ସନ୍ୟାରୁ ସନାତନ ଯାଏଁ
ସନ୍ୟାରୁ ସନାତନ ଯାଏଁ
ଏ' କଟ୍ ଚା'ର ହିସାବ ଭାରି ବେହିସାବ । ଅଧାଅଧା କରି ସାରା ସଂଜଟାରେ ପିଇଯିବେ କେଟଲିଏ ! ଫୁଙ୍କିଦେବେ ଚାରି ଛ' ପାକେଟ୍ ଧୂଆଁ ! କହିବେ - ଏଇଠୁଁ ଏନର୍ଜି ନେଇ ସାରାରାତି ଯେଝା ଘରେ ବସି କରିବେ ସାହିତ୍ୟଚାଷ ।
ଆଦୌ ବଜାରର ଷ୍ରିଟ୍ ଲାଇଟ୍ ପଡୁନଥିବା ଏଇ ଅନ୍ଧାରୁଆ ଗୁମୁଟିରେ ନିତି ବସେ ସଂଜଆସର । ଯା'କୁ ଏମାନେ ନାଁ ଦେଇଛନ୍ତି ରାସ୍ତାଧାରେ ସାହିତ୍ୟଆସର ।
ଏଇମାନେ ସଂଜବେଳେ ବସାଉଠା କରନ୍ତି ବୋଲି , ଅ-ସାହିତ୍ୟିକ ମାନେ ତା' ଦୋକାନ ମୁହଁ ମାରନ୍ତିନି !! ବେପାର ମାନ୍ଦା ଧରେ । ଏ ଜାତିର ମୁଣ୍ଡ କେତେକି? ମାରିମାରି ଛ'ଆଠ ଜଣ ସାରା ସହରରେ । ମାନେ , ସମୁଦାୟ ବିକ୍ରୀ ମାତ୍ର ପନ୍ଦର କୋଡ଼ିଏ କପ୍ । ସଂସାର ଚାଲୁଛି କେବଳ ଦିନବେଳା ବେପାର ପାଇଁ । ଅ-ସାହିତ୍ୟିକ ଭଗବାନ୍ ରୂପି ଗ୍ରାହାକ ମାନଙ୍କ ପାଇଁ ।
ସନିଆର ଖୁବ୍ ଆଗ୍ରହ କିନ୍ତୁ ଏମାନଙ୍କୁ ଶୁଣିବାକୁ , ବୁଝିବାକୁ । ସେମାନଙ୍କ ମୁହଁଲଗା ଗ୍ଲାସ୍ ସବୁକୁ ଧୋଇବାକୁ ।
ସତରେ ଦୁନିଆଟା କେତେ ଖାପଛଡ଼ା , ଅବିଶ୍ୱାସୀ , ଅସହିଷ୍ଟୁଁ ହେଲାଣି । ଏଇ ଛ'ଆଠ ଜଣଙ୍କ ଭିତରେ ମିଳେ ଭାଇଚାରା , ସ୍ନେହ ଆଦର । ସନା ଦେଖିଖୁସି ହୁଏ ।
ଦିନେଦିନେ କା'ର କବିତା କି ଗପକୁ ନେଇ , ଭାରି ତର୍କ ହୁଏ । ହୁଏ ବଚସା, ମୁହଁ ଫୁଲାଫୁଲି । ଶେଷକୁ ସଭିଏଁ ଅଯଥାରେ ସନିଆ ଉପରେ ଚିଡିଚିଡି ହୁଅନ୍ତି । ମଲାଇ ମାରି ଯେତେ ବଢିଆ ଚା' ଦେଲେବି , ଫୁ' କରି ମେଞ୍ଚାଏ ଅପଶବ୍ଦ ତା' ଉଦ୍ଦେଶ୍ୟରେ ଉଗାଳନ୍ତି ।
ସବୁ ସହେ ସନା । ଏ ଜ୍ଞାନୀ ଲୋକ ଗୁଡାଙ୍କ ମୁହଁର ଗାଳି ବି କାହା ଭାଗ୍ୟରେ ଥାଏ ଯେ' ? ଏଇ ମାନଙ୍କ ପାଇଁ , ତା' ନିକୁଛିଆ ଚା' ଗୁମୁଟିର ମାନ ବଢେ । ସେତକ ଯଥେଷ୍ଟ ନୁହଁ କି ?
ଦିନେ କହୁକହୁ ଉପରେ ପଡି ସନା କହିଦେଲା -
- ଛାତିଏ ଯନ୍ତ୍ରଣା ଧରି ରଖିବାର କଲିଜା , କେବଳ ରାଇଟର୍ ମାନଙ୍କର ଅଛି !!!!
ବଳବନ୍ତେ ତାଙ୍କ ନିଦୁଆ ଆଖିକୁ ଉପରକୁ ଟେକି ପଚାରିଲେ -
- ଶଃ! ଚା' ବିକୁବିକୁ ପକ୍କା ଦାର୍ଶନିକ ବନିଗଲୁନା କ'ଣ ? ଯା' ପାଇଲେ ତା' ବକୁଛୁ କଣବେ ?
ତୋ' ଛାତିରେ କଣ କମ ଯନ୍ତ୍ରଣା ?? କାଇଁ ଚା' ବିକା ଛାଡି ତୁ' ରାଇଟର୍ ହେଲୁନି ତ଼ ??
ସନାକୁ ଅପମାନ ଲାଗିଲାନି । ତା'ର ପୁଣି କଣ ଗୋଟେ ସମ୍ମାନ ଯେ ?
ରବିବାର ଥିବାରୁ , ସବୁ କାଗଜରେ ସାହିତ୍ୟ ପୃଷ୍ଠା । ସତେକି ଏଇ ରବିବାରକୁ ଛାଡିଦେଲେ , ସାହିତ୍ୟ ପାଇଁ ଆଉ ଦିନ ନାହିଁ ? ବାକି ଛ' ଦିନ , ବିଜ୍ଞାନ , ଭୂଗୋଳ , ଇତିହାସ , ରାଜନୀତି , ଅପରାଧ , ଧର୍ଷଣ , ଲୁଣ୍ଠନ , ବ୍ୟଭିଚାର ଆଦି ପାଇଁ କାଗଜ ସରଂକ୍ଷିତ । ସୁର ସାରେ ଟିକେ ବିବ୍ରତ ହେଲାପଡି କହିଲେ -
- ଆରେଏ ଏ' ସନାତନ ମହାରଣାଟା କିଏ ମଁ ??
- କଣକି ?
କବି ସତ୍ୟବାଦୀ ପଚାରିଲେ ।
- ଦେଖୁନ ! ଆଜି ଦି'ଟା କାଗଜରେ ସେ ଅଛି । ନୂଆନୂଆ ଲେଖୁଛି ବୋଧେ । ଦମ୍ ଅଛି କିନ୍ତୁ ।
- କେଉଁଠିକାର ?
- ପୁରା ତ ଦେଇନି । ଖାଲି ଭୋବନେଶ୍ୱର ଲେଖିଛି ।
- ଭଲ । ହଉ ଆସିବ ଧିରେଧିରେ ସାମ୍ନାକୁ । ଖଟିରେ ମିଶିବ । ଚା' ପିଇବ ପିଆଇବ । ଭଲଭଲ ।
ସନିଆ ପାଟିରୁ ଛାଏଁ ବାହାରିଗଲା -
- ସେ ଆପଣମାନଙ୍କ ସହ ପିଇ ପାରିବନି ସାରେ । ସାରା ଜୀବନ ଚା' ପିଆଇ ଚାଲିବ ।
କେହିବି ତା' କଥାକୁ ପରତେ ଗଲେନି ! ଏମିତିରେ ତ଼ ସମସ୍ତେ ତାକୁ ବାଚାଳ ବୋଲି ଧରିନେଇଛନ୍ତି । ସନା ପୁଣି ଗାଇଲା ଶୁଣିଥିବା ପଂକ୍ତି ଟିଏ -
" ଅସାଧୁ ହୁଅଇ ସାଧୁ , ସାଧୁଙ୍କ ମେଳରେ ।
ପଙ୍କିଳ ଜଳ ଯେସନ , ନିର୍ମଳା ଯୋଗରେ ।।"
ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର