ଯାତ୍ରାପଥେ
ଯାତ୍ରାପଥେ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ଆକାଶରେ
ଘନ ମେଘ ମାଳା
ଚତୁର୍ଦ୍ଦିଗେ ସାଗର କଲ୍ଲୋଳ
ଗର୍ଜି ଉଠେ
ଦୂରୁଁ ଥରେ ଥରେ
ବତାସର ଭୀମ ହସ୍ୟରୋଳ ।
କୂଳହୀନ
ମହୋଦଧି ବୁକେ
ରଚି ତୋର ଜୀବନର ଖେଳା
ରେ ନାବିକ !
ଚାଲିଛୁ ଅଲକ୍ଷ୍ୟ
ଘେନି ପରା ଜୀର୍ଣ୍ଣ ପ୍ରାଣ ଭେଳା !
ଶକ୍ତିହୀନ
ବାହୁ ଯେବେ ତୋର
ଥକିଯିବ ପ୍ରଭଞ୍ଜନ ଘାତେ
କମ୍ପିବ ତୋ
ଅବଶ ଶରୀର
ଅଶ୍ରୁବୋଳା ସେ ନିର୍ଜ୍ଜନ ରାତେ ।
ସାଥୀହରା !
କହ ତେବେ ଭଲା
କା'ର କାନେ ବାଜିବ ତୋ ଡାକ ?
କେ ଶୁଣିବ
ପ୍ରାଣର ଚିତ୍କାର
ଶୂନ୍ୟପଥେ କହ ରେ ନାବିକ !
ସ୍ନିଗ୍ଧ ଉଷା
କନକ କିରଣ
ନ ଚୁମ୍ବୁଣୁ ତୋ ସିକ୍ତ କପୋଳ
ନ ଦେଖୁଣୁ
ନବୀନ ଆଲୋକେ
ରଞ୍ଜିତ ସେ ଦୂର ଚକ୍ରବାଳ
ଆବର୍ତ୍ତନ
ନିଏ ଯେବେ ଟାଣି
ତରଣୀଟି ଜଳଧି ର ତଳେ
ହସିବ ସେ
ନିର୍ମ୍ମମ ନିୟତି
ଥାଇ ଦୂରେ ପ୍ରଭଞ୍ଜନ ରୋଳେ ।
ସେତେବେଳେ
ଆଖି ଲୁହ ଢାଳି
କହିବୁ ନ ରଖ ବୋଲି କା' ରେ ?
ଜାଣିବୁ ତୁ
ଯାତ୍ରାପଥ ଲକ୍ଷ୍ୟ
ସରିଛି ସେ ଶୂନ୍ୟ ପରପାରେ ।
ସମାପ୍ତ