ଯୌତୁକ
ଯୌତୁକ
ସେଦିନ ଥିଲା ଶନିବାର। କୋର୍ଟ ଅଧା ଦିନ ଖୋଲା । ତେଣୁ ଆଡଭୋକେଟ ସୁରେଖା ନିଜ ରୁମ୍ ରେ ବସି ମାଗାଜିନ୍ ପଢ଼ାରେ ବ୍ୟସ୍ତ ଥିଲେ। ବର୍ତମାନ ଘର କୁ ଯାଇ କ'ଣ କରିବେ। ତାଙ୍କର ଏକ ମାତ୍ର ଝିଅ ତ ଏବେ ସ୍କୁଲରୁ ଆସି ନ ଥିବ । ହଠାତ୍ ବାହାରେ କୋଳାହଳ ଶୁଣାଗଲା । ସୁରକ୍ଷା କର୍ମୀ କାହାକୁ ଗୋଟେ କହୁଛି ଏବେ କୋର୍ଟ ବନ୍ଦ ହୋଇଗଲାଣି । ସୋମବାର ଦିନ ଆସ ।ଆଉ ଜଣେ କିଏ ନାରୀ କାନ୍ଦି କାନ୍ଦି କହୁଛି ମୋ ଉପରେ ଦୟା କର । ସେମାନେ ମତେ ମାରିଦେବେ ।ମତେ ଆଜି ଯେମିତି ହେଲେ ସୁରେଖା ମେଡମ ଙ୍କୁ ଦେଖା କରିବାର ଅଛି ।
କିନ୍ତୁ ସୁରକ୍ଷା କର୍ମୀ ତା ସହିତ ଜବରଦସ୍ତି କରୁଛି ।
ସୁରେଖା ଏ ସବୁ ଦେଖି ଆଉ ସହି ପାରିଲେ ନାହିଁ।ସେ ତ ଗୋଟିଏ ନାରୀ। ନାରୀ ମାନଙ୍କ ଉପରେ ହେଉଥିବା ନିର୍ଯାତନା ସେ ସହିବେ କିପରି ।ସେ ରୁମ୍ ବାହାରକୁ ଆସି ତାଙ୍କୁ ଆସିବାକୁ ଦିଅ ବୋଲି ସୁରକ୍ଷା କର୍ମୀ କୁ କହିଲେ ।
କାଖରେ ଗୋଟିଏ ବର୍ଷକ ର ଝିଅ କୁ ଧରି ଜଣେ ମହିଳା ଭିତରକୁ ଆସିଲେ ।ତାଙ୍କ ବେଶଭୁଷାରୁ ଦେଖିଲେ ଜଣା ପଡୁଥିଲା ସେ ଅତି ସାଧାରଣ ଘରର ।କାନ୍ଦି କାନ୍ଦି ତା ଆଖି ଲାଲ ପଡ଼ି ଯାଇଛି ।ପିଲାଟି ମଧ୍ୟ ଭୋକରେ ରାହା ଧରି କାନ୍ଦୁଛି ।
ସେ ସିଧା ଯାଇ ସୁରେଖା ଙ୍କ ଗୋଡ ତଳେ ପଡିଗଲା ।ମେଡମ ମତେ ବଞ୍ଚାନ୍ତୁ ।ମୋ ଶାଶୁ ଘର ଲୋକ ମତେ ମାରିଦେବେ ।
ସୁରେଖା ତାକୁ ଚେୟାର ରେ ବସି ବାକୁ କହି ପିଇବାକୁ ପାଣି ଗିଲାସେ ଦେଲେ ।ପିଲା ଟିକୁ ବିସ୍କୁଟ ଦେଇ ଚୁପ୍ କରିଲେ ।
ସୁରେଖା କହିଲେ ଏବେ କହ କ'ଣ ହୋଇଛି ।ତୋ ନାଁ କ'ଣ ।
ଆଜ୍ଞା ମୋ ନାଁ ରଞ୍ଜିତା। ମୋର ସ୍ବାମୀ ଅଖିଳେଶ ସ୍ବାମୀ ନାମରେ ଗୋଟିଏ କଳଙ୍କ।ସେ ଜଣେ ଶିକ୍ଷକ ।
ରଞ୍ଜିତା କହିଲା ଆମର ପାଞ୍ଚ ଭଉଣୀ।ମୋ ବାପା ଜଣେ ବ୍ୟବସାୟୀ । ମୁଁ ଭଉଣୀ ମାନଙ୍କ ଭିତରେ ବଡ଼ । ମୋ ବାପା ଆମ ସମସ୍ତଙ୍କୁ ଯଥାସମ୍ଭବ ପାଠ ପଢ଼ାଇ ଯୋଗ୍ୟା କରିଛନ୍ତି । ପାଠପଢା ସରିବା ପରେ ମୋ ବାହାଘର ପାଇଁ ବର ଖୋଜିଲେ ।
ମୋ ବାପା ଯୌତୁକ ଦେଇ ପାରିବେ ନାହିଁ ବୋଲି କେହି ରାଜି ହେଉନଥିଲେ । ସେତେବେଳେ ଅଖିଳେଶ ବୋଲି ଗୋଟିଏ ପିଲା ମତେ ବାହା ହେବା ପାଇଁ ପ୍ରସ୍ତାବ ଦେଲା ।ସେ ତା'ର ବାପା ମା ଙ୍କ ସହିତ ମତେ ଦେଖିବା ପାଇଁ ଆସିଥିଲା ।
ସେ ଓ ତା'ର ବାପା ଭଦ୍ର ମୁଖା ପିନ୍ଧି ଥିଲେ । ସେମାନଙ୍କ ର ମନମତାଣିଆ କଥା ରେ ଆମେ ମାନେ ଭଳି ଗଲୁ ।ଆମ ର କିଛି ଦରକାର ନାହିଁ । ରଞ୍ଜିତା ଆମଘରେ ଝିଅ ଭଳିଆ ରହିବ ବୋଲି ମୋ ବାପା ମା ଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିଛି ଦିନ ପରେ ମୋର ବାହାଘର ହୋଇ ଗଲା ।
ବାହାଘର ର ପ୍ରଥମ ରାତି ରେ ହିଁ ମୁଁ ଅଖିଳେଶ ବିଷୟରେ ଜାଣି ପାରିଲି ।ସେ ମଦ ପିଇ ଆସି ମତେ ସବୁ ସତ ସତ କଥା କହି ଦେଲା । ପ୍ରକୃତରେ ମୁଁ ଥିଲି ଅଖିଳେଶ ର ଦ୍ବିତୀୟ ପତ୍ନୀ। ପ୍ରଥମ ପତ୍ନୀ କୁ ସେମାନେ ଯୌତୁକ ପାଇଁ ହତ୍ୟା କରି ଦେଇ ଛନ୍ତି । ଏହା ଶୁଣି ମୋର ପାଦ ତଳୁ ମାଟି ଖସିଗଲା ।ମତେ ଓ ମୋ ପରିବାର କୁ ଲୁଚାଇ ସେମାନେ ଏ ବାହାଘର କରିଛନ୍ତି।ମୋ ହାତରୁ ମେହେନ୍ଦି ଓ ପାଦରୁ ଅଳତା ଲିଭିବା ଆଗରୁ ମୋ ଉପରେ ନିର୍ଯ୍ୟାତନା ଆରମ୍ଭ ହୋଇ ଗଲା । ଅଖିଳେଶ ନାମକୁ ମାତ୍ର ଶିକ୍ଷକ ଥିଲେ ।ସେ ନାନା କୁକର୍ମ ଲିପ୍ତ ଥିଲେ । ମୁଁ ଜାଣି ମଧ୍ୟ ପ୍ରତିବାଦ କରି ପାରୁନଥିଲି । ପ୍ରତିବାଦ କରିଲେ ଅଖିଳେଶ ମତେ ଭିଷଣ ମାଡ଼ ମାରୁଥିଲେ । ଶାଶୁ ଶ୍ୱଶୁର ଙ୍କର ଆଗରେ ଅଭିଯୋଗ କରିଲେ ଓଲଟି ସେମାନେ କହନ୍ତି ବାହା ହୋଇ ଆସିଛୁ ମାନେ ତତେ ସବୁ ସହିବାକୁ ପଡ଼ିବ ।ବାପ ଘରୁ ଏଇଟା ଆଣିନୁ ସେଇଟା ଆଣିନୁ କହି ଶାଶୁ ଖୁଣ୍ଟା ମାରୁଥିଲ
େ। ଦିନେ ଦିନେ ଖାଇବାକୁ ନ ଦେଇ ଉପାସ ରଖି ଦେଉଥିଲେ ।ମୋ ଉପରେ ନିର୍ଯ୍ୟାତନା ବଢୁଥିଲା ସିନା କମୁ ନ ଥିଲା ।
କିଛି କିଛି ଟଙ୍କା ବାପା ଘରୁ ଆଣି ସ୍ବାମୀ ଙ୍କୁ ଦେଇଛି । କିନ୍ତୁ ସେ କେବେ ହେଲେ ସନ୍ତୁଷ୍ଟ ନ ଥିଲେ । ମୁଁ ନିର୍ଯାତନା ସହି ସଂଘର୍ଷ କରି ଚାଲି ଥିଲି ।ଥରେ ଥରେ ଭାବୁଥିଲି କେତେ ଦିନ ଆଉ ଏମିତି ସଂଘର୍ଷ କରି ଚାଲି ଥିବି। ନାରୀ ର ଅନ୍ୟ ନାମ କ'ଣ ସଂଘର୍ଷ।
ବାପା ଘର ଉପରେ ବୋଝ ହେବାକୁ ଚାହୁଁ ନ ଥିଲି।
ଦିନ ପରେ ଦିନ ବିତି ଚାଲିଥିଲା ଓ ମୋର ନିର୍ଯାତନା ସହିବାର ଶକ୍ତି କମି କମି ଆସୁଥିଲା ।
ଭାଗ୍ୟ କୁ ଆଦରି ପଡ଼ି ରହିବା ଛଡ଼ା ମୋ ପାଖରେ ଆଉ କିଛି ନ ଥିଲା। ଦୁଇ ବର୍ଷ ପରେ ମୋ କୋଳ କୁ ଭଗବାନ କନ୍ୟା ସନ୍ତାନ ଟିଏ ଦେଲେ । କିନ୍ତୁ ସ୍ବାମୀ ଓ ଶାଶୁ ଶ୍ୱଶୁର ତାକୁ ଆଦର କରିବା ଦୁରର କଥା ଆଡ ଆଖିରେ ମଧ୍ୟ ଚାହିଁଲେ ନାହିଁ।ମୋ ସ୍ବାମୀ ଙ୍କର ଅନ୍ୟ ନାରୀ ମାନଙ୍କ ସହିତ ସମ୍ପର୍କ ଅଛି। କେତେ ଥର ଭାବିଛି ଜୀବନ ହାରି ଦେବି ବୋଲି କିନ୍ତୁ ଝିଅର ମୁହଁ ଦେଖି ଅଟକି ଯାଏ ।
ଦିନେ ରାତିରେ ମୁଁ ସ୍ବାମୀ ଓ ଶାଶୁ ଶ୍ୱଶୁର ଙ୍କର କଥା ବାର୍ତ୍ତା ଶୁଣିବାକୁ ପାଇଲି ସେମାନେ ମତେ ମାରି ମୋ ଝିଅ କୁ ବିକି ଦେବାକୁ ଚାହୁଁଥିଲେ ।ତା ପରେ ଆଉ ଗୋଟିଏ ଝିଅ କୁ ବିବାହ କରିବେ । ମୁଁ ଚାଲାକି କରି ତାଙ୍କର କଥା ବାର୍ତ୍ତା କୁ ମୋବାଇଲ ଫୋନ ରେ ରେକର୍ଡ କରି ଦେଇଛି । ସେମାନେ ମତେ ଦେଖି ଦେଇ ମତେ ମାରିବାକୁ ଦୌଡ଼ି ଆସିଲେ । ମୁଁ ଡରି ଯାଇ ଏକ ମୁହାଁ ହୋଇ ଦୌଡି ପଳେଇ ଆସିଲି । ସେମାନେ ଟଙ୍କା ଲୋଭରେ ଗୋଟିଏ ପରେ ଗୋଟିଏ କୁକର୍ମ କରି ଚାଲିଛନ୍ତି। ମୁଁ ଆସିଲା ବେଳେ ଜଣେ ଭଦ୍ରବ୍ୟକ୍ତି ଆପଣଙ୍କ ର ଠିକଣା ଦେଇ କହିଲେ ତମେ ତାଙ୍କ ପାଖକୁ ଯାଅ ।ସେ ତମ ଭଳିଆ ନାରୀ ମାନଙ୍କୁ ନ୍ୟାୟ ଦେଉଛନ୍ତି । ସେଥିପାଇଁ ମୁଁ ବହୁତ ଆଶା ନେଇ ଆସିଛି । ଆପଣଙ୍କୁ ଦେବା ପାଇଁ ମୋ ପାଖରେ କିଛି ନାହିଁ । ଏତିକି କହି ରଞ୍ଜିତା ପୁଣି ଥରେ କାନ୍ଦିଲା ।
ସୁରେଖା ତାକୁ ସ୍ବାନ୍ତନା ଦେଇ କହିଲେ ଧର୍ଯ୍ୟ ଧରି । ଦୋଷୀ କୁ ନିଶ୍ଚୟ ଦଣ୍ଡ ମିଳିବ ।
ସୁରେଖା ନିଜକୁ ରଞ୍ଜିତା ଭିତରେ ଦେଖୁଥିଲେ ।ଦଶ ବର୍ଷ ତଳେ ସେ ମଧ୍ୟ ରଞ୍ଜିତା ଭଳିଆ କୁନି ଝିଅ ଗୁଡ଼ି କୁ ଧରି ଘର ଛାଡ଼ି ଥିଲେ । ଧର୍ଯ୍ୟ ହରା ନ ହୋଇ ସେ ଓକିଲାତି ପାଠ ଶେଷ କରିବା ସହିତ ନିଜ କୁ ନ୍ୟାୟ ଦେଲେ।ସେବେ ଠାରୁ ଆଜି ପର୍ଯ୍ୟନ୍ତ ସେ ତାଙ୍କ ର ସଂଘର୍ଷ ଜାରି ରଖିଛନ୍ତି। ତେଣୁ ରଞ୍ଜିତା କୁ ମଧ୍ୟ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ତାକୁ ନିଜ ସହିତ ଘର କୁ ନେଇ ଆସିଲେ । ସୋମବାର ଦିନ ପୋଲିସ ଷ୍ଟେସନ ଯାଇ ଅଭିଯୋଗ ଦାଖଲ କରିଥିଲେ । ପୋଲିସ ଅଖିଳେଶ ଓ ତାଙ୍କ ବାପା ମା ଙ୍କୁ ଆରେଷ୍ଟ କରି ନେଇ ଆସିଲା । ରଞ୍ଜିତା ର ମୋବାଇଲ୍ ଫୋନ୍ ରେ ସବୁ ପ୍ରମାଣ ଥିଲା ।ତା ସାହାଯ୍ୟ ରେ ସୁରେଖା କେଶ୍ ଜିତିଗଲେ।
ଅଖିଳେଶ ଓ ତାଙ୍କ ବାପା ମା ଙ୍କୁ କୋର୍ଟ ଚାଲାଣ କରି ପ୍ରମାଣ ସହିତ ଦୋଷୀ ସାବ୍ୟସ୍ତ କରି ଜେଲ୍ ପଠାଇ ଦିଆଗଲା । ଅଖିଳେଶ କୁ ଚାକିରୀ ରୁ ମଧ୍ୟ ବାହାର କରି ଦିଆଗଲା । ଯେଉଁ ଟଙ୍କା ଲୋଭରେ ସେମାନେ ଘର ଭର୍ତି କରିବେ ବୋଲି ଭାବୁଥିଲେ ସେହି ଟଙ୍କା ହିଁ ତାଙ୍କ ପରିବାର କୁ ଭାଙ୍ଗିଦେଲା ।
ଏସବୁ ସୁରେଖା ଓ ରଞ୍ଜିତା ର ସାହାସ ଓ ଧର୍ଯ୍ୟ ଯୋଗୁଁ ସମ୍ଭବ ହୋଇ ପାରିଲା । ତେଣୁ ଖରାପ୍ ପରିସ୍ଥିତି ରେ ଧର୍ଯ୍ୟ ହରା ନହୋଇ ଉଚିତ୍ ପଦକ୍ଷେପ ନେବା ଆବଶ୍ୟକ ।
ପୁରୁଷ ହେଉ କି ନାରୀ ସମସ୍ତଙ୍କ ଜୀବନ ବହୁତ ମୂଲ୍ୟବାନ । ତାକୁ ଅକାରଣ ରେ ନଷ୍ଟ କରିବା ଉଚିତ ନୁହେଁ।