ମୁଁ ଠିଆ ହୋଇଥିବି ଏଇଠି
ମୁଁ ଠିଆ ହୋଇଥିବି ଏଇଠି
କିଏ ହିମାଳୟ ଯାଅ
ଅବା କିଏ ବେଶ୍ୟାଳୟ
ମୁଁ ଠିଆ ହୋଇଥିବି ଏଇଠି
ମାତ୍ର ଦୁଇପାଦ ମାଟିର କ୍ଷେତ୍ରଫଳରେ
ଝିଙ୍କି ନେଉଥିବି ଯେତେ ଥୁଣ୍ଟା ଡାଳର ଅପାରଗତା
ହାତମୁଠା ଖୋଲିଲାବେଳକୁ ଯାହା
ଭରିଯିବ ସବୁଜିମାର ସ୍ବପ୍ନରେ ।
ତମେ ଯେ ଯୁଆଡେ ଯିବାପରେ
ନିଃଶବ୍ଦତାରୁ ଟାଣିଆଣିବି ଝଙ୍କାର
ଝିଙ୍କିଆଣିବି ଶୂନ୍ଯରୁ ମୁଠାଏ ରକ୍ତର ଅବିର
ପବନରେ ସୃଜିବି ବଂଶୀର ସ୍ବର ।
ମୁଁ ମୋ ବାମ ପାଖ ସନ୍ନ୍ଯାସର ନୁହଁ
କି ଡାହାଣ ପାଖ ସମ୍ଭୋଗର
ମୁଁ ଏକ ସମନ୍ବୟ
ଦୁଇପାଦ ଓ ପାଦତଳ ମାଟିର ।
ଦେଖିବ
ସନ୍ନ୍ଯାସର ପାହାଡ ଉପରେ
ପଥର ହୋଇଥିବା ତମ ତପସ୍ଯାର
ଅନ୍ତ ଫାଡି କେମିତି ଝରିଝରି ଆସୁଛି ଝରଣା
ଛୁଇଁଯାଉଛି ମୋର ପାଦ ।
ସମ୍ଭୋଗର ପଙ୍କ ଭିତରେ ସ୍ତ୍ରୈଣ
ତମ ପରିଚୟର କଳଙ୍କ ଭେଦି
କେମିତି ମାନବିକତାର ପଦ୍ମ
ବାସ୍ନାୟିତ କରିଦେଉଛି ମୋ
ସାରା ଅବୟବ ।
ତା' ପରେ
ତମ ସଭିଙ୍କ ନିର୍ବୀର୍ଯ୍ଯ ଜୀବକୋଷରେ
ବୀର୍ଯ୍ଯର ସବୁଜ ଅଙ୍କୁରୋଦ୍ଗମ
ପ୍ରତି ପୌରୁଷରେ ଗୀତା ଭାଷ୍ଯର
ନିଖୁଣ ଆଲେଖ୍ଯ ।
ତେଣିକି ପୁଣ୍ଯର ପର୍ବତ ବା ପାପର ପଙ୍କରୁ ଫେରି
ତମେ ସଭିଏଁ ମୋ ଚାରିପାଖେ,
ତମ ଭଳି ଭଳି ପୃଥ୍ବୀର ଚିତ୍ର ସ୍ଥିର
ମୋ ଦୁଇପାଦ ଭୂମିରେ,
ସାରା ଆକାଶ କେନ୍ଦ୍ରିତ
ମୋ ମସ୍ତକରେ ।
ମୁଁ ସାମ୍ମା ବା ପଛ କରିବାକୁ ଚାହେଁନା
ନିର୍ବାଣ ଅବା ନିର୍ବୀର୍ଯ୍ଯ ନିଧୂବନ,
ଯୁକ୍ତାତ୍ମକ ବିକର୍ଷଣ କି ବିଯୁକ୍ତାତ୍ମକ ଆକର୍ଷଣଠୁ ଭିନ୍ନ
ମୁଁ ଏକ ନିର୍ଲିପ୍ତ ସମ୍ମୋହନ !
ମୁଁ ଠିଆ ହୋଇଥିବି ଏଇଠି
ମାତ୍ର ଦୁଇପାଦ ଭୂମିର କ୍ଷେତ୍ରଫଳରେ
କିଏ ହିମାଳୟ ଯାଅ
ଅବା କିଏ ବେଶ୍ୟାଳୟ !