଥିବା ଗୋଟିଏ ବୃକ୍ଷ ସହ। ଅବସ୍ଥା ସଙ୍କଟାପନ୍ନ। ପାଖରେ ଗାଁଟିଏ ଥିବାରୁ ଲୋକମାନେ ଠିଆ ହୋଇ କୋଳାହଳ କରୁଛନ୍ତି। ଆମ କାର୍ ଦେଖି ତାଙ୍କ ଭିତରୁ ଜଣେ କହିଲା, ଆଜ୍ଞା, ଅଳ୍ପ ତ ଦୂର। ଟିକିଏ ଆପଣଙ୍କ କାର୍.ରେ ଉଠାଇ ନେଇଯାଆନ୍ତୁ ଜୟପୁର। ଡେରି ହେଲେ ବିଚରା ମରିଯିବ। ଦିନେଶ୍ ଭାଇ ଗାଡ଼ିକୁ ଟିକିଏ ଗତିଶୀଳ କରି ସାଇଡ୍ ଗ୍ଳାସ୍ ଉଠାଇ ଦେଉ ଦେଉ ଲୋକଟି ଉଦ୍ଦେଶ୍ୟରେ କହିଲେ, ଭାଇ ମୋ ପାଖରେ ସମୟ ନାହିଁ, ସମୟ ହିଁ ତ ନାହିଁ। ନଚେତ୍ ଲୋକଟିଏ ଏତେ ସଙ୍କଟାପନ୍ନ ଅବସ୍ଥାରେ ପଡ଼ିଛି ଆଉ ମୁଁ ସାହାଯ୍ୟ କରନ୍ତି ନାହିଁ। ତାପରେ ଗାଡ଼ି ଗଡ଼େଇନେଲେ ଦ୍ରୁତ ଗତିରେ। ମୁଁ ବୁଝି ପାରୁନଥିଲି ଦିନେଶ୍ ଭାଇ ଲୋକଟିକୁ ଗାଡ଼ିରେ ନ ଉଠାଇ ଠିକ୍ କଲେ କି ଭୁଲ୍ କଲେ। ଅବଶ୍ୟ ଆମେ ଜୟପୁର ଛାଡ଼ି ପାଖା ପାଖି ତିରିଶି କିଲୋମିଟର ବାଟ ଆସି ସାରିଥିଲୁ। ତେଣେ ଅନ୍ଧାର ବି ଘନେଇ ଆସୁଥିଲା।

ଏମ୍.ବି.ଏ.ର ପ୍ରଥମ ବର୍ଷର ଛୁଟିରେ ମୁଁ ଘରକୁ ଆସିଥାଏ। ବାରଣ୍ଡାରୁ ମୋତେ ଦେଖି ଦିନେଶ୍ ଭାଇ ଖୁସି ମନେ ହେଲେ। ହେଲେ ମୁଁ କିନ୍ତୁ ଦିନେଶ୍ ଭାଇଙ୍କୁ ଦେଖି ଖୁସି ହୋଇ ପାରିଲି ନାହିଁ। ତାଙ୍କର ପୂର୍ବର ଚେହେରା ଆଉ ନ ଥିଲା। ଆଖି ତଳେ କଳା ଦାଗ ସ୍ପଷ୍ଟ ଦିଶୁଥିଲା। ମୁଖ ସମ୍ପୂର୍ଣ୍ଣ ବିଷର୍ଣ୍ଣ, ଭାରାକ୍ରାନ୍ତ। ସତେକି ଜୀବନର କିଛି ଗୋଟେ ବଡ଼ ଦୁଶ୍ଚିନ୍ତା ତାଙ୍କୁ ମାଡ଼ି ବସିଛି। ଡାଡିଙ୍କୁ ପଚାରି ବୁଝିଲି କଥାଟା କଣ? ଏତେ କ୍ଳାନ୍ତ, ବିଷର୍ଣ୍ଣ ମୁଁ କେବେ ଦେଖିନାହିଁ ଦିନେଶ୍ ଭାଇଙ୍କୁ? ଡାଡି ଦୀର୍ଘଶ୍ୱାସଟିଏ ଛାଡ଼ି କହିଲେ, ତୋର ଦିନେଶ୍ ଭାଇକୁ କ୍ୟାନ୍.ସର୍। ଏ ଦୁନିଆଁ ପାଇଁ ଅଳ୍ପ ଦିନର ଅତିଥି ସେ। ମୁଁ ହତଚକିତ ହୋଇ ଅବିଶ୍ୱାସ ମୁହଁରେ ଚାହିଁଲି ଡାଡିଙ୍କ ଆଡ଼କୁ। ସେ ହାତ ତୋଳି ଉପରକୁ ଚାହିଁଲେ ଭଗବାନଙ୍କ ଉଦ୍ଦେଶ୍ୟରେ। ମୁଁ ତରତରରେ ବ୍ୟାଗ୍.ଟାକୁ ମୋ ରୁମ୍.ରେ ଫୋପାଡ଼ି ଦେଇ ପହଞ୍ଚିଲି ଦିନେଶ୍ ଭାଇଙ୍କ ଘରେ। ମୋ ଚିନ୍ତାଗ୍ରସ୍ତ ମୁହଁକୁ ପଢ଼ିନେଇ ସେ କହିଲେ, ତାହେଲେ ତୁ ଜାଣି ସାରିଲୁଣି ମୋ ବିଷୟରେ। ମୁଁ କହିଲି, ମୁଁ ଦୁଃଖିତ।


- ଆରେ, ତୁ କାହିଁକି ଦୁଃଖ ପ୍ରକାଶ କରୁଛୁ? ମୁଁ ଆପଣା କର୍ମଫଳ ଭୋଗୁଛି। ତାପରେ କିଛି ସମୟ ନିରବ ରହି କହିଲେ, ଚାଲ୍ ଗୋଟେ ଆଡ଼େ ଯାଇ ଆସିବା। ସେ ସଙ୍ଗେ ସଙ୍ଗେ କାହାକୁ ଫୋନ୍ କଲେ। ତାପରେ ଗାଡ଼ି ବାହାର କରି ମୋତେ ବସିବାକୁ କହିଲେ। ଅଳ୍ପ ସମୟର ବ୍ୟବଧାନରେ କାର୍ ଯାଇ ପହଞ୍ଚିଲା ତାରିଣୀ ମନ୍ଦିର ପୀଠରେ। ଅଣଓସାରିଆ ରାସ୍ତାରେ ଆମେ ଚାଲି ଚାଲି ଉଠିଲୁ ମା ତାରିଣୀଙ୍କ ମନ୍ଦିର ପ୍ରାଙ୍ଗଣ ପର୍ଯ୍ୟନ୍ତ। ମନ୍ଦିର ଭିତରକୁ ନ ଯାଇ ଦିନେଶ୍ ଭାଇ ମୋ ହାତ ଟାଣି ବସାଇଦେଲେ ମନ୍ଦିରକୁ ଲାଗି ଗୋଟିଏ ମଣ୍ଡପ ଉପରେ। ପଚାରିଲେ, ମୋ ପଢ଼ାପଢ଼ି ବିଷୟରେ। ମୋ ଜୀବନର ଲକ୍ଷ୍ୟ ବିଷୟରେ। ପଚାରି କେବଳ ଶୁଣିଲେ। କୌଣସି ମତାମତ ନାହିଁ କି ଉପଦେଶ ମଧ୍ୟ ନାହିଁ। ଆମର ଅଳ୍ପ ସମୟର କଥାବାର୍ତ୍ତା ଭିତରେ ଜଣେ ଯୁବତୀ ଆସି ପହଞ୍ଚିଲା ସେ ସ୍ଥାନରେ। ମୁଁ ତାକୁ ଚିହ୍ନେ। ସେ କିନ୍ତୁ ମୋତେ ଦେଖି ଟିକିଏ ଇତସ୍ତତଃ ହେଲା। ଦିନେଶ୍ ଭାଇ କହିଲେ, ଆରେ ଶୋଭା, ତାକୁ ଚିହ୍ନିନ କି ସେ ମୋ ସାନ ଭାଇଟା ପରା? ଏଇଠି ବସ। ମୁଁ କହିଲି, ମୁଁ ଟିକିଏ ଦୂରରେ ଅଛି। ତମେ କଥା ହୁଅ। ୟା ଭିତରେ ମୁଁ ଦେବୀଙ୍କୁ ମୁଣ୍ଡିଆଟେ ମାରି ଆସେ। ଦିନେଶ୍ ଭାଇ ମୋ ହାତଟା ଭିଡ଼ି ଧରିଲେ। କହିଲେ, ହଁ ମୁଣ୍ଡିଆ ମାରିବୁ ପରେ, ବସେ। ମୁଁ ଉଠୁ ଉଠୁ ପୁଣି ବସି ପଡ଼ିଲି।

ସେ ଶୋଭା ଉଦ୍ଦେଶ୍ୟରେ କହିଲେ, ତମକୁ ଖାସ୍ କଥାଟିଏ କହିବି ବୋଲି ଡାକିଲି। ତମେ ମୋର ଅନେକ ଦିନର ଘନିଷ୍ଠ ବାନ୍ଧବୀ। ଆମର ସ୍କୁଲ୍, କଲେଜ୍ ସବୁ ଏକତ୍ର କଟିଛି। ତେଣୁ କଥାଟି ତମେ ଜାଣିବା ନିହାତି ଦରକାର। ନଚେତ୍ ପରେ କହିବ ମୁଁ କେମିତି ଜଣାଇଲି ନାହିଁ ଏତେ ବଡ଼ କଥାଟା।

ମୁଁ ମନରେ ଉତ୍କଣ୍ଠା ନେଇ ଶୁଣୁଥାଏ ଦିନେଶ୍ ଭାଇଙ୍କ କଥା, କଣ ସେ କହିବାକୁ ଚାହାନ୍ତି?

ଦିନେଶ୍ ଭାଇ କହି ଚାଲିଲେ, ମୁଁ ଗୋଟେ ଝିଅକୁ ଭଲ ପାଇ ବସିଛି। ତମେ ଜାଣ ତାକୁ ଭଲ ଭାବରେ। ମୁଁ କେବେ ସାହସ କରିନାହିଁ ନିଜ ଆଡ଼ୁ ତାକୁ ପଚାରିବା ପାଇଁ ସେ ବି ମୋତେ ଭଲ ପାଏକି ନା? ହୁଏତ ସେ ବି ମୋତେ ଭଲପାଏ ମୋର ଯାହା ଅନୁମାନ।

ଶୋଭା ମୁହଁରେ ଚିନ୍ତାର ପରସ୍ତ। ପଚାରିଲା, କିଏ ସେ ଝିଅ? କେବେଠାରୁ ତମେ ତାକୁ ଭଲପାଉଛ? କାହିଁ ଆଗରୁ ତ ମୋତେ କେବେ କହି ନାହଁ ଏକଥା?

ଦିନେଶ୍ ଭାଇ ଦୁଇ ହାତ ପାପୁଲିରେ ଆଖି ଦୁଇଟାକୁ ମନ୍ଥି ଦେଇ କହିଲେ, ନା, ମୁଁ ବି ଏବେ ଏବେ ଜାଣୁଛି ମୁଁ ତାକୁ ଭଲପାଏ ବୋଲି। ଏବେ କିନ୍ତୁ ସେସବୁର କିଛି ଆବଶ୍ୟକତା ନାହିଁ। କାହିଁକି ଜାଣ, ଏ ପ୍ରେମଜଞ୍ଜାଳରେ ପଡ଼ିବାକୁ ମୋର ଆଉ ସମୟ ନାହିଁ।


- ପ୍ରେମ କରିବାକୁ ଅଲଗା ସମୟ ଗୋଟେ କଣ ଦରକାର? ପ୍ରେମ ତ ଦୁଇ ହୃଦୟର କଥା। ପରସ୍ପର ପ୍ରତି ପ୍ରେମ ଅଛି ଆଉ ତାହା ଦୁହେଁ ଜାଣନ୍ତି, ସେତିକି ତ ଯଥେଷ୍ଟ। ଶୋଭା ନିରାଶ ମୁହଁରେ ଟିକିଏ ବିରକ୍ତି ଫୁଟାଇ କହିଲା। ସେ ପ୍ରେମିକାଟି ଶୋଭା ନିଜେ ନୁହଁ ଭାବି ବୋଧହୁଏ ମନେ ମନେ ଈର୍ଷାରେ ଜଳି ଉଠୁଥିଲା।

- ଶୋଭା, ତମେ କୁହ, ଏବେ ତାକୁ ମୋର ଜଣାଇବା କଣ ଉଚିତ ହେବ? ମୋ ହାତରେ ଯେ ସମୟ ବହୁତ କମ୍। ସମୟ ହିଁ ତ ନାହିଁ ମୋ ପାଖରେ। ମୋତେ ବ୍ଳଡ୍ କ୍ୟାନ୍.ସର୍, ଶୋଭା। ଏବେ ମୋ ମନ କଥା ଜଣାଇ ତାକୁ ଦୁଃଖୀ କରିବା ମୋର କଣ ଉଚିତ ହେବ ଭାବୁଛ? ଏତେ ଦିନ ସେ ଜାଣି ପାରିଲାନି ମୁଁ ତାକୁ ଭଲପାଏ ବୋଲି। ଆଉ କିଛି ଦିନ ନ ଜାଣି ରହିଗଲେ କ୍ଷତି କଣ?

ଦିନେଶ୍ ଭାଇଙ୍କୁ ବ୍ଳଡ୍ କ୍ୟାନ୍.ସର୍ ହେଇଛି ଶୁଣି ଦେଇ ଯେମିତି ତଟସ୍ଥ ହେଇଗଲା ଶୋଭା। କେତେ ସମୟ ସେମିତି ଚାହିଁ ରହିଗଲା ମୂର୍ତ୍ତିଟିଏ ପରି। ପାଟିରୁ ତାର ଆଉ କିଛି କଥା ବାହାରିଲା ନାହିଁ। ତେବେ ଆଖିରୁ ଝରି ଆସିଲା ଧାର ଧାର ହୋଇ ଲୁହ। ଦିନେଶ୍ ଭାଇ ଉଠି ଠିଆ ହୋଇ ପଡ଼ିଲେ। କହିଲେ, ମୁଁ ଆସୁଛି, ଶୋଭା। ମୁଁ ଜାଣେ, ମୋ ଭଳି ତମର ମଧ୍ୟ ରାୟ ହେବ ମୁଁ ତାକୁ ମୋ ମନ କଥା ଯେମିତି ନ ଜଣାଏ।

ଶୋଭାକୁ ଭାବିବାକୁ, ଆଉ ବୋଧେ ଟିକେ କାନ୍ଦିବାକୁ ଛାଡ଼ିଦେଇ ଆମେ ଓହ୍ଲାଇ ଆସିଲୁ କାର୍ ପାଖକୁ। କାର୍.ରେ ବସିଲା ପରେ ଦିନେଶ୍ ଭାଇ ମୋ ଆଡ଼େ ଚାହିଁ ପଚାରିଲେ, ପ୍ରସାଦ, ମୁଁ ଶୋଭାକୁ ମୋ ମନ କଥା ନ କହି ଠିକ୍ କରିଛି ନା? ତୋ ମତାମତ କଣ? ଏତେ ଦିନ ସମୟକୁ ଅର୍ଥରେ ପରିବର୍ତ୍ତିତ କରିବା ନିଶାରେ ମୁଁ ଭୁଲି ଯାଇଥିଲି ସମ୍ପର୍କର ମିଠାପଣକୁ, ଦାୟିତ୍ୱବୋଧକୁ, ସମ୍ପର୍କ ରଜ୍ଜୁରେ ଥିବା ମହନୀୟତାକୁ। ମୋ ହାତରେ ଆଉ ଦୁଇ ମାସ ସମୟ ଅଛି। ଏବେ ସମୟ ନୁହଁ, ସମ୍ପର୍କ ହିଁ ହେବ ମୋ ପାଇଁ ମୂଲ୍ୟବାନ।


ମୋ ଆଖିକୁ ଲୁହ ଜକେଇ ଆସିଲା। ଶେଷ ମୁହୂର୍ତ୍ତରେ ଦିନେଶ୍ ଭାଇ ଯେ ତାଙ୍କର ଭୁଲ୍ ବୁଝି ପାରି ବିଚଳିତ ହୋଇ ପଡ଼ିଛନ୍ତି, ସେକଥା ମୋତେ ଅଛପା ନ ଥିଲା। ମୁଁ ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ୁଥିଲି ସେ ହିଁ ଯଦି କିଛି ଚମତ୍କାର କରନ୍ତି, ଆଉ ଦିନେଶ୍ ଭାଇ କୌଣସିମତେ ଆରୋଗ୍ୟ ଲାଭ କରି ଶୋଭାକୁ ନିଜର ପତ୍ନୀ ରୂପେ ବରଣ କରନ୍ତି, କେତେ ଭଲ ହୁଅନ୍ତା ସତରେ!




Rate this content
Log in

Similar oriya story from Tragedy