ସନ୍ଧ୍ୟା ଦୀପ
ସନ୍ଧ୍ୟା ଦୀପ
ସେ ତ ଚିରନ୍ତନୀ ବିଶ୍ବାସଟିଏ
ଜଳୁଥାଏ ଘର ଅଗଣାରେ
ବିତରି ଦେଇ ଆଲୋକ ଧାରେ ,
ଏଇ ସେଇ ବୈକୁଣ୍ଠ ଯେଉଁଠି ବନ୍ଧା
ସଂପର୍କର ଡୋରଟିଏ
ସ୍ନେହ ପ୍ରେମର ଅମୀୟ ଝରେ
ସନ୍ଧ୍ୟାଦୀପ ....ସେ ତ ପ୍ରଜ୍ଞାର
ତୀବ୍ର ଆଲୋକବର୍ତ୍ତିକାଟିଏ
ଜଳୁଥାଏ ଧ୍ୟାନରତ ଋଷିଟି ଭଳି,
ବିବେକବୋଧରେ ଯହିଁ ମନ ଫେରେ
ଅଜ୍ଞତାର ଅନ୍ଧାର ଭିତରୁ ଜ୍ଞାନାଲୋକ
ଉଠୁଥାଏ ଜଳି ।
ଆସୁ ରାତି ଆସୁ ଅବା ଅମାର ଅନ୍ଧାର
ସନ୍ଧ୍ୟାଦୀପ ଧୈର୍ଯ୍ୟଶୀଳା ମାଆଟିଏ ସାଜି
ଜଳୁଥାଏ ଅଭୟ ମୁଦ୍ରାରେ
ଯେମିତି ସହିଯାଏ ମାଆ ଦୁଃଖକଷ୍ଟ
ଏକା ପାଟିବୁଜି ।