STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ଯୋଗୀ ଗୀତ

ଯୋଗୀ ଗୀତ

3 mins
373

ନିଜକୁ ଭଲପାଇ ନିଜର ପିତୃମାତୃ ଦତ୍ତ ନାମ ଛାଡି ଆଜିକାଲି କିଏ କେତେ ନିଜକୁ ଅନ୍ୟ କୌଣସି ନାମରେ ବିଭୂଷିତ କଲାବେଳେ ପିଙ୍କି କେବେଠୁ ପକ୍ଷୀମଣିଷଟିଏ ହୋଇଯାଇଥିଲେ ତାଙ୍କୁ ନିଜକୁ ଜଣା ନଥିଲା.ତାଙ୍କ ଅଧିକାଂଶ ଗଳ୍ପରେ ଓ କବିତାରେ ପକ୍ଷୀ ଓ ପକ୍ଷୀ ବିଷୟରେ କିଛି ତଥ୍ୟ ବା ପକ୍ଷୀଙ୍କ ସହିତ କିଛି ଭାବ ଓ ସମ୍ପର୍କର କଥା ଠଉରେଇ ବାହାର ଲୋକ ତାଙ୍କୁ ପକ୍ଷୀମଣିଷ ଡାକିବା ସ୍ୱାଭାବିକ କିନ୍ତୁ ଘର ମଣିଷମାନେ ମଧ୍ୟ ଏଣିକି ପକ୍ଷୀମଣିଷ ଡାକିବାର ହୁଏତ ଦୁଇଟି କାରଣ ଥିଲା. ପ୍ରଥମ କାରଣ ଦିନକୁ ଦୁଇଥର ଛାତ ଉପରକୁ ଯାଇ ନିଜ ଘରର ଉତ୍ତର ଓ ପୂର୍ବ ପଟେ ଥିବା ଦୁଇ ଝଙ୍କାଳିଆ ବରଗଛ ଡାଳ ତଥା ଶାଖା ପ୍ରଶାଖା ମଧ୍ୟରେ ଆତଯାତ କରୁଥିବା ସବୁ ପ୍ରକାର ପକ୍ଷୀଙ୍କୁ ଅନୁସନ୍ଧାନ କରିବା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇ ସାରିଥିଲା. ଦ୍ୱିତୀୟରେ ସକାଳ ପୂଜା ପରେ ପକ୍ଷୀଙ୍କ ପାଇଁ ଖାଦ୍ୟ ରଖିବା ସହ ଠାକୁ ଠା ପାଣି ରଖିବା ଓ କୌଣସି ପକ୍ଷୀ ସେହି ଖାଦ୍ୟକୁ ଖୁଣ୍ଟି ଖାଉଥିବାର ଦୃଶ୍ୟ ସହିତ ଥଣ୍ଟ ବୁଡେଇ ପାଣି ପିଇବା ଦୃଶ୍ୟରେ ବିମୋହିତ ହେବା ଦେଖି ପାରିବାରର ଲୋକମାନେ ତାଙ୍କୁ ଏମିତି ପକ୍ଷୀମଣିଷ ବୋଲି ଡାକିବା ସ୍ୱାଭାବିକ ବୋଲି ଧରିନେଇଥିଲେ ପିଙ୍କି. ଖାଲି ଧରିନେଇଥିଲେ ନୁହେଁ ବରଂ ଆତ୍ମତୃପ୍ତି ପାଉଥିଲେ.

  ଏବେ ସେହି ଦୁଇଟି ଅଭ୍ୟାସ ଜାରି ଥିଲେ ମଧ୍ୟ ସେ ସବୁ ପକ୍ଷୀଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ. ଏଇ ପକ୍ଷୀଦେଖିବା ଅଭ୍ୟାସ ଯୋଗୁଁ ଅର୍ଥାତ ପକ୍ଷୀମାନଙ୍କର ସ୍ୱର ଅନୁକରଣ କରି ଓ ତାଙ୍କ ଉଡିବା ପ୍ରଣାଳୀ ଅନ୍ୱେଷଣ ତଥା ନିରୀକ୍ଷଣ କରି ଗଛ ଡ଼ାଲରେ ଠାବ କରୁଥିଲେ ହଳଦୀବସନ୍ତ, କଜ୍ଜଳପାତି, କୁମ୍ଭାଟୁଆ,ପାରା, ଭଦଭଦଳିଆ, ବଣି,ଶୁଆ, କାଠହଣା ପକ୍ଷୀସହିତ ଅନେକ ନାମ ଜାଣି ନଥିବା ପକ୍ଷୀ, ଯେଉଁମାନଙ୍କୁ ସେ କେବଳ ବାର୍ଡଚଢେଇ ବୋଲି କୁହନ୍ତି ତାଙ୍କୁ ସମସ୍ତଙ୍କୁ ଏବେ ସେ ସନ୍ଦେହ କରିବାର କାରଣ ନିଶ୍ଚୟ ଥିଲା. କାରଣଟା ଏମିତି କି ନିର୍ଦ୍ଦିଷ୍ଟ ରାତିରେ କୌଣସି ପକ୍ଷୀର ବୋବାଳିରେ ନିଦ ଭାଙ୍ଗି ଯାଉଥିଲା ପିଙ୍କିଙ୍କର.

   କାଉ ସଙ୍ଗେ ଅନ୍ୟ ଚଢେଇ ମାନଙ୍କର ଖୁବ କମ ପଡେ ତ କାଉ ସନ୍ଦେହ ଘେରକୁ ଆସୁନଥିଲା କିନ୍ତୁ ରାତ୍ରୀଚର ପକ୍ଷୀ ପେଚାର ଶତ୍ରୁ ଥିଲା କାଉ ବୋଲି ପିଙ୍କି ପଢିଥିଲେ ଓ ଅନୁଭବ ମଧ୍ୟ କାରିଥିଲେ ତ କାଉ ବହୁ ସଂଖ୍ୟାରେ ଉଡ଼ିଲେ ସେ ନିରିଖେଇ ଦେଖନ୍ତି ପେଚା ପଛରେ ପଡିଛନ୍ତି କି!ପଡନ୍ତୁ ପଡନ୍ତୁ, ଘଉଡ଼ାଇ ଦିଅନ୍ତୁ ଏ ଅଞ୍ଚଳରୁ ସେମାନଙ୍କୁ. ହେଲେ ପେଚାର ବା କି ଦୋଷ. ପକ୍ଷୀଟିଏ ସିଏ, ଯିଏ ଦିନରେ ଦେଖିପାରେନି ବୋଲି ରାତିରେ ଶୀକାର ଖୋଜୁଥାଏ ସ୍ୱର ଶବ୍ଦ କରି ସତ କିନ୍ତୁ ତା ରାବ ପିଙ୍କିଙ୍କୁ ଯେ କାହିଁକି ଶୁଭେ ଓ ନିଦ ଭାଙ୍ଗିଯାଏ ତାଙ୍କର!ଏହା ଶୁଭ ନା ଅଶୁଭ, ପୁଣି କୋଉ ସଂକେତ ଜାଣିବାକୁ ନେଟ ଚଳାଇ ଖୋଜନ୍ତି ପିଙ୍କି ଆଉ ସନ୍ଦେହରେ ହଳଦିବସନ୍ତ ଯେଉଁ ପକ୍ଷୀ ପଛରେ ପଡେ ଅର୍ଥାତ ଘଉଡ଼ାଉ ଥାଏ ତାକୁ ନିରୀକ୍ଷଣ କରନ୍ତି ପିଙ୍କି ଆଉ ଭାବନ୍ତି ନା ମ ଏ ଚଢେଇ ନୁହେଁ, ନିଶ୍ଚୟ ପେଚା. ତ ପ୍ରତିକାର କରିବା ଦରକାର. ଲଗାତର ପେଚାର ବୋବାଳି ଶୁଣିବା ନିଶ୍ଚୟ ଅଶୁଭ ବୋଲି ସ୍ଥିର ନିଶ୍ଚିନ୍ତ ହୋଇପଡୁଥିବା ପିଙ୍କି ଭୟରେ ଜଡ଼ସଡ଼ ହୋଇପଡୁଥିଲେ. ନିଶ୍ଚିନ୍ତ କେହି ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁକୁ ସେ କଦାପି ସହି ପାରିବେ ନାହିଁ ଭାବି ବ୍ୟସ୍ତ, ବିବ୍ରତ ଓ ବିଚଳିତ ହୋଇ ସକାଳୁ ସକାଳୁ ଘରର ଆଗ ଗେଟ ଖୋଲି ଦେଖନ୍ତି ତ କୁକୁରଟି ପାଟିରେ କଣ ଗୋଟେ କାମୁଡି ଧରି କୁଁ କୁଁ ହେଇ ଥୁଆ ହୋଇଥିବା ଯାତ୍ରୀବାହୀ ବସ ତଳକୁ ପଶି ଯାଉଥାଏ.

  ପିଙ୍କି ସବୁଦିନ ପରି ବିସ୍କୁଟ ଧରି ଯେତେ ଡାକିଲେ ମଧ୍ୟ ଆସୁନଥାଏ ସେହି କୁକୁର ଯଦିଓ ଅନ୍ୟ କୁକୁରସବୁ ତାଙ୍କ ଛୁଆ ସହ ଆସିଯାଇଥିଲେ ବିସ୍କୁଟ ଖାଇବାକୁ ତ ପିଙ୍କି ଡାକୁଥାଆନ୍ତି ଚୁ ଚୁ. ତା ତଳୁ ବାହାରୁ ନଥାଏ ମାଆକୁକୁର. କୁଆଡେ ଗଲେ ତା ଛୁଆ ସବୁ?ଆରେ ଏଇତ ସବୁ ଛୁଆ ତାର ଅନ୍ୟ ମାଆକୁକୁର ଓ ତା ଛୁଆମାନଙ୍କ ସହ ମିଶି ଖାଦ୍ୟ ରୂପେ ବିସ୍କୁଟ ପାଇ ଶୀତ ଛଡେଇ ନୂଆବର୍ଷକୁ ସ୍ୱାଗତ କରୁଛନ୍ତି ଯେମିତି. ତେବେ ଏତିକିବେଳେ ଯାତ୍ରୀବାହୀ ବସ ଡ୍ରାଇଭର ଗାଡି ଷ୍ଟାର୍ଟ ମାରିଲା ତ ପିଙ୍କି ଚମକି ପଡିବା ବେଳକୁ ମାଆ କୁକୁର ବାହାରି ଆସିଥିଲା ତା ସ୍ଥାନରୁ ଗାଡି ତଳୁ କିନ୍ତୁ ତା ମୁଁହଁରେ ଥିଲା ତା ମଲା କଳା କୁକୁର ଛୁଆଟା, ଯାହାକୁ କାଲି ସାଇକେଲ ମାଡିଯିବା ପରେ ଢେର ରାତି ଯାଏଁ କୁଁ କୁଁ ହୋଇ କଷ୍ଟ ପାଉଥିଲା ଆଉ ତା ମାଆ ଅନ୍ୟ ଛୁଆ ଓ ଅନ୍ୟ ମାଆ କୁକୁରମାନଙ୍କୁ ଭୁକି ତା ପାଖ ମଡ଼େଇ ଦେଉନଥିଲା. ସେ ଦୃଶ୍ୟର ଦୁଃଖରେ ସଞ୍ଜ ଆସିଗଲା ପରେ ପିଙ୍କିଙ୍କୁ ରାତ୍ରୀଚର ପକ୍ଷୀ ବୋବାଳିର ଭୟ ଘାରି କୁକୁରଛୁଆର କୁଁ କୁଁ କାନ୍ଦଣା ଆଉ ଶୁଭୁନଥିଲା. ସେ ଦିନ ପରଠୁ ରାତ୍ରୀଚର ପକ୍ଷୀର ବୋବାଳି ଆଉ ଶୁଭୁନଥିଲେ ମଧ୍ୟ ମାଆ କୁକୁରଟି ସ୍ୱାଭାବିକ ଅବସ୍ଥାକୁ ଫେରି ପୁଣି ବିସ୍କୁଟ ଖାଇବା ପାଇଁ ଅନ୍ୟ ଛୁଆମାନଙ୍କୁ ଆପଣେଇ ଦୌଡ଼ି ଆସିବାକୁ ଢେର ସମୟ ଲାଗିଥିଲା. ନୂଆବର୍ଷ ଦିନ ପିଙ୍କି ଗଛ ଡ଼ାଳକୁ ଅନେଇ ହଳଦୀବସନ୍ତ ଦେଖି ଖୁସି ହୋଇ ବିସ୍କୁଟ ଆଣି କୁକୁରମାଆକୁ ଡାକୁଥିଲେ ଆ ଚୁ ଚୁ. ଏପଟେ ପକ୍ଷୀମାନେ କିଚିରି ମିଚିରି କରି ତାଙ୍କ ଗିନାରୁ ଚାଉଳ ଖୁଣ୍ଟି ଖାଉଥିଲେ. ପୁରୁଣା କଥା ଭୁଲି ନୂତନତାକୁ ଆପଣେଇବାକୁ ପକ୍ଷୀଠୁ ପଶୁଯାଏଁ ଏମିତିକି ମଣିଷ ମଧ୍ୟ ଅଣ୍ଟାସଳଖି ଠିଆ ହୋଇ ଦେଖୁଥିଲେ ସୂର୍ଯ୍ୟଙ୍କୁ ଓ ତାଙ୍କ ତେଜକୁ. ଯୋଗୀ ଜଣେ କେନ୍ଦେରା ବଜେଇ ଗାଇ ଗାଇ ଯାଉଥିଲେ ଭଜୁକି ନା ରାମ ନାମରେ ଗୋବିନ୍ଦ... ଭଜୁ କି ନା ରାମ ନାମ... ଭଜି ନପାରିଲେ କୂଳ ଚନ୍ଦ୍ରମାରେ ବାନ୍ଧିନେବ କାଳ ଜମରେ କୁମର.. ଭଜୁକି ନା ରାମ ନାମ.ପିଙ୍କି ସ୍ତବ୍ଧ ହୋଇ ଯୋଗୀଙ୍କ ଗୀତ ଶୁଣୁଥିଲା ବେଳେ ତାଙ୍କୁ ଲାଗୁଥିଲା ସେହି ରାତ୍ରୀଚର ପକ୍ଷୀଟି ଗୀତ ଗାଉଛି ଯେମିତି.



Rate this content
Log in

Similar oriya story from Action