ଗରିବର ଚିହ୍ନ
ଗରିବର ଚିହ୍ନ
ବୈଶାଖୀ ଝାଞ୍ଜି ପିଟୁଥାଏ, ଛୋଟ ପିଲାଟିଏ ବୟସ ୧୧ ରୁ ୧୨ ବର୍ଷ ହବ, କଇଁ କଇଁ ହେଇ କାନ୍ଦୁଥିବାର ଦେଖି ମୁଁ ପଚାରିଲି କଣ ହେଲା ? କାହିଁକି କାନ୍ଦୁଛୁ ମା(ଶ୍ରଦ୍ଧାରେ) ? ପିଲାଟି କହିଲା ନା କିଛି ନାହିଁ(ଭୟରେ) । ସେତେବେଳକୁ ମୋ ଆଖିଟା ପଡିଗଲା ତା କଅଁଳ ହାତରୁ ଉପୁଡି ପଡିଥିବା ଚର୍ମ ଉପରେ,ପଚାରିଲି ଏ ତୋର ହାତ କଣ ହେଇଛି । ଆସ ମୋ ସାଥିରେ ମୁଁ ଆମ ଘରେ ଔଷଧ ଅଛି ଲଗେଇ ଦେବି । ପିଲାଟା ବୋଧେ ଅସହ୍ୟ ଯନ୍ତ୍ରଣାରୁ ରକ୍ଷା ମିଳିଯିବ ଭାବି ମୋ ସାଥିରେ ଆମ ଘରକୁ ଚାଲିଆସିଲା ।ମୋ ସ୍ତ୍ରୀ ତା ହାତରେ ମଲମ ଲଗେଇ ପଟି ବାନ୍ଧିଦେଲା ଏବଂ କିଛି ଖାଦ୍ୟ ଖାଇବାକୁ ଦେଲା ।ସେତିକିବେଳେ ମୋ ପୁଅ ଆସି ପଚାରିଲା ମାମା ମାମା ଏ କିଏ ? ମୋ ସ୍ତ୍ରୀ କହିଲା ଏ ତୋର ଦିଦି ।ପୁଣି ପଚାରିଲା ମୁଁ ଦିଦି ସାଥିରେ ଖାଇବି ? ମୁଁ କହିଲି ହଁ ମାମା କୁ କଣ ପଚାରୁଛୁ, ଯା ଦୁହେଁ ଖାଇନିଅ ।ଦୁହେଁ ମନ ଖୁସିରେ ଖାଇଲେ ।
ଖାଇ ସାରିବା ପରେ ମୁଁ ପଚାରିଲି ମାଆ ରେ ଏ ହାତ ତୋର ଏମିତି କେମିତି ହେଲା ? ହଠାତ ତାର ଆଖି ଛଳଛଳ ହେଇଗଲା ,କହିଲା ବାବୁ ଏ ହେଉଛି ଗରୀବର ଚିହ୍ନ ।ମୋ ସ୍ତ୍ରୀ ପଚାରିଲା ବୁଝି ପାରିଲିନି ଝିଅ ।ସେ କହିବାକୁ ଲାଗିଲା ଗତବର୍ଷ ମହାବାତ୍ୟା ରେ ମୋ ମାଆ ମୋତେ ଛାଡି ଚାଲିଗଲା ।ଆଉ ବାପା ଗୋଟେ ଘୋଡ଼ା ମଦୁଆ ।ସେ ଦିନେ କାମ କଲେ ଆଠ ଦଶ ଦିନ କାମକୁ ଯାଏନାହିଁ ।ଅଭାବ ହେତୁ ମୋ ବାପା ମୋତେ ସେ ବାବୁଙ୍କୁ ବିକ୍ରି କରିଦେଲେ,ଯାହାର ଭଡାଘରେ ମୋ ମାଆ କାମ କରୁଥିଲା ।ବାତ୍ୟା ପରେ ସେମାନେ ମୋତେ ଏହିଠାକୁ (ନିଜ ଘର)ନେଇ ଆସିଲେ ।କାମରେ ମୁଁ ଅବହେଳା କରେନି ବାବୁ ।ଆଜି ତାଙ୍କ ଶୋଇବା ଘର ସଫା କରୁଥିଲି ,ତାଙ୍କ ଛୋଟ ପୁଅ ଆସି ମୋ ହାତରୁ ଝାଡ଼ୁ ନେଇ ପଳେଇ ଯିବା ସମୟରେ ଝାଡୁଟା ଯାଇ ବାଜିଲା ଟିଭି ଉପରେ ଥିବା ଫୁଲଦାନୀରେ ।ଫୁଲଦାନୀଟା ଭାଙ୍ଗିଗଲା,ଆଉ ଗାଳି ଭୟରେ କାନ୍ଦିବାକୁ ଲାଗେ ତ ମୁଁ ତାକୁ କୋଳେଇ ନେଲି ।ସେତିକି ବେଳେ ମାଆ(ବାବୁଆଣି) ଭାଙ୍ଗିଯିବା ଶବ୍ଦ ଶୁଣି ଦୌଡ଼ି ଆସିଲେ ଆର ଘରୁ ଆଇରନ (ଇସ୍ତ୍ରୀ) ଦେବା ଛାଡି ।ପଚାରିଲେ କଣ ହେଲା, କଣ ଭାଙ୍ଗିଗଲା କି ? ମୁଁ କହିଲି ମୋ ହାତ ବାଜି ସେ ଫୁଲଦାନୀଟା .........ଠୋ କରି ଚାପୁଡ଼ାଟେ ମାରିଲେ ମୋ ଗାଲରେ ।ଆଉ ଗାଳି କରି କହିଲେ ମୋର ପୁରୁଣା ସ୍ମୃତିଟାକୁ ଭାଙ୍ଗି ଦେଲୁ ।ତା ପରେ ମୋତେ ଟାଣିଟାଣି ଆର ଘରକୁ ନେଇ ତତଲା ଆଇରନ (ଇସ୍ତ୍ରୀ)ଟା କୁ ମୋର ହାତରେ ଲଗେଇ ଦେଇ କହିଲେ ଏବେ ମଜା ପାଆ ,ମୋର ଦାମି ଦାମି ଜିନିଷ ସବୁ ଭାଂଗିବୁ ।ଏତିକି କହିଲା ବେଳକୁ ସେ ଝିଅ ର ନିଷ୍କପଟ ଆଖିରୁ ଦୁଇଧାର ଲୁହ ଝରି ତା କୋମଳ ଓଠରେ ମିଶି ସାରିଥିଲା ।ମୁଁ ଆଉ ମୋ ସ୍ତ୍ରୀ ର ଆଖିରୁ ମଧ୍ୟ ଲୁହ କେତେବେଳେ ନିଗିଡି ସାରିଥିଲା ।
ଶିବରାମ ଦଳେଇ
ଲେଖନପୁର ସାଲେପୁର.