କନ୍ୟାରତ୍ନ
କନ୍ୟାରତ୍ନ
ହେଇଟି ଶୁଣୁଛ.. ଗାଁ ରୁ କୁନିର ଫୋନ ଆସିଥିଲା ।ସେ କହୁଥିଲା ଭାଇଙ୍କୁ କହିବେ ବସିବା ସ୍ଥାନରୁ ଉଠି ଆସିବେ ।ତୁମ ବାପା କୁଆଡେ ଆଉ ବଂଚିବେନାହିଁ । ସେ ତୁମକୁ ବହୁତ ଖୋଜୁଛନ୍ତି । ହେଇଟି ମୁଁ କହି ଦଉଛି ତୁମେ ଯଦି ଯାଉଛ ଯାଅ, ମୁଁ କିନ୍ତୁ ଗାଁକୁ ଯାଇ ସେ ଗୁହ ମୁତ ହେଇ ଘାଣ୍ଟି ହେବିନି । ବାପା ତୁମ ପାଇଁ ଏମିତି କଣ ରଖିଛନ୍ତି ଯେ ଆମେ ଯାଇ ତାଙ୍କ ସେଵା କରିବା ।ଏଇ ତୁମର ପଢା ପଢିରେ କଣ ଖର୍ଚ୍ଚ କରିଥିଲେ ଯେ ଆମେ ତ ତାହା ଠାରୁ ବେଶ୍ ଅଧିକ ଦେଇସାରିଲେଣି । ବାପା ପଇସା ପାଇଁ ବୋଧେ ନାଟକ କରୁଥିବେ ।ଯଦି ପାରୁଛ କିଛି ଟଙ୍କା ପଠେଇ କାମ ବାହାନା କରି ରହିଯାଅ ।
ହାତରେ ଦୁଇ କପ ଚାହା ଆଣି ଗୋଟେ କପ ସ୍ୱାମୀ ହାତକୁ ବଢ଼େଇ ଦେଇ ରିତା ପୁଣି କହିବାକୁ ଲାଗିଲା ତୁମ ବାପା ଝିଅ ବାହାଘରରେ ସବୁ ଜମିବାଡ଼ି ତ ବିକ୍ରି କରିସାରିଛନ୍ତି ।ବାକି ଯାହା ସେ ଘର ବାଡ଼ି ଖଣ୍ଡକ ।ତାକୁ ବି ସେହି ଝିଅ ଚାହିଁ ରହିଛି । କୁନି କିନ୍ତୁ ଏ ଘର ମାଉସୀ ସେ ଘର ପିଉଷୀ ହୋଇ ଧନ୍ଧି ହେଇ ଯାଉଥାଏ ।ସୂର୍ଯ୍ୟୋଦୟ ଶାଶୂଘରେ ଦେଖିଲେ ଚନ୍ଦ୍ର ଉଦୟ ବାପ ଘରେ ଦେଖି ଗାଁ ନିଧି ମଉସାଙ୍କୁ ବାପାଙ୍କୁ ଟିକେ ଚାହିଁଥିବେ କହି ପୁଣି ଶାଶୂଘର ଫେରିଥାଏ ।ଏମିତିରେ ତାହାର ଦିନ ଗଡି ଚାଲେ । ପ୍ରତିଦିନ ସେ ଫୋନ କରେ ଭାଇ ପାଖକୁ ।କିନ୍ତୁ ସେପଟୁ ଶୁଣେ ଭାଇ କମ୍ପାନୀ କାମରେ ବାହାରକୁ ଯାଇଛନ୍ତି ତ କେତେବେଳେ ଶୁଣେ କମ୍ପାନୀରେ ଏବେ ପ୍ରବଳ କାମ ,ତୁମ ଭାଇ କାମରୁ ଟିକିଏ କୋହଳ ପାଇଲେ ଆମେ ଯାଇ ପହଂଚିବୁ । ଆଉ କେତେବେଳେ ଫୋନ ରିଙ୍ଗ ହେଇ ହେଇ କଟିଯାଏ କିଛି ପ୍ରତି ଉତ୍ତର ଆସେନାହିଁ ।
କୁନି କିନ୍ତୁ ଚାହିଁ ରହିଥାଏ ଭାଇର ଫେରିଲା ବାଟକୁ ।କୁନିର ବାପା ସୁଧୀର ବାବୁ କିନ୍ତୁ ବୁଝିସାରିଥିଲେ ସେ ଆଉ ପୁଅ ମୁଁହ ଦେଖିପାରିବେ ନାହିଁ ।ଅତୀତରେ କରିଥିବା ଦୁଇ ଦୁଇଟା କନ୍ୟାଭ୍ରୁଣ ହତ୍ଯା ପାଇଁ ସେ ଆଜି ଦଣ୍ଡ ଭୋଗୁଛି ।ସାରା ଜୀବନ କନ୍ୟା ସନ୍ତାନକୁ ଘୃଣା କରୁଥିବା ମଣିଷ ଆଜି ନିଜ ପାଖରେ ହାରି ଯାଇଛି ।ଆଉ ତାଙ୍କର ଆଜି ମନେ ପଡୁଛି ମୃତ୍ୟୁ ପୂର୍ବରୁ ପତ୍ନୀ ରୁକ୍ମଣୀଙ୍କ କେଇପଦ କଥା । ସେତେବେଳେ ସେ କନ୍ୟା ସନ୍ତାନ କୁନିକୁ ଜନ୍ମ ଦେଇ କହିଥିଲେ ଏ ହେଉଛି ମୋ ରତ୍ନ ।ଆକୁ ଯତ୍ନର ସହ ବଡ଼ କରିବ ।ଭବିଷ୍ୟତ ରେ ଦେଖବ ମୁଁ ୟାରି ଭିତରେ ମୁଁ ଜୀଵିତ ଥିବି ।ଏତିକି କହି ରୁକ୍ମିଣୀ ଚିର ନିଦ୍ରାରେ ଶୋଇ ଯାଇଥିଲେ।