ମାଟିର ଗଣେଶ
ମାଟିର ଗଣେଶ
ପରିବେଶ କୁ ସଫା ରଖିବା ଆମ ସମସ୍ତଙ୍କ ର କର୍ତ୍ତବ୍ୟ। ଶରତ ବୋଲି ଗୋଟିଏ ମେଧାବୀ ପିଲା ଗାଁ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲା ।ପାଠ ଶାଠ ସବୁଥିରେ ଆଗୁଆ । ସ୍କୁଲରେ ହେଉଥିବା ସବୁ ପ୍ରତିଯୋଗିତା ମାନଙ୍କରେ ସେ ଭାଗ ନିଏ ଏବଂ ପୁରସ୍କାର ମଧ୍ୟ ପାଇ ଥାଏ । ରତ୍ନାକର ଓ ଅହଲ୍ୟା ଙ୍କର ସେ ପୁଅ । ବାପା ମା ଦୁଇ ଜଣ ମଧ୍ୟ ପରିବେଶ ପ୍ରେମି। ସେମାନେ ତାଙ୍କ ଘର ଆଖପାଖ ପରିସ୍କାର ପରିଚ୍ଛନ୍ନ ରଖିବା ସହିତ ନୁଆ ନୁଆ ଗଛ ଲଗାଇ ଥାନ୍ତି ।
ତେଣୁ ଶରତ ପିଲାବେଳୁ ପରିବେଶ କୁ କିପରି ସବୁଜ ରଖିବ ଚିନ୍ତା କରୁଥାଏ ।ସେ ମଧ୍ୟ ସ୍କୁଲରେ ତା ସାଙ୍ଗ ମାନଙ୍କୁ କହି ଆଖପାଖ ସଫାସୁତୁରା କରିଥାନ୍ତି ।ଥରେ ସ୍କୁଲରେ ହେଉଥିବା ବିଜ୍ଞାନ ମେଳାରେ ବିଭିନ୍ନ ପ୍ରକାରର ଫୁଲ ଓ ପତ୍ର ରୁ ରଙ୍ଗ ତିଆରି କରି ମୁଖ୍ୟ ଅତିଥି ଙ୍କ ଠାରୁ ପୂରସ୍କାର ପାଇଥିଲା ।
ସେ ଏସବୁ ତା ମା ଠାରୁ ଶିଖିଥିଲା । ରାସାୟନିକ ରଙ୍ଗ ବ୍ୟବହାର ନ କରି କିପରି ପ୍ରାକୃତିକ ଉପାୟରେ ରଙ୍ଗ ତିଆରି କରାଯିବ ତାହା ସେ କରିଥିଲା ।
ସେ ଏସବୁ କାମ କରିଲା ବେଳେ ସ୍କୁଲ ର କିଛି ସହପାଠୀ ତା ଉପରେ ହସିଥିଲେ । ତେଣୁ ତା'ର ମନୋବଳ ଭାଙ୍ଗି ଯାଇଥିଲା ।ସେ ମନଦୁଃଖ କରି ଆସି ଘରେ ବାପା ଙ୍କୁ କହିଲା ।ବାପା ତାକୁ କହିଲେ ତୁ ଯଦି କିଛି ଭଲକାମ କରିବାକୁ ଇଛା କରୁଛୁ ତାହା ହେଲେ ଅନ୍ୟ ମାନଙ୍କ କଥା ଶୁଣିବା ଉଚିତ ନୁହେଁ ।
ତୁ ଯାହା କଲେ ମଧ୍ୟ ସେମାନେ କହିବେ ।ଏ ସମାଜରେ ତିନି ପ୍ରକାର ର ଲୋକ ଅଛନ୍ତି। ପ୍ରଥମ ଶ୍ରେଣୀ ର ଲୋକ ମାନେ କୌଣସି କାମ କରିବା ପାଇଁ ଚେଷ୍ଟା କରନ୍ତି ନାହିଁ କି ଇଚ୍ଛା ପ୍ରକାଶ କରନ୍ତିନି। ଦ୍ବିତୀୟ ପ୍ରକାରର ଲୋକ କାମ ଆରମ୍ଭ କରିଦିଅନ୍ତି କିନ୍ତୁ କାର୍ଯ୍ୟ ରେ କିଛି ଅସୁବିଧା ଦେଖାଗଲେ ସେମାନେ ସେହି କାମ କୁ ପରିତ୍ୟାଗ କରି ଦିଅନ୍ତି।
ତୃତୀୟ ପ୍ରକାର ର ଲୋକ ମାନେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ସେ କାର୍ଯ୍ୟ କୁ ସଫଳତାର ଶୀର୍ଷରେ ପହଞ୍ଚାନ୍ତି । ରତ୍ନାକର ଶରତକୁ କହିଲେ ଏଥର ବୁଝିଲୁ । ବିଫଳତା ହିଁ ସଫଳତାର ମାପକାଠି । ବାପା ଙ୍କ କଥା ରେ ଅନୁପ୍ରାଣିତ ହୋଇ ଶରତ ଗଛର ପତ୍ର ଓ ଫୁଲ ରୁ ବିଭିନ୍ନ ପ୍ରକାରର ରଙ୍ଗ କରି ପୁରସ୍କୃତ ହେଲା ।ସେ ଦିନ ଠାରୁ ଆଉ ସେ କୌଣସି କାମ ରେ ହାର୍ ମାନି ନାହିଁ ।
ଶରତ ଦିନେ ଖବର କାଗଜ ପଢ଼ୁଥିଲା। ସେଥିରେ ଲେଖା ହୋଇଥିଲା ବର୍ତ୍ତମାନ ସରକାର ଜଳ ପ୍ରଦୁଷଣ ରୋକିବା ପାଇଁ ଉଚିତ ପଦକ୍ଷେପ ନେଇଛନ୍ତି ।
ପର୍ବ ପର୍ବାଣୀ ଦିନ ପାଖେଇ ଆସୁଥିବା ରୁ ମୂର୍ତ୍ତି ବିସର୍ଜନ ପାଇଁ କୃତ୍ରିମ ଜଳାଶୟ ମାନ ତିଆରି କରାଯିବ । ଆଜି କାଲି ଅଧିକ ସୁନ୍ଦର ଦେଖାଯିବା ପାଇଁ ଲୋକମାନେ ମୂର୍ତ୍ତି ମାନଙ୍କ ରେ ମାଟି ସହିତ ବିଭିନ୍ନ ପ୍ରକାର ର ରାସାୟନିକ ରଙ୍ଗ ବ୍ୟବହାର କରି ତିଆରି କରି ଥାନ୍ତି । ପୁଜା ସରିଲା ପରେ ସେଗୁଡ଼ିକ ଯେତେବେଳେ ନଦୀ, ପୋଖରୀ ରେ ବିସର୍ଜନ କରାଯାଏ । ରାସାୟନିକ ରଙ୍ଗ ଯୋଗୁଁ ନଦୀ ପୋଖରୀ ର ଜଳ ପ୍ରଦୂଷିତ ହୋଇ ଥାଏ । ତା ଦ୍ବାରା ବହୁତ ଜଳଜୀବ ଙ୍କର ପ୍ରାଣହାନି ଘଟିଥାଏ । ତେଣୁ ସରକାର ଙ୍କର ଏହି ନୁତନ ପଦକ୍ଷେପ ।
ଶରତ ଖବର ପଢ଼ିସାରି ଖୁସି ହୋଇ ଗଲା ।ସେ ସବୁବେଳେ କିଛି ନୁଆ ନୁଆ କଥା ଚିନ୍ତା କରୁଥାଏ । ସେମିତି କିଛି ନୁଆ କଥା ଚିନ୍ତା କରି ବାପା ମା ଙ୍କୁ କହିଲା । ବାପା ମା ତା'ର ଚିନ୍ତା ଶକ୍ତି କୁ ସାବାସୀ ଦେଲେ ।ଶରତ ବାପା ଙ୍କୁ କହିଲା ବାପା ଏବେ ତ ଗଣେଶ ପୂଜା ପାଖେଇ ଆସୁଛି । ତେଣୁ ମୂର୍ତ୍ତି କାର ମାନେ ନିଶ୍ଚୟ ସିଦ୍ଧି ବିନାୟକ ଙ୍କର ମୂର୍ତ୍ତି ଗଢିବେ ।ଆମେ ଯଦି ସେମାନଙ୍କୁ ମାଟିରେ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଗଢ଼ିବାକୁ କହିବା ତା ହେଲେ ତ ବହୁତ ବଢ଼ିଆ ହେବ ।ସେ ମୂର୍ତ୍ତି ଗୁଡିକ ବିସର୍ଜନ ବେଳେ ପାଣିରେ ପଡିଲେ ମଧ୍ୟ ପାଣି ଦୁଷିତ ହେବ ନାହିଁ ।
ରତ୍ନାକର କହିଲେ ତୋର ପ୍ରସ୍ତାବ ଠିକ୍ କିନ୍ତୁ ମୂର୍ତ୍ତି କାର ମାନେ ଆମ କଥା ବିଶ୍ୱାସ କରିବେନି କି ମାନିବେ ନାହିଁ
ତେଣୁ ଆମକୁ ଅନ୍ୟ ଉପାୟ ଚିନ୍ତା କରିବାକୁ ପଡ଼ିବ ।
ଆମେ ପ୍ରଥମେ ତୋ ସ୍କୁଲ ରୁ ଆରମ୍ଭ କରିବା । ମୁଁ କାଲି ଯାଇ ମୋ ପ୍ରଧାନ ଶିକ୍ଷକ ଙ୍କ ସାଙ୍ଗରେ କଥା ବାର୍ତ୍ତା କରିବି ।ଶରତ ଏହା ଶୁଣି ବହୁତ ଖୁସି ହୋଇଗଲା। ପରଦିନ ରତ୍ନାକର ସ୍କୁଲ କୁ ଯାଇ ପ୍ରଧାନଶିକ୍ଷକ ସହିତ ଫୁଲ ଓ ପତ୍ର ରେ ଗଣେଶ ମୂର୍ତ୍ତି କରିବା ପାଇଁ ପ୍ରସ୍ତାବ ରଖିଥିଲେ । ପ୍ରଥମେ ପ୍ରଥମେ ସେ ଅମଙ୍ଗ ହେଉଥିଲେ କିନ୍ତୁ ପରେ ଅନୁମତି
ଦେଲେ । ବର୍ତମାନ ସବୁଜ ବିନାୟକ ଗଢିବା ପାଇଁ ପୁରା ପରିବାର ଲାଗି ପଡିଲେ ।
ମୂର୍ତ୍ତି ଟି ପୁରାପୁରି ଭାବରେ ମାଟିରେ ତିଆରି କରିବାପାଇଁ ପଡ଼ିବ।ଶରତ ଲିମ୍ବ ଓ ବେଲ ପତ୍ର ସବୁ ସଂଗ୍ରହ କରି ଆଣି ଖରାରେ ଶୁଖାଇ ତାକୁ ଗୁଣ୍ଡ କରିଲା । ସେଗୁଡିକୁ ମାଟିରେ ମିଶାଇ ଗଣେଶ ଙ୍କ ମୂର୍ତ୍ତି ଗଢିଲେ । ଶୁଖିଗଲା ପରେ ଗଣେଶ ଙ୍କ ମୂର୍ତ୍ତି ସବୁଜ ସବୁଜ ଦେଖାଗଲା ।ଶରତ କହିଲା ମା ଦେଖ ମୋର ସବୁଜ ବିନାୟକ ଙ୍କୁ ।
ପୁଣି ସେଥିରେ ରଙ୍ଗ ଦେବା ପାଇଁ ନାଲି,ନେଳି,ହଳଦିଆ ,ଧଳା ଏମିତି ବିଭିନ୍ନ ପ୍ରକାରର ଫୁଲ ଆଣି ତାକୁ ଶୁଖାଇ ପାଉଡର କରି ସବୁଜ ଗଣେଶ ଙ୍କୁ ଚିତ୍ର ବିଚିତ୍ର କରିଥିଲେ । ଗଣେଶ ଙ୍କ ମୂର୍ତ୍ତି ରେ ଟିକେ ହେଲେ ବି ରାସାୟନିକ ରଙ୍ଗ ବ୍ୟବହାର କରାନଯାଇ ମଧ୍ୟ ମୂର୍ତ୍ତି ଟି ବହୁତ ସୁନ୍ଦର ଦେଖାଯାଉଥିଲା । ଅବଶ୍ୟ ଏଥିପାଇଁ ସେମାନଙ୍କୁ ବହୁତ କଷ୍ଟ କରିବାକୁ ପଡିଛି ।
ସବୁ ହୋଇ ଗଲା ପରେ ବାପା ପୁଅ ଦୁଇ ଜଣ ମୂର୍ତ୍ତି ଟି ନେଇ ସ୍କୁଲ କୁ ଯାଇ ଥିଲେ । ପ୍ରଧାନ ଶିକ୍ଷକ ସବୁଜ ରଙ୍ଗର ଗଣେଶ ମୂର୍ତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।କେବଳ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଏତେ ସୁନ୍ଦର ମୂର୍ତ୍ତି ହୋଇ ପାରେ ବୋଲି ସେ ବିଶ୍ଵାସ କରିପାରୁନଥିଲେ । ଗଣେଶ ପୂଜା ଆହୁରି ପନ୍ଦର ଦିନ ବାକି ଥିଲା । ପ୍ରଧାନ ଶିକ୍ଷକ ସେ ଗଣେଶ ମୂର୍ତ୍ତି କୁ ସ୍କୁଲ ର ଅଫିସ ରୁମରେ ରଖିଲେ ।ଶରତ ଓ ରତ୍ନାକର କୁ ଧନ୍ୟବାଦ ଦେଲେ ।
ଦୁଇ ଦିନ ପରେ ବ୍ଲକ ଅଫିସର ତାଙ୍କ ସ୍କୁଲ କୁ ପରିଦର୍ଶନ କରିବା ପାଇଁ ଆସିଥିଲେ ।ସେ ଏତେ ଗଣେଶ ମୂର୍ତ୍ତି କୁ ଦେଖି ଖୁସି ହୋଇ ଯାଇଥିଲେ ।
ପ୍ରଧାନ ଶିକ୍ଷକ ତାଙ୍କୁ ମେଧାବୀ ଛାତ୍ର ଶରତ ବିଷୟରେ ସବୁ କହିଲେ । ଏହି ସବୁଜ ବିନାୟକ ଗଢିବା ତା'ର ଆଇଡିଆ ଥିଲା ବୋଲି ମଧ୍ୟ କହିଥିଲେ ।
ସେ ଗାଁ ରେ ଥିବା ସବୁ ସ୍କୁଲ ମାନଙ୍କୁ ଏମିତି ପ୍ରାକୃତିକ ରଙ୍ଗ ବ୍ୟବହାର କରି ଗଣେଶ ମୂର୍ତ୍ତି ଗଢିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଧିରେଧିରେ ସମସ୍ତେ ଶରତ ଓ ରତ୍ନାକର କୁ ପଚାରି ସବୁଜ ଗଣେଶ ତିଆରି କରି ଥିଲେ ।
କିଛି ଦିନ ପରେ ସ୍କୁଲ ମାନଙ୍କରେ ଗଣେଶ ପୂଜା ପାଳନ କରାଗଲା । ମୂର୍ତ୍ତି ବିସର୍ଜନ ମଧ୍ୟ କରାଗଲା ।
ପ୍ରାକୃତିକ ରଙ୍ଗ ଯୋଗୁଁ ଜଳପ୍ରଦୁଷଣ ହେଲା ନାହିଁ ।
ବ୍ଲକ ଅଫିସର ଶରତ କୁ ଡାକି ସମ୍ବର୍ଦ୍ଧନା ଜଣାଇଥିଲେ।
ସେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରଛାତ୍ରୀ ଙ୍କ ଆଗରେ ଶରତ ର ଭୁରି ଭୁରି ପ୍ରଶଂସା କରିଲେ ।କହିଲେ ପ୍ରକୃତ ରେ ଶରତ ବହୁତ ଭଲ କାମ କରିଛି। ମୁଁ ଦେଖିଛି ପ୍ରତିବର୍ଷ ଗଣେଶ ପୂଜା ପରେ ମୂର୍ତ୍ତି ବିସର୍ଜନ କରାଯାଏ। ପୋଖରୀ ର ପାଣି ଦୁଷିତ ହୋଇ ଦୁର୍ଗନ୍ଧ ନିର୍ଗତ ହୋଇଥାଏ । ମୂର୍ତ୍ତି କୁ ସଜାଇବା ପାଇଁ ବ୍ୟବହାର ହେଉଥିବା କୃତ୍ରିମ ରଙ୍ଗ ଗୁଡିକ ଏତେ ବିଷାକ୍ତ ହୋଇ ଥାଏ ଯେ ଏହା ନଦୀ ପୋଖରୀ ରେ ଥିବା ମାଛ ଓ ଅନ୍ୟାନ୍ୟ ଜଳଜୀବ ମାନଙ୍କ ର ହାନି ପହଞ୍ଚାଇଥାଏ ।ସୋଲ, ପ୍ଲାଷ୍ଟିକ ଇତ୍ୟାଦି ବିଷାକ୍ତ ଜିନିଷ ଖାଇ ସେମାନେ ମୃତ୍ୟୁ ମୁଖରେ ପଡ଼ନ୍ତି ।ଏ ବର୍ଷ କିନ୍ତୁ ଏ ସବୁ କିଛି ଘଟିଲା ନାହିଁ ।
ଶରତ ଓ ତା ବାପା ଙ୍କ ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଲା । ସେମାନେ ମୂର୍ତ୍ତି କାରିଗର ଙ୍କ ସାହାଯ୍ୟ ଦ୍ବାରା ଗଢିଥିବା ସବୁଜ ବିନାୟକ ବିସର୍ଜନ ପରେ ଜଳରେ ମିଶିଗଲା । ପ୍ରାକୃତିକ ରଙ୍ଗ ଯୋଗୁଁ ଜଳଜୀବ ମାନଙ୍କ ର କିଛି କ୍ଷୟକ୍ଷତି ହୋଇନଥିଲା ।
ଶରତ ସ୍କୁଲ ର ସବୁ ପିଲାମାନଙ୍କୁ ଏକାଠି କରି ବିସର୍ଜନ ପରେ ପୋଖରୀ ରୁ ଶୁଖିଲା ଫୁଲ ଓ ଭୋଗ ର ଅବଶେଷ ସବୁ ସଂଗ୍ରହ କରି ସ୍କୁଲ ହତା ଭିତରେ ଗାତ କରି ପୋତି ଦେଇଥିଲେ ।ତା ଦ୍ବାରା ପୋଖରୀ ଜଳ ପରିସ୍କାର ରହିପାରିଲା ।
ମୁଁ ଅନ୍ୟ ମାନଙ୍କୁ ମଧ୍ୟ ଏପରି କରିବା ପାଇଁ ଅନୁରୋଧ କରିବି ।ତା ହେଲେ ପର୍ବ ପର୍ବାଣୀ ଦ୍ଵାରା ଆମ ପରିବେଶ ନଷ୍ଟ ହେବ ନାହିଁ । ସେଥିପାଇଁ ଆମ ବ୍ଲକ ଅଫିସ ତରଫରୁ ଶରତ କୁ ପାଞ୍ଚହଜାର ଟଙ୍କା ଦେଇ ପୁରସ୍କୃତ କରୁଛି । ଏମିତି ଗୁଣବାନ ପିଲାକୁ ଜନ୍ମ ଦେଇଥିବାରୁ ମୁଁ ତାଙ୍କ ବାପା ମା ଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି ।
ସ୍କୁଲ ର କିଛି ପିଲା ଖୁସି ହୋଇ ଶରତ କୁ ଟେକି ଉପରକୁ ଉଠାଇ ନାଚ କରିଲେ । ରତ୍ନାକର ଓ ଅହଲ୍ୟା ପୁଅ ଶରତ ର ସଫଳତା ରେ ଗର୍ବ ଅନୁଭବ କରୁଥିଲେ । ଇଛା ଥିଲେ ସୁଯୋଗ ଆପେ ଆପେ ଆସେ । ପର୍ବ ପର୍ବାଣୀ ରେ ଆମେ ଖୁସି ହୋଇ ଅନ୍ୟ ମାନଙ୍କୁ ବିପଦ ରେ ପକାଇବା ଉଚିତ ନୁହେଁ ।
ସମାପ୍ତ