STORYMIRROR

Abhiram Sahoo

Others

4  

Abhiram Sahoo

Others

କବି କ'ଣ ଖାଲି

କବି କ'ଣ ଖାଲି

1 min
326


କବିଟିଏ କ'ଣ ବନ୍ଧା ପଡିବ

ନୀତି ଉପଦେଶ ଶାସ୍ତ୍ର ପୁରାଣେ ପଶି

ମନରେ ତା' ଖାଲି ପଦ୍ମ ଫୁଟିବ

ଫୁଟିବନି ଫୁଲ ହରରଙ୍ଗୀ ବାରମାସୀ !

ନିୟମ ତା' ଖାଲି ବାମରେ ଚାଲିବା

ଡାହାଣକୁ ଯଦି ପକାଇବ ନାହିଁ ପାଦ

ଜୀବନର କେଉଁ ଆହ୍ବାନ ଅବା

ସୃଷ୍ଟିରେ ତା'ର ଭରିବ ନୂତନ ସ୍ବାଦ !


ଜହ୍ନକୁ ଯିଏ ହାତ ବଢାଇବ

ସାଗର ଗର୍ଭେ ପାଦ ସେ ପାରିବ ପୋତି

ସୂର୍ଯ୍ଯର ତେଜେ ଆୟୁଷ୍ମାନ୍ ହୋଇ

ଅନ୍ଧାର ପଥେ ଜାଳିବ ଆଲୋକ ବତୀ !

ପ୍ରଗତିବାଦର ଶବ୍ଦ ବୋମାରେ

ମଣିଷ ମନରେ ଜଳାଇ ପାରେ ଯେ ନିଆଁ

ନାବାଳିକା ଗଣ ଦୁଷ୍କର୍ମ ପାଇଁ

କଲମରୁ ତା'ର କାଳି ନ ଝରିବ କିଆଁ ?


ପୁଣ୍ଯ ଉହାଡେ ପଣ୍ଯ ବିଥିକା

କବି ନଜରରେ ଆଙ୍କେ ନରକ ଛବି

ପାପ ଶାମୁକାରେ ପ୍ରଣୟୀ ଯୁଗଳ

ଅଶ୍ରୁ ଭିତରୁ ମୁକ୍ତା ଖୋଜଇ କବି

କେଉଁ ପକ୍ଷର ସାକ୍ଷୀ ନୁହେଁ ସେ

ଦ୍ବନ୍ଦ୍ବ ଜଡିତ ଚେତନା ଭିତରେ ହଜେ

ନିଜ ଶବ୍ଦର ସ୍ବୀକୃତି ପାଇଁ

କବି କା' ଦୟାର ଦକ୍ଷିଣା କେବେ ଖୋଜେ ?


କବି କ'ଣ ଖାଲି ସ୍ଲୋଗାନ୍ ମାରିବ

ଅକୁହା କୋହକୁ କହିବନି ପଦେ 'ଆହା' !

କବି କ'ଣ ଖାଲି କଲମ ଧରିବ

ଧାନକେଣ୍ଡାରେ ଛୁଆଁଇବ ନାହିଁ ଦାଆ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍