STORYMIRROR

Geeta Panigrahi

Tragedy Classics Fantasy

4.5  

Geeta Panigrahi

Tragedy Classics Fantasy

ରାକ୍ଷୀର ସ୍ମୃତି

ରାକ୍ଷୀର ସ୍ମୃତି

7 mins
244


ଆଜି ରାକ୍ଷୀ ପୂର୍ଣ୍ଣିମା। ସ୍ନେହ ଶ୍ରଦ୍ଧା ଓ ଭଲପାଇବାର ପବିତ୍ର ବନ୍ଧନ।ସବୁ ଭଉଣୀ ମାନଙ୍କର ମୁହଁ ରେ ହସ ଭରି ରହିଅଛି । କିନ୍ତୁ ବିଦୁଷାର ଆଖିରୁ ଲୁହ ଶୁଖୁ ନାହିଁ ।ସେ ମନ୍ଦିରକୁ ଆସିଥିଲା ଭାଇମାନଙ୍କର ଶୁଭ ମନାସି ।ମନ୍ଦିରର ପାହାଚ ଉପରେ ବସି ସେ ଅତୀତରେ ଘଟିଯାଇଥିବା ଘଟଣା ଗୁଡିକୁ ମନେ ପକାଉଥିଲା । ସେଦିନ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ଥିଲା ।ତା ଭାଇ ଓ ଭାଉଜ ମାନେ ତାକୁ ବିଭିନ୍ନ ପ୍ରକାରର ଲାଞ୍ଛନା ଦେଇଥିଲେ । ସେଥିପାଇଁ ସେ ଘର ଛାଡ଼ି ବା ପାଇଁ ବାଧ୍ୟ ହେଲା । ଏତେ ବର୍ଷର ସ୍ନେହ ଶ୍ରଦ୍ଧା ଓ ଭଲପାଇବାକୁ ସେମାନେ ଭୁଲି ଯାଇଥିଲେ ।ସେ ସ୍ତୃତି ସବୁକୁ ସେ ମନେ ପକାଉଥିଲା ।


ଶୋଇବା ଘରୁ ବଡଭାଉଜର କର୍କଶ ସ୍ଵର ଶୁଭୁଥିଲା ହେଇଟି ଶୁଣୁଛ ତମ ଭଉଣୀକୁ କହିଦିଅ ସେ ଅନ୍ୟ କେଉଁଠି ବ୍ୟବସ୍ଥା କରନ୍ତୁ । ଦରଦାମ ଯାହା ହେଲାଣି ଗୋଟିଏ ଲୋକକୁ ପୋଷିବା ଯାହା ହାତୀକୁ ପୋଷିବା ସହ ସମାନ।

ବଡ଼ଭାଇ ସୁମନ୍ତ କହୁଥିଲେ ଆରେ ଏତେ ବଡ଼ ପାଟିରେ ଚିତ୍କାର କରୁଛ କାହିଁକି ।ଅପା ସେ ଘରେ ଅଛି । ଶୁଣିଲେ ମନ କଷ୍ଟ କରିବ । ଏହା ଶୁଣି ସୁକାନ୍ତି କହିଲା ହୁଃ ମୁଁ କ'ଣ ତାଙ୍କୁ ଡରିଛି କି ।

ଦୁଇ ବର୍ଷ ହେଲାଣି ମାଗଣାରେ ଘରେ ବସି ଖାଉଛନ୍ତି । ମୁହଁକୁ ଲାଜ ସରମ ଥିଲେ ସିନା ।ସେ କ'ଣ ଜାଣିନାହାନ୍ତି ଭାଇର ରୋଜଗାର କେତେ । ଦୁଇ ଝିଅଙ୍କୁ ତ ବାହାଘର କରି ଆମେ ସର୍ବସାନ୍ତ ।ତା ପରେ ପୁଣି ପୁନେଇଁ ପରବରେ ଝିଅ ମାନଙ୍କ ଘରକୁ ଭାର ଦିଆ ଯାଉଛି ।ପଇସା କ'ଣ ଗଛରେ ଫଳୁଛି ।


ବିଦୁଷା ବୟସର ଅପରାହ୍ନ ରେ ପହଞ୍ଚିସାରିଛନ୍ତି। କିନ୍ତୁ ତାଙ୍କ କାନ ଏତେ ବି ଖରାପ ହୋଇଯାଇ ନାହିଁ । ସୁକାନ୍ତିର ଶାଣଦିଆ କଥା ଗୁଡ଼ିକ ତା କାନରେ ଟାଁଏ ଟାଁଏ ହୋଇ ଶୁଭୁଥିଲା। ଜୀବନଟା ସାରା ସେମାନଙ୍କ ପାଇଁ ଉତ୍ସର୍ଗ କରି ମତେ ମିଳିଲା କ'ଣ।ନିନ୍ଦା, ଅପମାନ,ସହି ସହି ସେ ପଥର ହୋଇ ଗଲାଣି ।

ସେ ବର୍ତ୍ତମାନ ଦୁଇ ବର୍ଷ ହେଲା ଚାକିରୀରୁ ଅବସର ନେଇଛି । ପ୍ରାଇଭେଟ୍ ସ୍କୁଲ ଚାକିରୀ। ସେଥିପାଇଁ ପେନସନର ବ୍ୟବସ୍ଥା ମଧ୍ୟ ନାହିଁ ।

ଦୁଇ ଭାଇକୁ ମଣିଷ କରିବା ପାଇଁ ନିଜର ସବୁ ସୁଖକୁ ଜଳାଞ୍ଜଳି ଦେଇ ଥିଲା ।ଭାଇମାନଙ୍କ ପ୍ରତି ଥିବା କର୍ତ୍ତବ୍ୟ ରେ ଅବହେଳା ହେବ ବୋଲି ସେ ବିବାହ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା।

ସବୁବେଳେ ସେମାନଙ୍କର ଦୁଃଖରେ ଦୁଃଖି ଓ ସୁଖରେ ଖୁସି ହେଉଥିଲା ।ସବୁ ତା'ର ଭାଗ୍ୟର ଦୋଷ ।

ମନକୁ ହାଲକା କରିବା ପାଇଁ ପାଖରେ ଥିବା ଗୋଟିଏ ମନ୍ଦିର ବେଢ଼ାରେ ଯାଇ ବସିଲା ।

ସେଠାରେ ସେ ଗୋଟିଏ ସୁନ୍ଦର ଦୃଶ୍ୟ ଦେଖିଲା ।

ଗୋଟିଏ ଭଉଣୀକୁ ମଝିରେ ବସାଇ ଦୁଇ ଭାଇ କହୁଛନ୍ତି ଅପା ତୁ ଆମର ସୁଭଦ୍ରା ଭଉଣୀ ଆମେ ତୋର ଜଗା ବଳିଆ। ଏହା ଶୁଣି ଭଉଣୀଟି ହସି ହସି ଗଡି ଯାଉଛି ।

ବିଦୁଷା ଏହା ଦେଖି ତା'ର ଅତିତକୁ ମନେ ପକାଇଲା ଠିକ୍ ଏମିତି ଦିନେ ତା'ର ଦୁଇ ଭାଇ ସୁମନ୍ତ ଓ ଶଶିକାନ୍ତ ବିଦୁଷାକୁ କହିଥିଲେ । ଅପା ତୋର କିଛି ଅସୁବିଧା ହବନି ।ଆମେ ଦୁଇ ଭାଇ ସବୁବେଳେ ତୋର ସାହାର ହୋଇ ରହିଥିବୁ ।ତୁ ଆମର ଅପା ନୁହଁ ଆମର ମା । ସେତେବେଳେ ଭାଇ ମାନଙ୍କର କଥା ଶୁଣି ବିଦୁଷାର ଆଖିରୁ ଆନନ୍ଦାଶ୍ରୁ ବହି ଯାଇଥିଲା।

ଭାଇ ମାନେ ବହୁତ ଛୋଟ ଥିଲେ ଯେତେବେଳେ ତା'ର ମା ଆରପାରିକୁ ଚାଲିଗଲେ ।ବିଦୁଷାକୁ ମାତ୍ର ବାରବର୍ଷ ହୋଇଥିଲା । ବାପା ତ ଆଗରୁ ହାର୍ଟ ଆଟାକରେ ଚାଲି ଯାଇଥିଲେ । ବାପା ଚାଲିଯିବାରୁ ଘରର ଅବସ୍ଥା ଧିରେଧିରେ ଖରାପ୍ ଆଡ଼କୁ ଗତି କରିଲା । ବାପା ହୋଟେଲ କରିଥିଲେ । ବାପା ଚାଲିଯିବା ପରେ ଘର ଚଳାଇବା ପାଇଁ ମା'ଙ୍କୁ ହୋଟେଲର ଦାୟିତ୍ଵ ନେବାକୁ ପଡ଼ିଲା ।

ବିଦୁଷା ମଧ୍ୟ ସ୍କୁଲ ପାଠପଢା ସହିତ ହୋଟେଲ ଓ ଘର କାମରେ ମା'ଙ୍କୁ ସାହାଯ୍ୟ କରୁଥିଲା । ବାପାଙ୍କ ସଞ୍ଚିତ ଅର୍ଥ ଓ ମାଙ୍କ ରୋଜଗାରରେ କଷ୍ଟରେ ପରିବାରଟି ଆଗକୁ ବଢିଚାଲିଲା ।ବିଦୁଷା ମନ ଦେଇ ପାଠ ପଢୁଥିଲା ।ସେ ଭବିଷ୍ୟତରେ ଚାକିରି କରି ତା'ର ପରିବାରକୁ ସୁଧାରିବାକୁ ଚାହୁଁଥିଲା ।

ସମୟ କାହାକୁ ଅପେକ୍ଷା କରେ ନାହିଁ । ଏମିତି ସମୟ ଅବିରତ ଚାଲିଥିଲା । ତା ସହିତ ବିଦୁଷାର ମା'ଙ୍କର ପରିଶ୍ରମ ବଢୁଥିଲା । ଖାଇବା ପିଇବାରେ ଅବହେଳା ଓ ଅତ୍ୟଧିକ ପରିଶ୍ରମ ଯୋଗୁଁ ସେ ଦିନକୁ ଦିନ ଦୁର୍ବଳ ହୋଇ ପଡିଲେ । ଦିନେ ସେ ରୋଗାକ୍ରାନ୍ତ ହୋଇ ଶଯ୍ୟା ଶାୟୀ ହୋଇ ଗଲେ ।ସେ ଆଉ ହୋଟେଲ କାମ କରିପାରିଲେ ନାହିଁ ।

ଦଶ ବାରବର୍ଷର ବିଦୁଷାକୁ ହିଁ ସବୁ ଦାୟିତ୍ଵ ନେବାକୁ ପଡ଼ିଲା । ମଝିରେ ମଝିରେ ସାହିପଡିଶାର ଲୋକ ମାନେ ସାହାଯ୍ୟ କରୁଥିଲେ ।ବିଦୁଷା କିନ୍ତୁ ପାଠପଢା ବନ୍ଦ କରିନଥିଲା ।ମା ଓ ଦୁଇ ଭାଇଙ୍କର ଯତ୍ନ ନେବାରେ କେବେ ହେଲେ ଅବହେଳା କରିନଥିଲା ।

ମା'ଙ୍କର କାଶ ପ୍ରବଳ ହେଉଥିଲା । ଔଷଧ ଖାଇଲେ ମଧ୍ୟ ଭଲ ହେଉନଥିଲା । ଡାକ୍ତର କହିଲେ ତାଙ୍କୁ ସହରର ବଡ଼ ଡ଼ାକ୍ତରଖାନାରେ ଦେଖେଇବା ପାଇଁ। କିନ୍ତୁ ଏତେ ଛୋଟ ପିଲା ବିଦୁଷା ପାଖରେ ଏତେ ଶକ୍ତି ନ ଥିଲା କି ଅର୍ଥ ଭି ନଥିଲା।

ଦିନେ ରାତିରେ ମାଙ୍କର ବହୁତ ଜୋରରେ କାଶ ଆରମ୍ଭ ହୋଇ ଗଲା ।ସେ ବିଦୁଷାକୁ ପାଖକୁ ଡାକି କହିଲେ ଝିଅ ମତେ ଲାଗୁଛି ମୋ ଜୀବନ ସରି ସରି ଆସୁଛି ମୁଁ ଆଉ ବଞ୍ଚିବି ନାହିଁ ।

ଦୁଇ ଭାଇଙ୍କର ହାତ ମୋ ହାତରେ ଦେଇ କହିଲା ମୁଁ ଗଲାପରେ ତୁ ଏ ଦୁଇଜଣଙ୍କର ଯତ୍ନ ନେବୁ । କେବେ ହେଲେ ତାଙ୍କୁ ହତାଦର କରିବୁନି । ମା'ର ଅଭାବ ସେମାନଙ୍କୁ ଅନୁଭବ କରିବାକୁ ଦେବୁନାହିଁ। ତା ହେଲେ ଯାଇ ମୋ ଆତ୍ମା ଶାନ୍ତି ପାଇବ ।

ମତେ କଥା ଦେ ବିଦୁଷା ‌। ବିଦୁଷା କହିଲା ମା ତୁ ଜମା ଚିନ୍ତା କରେନା ।ତୁ ଶୀଘ୍ର ଭଲ ହୋଇଯିବୁ ।ଭାଇ ମାନଙ୍କର ସବୁ କଥା ମୁଁ ବୁଝିବି ।ଆମେ ସମସ୍ତେ ପୁଣି ଥରେ ଖୁସିରେ ରହିବା । ବିଦୁଷାର କଥା ସରିବା ସହିତ ମା'ଙ୍କର ଜୀବନ ଦିପ ମଧ୍ୟ ଲିଭି ଯାଇଥିଲା ।

ସେ ଓ ଭାଇ ମାନେ ମାଙ୍କୁ ଜାବୁଡ଼ି ଧରି ବହୁତ କାନ୍ଦିଲେ । ତାଙ୍କ କାନ୍ଦ ଶୁଣି ସାହି ପଡିଶାର ଲୋକ ମାନେ ରୁଣ୍ଡ ହୋଇଗଲେ ।

ସେମାନଙ୍କ ସାହାଯ୍ୟରେ ବିଦୁଷା ମାଙ୍କର ଅନ୍ତେଷ୍ଟି କ୍ରିୟା ସାରିଥିଲା ।

ବର୍ତମାନ ତାର ସଂଘର୍ଷ ମୟ ଜୀବନ ଆରମ୍ଭ ହେଲା। ସୁମନ୍ତକୁ ଛଅ ବର୍ଷ ଓ ଶଶିକାନ୍ତକୁ ପାଞ୍ଚବର୍ଷ । ସେମାନେ ମଝିରେ ମଝିରେ ମା'ଙ୍କୁ ମନେ ପକେଇ ବହୁତ କାନ୍ଦନ୍ତି। କିନ୍ତୁ ବିଦୁଷା ମା ଭଳିଆ ସେମାନଙ୍କୁ କୋଳେଇ ନେଇ ଶାନ୍ତ କରାଇଥାଏ ।

ସାହିପଡିଶାର ସାହାଯ୍ୟରେ ହୋଟେଲକୁ ଭଡ଼ା ଦେଇ ଦେଲା ।ସେ ଭଡ଼ା ପଇସାରେ ବିଦୁଷା ନିଜର ପାଠପଢା ସହିତ ଭାଇ ମାନଙ୍କର ଖର୍ଚ୍ଚ ମଧ୍ୟ ତୁଲାଇଥାଏ ।ବିଦୁଷା ରୋଷେଇ ବାସ ଠାରୁ ଆରମ୍ଭ କରି ଭାଇ ମାନଙ୍କୁ ପ୍ରସ୍ତୁତ କରି ସ୍କୁଲ ପଠାଏ । ନିଜେ ମଧ୍ୟ ପ୍ରସ୍ତୁତ ହୋଇ ସ୍କୁଲ ଯାଏ ।

କହିବାକୁ ଗଲେ ବିଦୁଷା ପୁରାପୁରି ଭାବରେ ଗୋଟିଏ ମାର

କର୍ତ୍ତବ୍ୟ ସମ୍ପାଦନ କରି ଥାଏ ।ବିଦୁଷା ମେଟ୍ରିକ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରିଲା । କିନ୍ତୁ ତା'ର ଏହି ଖୁସି ଦେଖିବାକୁ ପାଖରେ ବାପା କି ମା କେହି ନ ଥିଲେ ।

ସବୁକିଛି ଠିକଠାକ ଚାଲିଥିଲା।ଏ ଭିତରେ କିଛି ବର୍ଷ ବିତିଗଲାଣି। ବର୍ତମାନ ବିଦୁଷା ଗ୍ରାଜୂଏସନ ପାସ୍ କରିସାରିଲାଣି ।ସେ ଘରେ ପିଲାମାନଙ୍କୁ ଟିଉସନ ମଧ୍ୟ କରୁଛି । ସୁମନ୍ତ ଓ ଶଶିକାନ୍ତର ପାଠପଢା ମଧ୍ୟ ଭଲଭାବରେ ଚାଲୁଛି । ହୋଟେଲରୁ ଯେତିକି ଟଙ୍କା ଆସୁଛି ସେତିକି ଆଉ ଅଣ୍ଟୁ ନାହିଁ। ତେଣୁ ବିଦୁଷାକୁ ଆଉ ଆଗକୁ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଭାଇମାନଙ୍କର ପାଠପଢାରେ ବ୍ୟାଘାତ ଆସିବ ବୋଲି ସେ ନିଜ ପାଠପଢାରେ ଡୋରି ବାନ୍ଧି ଦେଲା ।

ଟଙ୍କା ପାଇଁ ଆହୁରି ଅଧିକରୁ ଅଧିକ ପରିଶ୍ରମ କରୁଥିଲା । ବହୁତ କଷ୍ଟରେ ଗୋଟିଏ ବେସରକାରୀ ସ୍କୁଲରେ ଶିକ୍ଷୟିତ୍ରୀ ଚାକିରୀ ଟିଏ ମିଳିଲା । ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ବୋଲି ଭାବି ସେହି ଚାକିରୀରେ ଯୋଗ ଦେଲା ।

ବିଦୁଷା ବଡ଼ି ଭୋରରୁ ଉଠି ରୋଷେଇ ବାସ ଘର କାମ କରି ଭାଇ ମାନଙ୍କୁ ଖାଇବାକୁ ଦେଇ ସ୍କୁଲକୁ ଯାଉଥିଲା ।ସ୍କୁଲରୁ ଫେରି ପୁଣି ରୋଷେଇ କରୁଥିଲା । ସନ୍ଧ୍ୟା ସମୟରେ ପିଲାମାନଙ୍କୁ ଟିଉସନ କରି ଟଙ୍କା ରୋଜଗାର କରୁଥିଲା । ସେହି ଟଙ୍କାରେ ଭାଇମାନଙ୍କର ସବୁ ସୁବିଧା ଅସୁବିଧା ବୁଝୁଥିଲା । ସେମାନଙ୍କୁ ଯେମିତି ବାପା ମାର ଅଭାବ ଅନୁଭବ ନ ହେବ ସେଥିପାଇଁ ସେ ସଦା ସର୍ବଦା ତତ୍ପର ଥିଲା ।

ସେ ଏକ ପ୍ରକାର ଯନ୍ତ୍ର ମଣିଷ ହୋଇ ଯାଇଥିଲା । ନିଜର ସ୍ଵପ୍ନ ଓ ହସଖୁସିକୁ ବଳିଦାନ ଦେଇ ସେ ଭାଇମାନଙ୍କର ସ୍ବପ୍ନକୁ ପୁରଣ କରୁଥିଲା । ଏ ପର୍ଯ୍ୟନ୍ତ ପହଞ୍ଚିବାକୁ ତାକୁ ବହୁତ ଖାଲଢିପର ରାସ୍ତା ଦେଇ ଆସିବାକୁ ପଡ଼ିଛି । ବିବାହ ବୟସ ଗଡିଯିବାରୁ ବହୁତ ଲୋକ ବହୁତ କଥା ଦେଖେଇ ଶିଖେଇ କହିଛନ୍ତି । କିନ୍ତୁ ସେ ସବୁ କଥାକୁ କର୍ଣ୍ଣପାତ ନକରି ଆଗକୁ ଚାଲିଛି । ବର୍ତମାନ ଭାଇମାନେ ଚାକିରୀ କରିଲେଣି । ସୁମନ୍ତର ପାଠପଢା ଟିକେ ଦୁର୍ବଳ ତେଣୁ ସେ ଗୋଟିଏ ଘରୋଇ କମ୍ପାନୀରେ ଅଳ୍ପ ଦରମାରେ ଚାକିରି ପାଇଲା ।କିନ୍ତୁ ଶଶିକାନ୍ତ ସବୁ ବେଳେ ପାଠପଢା ରେ ଆଗୁଆ । ତେଣୁ ସେ ପାଠପଢା ପରେ ଉଚ୍ଚ ବେତନରେ ଗୋଟିଏ ମଲ୍ଟି ନେସନାଲ କମ୍ପାନୀ ରେ ଚାକିରୀ ପାଇଲା ।

ସେଦିନ ଦୁଇ ଭାଇଙ୍କୁ ସାଙ୍ଗରେ ଧରି ବିଦୁଷା ବାପା ଓ ମାଆଙ୍କର ଫୋଟ ଆଗରେ ଛିଡା କରାଇ କହିଲା ବାପା ମା ଦେଖ ତୁମ ଦୁଇ ଜଣ ପୁଅକୁ ।ତମ ପୁଅ ମାନଙ୍କର ସଫଳତାରେ ଖୁସି ଅଛ ତ । ଦୁଇ ଭାଇ ବିଦୁଷାକୁ କହିଲେ ଅପା ତୁ ଆମ ପାଇଁ ବହୁତ କିଛି କରିଛୁ ।ନିଜେ ଉପାସ ରହି ଆମ ମାନଙ୍କର ପେଟ ଭର୍ତ୍ତି କରିଛୁ । ତୋ ଋଣ ଆମେ ଜୀବନ ସାରା ଭୁଲି ପାରିବୁ ନାହିଁ।

ବିଦୁଷା ଏହା ଶୁଣି ହସି ଦେଇ ସ୍ନେହରେ ମୁଣ୍ଡ ଆଉଁସି ଦିଅନ୍ତି।

ତୁମ ଦୁଇ ଜଣଙ୍କର ବାହାଘର କରିଦେଲେ ମୋର କାମ ସରିଲା । ସୁମନ୍ତ ଓ ଶଶିକାନ୍ତ ନିଜ ନିଜ ପସନ୍ଦର ଝିଅ ମାନଙ୍କୁ ବିବାହ କରିବା ପାଇଁ ଅପାକୁ କହିଲେ ।ବିଦୁଷା ବିନା ଦ୍ବିଧାରେ ଭାଇ ମାନଙ୍କର ଖୁସି ପାଇଁ ରାଜି ହୋଇ ଗଲା ।

ଉଧାର ଆଣି ଭାଇ ମାନଙ୍କର ବାହାଘର ବହୁତ ଧୁମଧାମରେ କରିଲା । ସୁମନ୍ତର ସ୍ତ୍ରୀ ନାଁ ସୁକାନ୍ତି ଓ ଶଶିକାନ୍ତର ସ୍ତ୍ରୀ ରିମା । ଦୁଇ ବୋହୁ ଘରକୁ ଆସିବାରୁ ଘର ପୁରି ଉଠିଲା । ବିଦୁଷା ନିଜେ ବାପା ମା ହୋଇ ବୋହୁ ମାନଙ୍କର ଭଲ ମନ୍ଦ ବୁଝୁଥିଲା। ତାଙ୍କର ଯେପରି କିଛି ଅସୁବିଧା ନ ହେବ ସେଥିପାଇଁ ସଜାଗ ଥିଲା।

ଦିନେ ସୁମନ୍ତ ବିଦୁଷାକୁ କହିଲା ଅପା ତୋର ଆଉ ଚାକିରୀ କରିବା ଦରକାର ନାହିଁ।ଆମେ ଦୁଇ ଭାଇ ଚାକିରୀ କରିଲୁଣି ।ତୁ ଏବେ ଚାକୀରି ଛାଡ଼ି ଘରେ ଆରାମ କରେ ।

ବିଦୁଷା କହିଲା ନାହିଁ ଚାକିରୀ ଛାଡ଼ିବି କାହିଁକି ।ଘରେ ଖାଲିରେ ବସି ରହିଲେ ମତେ ଭଲ ଲାଗିବ ନାହିଁ ।ବିଦୁଷା ବାହାଘର ପାଇଁ ଧାର ଆଣିଛି ବୋଲି ଭାଇ ମାନଙ୍କୁ କହି ନ ଥିଲା ।ସେ ଚାକିରୀ କରି ସେ ଉଧାର ଶୁଝୁଥିଲା ।

ଧିରେଧିରେ ସମୟ ବଦଳିଲା । ଘରର ପରିସ୍ଥିତି ମଧ୍ୟ ବଦଳିଲା । ସୁକାନ୍ତି ଓ ରିମା ବିଦୁଷାକୁ ଇର୍ଷା କରୁଥିଲେ । ନିଜ ନିଜ ସ୍ଵାମୀ ମାନଙ୍କର ଅପା ପ୍ରତି ଭଲ ପାଇବା ଦେଖି ।ସବୁ କଥା ସେମାନେ ଅପାକୁ ପଚାରି କରୁଥିଲେ । ତେଣୁ ସୁକାନ୍ତି ଓ ରିମା ସବୁବେଳେ ରାଗୁଥିଲେ ।

ଧିରେଧିରେ ସେମାନେ ନିଜ ନିଜ ସ୍ଵାମୀ ମାନଙ୍କୁ ହାତରେ ରଖିବା ପାଇଁ ଚେଷ୍ଟା କଲେ ।ତା ପର ଠାରୁ ବିଦୁଷାକୁ ନେଇ ଘରେ ପ୍ରତି ଦିନ ବିଶୃଙ୍ଖଳା ସୃଷ୍ଟି ହେଉଥିଲା । ଏମିତି ଭାବରେ ସଂସାର ରଥ ଆଗକୁ ମାଡିଚାଲିଥାଏ ।

ଏ ଭିତରେ ବହୁତ ବର୍ଷ ବିତିଗଲାଣି। ସୁମନ୍ତର ଦୁଇ ଝିଅ ଙ୍କର ବିବାହ ସରିଲାଣି। ଶଶିକାନ୍ତ ଅଲଗା ଘର କରି ଚାଲିଗଲାଣି । ଗଲାବେଳେ ଶଶିକାନ୍ତ ଓ ରିମା ବିଦୁଷାକୁ ବହୁତ କଥା କହିଲେ ।ରିମାର ପ୍ରରୋଚନାରେ ପଡି ଶଶିକାନ୍ତ କହିଲା ଅପା ତୁ ଆମ ପାଇଁ କିଛି କରିନୁ । ଆଜି ଆମେ ଯାହା ବି ହେଇଛୁ ଆମର ପରିଶ୍ରମ ଯୋଗୁଁ ହୋଇଛୁ ।ତତେ ବାହା ହେବାକୁ କିଏ ମନା କରୁଥିଲା କି ।ତୁ ଯାହା ବି କରିଛୁ ନିଜ ସ୍ଵାର୍ଥ ପାଇଁ କରିଛୁ ।ବିଦୁଷାକୁ ଶଶିକାନ୍ତର ଏହି ସବୁ କଥା ବହୁତ ବାଧିଥିଲା । ଶୋଇବା ଘରେ ତକିଆରେ ମୁଣ୍ଡ ଗୁଞ୍ଜି ବହୁତ କାନ୍ଦିଲା। କିନ୍ତୁ ଲୁହ ପୋଛି ବାକୁ ପାଖରେ କେହି ନ ଥିଲେ ।


ଜୀବନଟା ସାରା ନିଜେ ଭଲ ପିନ୍ଧିଲା ନା ଭଲ ଖାଇଲା ।ଏଡେ ସ୍ଵାର୍ଥପର ଏ ଦୁନିଆ।ତା ତ୍ୟାଗର ମୂଲ୍ୟ କିଏ ବୁଝି ପାରିଲେ ନାହିଁ । ବାପା ମାଙ୍କୁ ଦେଇଥିବା ପ୍ରତିଶୃତି ସେ ଆଜି ପୁରଣ କରି ପାରିଛି ।


ସୁକାନ୍ତି ଠିକ୍ କଥା କହୁଥିଲା।ଏ ପରିବାର ରେ ତା'ର ଆଉ ଦରକାର କ'ଣ ।ସେ କାହିଁକି ମାଗଣା ଖାଇ ତାଙ୍କ ଉପରେ ବୋଝ ହୋଇ ରହିବ ।

ବହୁତ ଡେରି ହେଲାଣି।ବିଦୁଷା ଘରକୁ ଫେରି ଆସି ଶୋଇ ଗଲା ।

ସକାଳୁ ଉଠି ସୁମନ୍ତ ଦେଖିଲା ଅପାର ଶୋଇବା ଘର କବାଟ ଖୋଲା ଅଛି।ଅପା ରୁମ୍ ଭିତରେ ନ ଥିଲା। କିନ୍ତୁ ଟେବୁଲ୍ ଉପରେ ଗୋଟିଏ ଚିଠିଟିଏ ଥିଲା ।

ସେଥିରେ ଲେଖା ହୋଇଥିଲା ସୁମନ୍ତ ମୁଁ ଆଉ ତମ ମାନଙ୍କ ଉପରେ ବୋଝ ହେବି ନାହିଁ । ବାପା ମାଙ୍କୁ ଦେଇଥିବା କଥା ମୁଁ ପୁରଣ କରିସାରିଛି ।

ସେଥିପାଇଁ ମୁଁ ଏଠାରୁ ଚାଲିଯାଉଛି ।ବଞ୍ଚିଥିଲା ପର୍ଯ୍ୟନ୍ତ କେଉଁ ଆଶ୍ରମରେ ରହି ପ୍ରଭୁଙ୍କର ସେବା କରିବି ।ମତେ ଖୋଜି ବାକୁ ଚେଷ୍ଟା କରିବୁନି ।ଏ କଥା ଶଶିକାନ୍ତକୁ ମଧ୍ୟ ଜଣାଇଦେବୁ । ତମେ ମାନେ ସମସ୍ତେ ପରିବାର ନେଇ ହସଖୁସିରେ ସଂସାର କର ।ମୋର ଆର୍ଶୀବାଦ ସବୁ ବେଳେ ତମମାନଙ୍କ ଉପରେ ଅଛି । ରହୁଛି 

ଇତି ତୋର ଅପା 

ସୁମନ୍ତ ଚିଠିଟି ପଢି ସ୍ତବ୍ଧ ହୋଇ ବସିପଡ଼ିଲା ।


ଆଜିକାଲିର ମଣିଷ ମାନଙ୍କ ଭିତରେ ଆଉ ମାନବିକତା ଦେଖାଯାଉ ନାହିଁ। ତ୍ୟାଗର ମୂଲ୍ୟ ଏଠାରେ କେହି ବୁଝନ୍ତି ନାହିଁ।


ସମାପ୍ତ



Rate this content
Log in

Similar oriya story from Tragedy