ଯତ୍ନ
ଯତ୍ନ


ଯତ୍ନ
-------
ଦୁଇ ମହଲା କୋଠା , ଗୋଟେ କାର୍ ଦୁଇଟି ବାଇକ୍ ଚାରିଟା ଟ୍ରାକ୍ଟର କମେଇ ସାରିବା ପରେ । ବଡ଼ ପୁଅ ଦିନେ ବାପାଙ୍କ ପାଖରେ ବସି ପଚାରିଲା
" ବାପା ଦେଖ ମୁଁ ସଫଳ ହୋଇ ଯାଇଛି । ଆଉ କ'ଣ ଦରକାର କୁହ ?"
ବାପା କହିଲେ -" ତୁ ଏତେ କରି ଯାହା କମେଇ ପାରିନୁ, ମନୁଆ କିଛି ନ କରି କରି ଦେଇଛି । ମୋର ଆଉ କିଛି ଦରକାର ନାହିଁ ମନୁଆ ମୋ ପାଇଁ ବହୁତ କରିଛି । ଆଉ କିଛି ଅଭାବ ଥିବା ପରି ମୋର ବିଲକୁଲ ମନେ ହେଉନିରେ । "
ବଡ଼ ପୁଅ ରାଗି ଯାଇ , ସାନ ଭାଇ ମନୁଆ ଉଦେଶ୍ୟ ରେ କହିଲା , - " କଣ ପା କରିଛି ତମ ପାଇଁ ସେ ? ଖାଲି ତୁମ ଜମି ଖଣ୍ଡକ ହାତେଇବ ବୋଲି ତୁମ ପାଖେ ରହି ସେବା ଯତ୍ନ କରିବାର ଚାଲ୍ ଚଲଉଛି । "
ବାପା ଅଳ୍ପ ହସି କହିଲେ , -" ସେ ଯାହା ହେଉ , ଭଲରେ ମନ୍ଦରେ ମୋ କଥା ତ ଶୁଣୁଛି ମୋ ବୋଲହାକ କରୁଛି । ଦେହ ମୁଣ୍ଡ ଘସି ଦେଉଛି ...."
କଥା ସରିନି ବଡ଼ ପୁଅ ହଠାତ୍ କହିଲା ," କଣ ଆଉ ଜାଣିଛି କି ୟା ଛଡା ସେ ?"
ବାପା କହିଲେ -" ମୋର ଆଉ କ'ଣ ଦରକାର କି ରେ ଏ ବୟସର ? "
ବଡ଼ଭାଇ ଦେଖୁଥିଲା ସାନ ଭାଇ ମନୁଆକୁ , ସେ ନିଜକୁ କେମିତି ବାପାଙ୍କ ପାଖରେ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଦେଇଛି ।
ସତରେ ସେ ଯାହା ଲକ୍ଷ ଲକ୍ଷ ଟଙ୍କା କମେଇ ପାଇ ପାରିନି ମନୁଆ ଦିନ ମଜୁରିଆ ହୋଇ ବି ପାଇ ଯାଇଛି ।
ସତରେ ଭଲ ପୁଅଟିଏ ହେବା ଏତେ ବି ସହଜ ନୁହେଁ ।