ସେଇ ଅମାନିଆ ମଣିଷ ପୁଞ୍ଜାକ
ସେଇ ଅମାନିଆ ମଣିଷ ପୁଞ୍ଜାକ
ସେଇ ଅମାନିଆ ମଣିଷ ପୁଞ୍ଜାକ
ରୋକ ଠୋକ ମନା କରିଦିଅନ୍ତି
ମାନିବାକୁ
ବିନା ପ୍ରଶ୍ନରେ
ଚାଲି ଆସିଥିବା
ରୀତି ନୀତି ପ୍ରଥା ପରମ୍ପରା ।।
ତର୍କର ବାଣରେ
ଲହୁ ଲୁହାଣ କରନ୍ତି
ଆସ୍ଥା ଭରା ହୃଦୟଗୁଡ଼ିକୁ
ପ୍ରଶ୍ନର ଅସ୍ତ୍ରରେ ଭାଙ୍ଗି ପକାନ୍ତି
ପ୍ରଥା ପରମ୍ପରା ସଂସ୍କୃତିର
କାନ୍ଥ ବାଡ଼ ସବୁକୁ ।।
ସ୍ରୋତର ଦିଗରେ ଆରାମରେ
ଭାସି ଯିବାକୁ ପସନ୍ଦ ନ କରି
ସବୁତକ ବଳ ଲଗେଇ
ସ୍ରୋତର ବିପରୀତରେ
ପହଁରିବାକୁ ଖୁବ ଭଲ ପାଆନ୍ତି
ସେଇ ଅମାନିଆ ମଣିଷ ପୁଞ୍ଜାକ ।।
ସେଇ ଅମାନିଆ ମଣିଷ ପୁଞ୍ଜାକ
ଅମଣା ମଇଁଷି ପରି
ଚାଲିବାକୁ ମନା କରିଦିଅନ୍ତି
କିଛି ଗତାନୁଗତିକ ପଥରେ
ନୂଆ ରାସ୍ତା ସବୁ ଆବିଷ୍କାର ହୁଏ
ପରିବର୍ତ୍ତନର ପ୍ରତିରୂପ ନେଇ
ମାଡି ଚାଲନ୍ତି ଆଗକୁ ଆଗକୁ
ସେଇ ଅମାନିଆ ମଣିଷ ପୁଞ୍ଜାକ।।
ସେଇ ଅମାନିଆ ଅଝଟିଆ ମଣିଷ ପୁଞ୍ଜାଙ୍କୁ
କେବେ ମିଳେ ତିରସ୍କାର
କେବେ ସାମାଜିକ ବହିଷ୍କାର ତ
କେବେ ମିଳେ ବନ୍ଧୁକରୁ ଗୁଳି ।।
ତଥାପି ବି ନଇଁବାକୁ ମନା କରିଦିଅନ୍ତି
ଥମିବାକୁ ମନା କରିଦିଅନ୍ତି
ବିନା ତର୍କରେ ମାନିବାକୁ ମନା କରି ଦିଅନ୍ତି
ଯେତେ ସବୁ କଥା, ନଥା ଆଉ ପ୍ରଥା
ସେଇ ଅମାନିଆ ମଣିଷ ପୁଞ୍ଜାକ ।।
ସଂଘର୍ଷ ଚାଲେ ଅବିରତ
ଜ୍ଞାନ ସହ ଅଜ୍ଞାନର
ଅନ୍ଧାର ଓ ଆଲୋକର
ଠିକ ଆଉ ଭୁଲର
ସମୟର ସ୍ରୋତ କେବେ ଥମିଯାଏ
ପୁଣି କେବେ ଖର ହୁଏ
ବ୍ୟବସ୍ଥା ପାଲଟାଏ ତାର କାୟା
ପରମ୍ପରା ଧୁଳିସାତ ହୁଏ
ହୁଗୁଳି ଯାଏ ସଂସ୍କୃତିର ଜଞ୍ଜିର ।।
ଏ ଯୁଗାନ୍ତକାରୀ ପରିବର୍ତ୍ତନର
ଏକମାତ୍ର ସାକ୍ଷୀ ଭାବେ
ଅଟଳ ଅବିଚଳିତ ଵତୀ ଖୁଣ୍ଟଟେ
ପରି ମୁଣ୍ଡ ଟେକି ଛିଡା ହୋଇ
ସଭ୍ୟତାକୁ ଦିଗ ଦେଖାଉଥାନ୍ତି
ସେଇ ଅମାନିଆ ମଣିଷ ପୁଞ୍ଜାକ।।