ବେଣ୍ଟ ପୋଖରୀ
ବେଣ୍ଟ ପୋଖରୀ
ଏତେ ବର୍ଷ ପରେ ଗାଁ କୁ ଦେଖି ମନଟା ଖୁସି ହୋଇଗଲା ଅମିତର।
ବାତ୍ୟା ଫୋନି ଯୋଗୁଁ ଅନେକଙ୍କ ସେ ବି ଗାଁ ମୁହାଁ।ବାପା,ବୋଉ କେବେଠୁ ଚାଲିଗଲେଣି।ଦାଦା,ଖୁଡ଼ୀ କେଵଳ ରହୁଛନ୍ତି ଗାଁ ଘରେ।ଦାଦାଙ୍କ ପିଲାମାନେ ଓଡିଶା ବାହାରେ।
ଅମିତ ପରିବାର ସହ ଆସିଛି ବୋଲି ଦାଦା,ଖୁଡ଼ୀ ବହୁତ ଖୁସି।ମାସେ ତଳେ ବମ୍ବେରୁ ବଦଳି ହୋଇ ଅମିତ ଭୁବନେଶ୍ୱରରେ ପୋଷ୍ଟିଙ୍ଗ ହୋଇଥିଲା।ଏଇ ଫୋନି ବାତ୍ୟାକୁ ବି ଏବେ ଆସିବାକୁ ଥିଲା !
ତେବେ ଯାହାହେଉ ପାଣି,ବିଜୁଳି ଓ ଶାନ୍ତି ଅଛି ଗାଁ ରେ।
ମନେ ମନେ ଭାବିଲା,କେତେ ବର୍ଷ ପରେ ସେ ଆସୁଛି ଗାଁ କୁ ?
ବ୍ୟାଙ୍କ ଚାକିରୀ ଯୋଗୁଁ ଓଡିଶା ବାହାରେ ପୋଷ୍ଟିଙ୍ଗ,ପିଲାଛୁଆଙ୍କ ସଂସାର ଭିତରେ ମଜି ଯାଇ ଗାଁ କଥା ସେ ସମ୍ପର୍ଣ୍ଣ ପାଶୋରି ଦେଇଥିଲା ଯେମିତି।
ଆଜି ସ୍ମୃତି ସବୁ ତାଜା ହୋଇଯାଉଥିଲା।
- ଜଲଦି ଗାଧେଇ ଖାଇଦେଇ ତମେମାନେ ଟିକେ ଶୋଇପଡ।ତିନିଦିନ ହେଲାଣି କେତେ ହଇରାଣ ହରକତ ହେଉଥିବ।"ଖୁଡ଼ୀ କହିଲେ।
ଅମିତ କିନ୍ତୁ ବାହାରିପଡ଼ିଲା ଗାଁ ବୁଲିବାକୁ।ସାଙ୍ଗରେ ପୁଅ ଟିକୁ ବି ବାହାରିଲା।ଦୁହେଁ ପହଞ୍ଚିଗଲେ ଗାଁ ବେଣ୍ଟ ପୋଖରୀ ସାମ୍ନାରେ।
ପୋଖରୀ କୂଳରେ ବୁଢ଼ା ବରଗଛ ଓ ଓହଳ ସବୁ ଝୁଲିଛି।ପିଲାଦିନେ କେତେ ଡାଳି ମାଙ୍କୁଡ଼ି ଖେଳ।ଅନେକ ଲୋକ ଗାଧୋଉଥିଲେ।ମା,ମାଉସୀମାନେ ଗାଧେଇସାରି ପୋଖରୀ ହୁଡାରେ ଥିବା ତୁଳସୀ ଚଉରାରେ ପାଣି ଦେଉଥିଲେ।
ପିଲାମାନେ ବନ୍ଧ ଓ ପାହାଚ ଉପରୁ ଓ ବର ଗଛ ଓହଳ ଧରି ଡେଉଁଥିଲେ ପାଣି ଭିତରକୁ।ପୋଖରୀ ମଝିରେ ଫୁଟିଥିଲା ଅନେକ କଇଁ ଓ ପଦ୍ମ ଫୁଲ।
-ଡ୍ୟାଡି ,କେତେ ବଢିଆ ପାଣି ଏଠି ?ଚାଲ ଆମେ ଏଇଠି ଗାଧେଇବା।ବହୁତ ମଜା ହେବ।ତମ ପିଲାବେଳେ ଏଠି ଗାଧୋଉଥିଲ ?
- ହଁ ଆମେ ସାଙ୍ଗମାନେ ମିଶି ଗାଧୋଉଥିଲୁ।
- ତମକୁ ସୁଇମିଙ୍ଗ ଆସୁଥିଲା ?
ପଛପଟୁ କିଏ ଜଣେ ବଡ଼ ପାଟିରେ ହସିଦେଇ କହିଲା,"ତୋ ବାପା ପରା ମାଛ ଭଳି ପହଁରୁ ଥିଲା ;ଚମ୍ପିଆନ ପହଁରାଳୀ ଥିଲା।"
ବୁଲି ପଡି ପଛକୁ ଦେଖିଲା ବେଳକୁ ପିଲାଦିନର ସାଙ୍ଗ ରାଧୁଆ।ଗାଁରେ ଗୋଟେ ଦୋକାନ ଅଛି ରାଧୁ ର।
-ଆରେ ରାଧୁ ,କେମିତି ଅଛୁ ?
-ତୋ କଥା କହ।ଖୁଡ଼ୀଙ୍କ ଠାରୁ ଜାଣିଲି ତୁ ଆସିଛୁ।ଭାଉଜଙ୍କୁ ଭେଟିଲି।ଇୟେ ତୋ ପୁଅ ବୋଧେ।ତୋରି କଟିଙ୍ଗ ଆଣିଛି।ଭୁବନେଶ୍ବର ରେ ବାତ୍ୟା ଯୋଗୁଁ ସବୁ ଛାରଖାର ହୋଇଯାଇଛି ପରା।ଭଲ କଲୁ ଗାଁ କୁ ଆସି।କାଲି ମାଛ ଧରିବା ବନଶୀ ପକେଇ।ସନ୍ଧ୍ୟାବେଳେ ଦୋକାନମୁଣ୍ଡ କୁ ଆସେ ଗପିବା।
ଗପସପ ଚାଲିଲା।ସ୍କୁଲବେଳ କଥାଠୁ ରାଜନୀତି।
ଖାଇଦେଇ ସନ୍ଧ୍ୟାରେ ଅମିତ ବାହାରିଲା ଦୋକାନ ଛକ।ରାଧୁ'ର ତେଜେରାତି ଦୋକାନ ପ୍ରଥମେ ପଡ଼େ।କିଛି ଭିଡ଼ ଥିଲା।ଚା ମଗେଇଲା ରାଧୁ।ତା ସହିତ ଭୀମା ଗୁଡ଼ିଆ ଦୋକାନ ବରା,ଆଳୁଚପ।କି ସ୍ୱାଦ ! ଭିଡ଼ କମିଲାପରେ ରାଧୁ ଦୋକାନ ବନ୍ଦ କରି କହିଲା," ଚାଲ ପୋଖରୀ ହୁଡାରେ ବସି ପବନ ଖାଇବା ଓ ଗାଧେଇବା।ଦୁଇଟା ଗାମୁଛା ନେଇଛି।"
ତୋଫା ଜହ୍ନ ଆଲୁଅରେ ବେଣ୍ଟ ପୋଖରୀ ପାଣି ଚିକ୍ ଚିକ୍ କରୁଥିଲା।
-ପିଲାବେଳ କଥା ମନେପଡୁଛି ନା ନାହିଁ ?କେତେ ବୁଡି ବୁଡି ଗାଧୋଉଥିଲେ ?କୁଆଁର ପୁନେଇ ପାଇଁ କଇଁ ଫୁଲ ତୋଳା,ଗାମୁଛାରେ ମାଛ ଧରା।ତୋର ମମତା କଥା ମନେ ଅଛି ?
- ମମତା ! ଜଗୁ ସ୍ବାଇଁ ମାଉସାଙ୍କ ଝିଅ ?
- ମନେ ରଖିଛୁ ତାହେଲେ ?ତା ପାଇଁ ଜୀବନକୁ ବାଜି ଲଗାଇଦେଇଥିଲୁ।
ରାଧୁ କଥା ଶୁଣି ଅମିତ ଭାବନାରେ ମଜିଗଲା।ସ୍କୁଲ ସାଙ୍ଗଙ୍କ ଭିତରେ ଚ୍ୟାଲେଞ୍ଜ ପଡ଼ିଥିଲା କି ପାଖସାହି ଓ ଗାଁ ଝିଅଙ୍କ ଭିତରେ ସବୁଠୁ ସୁନ୍ଦରୀ, ମମତାକୁ କିଏ ପ୍ରେମରେ ଫସେଇ ପାରିବ ?
ମମତା କହିଥିଲା ଅମିତକୁ,"ପଦ୍ମଫୁଲ ଆଣି ପାରିବୁ ମୋ ପାଇଁ ?"
ଭଲକରି ପହଁରା ଜାଣିନଥିବା ଅମିତ,ଭୋରୁ ଭୋରୁ ସାଙ୍ଗେସାଙ୍ଗେ ଡ଼େଇଁ ପଡ଼ିଥିଲା ପୋଖରୀକୁ।ପୋଖରୀ ମୂଳରେ କେଵଳ ମମତା।ତାଳିମାରି ଉତ୍ସାହିତ କରୁଥାଏ।ପରେ ଆଉ କିଛି ସାଙ୍ଗ ଆସି ଦେଖୁଥିଲେ ଅମିତକୁ।
ପଦ୍ମଫୁଲ ତୋଲୁତୋଳୁ ଗୋଟେ ପାଣି ଧଣ୍ଡସାପ ଚଢ଼ିଗଲା ଅମିତ ଦେହ ଉପରେ।ହାଉଳି ଖାଇ ଚାଲିଆସିଲା ବେଳକୁ ଗୋଡ଼ ଛନ୍ଦି ହୋଇଗଲା ପଦ୍ମନାଡ଼ରେ।ତଳେ ଥିଲା ପଙ୍କ।ଗୋଡ଼ ଖସିଯାଉଥିଲା ଭିତରକୁ।ଛାଟିପିଟି ହେଉଥିଲା ଅମିତ।
- ଟୋକା ଜାଣି ଶୁଣି ଡ୍ରାମା କରୁଛି।"କିଏ ଗୋଟେ କହିଲା।
ପାଣି ପିଇ ଆକ୍ତାମାକ୍ତା ହୋଇଯାଉଥିଲା ଅମିତ।ହାତ ଗୋଡ଼ ଛାଟି ସାହାଯ୍ୟ ମାଗୁଥିଲା ସେ।ପାଣି ଉପରକୁ ଖାଲି ତା ହାତ ପାପୁଲି ଦିଶୁଥିଲା।ହାଠାତ୍ ବୁଡିଯାଇଥିଲା ସେ।
ଖପ କିନା ପାଣିକୁ ଡ଼େଇଁ ପହଁରି ପହଁରି ଅମିତକୁ କୂଳକୁ ଟାଣି ଆଣିଥିଲା ମମତା ।ପେଟ ଚିପି ପାଣି ବି ବାହାର କରିଥିଲେ ସମସ୍ତେ।ଅମିତ ଘର ଲୋକ ଖବର ପାଇ ଆସିଲାବେଳକୁ ସୁସ୍ଥ ହୋଇ ପୋଖରୀ ହୁଡାରେ ବସିଥିଲା ଅମିତ।
-ମୋ ଛୁଆର କଣ ହେଲା ?
-ମାଉସୀ ମୁଁ କହିଥିଲି ଅମୁ ଭାଇକୁ ପଦ୍ମ ଫୁଲ ପାଇଁ।ହେଲେ ଜାଣିନଥିଲି ତାକୁ ଭଲକରି ପହଁରା ଆସେନା ବୋଲି।
-ହଇଲୋ,ପୋଡାମୁହିଁ ଏତେ ତୋର ଫୁଲ ସଉକ ଯଦି ତୋ ବୋପାକୁ କହୁନୁ କିଣିକି ଆଣିବ ?ମୋ ପୁଅ ଆଜି ଯଦି ମରିଯାଇଥାନ୍ତା ?
- ପାଟି ଚୁପ୍ କର ବୋଉ, ତୋ ପୁଅକୁ ମମତା ହିଁ ବଞ୍ଚେଇକି କୁଳ କୁ ଆଣିଛି।
ଚୁପ୍ ହୋଇଯାଇଥିଲା ବୋଉ।ଫିକ କିନା ହସିଦେଇଥିଲା ମମତା।
ସେଦିନ ନିଜ ମୁଣ୍ଡ ଛୁଆଇଁ ବୋଉ ତାକୁ ଶପଥ କରାଇଥିଲା ପୋଖରୀରେ ନପଶିବା ପାଇଁ।ଯଦିଓ ମମତା ଓ ଅମିତ ର କଳ୍ପିତ ପ୍ରେମ କାହାଣୀ ର ଧୂଆଁ ଉଠୁଥିଲା,କିନ୍ତୁ ଭିନ୍ନ ଜାତି ବାଧକ ସାଜିଥିଲା ସେମାନଙ୍କ ପ୍ରେମ କାହାଣୀରେ।
-ଗାମୁଛା ବଦଳେଇଦେଇ ଆ,ଗାଧେଇବୁ।ବଢିଆ ଥଣ୍ଡା ଲାଗିବ।"
ରାଧୁ କଥାରେ ଭାବନା ରାଜ୍ୟରୁ ଫେରିଆସିଲା ଅମିତ।
- ମମତା ଏବେ କେଉଁଠି ?
- ତା ଶାଶୁଘର ଗାଁରେ ପୋଖରୀରେ ବୁଡି ମରିଗଲା .
-ହ୍ବାଟ ? ସେ ତ ପହଁରା ରେ ଏକ୍ସପର୍ଟ ଥିଲା ।ସେ କେମିତି ବୁଡିଲା ?
- ତା ସ୍ବାମୀର ଅନ୍ୟ କେଉଁ ଝିଅ ସହ ଚକ୍କର ଥିଲା ବୋଲି ଶୁଣିଥିଲୁ।ମମତାକୁ ମାରି ପୋଖରୀରେ ପକାଇଦେଇଥିଲେ ବୋଧେ।ତା ବର, ଶଶୁର,ଶାଶୁ ଇତ୍ୟାଦିଙ୍କୁ ଜେଲ ହୋଇଥିଲା।ପରେ ସେମାନେ ବେଲରେ ମୁକୁଳି ଗଲେ।ହେଲେ ମମତା କଣ ଆଉ ଫେରିଆସିବ !ବିଚାରୀ ଆଉ କେଉଁଠି ହେଲେ ବାହାହୋଇଥାନ୍ତା !
ଅମିତ ର ମନେପଡୁଥିଲା ଏଇ ପୋଖରୀମୂଳରେ ଦିନେ କୁମାରପୁନେଇ ରାତିରେ ଅମିତ ପଚାରିଥିଲା ମମତାକୁ,"କେମିତିକା ବର ମାଗିଲୁ ଜହ୍ନ କୁ ?"
- ତୋତେ ମାଗିଲି ;ବାହାହେବୁ ମୋତେ ?
ସେଦିନ ନିରୁତ୍ତର ଥିଲା ଅମିତ।ଆଜି ବି ସେ ନିରୁତ୍ତର ।ମମତାକୁ ଯଦି ସେ ବାହା ହୋଇପଡିଥାନ୍ତା, ତାହେଲେ ଆଜି ହୁଏତ ମମତା ଆଜି ଏଇଠି ଥାଆନ୍ତା।ତାରି ସାମ୍ନାରେ।
ଫୋନ୍ ବାଜିଉଠିଲା।
-ରାତି ଏତେ ହେଲାଣି।ତମେ କେଉଁଠି ?ପୋଖରୀକୁ ଗାଧେଇବାକୁ ଯାଇନ ତ ?ଦାଦା,ଖୁଡ଼ୀ ବ୍ୟସ୍ତ ହେଉଛନ୍ତି।
-ଆସୁଛି "କହି ଫୋନ୍ ବନ୍ଦ କଲା ଅମିତ।
ପୋଖରୀ ହୁଡାରେ ପଡିଥିବା ରାଧୁ'ର ଗାମୁଛାଟା ପାଲଟି ପକାଇ ପୋଖରୀରେ ପଶିଲା ଅମିତ।ବୋଉ ତ ଆଉ ଦୁନିଆରେ ନାହିଁ।ଵୋଉର ମୁଣ୍ଡ ଛୁଇଁ ପୁରୁଣା ଶପଥ ର ମୂଲ୍ୟ ଆଉ କିଛି ନାହିଁ।ମମତା ଦେହରେ ଜୀବନ ଥିଲେ ନିଶ୍ଚେ ସେ ପହଁରି ପହଁରି ନିଜକୁ ବଞ୍ଚାଇପାରିଥାନ୍ତା।ଲୋକମାନେ ଏତେ ନୃଶଂସ କେମିତି ହୁଅନ୍ତି ?
ଜହ୍ନ ଆଲୁଅରେ ଚିକ୍ ଚିକ୍ କରୁଥିବା ବେଣ୍ଟ ପୋଖରୀ ପାଣିରେ ଅମିତକୁ ଦିଶୁଥିଲା ଜଣଙ୍କ ମୁହଁ।