ଜୀବନ ସଂଘର୍ଷ ( ଭାଗ : 9 ସଂଘର୍ଷ)
ଜୀବନ ସଂଘର୍ଷ ( ଭାଗ : 9 ସଂଘର୍ଷ)
ଭାଗ : 9 ( ସଂଘର୍ଷ)
କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଜୀବନ ସଂଘର୍ଷର ପୂର୍ବ ଭାଗଗୁଡିକୁ ଦୟା କରି ପଢନ୍ତୁ। ଆଗରୁ ଆମେ ପଢିଥିଲୁ ମୀରା କିନ୍ନର ବୋଲି ଜାଣିଲା ପରେ ମଧ୍ୟ ଦେବଙ୍କ ଘର ଲୋକ ତାଙ୍କୁ ଆପଣାଇଲେ। ହେଲେ ଭାଗ୍ୟର ଖେଳ ଥିଲା ଅଲଗା। ଦେବଙ୍କ ପ୍ରଥମ ସ୍ତ୍ରୀ ଶୁଭ୍ରା ଓ ଝିଅ ଖୁସି ଜୀବିତ ଅଛନ୍ତି ଜାଣିଲା ପରେ ଦେବ ଓ ମୀରା ସେମାନଙ୍କ ବିଷୟରେ ଜାଣିବାକୁ ଡାକ୍ତର ରମେଶଙ୍କ ପାଖକୁ ଗଲେ।ସେଠାରେ ସେମାନେ ଜାଣିଲେ ଯେ ଶୁଭ୍ରା ନିଜ ଅତୀତ ଭୁଲି ଯାଇଛନ୍ତି। ଶୁଭ୍ରା ସେଠାରେ ଦେବଙ୍କୁ ଦେଖି ଅଚେତ ହୋଇ ଗଲେ ଏବଂ ଚେତା ଫେରିଲା ପରେ ଡାକ୍ତର ରମେଶ କହିଲେ ଯେ ଶୁଭ୍ରା ଖୁସି ଜନ୍ମ ହେବା ପର୍ଯ୍ୟନ୍ତ କଥା ମନେ ରଖିଛନ୍ତି। ଆଉ ଶୁଭ୍ରାଙ୍କ ଶାରୀରିକ ଅବସ୍ଥା ଗୁରୁତର । ତେଣୁ ଦେବଙ୍କୁ ଶୁଭ୍ରାଙ୍କ ସ୍ୱାମୀ ପରି ଅଭିନୟ କରିବାକୁ ପଡିବ। ପରିସ୍ଥିତିକୁ ଦେଖି ଦେବ ଓ ମୀରା ଶୁଭ୍ରା ଓ ଖୁସିକୁ ଘରକୁ ନେଇ ଆସିଲେ। ଖୁସି ଓ ଶୁଭ୍ରାଙ୍କୁ ପାଇ ଆଶାଙ୍କ ମୀରାଙ୍କ ପାଇଁ ବ୍ୟବହାର ବଦଳି ଗଲା। ଶେଷରେ ଘରର ସୁଖ ଶାନ୍ତି ପାଇଁ ମୀରା ବାଧ୍ୟ ହୋଇ ଘର ଛାଡ଼ି ବାହାରି ଆସିଛନ୍ତି। ବର୍ଷା ରାତିରେ କିଛି ମଦୁଆ ତାଙ୍କ ଜିନିଷ ଛଡାଇ ନେଇ ହଇରାଣ କରୁଛନ୍ତି। ସପଟେ ଦେବ ମୀରାଙ୍କୁ ନ ପାଇ ତାଙ୍କୁ ଖୋଜିବା ପାଇଁ ବାହାରି ପଡିଛନ୍ତି। ତାପରେ:
ମୀରା ମଦୁଆଙ୍କ କବଳରୁ ରକ୍ଷା ପାଇବା ପାଇଁ ଦୌଡି ପଳାଉ ଥିଲେ। ସେହି ସମୟରେ ତାଙ୍କୁ କିଛି କିନ୍ନରମାନେ ଦେଖିଲେ। ସେମାନେ ଦୌଡ଼ି ଆସି ମୀରାଙ୍କୁ ମଦୁଆ କବଳରୁ ରକ୍ଷା କଲେ। ମୀରା କିନ୍ନରମାନଙ୍କୁ ଦେଖି ଡରି ଗଲେ।
କିନ୍ନରମାନେ ଆସି ତାଙ୍କୁ କହିଲେ ଆଲୋ ଡରୁଛୁ କିଆଁ ବା। ଆମେ ପରା ସମାନ ଜାତି। ଦେଖିଲୁ ତ କେତେ ମୋ ପରିବାର କହି ରହୁଥିଲୁ। ଆଜି ତୋତେ ବାହାର କରି ଦେଲେ ନା। ଆମେ ପରା ନା ଝିଅ ନା ପୁଅ। ଏଇଠି ଆମର ପରିବାର କହିଲେ ଆମରି ଜାତି।ଆଉ କେହି ଆମର ନୁହଁନ୍ତି। ନିଜ ସ୍ୱାର୍ଥ ହାସଲ ପରେ ଆମକୁ ସମସ୍ତେ ପର କରି ଦିଅନ୍ତି। ଚାଳ ଆମ ସାଙ୍ଗରେ ଆମ ସାହିକୁ।
ମୀରା କିଛି ଉପାୟ ନ ପାଇ କିନ୍ନରମାନଙ୍କ ସହ ତାଙ୍କ ସାହିକୁ ଗଲେ। ସେଠି ସବୁ କିନ୍ନରମାନେ ତାଙ୍କୁ ଖୁସିର ସହ ସ୍ୱାଗତ ଜଣାଇଲେ। କିନ୍ନରମାନଙ୍କ ମୁଖ୍ୟ ରାଣୀ ନାନୀ ମୀରାଙ୍କ ହାତ ଧରି କହିଲେ ଇଏ ହେଉଛି ଆମ ରାଧା। ଆଜିଠାରୁ ତୁମେ ସବୁ ତାକୁ ରାଧା ଡାକିବ। ମୀରା ମନା କରିବାରୁ କେହି ଶୁଣିଲେ ନାହିଁ। ସେହି ସମୟରେ ମଧୁ ନାନୀ ଆସି ମୀରାଙ୍କ ହାତକୁ ଜାକି ଚୁପ ରହିବା ପାଇଁ ଠାରିଲେ।
ସେପଟେ ଦେବ ମୀରାଙ୍କୁ ଫୋନ କରୁ ଥାଆନ୍ତି। ହେଲେ ତାଙ୍କ ଫୋନ ଲାଗୁ ନ ଥାଏ। ଚାରିଆଡେ ଖୋଜି ଖୋଜି ପୋଲିସ ପାଖକୁ ଗଲେ।
ରାତିରେ ଶୋଇବା ସମୟରେ ମଧୁ ନାନୀ ମୀରାଙ୍କୁ ବୁଝାଇ କହିଲେ ରାଣୀ ନାନୀର କଥା ସମସ୍ତେ ମାନନ୍ତି। ତାଙ୍କ କଥା ନ ମାନିଲେ ଦଣ୍ଡ ମିଳିବ। ତୁ ତାଙ୍କ କଥାରେ କେବେ ମନା କରିବୁ ନାହିଁ। କାଲିଠିରୁ ତୁ ଆମ ପରି ବେଶରେ ସଜ ହେବୁ।
ମୀରା ମୋବାଇଲ କାଢି ଦେବ ଆଉ ପୁରା ପରିବାର ଲୋକଙ୍କ ଫୋଟୋ ଦେଖି କାନ୍ଦି କାନ୍ଦି ଶୋଇଗଲେ। ମୋବାଇଲରୁ ସିମ୍ କାଢି ଦେଇ ଥିବାରୁ ଆଉ ଦେବ ଫୋନ କଲେ ବି ଲାଗୁ ନ ଥାଏ।
ସକାଳୁ ଦେବ ଅନୁମାନ କରି ପୋଲିସ ସହ ଆସି କିନ୍ନରମାନଙ୍କ ସାହିରେ ଆଜି ପହଞ୍ଚିଲେ। ସେଠାରେ ସେ ଦେଖିଲେ ସବୁ କିନ୍ନରମାନେ ମିଶି ମୀରାଙ୍କୁ କିନ୍ନର ପରି ସଜାଉଛନ୍ତି ଏବଂ ମୀରାଙ୍କୁ ରାଧା ଡାକୁଛନ୍ତି। ଦେବଙ୍କୁ ଦେଖି ମୀରାଙ୍କ ମନ ବ୍ୟାକୁଳ ହୋଇ ଉଠୁ ଥାଏ। ତାଙ୍କୁ ଇଚ୍ଛା ହେଉଥାଏ ଦୌଡି ଯାଇ ସେ ଦେବଙ୍କୁ କୁଣ୍ଢାଇ ପକାଇବେ। ହେଲେ ଶାଶୁ ଆଶାଙ୍କୁ ଦେଇ ଥିବା ପ୍ରତିଶ୍ରୁତି ପାଇଁ ଚୁପଚାପ ବସି ରହିଲେ।
ଦେବ ମୀରାଙ୍କୁ ନେଇ ଯିବା ପାଇଁ ଦାବୀ କରିବାରୁ ରାଣୀ ନାନୀ କହିଲେ ଯେ ମୀରା ନିଜ ଇଚ୍ଛାରେ ଏଠାକୁ ଆସିଛନ୍ତି। ତେଣୁ କେହି ତାଙ୍କୁ ଏଠାରୁ ନେଇ ପାରିବେ ନାହିଁ।
ଦେବ ମୀରାଙ୍କୁ କହିଲେ ଏ କଥା ମିଛ ନା।
ମୀରା ମନର କୋହକୁ ଜାକି କର୍କଶ ସ୍ୱରରେ ଦେବଙ୍କୁ କହିଲେ ନା ସତ। ମୁଁ ମୋ ଇଚ୍ଛାରେ ଆସିଛି। ଆଉ ମୁଁ ତୁମ ଘରେ ରହିବା ପାଇଁ ଚାହେଁ ନାହିଁ। ମୋ ନିଜର କହିଲେ ଏ ନାନୀ ମାନେ।ମୁଁ ଆଜି ମୋର ଅସ୍ତିତ୍ୱକୁ ସ୍ୱୀକାର କଲି। ଏମିତି ଉଚ୍ଚ ସ୍ୱରରେ ସେ ଦେବଙ୍କୁ ବହୁ କଟୁ ତିକ୍ତ କଥା କହିଲେ।
ଶେଷରେ ପୋଲିସ କହିଲେ ଯଦି ମୀରା କିନ୍ନରମାନଙ୍କ ସହ ସ୍ୱଇଚ୍ଛା ରହୁଛନ୍ତି ତେବେ ଭଲ ହେବ ଦେବ ବାବୁ ଆପଣ ମୀରାଙ୍କୁ ଭୁଲି ଯାଆନ୍ତୁ।
ଦେବ କିଛି ଉପାୟ ନ ପାଇ ମନ ଦୁଃଖରେ ଘରକୁ ଫେରି ଯିବା ପାଇଁ ବାହାରିଲେ।
ଦେବ ଗଲା ପରେ ମୀରା ବହୁତ କାନ୍ଦିଲେ। ମଧୁ ନାନୀ ଆଉ ବାକି କିନ୍ନରମାନେ ତାଙ୍କୁ ବୁଝାଇଲେ।
କିଛି ସମୟ ପରେ ରାଣୀ ନାନୀ ଆସି କହିଲେ ରାଧା ( ମୀରା ) ଏଠି ରହିଲେ ଦେବ ଏମିତି ବାରମ୍ବାର ଆସିବେ। ତେଣୁ ଆଜି ଦ୍ୱିପହରରେ ମୁଁ, ରାଧା ( ମୀରା ) ଓ ମଧୁ କିଛି ମାସ ପାଇଁ ପାଖ ସହରକୁ ପଳାଇବା।
ଗାଡି ଯାଉଥିବା ସମୟରେ ରାସ୍ତାରେ ଗୋଟିଏ ବଡ ଦୁର୍ଘଟଣା ଘଟିଥିବାର ଟ୍ରାଫିକ୍ ଥିଲା। ବାଧ୍ୟ ହୋଇ ଗାଡି ଅଲଗା ରାସ୍ତାରେ ଗଲା। ହେଲେ ମୀରା ଜାଣି ପାରିଲେ ନାହିଁ ଯେ ସେ ଦୁର୍ଘଟଣା ଆଉ କାହାର ନୁହେଁ ଦେବଙ୍କର ଘଟିଛି।
ମୀରା ଦେବ, ଛୁଆମାନଙ୍କୁ ଆଉ ଶାଶୁ ଶଶୁରଙ୍କୁ ଛାଡି ବହୁତ ଦୁଃଖରେ କାନ୍ଦି କାନ୍ଦି ତାଙ୍କର ସମୟ କାଟୁ ଥାଆନ୍ତି। ମଧୁ ନାନୀ ବଡ ଭଉଣୀ ପରି ତାଙ୍କୁ ସବୁବେଳେ ବୁଝାଉ ଥାଆନ୍ତି।
ମୀରାଙ୍କ ଦୁଃଖ ଏତିକି ରେ ନ ସରେ। କିଛି ଦିନ ପରେ ରାଣୀ ନାନୀ ତାଙ୍କୁ ରାସ୍ତାରେ ଯାଇ ଭିକ ମାଗିବାକୁ ବାଧ୍ୟ କରାଇଲେ। ସେ ମନା କଲା ରୁ ତାଙ୍କୁ ବହୁତ ମାଡ ମାରିଲେ ଏବଂ ଖାଇବା ପାଇଁ ଦେଲେ ନାହିଁ। ରାସ୍ତା ମଝିରେ ଆଉ ଲୋକଙ୍କ ଘରକୁ ଯାଇ ନାଚିବା ପାଇଁ ବାଧ୍ୟ କଲେ। ମୀରା ସ୍ବାଭିମାନୀ ହୋଇ ଥିବାରୁ ତାଙ୍କୁ ଋ ସବୁ ଭଲ ଲାଗୁ ନ ଥାଏ। ମଧୁ ନାନୀଙ୍କ ପାଖରେ ସେ ନିଜର ମନ କଥା କହି କାନ୍ଦନ୍ତି। ମଧୁ ନାନୀ ତାଙ୍କୁ ବୁଝାଇ କୁହନ୍ତି କି ବା ଆଉ କରିବା ଆମ କପାଳରେ ପରା ଏୟା ଲେଖା। ଆମେ ଛୋଟ ବେଳୁ ଏ ସବୁ କରିଆସୁଛୁ ବୋଲି ଆମକୁ କିଛି ଲାଗୁ ନାହିଁ। ତୁ ନୂଆ ନୂଆ କରୁଛୁ ତ ସେଥିପାଇଁ ତୋତେ ଭଲ ଲାଗୁ ନାହିଁ। କିଛି ଦିନ ପରେ ସବୁ ଠିକ ହୋଇ ଯିବ।
ମୀରା ନିଜ ମନକୁ ଯାହା ଯେମିତି ବୁଝାଇ ରହୁ ଥାଆନ୍ତି। ବହୁତ ମନ ଅଶାନ୍ତି ହେଲେ ସେ S. T. D ରୁ ଦେବଙ୍କୁ ଫୋନ କରନ୍ତି। ହେଲେ ଦେବ ଫୋନ ଉଠାନ୍ତି ନାହିଁ। ଘରକୁ ଫୋନ୍ କଲେ ପ୍ରାୟ ଶୁଭ୍ରା ଉଠାନ୍ତି। ତେଣୁ ସେ ଘର ଲୋକଙ୍କ ସହ କଥା ହୋଇ ପାରନ୍ତି ନାହିଁ।
ଏହା ଭିତରେ ଛଅ ମାସ କଟି ଗଲାଣି। ଦିନକର କଥା ମୀରା ଟ୍ରାଫିକ୍ ରେ ଗୋଟିଏ ଗାଡି ଭିତରେ ଡାକ୍ତର ରମେଶ ସହ ଶୁଭ୍ରାଙ୍କୁ ଦେଖିଲେ। ଶୁଭ୍ରା ଡାକ୍ତର ରମେଶଙ୍କୁ କିସ୍ କରୁଥିବା ଦୃଶ୍ୟ ସେ କିଛି ବୁଝି ପାରିଲେ ନାହିଁ।
ମୀରା ରାତିରେ ଆସି ମଧୁ ନାନୀଙ୍କୁ ସବୁ କହିଲେ। ମଧୁ ନାନୀ କହିଲେ ତୋ ମନର ଭୂଲ ଧାରଣା ହୋଇ ଥିବ। ଶୁଭ୍ରା ପୁଣି ଡାକ୍ତର ରମେଶ ସହ ଏ ସହରରେ କଣ କରିବ ଯେ। ମୀରା ବି କିଛି ବୁଝି ନ ପାରି ଭାବିଲେ ବୋଧେ ମୋର ଦେଖିବାରେ ଭୂଲ ହୋଇ ଥିବ।
ତାପର ଦିନ ପୁଣି ମୀରା ଶୁଭ୍ରା ଓ ଡାକ୍ତର ରମେଶଙ୍କୁ ଗୋଟିଏ ହୋଟେଲକୁ ଯିବାର ଦେଖିଲେ। ସେ ବି ହୋଟେଲ ଭିତରକୁ ଯାଇ ସେମାନଙ୍କୁ ଲୁଚି ଲୁଚି ନଜର ରଖିଲେ। ତାଙ୍କ କଥାରୁ ସେ ଜାଣିଲେ ଯେ ସେମାନେ ସେଠାକୁ ଦେବଙ୍କ ସବୁ ସମ୍ପତ୍ତି ବିକ୍ରି କରିବା ପାଇଁ ଲୋକ ଠିକ୍ କରିବାକୁ ଆସିଛନ୍ତି। ଆଉ ତାପରେ ଦେବଙ୍କୁ ନିଜ ରାସ୍ତାରୁ ହୋଟେଇ ଦେଇ ସେମାନେ ଦୁହେଁ ବିବାହ କରିବେ।
ଏ କଥା ଶୁଣି ମୀରାଙ୍କ ମୁଣ୍ଡ ଚକ୍ର ଖାଇଲା। ସେ ହୋଟେଲରୁ ତରତର ହୋଇ ବାହରିବା ସମୟରେ ତାଙ୍କୁ ଜଣେ ବଡ ଫୋଟୋଗ୍ରାଫର ନଜର କରି ତାଙ୍କ ବିଷୟରେ ବୁଝି ଯାଇ ରାଣୀ ନାନୀ ପାଖରେ ପହଞ୍ଚି ଗଲେ।
ମୀରା ରୁମକୁ ଯାଇ ମଧୁ ନାନୀଙ୍କୁ ସବୁ କଥା ଖୋଲି କହୁ ଥିବା ସମୟରେ ରାଣୀ ନାନୀ ପହଞ୍ଚି ତାଙ୍କୁ ହୋଟେଲ ଯାଇଥିବାରୁ ଵହୁତ ପାଟି କଲେ। ତାପରେ ସେ ଫୋଟୋଗ୍ରାଫରଙ୍କୁ ଡାକି ମୀରାଙ୍କ ସହ ପରିଚୟ କରାଇ କହିଲେ ସାର ତୋର କିଛି ଫୋଟୋ କାଲି ଉଠାଇବେ। ସେଥିପାଇଁ ସେ ଆମକୁ ବହୁତ ଟଙ୍କା ବି ଦେବେ। ତୁ କାଲି ସକାଳୁ ସେଠାକୁ ଯିବୁ।
ମୀରା କିଛି କହିବା ଆଗରୁ ରାଣୀ ନାନୀ 100,000 ଟଙ୍କା ଏଡଭାନ୍ସ ନେଲେ। ଆଉ ସେଠାରୁ ପଳାଇଲେ।
ମୀରା ଶୁଭ୍ରାଙ୍କ କଥାକୁ ନେଇ ଚିନ୍ତିତ ଥାଆନ୍ତି।
ମଧୁ ନାନୀ ରାଣୀ ନାରୀଙ୍କୁ ଖାଇବା ଦେବା ସମୟରେ ରାଣୀ ନାନୀର ଫୋନରେ କଥା ଶୁଣି ସେ ମୀରାଙ୍କ ପାଖକୁ ଧାଇଁ ଆସିଲେ ଏବଂ କହିଲେ ଯେ କାଲି ଯେଉଁ ଫୋଟୋ ଉଠା ହେବ ତୁ ସେଠାକୁ ଯିବୁ ନାହିଁ। ସେମାନେ ତୋର ଅଶୀଳ ଫୋଟୋ ଆଉ ଭିଡିଓ କରିବେ। ଏ କଥା ଶୁଣି ମୀରା ଆଶ୍ଚର୍ଯ୍ୟ ହୋଇ ଛିଡ଼ା ହୋଇ ଗଲେ।
ଏବେ ମୀରା କଣ କରିବେ?କେମିତି ସେ ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବେ ଜାଣିବା ପାଇଁ ଏହାର ପରବର୍ତ୍ତୀ ଭାଗ (ଜୀବନ ସଂଘର୍ଷର ଶେଷ ଭାଗ)କୁ ପଢନ୍ତୁ।
କ୍ରମଶଃ.....