ଗ୍ରୀଷ୍ମ ତାଣ୍ଡବ
ଗ୍ରୀଷ୍ମ ତାଣ୍ଡବ
ଆଶା ଥିଲା ମଧୁମାଳତୀ ଅନ୍ତେ ପଳାଶ ଅଧର ଛୁଇଁ
ଗ୍ରୀଷ୍ମ ଆସିବ ଧରଣୀ ବକ୍ଷେ ନୂଆ ମାଦକତା ନେଇ
ଆଶା ଭରସାର ଉଷ୍ମ ଆଲୋକେ ପୁଲକିତ କରି ପ୍ରାଣ
ପୃଥିବୀରୁ ଜଳ ସଞ୍ଚି କରିବ ବର୍ଷାର ଆବାହନ ।
ଗ୍ରୀଷ୍ମ ଆସିଛି,ହେଲେ ତା' ସ୍ପର୍ଶ ନିଆରା ଲାଗୁଛି କିଆଁ
ଉଷ୍ମତା ଛଳେ ଆକାଶୁ ସତେ କି ଢାଳୁଛି ବର୍ଷା ନିଆଁ
ରୌଦ୍ର ତାପରେ ଡହଡହ ଜଳେ ମାଟିମା' ଉଷର ଛାତି
ଦକ୍ଷିଣା ବାଆ ନାଆଁରେ ବହୁଛି ଝାଞ୍ଜି ପବନ ତାତି ।
ନଈ‐ନାଳ ଶୋଷି ମେଣ୍ଟୁନି ଶୋଷ,ଶୋଷୁଛି ଭୂତଳସ୍ତର
ଅରଣ୍ଯରେ ନିଆଁ ଲଗାଇ ନାଚୁଛି କାଳବୈଶାଖୀ ଝଡ
ବନ ଉପବନ ଲଟାପତ୍ରରୁ ଶୁଖିଛି ସବୁଜ ପ୍ରୀତି
ଥୁଣ୍ଟା ଗଛରୁ କ୍ଳାନ୍ତ ପକ୍ଷୀର ଶୁଭୁଛି କରୁଣ ଗୀତି ।
ପାହାନ୍ତାରୁ ଖରା ଆଞ୍ଚ ଲାଗୁଛି ସଂଜ ଦି'ଘଡି ଠେଲି
ଗରମ ଗରମ ଝାଇଁ,ଗୁଳୁଗୁଳି,ଝାଳର ପସରା ମେଲି
ଗ୍ରୀଷ୍ମ କରୁଛି ବାଂଝ ବେପାର,ଚାଷୀ ଦିଏ ମୁଣ୍ଡେ ହାତ
ଶ୍ରମିକର ମୂଲ‐ମଜୁରି ମୁହଁରେ ମାରୁଛି ଶକ୍ତ ନାତ ।
ମଲ୍ଲୀ ହେନାର ବାସ୍ନା ଭୁଲିଛି ନୁଖୁରା ଜହ୍ନ‐ରାତି
ତନ୍ଦ୍ରା ଅଳସ ଆଖିରୁ ତାହାର ହଜିଛି ସ୍ବପ୍ନସାଥୀ
ବିରହୀ ଯକ୍ଷ ପ୍ରାଣର ବେଦନା,ଚାତକ ଆଖିର ଶୋଷ
ଗ୍ରୀଷ୍ମ ବା କାହୁଁବୁଝିବ ତା'ର ତ ନିଜଶୋଷ ପୋଷପୋଷ ।
ଶହଶହ ଏଠି ଶୋଷର ମାଠିଆ ଶୂନ୍ଯେ ଟେକିଛି ହାତ
ଜଳ ବିନ୍ଦୁଏ ବଦଳେ ମିଳୁଛି ଚରମ ଅଂଶୁଘାତ
ଜଳ ସଂଧାନେ ଯେଉଁ ଆଶାଟିକ ବହୁଦୂରୁ ଦିଏ ଦେଖା
ଗ୍ରୀଷ୍ମର ସେତ ଶ୍ରେଷ୍ଠ ଅବଦାନ ନାମଯା'ର ମରୀଚିକା ।
ଗ୍ରୀଷ୍ମ ତ ଏଠି ଜିଭ ଲହଲହ ତମ୍ପର ବିଷଫଣା
ଚୁମ୍ବନ ଅବା ଦଂଶନ ଯା'ର ଏକଇ ତ ଯନ୍ତ୍ରଣା ॥