ଶୁଆ ଶାରୀ କଥା - ୭
ଶୁଆ ଶାରୀ କଥା - ୭
ବହୁ ପୁରାତନ କଥା । ଥରେ ଇନ୍ଦ୍ର ସଭା ବସିଥାଏ । ସ୍ୱର୍ଗର ଅପସରା ମାନେ ନାଚ, ଗୀତ କରି ସମସ୍ତଙ୍କର ମନୋରଞ୍ଜନ କରୁଥାଆନ୍ତି । ହଠାତ୍ ନୃତ୍ୟ ମଝିରୁ ମାଧବୀ ନାମକ ଅପସରା ସଭା ତ୍ୟାଗ କରି କେଉଁ ଆଡେ ଚାଲି ଗଲା । ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଇନ୍ଦ୍ର ଏକଥା ଜାଣି ପାରିଲେ । ବ୍ୟସ୍ତ ହୋଇ କହି ଉଠିଲେ –
ଏତ ବିପରୀତ କଥା ଆଚମ୍ବିତ
ଦେବ ସଭା ତ୍ୟାଗ କରି
ଛାର ଅପସରା କେଣେ ଚାଲି ଯାଏ
ମାନ ମହତ ପାଶୋରି
ଅନୁମତି ବିନା ମାଗୁଣୀ ନକରି
ସ୍ୱେଚ୍ଛାଚାର ହୁଏ ନାରୀ
ଆଚରଣ ତାର ଅସହ୍ୟ ମୋହର
ହୃଦୟ ଦେଉଛି କୋରି ।
ତାପରେ ଇନ୍ଦ୍ର ସୁଗନ୍ଧ ନାମକ ଗନ୍ଧର୍ବକୁ ପାଖକୁ ଡାକି ଆଦେଶ ଦେଇ କହିଲେ –
ସୁଗନ୍ଧ ଗନ୍ଧର୍ବ ଘେନ ମୋର ଆଜ୍ଞା
ମାଧବୀକୁ ଅନୁସର
କାହାର ସାକ୍ଷାତ ପାଇଁ ସୁନୟନା
ସଭାରୁ ହୁଏ ବାହାର?
ସୁଗନ୍ଧ ଗନ୍ଧର୍ବ ଦେବରାଜଙ୍କର ଆଦେଶ ପାଇ ଅପସରାର ଅନୁସରଣ କଲା । ଅପସରା ନନ୍ଦନକାନନ ଭିତରେ ପଶିଲା । କୌଣସି ଜଣେ ରାଜା ଗଛ ଆଢୁଆଳରେ ବସିଥିଲେ । ମାଧବୀ ସେହି ରାଜାଙ୍କୁ ସାକ୍ଷାତ କଲା । ରାଜା କ’ଣ କହିବାକୁ ଯାଉଥିଲେ ମାତ୍ର ମାଧବୀ ଆଉ ଫୁରସତ ନଦେଇ ମୁଠାଏ ପୁଷ୍ପରଜକୁ ତୋଳି ଆଣି କ’ଣ ସବୁ ମନ୍ତ୍ର ପଡିଲା, ତା’ପରେ ସେହି ପୁଷ୍ପରଜକୁ ରାଜାଙ୍କ ଉପରକୁ ଫିଙ୍ଗିଦେଲା । ରାଜା ସଙ୍ଗେ ସଙ୍ଗେ ଏକ ସୁନ୍ଦର ଶୁକ ପକ୍ଷୀରେ ପରିଣତ ହୋଇଗଲେ । ତାପରେ ମାଧବୀ ଶୁଆଟିକୁ ହାତରେ ଧରି ନିଜ ବାସଭବନକୁ ଯିବାପାଇଁ ଉଦ୍ୟତ ହେଲା ।
ସୁଗନ୍ଧ ଗନ୍ଧର୍ବ ସେଠାରୁ ଫେରି ଆସି ଦେବରାଜ ଇନ୍ଦ୍ରକୁ ସମସ୍ତ କଥା ବୁଝାଇ କହିଲେ –
ଆହେ ସୁରପତି ଶୁଣ ମୋର ବାଣୀ
ଯାହା କରେ ନିବେଦନ
ମାଧବୀ ମନ୍ତ୍ରରେ ରାଜ ପୁତ୍ର ଏକ
ଲଭିଲା ଶୁକ ଜୀବନ
ହସ୍ତେ ଧରି ଶୁକ ମାଧବୀ ଚଳଇ
ମନରେ ହରଷ ତାର
ଗୁପ୍ତ ତଥ୍ୟ ସବୁ ଗୋପନେ ରହିଲା
ଏଥିକୁ କର ବିଚାର
ଦେବରାଜ ଇନ୍ଦ୍ର ଆଦେଶ ଦେଲେ, ସେଇ ଶୁଆକୁ ଧରି ଆଣ । ତାହାହିଁ ହେଲା । ମାୟା କୁଣ୍ଡରୁ ପାଣି ଆଣି ଶୁଆ ଉପରେ ଯେମିତି ସିଂଚି ଦେଉଛନ୍ତି ଶୁଆ କେଉଁ ଆଡେ ଉଭେଇ ଗଲା । ତା ସ୍ଥାନରେ ସୁନ୍ଦର ରାଜକୁମାରଟିଏ ଠିଆ ହୋଇଛି ।
ଇନ୍ଦ୍ର ପଚାରିଲେ, ତୁ କିଏ? ଏମିତି ଲୁଚି, ଛପି କାହିଁକି ମାଧବୀ ସହିତ ସାକ୍ଷାତ କରୁଛୁ । ରାଜ ପୁତ୍ର କହିଲେ, ମୁଁ ହେଉଛି ଉଜ୍ଜୟିନୀ ରାଜା ବିକ୍ରମ ସିଂହ । ଆପଣଙ୍କର ଏହି ଅପସରା ସହିତ ମର୍ତ୍ୟ ଲୋକରେ ଦେଖା ସାକ୍ଷାତ କରିବା ନିମନ୍ତେ ଏଠାକୁ ଆସୁଛି । ଏହି କଥା ଶୁଣିଲା ପରେ ଇନ୍ଦ୍ର ଦେବତା ରାଗି ଲାଲ୍ ପଡି ଗଲେ । ତାପରେ କହିଲେ – ଯଦି ତୁମର ମାଧବୀ ସହିତ ଏତେ ପ୍ରେମ, ତେବେ ମୋ ଦରବାରରେ ଚାକିରୀ କର, ତମେ ମାଧବୀକୁ ପାଇ ପାରିବ । ମାଧବୀ ସ୍ୱର୍ଗ ତ୍ୟାଗ କରି ଯାଇ ପାରିବ ନାହିଁ । ରାଜା କହିଲେ –
ଆହେ ଦେବ ରାଜ ଏ ନୁହେଁ ସହଜ
କ୍ଷତ୍ରୀୟ କୁଳେ ଜନମ
ଅନ୍ୟର ନିକଟେ ଚାକିରୀ କରିବି
ନଷ୍ଟ ହେବ ରାଜ ଧର୍ମ
ଘରେ ମୋର ନାରୀ ଚତୁରୀ ସୁନ୍ଦରୀ
କରିବେ ସେମାନେ କିସ
ମୋ ବିହୁନେ ପ୍ରଜା ବ୍ୟାକୁଳ ହୋଇବେ
ନାଶ ହୋଇ ଯିବ ଦେଶ ।
ରାଜାଙ୍କର ଅନ୍ୟ ସ୍ତ୍ରୀ ଥିବା କଥା ଶୁଣି ମାଧବୀ ଅପସରା ବେହୋସ ହୋଇଗଲା । ଏବେ ଇନ୍ଦ୍ର ରାଜାଙ୍କୁ ସମ୍ବୋଧନ କରି କହିଲେ – ଯାଅ ତୁମେ, ଶୁଆଟିଏ ହୋଇ ମର୍ତ୍ୟ ଲୋକରେ ରୁହ । ଇନ୍ଦ୍ରଙ୍କ ମୁହଁରୁ ଏପରି ଅଭିଶାପ କଥା ସରିଛି କି ନାହିଁ ରାଜା ଶୁଆଟିଏ ହୋଇ ମର୍ତ୍ୟକୁ ଗଳି ପଡିଲେ । ଅପସରା ମାଧବୀ ଯେତେ ବେଳେ ଚେତା ପାଇଲେ ସେ ରାଜାଙ୍କୁ ପାଖରେ ଦେଖିଲେ ନାହିଁ, ରାଜାଙ୍କ ନାମ ବାରମ୍ବାର ଉଚ୍ଚାରଣ କରି କାନ୍ଦିବାକୁ ଲାଗିଲେ ।
ଇନ୍ଦ୍ର ଅଧିକ ରାଗି ଯାଇ କହିଲେ – ତୁ ମଧ୍ୟ ଯାଆ, ମର୍ତ୍ୟ ଲୋକରେ ଶାରୀଟିଏ ହୋଇ ରୁହ ।
ମାଧବୀ କହିଲା – ଦେବରାଜ, ତେବେ ମୋ ପ୍ରତି ସୁଦୟା ହୁଅନ୍ତୁ । ମୁଁ ଯେମିତି ଅଭିଶପ୍ତ ରାଜପୁତ୍ରଙ୍କ ସହିତ ସାକ୍ଷାତ କରି ପାରିବି । ଆଉ ମଧ୍ୟ ପ୍ରତିଶ୍ରୁତି ଦିଅନ୍ତୁ ଯେମିତି କିଛି ବର୍ଷ ମର୍ତ୍ୟରେ ରହିବା ପରେ ଆମେ ଦୁହେଁ ଏହି ଇନ୍ଦ୍ରଲୋକକୁ ଫେରି ଆସିପାରିବୁ ।
ମାଧବୀର କଥା ଶୁଣି ଇନ୍ଦ୍ର କହିଲେ ତାହାହିଁ ହେବ । ତୁମେ ଦୁହେଁ ସ୍ୱର୍ଗଲୋକକୁ ଫେରି ଆସିବ ।