STORYMIRROR

Sudeshna Misra

Inspirational

3  

Sudeshna Misra

Inspirational

ଢେମସା

ଢେମସା

5 mins
275

ଏବର୍ଷର କାଜୁ ଗଛରେ ଫୁଲ ଧରିଲାଣି। ଫିକା ଗୋଲାପି ରଙ୍ଗର ଫୁଲ ସବୁ ଭର୍ତ୍ତି ହେଇଯିବ ଆଉ କିଛି ଦିନ ଭିତରେ। ଅଳ୍ପ ଅଳ୍ପ ବାସ୍ନା ବି ଆସିବ। ତାପରେ କୁନି କୁନି ଫଳ ଧରିବ, ଶାଗୁଆ ରଙ୍ଗର। ପରେ ପରେ ହଳଦିଆ ଓ ନାଲି ରଙ୍ଗର ଲଙ୍କା ଆମ୍ବ ଫଳ ସବୁ ପାଚିବ। ଫଳ ଉପରେ ଆମ୍ବ ଆକୃତିର ଭାଲିଆ ମଞ୍ଜି, ବେଶ୍ ମଜାଦାର ଓ ସୁନ୍ଦର ବି ଦିଶେ। ଲଙ୍କାଆମ୍ବ ଫଳ ଝିଣ୍ ଝିଣିଆ ଲାଗିଲେ ବି ଖାଇହୁଏ। କିଛି ଜାତିଆ ଗଛର ଫଳ ଅଳ୍ପ ମିଠା ଥାଇ କମ୍ ଝିଣ୍ ଝିଣିଆ ଲାଗେ। ପିଲା ଓ ବଡମାନେ ତାକୁ ଖାଆନ୍ତି। ତାପରେ ଭାଲିଆ ମଞ୍ଜି ଭିତରୁ ବାହାରେ କାଜୁ। ଶୁଖିଗଲେ ତ ଭଲ ଦାମରେ ବିକ୍ରି ହୁଏ। ଟିକେ ଖରାପ ହେଇଆସୁଥିବା କଞ୍ଚା କାଜୁର ଚୋପା ଛଡେଇ ସେମାନେ ତରକାରି କରି ଖାଆନ୍ତି।  

 କାଠ ଗୋଟେଇ ଗଲାବେଳେ ମାଳତୀ ଲକ୍ଷ୍ୟ କରୁଥିଲା ଏ ଫୁଲଗୁଡ଼ିକୁ। ପ୍ରୟ ସବୁଦିନ ଦେଖେ । ଆରବର୍ଷଠୁ ଏବର୍ଷ ଅଧିକ ଫଳ ହେବ ବୋଲି କୃଷି ଅଧିକାରୀ କହୁଥିଲେ। ବସି ବସି ହିସାବ କରୁଥିଲା ସେ, ଦିବର୍ଷ ତଳେ ପ୍ରଥମକରି ଭାଲିଆ ବିକ୍ରି କରି ସେ ତିନି ହଜାର ଟଙ୍କା ପାଇଥିଲା, ଏ ବର୍ଷ ଟିକେ ବେଶୀପାଇବ। ପ୍ରଥମ ବର୍ଷ ପରେ ପରବର୍ତ୍ତୀ ବର୍ଷରେ ଅଧିକା ଫଳଧରେ। 

  

ଆଗରେ ବିଶାଳ ଜଳ ଭଣ୍ଡାର। କାଚ କେନ୍ଦୁ ପରି ଚକ୍ ଚକ୍ ପାଣି। ଏଇ ଶୀତଦିନେ ପାଣିଟା ଖୁବ୍ ନିର୍ମଳ ଥାଏ। ମାଛକୁଣ୍ଡ ଜଳଭଣ୍ଡାର ତାଙ୍କର ଅନେକ କିଛି ନେଇଯାଇଛି। ମନେପଡିଗଲା ପିଲାଦିନ କଥା । ସେଇ ଯେଉଁ ଥୁଣ୍ଟା ଗଛଟା ପାଣି ଭିତରେ ଦିଶୁଛି, ସେଇଟା ଥିଲା ତା ଗାଁ। କେତେ ଜମିଥିଲା ତାଙ୍କର, କିଛି ବେଡା ଜମି ଓ କିଛି ଡଙ୍ଗର ଜମି । ଦୁଇଟି ପ୍ରକାରର ଜମିରେ ସେମାନଙ୍କର ଧାନ, ମାଣ୍ଡିଆ ଓ ମକା, ତା ବାବା ସେଠି ଚାଷ କରୁଥିଲେ। ମାଳତୀ ଯାଏ ତାଙ୍କ ସାଙ୍ଗରେ, ପାଖ ଜଙ୍ଗଲରୁ ଫଳ ମୂଳ କୋଳି ଆଣେ। ବେଳେ ବେଳେ ବା ପାଇଁ ଖାଇବା ନେଇକି ଯାଏ। ଗାଁରେ ତାର କେତେ ସାଙ୍ଗସାଥୀ ଥିଲେ। କିଛିବି ଅଭାବ ନଥିଲା। ଚଇତ୍ ପରବ୍, ପୁଷ ପରବ୍ ସବୁ ପାଳନ ହେଉଥିଲା। ପରବରେ ବହୁତ ମଜା ହୁଏ। ଗାଁରେ ମିଶିକି ଭୋଜି ହୁଏ ଓ ସମସ୍ତ ମିଶି ଢେମସା ନାଚନ୍ତି। ସେ ଗାଁଆରେ ସେମାନେ ସବୁ କନ୍ଧ ଓ ଜୋଡିଆ ପରଜା ସମ୍ପ୍ରଦାୟର ଆଦିବାସୀ ଥିଲେ। କେତେ ସୁନ୍ଦର ଥିଲା ତାଙ୍କ ଗାଁ ଆଉ କେତେ ସୁନ୍ଦର ଜୀବନ।


ବିଦ୍ୟୁତ ପ୍ରକଳ୍ପ ପାଇଁ ଏ ଜଳ ଭଣ୍ଡାର ତାଙ୍କ ଗାଁ ପରି ଅନେକ ଗାଁ ବୁଡେଇଦେଲା। ସେମାନଙ୍କ ଘର ବାଡ଼ି, ଚାଷଜମି, ଜଙ୍ଗଲ ସବୁ ତାରି ଭିତରେ ଲୀନ ହେଇଗଲା ସବୁଦିନ ପାଇଁ। ବାସହରା ହେଇ ଗାଁ ଲୋକ କିଏ କୁଆଡେ ଚାଲିଗଲେ। କୋରାପୁଟର ଏହି ଅଞ୍ଚଳରେ ସମସ୍ତେ ପ୍ରରଜା, ଭୂୟାଁ, କନ୍ଧ ଓ କିଷାନ୍ ଆଦିବାସୀ।କନ୍ଧ ସମ୍ପ୍ରଦାୟର ମାଳତୀ ଜାନି ସେତେବେଳେ ଦଶ ବାରବର୍ଷର ଝିଅଟିଏ। ଜମି ହରେଇବା କ୍ଷତିପୂରଣ ନେଇ ତା'ର ବୁଆ, ଗୋସାବାପା ଅନ୍ୟ ସ୍ଥାନରେ ଜମି ଖୋଜିଲେ। କିନ୍ତୁ କୌଣସି ଗାଁରେ ମିଳିଲାନି । ଡାବୁ ସବୁ ସରିଗଲା, ଏଇଟା ପ୍ରୋଜେକ୍ଟ ଜାଗା, ମାନେ ସରକାରୀ। ସେତେବେଳେ ସେମାନେ ଜାଣିନଥିଲେ। ବୁଲି ବୁଲି ଆସି ଏଇଠି ରହିଲେ। ଏଇଠୁ ତାଙ୍କ ପୂରୁଣା ଗାଁଟା ପ୍ରାୟ ପାଞ୍ଚ ଛଅ କିଲୋମିଟର ହେବ।


 ୟା ଭିତରେ କେତେ ବର୍ଷ ବିତିଗଲାଣି। କେତେଥର ସରକାରୀ ଲୋକ ଆସି ପଚାରିଲେଣି। କେବେ ଉଠେଇଦେବେ ପୁଣି। ଏମାନେ ଆଉ କୁଆଡେ ଯିବେ। ସେମାନଙ୍କ ସହିତ ଆଉ କୋଡ଼ିଏ ପରିବାର ଏଠି ନୂଆଘର କରି ରହିଗଲେଣି। ଏବେ ଏଇଟା ହେଇଯାଇଛି ଗୋଟେ ନୂଆଗାଁ, ନା ମାଳିଗୁଡା। 

 ମାଳତୀ ଘରର ପିରି ଛପରଟା ନଷ୍ଟ ହେଇଗଲାଣି, ପାଣିଗଳି ସେପଟ ମାଟି କାନ୍ଥଟା ଓଦା ରହୁଛି। ଚଟାଣ ବି ସନ୍ତସନ୍ତିଆ। ଥଣ୍ଡାରେ ସାନ ଝିଅଟାର ନାକରୁ ସବୁବେଳେ ପାଣି ବୋହୁଛି। ଦିମାସ ତଳେ, ତା ବାପାକୁ ଜର ଧରିଲା ଯେ ମାସେ କାଳ ଭୋଗିଲା। ମାଳତୀ ଭାବୁଥିଲା ଏବର୍ଷ ଭାଲିଆ ବିକି ପିରିଟାକୁ ଖପର କରିଦେବ। ଜମିବାଡି ତ ଗଲା। ଏପଟେ ତ ମୂଲକାମ ବେଶୀ ମିଳୁନି। ଯାହା ବା ମିଳୁଛି ସରକାରୀ ଧାର୍ଯ୍ୟ ଠାରୁ ବହୁତ କମ୍ ମଜୁରୀ। ତେଣୁ ଏଇ କାଜୁ ଫସଲକୁ ଅନେଇଛି ସେ। 

 

ଆଜକୁ ପ୍ରାୟ ଦଶ ବର୍ଷ ତଳେ ସରକାର ଏଠି କାଜୁଗଛ ଲଗେଇଲେ। ମାଳତୀ ପରି ବହୁତ ମହିଳା ଓ ପୁରୁଷଙ୍କୁ କିଛିଦିନ ପାଇଁ ଗଛ ଲଗେଇବା କାମ ମିଳିଲା। ଏଇଟା ଢାଲୁ ଜମି, ପାଣି ଗଡିଯାଉଥିବାରୁ ଏଇ ପ୍ରକାରର ଜମି କାଜୁଚାଷ ପାଇଁ ଉପଯୁକ୍ତ। କାଜୁଗଛ ଦ୍ବାରା ମୃତ୍ତିକା କ୍ଷୟକୁ ରୋକିବା ସହିତ ଫସଲ ବି ଅମଳ କରାଯାଇ ପାରିବ। ମୃତ୍ତିକା କ୍ଷୟ ହେଲେ, ଜଳ ଭଣ୍ଡାରରେ ଶୀଘ୍ର ମାଟି ବସି ଏହା ପ୍ରତି ବିପଦ ସୃଷ୍ଟି କରିବ। ସେହି ଉଦ୍ଦେଶ୍ୟରେ ଏଇଠି କାଜୁଗଛ ଲଗାଯିବାର ଯୋଜନା ସରକାର ଙ୍କର ଥିଲା। ଆଖପାଖର ଗାଁ ଲୋକଙ୍କୁ ଡାକି ଏକ ସଭା କରାଯାଇଥିଲା ଓ ଏହାର ଉଦ୍ଦେଶ୍ୟ ଲୋକଙ୍କୁ ଜଣାଇ ଦିଆଯାଇଥିଲା। ବି ଡି ଓ, ମୃତ୍ତିକା ସଂରକ୍ଷଣ ଅଧିକାରୀ ଇତ୍ୟାଦି ଆସି ଆଲୋଚନା କରି ଲୋକମାନଙ୍କୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦେଇ କହିଥିଲେ, "ତୁମେ ସବୁ ଏ କାଜୁ ବଗିଚାକୁ ଜଗାରଖା କରିବ ଏବଂ ଏହାର ଫଳ ସବୁ ତୁମେମାନେ ଖାଇବ।" ସେଇଦିନଠାରୁ କାଜୁ ବଗିଚାକୁ ଗାଇ ଗୋରୁ ନଛାଡିବା ଓ ସଫାସଫି କରି ରଖିବା କାମ ମିଳିମିଶି ଗାଁ ଲୋକମାନେ କରିଆସୁଛନ୍ତି। ଏପରିକି ମହିଳା ଓ ପୁରୁଷମାନେ ପାଳିକରି ଦିନରେ ଓ ରାତିରେ ଏହାକୁ ଜଗନ୍ତି। କିନ୍ତୁ ମୁଖ୍ଯ ଭୂମିକା ନେଉଥିଲେ ମହିଳାମାନେ 


 ଲଙ୍କାଆମ୍ବ ପାଚି ଆସିଲା, ତୋଳିବାର ଦିନ ଆସିଗଲା। ମାଳତୀ ମନେ ମନେ ବହୁତ ଖୁସୀ ଥିଲା। ଶୀତୁଆ ପବନଟା ଦେହଟାକୁ କାଲୁଆ କରିଦେଉଥିଲେ ବି କାଜୁ ବଗିଚା ଭିତରେ ବସି ପାଣିକୁ ଚାହିଁ ସ୍ୱପ୍ନ ଦେଖୁଥିଲା ସେ। ମାଳତୀ ସହ ସବୁ ମା ଭଉଣୀ ମାନେ ସେଦିନ ତୋଳିବାକୁ ଆସି ଦେଖିଲେ କିଛି ଲୋକ ଟ୍ରକ ଆଣି କାଜୁ ଫଳ ତୋଳୁଛନ୍ତି । ମାଳତୀ ଓ ସବୁ ମା ଭଉଣୀମାନେ ପଚାରିବାରୁ ଉତ୍ତର ମିଳିଲା,  

 " ଆମେ ଏହାକୁ ନିଲାମରେ ନେଇଛୁ। କାଜୁ ନିଗମ ଆମକୁ ନିଲାମ ଦେଇଛି"।  

 ମାଳତୀ ଓ ସବୁ ମହିଳାମାନେ ସେ ଲୋକ କଥା ଶୁଣି ଅବାକ୍। ସେମାନଙ୍କ ମୁଣ୍ଡରେ ବଜ୍ରପାତ ହେବାପରି ଅବସ୍ଥା।

ଖାଲି ମାଳତୀ ନୁହେଁ, ଆଖପାଖ ଗ୍ରାମର ପ୍ରାୟ ଦୁଇଶହ ମହିଳା ଏଇ କାଜୁ ତୋଳି ବିକ୍ରି କରୁଛନ୍ତି। ଏଇଥିରୁ ବର୍ଷର ତିନି ଚାରି ମାସ ସେମାନେ ଚଳୁଥିଲେ ଏଇ ତିନି ଚାରି ବର୍ଷ ହେବ। ଜମିବାଡି ତ ନାହିଁ, କୁଲି କାମ ତ ବହୁତ କମ୍ ମିଳେ। ଅନ୍ୟକିଛି ରୋଜଗାରର ପନ୍ଥା ମଧ୍ୟ ନାହିଁ। କିଛି ନେତୃ ସ୍ଥାନୀୟ ମହିଳାମାନେ ଠିକଣା କଲେ ଏହାର ପ୍ରତିବାଦ କରିବେ। ସରକାରଙ୍କ ଦ୍ଵାରା ଗଠିତ ସ୍ୱୟଂ ଶାସିତ ମହିଳା ଦଳରୁ ଏମାନେ ଏକତ୍ରିତ ହେଇଥିଲେ ବି ବିସ୍ଥାପିତ ଅଞ୍ଚଳର ଲୋକ ହିସାବରେ ସେମାନଙ୍କ ଭିତରେ ସୁସମ୍ପର୍କ ରହିଛି। ସେଦିନ ସମସ୍ତେ ମିଳିତ ହେଇ ମନାକରିବାରୁ ସେ ନିଲାମଧାରୀ ମାନେ ଚାଲିଗଲେ।


କିନ୍ତୁ ସେତିକିରେ ଶେଷ ହେଲା ନାହିଁ। ଏଥର ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ଧରି ଆସିଲେ ସେ ନିଲାମଧାରୀ ବ୍ୟକ୍ତି ଆଉ ମହିଳାମାନଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କଲେ ।ମହିଳାମାନେ ପ୍ରଥମେ ଟିକେ ଡରିଗଲେ, ଆତଙ୍କିତ ଅବସ୍ଥାରେ ରହିଲେ । ତାପରେ ନିଜ ଭିତରେ ଏକାଠି ହେଇ ଆଲୋଚନା କରି ଶକ୍ତି ଓ ସାହାସ ଜୁଟେଇଲେ। ପୁରୁଷ ମାନେ ମଧ୍ୟ ସାହାଯ୍ୟ କଲେ। ପ୍ରାୟ ବାର ଖଣ୍ଡ ଗାଁର ଲୋକ ଓ ମହିଳା ମିଶିଗଲେ ଏବଂ କାଜୁ ବଗିଚାକୁ ବାହାର ଲୋକଙ୍କୁ ପଶିବାକୁ ଦେଲେ ନାହିଁ। ଭଡାଟିଆ ଗୁଣ୍ଡାମାନେ ମାର୍ ପିଟ୍ କରିବାକୁ ପଛେଇଲେନି। ଆହତ ହେଲେ ମାଆ ମାନେ। ଏହିଭଳି ପରିସ୍ଥିତି ଚାଲିଲା କିଛିଦିନ। ଆହତଙ୍କ ଭିତରେ ମାଳତୀ ବି ଥିଲା। 

ଏକ ଛୋଟ କାଟରର ସଂଗ୍ରାମ। ଯେତେ ସାହସ ଯୁଟୋଉଥିଲେ ବି ବେଳେ ବେଳେ ହତୋତ୍ସାହିତ ହେଇ ପଡୁଥିଲେ ମାଳତୀ ଆଉ ସବୁ ମହିଳାମାନେ। ଏଥିରେ ମାତି ମଜୁରୀ ଲାଗିବାକୁ ବି ଯାଇପାରୁ ନାହାନ୍ତି ସେମାନେ। ଆଉ ବେଶୀ କିଛି ନାହିଁ ଚଳିବା ପାଇଁ, ପିଲାଛୁଆଙ୍କ ମୁହଁରେ ଆହାର ଦେବାକୁ ବି ନାହିଁ ଏବେ। 

ସ୍ଥାନୀୟ ବି.ଡି.ଓ ତଥା କଲେକ୍ଟରଙ୍କୁ ଗୁହାରି ଜଣେଇଲେ। ପୋଲିସ ପାଖରେ ଏତଲା ଦେଲେ। ସାମ୍ବାଦିକ ମାନେ ଖବର କାଗଜରେ ବାହାର କଲେ। କିନ୍ତୁ କିଛି ଫଳ ନାହିଁ। ତଥାପି ସେମାନେ ଧୈର୍ଯ୍ୟ ନ ହରାଇ କାଜୁ ଜଙ୍ଗଲକୁ ଜଗି ରହୁଥାଆନ୍ତି।


ଭୋକିଲା ଛୁଆର ମୁହଁକୁ ଚାହିଁ ଭାବୁଥିଲା ମାଳତୀ, ଏ ସଂଗ୍ରାମର କଣ ଶେଷ ନାହିଁ। ସବୁ ଅନ୍ୟାୟ କଣ ଆଦିବାସୀମାନଙ୍କ ପାଇଁ। ବିଜୁଳି ଉତ୍ପାଦନ ହେବ, ବିସ୍ଥାପିତ ହେବେ ଆଦିବାସୀ, ଜୀବିକା ହରେଇବେ ଆଦିବାସୀ। ଏପରିକି କଷ୍ଟକରି ଏଇ କାଜୁ ଜଙ୍ଗଲକୁ ଜଗାରଖା କଲାପରେ ବି, ସେଥିରୁ ଫଳ ପାଇବାରୁ ବଞ୍ଚିତ ହେବେ ଆଦିବାସୀ। ଆଶା ଶୂନ୍ୟ ଓ ଉପାୟ ଶୂନ୍ୟ ମାଳତୀ ଓ ତାର ସାଥୀମାନେ।

ଦିନକପରେ, ଖବର ଦେଲା ରାଜୁ। କଲେକ୍ଟର ଡାକିଛନ୍ତି କଥାହେବାକୁ ମହିଳାମାନଙ୍କ ସହିତ। ରାଜୁ ସେ ଗାଁର ଏବେ ଜଣେ ପାଠପଢୁଆ ଯୁବକ। ପୁଣି ଟିକେ ଆଶଙ୍କିତ ହେଇଗଲେ ସମସ୍ତେ। କିନ୍ତୁ ଡାକିଛନ୍ତି ଯେତେବେଳେ ଯିବାକୁ ତ ପଡିବ। ସବୁକଥା ଶୁଣି କଲେକ୍ଟର କହିଲେ," ଆପଣମାନେ ଆହତ ହେଇଥିବା କଥା ଥାନାରେ ରିପୋର୍ଟ ହେଇଯାଇଛି। ପୋଲିସ୍ ଏନକ୍ବାରୀ ଚଲେଇଛି। ଆଉ କାଜୁ ଜଙ୍ଗଲରୁ ବାହାରୁଥିବା ଭାଲିଆ ଓ ଫଳ ଉପରେ ଆପଣମାନଙ୍କର ଅଧିକାର ରହିବା କଥା ପାଇଁ ମୁଁ ମନ୍ତ୍ରୀଙ୍କ ସହ କଥା ହେଇସାରିଛି। ଆପଣମାନେ ନିଶ୍ଚିନ୍ତରେ କାଜୁ ତୋଳନ୍ତୁ। ଗୁଣ୍ଡାମାନଙ୍କ ଉପରେ ଆକ୍ସନ୍ ନିଆଯିବ।"


 ସେଦିନ ବହୁତ ରାତି ପର୍ଯ୍ୟନ୍ତ ମାଳିଗୁଡା ଗାଁ ରୁ ମାର୍ଦ୍ଦଳ ଶବ୍ଦ ଶୁଭୁଥିଲା। ଆଖପାଖ ଗାଁର ସମସ୍ତ ଆଦିବାସୀ ମାନେ ମିଶି ଅଣ୍ଟାକୁ ଅଣ୍ଟା ଧରି ଢେମସା ନାଚୁଥିବା କଥା ଜାଣିବାକୁ ମିଳିଥିଲା



Rate this content
Log in

Similar oriya story from Inspirational