ବୋହୁ ରାଣୀ
ବୋହୁ ରାଣୀ
ଦୁହିତା ଦୁଇ କୁଳକୁ ହିତା । ଏ କଥା ସମସ୍ତେ ଜାଣନ୍ତି । କିନ୍ତୁ ଅନାମିକା ର ଜୀବନ ରେ ସେମିତି ଘଟିନଥିଲା । ତା ଜୀବନ ରେ ଭଗବାନ ବାପା ଘରର ସୁଖ ଲେଖିନଥିଲେ । ନରେନ୍ଦ୍ର ଓ ସୁରଭି ଙ୍କର ବିବାହ କୁ ଦଶବର୍ଷ ବିତିଗଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ସୁରଭି ର କୋଳ ଶୁନ୍ୟ ଅଛି । ସେଥିପାଇଁ ତାକୁ ଘର ବାହାର ବହୁତ ଲୋକ ଙ୍କ ଠାରୁ ଟାହିଟାପରା ଶୁଣିବାକୁ ପଡୁଛି । ସୁରଭି କୁ ବାହାର ଲୋକ କେହି କିଛି କହିଲେ ଫରକ୍ ପଡୁନାହିଁ। କିନ୍ତୁ ପରିବାର ଲୋକ ଙ୍କ ଠାରୁ ଅପମାନ ଜନକ କଥା ଶୁଣିଲେ ତାର ଛାତି ଫାଟିଯାଉଛି । ସାନ ଯା ନିର୍ମଳା ପାଞ୍ଚବର୍ଷ ହେଲା ବାହା ହୋଇ ଦୁଇ ଟି ପିଲାର ମାଆ ହୋଇ ସାରିଲାଣି । ତେଣୁ ଶାଶୁ ଓ ସାନ ଯା ତାକୁ ଦେଖେଇ ଶିଖେଇ ବହୁତ କଥା କହନ୍ତି ସୁରଭି ବହୁତ ଡାକ୍ତର ଙ୍କୁ ଦେଖେଇ ସାରିଲାଣି । ସମସ୍ତେ କହୁଛନ୍ତି ତାର କିଛି ଅସୁବିଧା ଯୋଗୁଁ ପିଲା ଗର୍ଭ ରେ ହିଁ ନଷ୍ଟ ହୋଇ ଯାଉଛି ।
ସୁରଭି ଭଗବାନଙ୍କ ଉପରେ ଭରସା ରଖି ରହିଥିଲା ।ତାକୁ ଜଣେ ସାଧୁବାବା କହିଲେ ପାହାଡ଼ ଉପରେ ଅବସ୍ଥିତ ମା ଦୁର୍ଗା ଙ୍କୁ ପୁଜା କଲେ ସୁଫଳ ମିଳିବ । ମନରେ ବିଶ୍ୱାସ ରଖି ସେ ସ୍ବାମୀ ଙ୍କ ସହିତ ସେଠାକୁ ଯାଇ ପୂଜାର୍ଚ୍ଚନା କରିଲା ।
ଆଶ୍ଚର୍ଯ୍ୟ ର କଥା କିଛି ମାସ ପରେ ସେ ଗର୍ଭ ଧାରଣ କରିଲା । ଡାକ୍ତର ଙ୍କର ତତ୍ବାବଧାନରେ ସେ ଠିକ୍ ସମୟରେ ଗୋଟିଏ କନ୍ୟା ସନ୍ତାନ କୁ ଜନ୍ମ ଦେଲା । ବାପା ମା ଦୁଇ ଜଣ ଙ୍କର ଖୁସି ର ସିମା ନ ଥିଲା । ଚନ୍ଦ୍ର ଉଦିଆ ଜହ୍ନ ଭଳିଆ ସେ ସୁରଭି କୋଳରେ ବଢ଼ିବାକୁ ଲାଗିଲା । ବାପା ମା ତାର ନାମ ଦେଲେ ଅନାମିକା । ଅନାମିକା ଦେଖିବାକୁ ବହୁତ ସୁନ୍ଦର ଥିଲା ।
ନିର୍ମଳା ର ଝିଅ ଦେଖିବାକୁ ସାଧାରଣ ଥିଲା । ତେଣୁ ସେ ଅନାମିକା କୁ ଦେଖି ଇର୍ଷାରେ ଜଳି ଯାଉଥିଲେ। ଏମିତି ଭାବରେ ସମୟ ବିତିଚାଲିଥିଲା । ସୁରଭି ଙ୍କର ହସଖୁସିର ସଂସାର ରେ କାହାର ନଜର ଲାଗିଗଲା । ନିୟତି ର ଉଦ୍ଧେଶ୍ୟ ଆଉ କିଛି ଥିଲା ।
ଅନାମିକା କୁ ଯେତେବେଳେ ପାଞ୍ଚବର୍ଷ ହୋଇ ଥିଲା ।ତା'ର ଜନ୍ମ ଦିନ ରେ ବାପା ମା ତାକୁ ନେଇ ପାହାଡ ଉପରେ ଥିବା ଦୁର୍ଗା ମନ୍ଦିର କୁ ଯାଇଥିଲେ । ଭଲ ରେ ଭଲରେ ଦୁର୍ଗା ମା ଙ୍କୁ ପୁଜା କରି ସେମାନେ ଆନନ୍ଦ ମନରେ ଘର କୁ ଫେରୁଥିଲେ । ହଠାତ୍ ଗାଡ଼ି ର ବ୍ରେକ ଫେଲ୍ ହୋଇ ଗଲା । ଗାଡ଼ି ଟି ପାହାଡ଼ ଉପରୁ ତଳକୁ ଖସି ପଡ଼ିଲା । ସୁରଭି ଓ ନରେନ୍ଦ୍ର ର ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ ହୋଇ ଗଲା। ଯାହାକୁ ରଖିବେ ଅନନ୍ତ କେ କରିବ ବଳବନ୍ତ। ଅନାମିକା ଗାଡ଼ି ଭିତରୁ ଛିଟିକି ଯାଇ ଗୋଟିଏ ଗଛରେ ଲାଗି ଯାଇଥିଲା । ଜଙ୍ଗଲ ରେ ଥିବା ଆଦିବାସୀ ଲୋକ ମାନେ ଅନାମିକା ର କାନ୍ଦ ଶୁଣି ତାକୁ ଉଦ୍ଧାର କରି ପୋଲିସ ରେ ଖବର ଦେଲେ ପୋଲିସ ଆସି ଅନାମିକା ଠାରୁ ସବୁ ଜାଣିପାରିଲେ । ଅନାମିକା ବାପା ମା ଙ୍କୁ ନ ପାଇ ବିକଳ ରେ କାନ୍ଦୁଥିଲା। ପୋଲିସ ତାଙ୍କ ଘର ଲୋକ ଙ୍କୁ ଖବର ଦେଲା। ପରିବାର ଲୋକ ସବୁ ଜାଣି ପାରି ଦୁଃଖ ରେ ମ୍ରୀୟମାଣ ହୋଇ ପଡିଲେ । ଅନାମିକା ଖାଲି କାନ୍ଦୁଥିଲା । ଲୋକ ଦେଖାଣିଆ କୁ ନିର୍ମଳା ତାକୁ କୋଳେଇ ନେଇ ଥିଲା ।
ସମୟ ର ଚକ ଆଗକୁ ବଢୁଥିଲା । ଅନାମିକା ସବୁବେଳେ ମା ର ଫୋଟ ଧରି ଶୋଉଥିଲା । କିଛି ମାସ ପର୍ଯ୍ୟନ୍ତ ନିର୍ମଳା ତାକୁ ଭଲ ପାଇଲେ । ତା ପରେ କିଛି ନା କିଛି ବାହାନା ଦେଖାଇ ଅନାମିକା ମାଡ଼ ଗାଳି ଦେଉଥିଲେ । ଶାଶୁ ସବୁ ଜାଣି ମଧ୍ୟ ଚୁପ୍ ରହିବାକୁ ବାଧ୍ୟ ହେଉଥିଲେ । ଅନାମିକା କୁ ଘର କାମ ସହିତ ପାଠପଢିବାକୁ ପଡୁ
ଥିଲା । ନିର୍ମଳା ର ଝିଅ ମଧ୍ୟ ତାକୁ ଭଲ ପାଏ ନାହିଁ ।ମିଛ ସତ କହି ଅନାମିକା କୁ ମାଡ଼ ଖୁଆଏ ।ସମୟ ବଢିବା ସହିତ ଅନାମିକା ର ବୟସ ମଧ୍ୟ ବଢୁଥିଲା ।ସେ ଦେଖିବାକୁ ଅନିନ୍ଦ୍ୟ ସୁନ୍ଦରୀ ଥିଲା ।ତାର ରୁପ ଗୁଣ ଯୋଗୁଁ ତାକୁ ସମସ୍ତେ ଭଲ ପାଉଥିଲେ । ଅନାମିକା ର ଜେଜେ ମା ମଧ୍ୟ ଆରପାରିକୁ ଚାଲିଗଲେ । ଅନାମିକା କକାଖୁଡି ଙ୍କର ଆଶ୍ରିତ ହୋଇ ରହିଥିଲା। ମେଟ୍ରିକ୍ ପର୍ଯ୍ୟନ୍ତ ପାଠପଢେଇ ତାର ପାଠପଢ଼ା ବନ୍ଦ କରି ଦେଲେ । କିନ୍ତୁ ଅନାମିକା ର ଆଗକୁ ପଢ଼ିବା ପାଇଁ ବହୁତ ଇଛା ଥିଲା।
ଦିନ ରାତି ଘର କାମ କରି କରି ସେ ଥକି ପଡ଼ୁଥିଲା । ରାତି ରେ ମା ଙ୍କର ଫୋଟ ସାଙ୍ଗରେ କଥା ହେଉଥିଲା।ମା ତୁ ମତେ କାହିଁକି ଛାଡ଼ି ପଳେଇଲୁ।ମତେ ଖୁଡି ଖାଲି ଖାଲି ରେ ମାଡ଼ ଗାଳି ଦେଉଛନ୍ତି ।ମତେ ଯଦି ଏତେ ଦୁଃଖ କଷ୍ଟ ଦେବାର ଥିଲା ମତେ ଜନ୍ମ କାହିଁକି କରୁଥିଲୁ । ଏନ୍ତୁଡ଼ିଶାଳ ରେ ତଣ୍ଟି ଚିପି ମାରି ଦେଲୁନି। ଏମିତି କେତେ କୋହଭରା କଥା ହୋଇ ଶୋଇପଡ଼େ ।ସକାଳୁ ଉଠି ପୁଣି କାମରେ ଲାଗିପଡେ। ଆହାଃ ପଦେ କହିବାକୁ କେହି ନାହାନ୍ତି।
ନିର୍ମଳା ର ଝିଅ କୁ ପୁଅ ଘର ଲୋକେ ଦେଖିବାକୁ ଆସିଥିଲେ । ବହୁତ ବଡ଼ ଘର ର ଲୋକ । ଶାଶୁ ଶ୍ୱଶୁର ଓ ଗୋଟିଏ ପୁଅ ।ପୁଅ ଟି ଦିଲ୍ଲୀ ରେ ସରକାରୀ ଚାକିରୀ କରୁଛି। ବହୁତ ଭଲ ପରିବାର । ତେଣୁ ନିର୍ମଳା ର ଗୋଡ ତଳେ ଲାଗୁନଥିଲା । କିନ୍ତୁ ଦୁର୍ଭାଗ୍ୟକୁ ସେମାନେ ଅନାମିକା କୁ ଦେଖି ତାକୁ ପସନ୍ଦ କରିଦେଲେ । ଅନାମିକା ଏହା ଶୁଣି ଖୁଡି ରାଗିବେ ବୋଲି ମନା କରିଲା । କିନ୍ତୁ ସେ ପୁଅଟି ଅନାମିକା କୁ ବାହା ହେବା ପାଇଁ ଜିଦ୍ ଧରି ବସିଲା । ନିର୍ମଳା ରାଗି ଯାଇ ସେଠାରୁ ଚାଲି ଆସିଲା।ପୁଅ ଘର ଲୋକେ ଅନାମିକା ର କକା ସହିତ କଥା ବାର୍ତ୍ତା ହୋଇ ବିନା ଯୌତୁକ ରେ ବାହାଘର ଠିକ୍ କରି ଦେଲେ। ବହୁତ ସରଳ ଭାବରେ ଅନାମିକା ର ବାହାଘର ହୋଇ ଗଲା । ବାହାଘର ରେ ନିର୍ମଳା କି ତାଙ୍କ ଝିଅ ଯୋଗ ଦେଲେ ନାହିଁ। ବୋହୁ ବେଶରେ ଅନାମିକା ସ୍ଵର୍ଗ ର ଅପସରା ଭଳିଆ ଦେଖାଯାଉଥିଲା। ବାପା ଘରୁ ବିଦା ହୋଇ ଗଲାବେଳେ ସେ ବାପା ମା ଙ୍କର ଫୋଟ ଛଡ଼ା ଆଉ କିଛି ନେଇ ନ ଥିଲା । ଅନାମିକା ର ସ୍ବାମୀ ଆନନ୍ଦ ଜଣେ ଭଲ ମଣିଷ ଥିଲେ । ଅନାମିକା କୁ ସେ ବହୁତ ଖୁସି ରେ ରଖିଲେ । ଅନାମିକା ର ଶାଶୁ ମଧ୍ୟ ଜଣେ ସରଳ ଓ ସ୍ନେହୀ ମଣିଷ ଟିଏ।ସେ ଅନାମିକା କୁ ନିଜ ଝିଅ ଭଳିଆ ସ୍ନେହ ଶ୍ରଦ୍ଧା କରୁଥିଲେ।ତାର ଭଲମନ୍ଦ ସବୁ ବୁଝୁଥିଲେ । ଅନାମିକା ଏତେ ସ୍ନେହ ଆଦର ବାପା ଘରେ ପାଇ ନ ଥିଲା।
କିଛି ଦିନ ପରେ ଅନାମିକା ର ଶାଶୁ ତାକୁ ପାଖକୁ ଡାକି କହିଲେ ଅନାମିକା ମୁଁ ଚାହୁଁଛି ତୁ ଆଗକୁ ତୋର ପାଠପଢା ଜାରି ରଖେ । ମୁଁ ଆନନ୍ଦ କୁ କହିଛି କାଲି ତୋର କଲେଜରେ ଆଡ଼ମିଶନ କରିଦେବ । ଅନାମିକା ଶାଶୁ ଙ୍କ ମୁହଁ ରୁ ଏମିତି ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ଗଲା । ସେ କହିଲା ମା ମୁଁ ପାଠ ପଢ଼ିଲେ ଘର କାମ କେମିତି ହେବ। ଶାଶୁ କହିଲେ ସେ ସବୁ କଥା ମୁଁ ବୁଝିବି । ତୁ ଖାଲି ପାଠପଢା ରେ ଧ୍ୟାନ ଦେବୁ । ଶାଶୁ ଙ୍କର କଥା ଶୁଣି ଅନାମିକା ର ଆଖି ରୁ ଧାର ଧାର ଲୁହ ବୋହି ଗଲା । ସେ କାନ୍ଦି କାନ୍ଦି ଶାଶୁ ଙ୍କୁ କୁଣ୍ଢେଇ ପକେଇଲା।
ଅନାମିକା କହିଲା କେଉଁ ଜନ୍ମ ରେ ପୁଣ୍ୟ କରିଥିଲି ଆପଣଙ୍କ ଭଳି ଶାଶୁ ପାଇଛି । ଅନାମିକା ର ଶାଶୁ କହିଲେ ତୁ ମୋର ବୋହୁ ନୁହେଁ ମୋ ଝିଅ । ଆଉ ମୁଁ ତୋର ଶାଶୁ ନୁହେଁ ତୋର ଶାଶୁ ମା ବୁଝିଲୁ । ଅନାମିକା ଏହା ଶୁଣି କାନ୍ଦି କାନ୍ଦି ହସି ପକେଇଲା । ବାପା ଘରର ସବୁ ଦୁଃଖ କଷ୍ଟ ଭୁଲି ଗଲା ।