Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajabala Tripathy

Tragedy

3  

Rajabala Tripathy

Tragedy

ସାରୀର ଶାଶୂଘର

ସାରୀର ଶାଶୂଘର

11 mins
778


କଳା ଧୁଆଁ ଛାଡି ପୁରା ଦେହଟାକୁ ଥରେଇ ଘୁଂ ଘୁଂ ଗର୍ଜୁ ଥିବା ଧତଡା ବସଟାକୁ ଧାଇଁଲା ପରି ଚଢ଼ିଗଲା ସାରୀ। ବସର ପଛ ଲମ୍ବା ସିଟର ଗୋଟେ କୋଣରେ ଥିବା ଫାଙ୍କା ସିଟରେ ଲଥ କରି ବସିଗଲା। ଏବେ ଯାଏଁ ଛାତି ଡରରେ ଧଡ଼ ଧଡ଼ କରୁଥିଲା ତାର। ସ୍ପଷ୍ଟ ଭାବେ ଶୁଣିପାରିଲା ସେ ନିଜ ଛାତିର ସ୍ପନ୍ଦନ। ଚୋରଙ୍କ ପରି ମୁଁହରେ ବାନ୍ଧିଥିବା ତା ଓଢଣୀର ଫାଳେକୁ ବାହାର କରି ଗୋଟେ ଦୀର୍ଘଶ୍ବାସ ନେଲା ସେ। ୟା ଭିତରେ ବସ ଚାଲିବା ଆରମ୍ଭ କଲାଣି। ଝରକା ବାଟେ ଥଣ୍ଡା ପବନ ଆସି ଶୀତଳ କରିଦେଲା ଝାଳରେ ବୁଡି ଯାଇଥିବା ତା ମୁହଁ। ଝାଳ ପୋଛିବାକୁ ମୁହଁରେ ହାତ ଲଗାଇ ଦେଖିଲା, ଖାଲି ଝାଳ ନୁହେଁ କେବେଠୁ ଗାଲ ଯୋଡିକ ଭିଜି ଗଲାଣି ଆଖିର ଲୁହରେ। ବେଶ ସନ୍ତର୍ପଣରେ ଲୁହ ପୋଛି ନେଲା ସାରୀ। କିଏ ସିଏ, କାହା ପାଇଁ ଏ ଲୁହ। କଣ ତା ପାଇଁ ଯିଏ କେବେ ନ ଥିଲା। ବସର ଧକ ଚକ ସହ ନିଜକୁ ସମ୍ଭାଳୁ ସମ୍ଭାଳୁ ଫେରିଗଲା ବେଶ କିଛି ମାସ ପୂର୍ବକୁ।

******


ଜୈଷ୍ଠ ମାସର ଖରା ବେଳିଆ ଗାଁ ଗୋହିରୀରେ ଅନେକ ସମୟ ଡୁବି ପହଁରା ପରେ ଓଦା ସର ସର ହୋଇ ଘର ମୁହାଁ ହେଲା ସାରୀ। ସବୁଦିନ ପରି ଆଜିବି ବୋଉ ଠୁଁ ଗାଳି ହିଁ ପଡ଼ିବ। ସବୁଦିନିଆ ସେଇ ଘିଷା ପିଟା ଗାଳି, "କୁଆଡେ ମରୁଥିଲୁ। ତୁ ଗାଁ ଟା ଯାକ ଚକିରି ପରି ଘୁରି ବୁଲୁଥା। ମୁଁ ଏଠି ଖଟି ଖଟି ମଲିଣି। କେବେ ଆଉ ହେତୁ ହେବ ତୋତେ। " ଘରକୁ ଫେରୁ ଫେରୁ ମନେ ମନେ ଗୁଣି ହେଉଥାଏ ସାରୀ।

"ଆଲୋ ମୋ ମାଆ ଆସିଲାଣିକି" ବୋଉ ପାଟିରୁ ଖୁସି ମିଶା ସ୍ନେହର ପଦଟିଏ ଶୁଣି ଚମକି ପଡିଲା ସେ। କଥା କଣ ବୋଉ ଆଜି କଣ ମହାଭାରତ ଛାଡି ଭାଗବତ ପୁରାଣ ଗାଇଲାଣି। "ଆ,ଖାଇବୁ ଆ" ପଖାଳ କଂସା ପାଖରେ ଚଟେଇ ଟେ ପକେଇ ବୋଉ ଭାରି ଶ୍ରଦ୍ଧାରେ ଡାକିଲା। ଓଦା ଲୁଗା ବଦଳେଇ ପୋଛି ପାଛି ହେଇ ଖାଇବାକୁ ବସିଗଲା ସାରୀ। ସଜ ପଖାଳକୁ ସୁଜୁନା ଶାଗ ଭଜା ବଡି ଚୁରା ତା ସହ ବୋଉ ହାତ ତିଆରି ଆମ୍ବ ଆଚାରର ବାସ୍ନାରେ ସାରୀର ଭୋକ ଆହୁରି ବଢ଼ିଗଲା। " ସାରୀଲୋ ତୋ ପାଇଁ ଭଲ ପ୍ରସ୍ତାବଟେ ଆସିଛି। " ପଖାଳରୁ ଗୁଣ୍ଡେ ପାଟିରୁ ଦେଉ ଦେଉ ବୋଉର କଥା କାନରେ ବାଜିଲା ସାରୀର। ପଖାଳ ପାଟିରେ ଦେଉ ଦେଉ ପାଟି ଶୀତଳ ହେଇଗଲା,ବୋଉର କଥା କାନ କୁ ଥଣ୍ଡା ଲାଗିଲା ସତ କିନ୍ତୁ କାନ ମୁଣ୍ଡା ଲାଜରେ ଗରମ ହେଇଗଲା।

" ଏଇ ତୋ ମାଧ କକେଇ ପରା ପ୍ରସ୍ତାବ ଆଣିଛନ୍ତି। ଭାରି ଭଲ ଘର, ପୁଅଟିର ସହରରେ ବଡ଼ ଚାକିରୀ କରିଚି । ଭଲ ଇନକମ । ଟଙ୍କା ପଇସା ଧନ ସମ୍ପତ୍ତି କଉଥିରେ ଅଭାବ ନାହିଁ ବା। ତାଙ୍କର ଖାଲି ଗୋଟେ ଘରୁଆ ଆଉ ରୂପ ଗୁଣର କନ୍ୟାଟିଏ ଦରକାର । ମୁଁ କହିଲି ଆମ ସାରୀର କଉଥିରେ ଅଭାବ କି, ଗୁଣ ନା ରୂପ।" ବୋଉର କଥା ସବୁ ଶୁଣି ନ ଶୁଣିଲା ପରି ତରବରରେ ପଖାଳ ଖିଆ ଶେଷ କରି ଉଠି ପଡ଼ିଲା ସାରୀ। ବାଡ଼ି ପଟ ଡୁବି ଗାଡ଼ିଆରେ ଧୁଆ ଧୁଇ ହୋଇ ସେଇ ଗାଡ଼ିଆ ତୁଠପଥରରେ ବସି ଗଲା ସେ।

ବାପା ବୋଉଙ୍କର ଗୋଟିଏ ବୋଲି ସେ ସାରୀ, ସରସ୍ୱତୀ । କେତେ ଦିଅ ଦେବତାକୁ ଡାକି ଡାକି ବାହାଘରର ଅନେକ ବର୍ଷ ପରେ ବୋଉ କୋଳକୁ ଆସିଛି। ବୋଉ କେବେ କେମିତି କଟର କଟର ହୁଏ ହେଲେ ବାପା ଗାଳି ତ ଦୂରର କଥା କେବେ ବଡ଼ ପାଟିରେ ବି ତାକୁ ପଦଟିଏ କହି ନାହାନ୍ତି। ଗେଲ ବସରର ଜୀବନରେ ପାଠ ଭଳି ଏକ ଉପଦ୍ରବ ଜିନିଷଟିକୁ ଅତି କଷ୍ଟରେ ଅଷ୍ଟମ ଯାଏଁ ସହିଥିଲା ସେ। ଅଷ୍ଟମ ଫେଲ ହେଇ ଘରେ ବସିଲା ପରେ ଏ କଷ୍ଟରୁ ମୁକ୍ତି ମିଳିଲା। ଆଉ ଆଗକୁ ପଢିବା ପାଇଁ ବି ଘରେ କେହି ଜୋର ଦେଲେ ନାହିଁ। ହଁ ଗୋଟିଏ ବୋଲି ପୁଣି ଝିଅ। ବେଶି ପାଠରେ କଣ ହେବ। ଏତିକି ଯଥେଷ୍ଟ। ବେଶି ପଢିଲେ ପୁଣି ବର ମିଳିବାକୁ କଷ୍ଟ ହେଇଯିବ। ଦୁଇ ତିନି ବର୍ଷ ଘର କରଣା ଶିଖିଗଲେ ଭଲ ଘର ଦେଖି ଦେଇଦେଲେ ଢେର, ଅଭାବୀ ପରିବାର ପାଇଁ। ସାରୀର ବାପା ଜଣେ ନାମମାତ୍ର ଚାଷୀ। ସମ୍ପତି କହିଲେ କେବଳ ଘରଢି଼ଅ। ଅନ୍ୟ ବଡ଼ ବଡ଼ିଆଙ୍କ ଚାଷ ଜମିରେ ଚାଷ କରନ୍ତି। ଯାହା ଅମଳ ହୁଏ ଅଧା ଅଧା। ବର୍ଷକ ତିନି ପେଟ ସହ ଘରର ଯାବତୀୟ ଖର୍ଚ୍ଚ ସେଥିରେ ଚଳିଯାଏ।

ଅତି ଆଦରର ସାରୀ ପାଇଁ ବାପା ମାଆ ଖୋଜି ଚାଲିଲେ ମନ ଲାଖି ବରଟିଏ। ହେଲେ ବାହା ବଜାରର ନିଆଁ ପରି ଚଢା ଦରଦାମରେ ମନଲଖି ବରଟିଏ ଖୋଜିବାର ସ୍ବପ୍ନ ପୋଡି ପାଉଁଶ ହୋଇଗଲା। ଦେଖୁ ଦେଖୁ ସାରୀ ବୟସର ସବୁ ଝିଅ ବୋହୁ ହୋଇ ଶାଶୂଘର ବାହୁଡ଼ି ଗଲେ। କେତେ ଜଣ ପିଲା ପିଲିର ମାଆ ବି ହେଲେଣି। ହେଲେ ସାରୀର ବାପଘର ଭାତ ହାଣ୍ଡିରୁ ନାଁ କଟିଲାନି। ତଥାପି ବି ଆଖିର ତାରା ସାରୀକୁ ଯାହି ତାହି କାହା ହାତକୁ ଟେକି ଦେବାକୁ ମନ ହେଉନଥାଏ । ଅଭାବୀ ଘରେ ଜନ୍ମ ହେଇଚି ସତ କିନ୍ତୁ ଝିଅ ଆମର ଯେମିତି ସାରା ଜୀବନ ସୁଖରେ କାଟିବ, ଏଇ ଗୋଟିଏ ଚିନ୍ତା । କେମିତି ଥିଲା ବାଲା ଘରର ପାତ୍ରଟିଏ ଜୁଟିବ ସବୁବେଳେ ସେଇ ଚିନ୍ତାରେ ବାପମାଆ ଦୁଇଜଣ ।

" କଣ ବଉଳ, ବସି ବସି ଦିନରେ କାହା ସ୍ବପ୍ନ ଦେଖୁଛୁ ମ"

ବଉଳର ଡାକ ଶୁଣି ପ୍ରକୃତିସ୍ଥ ହେଲା ସାରୀ। କେବେଠୁ ଯେ ସେ ବସି ରହିଛି ଏ ଗାଡ଼ିଆ ତୁଠରେ। "ତୋ ବାହାଘର ସ୍ବପ୍ନ ଦେଖୁଥିଲି ମ। ବୋହୂ ବେଶରେ ତୁ ଭାରି ସୁନ୍ଦର ଦିଶୁଥିଲୁ।"

"ଯା, ବାହାଘର ପୁଣି ମୋର। ସାତ ମାଠିଆ ଘିଅ ହେବ ନା ରାଧା ନାଚିବ। ମୋ ବାପା ଯୌତୁକ କଉଠୁ ଆଣିବେ ଯେ ବାହାଘର କରିବ। ଆମ ଗରିବ ଘର ଝିଅଙ୍କ ପାଖରେ ବାହା ସ୍ବପ୍ନ ପାଇଁ ରାତି କାହିଁ।

"ଯାହା କହିଲୁ ବଉଳ। ସେ ସ୍ୱପ୍ନକୁ ରାତି କାହିଁ" ହାତ ଧରା ଧରି ହୋଇ ହସି ହସି ଘରମୁହାଁ ହେଲେ ଦୁଇ ସାଙ୍ଗ, ସେ ହସରେ ଲୁଚେଇବାକୁ ଚେଷ୍ଟା କରୁଥିଲେ ମନର ଅକୁହା ଦୁଃଖ ସବୁ।

******

ଚନ୍ଦ୍ରମଣି ଜେନା, ବାପା ଉମାକାନ୍ତ ଜେନା,ଘର ପୁରୁଷତ୍ତମପୁର ଶାସନ, ତିନି ପୁଅରେ ଘରର ମଝିଆ ପୁଅ। ବଡ଼ ମେଡ଼ିକାଲରେ କଣ ଗୋଟେ ଚାକିରୀ କରେ । ବାପର ଭଲ ଜମିବାଡ଼ି। ବାକି ଦୁଇ ପୁଅବି ଭଲ ରୋଜଗାର କରନ୍ତି। ଭଉଣୀଟିଏ କେବେଠୁ ପରଘରି।

ବରପାତ୍ର ବିଷୟରେ ମାଧ କକେଇ ପୁଅ ବୁଟୁକୁ ବାଡ଼ି ପିଜୁଳି ପୁଞ୍ଜାଏ ଲାଞ୍ଚ ଦେଇ ଏତିକି କଥା ହାସଲ କରିନେଇଥିଲା ସାରୀ । ଚନ୍ଦ୍ରମଣି ନାଁଟା ତାକୁ ଭାରି ଭଲ ଲାଗିଲା। ବେଶ ସତର୍କତାରେ ଆଗକୁ ପଛକୁ ଚାହିଁ ତିନି ଚାରି ଥର ଉଚ୍ଚାରଣ କରିନେଲା ସେ। ପ୍ରତି ଉଚାରଣରେ ବଢି ଯାଉଥିଲା ତା ଛାତିର ସ୍ପନ୍ଦନ, ତାତି ଯାଉଥିଲା କାନ ମୁଣ୍ଡା।

ଏ ଭିତରେ କଥା ଆଗେଇ ଯାଇଛି। କାଳେ ରଙ୍ଗ କଳା ପଡିଯିବ ବୋଲି " ଖରା ତରାରେ ଆଉ ଜମା ବୁଲୁନି ସେମାନେ ରବିବାର ଦିନ ଦେଖିବାକୁ ଆସିବେ" ବୋଲି ତାଗିଦ କରିଦେଇଛି ବୋଉ। ନିଇତି ହଳଦୀ ଲଗେଇ ଗାଧୋଇ ହେବାକୁ କହି ହଳଦୀ କାଠୁଆ ଭର୍ତ୍ତି କରିଦେଇଛି ବଟା ହଳଦୀରେ। ତାକୁ ଦେଖିବାକୁ ଆସିବେ। ଛାତିରେ ଛନକା ପଶୁଚି ତାର। ଏମିତି ନୁହେଁ କି ତାକୁ ପ୍ରଥମ ଥର ପାଇଁ ଦେଖିବାକୁ ଆସୁଛନ୍ତି। ତିନି କି ଚାରି ଥର ଏ ଭଳି ପରିସ୍ଥିତିର ସାମ୍ନା କରିଛି ସେ। ହେଲେ କେଜାଣି କାହିଁକି ଏ ଥର ପାଇଁ ତାକୁ ଭାରି ଲାଜ ଆଉ ଡର ଲାଗୁଛି। ବୋଉ ବି ଭାରି ବ୍ୟସ୍ତ। କୁଣିଆ ଚର୍ଚ୍ଚା କେମିତି ହେବ କଣ କରିବ ସେ ପାଇଁ ବାପା କାହାଠୁ କିଛି ଟଙ୍କା ଧାର ମଧ୍ୟ କରିଛନ୍ତି। ପାଖ ପଡୋଶୀ ରମା କକେଇ ଘରୁ ଚୌକି ଆଉ ଚିନା ମାଟିର କପ ପ୍ଲେଟ , କାଚ ଗ୍ଲାସ ବି ମଗା ହେଇ ଆସିଛି। ଗତବର୍ଷ ତା ଜନ୍ମଦିନରେ ବର୍ଷ ଯାକ ସଂଚି ସଂଚି ବୋଉ ରଖିଥିବା ଟଙ୍କାରେ କିଣିଥିବା ସୁନ୍ଦର ନେଳି ରଙ୍ଗର ଶାଢୀକୁ ଅନଭ୍ୟସ୍ତ ହାତରେ ପିନ୍ଧିଥିଲା ସାରୀ। ସେଇଟା କୁଆଡେ ତା ଦେହକୁ ଭଲ ମାନେ ବୋଲି ବୋଉ କହେ, କହୁ କହୁ ଛେପ ଲେଣ୍ଡାଏ ବି ପକାଏ। କାଳେ କାହା ନଜର ଲାଗିଯିବ।

ସେମାନେ ଆସିଲେ ଆଉ ଚାଲିଗଲେ ବି। ଥର ଥର ଅବସ୍ଥାରେ ସାରୀ ସେମାନଙ୍କ ଆଗକୁ ଗଲା। କିନ୍ତୁ ମୁଣ୍ଡ ଟେକି କାହାକୁ ବି ଚାହିଁ ପାରିଲା ନାହିଁ। ତା ପାଖରେ ବସି ତା ହାତକୁ ଧରି" ଆମ ଚନ୍ଦ୍ର ସହ ୟାର ଯୋଡି ଖୁବ ଜମିବ। ନୁହେଁକି" ବୋଲି ଯିଏ କହିଲେ ସେ ଚନ୍ଦ୍ରମଣିର ଭାଉଜ ଆଉ ଯାହାକୁ କହିଲେ ସେ ଭଉଣୀ ବୋଲି ପରେ ସାରୀ ଜାଣିପାରିଥିଲା। ଭଉଣୀ, ଭିଣୋଇ, ମାମୁଁ ଆଉ ବଡ଼ ଭାଉଜ ଆସିଥିଲେ ବୋଲି ବି।

ସବୁ କିଛି ଭଲରେ ହେଇଗଲା। ଆମକୁ ଝିଅ ପସନ୍ଦ ସେମାନେ ଖବର ପଠେଇଲେ। ସତେ ଯେମିତି ଖୁସିରେ ପୁରି ଉଠୁଥିଲା ତା ଛୋଟ ଘରଟି ।

ତା ପର ଥର ଆସିଲେ ବଡ଼ଭାଇ, ଭାଉଜ, ବରର ବାପା ସହ ନିଜେ ବରପାତ୍ର। ଏଥର ବି ଯେତେ ଚେଷ୍ଟା କଲେ ମଧ୍ୟ ଆଖି ଉଠେଇ ଦେଖିପାରିନଥିଲା ସାରୀ। ତା ପରେ ମାଧ କକେଇଙ୍କ ସହ ବାପା ଯାଇଥିଲେ ବରଘର ଦେଖି। ଆସି ବୋଉ ଆଗରେ ବର୍ଣ୍ଣନା କରିଥିଲେ କେଡେ ଘର କି ଚଳଣୀ। ସାରୀ ଆମର ରାଣୀ ହେଇ ରହିବ ଏମିତି କେତେ କଣ। ଭାରି ଖୁସି ହେଇ ବୋଉ ବି ଗାଁ ମାଇପି ମେଳରେ ବର୍ଣ୍ଣନା କରିଦେଇଥିଲା ତା ଝିଅର ସୁଖର ଭବିଷ୍ୟତ ବିଷୟରେ।

ମଝିରେ ମଝିରେ ବାପା ଚିନ୍ତା କରି ବସୁଥିଲେ ବାହାଘର ପାଇଁ ଟଙ୍କା ଆସିବ କଉଠୁ। ହେଲେ ଯୌତୁକ ତ କିଛି ନାହିଁ, କେବଳ ବାହା ଖର୍ଚ୍ଚ। ଦେଖିବା କଉଠୁ ଧାର କରଜ କରିବା ନିହାତି ଦରକାର ପଡ଼ିଲେ ଘରଢି଼ଅ ବନ୍ଧା ପକେଇଦେବା, ବୋଉ ଭରସା ଦେଉଥିଲେ ବାପାଙ୍କୁ। କିଛି ଖୁସି କିଛି ଦୁଃଖ ଭିତରେ ଚାଲି ଥିଲା ସାରୀର ବାହାଘର ପ୍ରସ୍ତୁତି। ସବୁଠୁ ବେଶି ଦୁଃଖ କରୁଥିଲା ବଉଳ। ସେ ଏକା ହେଇଯିବ ଯେ। ଦୁଇ ବଉଳ ପରସ୍ପରକୁ ବୁଝଉଥିଲେ । ଗାଁରେ ଏବେ ଚର୍ଚ୍ଚା। ଆହା ସାରୀର ଏତେ ଭାଗ୍ୟ ଥିଲା, କି ବର କି ଘର।

ଦୁଇ ପକ୍ଷରୁ ସବୁ ଠିକ ଠାକ ହେଇଯାଇଥିଲା। ସରି ଯାଇଥିଲା ନିର୍ବନ୍ଧ। ଠିକ ହେଇଯାଇଥିଲା ବିବାହ ତିଥି, ଏବେ ସାରୀର ହାତ ଆଙ୍ଗୁଠିରେ ଶୋଭା ପାଉଥିଲା ଚନ୍ଦ୍ରମଣି ନାଁର ସୁନା ମୁଦି। ଏବେ ଚନ୍ଦ୍ରମଣି ସାରୀର ସ୍ୱପ୍ନରେ ଆସୁଥିଲା। ଥରେ ମାତ୍ର ଦେଖିନଥିଲେ ମଧ୍ୟ ସାରୀର କଳ୍ପନାରେ ସେ ଥିଲା ଜହ୍ନ ପରି ସୁନ୍ଦର। ଡେଙ୍ଗା ହେଇ ଗୋରା ମଣିଷଟିଏ ମୁଣ୍ଡ ଉପରେ କଳା ମଚ ମଚ ଚୁଟି କେରାଏ ସୁନ୍ଦର ମୋହିନେଲା ପରି ଆଖି। ସ୍ୱପ୍ନରେ ଆସେ ତା କଳ୍ପନା ପୁରୁଷ ଚନ୍ଦ୍ରମଣି। ତା ଶେଯ ଧାରରେ ବସି ତା ଆଡ଼କୁ ହାତ ବଢ଼ାଏ। ଲାଜରେ ସଂକୁଡି ଯାଉ ଥାଏ ସେ। ହାତ କିନ୍ତୁ କେବେ ପହଂଚି ପାରେ ନାହିଁ ସାରୀ ପାଖରେ । ନିଦ ଭାଙ୍ଗିଯାଏ। ନିଦ ଭାଙ୍ଗିଗଲେ ଆଖି ଖୋଲି ଭବିଷ୍ୟତ ଜୀବନର ସୁଖ ସ୍ୱପ୍ନରେ ମଜି ଯାଏ ସାରୀ । ସିଏ ଆଉ ଚନ୍ଦ୍ରମଣି। ଚନ୍ଦ୍ରମଣିକୁ ସରସ୍ୱତୀ। କେବେ ଲାଜରେ ସରମୀ ଯାଏ ତ କେବେ ବାପମାଙ୍କୁ ଛାଡି ଯିବାର ଦୁଃଖରେ ଲୁହ ଗଡ଼ାଏ।। ଚନ୍ଦ୍ରମଣିର ସ୍ୱପ୍ନରେ ବୁଡି ବୁଡି ସମୟ କାଟିଯାଉଥାଏ ସାରୀର।

ବାହାଘର ଦିନ ବି ପାଖେଇ ଆସୁଥାଏ। ପ୍ରାୟ ସମୟ ବାପା ରଣ କରଜ ପାଇଁ ଗାଁର ବଡ଼ ବଡିଆଙ୍କ ସହ କଥା ବାର୍ତାରେ ବ୍ୟସ୍ତ। ଧୀରେ ଧୀରେ କିଛି କିଛି ବାହା ସଜ ଘର ଭିତରେ କିଛି ଜାଗା ଅକ୍ତିଆର କରି ନେଲାଣି। ଗାଁ ଗୋହିରୀରେ ବଉଳ ସହ ବୁଡାପହଁରା ଏବେ ସ୍ବପ୍ନ । ବୋଉର ତାଗିଦ ବଡ଼ ଘର ବୋହୁମାନଙ୍କୁ ଏଭଳି ଉଦଣ୍ଡାମି ଶୋଭା ଦିଏନି। ବଉଳ ବି ଆଜି କାଲି ବେଶି ଆସେନା। ଖୁବ ବ୍ୟସ୍ତ ବ୍ୟସ୍ତ ଲାଗୁଥାଏ ଘରର ପରିବେଶ। ସେଦିନ ବଉଳ ସହ ଗାଁ ଦେବତୀ ଗଂଗେଇଙ୍କ ପୀଠକୁ ପୂଜା ପାଇଁ ଯାଇଥିଲା ସେ। ଭାରି ପ୍ରତ୍ୟକ୍ଷ ଦେବୀ। ଡାକି ଦେଲେ ଓ କରନ୍ତି। ବଉଳ ତାର ହାତରେ ବାନ୍ଧି ଦେଇଥିଲା ଦେବୀଙ୍କ ସୂତ୍ର, ଚନ୍ଦ୍ରମଣିକୁ ଶୀଘ୍ର ଆଉ ସୁରୁଖୁରୁରେ ପାଇବାର ମଙ୍ଗଳ ମନାସୀ। ଲାଜେଇ ଯାଇଥିଲା ସାରୀ। ଏବେ ଯେବେ ଚନ୍ଦ୍ରମଣିର କଥା ମନେ ପଡେ, ହାତ ଚାଲିଯାଏ ବାହୁରେ ବନ୍ଧା ହୋଇଥିବା ସେ ସୁତା ଉପରେ। ଯେମିତି ସୁତା ନୁହେଁ ତ ତାର ଆଉ ଚନ୍ଦ୍ରର ସମ୍ପର୍କର ବନ୍ଧନ।

***

ବାହାଘରକୁ ଜମା ସପ୍ତାଏ। ଘର ସାରା ଜିନିଷରେ ଭର୍ତି। ଲୁଗା ପଟା ସୁନା ଗହଣା ନିଜ ସାଧ୍ୟ ମତେ କିଣି ସାରିଛନ୍ତି ସାରୀର ବାପା। ମାମୁଁ ଘରୁ ନିମି ଆଇ ଆଉ ମାମୁଁ ଝିଅ ଭଉଣି କେତକୀ ବି ଆସିସାରିଲେଣି । ସେଦିନ ସକାଳୁ ସକାଳୁ ତାକୁ ଲାଗିଲା କିଛି ଗୋଟେ ଅଡୁଆ ହେଇଯାଇଛି। ଘରର ପରିବେଶ କେମିତି ଓଜନିଆ ଲାଗୁଥିଲା। ବାପା କି ବୋଉକୁ କାହାକୁ ପାଇଲାନି ସେ। ମାଧ କକେଇ ବି ଘରେ ନଥିଲେ। ଗାଁଟା ଯାକ ଖୋଜି ଖୋଜି ବୋଉ ମିଳିଲା ଘର ଡୁବି ଗଡ଼ିଆ ତୁଠରେ। ବଗ ପରି ପାଣିକୁ ଏକ ଲୟରେ ଚାହିଁ ତୁଠ ପଥର ଉପରର ଏକୁଟିଆ ବସିଥିଲା ବୋଉ। " ଏ ବୋଉ କଣ ହେଲା ତୋର" ବୋଉର କାନ୍ଧ ଧରି ହଲେଉ ଦଉ ଦଉ ପାଖରେ ବସି ପଡ଼ିଲା ସାରୀ। "କିଛି ନାହିଁ ଲୋ ମା" ବୋଉ ଲୁଚେଇବାକୁ ଚେଷ୍ଟା କରୁଥିଲା ତା ଆଖି ଲୁହ। ବହୁତ ପଚାରିଲା ପରେ ବୋଉର ନିରବତାରୁ ସାରୀ ଯାହା ବୁଝିଲା ସେତିକି ଯଥେଷ୍ଟ ଥିଲା ତା ସ୍ବପ୍ନର ପୃଥିବୀକୁ ଦୁଇ ଫାଳ କରିବା ପାଇଁ। ଯୌତୁକ ଦାବି କରୁନଥିବା ସେମାନେ ହଠାତ କେବଳ ପାଞ୍ଚ ଲକ୍ଷ ଟଙ୍କା ମାଗୁଛନ୍ତି । କାଲି ରାତିରେ ମାଧ କକେଇ ଏ ଖବର ନେଇ ଆସିବା ପରେ ସବୁ କିଛି ପ୍ରାୟତଃ ନଷ୍ଟ ହୋଇ ଯାଇଛି। ବାପା ଗେଲ୍ଲୀ ଝିଅର ସୁଖ କିଣିବାକୁ ଟଙ୍କା ସଂଗ୍ରହ ପାଇଁ ଏ ଗାଁ ରୁ ସେ ଗାଁ ଘୁରି ବୁଲୁଛନ୍ତି। ଏ ଖବର ଶୁଣି ବସିବା ଜାଗାରୁ ଉଠି ପଡ଼ିଲା ସାରୀ । ସିଧା ଘର ଭିତରକୁ ପଶିଗଲା। ଲଥ କିନା ଶୋଇ ପଡ଼ିଲା ଶେଯରେ। ଚଉଦିଗ ଅନ୍ଧାର ଦିଶୁଥିଲା ତାକୁ।। ଏତେ ସବୁ ଧାର କରଜ ଖର୍ଚ୍ଚ ବାର୍ଚ୍ଚ ପରେ ଏତେ ଟଙ୍କା ଆସିବ ବା କେଉଁଠୁ। ତା ସ୍ୱପ୍ନର ମଣିଷ ଚନ୍ଦ୍ରମଣି ଏବେ ପଦ୍ମଟିଏ ପରି ଘୁଞ୍ଚି ଯାଉଥିଲା ଦୁରକୁ ଦୂରକୁ।

ରାତି ଅଧା ଅଧି ବାପା ଫେରିଲେ। ତାଙ୍କ ନିରାଶ ଦୀର୍ଘ ନିଶ୍ୱାସ ହିଁ ଯଥେଷ୍ଟ ଥିଲା କହିବା ପାଇଁ କି ସେ ହାରି ଯାଇଛନ୍ତି ଜୀବନ ଯୁଦ୍ଧରେ। ସେଦିନ ରାତି ପର ପରର ଆଉ କିଛି ରାତି ଘରେ ଥିଲା ମଶାଣିର ନୀରବତା। ଯେତେ ବୁଝେଇଲେ ବି ବୁଝିନଥିଲେ ସେମାନେ। ଶେଷରେ ଭାଙ୍ଗି ଯାଇଥିଲା ବାହାଘର।

ଖାଲି ବାହାଘର ଭାଙ୍ଗି ନ ଥିଲା। ଭାଙ୍ଗି ଯାଇଥିଲା ସାରୀର ସ୍ୱପ୍ନର ଘର। କିଛି ଦିନ ହେବ ଖିଆ ପିଆରେ ଅନିୟମିତତା ଭାଙ୍ଗି ଦେଇଥିଲା ତା ଦେହ। ଖାଲି ମଲା ମଣିଷଟିଏ ପରି ଶେଯରେ ପଡି ରହିଥିଲା ସେ ।

*****

ଚୈତ୍ରମାସ ଚାରି ଦିନ ବୁଧୁବାର। ଆଜି। ଆଜି ତାର ବାହାଘର ହେଇଥାନ୍ତା। ଚନ୍ଦ୍ରମଣିର ବୋହୁ ସାଜି ପାଦ ଦେଇଥାନ୍ତା ସେ ତା ନୂଆ ଘରେ, ଚନ୍ଦ୍ରମଣିର ଘରେ। ସ୍ବପ୍ନ ସବୁ ଅଧୁରା ରହିଗଲା।

" ବଉଳ ତୁ ଜାଣିଲୁଣି, ଆଜି ଚନ୍ଦ୍ରମଣି ବିଭା ହେଉଛି"

ବଉଳର କଥା ଶୁଣି ଛାତି କୋରି ହେଇଗଲା ତାର।

" ସତରେ ନାଁ କଣ । ତୁ କେମିତି ଜାଣିଲୁ।" ଭାରି ବ୍ୟସ୍ତ ହେଇ ପଚାରିଲା ସେ।

"ମାଧ କକେଇ କହୁଥିଲା। ତୋ ବାପା ବୋଉ ବି ଜାଣିଥିବେ ନିଶ୍ଚେ। କାଳେ ତୁ ମନ ଉଣା କରିବୁ ବୋଲି କହିନାହାଁନ୍ତି ।"

ଆଜି ଚନ୍ଦ୍ରମଣିର ବାହାଘର। ସେଇ ସମାନ ଦିନରେ ଯେଉଁଦିନ ତାର ଚନ୍ଦ୍ରମଣିର ବାହାଘର ହୋଇଥାନ୍ତା। ନା। ହେଲେ କେମିତି ବାହା ହେବାକୁ ରାଜି ହେଇଗଲା ଚନ୍ଦ୍ରମଣି। ଦିନ ଯାକ ମନେ ମନେ ଗୁଣି ହେଲା ସେ। ସତେ ଯେମିତି ଚନ୍ଦ୍ରମଣି ତାର ପ୍ରେମିକ। କେବେ ନିଶ୍ଚେ ଫେରିବା ଆସିବେ ଚନ୍ଦ୍ରମଣି। ଏ ବିଶ୍ୱାସ ଟିକଟ ଛାତିର କଉ କୋଣରେ ଥିଲା ଯାହା ଆଜି ଫାଙ୍କା ହେଇଗଲା।

ସେ ରାତିରେ ଆଖିକୁ ଆଉ ନିଦ ଆସିଲାନି। ପାହାନ୍ତାରେ ଆଖି ଲାଗୁ ଲାଗୁ ଶୁଣାଗଲା ଚନ୍ଦ୍ରମଣିର ବାହା ଡେଙ୍ଗୁରା। ସେ ଅସ୍ତବ୍ୟସ୍ତ ରାତିଟି ପାହି ସକାଳ ହେଇଗଲା।

ସକାଳୁ ନିଜକୁ ଆଉ ସମ୍ଭାଳି ପାରିଲାନି ସାରୀ, କେବେ ଗାଁରୁ ଏକୁଟିଆ ବାହାରକୁ ବାହାରି ନଥିବା ସେ, ନିଜ ଅଜାଣତରେ କେତେ ବେଳେ ଯେ ବସରେ ବସିଯାଇଥିଲା ପୁରୁଷତ୍ତମପୁର ଶାସନ ଉଦେଶ୍ୟରେ। କେବଳ ଏତିକି ଇଛା ଥରେ ଆଖି ପୁରେଇ ଦେଖିବ ତା ସ୍ୱପ୍ନର ଶାଶୂଘର।

ପୁରୁଷୋତ୍ତମପୁର ଶାସନକୁ ଯିବା ଛକରେ ତାକୁ ବସ ଛାଡି ଦେଇ ଆଗକୁ ଚାଲିଗଲା।" ଏଇ ରାସ୍ତାରେ ସିଧା ଯାଅ ବରଗଛରୁ ଡାହାଣକୁ ବୁଲିଲେ ସିଧା ରାସ୍ତାଟା ପୁରୁଷତ୍ତମପୁର ଶାସନ।"ଦୋକାନୀଟି କହିଲା। ନିଜ ଗନ୍ତବ୍ୟ ଉଦେଶ୍ୟ ଶୁନ୍ୟ ସାରୀ ସିଧା ଚାଲିଲା କେବଳ।

"ହଁ ,ଏଇ ଆଗଟା ପୁରୁଷତ୍ତମପୁର ଶାସନ। କାହା ଘରକୁ ଯିବ ଝିଅ।" ତା ଆଗରୁ ଆସୁଥିବା ଲୋକଟିକୁ ପଚାରିଲାରୁ ଉତ୍ତର ମିଳିଲା।

"ଚନ୍ଦ୍ରମଣି ନା ନା ..ଉମାକାନ୍ତ ଜେନା" ନିଜ ଭୁଲ ସଂଶୋଧନ କରି ମନେ ପକେଇ କହିଲା ସାରୀ।

"ଆଛା। ବାହାଘରକୁ ଆସିଛ ବୋଧେ। ସିଧା ଗାଁ ଦାଣ୍ଡରେ ଯାଅ, ଡାହାଣ ଧାଡିକୁ ତୃତୀୟ ଘରଟା । ବାହାଘର ପାଇଁ ସଜା ସାଜି ହେଇଚି।ଜଣା ପଡି ଯିବ।" ଉତ୍ତର ଦେଇ ଚାଲି ଗଲା ଲୋକଟି।

ଥମ କରି ଠିଆ ହୋଇ ରହିଲା ସାରୀ ଆଉ ଆଗକୁ ଯିବ କି ନାହିଁ ସେ। ଯାହାକୁ ବାହା ହେଇ ଆସିଥାନ୍ତା ଆଜି ସେ ତା ବାହାଘରର କୁଣିଆ କି ବୋଲି ପ୍ରଶ୍ନ ହେଉଛି। ସମୟ କେମିତି କେତେ ଶୀଘ୍ର ବଦଳି ଗଲା। ଦୀର୍ଘ ସ୍ୱାସ ଛାଡି ଗାଁ ଦାଣ୍ଡରେ ମାଡି ଚାଲିଲା ସେ।

ଗାଁ ମଝିରେ ଲମ୍ବା ରାସ୍ତା। ଦୁଇ ପଟେ ଦୁଇ ଧାଡି ଘର। ଦେଖୁ ଦେଖୁ ଗୋଟେ ଘରର ଆଗରେ ଅଟକି ଗଲା । ଉଚ୍ଚ ପିଣ୍ଡାର ସୁନ୍ଦର ପକ୍କା ଘରଟିଏ। ଆଗରେ ବିବାହ ତୋରଣ । ଲେଖା ଯାଇଥାଏ ଚନ୍ଦ୍ରମଣି ସହ ସୁସ୍ମିତା। ଚାରିଆଡେ ସାଜ ସଜ୍ଜା। ଦାଣ୍ଡ ଦୁଆର ମୁହଁରେ ଅରୁଆ ଚାଉଳ ହଳଦୀ ଫୁଲ ବଂଚି ଯାଇଛି। ସକାଳୁ ସକାଳୁ ପୁଅ ବୋହୂକୁ ନେଇ ଫେରି ଥିବ ପରା। ସବୁ ଠିକ ଥିଲେ ଏଇ ଘର ତା ଶାଶୁଘର ହେଇଥାନ୍ତା। ଏଇ ଘରର ଦୁଆର ମୁହଁରେ ପାଦ ଥାପି ଥାପି ବୋହୁ ବେଶରେ ଘରକୁ ପଶିଥାନ୍ତା ସେ। ହେଲେ ଆଜି ଆଉ କିଏ ସେ ବାଟରେ ଯାଇ ସାରିଲାଣି। ଏବେ ନୂଆଘର ଭିତରେ ନିଜକୁ ପରିଚିତ କରାଉଥାନ୍ତା ସେ ହେଲେ ଏବେ ଆଉ କିଏ ସେ ସ୍ଥାନ ନେଇ ସାରିଲାଣି। ଲୁହ ଦୁଇ ଟୋପା ଗଡି ଆସିଲା ତା ଆଖିରୁ।

"କାହାକୁ ଖୋଜୁଛ ଝିଅ, କାହାଘରକୁ ଯିବ।" ପଛରୁ କେହି ଜଣେ ପଚାରିଲେ।।

ତର ତର ହୋଇ ଲୁହ ପୋଛି ବୁଲି ଦେଖିଲା ସାରୀ । ଗାଁ ଲୋକ ବୋଧ ହୁଏ।

" ଉମାକାନ୍ତ ଜେନା।"

"ହଁ ଏଇଟା ତ ତାଙ୍କ ଘର । କୁଣିଆ ବୋଧେ ବାହାଘର ପାଇଁ ଆସିଛ । କେଉଁ ଗାଁରୁ ଆସିଛ ମାଆ"

"ନାଇଁ ଭୁଲ ହେଇଗଲା ଉମାକାନ୍ତ ସାହୁ। ଜେନା ନୁହେଁ।"କଥା ବଦଳେଇବାକୁ ଡରି ଡରି କହିଲା ସେ।

" ଏ ଶାସନରେ ତ ସେମିତି କେହି ନାହିଁ। ଭୁଲ ଠିକଣାରେ ଆସିଛ ବୋଧେ"

"ହଁ ମାଉସା ଠିକ କହିଲ, ଏଇଟା ପୁରା ଭୁଲ ଠିକଣା। "ବୁଲି ପଡିଲା ସାରୀ । ଅଣନିଶ୍ୱାସୀ ହୋଇ ଯେଉଁ ରାସ୍ତାରେ ଆସିଥିଲା ସେଇ ରାସ୍ତାରେ ଲେଉଟି ଆସିଲା। କାଳେ କିଏ ଚିନ୍ହି ଦେବ ମୁହଁରେ ବାନ୍ଧି ଦେଲା ତା ସଲ୍ୱାରର ଚୁନରି।

********

ରାଧାଗୋବିନ୍ଦପୁର। ରାଧାଗୋବିନ୍ଦପୁର। କ୍ଲିନର ଡାକରେ ଭାବନାରୁ ବାହାରି ଆସିଲା ସାରୀ। ଭିଡ଼ ଠେଲି ବସରୁ ଓହ୍ଲେଇ ପଡିଲା। ତା ଗାଁକୁ ରାସ୍ତା। ଚାଲିବାକୁ ପଡିବ ଏବେ ସବୁ କିଛିକୁ ଅତୀତର ସ୍ୱପ୍ନ ପରି ଭୁଲି ଯାଇ। ଚାଲିବା ପୂର୍ବରୁ ଟିକେ ରହିଗଲା, ହାତରେ ଛୁଇଁ ଦେଲା ତାର ସମ୍ପର୍କର ସୂତ୍ରଟିକୁ ଯାହା ତା ବାହୁରେ ଏବେ ବି ବନ୍ଧା ହୋଇରହିଛି। ବାହାଘର ଭାଙ୍ଗି ଗଲା ପରେ ଆଙ୍ଗୁଠି ର ନିର୍ବନ୍ଧ ମୁଦି ବାହାର କରି ଫେରେଇବାକୁ ପଡିଥିଲା ତାକୁ । କିନ୍ତୁ ଗାଁ ଦେବତୀଙ୍କୁ ମନାସୀ ବଉଳ ବାନ୍ଧି ଦେଇଥିବା ସେ ସୂତ୍ରଟିକୁ କାଢି ନଥିଲା ସେ । ମନରେ ଶେଷ ଆଶାଟିଏ ଥିଲା ମା ନିଶ୍ଚେ କୃପା କରିବେ । ଚନ୍ଦ୍ରମଣି ନିଶ୍ଚେ ଫେରିଆସିବେ ତା ପାଇଁ। ହେଲେ ଆଉ ଏ ସୂତାର କିଛି ମୂଲ୍ୟ ନାହିଁ। ଘରକୁ ଆଉ ନେଇ ଯିବନି ଏ ନିଷ୍ଫଳ ଆଶା। "ତୁ ଠିକ କହିଥିଲୁ ବଉଳ ଗରୀବ ଘର ଝିଅ ପାଇଁ ବାହା ସ୍ୱପ୍ନ ପାଇଁ ରାତି କାହିଁ" ବାହୁରୁ ଝିଙ୍କି ସୂତାଟିକୁ ଛିଣ୍ଡେଇ ତଳେ ପକେଇ ଦେଲା ସାରୀ। ବେଶ ହାଲୁକା ଲାଗିଲା ଏବେ, ସୁତା ସହ ଛିଣ୍ଡି ଗଲେ ଆଶାର ଶେଷ ଖିଅଟି ତା ସହ ଗଡି ଗଲା ଆଖିରୁ ଶେଷ ଲୁହଧାର। "ବୋଉ ଲୋ, ଏବେ ଏ କଥା ତୋତେ ବୁଝେଇବାକୁ ହେବ ଖାଲି", ମନେ ମନେ ଉଚ୍ଚାରଣ କରି ଗାଁ ମୁହାଁ ଚାଲିବାରେ ଲାଗିଲା ସେ।

ରାଜବାଳା...


Rate this content
Log in

Similar oriya story from Tragedy