Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଗପ ହେଲେ ବି ସତ
ଗପ ହେଲେ ବି ସତ
★★★★★

© sushama Parija

Horror

8 Minutes   263    5


Content Ranking


ସ୍ୱଭାବରେ ମୁଁ କୌଣସି ଅଲୌକିକତାରେ କିମ୍ବା ଭୂତ ପ୍ରେତ ଥିବାରେ ବିଶ୍ବାସ କରେ ନାହିଁ, କିନ୍ତୁ ମୁଁ ଦେଖିଥିବା କେତୋଟି ଘଟଣା ବେଳେ ବେଳେ ମତେ ଭ୍ରମିତ କରିଥାଏ ଆଉ କିଛି ଚିନ୍ତା କରିବା ପାଇଁ । ସେମିତି ଗୋଟିଏ ଘଟଣା ....

ମୋର ଶାଶୁ ଘର ଗୋଟିଏ ସଂଯୁକ୍ତ ପରିବାର । ଦାସ ସାହି ଗୋଟାଏ ବଡ ସାହି, ସେଇଠି ଆମେ ସମସ୍ତେ ରହୁ । ବହୁ କୁଟୁମ୍ବୀ ହେତୁ ପିଲା ବଡ ମିଶି ପ୍ରାୟ ଦୁଇଶହ ହେବେ । କୋଉ ପୁରୁଷରୁ ଚଳି ଆସୁଛନ୍ତି ଏକ କୁଟୁମ୍ବ ହୋଇ । ବାହା, ପୁଆଣି, ମଲା ମୃତିକିଆରେ ଏକାଠି ସବୁ କାର୍ଯ୍ୟକ୍ରମ ହୁଏ । ପ୍ରାୟ କୋଡିଏ ବର୍ଷ ତଳର କଥା । ଆମ ଖଞ୍ଜାର ଜଣେ ଜେଠାଶୁରଙ୍କର ପାଞ୍ଚ ପୁଅ । ତନ୍ମଧ୍ୟରୁ ଜଣେ ଜୀବନ ଜୀବିକା ଲାଗି ବହୁଦିନ ଆଗରୁ ଯାଇ ସହର ମଝିରେ ଭଡାଘରେ କରି ରହିଥାନ୍ତି । ସବୁ କା ନିମିତ୍ତରେ ପିଲାମାନଙ୍କୁ ଧରି ଆସନ୍ତି ଘରକୁ, କାମ ସରିଲେ ପୁଣି ଫେରିଯାଆନ୍ତି ନିଜ ଭଡାଘରକୁ । ମଝିରେ ହାର୍ଟ ଜନିତ ସମସ୍ୟାରେ ତାଙ୍କର ହଠାତ୍ ଦେହାନ୍ତ ହୋଇଗଲା, ତାଙ୍କର ଚାରି ପୁଅ, ତାଙ୍କ ପରେ ତାଙ୍କ ସ୍ତ୍ରୀ ଆଉ ପିଲାମାନେ କିନ୍ତୁ ସେଇଠି ରହି ତାଙ୍କର ବ୍ୟବସାୟ ଚଳେଇ ରଖିଲେ । ତାଙ୍କର ବଡ ଭାଇ ମଧ୍ୟ ରୋଗାକ୍ରାନ୍ତ ହୋଇ ମରିଗଲେ । ଚଳାଚଳର ସେମିତି ସୁବିଧା ନଥିଲା । ବଡ ଭାଇ ତାଙ୍କ ପଛରେ ଛାଡି ଯାଇଥିବା ଏକ ମାତ୍ର ପୁଅ ଏବଂ ତାଙ୍କର ବିଧବା ସ୍ତ୍ରୀ ଖୁବ୍ ହଇରାଣ ହରକତ ହେଉଥିଲେ ଚଳିବାକୁ । ବଡଭାଇଙ୍କର କିଛି ବଦଭ୍ୟାସ ଥିଲା, ସେଇ ବଦଭ୍ୟାସ ଯୋଗୁଁ ସେ ତାଙ୍କ ଭାଗ ସମ୍ପତ୍ତିକୁ ବିକ୍ରି କରିଦେଇ ଏଇ ବାହାରେ ରହୁଥିବା ସାନଭାଇ ଭାଗରେ ପଡିଥିବା ଘରଟିରେ ରହୁଥିଲେ, ପୁଅଟି ମଧ୍ୟ ବାପାଙ୍କ ପଦାଙ୍କ ଅନୁସରଣ କରି ମଦ ପିଇ ଦଙ୍ଗା ହଙ୍ଗାମା କରି, ମାଆଙ୍କୁ ମାଡ ମାରି ବଡ ଉତ୍ପାତ କରୁଥିଲା। ବିଚାରୀ ସ୍ତ୍ରୀ ଲୋକଟି ସ୍ୱାମୀ ପରେ ପୁଅର ଜ୍ୱାଳା ସହି ଭାଗ୍ୟକୁ ଆଦରି ପଡିରହିଥିଲା ଅନ୍ୟମାନଙ୍କ ଆଶ୍ରାରେ । ଥରେ ଗାଆଁରେ କୌଣସି ଗୋଟିଏ ଗଣ୍ଡଗୋଳ କରିବା ଯୋଗୁଁ ପୁଅଟିକୁ ଜେଲ୍ ହୋଇଗଲା । ଏକୁଟିଆ ମାଆଟି କେମିତି ଚଳିବ ବୋଲି ସହର ମଝିରେ ରହୁଥିବା ତାଙ୍କର ଯାଆ ଆଉ ପୁଅମାନେ ଆସି ତାଙ୍କୁ ନେଇଗଲେ ସେମାନଙ୍କ ପାଖକୁ । ଅଳ୍ପ କିଛି ଦିନ ପରେ ଖବର ଆସିଲା ସେଇ ଏକୁଟିଆ ମାଆଟି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ତାଙ୍କ ତାଙ୍କର ଭଡାଘରେ । ଆମ ଖଞ୍ଜାରୁ ସମସ୍ତେ ଦୌଡାଦୌଡି ହୋଇ ଗଲେ ସେଇ ଭଡାଘରେ ପାଖକୁ । ତାଙ୍କର ନିଜର ଆଉ ଦୁଇ ଭାଇ ମଧ୍ୟ ଗଲେ, ଦେଖିଲେ କମଳୀ ଅପା ( ସେ ସମ୍ପର୍କରେ ମୋର ଯାଆ ଥିଲେ ) ଝୁଲୁଛି ପଙ୍ଖା ରେ, ବେକରେ ଗାମୁଛା, ପାଖରେ ପଡିଥିବା ପଟା ଖଟଟି ଉପରେ ଚଢି ବୋଧହୁଏ ଝୁଲି ପଡିଛି ତଳକୁ । ସମସ୍ତେ ଭାବିଲେ ଦୁଃଖ ସହି ନପାରି ଆତ୍ମହତ୍ୟା କରି ଦେଇଛି ବିଚାରୀ । ସମସ୍ତେ ଆହା କଲେ, କହିଲେ “ ଦୁଃଖିନୀଟିଏ, ପନ୍ଦର ବର୍ଷରୁ ଅଭାବି ପରିବାରର ବାପଛେଉଣ୍ଡ ଝିଅକୁ ମାଆ ଟେକି ଦେଇଥିଲା ତା’ଠାରୁ ଦୁଇଗୁଣ ବୟସ୍କ ଲୋକଟି ହାତରେ, ଝିଅଟି ଭଲରେ ଦି’ ଓଳି ଦି’ମୁଠା ଖାଇ, ଲୁଗାପଟା ଦି’ ଖଣ୍ଡ ପିନ୍ଧି ଭଲରେ ରହିବ ବୋଲି। ହେଲେ ମଦ୍ୟପ ସ୍ୱାମୀ ତା’କୁ ମାରି ପିଟି ବାର ଅବସ୍ଥା କଲା, ପୁଅଟିଏ ଜନ୍ମ କରିଥିଲା ଯେ ସିଏ ବଡ ହୋଇ ମାଆର ଦୁଃଖ ହରଣ କରିବ କ’ଣ, ଆହୁରି ଅଧିକ ଦୁଃଖର କାରଣ ହେଲା, ଘରବାରି ବାପ ବିକିଥିଲା, ଆଉ ଯାହା ମାଆର ଦେହରେ ଦି’ଖଣ୍ଡ ଅଳଙ୍କାର ଥିଲା, ସେତକ ବିକିଭାଙ୍ଗି ଖାଇଲା, ବିଚାରୀ ଆଉ କୋଉ ସୁଖ ଦେଖିବାକୁ ବଞ୍ଚି ରହିଥାନ୍ତା? ମରିବା ଶ୍ରେୟସ୍କର ଭାବି ଜୀବନ ହାରିଦେଲା । ମରିଗଲା ନାହିଁ ଯେ ତରିଗଲା ସଂସାରରୁ “। ଏମିତି କେତେ କଥା ସବୁ କୁହାକୁହି ହେଉଥାନ୍ତି । ଆତ୍ମହତ୍ୟା କେଶ୍, ପୋଲିସ୍ ଆସି ମୃତ ଶରୀରକୁ ଜବତ କରି କେଶ୍ ଦାଏର୍ କଲାପରେ ପଠାଇ ଦେଲା ମେଡିକାଲକୁ ପୋଷ୍ଟମର୍ଟମ ପାଇଁ । ଖଞ୍ଜା ଲୋକମାନେ ଧାଇଁଲେ ମେଡିକାଲ୍, ଜଣେ ଦି ଜଣ ଗଲେ ତାଙ୍କ ପୁଅକୁ ଜେଲ୍ରୁ ଜାମିନ୍ରେ ଆଣିବା ପାଇଁ । ସମସ୍ତେ ଖାଡାପାଡା ଉପାସରେ ବସିଥାନ୍ତି, ପିଲାଗୁଡିକ ଅସ୍ତବ୍ୟସ୍ତ କରୁଥାଆନ୍ତି, ଆମେ ସବୁ ଅପେକ୍ଷା କରି ରହିଥାଉ, ଶବ ଆସିଲା ପରେ ସଂସ୍କାର ହେଲା ପରେ ଯାଇ ଗାଧୁଆପାଧୁଆ, ଖିଆପିଆ ହେବ।

ଦୁର୍ଭାଗ୍ୟକୁ ସେଦିନ ତାଙ୍କ ପୁଅକୁ ଜାମିନ ମିଳିଲାନି, ପୋଷ୍ଟମର୍ଟମ ହୋଇ ଶବ ଆସିଲା ଆମ ଖଞ୍ଜାକୁ, କ’ଣ କରାଯିବ ବୋଲି ବଡମାନେ ବିଚାର ବିମର୍ଶ କଲେ, କଥା ଛିଡିଲା, ତାଙ୍କ ପୁଅ ପରଦିନ ଜାମିନରେ ଆସିଲା ପରେ ହିଁ ଶବ ସଂସ୍କାର ହେବ, ସେ ହିଁ ମୁଖାଗ୍ନି ଦେବ, କ୍ରିୟା ଧରିବ, ସେତେବେଳ ପର୍ଯ୍ୟନ୍ତ ଶବକୁ ବରଫଭର୍ତ୍ତି ବାକ୍ସରେ ରଖାଯିବ ଆମ ଘର ସାମନାରେ ଥିବା ଦାସଘରର ବିରାଟ ଅଗଣାରେ ।

ସେଇଆ ହେଲା । କମଳୀ ଅପାର ଶବ ଖଞ୍ଜାକୁ ଆସିଲା, ଥୁଆ ହେଲା ଆମ ଘର ଦୁଆର ମୁହଁରେ ଠିକ୍ । ଲମ୍ବା କାଚ ବାକ୍ସ ଭିତରେ ବରଫ ଉପରେ ଛଣ ବିଛା ହୋଇଥାଏ, ତା’ଉପରେ ପାରଦର୍ଶୀ ଜରିରେ ଗୁଡା ହୋଇ ଥୁଆ ହୋଇଥାଏ କମଳୀ ଅପାର ଶବ । ଚେହେରାଟି ଗୋଟାପଣେ ଫୁଟି ଦିଶୁଥାଏ ଉପରକୁ । ଲାଗୁଥାଏ ସତେ ଯେମିତି କମଳୀ ଅପା ଲମ୍ବା ହୋଇ ଶୋଇଛି ସେଠାରେ । ପିଲା ତ ପିଲା ଆମ ବଡମାନଙ୍କର ବି ପିଳେହୀ ପାଣି ହୋଇ ଯାଉଥାଏ ତା’କୁ ଦେଖି । ଖଞ୍ଜା ଯାକ ଲୋକ ଗଦା ହୋଇ ଥାଆନ୍ତି ସେଇଠି । ପିଲାମାନେ ଡରେ ଘର ଭିତରକୁ ପଶୁ ନଥାନ୍ତି, ଆମେ ସବୁ ସେମିତି ରାତି ସାରା ଅନିଦ୍ରା ରହି ଜଗି ବସିଥାଉ ସେଇ ବରଫ ବାକ୍ସକୁ, କାଳେ କୁକୁର ମୁହଁ ମାରିଦେବ ବୋଲି । କମଳୀ ଅପାର ଟିକିଏ ବେଶୀ ଘନିଷ୍ଠତା ଆମ ଘର ସହିତ । ଆମ ଶାଶୁଙ୍କୁ ଅଚଳାଚଳ ଭକ୍ତି କମଳୀ ଅପାର କାରଣ ସେ ମାଡ ଖାଇବା ବେଳେ ଆମ ଶାଶୁ ହିଁ ଥିଲେ ଏକମାତ୍ର ମଣିଷ ଯାହାଙ୍କୁ ଦେଖି ତା’ ସ୍ୱାମୀ ମାଡ ମାରିବା ବନ୍ଦ କରୁଥିଲେ, ଅଧିକାଂଶ ସମୟରେ ଆମ ଶାଶୁ ତା’କୁ ଉଦ୍ଧାର କରି ଆମ ଘରେ ଆଣି ଖୁଆଇବେ ପିଆଇ ରଖୁଥିଲା ଆଉ ତା’ ସ୍ୱାମୀଙ୍କର ରାଗ ଶାନ୍ତି ହେଲେ ସେ ଯାଉଥିଲା ଆମ ଘରୁ । ସେଥିପାଇଁ କମଳୀ ଅପା ଆମର ଅନେକ ଗୁଡିଏ କାମ ବି କରି ଦେଉଥିଲା । ତା’ର ଅକାଳ ମୃତ୍ୟୁରେ ସବୁଠାରୁ ବେଶୀ ଦୁଃଖ ପାଇଥିଲେ ଆମ ଶାଶୁ । କିନ୍ତୁ ସିଏ ତ ଥିଲେ ଅଚଳ ମହାମେରୁ, ସୁଖ ଦୁଃଖ ତାଙ୍କ ମୁହଁ ଉପରେ କିଛି ପ୍ରଭାବ ପକାଉନଥିଲା। ସେ ଖାଲି ପ୍ରାର୍ଥନା କରୁଥାଆନ୍ତି ପ୍ରଭୁ କମଳୀକୁ ମୁକ୍ତି ଦିଅ, ମୁକ୍ତି ଦିଅ ବୋଲି । ଏମିତିରେ ରାତି ପାହି ସକାଳ ହେଲା । ସମସ୍ତେ ସେଇ ଅଗଣାରେ ଶବକୁ ବେଢି ବସିଥାନ୍ତି । ଦିନ ଦଶଟା ପରେ ଜାମିନ୍ ମିଳିଲା ତାଙ୍କ ପୁଅ ଅମରକୁ । ତା’କୁ ନେଇ ଆସିଥିବା ଆମର ଅନ୍ୟ ଭାଇମାନେ ସଙ୍ଗେସଙ୍ଗେ ଶବ ସଂସ୍କାରର ଯୋଗାଡ କରି ପକାଇଲେ, ସଂସ୍କାର ସରିଗଲା ଭଲରେ ଭଲରେ । ଆମେ ସବୁ ଗାଧୁଆପାଧୁଆ କରି ଘରକୁ ଫେରିଲୁ। ତିକ୍ତ ରନ୍ଧାବଢା ସରି ଖିଆପିଆ କଲୁ ।

 ସନ୍ଧ୍ୟା ବେଳକୁ ଭୟ ଲାଗୁଥିବା ସତ୍ତ୍ୱେ ମଧ୍ୟ ନିଦ ମାଡି ଆସୁଥାଏ ଆଖିକୁ । ପିଲାମାନେ ଶୋଇ ଯାଇଥାନ୍ତି, ଆମେ ଯେଉଁମାନେ ବସି ଗପ କରୁଥାଉ ଖଞ୍ଜା ଆଡୁ ଶୁଭିଲା ପାଟି ଗୋଳ। ଆମେ ବାଲ୍କୋନୀ ପଟରୁ ଚାହିଁଲୁ ତଳକୁ, କାଲି ଯେଉଁଠି ଶବଟି ଥୁଆହୋଇଥିଲା, ସେଠାକୁ କାଳେ କିଛି ଅସୁବିଧା ହେଲା କି ବୋଲି, ସେଠାରେ କେହି ନଥିଲେ, ପାଟି ଗୋଳର ଶବ୍ଦ ଆସୁଥିଲା ଖଞ୍ଜା ଭିତରୁ। ଶାଶୁ ଥିଲେ ତଳେ, ସେ ଦୌଡାଧାପଡା କରୁଥିବା ଲୋକଙ୍କ ଭିତରୁ ଜଣକୁ ପଚାରିଲେ କ’ଣ ହୋଇଛି ବୋଲି, ସିଏ ଗୋଟାଏ ଆଚମ୍ବିତ କଥା କହିଲା “ ଆମ ରମାର ଭଉଣୀ ବନିତା ତିନିଦିନ ତଳେ ଆସିଥିଲା, ତା’କୁ ଲାଗିଛି କମଳୀ, ସେଇ ଚିତ୍କାର କରି କାନ୍ଦି କାନ୍ଦି ଖଞ୍ଜା ଫଟଉଛି ।“ କାବା ହେଲେ ସମସ୍ତେ। ଏମିତି ବିଚିତ୍ର କଥା ଆଗରୁ କେହି ଶୁଣି ନଥିଲେ, ଆମ ଶାଶୁ ହସିଲେ, କହିଲେ ସେ ବୋଧହୁଏ କମଳୀର ଶବ ଦେଖି ଡରି ଯାଇଛି, ସେ ସେଥିପାଇଁ ସେମିତି ହେଉଛି, ତା’ ଉପରେ ପାଣି ଢାଳିଦିଅ, ଠିକ୍ ହୋଇଯିବ। କେହି ଜଣେ ଯାଇ ପାଣି ଢାଳି ଦେଲା ତା’ ଉପରେ ହେଲେ ତା’ର କାନ୍ଦଣା କମିବା ପରିବର୍ତ୍ତେ ବଢିବାକୁ ଲାଗିଲା । ସେ ଚିତ୍କାର କରି କହିଲା “ ମୋ ପୁଅ ଅମରକୁ ଡାକ ତା’କୁ ଦେଖିବାକୁ ଚାହୁଁଛି ମୁଁ “। ସମସ୍ତେ ପ୍ରଣାଳୀ ଗଣିଲେ, ବନିତା, ଯିଏ ତା’ ଜୀବନରେ କେବେ ଅମରକୁ ଦେଖି ନାହିଁ, ସିଏ କେମିତି ଆଉ କାହିଁକି କହୁଛି ଅମରକୁ ଦେଖିବାକୁ? ଖଞ୍ଜାରେ ଆଉ ଜଣେ ଜେଠେଇଶାଶୁ ହେବେ ସିଏ କହିଲେ, ଅପମୃତ୍ୟୁ ହୋଇଛି କମଳୀର, ହୁଏତ ତା’ର ଆତ୍ମା ଛଟପଟ ହେଉଛି ତା’ ପୁଅକୁ ଦେଖିବାକୁ, ସେଥିପାଇଁ ସେ ବନିତାର ଶରୀରରେ ପ୍ରବେଶ କରିଛି, ତା’କୁ ତା’ର ପୁଅକୁ ଦେଖାଇଦିଅ, ସେ ଚାଲି ଯିବ । ବହୁତ ବିଚାର ବିମର୍ଶ ପରେ ଅମରକୁ ଅଣାଗଲା ସେଠାକୁ। ବନିତା’ର ସାମନାରେ ଠିଆ କରେଇ ଦେବା ମାତ୍ରକେ ମୁଣ୍ଡରେ ଓଢଣା ପକେଇ ଘରର ଗୋଟିଏ କୋଣରେ ବସିଥିବା ବନିତା ଧାଇଁ ଆସି କୁଣ୍ଢେଇ ପକେଇଲା ଅମରକୁ, “ମୋ ପୁଅଲୋ” କହି କାନ୍ଦି କାନ୍ଦି ଲୋଟିଗଲା, କହିଲା “ ତତେ ଅନେଇଁ ଥିଲିରେ ବାପା! ତୁ ତ ଅମଣିଷ ହେଲୁ, ବାପାଙ୍କ ପରେ ତୁ ମୋର ଆଶ୍ରା ହୋଇଥାନ୍ତୁ, ମତେ ନିରାଶ୍ରୟ କରି ତୁ ଜେଲ୍ ଗଲୁ, ତୋ ଖୁଡୀ ଜୟନ୍ତୀ ମତେ ନେଇଗଲା ତା’ ସାଥିରେ ତା’ଙ୍କ ଘରକୁ । ସେଇଠି ଥିବା ବେଳେ ସେମାନଙ୍କ ସଞ୍ଚିତ ଅର୍ଥରୁ ଅଠର ହଜାର ଟଙ୍କା ମୁଁ ଲୋଭର ବଶବର୍ତ୍ତୀ ହୋଇ ଚୋରି କଲି । ସେମାନେ ଖୋଜାଖୋଜି କରିବା ପରେ ମତେ ଚୋର ବୋଲି ଜାଣି ଧରିଲେ । 

କିଛି ଟଙ୍କା ମୁଁ ତୋ ମାମୁଁକୁ ଦେଇଥିଲି, ତତେ ଜେଲରୁ ମୁକୁଳେଇବା ପାଇଁ, ଆଉ କିଛି ଗାତ ଖୋଳି ଲୁଚାଇ ରଖିଥିଲି ଦୁଇଟି ଅଲଗା ଅଲଗା ଜାଗାରେ, ସମୟ ସୁବିଧା ଦେଖି ବାହାର କରିବି ବୋଲି । ଖୁଡୀର ବଡ ପୁଅ ବାଙ୍କ ମତେ ଖୁବ୍ ମାଡ ମାରି ସେଇ ଟଙ୍କା କଥା ପଚାରିଲା, ମାଡ ଖାଇ ଖାଇ ହାଲିଆ ହୋଇ ମୁଁ ଦୋଷ ସ୍ୱୀକାର କରି ସବୁ କଥା କହିଲି ତା’କୁ । ସେ ଯାଇ ସେଇ ଜାଗା ସବୁ ଖୋଜାଖୋଜି କରିବା ପରେ ଗୋଟିଏ ଜାଗାରୁ ଟଙ୍କା ମିଳିଲା ହେଲେ ଆଉ ଗୋଟିଏ ଜାଗା ଖୋଳି କିଏ ନେଇ ଯାଇଥିଲା ଟଙ୍କା ସବୁ । ମୁଁ ଆଉ ଟଙ୍କା କୋଉଠି ରଖିଛି ବୋଲି ସିଏ ପଚାରି ପଚାରି ମତେ ଖୁବ୍ ମାଡଦେଲା, ଶେଷରେ ତା’ ଗାମୁଛାରେ ବାନ୍ଧି ମୋ ତଣ୍ଟି ଚିପି ମାରିଦେଲା । ମୁଁ ମରିଯାଇଛି ଜାଣି ତା’ ମାଆକୁ ଡାକି ଆଣିଲା, ସେମାନେ ସମସ୍ତେ ମିଶି ମତେ ଛାତରୁ ଝୁଲୁଥିବା ପଙ୍ଖାରେ ବାନ୍ଧି ଦେଇ ଘରଦ୍ୱାର ସଜଡା ସଜଡି କରି ଖବର ପଠେଇଲେ ଆମ ଭାଇଆମାନଙ୍କ ପାଖକୁ । ସତ କହୁଛିରେ ପୁଅ, ମୋ ପାଖରେ ଆଉ ମୋଟେ ଟଙ୍କା ନଥିଲା, ସେ ଯେତେ ମାରିଥିଲେ ମୁଁ କୁଆଡୁ ଆଣି ଦେଇଥାନ୍ତି ତା’କୁ । ତୁ ଖୁଡୀକୁ ବୁଝେଇ ଦେବୁ, ମୁଁ ଅଭାବରେ ପଡି ଭୁଲ କରିଛି । ତତେ ମୁକୁଳେଇବା ପାଇଁ ମୋ ପାଖରେ ପଇସା ନଥିଲା, ସେଥିପାଇଁ ଲୋଭରେ ବଶବର୍ତ୍ତୀ ହୋଇ ଚୋରି କରିଛି । ମତେ କ୍ଷମା କରିଦେବ । ତତେ ମୋ ରାଣ, ମୋ ବାପାଟା ପରା, ତୁ ସୁଧୁରି ଯା’ । ଭଲ ମଣିଷଟିଏ ହେଇ ଘରସଂସାର କରି ରହ। ମୋ ପାପର ଦଣ୍ଡ ମୁଁ ଭୋଗିଛି, ଏଥିପାଇଁ କାହାରିକୁ ଦୋଷ ଦେଉନାହିଁ “। ଏତିକି କହି ବେହୋସ୍ ହୋଇ ପଡିଗଲା ବନିତା । ତା’ ଚାରି ପଟେ ଜମା ହୋଇ ସମସ୍ତେ ସ୍ତମ୍ଭୀଭୂତ ହୋଇ ଶୁଣୁଥିଲେ ତା’ର କଥା । ଅମର କାନ୍ଦୁଥିଲା ତଳକୁ ମୁହଁ ପୋତି । କିଛି ଲୋକ ବନିତାର ମୁହଁକୁ ପାଣି ଛାଟି ସାଷ୍ଟମ କରିବାକୁ ଲାଗି ପଡିଥିଲେ । ତା’ର ଚେତା ଫେରିଲା ଅନେକ ସମୟ ପରେ, ଖୁବ୍ ଦୁର୍ବଳ ଜଣା ପଡୁଥିଲା ସେ । ଡରି ଯାଇଥିଲା ବୋଧହୁଏ । ପୁଣି ଆଖି ବନ୍ଦ କରି ଶୋଇ ପଡିଲା । ତା’ପର ଦିନ ସକାଳୁ ଉଠି ସାଧାରଣ ଭାବରେ ସବୁ କାମ କରୁଥିଲା । ତା’କୁ ଗତରାତିରେ ଘଟିଥିବା ଘଟଣା ବିଷୟରେ ପଚରା ଉଚୁରା କରିଥିଲେ ସମସ୍ତେ ହେଲେ ସେ ସେମିତି କିଛି ଘଟଣା ବିଷୟରେ ସେ ଜାଣି ନାହିଁ ବୋଲି କହୁଥିଲା । ତୁରନ୍ତ ତା’କୁ ତା’ର ନିଜ ଘରକୁ ପଠାଇ ଦେଇଥିଲେ ଆମ ଘର ଲୋକେ । ଶୁଣିଥିଲି ସେଠାରେ କେଉଁ ଗୋଟିଏ ବଡ ଗୁଣିଆ ଡାକି ବିନିତାଙ୍କର ଦେହକୁ କିଳେଇ ଥିଲେ ସେମାନେ, ଯେମିତି କି କମଳୀ ଅପାର ଭୂତ ଆଉ ତା’ ଦେହରେ ପ୍ରବେଶ କରି ନପାରିବ।

କମଳୀ ଅପାର ସାନ ଯାଆ ଆଉ ତାଙ୍କ ପିଲାମାନଙ୍କୁ ଡକାଇ ଆଲୋଚନା କରିଥିଲେ ଆମ କୁଟୁମ୍ବର ଲୋକମାନେ । ବହୁତ କଷ୍ଟରେ ଟଙ୍କା ଚୋରି କଥାଟି ମାନିଥିଲେ ସେମାନେ କିନ୍ତୁ କମଳୀ ଅପାକୁ ମାରିବା କଥା କେହି ମାନି ନଥିଲେ। କୌଣସି ପ୍ରମାଣ ବି ନଥିଲା ସେମାନଙ୍କ ବିପକ୍ଷରେ ।ତେଣୁ ଘଟଣାଟିକୁ ସାଧାରଣ ଆତ୍ମହତ୍ୟା ଧରି ନେଇ କେଶ୍ ଫାଇଲ୍ ବନ୍ଦ କରି ଦେଇଥିଲା ପୋଲିସ୍ । ଧୀରେ ଧୀରେ ସବୁ ସାମାନ୍ୟ ହୋଇ ଯାଇଥିଲା । କମଳୀ ଅପାର ଶୁଦ୍ଧି କ୍ରିୟାର ଦାୟିତ୍ୱ ତା’ର ସବୁଠୁ ବଡ ଦେଢଶୁର କରାଇଥିଲେ ଯଥାରୀତି ।

ମୋର କିନ୍ତୁ ସେଇ ଘଟଣା ଆଜି ଯାଏଁ ମନରେ ସଂଶୟ ଭିତରେ ଅଛି । ମୁଁ ଆଜି ଯାଏଁ ବି ବୁଝି ପାରି ନାହିଁ ସେଇ ଘଟଣାଟିକୁ । ବିନିତା, ଗୋଟିଏ ସତର ଅଠର ବର୍ଷର ଝିଅ, ସିଏ ପ୍ରଥମଥର ପାଇଁ ଆସିଥିଲା ତା’ର ମାଉସୀ ଝିଅ ଭଉଣୀ ଘରକୁ, ସିଏ ଜୀବନରେ କେବେ ବି କମଳୀ ଅପା କି ତା’ର ପୁଅ, ତା’ର ଯାଆ ଏବଂ ତାଆରି ପୁଅମାନଙ୍କୁ ଦେଖି ନଥିଲା, ସେ ଏତେ କଥା ଜାଣିଲା କେମିତି ? ଆହୁରି ପୁଣି ସେଠାରେ ଅନେକ ଲୋକଙ୍କ ମଧ୍ୟରେ କମଳୀ ଅପାର ପୁଅକୁ ଚିହ୍ନିଲା କେମିତି ? ସବୁବେଳେ ସାଲୱାର ପଞାବୀ ପିନ୍ଧି ଓଢଣୀଟା ବେକରେ ଝୁଲାଇ ବୁଲିବା ଝିଅଟା ହାତେ ଓଢଣା ଦେଇ କବାଟ କଣରେ ବସି କାନ୍ଦୁଥିଲା କାହିଁକି? ସେ ସବୁ ଆଜି ଯାଏଁ ବି ପ୍ରଶ୍ନବାଚୀ ହୋଇ ରହିଛି ମୋ ମନରେ ।।


ପରିବାର ପ୍ରମାଣ ପ୍ରଶ୍ନବାଚୀ

Rate the content


Originality
Flow
Language
Cover design

Comments

Post

Some text some message..