Satyabati Swain

Inspirational

3  

Satyabati Swain

Inspirational

ଯୀଶୁ

ଯୀଶୁ

5 mins
204


ବଡ଼ ଦିନର ଶୁଭେଚ୍ଛା ସହ:--


ସହର ଛାତିରେ ଚାପା ଗୁଞ୍ଜରଣ।ପେପର୍ ଠାରୁ ଆରମ୍ଭ କରି ରେଡ଼ିଓ, ଟିଭି ଆଦି ସମସ୍ତ ଗଣ ମାଧ୍ୟମ ଉତ୍ସୁକତା ସହ କ୍ୟାମେରା ଧରି ଅପେକ୍ଷା ରତ।ଜନ ଗହଳି ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ। କଣ ହେବ ଏଠି ! ଏଇ ଅନିସନ୍ଧିତ୍ସୁ ମନ ନେଇ ପ୍ରତ୍ୟେକ ବ୍ୟଗ୍ର।ପାଦ ଚଲା ଠାରୁ ଗାଡି ମଟର ଆରୋହି ଭିଡ଼ ଜମାଇ ରାସ୍ତା ଅବରୋଧ।ପୋଲିସ ଫୋର୍ସ ବି ମୁତୟନ।


ସମସ୍ତଙ୍କୁ ଡାକିଛି ଜଣେ।


କିନ୍ତୁ ନାଁ କହିନି କି କାହିଁକି ଡାକିଛି କହିନି।ଜବରଦସ୍ତ ଖବର ଟିଏ ଅଛି କିନ୍ତୁ ଦେବାକୁ ବୋଲି ସଭିଙ୍କୁ ଜଣାଇଁଛି।ଏପରିକି ସରକାରଙ୍କଠାରୁ ପରିମିଶନ୍ ଆଣିଛି ମଧ୍ୟ।ସମସ୍ତ ନୀତି ନିୟମ ଦାୟିରରେ ରହି ଜଣେ ବ୍ୟକ୍ତି ଏ ଅସମ୍ଭବ ଧରଣ ଭିଡକୁ ଆମନ୍ତ୍ରୀତ କରିଛି ସଭିଙ୍କୁ।


ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଦୁଇ ଜଣ ଓହ୍ଲାଇଲେ ଗୋଟିଏ ନାମୀ କାର୍ ରୁ।ଜଣେ ସଭିଙ୍କ ଚିହ୍ନା ହସ୍ତୀ।ଆଉ ଜଣେ ଯୁବକ।


ଯୁବକ ଜଣକ ଦାମୀ ଲୋକଟିର କଲର୍ ଧରି ଘୋଷାରି ଘୋଷାରି ନେଇ ଭିଡ଼ ମଝିରେ ପକାଇ ଦେଲେ।


ଉପସ୍ଥିତ ଜନତା ଓ ପୋଲିସ ସ୍ତବ୍ଧ।ଏତ କ୍ରାଇମ୍।


ପୋଲିସ ଆକ୍ସନ ନେବାକୁ ଉଦ୍ୟତ ହୋଇ କହିଲା ଏଇ କ୍ରାଇମ କରିବାକୁ ଆମରି ଉପସ୍ଥିତିରେ ଏତେ ବଡ଼ ଆୟୋଜନ କରିଛୁ? ରହ ଦେଖୁଛୁ ତୋତେ।ଛାଡ଼ ସାର୍ ଙ୍କୁ।


ଯୁବକଟି ହାତ ଯୋଡି ଜନତାଙ୍କୁ ନିବେଦନ କଲା ଯେଉଁଥି ପାଇଁ ଆଜିର ଆୟୋଜନ ସେତିକ କରିବାକୁ ମୋତେ ସୁଯୋଗ ଦିଆ ଯାଉ।ତାପରେ ମୋତେ ବାନ୍ଧ କି ଫାଶୀ ଦିଅ ମୋର କୌଣସି ଆପତ୍ତି ନାହିଁ।ମୁଁ କଥା ଦେଉଛି କାହାର କିଛି କ୍ଷତି କରିବି ନାହିଁ।


ହଜାର ହଜାର ସଂଖ୍ୟକ ଲୋକ ଏକ ସ୍ୱରରେ କହିଲ ହଁ ହଁ ଯୁବକ ଜଣଙ୍କ କାହିଁକି ସମସ୍ତଙ୍କୁ ଏକତ୍ରିତ କରିଛି କହିବାର ସୁଯୋଗ ଦିଆଯାଉ।


ଦାମୀ ହସ୍ତୀଙ୍କୁ ମଝିରେ ପକାଇ ତା ଛାତି ଉପରେ ବସି ପଡ଼ି ଯୁବକଟି ପଚାରିଲା କୁହନ୍ତୁ ମାନ୍ୟଗଣ୍ୟ ମହାଶୟ ମୁଁ କିଏ?


ପ୍ରାଣ ବିକଳରେ ଦାମୀ ବ୍ୟକ୍ତି କହିଲେ ମୁଁ କେମିତି ଜାଣିବି?


ସାଇ ମେରୀକୁ ଜାଣନ୍ତି ?


ସା ଇ ମେ ରୀ! ସେ କିଏ ମୁଁ କେମିତି ଜାଣିବି?


ଫନିପୁର ଗାଁ ଜାଣିଛ?ଫନିପୁର ହାଇସ୍କୁଲ !ଏଇଟା ବି ବିସ୍ମରଣ କଣ ହୋଇଛି ଆପଣଙ୍କର !


ଫନି ପୁର ଆମ ଗାଁ ପାଖେ।ଫନି ପୁର ହାଇସ୍କୁଲ ରେ ମୁଁ ପଢ଼ୁଥିଲି।


ଏଥର ସାଇମେରୀ ମନେ ପଡିବଣି।


ମେରୀ ହଁ ହଁ ବିଶୁ ଦାଦାଙ୍କ ଝିଅ, ଫନି ଗାଁର ମୋର ଗୋଟିଏ ତଳ ବ୍ୟାଚରେ ପଢୁଥିଲା।


ଆଉ କିଛି ସମ୍ପର୍କ ଥିଲା କି ନାହିଁ, କହି ମୁଥି ଉଚେଇଲା ଯୁବକଟି।


ନା ଆଉ କିଛି ନାହିଁ।


ରଡି ଛାଡିଲା ଯୁବକଟି ଡକ୍ଟର ମାର୍ଥା ପ୍ଲିଜ଼ ଆଗକୁ ଆସନ୍ତୁ ଏବଂ ମୋ ଡି ଏନ୍ ଏ ଏ ବ୍ୟକ୍ତିଙ୍କ ସହ ମ୍ୟାଚ କରିବାକୁ ନିଅନ୍ତୁ।


ଡି ଏନ୍ ଏ ? କିନ୍ତୁ କାହିଁକି ?ତୁମେ କିଏ? ତଳେ ପଡିଥିବା ଦାମୀ ଲୋକଟି ପଚାରିଲା।


ଅପେକ୍ଷା କରନ୍ତୁ ।ସାତ ଦିନ ପରେ ଡି ଏ ନ୍ ଏ ଟେଷ୍ଟ ପରେ ଜାଣିଯିବେ।ଦାମୀ ଲୋକଟିକୁ ଯୁବକଟି ଉଠାଇ ଝାଡି ଝୁଡ଼ି ଦେଇ ଠିଆ କରାଇଲା।ଦାମୀ ଲୋକ ମୁହଁ ତଳକୁ।


ଯୁବକଟି ହାତ ଯୋଡି କହିଲା ,ମୋତେ କ୍ଷମା କରିବେ ଆଜିକାଲି ନ୍ୟାୟ ମିଳିବା ବହୁ କଷ୍ଟ।ମୁଁ ନ୍ୟାୟର ଦ୍ୱାରସ୍ଥ ହୋଇଥିଲେ ମୋତେ ବି ଅପେକ୍ଷା କରି କରି ହୁଏତ ହତାଶା ହେବାକୁ ପଡ଼ିଥାନ୍ତା।ମୋତେ ଏଇ ରାସ୍ତାଟି ଉପଯୁକ୍ତ ଲାଗିଲା।ସଭିଙ୍କ ସହମତିରେ ଆପଣ ମାନଙ୍କ ଏକତ୍ରିତ କରିଥିଲି।ସାତ ଦିନ ପରେ ଆପଣ ମାନେ ଏଠି ଏକତ୍ରିତ ହେବାର କାରଣ ଜାଣି ପାରିବେ।ଏଥର ଆପଣ ମାନେ ଆସି ପାରନ୍ତି।


କେହି ଜଣେ ଭିଡ଼ ଭିତରୁ କହିଲା ଫାର୍ସ ଚଳେଇଛି।ବେକାର ଆମ ସମୟ ବର୍ବାଦ କଲା।


ଆଉ ଜଣେ କେହି କହୁଥିଲା ଆରେ ଭାଇ ଏ ଜଣେ ଲୋକପ୍ରିୟ ସମାଜ ସେବୀ।ବହୁତ ଉପରେ ପହଞ୍ଚ ୟାଙ୍କର।ନଲେ କି ଏତେ ବଡ଼ ଗାଦରିଂ କରିବା ସହଜ କଥା ନା କଣ? ସବୁଠୁ ବଡ଼ କଥା ଲୋକଙ୍କ ସାହାଯ୍ୟ କରି ଏ କେବେ ନାଁ ନେବାକୁ ପସନ୍ଦ କରନ୍ତିନି କି ଅନ୍ୟମାନଙ୍କ ପରି ଫଟୋ ଉଠାଇ ନିଜର ଡେଙ୍ଗୁରା ପିଟନ୍ତିନି।


ୟାଙ୍କ ପ୍ରକୃତ ନାମ କେହି ଜାଣିନି।ସମସ୍ତେ ପ୍ରିୟ ଭାଇ ବୋଲି କୁହନ୍ତି।


ସମବେତ ଜନତା ଘଟଣାର କୌଣସି ପର୍ଦ୍ଦାଫାସ୍ ନ ହେବାରୁ ମୁହଁ ଆମ୍ବିଳା କରି ଯୁବକଟି ପାଗଳ ଭାବି ଭିଡ଼ ଭାଙ୍ଗିବା ପୂର୍ବରୁ ପଚାରିଲେ ତୁମ ନାଁ ଟି ତ କୁହ।


ଯୀଶୁ


 ଯୀଶୁ !! 


ତାଛଲ୍ୟ କରି ଲୋକେ କହୁଥିଲେ କଣ ତ୍ରାଣ କର୍ତ୍ତା ଯୀଶୁ!!


ଆସ୍ତେ ଆସ୍ତେ ଗହଳି ଭାଙ୍ଗୁଥିଲା।


ସାତ ଦିନ ପରେ ସବୁ ଚ୍ୟାନେଲ ,ରେଡ଼ିଓ ,ପେପର୍ ରେ ଗହଳ ପଡ଼ୁଥିଲା ଯୀଶୁର ଡି ଏନ୍ ଏ ଦାମୀ ଲୋକଙ୍କ ସହ ମିଶି ଯାଉଛି।ମେରୀ କୁଆଁରୀ କନ୍ୟାର ସନ୍ତାନ ଯୀଶୁ। ଖସଡ଼ା ବୟସରେ ଗୋଡ଼ ଖସେଇ ଦେଇଥିଲା ଜଣଙ୍କ ମିଛ ଭରସାରେ ସାଇ ମେରୀ।ଦଶମ ଶ୍ରେଣୀ ଛାତ୍ରୀ ମେରୀ ଓ ନୂଆ ନୂଆ କଲେଜ ଯାଉଥିବା ଯୁବକଟିଏ।କଞ୍ଚା ମାଠିଆ ପରି ବୟସ। ପରସ୍ପରକୁ ବିଶ୍ୱାସ ଦେଇଥିଲେ ପଢା ସରିଲେ ବିବାହ ନିଶ୍ଚିନ୍ତ।ମେରୀ ସରଳ ସୁନ୍ଦର ସ୍ୱାସ୍ଥ୍ୟବତୀ ସତେଜ ପଦ୍ମ ପରି।ମ୍ୟାଥ୍ ବୁଝେଇବାର ବାହାନା, ବିଶ୍ୱାସ ଭରସାର ଆଳ ଦେଖାଇ ମେରୀ ତଥା ତା ବାପା ମାଙ୍କ ବିଶ୍ୱାସ ଭାଜନ ହୋଇ ଶେଷରେ ଠକି ଦେଇଥିଲା ଯୁବକଟି।


ଯେଉଁଦିନ ମେରୀ ବାପା ମା ସେ ଦୁହିଁଙ୍କୁ ଏକା ଛାଡି ମାମୁଁ ଘର ଅସୁସ୍ଥ ମାମୁଁଙ୍କୁ ଦେଖିବାକୁ ଯାଇଥିଲେ ସେଦିନର ସଦ୍ ବ୍ୟବହାର କରିଥିଲା ଫନି ଗାଁ ପାଖ ଗାଁର ସେଇ ବିଶ୍ୱାସ ବିଷ ଦେବା ବନ୍ଧୁଟି।


ଶୁଣ ଏ କଣ କରୁଛ?


ବୋକି ଭଲ ଲାଗିବ ଦେଖିବୁ।


କିନ୍ତୁ ଆମର ବାହାଘର ହୋଇନି !


ଆମେ ତ ବାହା ହେବା ନିଶ୍ଚିନ୍ତ।ସେଦିନ ମନ୍ଦିରରେ ତୋତେ ବାହା ହୋଇ ନଥିଲି ମାଳା ଦେଇ ! ଆଉ କିଛି ବର୍ଷ ଯାଉ ସମସ୍ତଙ୍କ ଆଗରେ ବେଦୀରେ ତୋ ସହ ହାତ ଗଣ୍ଠି ପକେଉଁବି ପକ୍କା।


କିନ୍ତୁ ଏ ସବୁ ଠିକ୍ ନୁହେଁ।


ତୋର ମୋ ଉପରେ ବିଶ୍ୱାସ ନାହିଁ। ତୁ ମୋତେ ଭରସା କରୁନା ଅଭିମାନରେ କହିଲା ଯୁବକଟି।


ମେରୀ ଭଳି ଗଲା ଯୁବକ ସାଙ୍ଗଟି କଥାରେ।ଇଡିଗଲା ମନ।ଚହଲି ଗଲା ଦେହ।


ବାସ୍ ଦିନଟାରେ ଅନ୍ଧାର ନଥାଇ ବି ଅନ୍ଧାର ହୋଇଗଲା ସାଇ ମେରୀ ଜୀବନ।ଯେତେବେଳେ ଜଣା ପଡିଲା ସେ ଗର୍ଭବତୀ ସେବେଠାରୁ ଯୁବକଟିର ଆଉ ଦେଖା ଦର୍ଶନ ରହିଲା ନାହିଁ।


ପଞ୍ଚାୟତ ବସିଲା।ମାନିଲା ନାହିଁ ଯୁବକଟି ଏପରି କଦର୍ଯ୍ୟ କାମ କରିଛି ବୋଲି।ମେରୀ ମିଛେଇ।କେଉଁଠି ପାପ କରି ତା ମୁଣ୍ଡରେ ଅଠା ବୋଳିବାକୁ ବସିଛି ମେରୀ ବୋଲି ସଫେଇ ଦେଲା।


ହତାଶ ହେଲା ମେରୀ।ପନ୍ଦର ବର୍ଷରୁ ହଠାତ୍ ଯେମିତି ସେ ପରିପକ୍ଵ ବସୟର ମହିଳାଟିଏ ହୋଇଗଲା।ଯିଏ ଯେତେ ପ୍ରବର୍ତ୍ତେଇଲେ ପିଲାଟାକୁ ଆବର୍ସନ କରିବାକୁ ଆଦୌ ରାଜି ହେଲାନି।ଅନେକ କୁତ୍ସିତ କଥା,ଗଞ୍ଜଣା, ଆକ୍ଷେପ ,କଟୁକ୍ତି ଓ ଛିଃ ଛାକର ତଥା ସମାଜର ଘୃଣା ସହି ସେ ସନ୍ତାନଟିକୁ ଜନ୍ମ ଦେଲା।


ପିଲାଟିର ନାଁ ରଖିଲା ଯୀଶୁ।ସାଇମେରୀର ଯୀଶୁ।


ପୋଲିସ କେସ୍ ହୋଇଥିଲା। ସାବାଳକ ହେଲା ପରେ ମେରୀ ଓ ତାର ଗର୍ଭସ୍ଥ ସନ୍ତାନକୁ ବିଧି ବଦ୍ଧ ଭାବେ ବିବାହ କରିବାକୁ ମାନ୍ୟବର କୋର୍ଟ ଅର୍ଡର ଦେଇଥିଲେ।


କିନ୍ତୁ ଏ ଯୁବକଟିର ବାପା ଖୁବ୍ ଚାଲାକ ଥିଲେ ପଢା ନାଁରେ ୟାଙ୍କୁ କୁଆଡେ ପଠାଇଲେ ପତ୍ତା ଗତା ମିଳିଲାନି।ବିଚରା ମେରୀ ବାପା ମୂର୍ଖ ଦିନ ମଜୁରିଆ ଲୋକଟି କଣ କରନ୍ତା! କର୍ମକୁ ଆଦରି ସଭିଙ୍କ ଅପଦୁଆ ହଜମ କରି ବଞ୍ଚି ଶିଖିଲା ବେଳକୁ ବିଲ ବାଛୁଥିବା ସମୟରେ ଘଡ଼ଘଡି ପଡି ମଲା। ବିଧବା ମା ଓ ଯୀଶୁ କୁ ବଞ୍ଚେଇବା ପାଇଁ ସିଲେଇ ମେସିନ ପକାଇ ସଂଘର୍ଷ କଲା ମେରୀ।ଯୀଶୁକୁ ପଢେଇଲା ମଣିଷ କରିବା ଲକ୍ଷ୍ୟ ନେଇ।ଯୀଶୁ ଖତ ଗଦାର ପଦ୍ମଫୁଲ ପରି ସମସ୍ତ ଶ୍ରେଷ୍ଠଗୁଣ ନେଇ ଦୁନିଆଁକୁ ଆସିଥିଲା।ବିଚକ୍ଷଣ ବୁଦ୍ଧି ଦୁଖୀ ଦରିଦ୍ର ମନ ବୁଝିବା ପିଲା ଥିଲା ଯୀଶୁ।


କିନ୍ତୁ ଏ ଦୁନିଆଁ ବଞ୍ଚେଇ ଦେଉ ନଥିଲା ଯୀଶୁକୁ କିମ୍ବା ତା କୁଆଁରୀ ମା ମେରୀକୁ।ପ୍ରତି ପଦକ୍ଷେପରେ ଅବୈଧ୍ୟ ଷ୍ଟାମ୍ପ୍ ଅତିଷ୍ଠ କରୁଥିଲା ଯୀଶୁକୁ।ଆଈ ମରିଗଲା ପରେ ଯୀଶୁ ମା କୁ ନେଇ ଆସିଲା ବଞ୍ଚିବା ସନ୍ଧାନରେ ସହର।ଯେଉଁଠି କେହି ପରିଚୟ ପଚାରୁ ନଥିବେ।ମଣିଷ ନା ଧର୍ମ ଥିବ ନା ଅବୈଧ୍ୟ।କେବଳ ମଣିଷ ର ପରିଚୟ ମଣିଷ ହୋଇଥିବ।ହେଲେ ଏମିତି ସ୍ଥାନ ଏ ବିଶ୍ୱ ରେ କେଉଁଠି ଅଛି ! ସ୍ୱର୍ଗର ଠିକଣା ଖୋଜି ଖୋଜି ଶେଷରେ ଗୋଟିଏ ଅରଫାନେଜ୍ ରେ ପହଞ୍ଚିଲା।କେତେ ଯୀଶୁ ସେଠି !! ସେଇ ଛୋଟ ଛୋଟ ଯୀଶୁ ମାନଙ୍କ ସହ ବଡ଼ ଯୀଶୁ ନିଜକୁ ସାମିଲ କରିନେଲା।ଏନ୍ଜିଓ ସହ ଯୋଗା ଯୋଗ କରି ଏଇ ଛୋଟ ଯୀଶୁ ମାନଙ୍କୁ ଭବିଷ୍ୟତ ତ୍ରାଣ କର୍ତ୍ତା ରୂପେ ଗଢିବା ଶପଥ ନେଇ।


ମା ପିଲା ମାନଙ୍କ ପୋଷାକ ତିଆରି କାମରେ ନିଯୁକ୍ତ ହେଲା।ଯୀଶୁ ଅର୍ଫାନେଜ୍ କାମ ସହ ନିଜ ପଢା ବି ଜାରି ରଖିଲା। ମନ କିନ୍ତୁ ଖୁବ୍ ସମୁଦ୍ର ପରି ଅଶାନ୍ତ ଥିଲା।ନିଜକୁ ସମାଜ ସେବାରେ ନିୟୋଜିତ କଲା ପରିବର୍ତ୍ତନ ଆଶାରେ।ଏବେ ସେ ସଭିଙ୍କ ପ୍ରିୟ ଭାଇ।ଖୋଜୁଥିଲା ମା କହିଥିବା ସେଇ ବିଶ୍ୱାସ ଘାତକ ଧୋକା ବାଜ ମଣିଷଟିକୁ ଯିଏ ତାର ଓ ତା ମା ର ଜୀବନ ନର୍କ କରିଦେଇଛି। ଖୋଜୁଥିଲା ତାର ପରିଚୟକୁ।


ଯେଉଁଦିନ ପାଇଲା ସେ ଦିନର ଯୁବକଟି ଆଜିର ସଭ୍ୟ ସମାଜର ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି। ସେପରି ବ୍ୟକ୍ତି ସହଜରେ ମାନି ଥାନ୍ତେ କି ଯୀଶୁକୁ ପିତୃତ୍ୱ ପରିଚୟ ସହଜରେ ଦେଇ ନଥାନ୍ତେ।ଏଣୁ ଏତେ ସବୁ ଆୟୋଜନ କରିବାକୁ ପଡିଲା ତାକୁ।


ମେରୀ ସମାଜର ସମସ୍ତ ଅପବାଦ, ତାଛଲ୍ୟ ସହି ଆତ୍ମହତ୍ୟା କରିନି କି ଯୀଶୁ କୁଆଁରୀ କନ୍ୟାର ପାପ ଭାବି କେଉଁ ବୁଦା,ପୋଲ କି ଡଷ୍ଟବିନ୍ ରେ କୁକୁରଙ୍କ ଜଳଖିଆ ହେବାକୁ ଦେଇନି।ଯୀଶୁକୁ ଶିଖେଇଛି ମଣିଷ ହେବାର ମନ୍ତ୍ର,ଅସହାୟର ସାହା ହେବା ମନ୍ତ୍ର।ଏବେ ଯୀଶୁ ଅନାଥ,ଅସହାୟଙ୍କ ତ୍ରାଣକର୍ତ୍ତା ରୂପେ ଉଭା।ଯାହାକୁ ଲୋକେ ପ୍ରିୟ ଭାଇ ନାମରେ ଜାଣିଥିଲେ ଆଗରୁ।


ସବୁ କାଗଜ,ସବୁ ଟିଭି ଏବଂ ସବୁ ରେଡ଼ିଓରେ ଯୀଶୁର ଏ କାହାଣୀ ପ୍ରଚାରିତ ହେଉଥିଲା ନୂତନ ପିଢୀକୁ ନର୍କ ନୁହେଁ ସ୍ୱର୍ଗର ଠିକଣା ଦେଇ।




Rate this content
Log in

Similar oriya story from Inspirational