ତୁ..
ତୁ..
କଳା ତୁ
ଧଳା ତୁ
ମନ ଉପତ୍ୟକା
ଆନ୍ଦୋଳିତ କରି
ନାଚି ଯାଉଥିବା
ଖରା ଆଉ ଛାଇ ତୁ ।
ରଙ୍ଗର ପସରା ଧରି
ବସିଛି କୃଷ୍ଣଚୂଡା
ମୁହଁ ପୋତି
ଜ୍ୟୋତ୍ସ୍ନା ଆଉ
କୁଞ୍ଜବନ ଛାଇର
ଅପୂର୍ବ ଲୁଚୁକାଳି ଖେଳ ତୁ
ଜହ୍ନ ଆଲୁଅର ସ୍ନିଗ୍ଧ ହୋଲି ତୁ ।
ତୁ ନବମଲ୍ଲିକା
ତୁ ବାସନାର
ସୂକ୍ଷ୍ମ ସୂତା ଖିଅ
କିପରି ହେବୁ ତୁ
ଗ୍ରୀଷ୍ମ ସକାଳର କୋଳାହଳ
ଅବା
ଆଦ୍ୟ ବସନ୍ତ ପଳାଶ?
ତୁ ତ ଜୋଛନାର
ଛଳ ଛଳ ସ୍ଵପ୍ନ
ଚଇତି ଆଖିର
କୁହୁକ କଜଳ
ତୁ ଅଭିପ୍ସା
ମନ ଅରଣ୍ୟରେ
ଜଳି ପୁଣି ଲିଭି ଯାଉଥିବା
ଶୀତଳ ଅନଳ ।
ଅନୁକମ୍ପା ତୁ
ଚମକି ଫେରି ଚାହୁଁଥିବା
ଚକିତ ଚାହାଣୀ ତୁ ।
ଜିଜ୍ଞାସା ତୁ
ଦେଖିବାକୁ ମଧୁମାସ ଚିତାନଳେ
ସେହି ପରି
ଆଉ ଏକ ଅଘଟଣ
ବନାଗ୍ନିରେ ଦଗ୍ଧୀଭୂତ
ଏକ କୃଷ୍ଣସାର ।