Nityananda Nandi

Inspirational

4  

Nityananda Nandi

Inspirational

ଯୌତୁକ ଜମି

ଯୌତୁକ ଜମି

4 mins
384



ସମସ୍ତଙ୍କ ନଜର ବୁଢ଼ାର ସେଇ ଦୁଇ ଗୁଣ୍ଠ ଜମି ଉପରେ। ସମୁଦ୍ର ମୁହାଣରେ ବନ୍ଦର ହେବ ବୋଲି ଚହଳ ପଡ଼ିଛି। ଚାଷ ଜମିର ଦର ଆକାଶ ଛୁଆଁ। କାହାକୁ ଧରା ଛୁଆଁ ଦେଉନି ନିଧି ବୁଢା। ପାଞ୍ଚ ହଜାର ମୂଲ୍ୟର ଜମି ପାଞ୍ଚ ଲକ୍ଷ ହେଲାଣି। 


ଗାଆଁ ମାଲିକର ପୁଅ ଜମି କିଣାବିକା କରେ। କେତେଦିନ ହେବ, ପଡ଼ିଛି ସେ ନିଧି ବୁଢା ପଛରେ। ଲୋକମାନେ ତାକୁ ପର୍ବ ପର୍ବାଣୀକୁ ଡାକୁଛନ୍ତି। ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରୁଛନ୍ତି ବାହାଘର ଭୋଜିକୁ। ଗାଆଁ ଛକ, ଚା ଦୋକାନରେ ଗୋଟାଏ ଚର୍ଚ୍ଚା ନିଧି ବୁଢାର ସେଇ ଜମିକୁ ନେଇ। ସେଇ ଜମି ପାଖ ଦେଇ ରାଜପଥ ଯିବାର ପ୍ରସ୍ତାବ ଅଛି। ସମୟ ବଡ ବଳବାନ୍ । ମଣିଷ ମନରେ ସ୍ବାର୍ଥ ବସା ବାନ୍ଧିଲେ ଆଖିକୁ ସବୁ ସୁନ୍ଦର ଲାଗେ। ସମସ୍ତେ ଆପଣାର ଲାଗନ୍ତି। ସମ୍ପର୍କରେ ଆଉ ବିଦ୍ୱେଷ ରହେନି, କାଉ କୋଇଲି ସବୁ ଭାଇ ଭାଇ ବନିଯା'ନ୍ତି ବିନା ସର୍ତ୍ତରେ।


ବାର୍ଦ୍ଧକ୍ୟ ପେନସନ ଉପରେ ନିର୍ଭର କରି ଚଳୁଥିବା ନିଧି ବୁଢା ଏବେ ଇସ୍ତ୍ରି କରା ଧୋତି ପଞ୍ଜାବୀ ପିନ୍ଧୁଚି। ହଠାତ୍ ଧନୀ ହେବାର ସ୍ବପ୍ନ ଦେଖୁଛି। 


ବୁଢୀ ପାର୍ବତୀ ଦେବୀଙ୍କ ପାଇଁ ବି ହାବଭାବ ବଦଳି ଯାଇଛି ନିଧି ବୁଢ଼ାର। ମହ ମହ ବାସୁଥିବା ଜରଦା ପାନ ନେଇଆସେ ସେ ବୁଢୀ ପାଇଁ ପ୍ରତିଦିନ ହାଟରୁ। କେତେଦିନ ହେଲା ବିଡି ଆଉ ଟାଣେନି ନିଧି ବୁଢା। ଚାର୍ମିନାର ସିଗାରେଟ ପିଉଛି। ଘଡ ଘଡି ଶବ୍ଦ ଆସିବା ପୂର୍ବରୁ ବିଜୁଳୀ ମାରେ, ଶାନ୍ତ ବାତାବରଣ ଆସି ଦଣ୍ଡାୟମାନ ହୁଏ ଝଡ ପୂର୍ବରୁ। କିଛି ଗୋଟାଏ ଆସିବା ଆଗରୁ କାହିଁକି କେଜାଣି ଲାଗେ ଯେମିତି ସବୁ ବଦଳି ଯାଉଛି।


ଜଣେ କିଏ କାନ ପାଖରେ ହାଙ୍କି ଦେଇଗଲା ମୋତେ ଦେ ତୋ ଜମିଟାକୁ, ଛ ଲକ୍ଷ ଦେବି। 

"ନା, ନା ଏତେ ଶୀଘ୍ର ମୁଁ ବିକୁ ନାହିଁ" , ସିଧା ଶୁଣେଇ ଦେଲା ନିଧି ବୁଢା।


ଦିନେ ଗାଆଁ ମାଲିକ ନିଜ ନାତିର ଜନ୍ମ ଦିନରେ ବୁଢା ବୁଢୀକୁ ନିମନ୍ତ୍ରଣ କଲେ। ଅଧା କିଲୋମିଟରରୁ ଅଧିକ ହେବ ନିଧି ବୁଢ଼ାର ଘର, ମାଲିକ ଘରଠୁ। ପୁରୁଣା ଆମ୍ବାସାଡୋର କାର୍ ପଠେଇ ତାଙ୍କୁ ନେଇ ଆସିଲେ ମାଲିକ ନିଜ ଘରକୁ।

ନିଧି ବୁଢ଼ାର ପାଦ ଆଉ ଭୂଇଁରେ ପଡୁ ନ ଥାଏ। ଗାଆଁ ର ଅନ୍ୟ ବିଶିଷ୍ଟ ଲୋକଙ୍କ ଭିତରେ ଯାଇ ବସିଲେ ବୁଢାବୁଢୀ।


କିଏ କେତେବେଳେ କେମିତି ମଉକା ପାଇଲେ ନିଧି ବୁଢା ପାଖରେ ବସି ସେଇ ଜମି ବାବଦରେ ଉସୁକାଉଥିଲେ।


"ମଉସା, ଶୀଘ୍ର ବିକି ଦିଅ, ମାଲେମାଲ ହେଇଯିବ।" 


ନିଧି ବୁଢ଼ାର ପାନ ଖିଆ ଫାଳଙ୍ଗା ଦାନ୍ତ ସବୁ ଚହଟୁ ଥାଏ, ମୁଚୁକି ମାରି ହସୁଥିଲା ନିଧି ବୁଢା। ଗାଆଁ ମାଲିକର ନିଘା ଥାଏ ବୁଢା ଉପରେ। ଜମି ପାଇଁ କାହାକୁ ଜବାବ୍ ଦେଇ ଦେଲେ ସବୁ ଗଡ ବଡ ହେଇଯିବ। ବୁଢା ବୁଢୀ ଦୁହିଁଙ୍କୁ ଭିତରକୁ ଡାକି ନେଇ ସୋଫାରେ ବସେଇଲେ ଗାଆଁ ମାଲିକ। କହିଲେ ଦେଖ ନିଧି ! ଯିଏ ଯାହା ଦେବ ମୋର ଲକ୍ଷେ ଅଧିକା।

ହଜୁର !!! ଭୟ ଆଉ ହୀନମନ୍ୟତା ଭିତରେ ଅଦ୍ଭୁତ ସମନ୍ଵୟ। ହଁ ଭରିବାକୁ ହୁଏ। ନିଜର କିଛି ଅସ୍ତିତ୍ଵ ଅଛି ବୋଲି ଭୁଲି ଯିବାକୁ ପଡ଼େ କିଛି ସମୟ ପାଇଁ। ମନଟା ସନ୍ତୁଳନ ହରେଇ ବସେ। ନିଧି ବୁଢା ହସିଦେଲା.. ବାସ୍।


ସଂଜରେ ଘରକୁ ଆସି ଦୁହେଁ ବସି ଥାଆନ୍ତି ଦଉଡିଆ ଖଟ ଉପରେ। ଭାରି ଗୁଳୁଗୁଳି, ଦୁହିଁଙ୍କ ହାତରେ ଦୁଇଟି ତାଳ ପତ୍ର ପଙ୍ଖା। ପାର୍ବତୀ କହିଲା, ହେଇଟି ଶୁଣୁଛ !!


ଏଇ ଦୁଇ ଗୁଣ୍ଠ ଜମି ଛାଡ଼ିଦେଲେ ଆମ ପାଖରେ ଆଉ କିଛି ନାହିଁ। ତା ଛଡା ଏଇ ଜମିଟି ଯୌତୁକରେ ମୋ ବାପା ଦେଇଥିଲେ। କେତେ ବେଳେ କେମିତି କାକୁଡି, କଲରା, ଜହ୍ନି, ବାଇଗଣ ଫଳୁଛି ଏଇ ଜମିରେ। ନ ବିକିଲେ ହୁଅନ୍ତାନି...


ରକ୍ତ ଚାପ ବଢି ଗଲା ନିଧି ବୁଢ଼ାର। "ଆଜି ପର୍ଯ୍ୟନ୍ତ ତ ପାଇଁ ଶାଢୀ ଟିଏ କିଣି ପାରିନି। ଆଖ ପାଖ ଘରୁ ଶାଢୀ ମାଗି ଆଣି ପିନ୍ଧୁଛୁ। ଲକ୍ଷେ କଣ ବୁଝିଛୁ ??? ପନ୍ଦର, କୋଡିଏ ଲକ୍ଷ ମିଳିବ। ଭାବୁନୁ କାହିଁକି ?? ତା ପରେ ଆମେ କେତେ ଖୁସିରେ ରହିବା କହିଲୁ !!" 


ବୁଢୀ କହିଲା, "ଶୁଣ ! କୋଡିଏ ଲକ୍ଷ ନେଇ କଣ ସ୍ୱର୍ଗକୁ ଯିବ। ଆଉ କେତେଦିନ, ହେଇ ମଶାଣି ଦିଶୁଛି ପରା !!! ଆମର ପୁଅ ଝିଅ ନାହାନ୍ତି, ତଥାପି ଖୁସିରେ ଖୁସିରେ ଜୀବନଟା କଟିଗଲା। ମଲା ବେଳକୁ ଏତେ ଲୋଭ କାହିଁକି ?" 


ନିଧି ବୁଢା ଚିତ୍କାର କଲା। 

"ମନେ ମନେ କେତେ କଥା ଭାବିଛି। ତ ପାଇଁ ଗହଣା ବନେଇବି, ଡଜନେ ଦାମିକା ଶାଢ଼ୀ କିଣିବି। ଟେକ୍ସି କରି ତ ବାପ ଘରକୁ ବୁଲିବାକୁ ନେଇଯିବି। ତୋ ବାପା ଘର ଗାଆଁ ଲୋକେ ଚକିତ ହୋଇ ଅନେଇବେ ଆମ ଆଡେ। ଆଖ ପାଖରେ ଲୋକମାନେ ଆଉ ନିଧି ବୁଢା ନ ଡାକି ନିଧି ମଉସା ଡାକିବେ। ତୁ ଟିକେ ବୁଝିବାକୁ ଚେଷ୍ଟା କର !!

ସାରା ଜୀବନ ଦୁଃଖରେ କଟିଲା, ବାକି କିଛି ଦିନ ଖୁସିରେ କଟି ଗଲେ ଅସୁବିଧା କୋଉଠି ???"


ପାର୍ବତୀ କହିଲା,

"ଶୁଣ ! ନା କିଛି ପାଇବା ପାଇଁ ଆମେ ପାଗଳ ଥିଲୁ, ନା କିଛି ହରାଇବାର ଭୟ ଥିଲା ଆମ ଜୀବନରେ, ତେବେ ଏଇ ଅତିକ୍ରାନ୍ତ ବୟସରେ ପାଇବାର ଇଚ୍ଛାଟା ଆମ ପାଇଁ ଠିକ୍ ମୃଗତୃଷ୍ଣା ପରି। ଆଉ କଣ ବଳ ବୟସ ଅଛି ଗୋଡେଇବା ପାଇଁ ଏଇ ମରୀଚିକା ପଛରେ...ପାଖରେ କିଛି ଥାଉ ବା ନ ଥାଉ, ଖୁସିରେ ଥିଲେ ଲାଗେ ଯେମିତି ପାଖରେ ସବୁ ଅଛି, ଆଉ ପାଖରେ ସବୁ ଥିଲେ ଲାଗେ ଯେମିତି କୋଡିଏ ଲକ୍ଷ ଟଙ୍କାର ମୂଲ୍ୟ ହିଁ ଶୂନ୍।


ମୁଁ ତ କହୁନି ଯେ ଜମିଟି ମୋ ଭାଇ ନାଁରେ ଉଇଲ କରିଦିଅ। ଆମ ଗାଁ ବାସନ୍ତୀକୁ ଦେଖିଛ ?? ବିଚାରୀ ଅଳ୍ପ ବୟସରୁ ବିଧବା। ନା ଭିଟାମାଟି ନା ଜମିବାଡ଼ି। ରାସ୍ତା କଡ଼ରେ କୁଡିଆ ବନେଇ ଦୁଇ ଛୁଆଙ୍କ ସାଥିରେ ରହୁଛି, କାଳାତିପାତ କରୁଛି ଭୀଷଣ ଦୁଃଖରେ। ଚାଲ , ମୃତ୍ୟୁ ପୂର୍ବରୁ ତାକୁ ଦେଇ ଯିବା ଜମିଟିକୁ। ଆପତତଃ ସେ ବଞ୍ଚିଥିବା ଯାଏ ଆମ ଦୁହିଁଙ୍କ ସମାଧିରେ ପାଣି ତ ଦେବ !! ଗାଆଁ ମାଲିକ ତ ଦୋକାନ ଘର ବନେଇ ଗୋଟି ଗୋଟି କରି ଗରାଖ ଙ୍କୁ ବିକିବ। କିଏ ଆଉ କହିବ ଏଇଟା ନିଧି ବୁଢ଼ାର ଜମି ବୋଲି।"


ନିଧି ବୁଢା ଚୁପ୍ ରହିଲା....


ଦୁଇ ଟୋପା ଲୁହ ବୋହି ଆସିଥାଏ ପାର୍ବତୀ ଆଖିରୁ। ବିଚାରୀ ଶୋଇ ଯାଇଛି ସେ ଦଉଡିଆ ଖଟ ଉପରେ। ମଶା, ଡାଆଁସ କାମୁଡି ଖାଇ ଯାଉଥାଏ ପାର୍ବତୀ ବୁଢୀକୁ। ବୁଢା ପାଖରେ ବସି ବିଞ୍ଚୁଥାଏ ତାଳ ପତ୍ର ବିଞ୍ଚଣାଟିକୁ ବୁଢ଼ୀର ଦେହ ସାରା।

*********

ଦଶ ବର୍ଷ ବିତି ଗଲାଣି ଏହା ଭିତରେ। ସେଇ ଦୁଇ ଗୁଣ୍ଠ ଜମି ଉପରେ ପ୍ରଧାନମନ୍ତ୍ରୀଙ୍କ ଯୋଜନାରେ ଛୋଟ ଘରଟିଏ ପାଇଛି ବିଧବା ବାସନ୍ତୀ। ଗେଟ୍ ର ଦୁଇ ପାର୍ଶ୍ୱରେ ଦୁଇଟି ସମାଧି। ଦୁଇ ଦୁଇଟି ଅଗର ବତୀ ଜଳୁଥାଏ ପ୍ରତି ସମାଧି ଆଗରେ। ପାର୍ବତୀ ପାଖରେ ବସେଇ ପାଠ ପଢଉଛି ଦୁଇ ଝିଅଙ୍କୁ। ଘର ଆଗଦେଇ ରାଜପଥ ଲମ୍ବିଛି ନୂଆ ବନ୍ଦର ପର୍ଯ୍ୟନ୍ତ। ଦୋକାନ ବଜାର, ପେଟ୍ରୋଲ ଟାଙ୍କି , ଉଚ୍ଚା ଉଚ୍ଚା ଛାତ ଘର ରାସ୍ତାର ଦୁଇ କଡ଼ରେ। ଗାଆଁର ରୂପ ବଦଳି ଯାଇଛି। ନିଧି ବୁଢ଼ାର ଭିଟା ମାଟି କିନ୍ତୁ ବଦଳିନି ଜମାରୁ। ଭିଟାମାଟିର ବାସ୍ନା ହିଁ ନିଆରା। ଏବେ ବି ଜମି ଟାକୁ ହଡପେଇବା ପାଇଁ ଲୋକମାନେ ବ୍ୟସ୍ତ ଅଛନ୍ତି। ସମସ୍ତଙ୍କୁ ସେ ଗୋଟାଏ କଥା କହେ... 

ଦାନ ଟା ଅପାତ୍ରରେ ଯିବ, ଯଦି ମୁଁ ଜାଗାଟାକୁ ଲୋଭରେ ବିକିଦିଏ।

ମଲା ବେଳେ ନିଧି ମଉସା କହି ଯାଇଛନ୍ତି " ଏଇଟା ମୋ ଯୌତୁକ ଜମି, କେବେ ହେଲେ ବିକିବୁ ନାହିଁ"। ରୁକ୍ ଠୁକ୍ ମନା କରେ ସେ ସମସ୍ତଙ୍କୁ...."ବିକିବି ନି, ଏଇଟା ମୋ ନିଧି ମଉସାଙ୍କ ଦାନ ମୋ ପାଇଁ..."  

ନିତ୍ୟାନନ୍ଦ ନନ୍ଦି

   


Rate this content
Log in

Similar oriya story from Inspirational