ସନେଟ -୩୬
ସନେଟ -୩୬
ଦର୍ଶନାର୍ଥ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ଚିତ୍ରପଟ ତବ,ମମ ସମ୍ମୁଖେ କାନ୍ଥରେ
ମାରିଅଛି, ମଧୁପତି ଅତି ଶ୍ରଦ୍ଧାଭରେ ।।
ଉଛୁଳଇ ଭକ୍ତି ଅଭ୍ବ ହୃଦୟ ସିନ୍ଧୁରେ
ଉଛୁଳେ ଯେହ୍ନେ ତଟିନୀ ଶ୍ରାବଣର ଧାରେ ।।
ହସି ଉଠେ ହର୍ଷ-କଞ୍ଜ ମନ-ସରସୀରେ
ଲକ୍ଷ୍ମଣ ବାଳ-କଳିନ୍ଦ କର ପରଶରେ ।।
ଶାନ୍ତି-ପିକ,ବସି ହୃଦ-ପିକବନ୍ଧୁ ଡାଳେ
ନିରାଶ ପରାଣେ ଆଶା-ସଂଜୀବନି ଢାଳେ ।।
ଶୁଷ୍କକଣ୍ଠୁ ପ୍ରୀତିଭରା ଗାନ ଛୁଟି ଖେଳେ
ବସନ୍ତର ମନ୍ଦ ମନ୍ଦ ମଳୟ-ହିଲ୍ଲୋଳେ ।।
ଝୁଲାଇଛି କି କାରଣେ କୃପାସିନ୍ଧୁ ଛବି
ମୋ ଶୟନାଗାରେ,କହ ପାରୁଛ କି ଭାବି ?
ନୁହେଁ ମାଗିବାକୁ ଧନ ମାନ କିଞ୍ଚିତରେ
କେବଳ ପ୍ରାତଃ ଦର୍ଶନ ପ୍ରାପ୍ତି ଆକାଂକ୍ଷାରେ ।।
ସମାପ୍ତ