ସୁପ୍ରଭାତ ...ସକାଳ ...ପ୍ରଭାତ
ସୁପ୍ରଭାତ ...ସକାଳ ...ପ୍ରଭାତ
ଖରା ଦିନିଆ ସେ ନିଦ ଅଧୁରା
ଧୀରେ ଲୁଚିଯାଏ ପାହାନ୍ତି ତାରା,
ଆଖି ଦୁଇ ମଳି ଅଳସ ତେଜି
ପାୱାର ଚଷମା ଦିଏ ମୁଁ ଖୋଜି ।
ସୁରୁଜ ଉଦୟ ହେଲାଣି ବେଳ
ଡାକିଲା କୁକୁଡ଼ା ହେଲା ସକାଳ,
ରାସ୍ତା ଉପରେ ବିଛାଏ ନଜର
ଅଧିକ ପ୍ରସଙ୍ଗ ମନଟି ମୋର,
ପାଣି ହାଣ୍ଡି ଧରି ସାବି ମାଉସୀ
ଖୋସାରେ ତାହାର ଫୁଲଟେ ଖୋସି,
ବଡ଼ି ସକାଳରୁ କେତେ ଚଞ୍ଚଳ
ସିନ୍ଦୂରା ଫାଟିନି ଆସିନି ବେଳ ।
ପାଠ ପଢା ପିଲା, ବୁଲା ବେପାରୀ
ପ୍ରଭାତୁ ସକଳ କରମ ସାରି,
ଯେ ଯାହା ବାଟରେ ଗଲେଣି ଚାଲି
ଦାଣ୍ଡେ ମୁଁ ବସିଛି ବୁଢାଟେ ଭଳି ।
ଦୂରେ ପଡ଼ିଲା ମୋହରି ନଜର,
କନାରେ ପୋଛିଲି ଚଷମା ମୋର,
‘’ମଣିଙ୍ଗୀ ୱାକ’’ରେ ଦଳେ ମାଇପି
ଅଣ୍ଟାକୁ ହଲେଇ ଚାଲନ୍ତି ଗପି,
ବୁଢା ବୟସେ ମୋ ରସିକ ମନ
ମାଇପିଙ୍କୁ ଦେଖି କେତେ ଉଚ୍ଛନ୍ନ ।
‘’ମଣିଙ୍ଗୀ ୱାକ ଅଟେ ଉପକାରୀ’’
କହି ମୁଁ ସାଜିଲି ତାଙ୍କ ବଇରୀ,
ଗର୍ଜିଲେ ଘାଇଲା ସିଂହୀଟେ ପରି
ମରଦ ପଣ ମୋ ଗଲା ଉତୁରି ।
‘’ଆଖିକୁ ଦିଶେନି, ଶୁଭେନି କାନ
କହେ ବୁଢା ମୁଁ ଯେ ପହିଲିମାନ,
ପୁଅ ବାହା କରି ଦେଖିଛି ନାତି
ମନରୁ ଯାଇନି ପେରେମ ତାତି,
କଳା କାଉ ଦେହ ପେଚା ସେ ଆଖି
ମୁଣ୍ଡରେ ନାଇଛି କଲର ମାଖି,
ସକାଳ ସମୟେ ବୁଢା ରସିକ
‘’ହାଫ ପ୍ଯାଣ୍ଟ’’ ପିନ୍ଧି ରୂପ ସେ ଦେଖ...... ।
ମାଇଲା ରେ .....
ପ୍ରଭାତିଆ ମୁନ୍ନା ମହାପାତ୍ର, ଗୂଣପୁର