ଅବୋଲକରା କାହାଣୀ - ୭
ଅବୋଲକରା କାହାଣୀ - ୭
ଚତୁରୀ ଦାସୀ - ୨
ପ୍ରାଚୀନ କାଳର କଥା । ବିକ୍ରମ ପୁର ନାମରେ ଏକ ରାଜ୍ୟ ଥିଲା । ସେ ରାଜ୍ୟରେ ଯେ ରାଜା ଥିଲେ ସେ ବଡ ପ୍ରତାପଶାଳୀ । ହାତୀ, ଘୋଡା ସଇନ ସାମନ୍ତ ତାଙ୍କ ପାଖରେ ଏସବୁର କିଛି ଅଭାବ ନଥିଲା । ସେ ସମୟରେ ତାଙ୍କ ରାଜ୍ୟର ପାଖା ପାଖି ଯେତେ ପଡୋଶୀ ରାଜା ଥିଲେ ଏ ରାଜା ବିକ୍ରମ କେଶରୀଙ୍କ ନିକଟରେ ସମସ୍ତେ ହୀନ ବଳ ଥିଲେ । ବିକ୍ରମ କେଶରୀ ଜଣେ ଖୁବ୍ ଅତ୍ୟାଚାରୀ ରାଜା ଭାବରେ ପରିଚିତ ଥିଲେ । ତାଙ୍କ ଅତ୍ୟାଚାରରେ ଯେପରି ନିଜ ରାଜ୍ୟର ପ୍ରଜା ମାନେ ଅତ୍ୟାଚାରିତ ହେଉ ଥିଲେ ଠିକ୍ ସେହି ପରି ତାଙ୍କ ଠାରୁ ହାରି ଯାଉ ଥିବା ପ୍ରଜା ମାନେ ମଧ୍ୟ ସେମିତି ଅତ୍ୟାଚାର ସହୁ ଥିଲେ । ରାଜାଙ୍କର ଅଭ୍ୟାସ ତଥା ଲକ୍ଷ୍ୟ ଥିଲା ଯେ କିପରି ତାଙ୍କର ରାଜ୍ୟର ଆୟତନ କ୍ଷେତ୍ରରେ ବଡ ହେବ । ସେଥି ଲାଗି ବିକ୍ରମ ପୁରର ରାଜା ନିଜର ଶକ୍ତି ବଳରେ ବହୁ ପଡୋଶୀ ରାଜାଙ୍କୁ ହରାଇ ସେମାନଙ୍କର ସମ୍ପତି ସବୁ ଲୁଟି ନେଉ ଥିଲେ ।
ସେ ରାଜାଙ୍କର ଏକମାତ୍ର କନ୍ୟା ଥିଲା । ପିତାଙ୍କ ପରି ସେ କନ୍ୟା ମଧ୍ୟ ଖୁବ୍ ଶକ୍ତିମତି ତଥା ତାସଙ୍ଗେ ସଙ୍ଗେ ଖୁବ୍ ତେଜସ୍ୱୀ ମଧ୍ୟ ଥିଲା । ଆଉ ମଧ୍ୟ ସେ ଦେଖିବା ନିମନ୍ତେ ସୁନ୍ଦରୀ ଥିବାରୁ ରାଜା ତାହାର ନାମ ଦେଇ ଥିଲେ ସ୍ୱପ୍ନ ସୁନ୍ଦରୀ ।
ସ୍ୱପ୍ନ ସୁନ୍ଦରୀ ନିଜର ଇଷ୍ଟ ଦେବୀ ଭାବରେ ବନ ଦୁର୍ଗାଙ୍କୁ ପୂଜା କରୁ ଥିଲା । ଏହି ପରି ଭାବରେ ଦେବୀଙ୍କର ପୂଜା କରୁ କରୁ ରାଜ କନ୍ୟାଙ୍କ ପ୍ରତି ବନ ଦୁର୍ଗା ସନ୍ତୁଷ୍ଟ ହୋଇ ସାକ୍ଷାତ ଦେଇ ସେହି ସୁବର୍ଣ୍ଣର ପଞ୍ଜୁରିଟିକୁ ଦାନ କଲେ । ଆଉ କହି ଗଲେ ଯେ ଆଲୋ ମାଆ, ମୁଁ ତୋ ଉପରେ ସନ୍ତୁଷ୍ଟ ହୋଇ ତୋତେ ଏହି ବର ଦେଇ ଯାଉଛି ଯେ ତୁ ଯେତେବେଳେ ଯାହା ଇଚ୍ଛା କରିବୁ ଏହି ପଞ୍ଜୁରି ପାଖରେ ଠିଆ ହୋଇ ମାଗିବୁ ଯେ ତାହା ତୋତେ ସେହିଠାରେ ହିଁ ପ୍ରାପ୍ତ ହେବ ।
ପିତା ଥିଲେ ତାଙ୍କର ହିଂସାପରାୟଣ ରାଜା । ସେ ଦିନକୁ ଦିନ ହିଂସା ପରାୟଣ ହୋଇ ଗୋଟିଏ ପଡୋଶୀ ରାଜ୍ୟକୁ ଆକ୍ରମଣ କଲେ । ସବୁ ଦିନ ସମାନ ଭାବରେ ଯାଏ ନାହିଁ । ସେଦିନ ଥିଲା ରାଜା ବିକ୍ରମ କେଶରୀଙ୍କ ନିମନ୍ତେ ଅଶୁଭର ଦିନ । ଯୁଦ୍ଧରେ ରାଜା ପରାସ୍ତ ହୋଇ କ୍ଷତବିକ୍ଷତ ହୋଇ ପଡିଲେ । ଏହି ଅବସ୍ଥାରେ ରାଜାଙ୍କର ପ୍ରାଣ ବାୟୁ ଉଡି ଗଲା । ରାଜ କୁମାରୀ ସ୍ୱପ୍ନ ସୁନ୍ଦରୀଙ୍କୁ ସେତେ ବେଳକୁ ଷୋଳ ବର୍ଷ ବୟସ ହୋଇ ଥାଏ । ରାଜାଙ୍କର ପୁତ୍ର ନଥିବାରୁ କନ୍ୟା ସ୍ୱପ୍ନ ସୁନ୍ଦରୀ ସିଂହାସନରେ ବସି ରାଜ୍ୟ ଶାସନ କଲେ ।
ରାଜାଙ୍କର ମୃତ୍ୟୁ ହୋଇ ଯିବା ପରେ ସାମାନ୍ୟ ଗୋଟିଏ କନ୍ୟା ସିଂହାସନରେ ବସିଥିବା ହେତୁ ପଡୋଶୀ ରାଜା ମାନେ କନ୍ୟାଙ୍କୁ ହୀନ ବଳୀ ମନେ କରି ତାଙ୍କ ରାଜ୍ୟ ପ୍ରତି ଅତର୍କିତ ଆକ୍ରମଣ କଲେ । ହେଲେ ସ୍ୱପ୍ନସୁନ୍ଦରୀ କେବେ ବି ଭୟ କରିବାର ଝିଅ ନୁହେଁ । ପଡୋଶୀ ରାଜା ମାନେ ଆକ୍ରମଣ କରିବା ମାତ୍ରେ ସେ ସୁବର୍ଣ୍ଣ ପଞ୍ଜୁରି ପାଖକୁ ଯାଇ ଯେତେ ଇଚ୍ଛା ସେତେ ସୈନ୍ୟ ମାଗନ୍ତେ ତାଙ୍କୁ ସଙ୍ଗେ ସଙ୍ଗେ ସେତେ ସୈନ୍ୟ ମିଳି ଯାଆନ୍ତି । ସେ ସୈନ୍ୟ ମାନେ ପୁଣି ଶିବଙ୍କର ସୈନ୍ୟ, ସେମାନଙ୍କୁ ଯୁଦ୍ଧରେବା ହରାଇବ କିଏ । ଏହି ପରି ଭାବରେ ସ୍ୱପ୍ନ ସୁନ୍ଦରୀଙ୍କ ରାଜ୍ୟ ଉପରେ ପଡୋଶୀ ରାଜା ମାନେ ଯେତେ ଥର ଆକ୍ରମଣ କଲେ ମଧ୍ୟ ସେମାନେ ସେତେ ଥର ପରାଜୟ ବରଣ କଲେ ।
ଏପରି ଭାବରେ ରାଜ କନ୍ୟା ସ୍ୱପ୍ନା କୁମାରୀଙ୍କର ପ୍ରତିପତି ଦିନକୁ ଦିନ ବଢିବାକୁ ଲାଗିଲା । ରାଜା ମହାରାଜା ମାନେ ତାଙ୍କ ସହିତ ଯୁଦ୍ଧ କରିବାକୁ ଭୟ ପାଇଲେ । ଆଉ ମଧ୍ୟ କେତେକ ରାଜା ସ୍ୱପ୍ନା କୁମାରୀଙ୍କର ଶରଣାଗତ ଭାବରେ ରହିଲେ ।
ଏଥୁ ଅନ୍ତେ ସ୍ୱପ୍ନସୁନ୍ଦରୀଙ୍କର ନାମ ଚତୁର୍ଦ୍ଦିଗରେ ପ୍ରଘଟ ହେବାକୁ ଲାଗିଲା । ରାଜ କୁମାରୀ ସେତେବେଳେ ଯାହା ଚିନ୍ତା କଲେ ତାହାକୁ ତୁରନ୍ତ କାମରେ ଲଗାଇଲେ । ସୁବର୍ଣ୍ଣ ପଞ୍ଜୁରି ନିକଟରେ ପ୍ରାର୍ଥନା କରନ୍ତେ ତାଙ୍କର ମନ ଲାଖି ପୁରୁଷ ନର କିନ୍ନର ସ୍ଥାନୀୟ ଦେବତା ଯାହାଙ୍କ ସହିତ ରତି କ୍ରୀଡା କରିବାକୁ ଇଚ୍ଛା କଲେ ତାକୁହିଁ ସ୍ୱାଗତ କରି ଆଣିଲେ । କିନ୍ତୁ ସେ ରାଜ୍ୟର ମନ୍ତ୍ରୀ ପୁଅଙ୍କର ଇଚ୍ଛା ଯେ ରାଜ କନ୍ୟାଙ୍କୁ ବିବାହ କରି ସେ ସେହି ରାଜ୍ୟର ରାଜା ହେବେ । ସେଥି ଲାଗି ରାଜ କନ୍ୟାଙ୍କର ମତାମତ ତ ନିହାତି ଦରକାର । ତହୁଁ ମନ୍ତ୍ରୀ ପୁଅ ରାଜ କନ୍ୟାଙ୍କୁ ବିବାହ କରିବାକୁ ଇଚ୍ଛା କରୁ ଥିବାର ଏକ ସମ୍ବାଦ ଲେଖି ଜଣେ ଦାସୀଙ୍କ ଦ୍ୱାରା ପଠାଇଲେ । ହେଲେ ସାମାନ୍ୟ ଗୋଟିଏ ମନ୍ତ୍ରୀର ପୁଅକୁ ସେ ବିବାହ କରିବେ ନାହିଁ ବୋଲି ଦାସୀ ଦ୍ୱାରା ନିଜର ନାସ୍ତି ବାଣୀ ଶୁଣାଇ ଦେଲେ ।
ରାଜ କୁମାରୀଙ୍କର ଏପ୍ରକାର ବ୍ୟବହାରରେ ମନ୍ତ୍ରୀ ପୁଅ କ୍ରୋଧିତ ହୋଇ ପଡିଲେ । ସେ ସମସ୍ତ ପ୍ରକାର ଚେଷ୍ଟା କରି ଯେତେବେଳେ ବିଫଳ ହେଲା ସେତେବେଳେ ଜଣେ ଦାସୀଙ୍କୁ ପଠାଇ ରାଜ କନ୍ୟାଙ୍କର ସମସ୍ତ ଗୁପ୍ତ ମନ୍ତ୍ରଣାକୁ କରାୟତ କରି ନେଲା । ତା’ପରେ ସେହି ଦାସୀଙ୍କୁ ରାଣୀ କରିବାର ପ୍ରଲୋଭନ ଦେଖାଇ ରାଜ କନ୍ୟାକୁ କିପରି ସେହି ସୁବର୍ଣ୍ଣ ପଞ୍ଜୁରିରେ ବନ୍ଦୀ କରି ରଖିବ ସେହି ମନ୍ତ୍ରଣା କରିବାକୁ ଲାଗିଲା ।
ସେ ଦାସୀ ପୁଣି ଖୁବ୍ ସୁନ୍ଦରୀ ଥିଲା । ସେ ମନ୍ତ୍ରୀ ପୁଅ ପାଖରେ ରାଣୀ ହେବାର ଲୋଭ ପାଇ ଦିନେ ହସ ଖୁସିର କଥା କହି ରାଜ କନ୍ୟାକୁ ନିଜର ବଶ କରି ନେଲା । ତା’ପରେ ରାଜ କୁମାରୀର ଖୁସିର ସମୟ ଉଣ୍ଡି କହିଲା – ଆଚ୍ଛା ରାଜ କୁମାରୀ ତୁମେତ ସୁବର୍ଣ୍ଣ ପଞ୍ଜୁରିକୁ ଯାହା କହୁଛ ସେ ତାହା କରି ଦେଉ ଛନ୍ତି । ହେଲେ ଦିନେତ ଏପରି ସୁବର୍ଣ୍ଣର ପଞ୍ଜୁରିରେ ବସିବାକୁ ଇଚ୍ଛା କରି ନାହଁ । ସୁବର୍ଣ୍ଣ ପଞ୍ଜୁରିରେ ରୁପାର ଚଢେଇ ବସିଲେ ସୁନ୍ଦର ଦେଖା ଯାଏ । ତୁମେ ଦିନେ ରୁପା ଚଢେଇ ହୋଇ ସୁବର୍ଣ୍ଣ ପଞ୍ଜୁରିରେ ବସିବାକୁ କହୁନା । ଦାସୀର ଗୋପନ ମନ୍ତ୍ରଣା କଥା ରାଜ କନ୍ୟା ସ୍ୱପ୍ନ ସୁନ୍ଦରୀ କିଛି ମଧ୍ୟ ବୁଝି ପାରିଲା ନାହିଁ । ସେ ସଙ୍ଗେ ସଙ୍ଗେ ସୁବର୍ଣ୍ଣ ପଞ୍ଜୁରି ଆଗରେ ଠିଆ ହୋଇ ଦାସୀର କଥାନୁସାରେ ମାଗି ଦିଅନ୍ତେ ରାଜ କୁମାରୀ ରୁପାର ଚଢେଇ ହୋଇ ସୁବର୍ଣ୍ଣ ପଞ୍ଜୁରିରେ ବସି ଗଲା ।
ସୁବର୍ଣ୍ଣ ପଞ୍ଜୁରିରେ ରୁପାର ଚଢେଇ ବସି ଯିବାରୁ ଦାସୀ ସଙ୍ଗେ ସଙ୍ଗେ ପଞ୍ଜୁରିରେ ଗୋଟିଏ ଚାବି ପକାଇ ଦେଇ ସେହି ପଞ୍ଜୁରିକୁ ମନ୍ତ୍ରୀ ପୁଅ ପାଖରେ ପହଁଚାଇ ଦେଲା ।
ସୁବର୍ଣ୍ଣ ପଞ୍ଜୁରିରେ ରୁପା ଚଢେଇକୁ ପାଇ ମନ୍ତ୍ରୀ ପୁଅ ବେଶ୍ ଖୁସି ହୋଇ ଯାଇ ସେ ରାଜ୍ୟର ରାଜା ହେଲା । ଆଉ କଥା ଦେଇ ଥିବାରୁ ଦାସୀକୁ ସେ ରାଜ୍ୟର ରାଣୀ କଲା । ଏହା ପରେ ଗୋଟିଏ ସୁନ୍ଦର ମନ୍ଦିର ତୋଳାଇ ସେ ମନ୍ଦିର ଭିତରେ ମଣ୍ଡପ ନିର୍ମାଣ କରି ସେହି ମଣ୍ଡପରେ ସୁବର୍ଣ୍ଣର ପଞ୍ଜୁରିରେ ଥିବା ରୁପା ଚଢେଇକୁ ରଖି ଦେଲା । ରାଜାଙ୍କର ଆଦେଶ ସୁବର୍ଣ୍ଣ ପଞ୍ଜୁରିରେ ଥିବା ରୁପା ଚଢେଇ ଜଣେ ଦେବୀ । ତେଣୁ ସମସ୍ତେ ତାହାଙ୍କୁ ଦେବୀ ରୂପରେ ପୂଜା କରିବେ । ସେହି ଦିନ ଠାରୁ ରୁପା ଚଢେଇ ମନ୍ଦିରରେ ରହି ପୂଜା ପାଇଲେ ।