ଯାହାର ମନ ଯେଡ଼େ ତାର ପ୍ରଭୁ ସେଡ଼େ
ଯାହାର ମନ ଯେଡ଼େ ତାର ପ୍ରଭୁ ସେଡ଼େ
ସ୍ୱର୍ଗ ବଗିଚାରେ ପାରିଜାତ ଫୁଟିଲା ଭଳି ଅମୀୟଙ୍କ ବଗିଚାରେ ଯୋଉଦିନ ବ୍ରହ୍ମକମଳ ଫୁଟିଲା ତାଙ୍କ ଘର ସ୍ୱର୍ଗରେ ପରିଣତ ହୋଇଗଲା ଯେମିତି. ମିଡ଼ିଆ ବାଲା, ସ୍ଥାନୀୟ ଅଧିବାସୀ ସମସ୍ତେ ଆସି ଘେରିଗଲେ. ଏମିତିକି ସ୍ଥାନୀୟ ସରପଞ୍ଚ ମଧ୍ୟ. ଫୋଟୋ ଭିଡ଼ିଓ ଭାଇରାଲ ହୋଇ ଚାରିଆଡେ ଖବର ବ୍ୟାପିଗଲା ସତ ହେଲେ ଅମୀୟଙ୍କ ପତ୍ନୀ ବିଶାଖା କହିଲେ, ପ୍ରଥମ କରି ଫୁଟିଥିବା ବ୍ରହ୍ମକମଳଟିକୁ ଆମେ ଚାଲ ଜଗନ୍ନାଥଙ୍କୁ ଦେବା. ପତିଦେବ ଅମୀୟବାବୁ ରାଜି ହୋଇଗଲେ କହିଲେ ମୁଁ ବାଇକ ବାହାର କରୁଛି ଆସ ହେଲେ ପତ୍ନୀ ଚାଁହୁଥିଲେସ୍ଥାନୀୟ ଜଗନ୍ନାଥଙ୍କୁ ପରେ ବ୍ରହ୍ମକମଳ ଦେବା. ପ୍ରଥମେ ପୁରୀ ଯାଇ ଜଗନ୍ନାଥଙ୍କୁ ପ୍ରଥମ ଫୁଟିଥିବା ଫୁଲଟିକୁ ଦେବାକୁ. ପତି କହିଲେ ଏତେବାଟ ଗୋଟେ ରାତି ଟପି ପୁରୀରେ ପହଁଚିଲା ବେଳକୁ ଫୁଲଟି ମଉଳି ଯାଇଥିବ. ସହଜେ ପ୍ରଭୁ ଜଗନ୍ନାଥଙ୍କର ରଥଟଣା ବେଳ ଏଇଟା. ରଥକୁ ଯିବା ପୂର୍ବରୁ ପ୍ରଭୁଙ୍କ ମୁଣ୍ଡର ଫୁଲ ଟାହିଆରେ କେତେ ଜାତି ଜାତି ରଙ୍ଗୀନ ଫୁଲ ସହ ଅନେକ ବ୍ରହ୍ମକମଳ ମଧ୍ୟ ରହିଥିବ. ସେସବୁ ଭିତରେ ତୁମ ହାତ ଲଗା ବ୍ରହ୍ମକମଳ ଗଛର ପ୍ରଥମ ଫୁଲଟିକୁ ଜଗନ୍ନାଥ ମଉଳା ଅବସ୍ଥାରେ ପିନ୍ଧିବେ, ମତେ କାହିଁ ଲାଗୁନି. କୋଉ ପଣ୍ଡାକୁ ଦେବା?ସେ ପୁଣି ରଥରେ ଚଢି ଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଫୁଲଟିକୁ ଦେବ କି ନାହିଁ କହିହେବନି. ତଥାପି ତୁମ ଶ୍ରଦ୍ଧା ଓ ଭକ୍ତି ଦେଖି ମୁଁ ମନା କରୁନି. ସ୍ତ୍ରୀ ବିଶାଖା କହିଲେ ହଁ ଠିକ କଥା ମୁଁ ତ ଆଉ ସେହି ଦାସିଆ ବାଉରୀ ନୁହେଁ ଯେ ହାତ ବଢ଼େଇ ନଡ଼ିଆ ନେଲାପରି ପ୍ରଭୁ ଜଗନ୍ନାଥ ମୋ ବ୍ରହ୍ମକମଳ ଫୁଲ ରୂପକ ନୈବେଦ୍ୟ ନେଇଯିବେ ହାତ ବଢ଼େଇ ବା ତୁମେ ମଧ୍ୟ ଭକ୍ତ ସାଲବେଗ ନୁହଁ ଯେ ଆମ ପାଇଁ ରଥ ଅପେକ୍ଷା କରିବ. ତଥାପି ମନ କରିଛେ ଯିବା ଚାଲ.
ଦୁହେଁ ନିଜ କାରରେ ବାହାରି ପଡିଲେ. ଘାଟି ପରେ ଘାଟି ପାର ହୋଇ ପୁରୀରେ ପହଞ୍ଚିବା ବେଳକୁ କଟକଣା. ଗାଡି ବୁଲାଇକି ବାଲିଘାଟ ଦେଇ ପୁରୀ ସଦର ବ୍ଲକ ପାଖେ ଗାଡି ପାର୍କିଙ୍ଗ କରି ଯିବାକୁ ପଡିବ. ଭାଲେଣି ପଡ଼ିଗଲା ସ୍ୱାମୀ ସ୍ତ୍ରୀଙ୍କର. ଗାଡି ଚଲେଇ ଚଲେଇ ହାଲିଆ ଅମୀୟ ପୁଣି ଭୋକ. ସେଥିରେ ପୁରୀ ସଦର ବ୍ଲକ ଅଫିସରୁ ବଡଦାଣ୍ଡକୁ ଯିବା କି ଯେ କଷ୍ଟ!ତଥାପି ଦୁହେଁ ଚାଲିଲେ. ଚାଲୁ ଚାଲୁ ଥକି ପଡି ମଧ୍ୟ କୋଉଠି କିଛି ଖାଇ ନଥାନ୍ତି ଦୁହେଁ. ରଥ ଆଗରେ ଜଗନ୍ନାଥ ମହାପ୍ରଭୁଙ୍କୁ ନିଜ ହସ୍ତରେ ଫୁଲଟିକୁ ସମର୍ପଣ କରି ସାରିବା ପରେ ଯାହା ଖାଦ୍ୟ ପାନୀୟ ଗ୍ରହଣ କରିବେ ଭାବି ଦୁହେଁ ଆଗେଇ ଚାଲୁଥାଆନ୍ତି. ଶୁଣିଲେ ଜଗନ୍ନାଥଙ୍କ ରଥ ସିଂହଦ୍ୱାରେ ଅଟକିଛି. ପୁଣି ବଡଦାଣ୍ଡରୁ ବିପରୀତ ଦିଗରେ ଭିଡ଼ ଠେଲି ସିଂହଦ୍ୱାରେ ପହଁଚିଲା ବେଳକୁ ଶୁଣିଲେ ପଣ୍ଡାଙ୍କ ଠାରୁ ଯେ ଶହେ ଆଠ ବ୍ରହ୍ମକମଳରୁ ଗୋଟିଏ ନିଅଣ୍ଟ ଥିବାରୁ ଟାହିଆ ପ୍ରସ୍ତୁତ ହୋଇପାରୁନି. ସେହି ପଣ୍ଡାଙ୍କୁ ଅନୁନୟ କରି ସ୍ୱାମୀ ସ୍ତ୍ରୀ ଦୁହେଁ କହିଲେ ଆମ ପାଖରେ ବ୍ରହ୍ମକମଳ ଫୁଲଟିଏ ଅଛି. ଯୋଉ ଭାଇ ଟାହିଆ ପ୍ରସ୍ତୁତ କରନ୍ତି ତାଙ୍କ ପାଖକୁ ନେଇଗଲେ ଆମେ ଆଣିଥିବା ବ୍ରହ୍ମକମଳ ଫୁଲଟିକୁ ସେ ଯଦି ଗ୍ରହଣ କରିନିଅନ୍ତେ ତେବେ ତାଙ୍କ ମନୋସ୍କାମନା ପୁରଣ ହୋଇଯାଆନ୍ତା ସେ ଶହେଆଠ ବ୍ରହ୍ମକମଳର ଟାହିଆ ପ୍ରସ୍ତୁତ କରିପାରନ୍ତେ ଆଉ ଆମ ଦୁହିଁଙ୍କ ମନୋବାଞ୍ଛା ପୁରଣ ହୋଇଯାଆନ୍ତା ଯେ ଆମ ବାଡ଼ିରେ ଫୁଟିଥିବା ପ୍ରଥମ ବ୍ରହ୍ମକମଳ ଜଗନ୍ନାଥଙ୍କ ଟାହିଆରେ ଲାଗିପାରିଲା . ପଣ୍ଡା କହିଲେ ଦେଖେଇଲ ଫୁଲ ତ ଅତି ଯତ୍ନରେ ସାଇତି ଥିବା ଫୁଲଟିକୁ କାଢିବାକୁ ଯାଇ ବିଶାଖା ଦେଖିଲେ ଫୁଲ ଉଭାନ. କାନ୍ଦି ପକେଇଲେ ଝର ଝର ଦୁହେଁ ସ୍ୱାମୀ ସ୍ତ୍ରୀ. ଏତେ ପରିଶ୍ରମ ବୃଥା ଗଲା. କିଏ ନେଇଗଲା ଫୁଲଟିକୁ? କୋଉଠି ହଜିଗଲା ତାଙ୍କ ଭକ୍ତି ପସରା! ସେହି ସମୟରେ ଟାହିଆ ପହଞ୍ଚି ଗଲା. ନିଅଣ୍ଟ ଫୁଲଟି ଜଣେ ବ୍ରାହ୍ମଣ ଦାମ୍ପତ୍ତି କୋରାପୁଟରୁ ନେଇ ଆସି ଦେଇଥିଲେ ସମ୍ପୃକ୍ତ ଟାହିଆ ପ୍ରସ୍ତୁତକାରୀଙ୍କୁ. ସ୍ୱାମୀ ସ୍ତ୍ରୀ ଦୁହେଁ ଚମକି ପଡି ନିଜ ନିଜକୁ ଚାହିଁଲେ. ସେମାନେ ତ କୋରାପୁଟରୁ ଆସିଛନ୍ତି!ଆଉ କିଏ କୋଉ ବାଟେ କେତେବେଳ କେମିତି ଏତେଚଞ୍ଚଳ ଫୁଲ ନେଇ ପହଁଚିଲେ ପୁଣି କୋରାପୁଟରୁ ଭାବି ଆଖି ଛଳ ଛଳ କରିପକେଇ ରଥକୁ ଦେଖୁଥିଲେ. ପହଣ୍ଡି ଛେରାପହଁରା ଇତ୍ୟାଡି ସାରି ଜଗନ୍ନାଥ ଉପବେଶନ କରିଥିଲେ ରଥରେ ତ ରଥ ଗଡୁନଥିଲା. ଜଣେ ପଣ୍ଡା ଦଉଡି ଆସି ଅମୀୟ ଓ ବିଶାଖାଙ୍କ ହାତ ଧରି କହିଲେ ଆପଣ ଦୁହେଁ ବ୍ରହ୍ମକମଳ ଫୁଲଟିକୁ ମତେ ଦେଇନଥିଲେ ମୋ ମାନସିକ ଅପୂରଣୀୟ ରହିଯାଇଥାଆନ୍ତା. ଆସନ୍ତୁ ରଥ ଉପରେ ଜଗନ୍ନାଥ ଦର୍ଶନ କରିବେ. ଦୁହେଁ ପଣ୍ଡାଙ୍କ ସଙ୍ଗେ କୋଉ ସମ୍ମୋହନରେ ଯାଇ ରଥରେ ଜଗନ୍ନାଥଙ୍କ ଗୋଡ଼ ତଳେ ପଡ଼ିଥିଲେ ତ ରଥ ଗଡୁଥିଲା ଝାଇଁକି ଝାଇଁ ଝିଝାଇଁ ଝାଇଁ.
ରଥଯାତ୍ରାର ଏ ବିସ୍ମୟକର ଅନୁଭୂତି କାହାକୁ କହି ହେଉନଥିଲା କି ସତ ମିଛ ଜଣାପଡୁନଥିଲେ ବି ଅମୀୟ ବାବୁ ଓ ବିଶାଖାଦେଵୀ ଯେତେ ପରିଶ୍ରମ କଲେ ମଧ୍ୟ ନିଜ ବଗିଚାକୁ ସ୍ବର୍ଗୀୟ କରିପାରୁନଥିଲେ ଯେହେତୁ ସେଇ ପ୍ରଥମ ଫୁଟିଥିବା ବ୍ରହ୍ମକମଳ ପରେ ଆଉ ଦ୍ୱିତୀୟବାର ଫୁଟିନଥିଲା କେବେ ସେହି ଫୁଲ .ଫଳିଥିଲା କିନ୍ତୁ ଷ୍ଟ୍ରବେରୀ. ତାକୁ ଦେଖି ଅମୀୟଙ୍କ ପୁଅ ଝିଅ ଖୁବ ଖୁସି. ଆସ୍ତେ ଆସ୍ତେ ଷ୍ଟ୍ରବେରୀ ତିନୋଟି ଯେତିକି ବଡ଼ ହେଉଥାଏ ଘରେ ସେତିକି ଆନନ୍ଦ ଲହରୀ ଖେଳିଯାଉଥାଏ ପିଲାଦୁହିଁଙ୍କର. ଏବେ ଷ୍ଟ୍ରବେରୀ ତିନୋଟି ଟିକେ ଟିକେ ନାଲି ପଡିଆସୁଥିବା ବେଳେ ସେଦିନ ସକାଳୁ ସକାଳୁ ଝିଅ ଲିଜ଼ା ଚିଲେଇ ଉଠିଲା କାରଣ ତିନୋଟି ଭିତରୁ ଗୋଟିଏର ଡେମ୍ଫ ଝୁଲୁ ଥିଲା ଫଳ ନଥିଲା. ମୁନା ମଧ୍ୟ ଖୁବ ଦୁଃଖ କଲା ଷ୍ଟ୍ରବେରୀ ପାଇଁ ହେଲେ ରାତିରେ ଜେଜେମା ଯେବେ ଅଟାରେ ମୂଷାମରା ଔଷଧ ଗୋଳେଇ ଥୋଉଥିଲା ତ ମୁନା ମନ ଖୁବ ଦୁଃଖ ହେଉଥିଲା. ତା ଆରଦିନ ସକାଳୁ ସକାଳୁ ମୂଷା ତ ମରିନଥିଲା କିନ୍ତୁ ଯନ୍ତାରେ ପଡିଥିଲା. କାରଣ ଜେଜେମା ଗୋଳେଇ ରଖିଥିବା ବିଷ ଗୁଳା ଗୁଡିକୁ ମୁନା ମାଟିରେ ପୋତି ଦେଇ ଯନ୍ତା ମଧ୍ୟରେ ରୁଟିରେ ଗୁଆଘିଅ ମାରି ପକେଇ ଦେଇଥିଲା. ଲିଜା କହୁଥିଲା ଏକା କଥା ଭାଇ ଏମିତିରେ ବି ମୂଷା ଯନ୍ତାରେ ରହି ମରିଯିବ. ଜେଜେ କହିଲେ ନା ମୁଁ ତାକୁ ନେଇ ଜଙ୍ଗଲରେ ଛାଡ଼ିଦେବି. ଏମିତି ସବୁଦିନ କଲେ ଯେତେ ମୂଷା ଥିବେ ସେମାନେ ଆଉ ଷ୍ଟ୍ରବେରୀ ନଖାଇ ଘିଅ ଗୋଳା ରୁଟି ଖାଇ ଧରା ପଡିଯିବେ. ଲିଜା କିନ୍ତୁ ଦେଖେଇଦେଇଥିଲା ଗୋଟିଏ ବଦଳରେ ତିନୋଟି ଯାକ ଷ୍ଟ୍ରବେରୀର କେବଳ ଡେମ୍ଫ ଲାଗିଛି ଫଳ ନାହିଁ. ବାପା ଅମୀୟ କହିଲେ ହଉ ଏଥର ଯାହା ହେଲାଣି ହେଇଗଲା ଆରଥର ଷ୍ଟ୍ରବେରୀ ଫଳିଲେ କିଛି ପ୍ରତିକାର କରିନେବା. ପରିବାର ଭିତରେ ଥିବା ଏ ସ୍ନେହ ବନ୍ଧନକୁ ଦେଖି ସ୍ୱର୍ଗ ବଗିଚାରେ ବୁଲୁଥିବା ପରୀମାନେ କହୁଥିଲେ ପ୍ରକୃତରେ ଏହି ପରିବାରରେ କେତେ ସ୍ନେହ, ଶ୍ରଦ୍ଧା, ଆନ୍ତରିକତା ଓ ଭଲପାଇବା ଭରି ରହିଛି.
ସେହି ପରୀମାନଙ୍କ ଭିତରୁ ତିନିଜଣ ପରୀ ସେଦିନ ରାତିରେ ମୁନା ଘର ବଗିଚାକୁ ଓଲ୍ହେଇ ଆସି ଫୁଟେଇଦେଲେ ତିନୋଟି ବ୍ରହ୍ମକମଳ ଓ କିଛି ଷ୍ଟ୍ରବେରୀ. ଗଣେଷ ପ୍ରଭୁଙ୍କୁ ଅନୁରୋଧ କରିଥିଲେ ମୂଷାମାନଙ୍କୁ ଟିକେ ଆକଟ କରି ଅନ୍ତତଃ କିଛି ଦିନ ପାଇଁ ରଖିବାକୁ. ବ୍ରହ୍ମକମଳ ତିନୋଟି ଏକସଙ୍ଗରେ ଫୁଟିଥିବାରୁ ସେଦିନ ବାପା ଅମୀୟ ଓ ମାଆ ବିଶାଖା ଯେତିକି ଖୁସି ହୋଇଥିଲେ ଷ୍ଟ୍ରବେରୀ ଫଳିଥିବା ଦେଖି ମୁନା ଓ ଲିଜା ସହ ଜେଜେ ଜେଜେମା ମଧ୍ୟ ସେତିକି ଖୁସି ହୋଇଥିଲେ.ଏସବୁ ଦେଖି ପରୀମାନେ ମଧ୍ୟ ଖୁବ ଖୁସି ହୋଇଥିଲେ. ଜେଜେ କହୁଥିଲେ ଜୀବେ ଦୟା ଫଳରେ ଏସବୁ ସମ୍ଭବ ହୋଇଛି. ଜେଜେମା ମଧ୍ୟ ମୁନା ଓ ଲିଜାକୁ କୁଣ୍ଢେଇ ପକେଇ କହୁଥିଲେ ମଣିଷକୁ ଗଣେଷ ଭଗବାନ ସବୁଠୁ ବେଶୀ ବୁଦ୍ଧିଆ କରିବାର କାରଣ ସେମାନେ ଅନ୍ୟ ଜୀବମାନଙ୍କ ପ୍ରତି ଦୟା ଦେଖେଇବେ ତେଣୁ ମୁଁ ଆଉ କେବେ ଏମିତି ମୂଷା ମାରିବି ନାହିଁ. ଯଦିବା ଷ୍ଟ୍ରବେରୀ ସେମାନେ ଖାଇଲେ ତବେ ଆମେ ଖୁସି ହେବା କାରଣ ସମସ୍ତଙ୍କର ଖାଦ୍ୟ ଖାଇବା ଦରକାର. ଲିଜା ମଧ୍ୟ ଏଥିରେ ଏକମତ ହୋଇ ଆଉ କାନ୍ଦିବନି କହିଥିଲା.ସବୁଠାରୁ ବିସ୍ମୟ ଥିଲା ଫୁଟିଥିବା ତିନିଗୋଟି ବ୍ରହ୍ମ କମଳକୁ ନେଇ ପୁରୀ ରଥଯାତ୍ରାକୁ ଆସିବାକୁ ନିମନ୍ତ୍ରଣ ପାଇଥିଲେ ଅମୀୟ ଓ ବିଶାଖା ଦେଵୀ. ଏଥର ପରିବାରର ସମସ୍ତ ସଦସ୍ୟ ଏକସଙ୍ଗେ ଯାଇ ପୁରୀରେ ତିନି ଠାକୁରଙ୍କ ନବଯୌବନ ଦିନ ତିନିଗୋଟି ବ୍ରହ୍ମ କମଳ ଠାକୁରଙ୍କୁ ଚଢ଼ାଇ ଥିଲେ.ଆରବର୍ଷ ରଥଯାତ୍ରାରେ ଯୋଉ ପଣ୍ଡା ଜଗନ୍ନାଥଙ୍କୁ ଦର୍ଶନ କରାଇବାରେ ସହଯୋଗ କରିଥିଲେ ସେ ହିଁ ଏହି ପରିବାରଙ୍କୁ ନିମନ୍ତ୍ରଣ କରିଥିଲେ.ଏସବୁ ଦେଖି ସ୍ୱର୍ଗର ତିନିପରୀମାନେ ଖୁବ ଖୁସି ହୋଇ କହୁଥିଲେ ସ୍ନେହ ଶ୍ରଦ୍ଧା ଓ ଭଲପାଇବାର ପାରାବାର ଥାଏ ଯେଉଁଠାରେ ତାର ନାମ ପରିବାର.
ଭଗବାନଙ୍କ ଆଶୀର୍ବାଦ ଫଳ ସ୍ୱରୂପ ସେ ବର୍ଷ ନହେଲେ ମଧ୍ୟ ସମସ୍ତେ ଚିହ୍ନିଲେ ଭକ୍ତ ଦମ୍ପତ୍ତି ଅମୀୟ ଓ ବିଶାଖା ଦେବୀଙ୍କୁ. ସେମାନଙ୍କ ବେଶରେ ନିଜେ ଜଗନ୍ନାଥ ଓ ମାଆ ଲଷ୍ମୀ କେମିତି ଟାହିଆ କାରିଗରଙ୍କୁ ଭେଟି ଶହେ ଆଠ ବ୍ରହ୍ମକମଳରୁ ନିଅଣ୍ଟ ଥିବା ଗୋଟିଏକୁ ଦେଇଥିଲେ ଓ ପଣ୍ଡା ସାଜି ଭକ୍ତ ଦମ୍ପତ୍ତିଙ୍କୁ ରଥ ଉପରେ ଜଗନ୍ନାଥ ଦର୍ଶନ କରାଇଥିଲେ ଏସବୁ କଥା ସହ ସେହି ପଣ୍ଡା ସ୍ୱୟଂ ଜଗନ୍ନାଥ ନହୋଇଥିଲେ ଏତେ ଖୋଜିଲେ ମଧ୍ୟ କୁଆଡେ ହଜିଯାଆନ୍ତେ ଆଖି ଆଗରୁ!ଅମୀୟ କି ବିଶାଖା ଚାହୁଁନଥିଲେ ତାଙ୍କ ଭକ୍ତି ଗାଥା କି କଥାର ପ୍ରସିଦ୍ଧି ମାତ୍ର ସେହି ପଣ୍ଡା ନନାଙ୍କ ସନ୍ଧାନ ପାଇଲେ ତାଙ୍କ ପଦ ବନ୍ଦନା କରିବା ସହ ପ୍ରଣାମୀ ଜଣାଇବାକୁ ଯେତେ ଖୋଜିଲେ ମଧ୍ୟ ପାଉନଥିଲେ ତାଙ୍କୁ. ଏଣିକି କିନ୍ତୁ ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ବାଡ଼ିରେ ଫୁଟୁଥିବା ବ୍ରହ୍ମକମଳ ନେଇ ପୁରୀ ଯାଉଥିଲେ ମଧ୍ୟ ପ୍ରଥମ ପ୍ରେମ ପରି ପ୍ରଥମ ଭକ୍ତିର ସେହି ଅଭୁଲା ନିଦର୍ଶନକୁ ଭୁଲି ପାରିନଥିଲେ ଏଯାଏଁ.ଜଗନ୍ନାଥଙ୍କ ଦୟାରୁ ବାପା ମାଆ ଓ ପୁଅ ମୁନା ଓ ଝିଅ ଲିଜା ସହ ଖୁସିରେ କାଳାତିପାତ କରୁ କରୁ ନିଜ ହାତ ତିଆରି ବଗିଚାଟି ତାଙ୍କୁ ସ୍ୱର୍ଗର ବଗିଚା ପରି ଅନୁଭବ ହେଉଥିଲା.ଏଥିପାଇଁ ସେ ପିତାମାତାଙ୍କୁ ଶ୍ରେୟ ଦେଉଥିଲେ କାରଣ ସେ ଦୁଇଜଣଙ୍କ ପରିଶ୍ରମରୁ ବଗିଚାଟି ସ୍ୱର୍ଗ ତୁଲ୍ୟ ପ୍ରତୀୟମାନ ହେଉଥିଲା.।
