Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Santosh Kumar Nayak

Abstract Comedy Others


4.3  

Santosh Kumar Nayak

Abstract Comedy Others


ଆଲାର୍ମ ଘଡି

ଆଲାର୍ମ ଘଡି

4 mins 23.5K 4 mins 23.5K


      ମୁଁ ଆଲାର୍ମ ଘଡିକୁ ସବୁଠୁ ଅଧିକ ଘୃଣା କରେ କାରଣ ପ୍ରତିଦିନ ସକାଳ ସାତଟାରେ ସେ ମୋ ନିଦ ଭାଙ୍ଗିଦିଏ। ଖାଲି ନିଦ ନୁହଁ, ନିଦ ସହ ସ୍ବପ୍ନକୁ ବି ଭାଙ୍ଗିଦିଏ। ମୁଁ ପ୍ରତି ରାତିରେ ନୂଆ ନୂଆ ସ୍ବପ୍ନ ଦେଖେ, ହେଲେ ସବୁ ସ୍ବପ୍ନ ଅଧୁରା କେବଳ ଏ ଆଲାର୍ମ ପାଇଁ । ଆଲାର୍ମ ବାଜିବା ମାତ୍ରେ ମୋ ଆଖି ଖୋଲିଯାଏ, ଆଉ ମୁଁ ଅଧଘଣ୍ଟା ଭିତରେ ମୋ ନିତ୍ୟକର୍ମ ସାରି ବସଷ୍ଟାଣ୍ଡକୁ ଦୌଡେ। ବସଷ୍ଟାଣ୍ଡରୁ ବସ୍ ଧରି ପହଞ୍ଚିଯାଏ ମୋର କର୍ମକ୍ଷେତ୍ରରେ। ତା' ପରେ ମୁଁ ହଜିଯାଏ ଟାଇପ୍ ମେସିନର ଧଡଧଡ ଶବ୍ଦ ଭିତରେ; ମୋ ଅସ୍ତିତ୍ଵ ଲୁଚିଯାଏ ବିଡାବିଡା ଫାଇଲ ଭିତରେ ।

         ଏମିତି ସବୁଦିନ ଚାଲେ, ହେଲେ ସେ ଦିନ ଟିକିଏ ଭିନ୍ନ ଥିଲା। ସେଦିନ କେଜାଣି କାହିଁକି ଆଲାର୍ମ ବାଜିବା ପୂର୍ବରୁ ମୁଁ ଉଠି ଯାଇଥିଲି। ସାଢେ ଛଅ ଭିତରେ ମୋ ନିତ୍ୟକର୍ମ ସରି ଯାଇଥିଲା । ଭାବିଲି " ଆଜି ତ ଆଟଲିଷ୍ଟ ମୋତେ ଦୌଡିବାକୁ ପଡିବନି, ଚାଲିଚାଲି ଗଲେ ବି ମୁଁ ବସ୍ ପାଇଯିବି ।" ମୋର ରଙ୍ଗହୀନ କଳାଧଳା ୟୁନିଫର୍ମ୍ ପିନ୍ଧି ବସଷ୍ଟାଣ୍ଡ ଅଭିମୁଖେ ଚାଲିବାକୁ ଲାଗିଲି। ମୁଁ ସେଦିନ ହିଁ ପ୍ରଥମ ଥର ପାଇଁ ମୋ ସହରକୁ ନିରେଖି ଦେଖିଥିଲି । ଛୋଟ ଛୋଟ ପିଲାମାନେ ପିଠିରେ ବହିବସ୍ତାନି ଧରି ସ୍କୁଲ ଯାଉଥିଲେ; ଆଭିଜାତ୍ଯ ସମ୍ପନ୍ନ ବୟସ୍କମାନେ ସାଥିରେ ପୋଷା କୁକୁରକୁ ଧରି ମର୍ଣ୍ଣିଙ୍ଗଓକ୍ କରୁଥିଲେ; କ୍ଷୀରବାଲା ଘରଘର ବୁଲି କ୍ଷୀର ବାଣ୍ଟିବାକୁ ବାହାରି ପଡିଥିଲା ଆଉ ପେପରବାଲା ତାଜା ଖବର ସବୁ ବାଣ୍ଟି ଚାଲିଥିଲା ।ସକାଳର ତାଜା ପବନ ମୋ ପାଇଁ ଏକ ଭିନ୍ନ ଅନୁଭୂତି ଆଣି ଦେଇଥିଲା। ମୁଁ ଧିରେ ଧିରେ ଆଗେଇ ଚାଲିଥିଲି। ହଠାତ୍ ମୋର ନଜର ପଡିଲା ଏକ ବିଲଡିଂ ଉପରେ । ବିଲଡିଂର ଦ୍ବିତୀୟ ଫ୍ଲର୍ ବାଲକୋନିରେ ଶୁଖୁଥିଲା ଏକ ଲାଲ୍ ରଙ୍ଗର ଓଢଣୀ। ଲାଲରଙ୍ଗ ମୋର ଭାରି ପ୍ରିୟ । ଲାଲ୍ ରଙ୍ଗ କାହିଁକି ମୁଁ ସବୁରଙ୍ଗକୁ ଭଲପାଏ; ଖାଲି ଭଲ ପାଏନି ମୋର କଳାଧଳା ୟୁନିଫର୍ମକୁ। ଧିର ପବନ ସହ ତାଳଦେଇ ଓଢଣୀଟି ଦହଲୁଥିଲା ଆଉ ତାର ଲାଲ୍ ରଙ୍ଗ ମୋତେ ମୋର ପିଲାବେଳ କଥା ମନେପକାଇ ଦେଇଥିଲା । ମୁଁ ପିଲାବେଳେ ଚିତ୍ର ଆଙ୍କିବାକୁ ଭାରି ଭଲପାଉଥିଲି। ଲାଲ୍, ନୀଳ, ହଳଦିଆ ଭଳି ଗାଢ ରଙ୍ଗ ମୋତେ ଭାରି ଆକର୍ଷିତ କରେ। ଥରେ ରଙ୍ଗୀନ ଛବିଟିଏ ଆଙ୍କି ବାପାଙ୍କୁ ଦେଖାଇଥିଲି। ଆଶା ଥିଲା ବାପା ମୋତେ ଓ ମୋ ଛବିଟିର ଖୁବ୍ ପ୍ରଶଂସା କରିବେ। ହେଲେ ପ୍ରତି ବଦଳରେ ବାପା କହିଥିଲେ, " ଏସବୁ ଚିତ୍ର ଆଙ୍କି କିଛି ଲାଭ ନାହିଁ, ପାଠପଢ଼ାରେ ଧ୍ଯାନ ଦେଏ। ସେ ଦିନଠୁ ମୁଁ କେବଳ ପାଠପଢ଼ାରେ ହିଁ ଧ୍ଯାନ ଦେଇଥିଲି, ଆଉ ମୋର ଛବି ଆଙ୍କିବାର ନିଶା ସବୁଦିନ ପାଇଁ ମଉଳି ଯାଇଥିଲା। କିନ୍ତୁ ସେଦିନର ଲାଲ୍ ଓଢଣୀ ମୋ ମନ ଭିତରେ ମରିଯାଇଥିବା ଚିତ୍ରକରଟିକୁ ପୁଣି ଏକ ନୂଆ ଜୀବନ ଦେଇଥିଲା। କେଜାଣି କାହିଁକି ଛବି ଆଙ୍କିବାକୁ ଭାରି ଇଚ୍ଛା ହେଉଥିଲା। ଓଢଣୀଟିକୁ ଦେଖି ଦେଖି ମୁଁ ଆଗେଇ ଚାଲିଲି । ବସଷ୍ଟାଣ୍ଡରେ ବସ୍ ଲାଗିଯାଇଥିଲା ।ସେଦିନ ପ୍ରଥମ ଥର ପାଇଁ ବସରେ ଯାତ୍ରୀଙ୍କ ଭିଡ ମୋତେ ଭିଡ ଭଳି ମନେ ହେଉ ନ ଥିଲା। ମୁଁ କେବଳ ଭାବି ଚାଲିଥିଲି ଲାଲ୍ ଓଢଣୀ ଆଉ ତାକୁ ପିନ୍ଧୁଥିବା ଝିଅ କଥା। ମୋ ମନ ଭିତରେ ଲାଲ୍ ପରୀଟିଏ ଘର କରି ବସି ସାରିଥିଲା ।

         ଅଫିସରୁ ଫେରିବା ବେଳେ ମୁଁ ଆଉ ବସରେ ଆସିଲିନି। ଚାଲିଚାଲି ଆସିଲି କିନ୍ତୁ ବାଲକୋନିରେ ସେଇ ଲାଲ୍ ଓଢଣୀଟି ଆଉ ନ ଥିଲା। କାହିଁକି ବା ଥିବ ଯେ! ସେ ତ ଶୁଖିଯାଇଥିବ ଦିନର ପ୍ରଖର ଖରାରେ। ଫେରିଲା ବେଳେ ମୁଁ ବହି ଦୋକାନରୁ ଏକ ବଡ ଡ୍ରଇଂ କାଗଜ ଓ କିଛି ରଙ୍ଗ କିଣି ଆଣିଲି। ରୁମରେ ପହଞ୍ଚି ମୁହଁ ହାତ ଧୋଇ ବସିପଡିଲି ମୋର ସେଇ ଲାଲ୍ ପରୀଟିକୁ କାଗଜରେ ରୂପ ଦେବା ପାଇଁ । ଅନେକ ବର୍ଷ ପରେ ତୁଳୀ ଧରିଥିଲି, ମୋ ହାତ ଥରୁଥିଲା । ତଥାପି ଅତି ସତର୍କତାର ସହ ତୁଳୀଧରି ମୋର ମନର ମାନସୀକୁ ଆଙ୍କିବାକୁ ଲାଗିଲି । ସବୁ ଠିକ୍ ହେଲା, କିନ୍ତୁ ଚେହେରାଟି ଆଦୌ ଆଙ୍କି ପାରିଲି ନାହିଁ । କେମିତି ବା ଆଙ୍କିଥାନ୍ତି? ମୋ ଆଖି ତ ସେଇ ଲାଲ୍ ପରୀଟିକୁ ଦେଖି ନ ଥିଲା। ଅନେକ ଚେଷ୍ଟା କଲି, ହେଲେ ପାରିଲିନି ।

       ସେଦିନ ରାତିରେ ମୋତେ ନିଦ ହେଲାନି। ତା ପର ଦିନ ବି ମୁଁ ଜଲଦି ଉଠିପଡିଲି ଆଉ ମୋର ନିତ୍ଯକର୍ମ ସାରି ଅଫିସ ବାହାରିଗଲି। ଯିବା ବାଟରେ ବାଲକୋନି ଉପରେ ଦେଖିଲି ସେଇ ଲାଲ୍ ଓଢଣୀ । ମୋର ଇଚ୍ଛା ହେଉଥାଏ, ସେଇ ଘରଟିକୁ ଯାଇ ଦେଖି ଆସିବି ମୋର ଲାଲ୍ ପରୀଟିକୁ। କିନ୍ତୁ କେମିତି ଯିବି, କୋଉ ପରିଚୟ ନେଇ ଯିବି? 

        ଏମିତି କିଛିଦିନ ଚାଲିଲା। ଅଫିସ ଗଲାବେଳେ ଓଢଣୀଟିକୁ ଦେଖିଥାଏ ଆଉ ଫେରିଲା ବେଳେ ତାକୁ ସେଠାରେ  ପାଏନି। ଦିନେ ମୁଁ ସେଇଭଳି ଅଫିସ ଯାଉଥାଏ, ଦେଖିଲି ଓଢଣୀଟି ଖସିଯାଇ ରାସ୍ତାରେ ପଡିଅଛି । ତାକୁ ହାତରେ ତୋଳିନେଲି ଆଉ ଭାବିଲି ଓଢଣୀଟିକୁ ଫେରେଇବା ବାହାନାରେ ମୁଁ ମୋ ମନପରୀଟିକୁ ଦେଖି ଆସିବି। ଓଢଣୀଟି ଧରି ମୁଁ ପାହଚ ଚଢିବାକୁ ଲାଗିଲି। ପ୍ରତିଟି ପାହଚ ମୋ ମନରେ ନୂଆ ଉନ୍ମାଦନା ଭରୁଥିଲା। ମୋର ଅନେକ ଦିନର ସ୍ବପ୍ନ ସତ ହେବାକୁ ଯାଉଛି । ଆଜି ବୋଧେ ଛବିଟିକୁ ମୁଁ ଠିକ୍ ଭାବେ ଆଙ୍କିପାରିବି। ଅଳ୍ପ କିଛି ସେକେଣ୍ଡରେ ମୁଁ ଦ୍ବିତୀୟ ଫ୍ଲୋରରେ ପହଞ୍ଚି ଯାଇଥିଲି। ରୁମଟି ଭିତରପଟୁ ବନ୍ଦ ଥିଲା। ବାହାରେ ନେମପ୍ଲେଟରେ ଲେଖାଥିଲା କେବଳ ଗୋଟିଏ ନାଆଁ 'ସ୍ବପ୍ନା'। ଟାଇଟଲ୍‌ ନାହିଁ, କେବଳ ସ୍ବପ୍ନା। ମୋତେ ଟିକିଏ ଅଡୁଆ ଲାଗୁଥିଲା, ତଥାପି ଭାବିନେଲି ଇଏ ବୋଧେ ମୋ ସ୍ବପ୍ନ ନାୟିକା 'ସ୍ବପ୍ନା'। କଲିଂବେଲ୍ ବଜାଇଲି। ଦୁଇ ମିନିଟ୍ ପରେ କବାଟ ଖୋଲା ହେଲା । ମୋତେ ଲାଗିଲା ସତେ ଯେମିତି ଏଇ ଦୁଇ ମିନିଟ୍ ପାଇଁ ମୋ ହୃଦସ୍ପନ୍ଦନ ବନ୍ଦ ହୋଇ ଯାଇଛି ।କବାଟ ଖୋଲୁଖୋଲୁ ମୁଁ ଓଢଣୀଟି ବଢେଇ ଦେଇ କହିଲି " ତଳେ ପଡି ଯାଇଥିଲା ମୁଁ ନେଇ ଆସିଲି।" ସ୍ବପ୍ନା ମୋ ହାତରୁ ଓଢଣୀଟି ନେଇଗଲା। ଓଢଣୀଟି ନେବା ବେଳେ ମୋ ଅଜାଣତରେ ମୁଁ ତା ହାତକୁ ସ୍ପର୍ଶ କଲି। ଏ ଯାଏଁ ମୁଁ ମୁହଁ ଉଠାଇ ସ୍ବପ୍ନାକୁ ଦେଖି ନ ଥିଲି। ତା ହାତ କିନ୍ତୁ ମୋ ସ୍ବପ୍ନନାୟିକାର ହାତ ଭଳି କୋମଳ ନଥିଲା । ହଠାତ୍ ମୁଁ ମୁଣ୍ଡଟେକି ତା' ମୁହଁକୁ ଦେଖିଲି। ବ୍ରଣଭରା ମୁହଁରେ କୃତ୍ରିମ ଲେପ, ଓଠରେ ଲିପଷ୍ଟିକ୍, ଆଖିରେ କଜଳ ଆଉ ଦୁଇ ଭ୍ରୁଲତା ମଝିରେ ଏକ ଛୋଟ ଲାଲ୍ ବିନ୍ଦି । ଅତ୍ୟାଧୁନିକ ରୂପଚର୍ଯ୍ଯା ସତ୍ତ୍ବେ ସ୍ପଷ୍ଟ ବାରି ହୋଇ ପଡୁଥିଲା ଯେ ସେ ଝିଅ ନୁହେଁ । ସେ ରଙ୍ଗକୁ ଭଲପାଉଥିବା ରଙ୍ଗଟିଏ। ଆମ ସମାଜ ତାକୁ ମାଈଚିଆ, ହିଞ୍ଜଡା ବା ବେଜୁ ବୋଲି ଡାକେ।

           ମୁଁ ସ୍ବପ୍ନାକୁ ଓଢଣୀଟି ଦେଇ ଫେରି ଆସିଲି। ତା ପରଠୁ ମୁଁ ଆଉ କେବେ ଜଲଦି ଉଠିନାହିଁ। ସାତଟାରେ ଆଲାର୍ମ ବାଜିଲେ ହିଁ ମୁଁ ନିଦରୁ ଉଠେ। ସେଦିନ ଈଶ୍ବର ମୋ ସ୍ବପ୍ନକୁ ଭାଙ୍ଗି ଦେଇ ଥିଲେ; ଆଉ ପ୍ରତିଦିନ ଏ ଆଲାର୍ମ ଘଡି ମୋ ସ୍ବପ୍ନକୁ ଭାଙ୍ଗିଦିଏ।


Rate this content
Log in

More oriya story from Santosh Kumar Nayak

Similar oriya story from Abstract