Chinmayee Barik

Abstract Others


5.0  

Chinmayee Barik

Abstract Others


ଭୋକ,ପାପ ଓ ସତୀତ୍

ଭୋକ,ପାପ ଓ ସତୀତ୍

3 mins 7.3K 3 mins 7.3K

ଖୁବ୍ ସୁନ୍ଦର ଗପଟିଏ ପଢିଲି।କିନ୍ତୁ ଏଥିରେ ଦୁଇଟି ଧାଡି ବୁଝି ହେଲାନି ।ନାୟିକାଟି ଚାହୁଁଛି ଭୋକ ନ ଥିବା ଆଉ ମନରେ ପାପ ନ ଥିବା ମଣିଷ ପାଖରେ ନିଜକୁ ସମର୍ପି ଦେବ ଆଉ କୌଣସି ଅନ୍ଧାରରେ କାମୁକ ପୁରୁଷ ପାଖରେ ସତୀତ୍ୱ ହରାଇବନି କେବେ ବି ।

କଥାଟି ମନକୁ ଖୁବ୍ ଆନ୍ଦୋଳିତ କଲା ।କଣ ସେ ଭୋକ?ଦୁନିଆରେ କଣ ଏମିତି କେହି ଅଛନ୍ତି ଯାହାର ଭୋକ ନାହିଁ?ମନର ଭୋକ ଆଉ ଦେହର ଭୋକ ନ ଥିବା ମଣିଷ କଣ ସମ୍ଭବ?ଇଶ୍ୱର ବି ଧରାପୃଷ୍ଠରେ ଜନ୍ମ ନେଲେ ତାଙ୍କର ବି ଭୋକ ଥାଏ ଦେହର ଓ ମନର ।ଦେବତାର ଭୋକ କୁ ସ୍ୱର୍ଗୀୟ ବୋଲି ବର୍ଣନା କରା ଯାଇଛି ।ଏଇ ସ୍ୱର୍ଗୀୟ କଥାଟି କଣ ମୁଁ ବୁଝେନା ।ପେଟର ଭୋକ ଲାଗି ଖାଦ୍ୟ ଦରକାର ଆଉ ମନର ଭୋକ ଲାଗି ମଣିଷ ଦରକାର ।ଏହା ଦେବତା ବି ଚାହେଁ,ମଣିଷ ବି ଚାହେଁ,ଆଉ ପଶୁ ବି ଚାହେଁ ।ଏହାଠୁ ଅଧିକ କିଛି ବିଶ୍ଲେଷଣ କରା ଯାଇ ପାରେ କି?ସ୍ୱର୍ଗିୟ ଶବ୍ଦଟିର ଅନୁଭବ କେତେ ଜଣ ଅନୁଭବ କରିଛନ୍ତି?ଅନ୍ତତଃ ମୁଁ କରିନି ଆଜି ଯାଏ ।

ଯେଉଁ ମଣିଷ ପାଖରେ ଦେହର ଭୋକ ,ମନର ଭୋକ ନାହିଁ ତା ପାଖରେ କୌଣସି ନାରୀ ସମର୍ପିତ ହେବ କି?ସମର୍ପିତ ହୋଇ କରିବ କଣ? ତା ହେଲେ କଣ ବୁଝିବା?ନାରୀଟି ଗୋଟେ ମଣିଷକୁ ନୁହେଁ ପଥରର ଅନୁସନ୍ଧାନରେ ଅଛି ବୋଲି?ଅନେକ ବହିରେ ଏଇ କଥା ପଢିଛି ।ମୋ ମୁଣ୍ଡରେ ପଶେନି ଏକଥା ସବୁ ।

ଆଉ ପାପ କଣ?ମନରେ ପାପ ନ ଥିବା ମାନେ?ପାପର କିଛି ମାପ କାଠି ଅଛି କି?ଅବିବାହିତା ଝିଅଟେ ପିଲା ଜନ୍ମ କଲେ ପାପ ଆଉ ବିବାହ ପରେ ପୁଣ୍ୟ .।ଗୋଟିଏ ସିନ୍ଦୂର ଟୋପାର ଏତେ କ୍ଷମତା ଯେ ସେ ସବୁ ପାପକୁ ପୁଣ୍ୟରେ ପରିଣତ କରିଦେବ ?ଗୋଟିଏ ଜଡ ଜିନିଷ ମଣିଷର ଚେତନାକୁ ଗୋଟିଏ ସ୍ତରରୁ ଆଉ ଗୋଟିଏ ସ୍ତରକୁ ନେଇ ଯାଉଛି ।ତା ହେଲେ ଏ ପୃଥିବୀରେ ଚେତନ ଶକ୍ତି ଠାରୁ କଣ ଜଡ ଶକ୍ତିର ପ୍ରଭାବ ଅଧିକ? ମୁଁ ଭାବେ ଅନ୍ୟକୁ କଷ୍ଟ ଦେଉଥିବା ଆଉ ନିଜେ କଷ୍ଟ ପାଉଥିବା କାରଣର ନାମ ହିଁ ପାପ ।ହେଲେ ଏଠି ବି ଗୋଟେ କେଁ ଅଛି ।ଆମେ କରୁଥିବା ପ୍ରତ୍ୟେକଟି କାର୍ଯ୍ୟ କିଛି ଲୋକ ଲାଗି ସୁଖ ଦାୟୀ ତ କିଛି କିଛି ଲୋକ ଲାଗି କଷ୍ଟ ଦାୟକ ।ତେଣୁ ଆମେ ମାନେ ସମସ୍ତେ କେଉଁଠି ନା କେଉଁଠି ପାପୀ ।

ନିଜକୁ ମିଳୁ ନ ଥିବା ସୁବିଧା ସୁଯୋଗକୁ ଆମେ ଅନ୍ୟ ଲାଗି ପାପର ଆଖ୍ୟା ଦେଉ ।ମୋର ମନେ ଅଛି ଜଣେ ଷାଠିଏ ବର୍ଷର ଲୋକଟି ଯେତେବେଳେ ଗୋଟିଏ ବାଇଶ ବର୍ଷର ଝିଅର ପ୍ରେମରେ ପଡି ବାହା ହୋଇଗଲା ତାକୁ କଇଥ ଗଛରେ ବାନ୍ଧି ପିଟିଥିଲେ ।କାଳେ ସେ ପାପ କରିଛି ।ହେଲେ ମୁଁ ଦେଖିଛି ସେଇ ବୟୋଜେଷ୍ଠ ଲୋକମାନେ ଅନ୍ୟର ଝିଅବୋହୂଙ୍କ ନାଁରେ କଥା କହି ଆନନ୍ଦ ନିଅନ୍ତି ।କୌଣସି ଝିଅର ଛାତିରୁ ଲୁଗା ଖସିଗଲେ ଡାହାଳ ଭଳି ଅନାନ୍ତି ।ଏମିତି କି ଭଦ୍ରମୁଖା ପିନ୍ଧି କିଏ କାହା ଘରେ ଗଳନ୍ତି ।ତେବେ ସେ ଷାଠିଏ ବର୍ଷର ଲୋକ ପ୍ରେମ ବିବାହ କଲା ତ ଏମାନଙ୍କ ଦେହରେ ଲଙ୍କା ଲାଗିଲା କାହିଁକି?କାରଣ ସେମାନେ ଏ ସୁବିଧା କୁ ପାଇ ପାରି ନାହାଁନ୍ତି ।ପାପ ଆଉ କେଉଁଠି ନ ଥାଏ ।ମଣିଷର ଆଖିରେ ଥାଏ...ମନକୁ ଯାଏ ଆଉ ଦେହ ଦେଇ ପାପର ଧାରା ଛୁଟେ ।ଏତିକି ବୁଝେ ମୁଁ ।

ଆଉ ରହିଲା ସତୀତ୍ୱ ।କଣ ସେ ଜିନିଷଟା ଯାହା ଖାଲି ନାରୀ ଦେହରେ ବୋଳା ହୋଇଛି??ସତୀତ୍ୱ ଅନ୍ଧାରରେ ଲୁଟାଯାଏ କୁହାଯାଏ ।କଣ ଲୁଟି ଯିବ?ଏହା କଣ ଅଂଗ ବିଶେଷ?ଗୋଟିଏ ନିର୍ଧିଷ୍ଟ ଅଂଗରେ ସତୀତ୍ୱର ମୋହର ବସିଛି ନା କଣ?ବୁଝିହୁଏନି ଏସବୁ ।ସତୀତ୍ୱ ବୋଲି କିଛି ନାହିଁ ।ନାରୀ ମାନସିକତାକୁ ଦୁର୍ବଳ କରିବାକୁ ଏମିତି କିଛି ଅପଶବ୍ଦର ପ୍ରୟୋଗ ।ନିଜ ଇଛାରେ ଖାଉଛ,ପିଉଛ,ବୁଲୁଛ ହେଲେ ସମ୍ଭୋଗ କଲେ ପାପ ଆଉ ସତୀତ୍ୱ ହାନୀ ।ଏହାକୁ କହୁଥିବା ଲୋକବି ଏସବୁ କରୁଥିବ ଲୁଚାଇ ଛପାଇ ପୁଣ୍ୟର ନାମ ଦେଇ ।ଗୋଟିଏ ଗପ ପଢିଥିଲି ବଂଗଳାରେ ।ବିଧବା ବାହା ହେଲେ ପାପ ବୋଲି କମ୍ ବୟସର ବିଧବାଟିକୁ ବିବାହ କରିବାକୁ ଦିଆଯାଏନି ।ସେ ମନ୍ଦିରର ସବୁ କାମ କରେ ।ମନ୍ଦିର ପୁରୋହିତ ଯିଏ ପାପ ର ହିସାବ ଦେଖାଇ ତାର ବାହାଘରର ବାଧକ ସାଜି ଥିଲେ ,ସେ ପୁଣି ପୁଣ୍ୟର ଦ୍ୱାହି ଦେଇ ତାକୁ ମନ୍ଦିର ଭିତରେ ସମ୍ଭୋଗ କଲେ ।ପୁରୋହିତ ମାନେ ଈଶ୍ୱରଙ୍କ ଅବତାର ,ତାଙ୍କୁ ଖୁସି କଲେ ଅସୁବିଧା ନାହିଁ ।ସେଥିଲାଗି କାଳେ ମନ୍ଦିର ଭିତରେ ଝରକା ନ ଥାଏ ।ହା ...ହା...

ମଣିଷ ନିଜ ସୁଖ ସୁବିଧା ଲାଗି କଣ ନ କରେ?ଆଉ କିଛି ଫାଲତୁ ମଣିଷ ଏହାକୁ ବେଦର ଗାର କହି ସମାଜରେ ଘୁଣ ଲଗାଇ ସାରିଲେଣି ।ମଣିଷ ଯଦି ନିଜର ଆବଶ୍ୟକତା,ଭୋକ,ମାନସିକତା କୁ ବୁଝନ୍ତା ତେବେ ସେ ସଠିକ ରାସ୍ତା ପାଇବାକୁ ଚେଷ୍ଟା କରନ୍ତା ।କିନ୍ତୁ ମଣିଷ ସବୁବେଳେ ଅନ୍ୟକୁ ବ୍ୟବଛେଦ କରିବାରେ ବ୍ୟସ୍ତ ।ନିଜ ଲାଗି ସମୟ କାହିଁ??

Lucy


Rate this content
Originality
Flow
Language
Cover Design