Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Misra

Tragedy Others

3  

Santosh Kumar Misra

Tragedy Others

ଅନୁଭୂତି – ୭

ଅନୁଭୂତି – ୭

9 mins
7.0K


ସକାଳୁ ସକାଳୁ ଡିଙ୍ଗାଲୁ ଆସି ପହଞ୍ଚିଯାଇଥିଲା ଆମ ଅଫିସ୍‌ରେ । ହାକିମଙ୍କୁ ତା’ର ଗୁହାରୀ ଶୁଣାଇବ। ସିନ୍ଦୁରା ଫାଟିବା ଆଗରୁ ସେ ଗାଁ ଛାଡିଥିଲା। ପ୍ରାୟ ତିରିଶ କିଲୋ ମିଟରରୁ ଅଧିକ ବାଟ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଆସିଥିଲା ସେ ତା’ ଗାଁରୁ। ମନରେ ଥିଲା ତା’ର ଅନେକ ଆଶା। ହାକିମ ତାର ଗୁହାରୀ ଶୁଣିବେ ଆଉ ତା’କୁ କିଛି ସାହାଯ୍ୟ କରିବେ। ଅଫିସ୍‌ ରେ ପହଞ୍ଚି ଦେଖେତ ସବୁ ବଖରାରେ ତାଲା ଝୁଲୁଛି। ଅଫିସ୍‌ ପରିସର ପୁରା ଖାଁ ଖାଁ । ସେ ଭାବି ପାରୁନଥିଲା ଯେ ସରକାରୀ ଦପ୍ତର ସବୁ ଦଶଟା ବାଜିଲେ ଖୋଲିଥାଏ ଓ କିଛି ନିର୍ଦ୍ଦିଷ୍ଟ କାଇଦା କାନୁନ୍‌ ଭିତରେ ପରିଚାଳିତ ହୁଏ। ସେ କେବେ ଆଗରୁ ଆସିନଥିଲା କୌଣସି ସରକାରୀ ଅଫିସ୍‌କୁ ତେଣୁ ସେ ଏହି ସବୁ ଯାଗାକୁ ତା’ଙ୍କ ଗାଁ କୋଠଘର ପରି ଭାବୁଥିଲା। ପାଖରେ ବୁଲୁଥିବା ଆଉଜଣେ ବାବୁଙ୍କୁ ସେ ପଚାରି ବୁଝିଲା ଯେ ହାକିମ ଓ ଅନ୍ୟାନ୍ୟ ବାବୁମାନେ ଆସିବେ ଦଶଟା ପରେ ତେଣୁ ତା’କୁ ଅପେକ୍ଷା କରିବାକୁ ପଡିବ।

                    ଅଫିସ୍‌ର ବାରଣ୍ଡାରେ ବସିଗଲା ଡିଙ୍ଗାଲୁ। ଅଣ୍ଟାରୁ ଗାମୁଛା ଖୋଲି ଦେହ ମୁହଁ ପୋଛାପୋଛି କଲା। ବାରଣ୍ଡାର କଂକ୍ରିଟ୍‌ ଖମ୍ବକୁ ଆଉଜି ପଡି କ୍ଲାନ୍ତି ଜନିତ ଥକ୍କା ମେଣ୍ଟାଇବାକୁ ଲାଗିଲା। ଦପ୍ତରର ବଖରା ସବୁ ଓଳାଓଳି କରି ମଇଳାଦାନୀକୁ ହାତରେ ଧରି ବାହାରକୁ ଆସିଲା ବେଳେ ମଧୁକରର ନଜର ପଡିଗଲା ତା’ ଉପରେ। ମଇଳାଦାନୀକୁ ପାହାଚ ଉପରେ ଥୋଇଦେଇ ଧପାଲି ଆସିଲା ସେ ଡିଙ୍ଗାଲୁ ପାଖକୁ ଓ ଚିତ୍କାର କରି କହିଲା ତା’କୁ:

--- ହଇରେ କିଏ ତୁ? ଏଇଟା କଅଣ ମୁଷାଫିରଖାନା ବୋଲି ଭାବିଲୁ ନା କଅଣ? ସକାଳୁ ସକାଳୁ ଆସି ଶୋଇଗଲୁ ଏଇଠି ଆରାମରେ। ଯା ଏଠୁ , ଅଫିସ୍‌ ଖୋଲିଲେ ଆସିବୁ।

ମଧୁକର ଦେଖିଲା ତାର ତାଗିଦ୍‌ କିଛି କାମ ଦେଲାନି। ଲୋକଟା ପାହାଚ ଉପରୁ ଘୁଞ୍ଚିଲାନି। ପୁଣିଥରେ ଯାଇ ତାକୁ କଅଁଳେଇ ଦୋହରେଇଲା ସେହି କଥା। ଲୋକଟି ମଧୁକର ମୁହଁକୁ ସେଇମିତି ଚାହିଁ ରହିଥାଏ। ଶେଷକୁ ମଧୁକର କହିଲା ହଉ ମୋ କଥା ନଶୁଣେ, ଯଦି ପୋଲିସ୍ ଆସି ଚୋର କହି ବାନ୍ଧିନେବ ଥାନାକୁ ତେବେ ଆଉ କହିବୁନି ଯେ ସଫେଇବାବୁ ମୋତେ କିଛି କହିଲେନି । ପୋଲିସ୍‌ କଥା ଶୁଣି ଡିଙ୍ଗାଲୁ ଚିହିଁକି ଗଲା। ଗଲା ବର୍ଷ ତାଙ୍କ ଗାଁ ରାମଧନକୁ ପୋଲିସ୍‌ ଥାନାକୁ ଧରିନେଲା ଯେ ଆଜି ଯାଏଁ ସେ ଗାଁକୁ ଫେରିନି। ତାକୁ ବି ଯଦି ପୋଲିସ୍‌ ଧରିନିଏ ତେବେ ସେ ଆଉ ଗାଁକୁ ଫେରି ପାରିବନି। ଘରେ ସମସ୍ତେ ଚାହିଁଥିବେ ଯାହାକିଛି ହାକିମ ଦେବେ ସେ ନେଇ ତାର ସ୍ତ୍ରୀକୁ ଦେବ। ଭୟ ମିଶା ମନରେ ଡିଙ୍ଗାଲୁ ଚେଷ୍ଟା କଲା ସେ ଯାଗାରୁ ଉଠିଯାଇ ମଧୁକର ଦେଖେଇ ଦେଇଥିବା ଓ ପାହାଚ ସାମନାରେ ରହିଥିବା ଗଛମୂଳ ଚଉତରା ଉପରକୁ ଉଠିଯିବାକୁ।

                    ଡିଙ୍ଗାଲୁ ଚଉତରା ଉପରେ ବସିବାକୁ ଯାଉଛି ଦେଖିଲା ତା’ ପାଖରେ ସଫେଇବାବୁ ମଧୁକର ଆସି ହାଜର। ଡିଙ୍ଗାଲୁ ପଚାରିଲା – ବାବୁ କଅଣ ହେଲାକି? ଉତ୍ତର ଆସିଲା:

--- ଏହି ଅଫିସ୍‌ ପରିସରଟା କଅଣ ତୋ ବାପାଙ୍କ ଜାଗିରି ଭାବିଛୁ ନା କଅଣ? ବିନା ପାଉଣାରେ ଗାମୁଛା ଲମ୍ବେଇ ଦେଲୁଣି ଚଉତରା ଉପରେ? ଏ ଯାଗାରେ ସବୁ କାମ ପାଇଁ ପଇସା ଲାଗେ ବୋଲି କଅଣ ଜାଣିନୁ? ପଇସା ଥିଲେ ସବୁ କାମ ହବ ଏଇଠି, ନହେଲେ କେହି ମୁହଁକୁ ଚାହିଁବେନି। ଡିଙ୍ଗାଲୁ ମଧୁକରର କଥା ଶୁଣି ଟିକିଏ ଅଟକି ଗଲା କିନ୍ତୁ ପରେ ତା’ ଲୁଗା କୁଞ୍ଚ ଫିଟେଇ ଦୁଇଟଙ୍କିଆ ମୁଦ୍ରାଟିଏ ବାହାରକଲା। ତା ପାଖରେ ସେଇ ଦୁଇଟଙ୍କିଆ ମୁଦ୍ରାଟିଏ ହିଁ ଥିଲା। ସେ ଘରୁ ଆସିଲା ବେଳେ ତା ସ୍ତ୍ରୀ ସେଇଟା ତା’କୁ ଦେଇଥିଲା ଭୋକ ହେଲେ ଚା’ ଟିକିଏ ପିଇଦେବାକୁ। ସେହି ମୁଦ୍ରାଟି ସେ ମଧୁକର(ସଫେଇବାବୁ)ଙ୍କୁ ବଢେଇଦେଇ କହିଲା:

--- ସଫେଇବାବୁ! ମୋ ପାଖରେ ଆଉ କିଛି ନାହିଁ। ତୁମେ ଏହି ମୁଦ୍ରାଟି ନିଅ ଚା’ ପିଇବ, ମୋତେ ଟିକିଏ ଏଠି ଥକ୍କା ମାରିବାକୁ ଦିଅ। ଲୋକଟିର ସରଳତାରେ ମଧୁକରର ମନ ଗୋଳେଇଘାଣ୍ଟି ହେଇଗଲା। ତା ଆଖି ଜକେଇ ଆସିଲା ଡିଙ୍ଗାଲୁ ପ୍ରତି ସେ କରିଥିବା ବ୍ୟବହାର ପାଇଁ। ସେ ତାକୁ ସେହି ମୁଦ୍ରାଟି ଫେରେଇ ଦେଇ କହିଲା :

--- ତୁ ଏଇଠି ଥକ୍କା ମାରୁଥା। ହାକିମ ଆସିଲେ ମୁଁ ତତେ ସାଙ୍ଗରେ ନେଇ ତାଙ୍କ ପାଖରେ ପହଞ୍ଚେଇଦେବି, ତୁ ତୋର ସବୁ କଥା ତାଙ୍କୁ କହିବୁ।

ମଧୁକର କଥାରେ ଡିଙ୍ଗାଲୁ ହଁ ଭରିଲା। ନିଜ ଗାମୁଛାରେ ଚଉତରା ଉପରୁ ଧୁଳି ଝାଡିଦେଇ ଗାମୁଛା ପାରି ଗଛକୁ ଆଉଜି ବସିଗଲା। ତା’ ପାଟିରୁ ଏକ ଦୀର୍ଘଶ୍ଵାସ ବାହାରିଗଲା ।

                    କିଛି ସମୟ ବସିବା ପରେ ଡିଙ୍ଗାଲୁ ଦେଖିଲା ଅଫିସ୍‌ ଫାଟକ ପାଖରେ ଗୋଟେ ବସ୍ ଆସି ଠିଆ ହେଲା। ସେଥିରୁ ଅନେକ ଲୋକ ଓହ୍ଲେଇଲେ। ଡିଙ୍ଗାଲୁ ଭାବିଲା ହାକିମ ବୋଧେ ଏହି ବସରେ ଆସିଗଲେ। ସେ ଏବେ ତାର ଦୁଃଖ ତାଙ୍କୁ କହିବ। ଝାଡିଝୁଡି ହେଇ ଡିଙ୍ଗାଲୁ ଉଠିଲା ଚଉତରା ଉପରୁ। ଅଫିସ୍‌ ବରଣ୍ଡା ଆଡକୁ ମୁହାଁଇଲା । ଦେଖିଲା ଅଫିସ୍‌ ଘର ଗୁଡା ଆଗ ପରି ବନ୍ଦ ରହିଥିଲେ ବି ତାଲା ଗୁଡିକ ଖୋଲି ଦିଆ ଗଲାଣି । ଡିଙ୍ଗାଲୁ ଭାବିଲା ହୁଏତ ହାକିମ ବାବୁ ଅଫିସ୍‌କୁ ଆସି ଗଲେଣି। ସେ ଖୁବ ସନ୍ତର୍ପଣରେ ଚଢିଲା ବରଣ୍ଡା ଉପରକୁ। ସେତେବେଳକୁ ବରଣ୍ଡା ଉପରେ ବୁଲୁଥିଲେ ଜଣେ ଧୋବଧାଉଳିଆ ବାବୁ। ଡିଙ୍ଗାଲୁ ତାଙ୍କୁ ଦଣ୍ଡବତ ହେଇ ପଚରିଲା:

--- ବାବୁ! ହାକିମ ବାବୁ ଆସିଲେଣିକି ମୁଁ ଆସିଥିଲି ଗାଁରୁ ତାଙ୍କୁ ମୋର ଦୁଃଖ ଜଣେଇବା ପାଇଁ।

--- ତୋର ନାଁ କଅଣ?

--- ବାବୁ ମୋ ନାଁ ଡିଙ୍ଗାଲୁ। ମୋର ଘର ମୁଣ୍ଡିଆଖୋଲ।

--- ଏତେ ଦୂର ବାଟରୁ କେମିତି ଆସିଲୁ। ସକାଳୁ କଅଣ କିଛି ଗାଡିମଟର ଚାଲିଲାଣିକି ସେହି ଗାଁ ଦେଇକି?

--- ନାହିଁ ମ ବାବୁ ଚାଲି ଚାଲି ଆସିଲି ଯେ।

--- ହଉ ତୋତେ ଟିକିଏ ଅପେକ୍ଷା କରିବାକୁ ପଡିବ। ହାକିମ ଆସି ନାହନ୍ତି। ବଡବାବୁ ଆସିଲେଣି । ସାମନା ଚା’ ଦୋକାନରେ ଠିଆ ହେଇଛନ୍ତି, ଏବେ ଆସିଯିବେ। ତୁ ସେହି ଘର ପାଖରେ ଠିଆ ହେଇଥା।

ଡିଙ୍ଗାଲୁ ଅଫିସ୍‌ରେ ହାକିମ ବସିବା କଥା ଶୁଣିଥିଲା ଗାଁରୁ ଆସିଲାବେଳେ । କିନ୍ତୁ ବଡାବାବୁଙ୍କ ବସିବା କଥାଟା ତା ମୁଣ୍ଡରେ ପଶୁନଥିଲା । ଯାହାହେଉ ସେ ଯାଇ ନିର୍ଦ୍ଦିଷ୍ଟ କୋଠରି ପାଖରେ ଅପେକ୍ଷା କଲା ଯଦିଓ ତା ମନରେ ବଡବାବୁ ଆଉ ହାକିମ ବାବୁ ଭିତରେ ଥିବା ଫରକଟା ସ୍ପଷ୍ଟ ହେଉନଥିଲା ।

                    ବଡବାବୁ ଅଫିସ୍‌କୁ ଆସିଲେ। ସାଙ୍ଗରେ ସଫେଇବାବୁ ତାଙ୍କ ବ୍ୟାଗପତ୍ର ଧରି ଆସୁଥାଆନ୍ତି। ସଫେଇବାବୁ ଠାରି ଦେବାରୁ ଡିଙ୍ଗାଲୁ ବଡବାବୁଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲା । ବଡବାବୁ କିନ୍ତୁ ତାକୁ ଅଣଦେଖା କରି ପଶିଗଲେ ନିଜ କୋଠରି ଭିତରକୁ । ଚଉକି ଉପରେ ବସିଲାପରେ ମଧୁକରକୁ ପଚାରିଲେ ସେଇଟା କିଏ କିରେ ଗୋଡ ତଳେ ପଡି ଯାଉଥିଲା । ଡାକିଦେ ତାକୁ କଅଣ କହୁଛି ଶୁଣିବା । ଡିଙ୍ଗାଲୁକୁ ସାଙ୍ଗରେ ଧରି ମଧୁକର ଯାଇ ଛିଡା ହେଲା ବଡବାବୁଙ୍କ ମେଜ ପାଖରେ । ବଡବାବୁ ଜଗନ୍ନାଥଙ୍କ ଫଟୋରେ ଧୂପ ଦେଇସାରି ଚଉକିରେ ବସି ଡିଙ୍ଗାଲୁ ଉଦ୍ଦେଶ୍ୟରେ ପଚାରିଲେ:

--- କଅଣ କହିବାକୁ ଚାହୁଁଛୁ?

ନେହୁରା ହେଇ ଡିଙ୍ଗାଲୁ କହିବାକୁ ଲାଗିଲା:

--- ବାବୁ ମୋ ନାଁ ଡିଙ୍ଗାଲୁ । ଘର ମୁଣ୍ଡିଆଖୋଲ। ଭାରି ଗରୀବ। ଘରେ ଆମେ ସାତ ପ୍ରାଣୀ କୁଟୁମ୍ବ ଚଳିବାକୁ ଭାରି ହନ୍ତସନ୍ତ । କିଛି ସରକାରୀ ସାହାଯ୍ୟ ମାଗିବାକୁ ଆସିଥିଲି।

--- କିରେ ସାତ ପ୍ରାଣୀ କୁଟୁମ୍ବ କାହିଁକି? ସରକାର ତ କହିଲେ ଆମେ ଦୁଇ ଓ ଆମର ଦୁଇ, ହେଲେ ଚାରି ହବ, ସାତ କାହିଁକି?

--- ବାବୁ ଅମେ ସ୍ଵାମୀ ସ୍ତ୍ରୀ ଦୁଇଜଣ, ଆମର ଚାରି ପିଲା ଆଉ ମୋର ମା’ ଏମିତି ଆମେ ସାତ ଜଣ ।

--- କିରେ ତୋର ତ ଘରେ ଖାଇବାକୁ ନାହିଁ । ଏଣେ ପିଲା ଚାରି । ନିଜ ଗୋଡ ତ କୁରାଢୀରେ ହାଣିଛୁ । ଏବେ ଭିକ ମାଗିବୁନି ତ କଅଣ କରିବୁ? ହଉ ଯା ଗୋଟେ ଦରଖାସ୍ତ ଲେଖି ଆଣି ଦେଇଯା । କଅଣ କରିହେବ ଦେଖିବା।

                ବଡବାବୁଙ୍କ କଥାରେ ଡିଙ୍ଗାଲୁ ନିରାଶ ହେଲା । ଗାଁରୁ ଆସିଲା ବେଳେ ମେମ୍ବର ବାବୁ କହିଥିଲେ ହାକିମ ଭଲ ଲୋକ । ଗୁହାରୀ କଲେ ଶୁଣିବେ। କିଛି ନା କିଛି ସାହାଯ୍ୟ ନିଶ୍ଚୟ କରିବେ। ହେଲେ ସେମିତି କିଛି ତ ହେଲାନି । ତା ଆଖି ଖୋଜିବୁଲିଲା ସଫେଇବାବୁଙ୍କୁ । ଫେରି ଆସିଲା ଡିଙ୍ଗାଲୁ ପୁଣି ସେହି ଗଛମୂଳ ଚଉତରାକୁ । ତାକୁ କିଛି ବୁଦ୍ଧି ଜୁଟୁନଥିଲା । କଅଣ ଲେଖିବ ଦରଖାସ୍ତ, କେମିତି ବା ଲେଖିବ କିଛି ଭାବି ପାରୁନଥିଲା । ଅଳ୍ପ ଦୂରରେ ଠିଆ ହେଇଥିବା ମୂରଲିଧର ଡିଙ୍ଗାଲୁକୁ ଲକ୍ଷ କରୁଥିଲେ । ଲୋକେ କୁହନ୍ତି ସେ ଉଡିଗଲା ଚଢେଇର ମଧ୍ୟ ପର ଗଣିକି କହିଦେଇ ପାରନ୍ତି । ରାତି ପାହିଗଲେ ଆମ ଅଫିସ୍‌ ପରିସରରେ କୁଆ କି କୋଇଲି ନଥିଲେ ମଧ୍ୟ ମୂରଲିଧର ନିଶ୍ଚୟ ଥିବେ । ଦିନ ସାରା ସେ ଅଫିସ୍‌ ଭିତରେ ହେଉ କି ବହାରେ, ଟହଲୁ ଥାଆନ୍ତି । ମଉକା ଦେଖି ଡିଙ୍ଗାଲୁ ପରି କିଛି ମଣିଷଙ୍କୁ ଠାବ କରି ନିଜର ସେଦିନର ଖୁରାକି ଯୋଗାଡ କରି ନେଇ ଘରକୁ କାହିଁ କେତେ ରାତିରେ ଫେରନ୍ତି । ଡିଙ୍ଗାଲୁକୁ ଦେଖି ମୂରଲିଧରଙ୍କର ପାଟି ଲାଳେଇଗଲା । ସେ ସମୟ ନଷ୍ଟ ନକରି ମଉକାକୁ ହାତେଇ ନେବାକୁ ଚେଷ୍ଟା ଆରମ୍ଭ କରିଦେଲେ । ଡିଙ୍ଗାଲୁ ପାଖକୁ ଯାଇ ମୂରଲିଧର ପଚାରିଲେ:

--- କିରେ ଭାଇ ବଡବାବୁ କଅଣ କହିଲେ କି?

ଡିଙ୍ଗାଲୁ ତାଙ୍କୁ ଆଣଦେଖା କରିବାକୁ ଯାଇ ଚୁପ୍‌ ରହିଲା । ଏଇଠିକାର ରହସ୍ୟ ଭିତରେ ସେ ପଶିପାରୁନଥିଲା । ମୂରଲିଧର ଚାଲାକ ଲୋକ । ସେ ଡିଙ୍ଗାଲୁ ଭିତରେ ଥିବା ଭୟକୁ ଠିକ୍‌ଠିକ୍‌ ପରଖିନେଲେ । ତୁରନ୍ତ ପାଖ ଚା’ ଦୋକାନରୁ ଦୁଇ ଗ୍ଲାସ ଚା’ ନେଇ ଆସି ତା ପାଖରେ ବସିଲେ । ଚା’ ଗିଲାସଟିଏ ଡିଙ୍ଗାଲୁ ହାତକୁ ବଢେଇଦେଇ ତାର ବିଶ୍ବାସ ଜିତିବାକୁ ପ୍ରଚେଷ୍ଟା ଆରମ୍ଭ କରିଦେଲେ । ଡିଙ୍ଗାଲୁ ତାଙ୍କ ହାତରୁ ଚା’ ଗିଲାସଟି ନେଇଛି କି ନାହିଁ ମୂରଲିଧର ତାକୁ ପଚାରିଲେ:

--- ଏତେ ସକାଳୁ କୁଆଡେ ଆସିଥିଲୁ ।

ଥର ଥର ଗଳାରେ ଡିଙ୍ଗାଲୁ କହିଲା ।

--- ହାକିମଙ୍କୁ ମୁଁ ମୋ ଗୁହାରୀ କହିବାକୁ ଆସିଥିଲି ।

--- ହାକିମ ଙ୍କୁ ତ କହିବାକୁ ଆସିଥିଲୁ, ସେ ବଡବାବୁ ପାଖକୁ କାହିଁକି ଯାଇଥିଲୁ? ସେ ତୋତେ କଅଣ ବା ସାହଯ୍ୟ କରିବେ । ସେ ତ ଏହି ଅଫିସ୍‌ରେ କିରାଣୀ । ହାକିମ ବାବୁ ଯାହା କହିବେ ସେ ତାହା କରିବାକୁ ବାଧ୍ୟ ।

--- ସେ ତେବେ ହାକିମବାବୁ ନୁହନ୍ତି?

--- ନା

--- ହାକିମ ଆସିବେ କେତେବେଳେ? ସେ କଅଣ ଆସନ୍ତିନି ଦଶଟା ବେଳେ କିରାଣୀବାବୁଙ୍କ ସାଙ୍ଗରେ?

--- ହାକିମ ହୁକୁମା ଲୋକ, ତାଙ୍କୁ ଏ କଥା କିଏ ପଚାରିବ? ତୁ ବସିଥା ଏଇଠି, ବାବୁ ଆସିଲେ ମୁଁ ନେଇଯିବି ତୋତେ ତାଙ୍କ ପାଖକୁ । ହେଲେ ଖାଲିରେ ନୁହେଁ, ସେଥିପାଇଁ ତୋତେ କିଛି ଖର୍ଚ୍ଚ କରିବାକୁ ପଡିବ ।

--- ମୋ ପାଖରେ ମାତ୍ର ଦୁଇଟଙ୍କା ଅଛି, ଆଉ ଅଧିକା ଲାଗିବ କି?

ମୂରଲିଧରଙ୍କର ମୁହଁ ଆମ୍ବିଳା ହେଇଗଲା । ସକାଳୁ ସକାଳୁ ବହିନିରେ ବିଭ୍ରାଟ । ସେ ଭାବି ପାରୁନଥିଲେ ଡିଙ୍ଗାଲୁକୁ କେମିତି ବୁଝେଇବେ ଯେ ହାକିମଙ୍କ କୋଠରି ପାଖରେ ତାଙ୍କ ଅର୍ଦ୍ଦଳୀକୁ ଦଶଟଙ୍କା ହାତଗୁଞ୍ଜା ନଦେଲେ ହାକିମଙ୍କ ସାକ୍ଷାତ ମିଳିବନି, ତା’ପରେ କାଗଜ ଫର୍ଦ୍ଦେ କିଣିବାକୁ ହବ ଦରଖାସ୍ତ ପାଇଁ କିମ୍ବା ଛାପା ଦରଖାସ୍ତ ଖଣ୍ଡେ କିଣିବାକୁ ହବ, ଲିଖନକାର ପାଉଣା ଫର୍ଦ୍ଦକୁ ଦୁଇଟଙ୍କା ବା ଅନ୍ୟୁନ ପାଞ୍ଚଟଙ୍କା ଦବାକୁ ପଡିବ, ଏସବୁ ଛଡା ସେ ନିଜ ପାଇଁ ତ ପୁଣି କିଛି ରଖିବେ । ଡିଙ୍ଗାଲୁକୁ ତେଣୁ ସେ କହିଲେ :

--- ତୁତ ଅଣ୍ଟାରୁ ଦୁଇଟଙ୍କା ମାତ୍ର କାଢୁଛୁ, ତେଣୁ ତୋର କାମ ଏଠି ହେଲାପରି ଲାଗୁନି, ତୁ ବରଂ ଗାଁକୁ ଫେରିଯା ।

ଡିଙ୍ଗାଲୁ ନିରାଶ ହେଲା । ତା ମନରେ ମୂରଲିଧର ଉଙ୍କେଇ ପାରିଥିବା ଆଶା ଟିକକ ପାଣି ଫୋଟକାପରି ମିଳେଇଗଲା । ବର୍ତ୍ତମାନ ସୁଦ୍ଧା ଡିଙ୍ଗାଲୁ ନିଶ୍ଚିତ ହେଇ ସାରିଥିଲା କି ବଡବାବୁ ଏବଂ ହାକିମ ବାବୁ ଦୁଇ ଭିନ୍ନ ଭିନ୍ନ ଲୋକ । ତେଣୁ ସେ ମନେ ମନେ ସ୍ଥିର କଲା ସେଇଠି ବସି ରହିବ ହାକିମଙ୍କୁ ଦେଖା କରିବା ପର୍ଯ୍ୟନ୍ତ ।

                    ମୁଁ ସଦର ମହକୁମାରେ ଜିଲ୍ଲାପାଳଙ୍କ ଦ୍ଵାରା ଆହୂତ ଏକ ଜରୁରୀ ବୈଠକ ସାରି ଅଫିସକୁ ସେଦିନ ଫେରିଲା ବେଳକୁ ପ୍ରାୟ ତିନିଟା ବାଜି ସାରିଥିଲା । ମୁଁ ଆଫିସ୍‌ କୁ ନଜାଇ ସିଧା ଫେରିଲି ମୋ ବସାକୁ । ମୁଁ ଧୁଆ ଧୁଇ ହେଇ ଖାଇବାକୁ ବସିଲି । ଏହି ସମୟରେ ଶୁଣିଲି ଅଫିସ୍‌ରେ ଖୁବ୍‌ ପାଟିତୁଣ୍ଡ ଚାଲିଛି । ତୁରନ୍ତ ଖାଇବାସାରି ମୁଁ ଅଫିସ୍‌କୁ ଗଲି । ଦେଖିଲି ଗୋଟିଏ ଲୋକକୁ ଘେରି ଯାଇଛନ୍ତି କିଛି ସ୍ଥାନୀୟ ତଥାକଥିତ ସାମ୍ବାଦିକ । ଲୋକଟି ନେହୁରା ହେଇ କହୁଥାଏ ସେମାନଙ୍କୁ ମୋତେ ଛାଡିଦିଅ, ମୁଁ କିଛି ତୁମକୁ କହିବିନି । ଯାହା କହିବି ହାକିମ ବାବୁଙ୍କୁ କହିବି । ସେଥୀ ଥିବା ସମସ୍ତେ କଥାବାର୍ତ୍ତାରେ ଏପରି ମଜ୍ଜି ଯାଇଥିଲେ ଯେ ସେମାନେ ମୋ ଉପସ୍ଥିତି ସେଠାରେ ଜାଣି ପାରିଲେନି । ମୁଁ ଲୋକଟି ପାଖରେ ଯାଇ ବସିଗଲି ଚଉତରା ଉପରେ । ବନ୍ଦ ହେଇଗଲା ସବୁ ହୋହଲ୍ଲା । ଛାଇଗଲା ଏକ ସ୍ଥୂଳ ନିରବତା କିଛି ସମୟ । କିଛି ସେକେଣ୍ଡ ପରେ ଆରମ୍ଭ ହେଇଗଲା ଏକ ସାମୁହିକ ବକ୍ତବ୍ୟ: 

--- ସାର୍‌ ନମସ୍କାର, ଆମେ ଲୋକଟିକୁ ବୁଝାଉଥିଲୁ ଆପଣଙ୍କୁ ଭେଟ କରିବାକୁ ।

ମୁଁ କହିଲି :

--- ହଉ ଭଲ ହେଲା, ମୁଁ ତ ଆସିଗଲିଣି । ଆପଣମାନେ ନିଜ ନିଜ କାମରେ ଯାଆନ୍ତୁ । ଏହି ଲୋକଟି କଥା ମୁଁ ବୁଝିବି ।

ଲୋକଟି ଏହା ଭିତରେ ନିଶ୍ଚିତ ହେଇଯାଇଥିଲା କି ଯେ ମୁଁ ଏହି ଅଫିସ୍‌ରେ ହାକିମବାବୁ । ମୁଁ ହିଁ ସେହି ହାକିମ ସେ ଯାହାଙ୍କୁ ତା’ର ଗୁହାରୀ ଜଣାଇବାକୁ ଏତେଦୂରରୁ ଚାଲିଚାଲି ଆସିଥିଲା । ସେ ପ୍ରାୟ କାନ୍ଦ କାନ୍ଦ ହେଇଯାଇଥିଲା । ତା’ ସହିତ କଥାବାର୍ତ୍ତା ହେଇ ମୁଁ ତା ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କଲି । ତୁରନ୍ତ ତା ପାଇଁ ଖାଦ୍ୟ ପାନୀୟର ବନ୍ଦୋବସ୍ତ କଲି । ମୋର ଜଣେ ସହକାରୀ ଅଧିକାରୀଙ୍କୁ ଡିଙ୍ଗାଲୁ ସହିତ ତା’ର ଗାଁକୁ ଯାଇ ସେ ଦେଇଥିବା ସମସ୍ତ ତଥ୍ୟର ସତ୍ୟାସତ୍ୟ ସରଜମିନ୍‌ରେ ଦେଖି ଆସିବାକୁ ନିର୍ଦ୍ଦେଶ ଦେଲି ।

                    ମୋ ସହକାରୀ ଅଧିକାରୀ ଗାଁକୁ ଯାଇ ଯାହା ତଥ୍ୟ ସଂଗ୍ରହ କଲେ ତାହା ଡିଙ୍ଗାଲୁ କହିଥିବା ତଥ୍ୟ ଠାରୁ ଅନେକ ଅଧିକ ଭୟାନକ ଥିଲା । ଏକଥା ଠିକ୍‌ ଯେ ଡିଙ୍ଗାଲୁ ସେ ଗାଁରେ ରହୁଥିବା ସବୁ ଲୋକଙ୍କ ଭିତରେ ଅଧିକ ଗରୀବ । ଏକଥା ମଧ୍ୟ ଠିକ୍‌ ଯେ ଡିଙ୍ଗାଲୁ ରହୁଛି ସପରିବାର ଏକ ଭଙ୍ଗା କୁଡିଆ ଘରେ । ଏକଥା ବି ସତ ଯେ ଡିଙ୍ଗାଲୁ କୌଣସି ଭତ୍ତା ପାଏ ନାହିଁ । ପାଖ ଜଙ୍ଗଲରୁ କାଠ ଓ ଜାଳେଣି ସଂଗ୍ରହ କରି ବିକ୍ରି କରି ଯାହା ପାଏ ସେଥିରେ ତାର ସାତ ପ୍ରାଣୀ କୁଟୁମ୍ବ ଚଳନ୍ତି । ଗାଁ ପଲ୍ଲିସଭାରେ ତାର ନାମ ବାସ ଘର ବା କୌଣସି ଭତ୍ତା ପାଇଁ କେବେ ବି ତାଲିକାଭୁକ୍ତ ହେଇନି । ଡିଙ୍ଗାଲୁ କହେ ତାର ନାମ ପଲ୍ଲିସଭାରେ ତାଲିକାଭୁକ୍ତ କରିବାକୁ ମେମ୍ବର ପଇସା ମାଗେ । ଯେହେତୁ ସେ ଦେଇପାରେନି ତାର ନାମ ତାଲିକାଭୁକ୍ତ ହୁଏନି । ଗାଁ ସ୍କୁଲର ମାଷ୍ଟ୍ର ତା ପିଲାପିଚିକାଙ୍କ ନାମରେ ଦୁଇଟା ଘର ନେଇଥିବା ବେଳେ ଡିଙ୍ଗାଲୁ ଭଙ୍ଗା ଘରେ ରହିବାକୁ ବାଧ୍ୟ । ଏହି ପରିସ୍ଥିତିରେ ଡିଙ୍ଗାଲୁ ମନରେ ରହିଛି ଯେ ସରକାରଙ୍କ ଯୋଜନା ଥିଲା ବାଲାଙ୍କ ପାଇଁ । ତାପରିକା ଗରୀବ ଗୁରୁବା ଲୋକଙ୍କୁ କେବଳ ଭଗବାନ ଭରଷା ।

                    ସହକାରୀ ଅଧିକାରୀଙ୍କର ତଦନ୍ତ ରିପୋର୍ଟ ପାଇଲା ପରେ ମୁଁ ମୋ କୁଡିଆ ଯୋଜନାରେ ତୁରନ୍ତ ଡିଙ୍ଗାଲୁକୁ ଘରଟିଏ କରିବାର ସୁବିଧା ଯୋଗାଇଦେଲି । ସହକାରୀ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଆନୁସାଙ୍ଗିକ କାଗଜାତ୍‌ ପ୍ରସ୍ତୁତ କରି ସ୍ଵତନ୍ତ୍ର ଭାବରେ ଡିଙ୍ଗାଲୁ ଏବଂ ତାର ସ୍ତ୍ରୀ ପାଇଁ ଭତ୍ତା ପାଇବାର ସୁବିଧା କରିବାକୁ ସୁପାରିଶ କଲି । କିଛି କୁଜି ନେତା ଯିଏ ଇଚ୍ଛା କରୁଥିଲେ ଯେ ସରକାରୀ ଅଫିସର ମାନଙ୍କୁ କଳେ ବଳେ କୌଶଳେ ବଶ କରି ତାଙ୍କ ସୁପାରିଶ ମୁତାବକ ସରକାରୀ ସାହାଯ୍ୟକୁ ନିୟନ୍ତ୍ରଣ କରିବେ ମୋର ଡିଙ୍ଗାଲୁ ପ୍ରତି ଏହି ମନୋଭାବକୁ ସହଜରେ ହଜମ କରି ପାରିଲେନି । ଆରମ୍ଭ ହେଲା ମୋ ବିରୁଦ୍ଧରେ ବିଦ୍ରୋହ । କିଛି ନେତା ବସିଗଲେ ଅନସନରେ । ଦାବୀ ହେଲା ଦୁର୍ନୀତୀ ଗ୍ରସ୍ତ ହାକିମ ତୁରନ୍ତ ବଦଳି ହେଉ । ଡିଙ୍ଗାଲୁ ପ୍ରତି ଅଯାଚିତ ସହାନୁଭୂତି ଦେଖାଇ ସରକାରୀ କଳର ଦୁରୁପଯୋଗ କରିଥିବାରୁ ହାକିମ ତୁରନ୍ତ ଦଣ୍ଡିତ ହୁଅନ୍ତୁ । ଆନ୍ଦୋଳନ ଧିରେ ଧିରେ ତେଜିଲା । ତିନି ତୁଣ୍ଡରେ ଛେଳି କଥା ଦୋହରେଇ ହେଲା । ଉପରଠାଉରିଆ ଭାବରେ ସମସ୍ତେ ବିଚାର କରି ଏକମତ ହେଲେ ଯେ ହାକିମ ଡିଙ୍ଗାଲୁ ପ୍ରତି ଅଚ୍ଚାନକ ସହାନୁଭୁତି ଦେଖାଇବା ଅବଶ୍ୟ ରହସ୍ୟ ମୟ । ତେଣୁ ହାକିମ ଦଣ୍ଡିତ ହୁଅନ୍ତୁ । ମୁଁ କିଛି ସଫେଇ ଦେବା ଆଗରୁ ଅନ୍ୟଜଣେ ଅଧିକାରି ମୋ ଚଉକିରେ ଆସି ବସିଯାଇଥିଲେ ଓ ତାଙ୍କର ପ୍ରଥମ କାମ ହେଇଥିଲା ଡିଙ୍ଗାଲୁକୁ ମୁଁ ଦେଇଥିବା ଘରର ଆଦେଶ ପତ୍ର ରଦ୍ଦ କରିବା । ମୁଁ କୌଣସି ପ୍ରଶ୍ନ ନକରି ସେହିଦିନ ମୋ ଲୁଗାପଟା ନେଇ ସେହି ଯାଗାରୁ ଆଲି ଆସିଥିଲି । କିଛି ବାଟ ଆସିବା ପରେ ଶୁଣିଲି ସ୍ଥାନୀୟ ଜନ ଜାଗରଣ ମଞ୍ଚର କିଛି ସ୍ଵେଚ୍ଛାସେବୀ ଅଫିସ୍‌ କୁ ନ୍ୟାୟ ପାଇଁ ଘେରାଉ କରି ରଖିଥିଲେ ଓ ତାର ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତି ଚାଲିଥିଲା । ସଠିକ୍‌ କହି ହେବନି ଡିଙ୍ଗାଲୁ ପାଖରେ ସରକାରୀ ଯୋଜନା ଆଜିବି ପହଞ୍ଚି ପାରିଛି କି ନାହିଁ ।

(ସମାପ୍ତ )


Rate this content
Log in

Similar oriya story from Tragedy