Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଗାର
ଗାର
★★★★★

© Aravinda Das

Tragedy

4 Minutes   428    45


Content Ranking

କାନ୍ଥ ର ଏକ ନିର୍ଦିଷ୍ଟ ସ୍ଥାନରେ ହାତ ମାରୁଥିଲେ ସୁବ୍ରତ।

ନିଜ ରୁମ କାନ୍ଥରେ ଆଜି ଯାଏଁ ଦାଗଟେ ଲଗାଇ ଦେଇ ନାହାନ୍ତି ସୁବ୍ରତ।ବାପାଙ୍କ ଠାରୁ ଏସବୁ ଶିଖିଛନ୍ତି ସେ।କାନ୍ଥ ହେଉ କି କ୍ୟାରିଅର ଅଥବା ଚରିତ୍ର, କେବେ ସେଥିରେ ଗାର ପକାଇବାକୁ ଦେବୁନି।ବାପାଙ୍କ କଥା ପଦକ ମନେପଡେ ସୁବ୍ରତଙ୍କ'ର।

ସୁବ୍ରତ'ଙ୍କ ବାପା ରବୀନ୍ଦ୍ରନାଥ ପଟ୍ଟନାୟକ ବି କାଳେ ଭାରି ନାମଜାଦା ଜଜ୍ ଥିଲେ।

ପିଲାବେଳେ ବାପା ଘରେ ନଥିଲା ବେଳେ ଥରେ କାନ୍ଥରେ ବହୁତ ଗାରେଇ ଦେଇଥିଲେ ସୁବ୍ରତ। ବେତ ମାଡ଼ରେ ପିଠି ନୋଳା ଫାଟିଯାଇଥିଲା ତାଙ୍କର।ନିଜେ ସୁବ୍ରତ ମଧ୍ୟ ନିଜ ପିଲାଙ୍କୁ ସେଇଆ ଶିଖାଇଛନ୍ତି।

"ମୋର କୌଣସି ଜିନିଷ ଛୁଇଁବ ନାହିଁ।କାନ୍ଥ ରେ ହାତ ଦେଲେ ଭାଙ୍ଗି ଦେବି ସେ ହାତ।"

ଜଜ୍ ସୁବ୍ରତ ପଟ୍ଟନାୟକ ।

କଥା କଥାକେ ନିୟମ ଓ କାନୁନ।ବରାଦ କାମରେ ଟିକେ ଖିଲାପ ହେଲେ ଦଣ୍ଡ।କଡା ମିଜାଜ ବାଲା ଲୋକମାନେ କାଳେ ଏମିତି।

"ଅର୍ଡର ଅର୍ଡର" ଓ "ସାଇଲେନ୍ସେ ପ୍ଲିଜ" ଏହି ଦୁଇଟି ଶବ୍ଦ ଯେମିତି ସବୁବେଳେ ସୁବ୍ରତ ବାବୁଙ୍କ ରକ୍ତ କଣିକାରେ ବୁଲୁଥାଏ।କୋର୍ଟ ହେଉ କି ଘର,ସୁବ୍ରତବାବୁ ସବୁ କାମରେ ସବୁଠି ନିୟମାନୁବର୍ତ୍ତିତା ଓ ଅନୁଶାସନକୁ ପସନ୍ଦ କରନ୍ତି।

ବାହାଘର ବେଳେ ଶାଶୁ ବୁଝାଇ ଦେଇଥିଲେ ପୁର୍ଣ୍ଣିମାଙ୍କୁ," ସୁବୁ'ଟା ଏକଦମ ସୁନା ମୁଣ୍ଡା।ହେଲେ ତୋ ଶଶୁରଙ୍କ ଜଜ୍ ନୀତି ଯୋଗୁଁ ପୁଅଟା ମୋର ଏମିତି ହୋଇଗଲା।ମା'ର ସ୍ନେହ ଅପେକ୍ଷା ବାପ ର ନିୟମ କାନୁନ ଢାଞ୍ଚାରେ ପଡିଗଲା।ତୋ ଶଶୁର କୋର୍ଟ ଛଡ଼ା ଘରେ ବି ହୁକୁମ ଚଳାନ୍ତି।ସୁବୁ'ର ମନ ନେଇ ଚଳିବୁ ମା।"

ସ୍ତ୍ରୀ ପୂର୍ଣ୍ଣିମା, ପୁଅ ଧ୍ରୁବ ଓ ଝିଅ ରୁମଝୁମ ସମସ୍ତେ ସୁବ୍ରତଙ୍କ ଏ ବିଷୟରେ ଅବଗତ।ଖାଲି ପରିବାର ଲୋକ ନୁହଁନ୍ତି, ଘରେ କାମ କରୁଥିବା ଚାକର,ଚାକରାଣୀ,

ଡ୍ରାଇଭର,ମାଳି,ପୁଝାରୀ,ୱାଚ୍ ମ୍ୟାନ,ଅଡର୍ଲି ସମସ୍ତେ ଜଜ୍ ସାହେବଙ୍କୁ ଭୟ କରନ୍ତି।

କାରଣ, ବାବୁ କ୍ଷଣକୋପୀ।ଟିକେ କାମରେ ଖିଲାପ ହେଲେ ଗାଳି ଶୁଣିବାକୁ ପଡ଼େ।ପିଲାମାନେ ବି ଭୟ ଯୋଗୁଁ ବାପାଙ୍କ ପାଖ ପଶନ୍ତି ନାହିଁ।ଯାହା ଅଳି ଅର୍ଦଳି ସବୁ ମା ,ପୁର୍ଣ୍ଣିମା'ଙ୍କ ପାଖରେ କରନ୍ତି।

- ଘରେ ବି ତମର ସେଇ ଜଜ ଗିରି ?କଥାକଥାକେ ଆଇନ କାନୁନ ?କମସେ କମ ପରିବାର ଲୋକଙ୍କ ପାଇଁ ତ ନିଜ ମନୋବୃତ୍ତି ଟିକେ କୋହଳ କର।ଏକୁଟିଆ ବାଆଁରା ମଣିଷ ହୋଇ ପଡ଼ିରହିଥିବ ସବୁବେଳେ?ଜଜ୍ ବୋଲି କାହା ଘରକୁ ନିଜେ ଯାଉନ,କଣ ନା ଇୟେ କାଳେ ନିୟମ।କି ଧାତୁରେ ତମେ ଗଢ଼ା କେଜାଣି ?ଆମ ପିଲା ଆମ ଘର ଭିତରେ ବି ନିଜ ଇଛାରେ କିଛି କରିପାରିବେନି ?" ପୂର୍ଣ୍ଣିମା ଥରେ ମୁହଁ ଖୋଲିଥିଲେ।

- ଜଣେ ବିଚାରପତି ନିଜେ ପ୍ରତି କ୍ଷଣରେ ଅନୁଶାସନ ର ବଳୟ ଭିତରେ ରହିବା ଉଚିତ।ମୁଁ ଚାହେଁ ମୋ ପରିବାର ଲୋକ ନିୟମ ପାଳନ କରନ୍ତୁ ,ବାହାର ଲୋକ ନୁହେଁ।ଯଦି ମୋ କଥା କାହାକୁ କଷ୍ଟ ଦିଏ ,ତେବେ ସେ ମୋ ଠାରୁ ଅଲଗା ହୋଇଗଲେ ମୁଁ ବାଧା ଦେବିନି।

ଗାଲରେ ଚଟକଣା ଖାଇଲା ପରି ଲାଗିଥିଲା ପୂର୍ଣ୍ଣିମାଙ୍କୁ।

ଧଳା ରଙ୍ଗ ସୁବ୍ରତଙ୍କର ପ୍ରିୟ ରଙ୍ଗ ବୋଲି ସବୁବେଳେ ଧଳା ସାର୍ଟ ପ୍ୟାଣ୍ଟ ଏପରିକି ସୁଇଟର ବି ଧଳା ରଙ୍ଗର ପିନ୍ଧନ୍ତି ।ତଳ ମହଲାରେ ଥିବା ନିଜ ଚ୍ୟାମ୍ବର ଓ ବେଡ଼ରୁମ କାନ୍ଥ ରଙ୍ଗ ବି ଧଳା।ଗୋଟାଏ ଦାଗ ବା ଗାର ନଥାଏ ସେ କାନ୍ଥରେ।

ଥରେ ପୁଅ କାନ୍ଥରେ ଗାରେଇ ଦେଇଥିଲା ବୋଲି ତାକୁ ବହୁତ ମାରିଥିଲେ ସୁବ୍ରତ।

- ବାପାଙ୍କ ରୁମରେ କେହି ପଶିବନି କି ଘର କାନ୍ଥରେ କେହି ଜମାରୁ ଗାରେଇବ ନାହିଁ।

ସେଇ ଦିନରୁ ଦୁଇ ପିଲା ବାପାଙ୍କ ରୁମ ଦୁଆର ମାଡ଼ନ୍ତିନି।ବେଳେବେଳେ ବ୍ୟସ୍ତ ହୋଇପଡ଼ନ୍ତି ପୂର୍ଣ୍ଣିମା।

ଉଚ୍ଚ ସ୍ୱରରେ କଥାବାର୍ତ୍ତା ନକରିବା ,ଠିକ୍ ସମୟରେ ନିତ୍ୟକର୍ମ, ପାଠପଢ଼ା,ଖିଆପିଆ, ପାଇଁ ହୁକୁମ ଥାଏ।ପୁଅ ଦିଲ୍ଲୀରେ ଓ ଝିଅ ବି ବାଙ୍ଗାଲୋର ରେ ହଷ୍ଟେଲରେ ରହି ପଢିଲେ ଓ ଏବେ ଦୁହେଁ ବାହା ସାହା ହୋଇ ବି ବାହାରେ ରହୁଛନ୍ତି।ଆଉ ଛ ଅ ମାସ ପରେ ରିତାୟାର୍ଡ କରିବେ ସୁବ୍ରତ।

ସେଦିନ ସୁବ୍ରତ ଯାଇଥିଲେ ନିଜ ପୁରୁଣା ବନ୍ଧୁ ରିଟାୟାର୍ଡ ଜଜ୍ ଘନଶ୍ୟାମ ବାବୁଙ୍କ ଘରକୁ।ଅନେକ ଦିନ ପୂର୍ବରୁ ପାଖାପାଖି କ୍ବାଟରରେ ଦୁହେଁ ରହୁଥିଲେ।

- ଆରେ ସୁବ୍ରତ ଆସ ଆସ।ତମ କଥା ହିଁ ମୁଁ ଭାବୁଥିଲି।

-ଆପଣଙ୍କୁ ଘରେ ବସି ଏବେ ବୋର ଲାଗୁଥିବ।

- ହଁ,ପିଲାମାନେ ନଥିଲେ ଆମେ ବୁଢ଼ାବୁଢ଼ୀ ବୋର।

ହାଠାତ୍ ସୁବ୍ରତଙ୍କ ଆଖି ପଡ଼ିଲା ଘନଶ୍ୟାମ ବାବୁଙ୍କ କାନ୍ଥ ଉପରେ।ଇସ୍, କି ଅସନା ହୋଇଛି ଏ କାନ୍ଥ ?ଚାରିଆଡେ ପେନସିଲ, କ୍ରେୟନ,କଲମରେ ଗାର ସବୁ ପଡିଛି ତ କେଉଁଠି କିଛି ଚିତ୍ର।ଘରଟା ଏକଦମ ଅସନା ଲାଗୁଥିଲା।

- କିଏ କରିଛି ଏସବୁ?ପଚାରିଲା ସୁବ୍ରତ।

- ଏମ.ଏଫ.ହୁସେନ କରିଛନ୍ତି।ରେଖା ଚିତ୍ର ଖାସ୍ ମୋ ପାଇଁ।ଏଇ ତଳକୁ ଦେଖେ, ହସ୍ତାକ୍ଷର ବି ଥିବ।

ସୁବ୍ରତଙ୍କୁ ବୋକା ଭଳି ଅନେଇଥିବାର ଦେଖି ହସିପକାଇ ଘନଶ୍ୟାମ ବାବୁ ପୁଣି କହିଲେ,"ଆରେ ମୋ ନାତି ଟୋକା ହିଁ ଗାରେଇଛି।"

- କିନ୍ତୁ ଆପଣଙ୍କୁ ତ କାନ୍ଥରେ ଗ୍ରାଫିଟି ପସନ୍ଦ ନଥିଲା।ସଫା ସୁତୁରା ରହିବା ତ ଆପଣଙ୍କ ପସନ୍ଦ ବୋଲି ମୁଁ ବି ଶୁଣିଥିଲି ।

- ଜାଣିଶୁଣି ଘର ରଙ୍ଗ କରିନାହାନ୍ତି।ସବୁଦିନ ଏଇ ଗାରକୁ ଛୁଅନ୍ତି ଓ ବେଳେବେଳେ ନିଜେ ପେନସିଲ ଧରି ସେଇ ଗାର ଉପରେ ମଡାନ୍ତି।"ଚାହା ରଖୁରଖୁ କହିଲେ ମାଳବିକା ଭାଉଜ।

ଚା ପିଉ ପିଉ କାନ୍ଥ ରେ ଟଣା ହୋଇଥିବା ସେଇ ଗାର ସବୁକୁ ଦେଖି ଟିକେ ଅନ୍ୟମନସ୍କ ହୋଇପଡିଥିଲେ ବୋଧେ ଘନଶ୍ୟାମ।ଦୀର୍ଘ ନିଶ୍ବାସଟେ ଛାଡି କହିଲେ,"ଏସବୁ ଅସନା ନୁହେଁ ରେ, ସ୍ନେହ ମମତାର ଅଙ୍କାବଙ୍କା ରାସ୍ତା।ପିଲାଙ୍କୁ ଏସବୁ କରିବାରୁ ରୋକିଥିଲି,ହେଲେ ନାତି ହାତର ଏଇ ଗାର ଭିତରେ ଭିନ୍ନ ଶିହରଣ ଆବିଷ୍କାର କରୁଛି।

-ମୁଁ ବୁଝିପାରିଲିନି।

ହସିଦେଇ ଘନଶ୍ୟାମ ପୁଣି କହିଲେ,"ନିଜକୁ ଫମ୍ପା ଆଦର୍ଶ ଭିତରୁ ଉନ୍ମୁକ୍ତ କଲେ ଆମେ ବୁଝି ପାରିବା ପାରିବାରିକ ସ୍ନେହ ସମ୍ପର୍କ। ନାତି ନାତୁଣୀ ଆମ ଉପରେ ହଗି ମୁତି ଦେଲେ କଣ ଅସନା ଲାଗେ ?ମୁଁ ଏବେ ବୁଝୁଛି ଏସବୁର ମୂଲ୍ୟ।ଜୀବନ ସିଲଟରେ ଏସବୁ ବ୍ରହ୍ମା ବିଷ୍ଣୁ ମହେଶ୍ଵର ଗାର ମଡ଼େଇବା ଭଳି ।ଏଇ ଗାରଭିତରେ ନାତି ଟୋକା ର ମୁହଁକୁ ଦେଖେ।ଛୁଇଁଲେ ଲାଗେ ଯେମିତି ମୁଁ ତା ହାତ ଆଙ୍ଗୁଠି ଧରିଛି।ମରୁଭୂମିରେ ଓଏସିସ।ବର୍ଷରେ ଥରେ ଆସନ୍ତି ପୁଅ ବୋହୁ ନାତି କାନାଡା ରୁ।ତେଣୁ ବାକି ସମୟ କଟେ ଏଇ ଗାର ସହିତ।ପ୍ରଥମ ଥର ଯେଉଁଠି ମୋ ନାତି ଗାରେଇ ଥିଲା ତାର ଫଟ ଉଠାଇ ବନ୍ଧେଇ ଦେଇଛି।ତୋ କାନ୍ଥରେ ବଇନି ହେଲାଣି ନା ନାହିଁ ?

ଚାଉଁ କିନା ଲାଗିଥିଲା ସୁବ୍ରତକୁ।ସତରେ କଣ ଏସବୁ ଗାର ଭିତରେ ଏତେ କଥା ଲୁଚିଥାଏ ? ଘରକୁ ଫେରି ସେଦିନ ରାତିସାରା ଘନଶ୍ୟାମ ବାବୁଙ୍କ କଥା ମନେପଡୁଥିଲା।

ଧ୍ରୁବ ପିଲାଙ୍କୁ ନେଇ ଘରକୁ ଆସିଛି।ଉପର ମହଲାରେ ନାତିର ପାଟି ଶୁଭେ।ତଳ ମହଲା ଅର୍ଥାତ୍ ତାଙ୍କ ରୁମକୁ କେହି ବି ଅସନ୍ତିନି ଡର ଯୋଗୁଁ।

ପରଦିନ ଭୋରରୁ ନାତି ଭିକି ତାଙ୍କ ରୁମକୁ ଚାଲିଆସିଥିଲା ସମସ୍ତଂକ ଅଜଣାତରେ।କିଛି ସମୟ ଡ଼େଇଁ ଡ଼େଇଁ ବୁଲି ଖେଳିଲା ।

ଗୋଟାଏ ଗାର କାନ୍ଥ ରେ ଟାଣିଦେଲା ଭିକି।ଏତେ ବର୍ଷ ପରେ ତାଙ୍କ କାନ୍ଥରେ ପ୍ରଥମ ଦାଗ।ପୁଅ,ଝିଅ ସାହାସ କରିନଥିଲେ ଗାର ଟିକେ ପକାଇବା ପାଇଁ।

ଏତିକି ବେଳେ ନାତିକୁ ଖୋଜି ଖୋଜି ପହଁଚିଗଲେ ପୂର୍ଣ୍ଣିମା ଓ କୋଳେଇ ନେଇଗଲେ ତାକୁ।କାନ୍ଥରେ ଗାର ଟା ଦେଖି ଡରିଯାଇ କହିଲେ,ତମେ ପ୍ଲିଜ ରାଗନା।ପିଲାଲୋକ ସେ।

ପେନସିଲ କେଉଁଠୁ ପାାଇଲା ସେ ?କାମବାଲୀ ଉଦ୍ଦେଶ୍ୟରେ ଡାକ ପକାଇ କହିଲେ" ରମା, ଓଦା କନା ଟା ଆଣି ସଫା କରିଦେ ବାବୁଙ୍କ ରୁମରୁ ଗାର ଟା।

- ମୁଁ ଦେଇଛି ପେନସିଲ ତାକୁ।

ହତବାକ ହୋଇ ପୂର୍ଣ୍ଣିମା ଭାବିଲେ ସତରେ କଣ ସୁବ୍ରତ ବଦଳି ଯାଇଛନ୍ତି ?ନାତିକୁ ଗାର ପକାଇବାକୁ ଜାଣିଶୁଣି ପେନସିଲ ଦେଇଛନ୍ତି ?ରାମଙ୍କ ପାଦ ସ୍ପର୍ଶରେ ପାଷାଣୀ ଅହଲ୍ୟା ଶାପମୁକ୍ତ ହେଲା ଭଳି ,ଏଇ ଗାର କଣ ପଥର ହୃଦୟ ମଣିଷଟାକୁ ବଦଳାଇଦେଵ ? ଯାହା ଏତେ ବର୍ଷ ଧରି ସେ ଚାହୁଁଥିଲେ,ଅଥଚ ପାରିନଥିଲେ, ତାହା କଣ ଏଇ ଗୋଟାଏ ଗାର ରେ......

ରମା ଦୌଡ଼ି ଆସି ପଚାରୁଥିଲା, "କେଉଁଟା ପୋଛିବି ନା ସଫା କରିବି ମା ?

କାନ୍ଥ ରେ ପଡିଥିବା ସେଇ ଗାର ଉପରେ ନିଜ ହାତ ଆଙ୍ଗୁଠି ରଖି କିଛି ଶିହରଣ ଅନୁଭବ କରୁଥିଲେ ସୁବ୍ରତ।କାନ୍ଥରେ ନୁହଁ ଯେମିତି ତାଙ୍କ ଖୋଲା ଛାତିରେ ଗାର ଟେ ଟାଣି ଦେଇଛି ଭିକି।ଘନଶ୍ୟାମ ବାବୁଙ୍କ କଥା ମନେପଡ଼ିଗଲା।ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ,

- ଭିକିକୁ ଛାଡି ଦିଅ ପୂର୍ଣ୍ଣିମା।ତା ମନ ଇଚ୍ଛା ଗାର ଟାଣୁ ସେ।ଆଜି ବଇନି ହୋଇଛି ପରା..।"

(ଅରବିନ୍ଦ ଦାସ)

କାନ୍ଥ ସୁବ୍ରତ ଘନଶ୍ୟାମ

Rate the content


Originality
Flow
Language
Cover design

Comments

Post

Some text some message..