Satyabati Swain

Inspirational

3.4  

Satyabati Swain

Inspirational

ଯାହାକୁ ଯିଏ ରସିଲା

ଯାହାକୁ ଯିଏ ରସିଲା

5 mins
11.7K



ରାଜା ପୁଅ ଚାଉଳ ଭଜା ଚୋବେଇଲେ ଶରଧାରେ ଚୋବେଉଛି।କିନ୍ତୁ ସେଇ ଚାଉଳ ଭଜା ଗରିବ ପୁଅ ଚୋବେଇଲେ କଣ ନା ପେଟ ପୋଡି ଯାଉଛି।ବିଚିତ୍ର ଏ ସଂସାର।କିଏ ଏମିତି କରିଛି କେଜାଣି।ବଡ଼ ଲୋକ ଯାହା କଲେ ତାଙ୍କୁ ଉତ୍ତର ନାହିଁ।ଆଉ ଏ ଗରିବ ଗୁରିବା ଯଦି ସେଇ କାମ କରିଦେଲେ ଗଲା ତ ବେଦ ଅଶୁଦ୍ଧ ହୋଇଯାଏ।ଗରିବ ଗୁରିବାଙ୍କ କଥା ବାଟରେ ପଡି ହାଟରେ ଗଡେ।


ହେଲା ଏବେ ପିଲା ଲୋକ ନବା। କଲିକତାରେ ଚାକିରୀ କରିଛି ।ପୁରୁଷ ପୁଅ ମନ।ସାଙ୍ଗରେ ଗୋଟିଏ ଝିଅ ନେଇ ଆସିଛି।ଏ ବାଡ଼ି ପଡ଼ାଙ୍କର କଣ ଯାଉଛି।ଆଜିକାଲିକା ପିଲା।"ଯାହାକୁ ଯିଏ ରସିଲା କିଆ ଫୁଲ ପରି ବାସିଲା।"ହେଲେ ଏ ଗାଁ ମାଇପେ ବସେଇ ଉଠେଇ ଦେଉ ନାହାନ୍ତି।


କିଏ କେତେ ପ୍ରକାର କହୁଛନ୍ତି।ଭୂଷଣ କମ୍ପାନୀ ଗ୍ୟାସ୍ ଲିକିରେ ପ୍ରାଣ ହରାଇଲେ ନବା ନନା।ଆଜି ଯଦି ସେ ଥାଆନ୍ତେ ଏ ଅଳପେଇସା ଲୋକେ ମୋତେ କଣ ଏମିତି ଖୁମ୍ପି ଖୁମ୍ପି ମାରନ୍ତେ।ପୁରୁଷ ନଥିବା ସ୍ତ୍ରୀ ଟିଏ ବୋଲି ସିନା !


ଦିନେ କାଳେ ଯିଏ ମୋ ଘର ଦୁଆର ମାଡୁ ନଥିଲେ ଏବେ କେତେ କଣ ବାହାନା ଦେଖେଇ ଆସୁଛନ୍ତି। ଓଃ କି କୁମ୍ଭୀର କାନ୍ଦଣା ଦେଖିବ! ଦିନେ ନାହିଁ ନା କାଳେ ନାହିଁ ଗହ୍ମା ପୁନେଇରେ ମାଇଁ ମାଇଁ।ଘର ଭଙ୍ଗେଇ ଗୁଡା।ସବୁବେଳେ ଏ ଘର ମାଉସୀ ସେ ଘର ପିୟୁସୀ ହେଉଥିଲାବେ।ପର ଚର୍ଚ୍ଚା ନ କଲେ ଭାତ ହଜମ ହୁଏନି ଏମାନଙ୍କର।କି ସର ପକା କଥା!ସତେକି ଗୋଟା ସୁଦ୍ଧା ମୋ ହିତେଇସି।ସୁନି ଖୁଡି ଆସିଥିଲେ।ଇଆଡୁ ସିଆଡୁ କଥା ହୋଇ ଶେଷରେ କଟା ଘାରେ ଚୂନ ଦେଲା ପରି ପଚାରି କହିଲେ ହଇଓ ନବା ମା !ତୋ ନବା କୁଆଡେ ଝିଅଟିଏ ନେଇ ଆଇଚି;ଯାହାର ଜାତି ଗୋତ୍ର କିଛି ଜଣା ନାହିଁ?।ତୁ ତାକୁ ଘରେ ପୁରେଇ ଦେଲୁ?ସେ ତୋ ସାତ ପୁରୁଷର ଦେଇପିଣ୍ଡିରେ ପାଣି ଦେବ?ମାରା କଟିଦେଲା ତୋ ଢ଼ିହଜାଣ।ତୋ କପାଳ ମନ୍ଦ ଲୋ ନବା ମା।ଯୁବତୀ ବଅସରେ ସ୍ୱାମୀ ଏକା କରି ଚିତା କାଟିଲା।ଏବେ ପୁଣି ପୁଅ କୁଳରେ କାଳି ବୋଳିଲା।


ଦେଖ ଖୁଡି!ସେମାନେ ହେଲେ ଏବେକାର ପିଲା।ଆମ ପରି ଜାତି,ଗୋତ୍ର,ବଡ଼ ସାନ ଭାବନା ତାଙ୍କ ପାଖରେ ନାହିଁ।ମୋ ପୁଅ ବି କଣ ମୂର୍ଖ ହୋଇଛି।ପାଠଶାଠ ଦି ଅକ୍ଷର ପଡିଛି ।କଣ ଗୋଟେ ପରୀକ୍ଷା ଦେଇ କଲିକତା ବ୍ୟାଙ୍କରେ ଚାକିରି ପାଇଗଲା।ଭଲ ମନ୍ଦ ଜ୍ଞାନ ମୋ ପୁଅର ଅଛି।ଯାହା ତାକୁ ଉଚିତ ଲାଗିଲା ସେ କରିଛି।ମୁଁ ତ ଖୁସି।ଚାରି ଦଉଡ଼ି କଟା ନିଆଶ୍ରୀ ବିଧବା ମଣିଷଟିଏ ମୁଁ।କାହା ଓଳି ପିଣ୍ଡା ହୋଇଥାନ୍ତି,ଗୋଡ଼ ହାତ ଧରି ଥାଆନ୍ତି ମୋ ପୁଅ ପାଇଁ ଗୋଟେ ବାହାଘର ଯୋଗାଡ଼ କରିବାକୁ ।ଭଲ ହୋଇଛି ସେ ନିଜେ ତା ପସନ୍ଦର ପିଲାକୁ ବାହା ହୋଇଛି।


ଏ କଥା ଶୁଣି ଜୋକ ମୁହଁରେ ଲୁଣ ମାରିଲା ପରି ସୁନୀ ଖୁଡି ମୁହଁ ମୋଡି ଚାଲିଗଲେ।ସିଏ ଯାଇଛନ୍ତି କି ନାହିଁ ନାହାକ ଘର ଭାଇ ମୋର ଦେଢ଼ ଶୁର ହିସାବ ହେବେ ଖଣ୍ଡି କାଶ ମାରି ଦୁଆର ମୁହଁରେ ଡାକ ମାରିଲେ ଆହେ ନବା ମା ଘରେ ଅଛ କି?


ମୁଁ ମୁଣ୍ଡ ଉପରକୁ ଲୁଗା ଟାଣି କହିଲି ହଁ ଭାଇ କଣ କାମ ଥିଲା?ଆଜି ମୁଁ ମଜୁରୀ ଯାଇ ପାରିବି ନାହିଁ।ଘରେ ମୋର କାମ ଅଛି।ଆହେ ନାଇଁ ହେ କାମ ପାଇଁ ଆସି ନାହିଁ।ମୁଁ ଶୁଣିଲି ନବା କାଲି କୁଆଡେ ଗୋଟେ ଜାତି ଗୋତ୍ର ଠିକଣା ନ ଥିବା ଝିଅଟିଏ ନେଇ ଆସିଛି?ପୁଣି ତୁମେ ତାକୁ ଘରେ ପୁରେଇଛ?ହଇଓ ହେଲା ଏବେ ଗରିବ ଲୋକ ତୁମେ।ହେଲେବି ବ୍ରାହ୍ମଣ ଘରଟି ତୁମର।ସେମିତି ଗୋଟେ ଝିଅକୁ ବୋହୁ ଭାବେ ଗ୍ରହଣ କରିବା କଣ ଠିକ୍ ହୋଇଛି।ତାଙ୍କୁ ଘରେ ପୁରେଇବାର ନଥିଲା।


ଭାଇ ନଅଟି ନାହିଁ କି ଛଅଟି।ତୁମେ ତ ଜାଣିଛ ଏଗାର ବର୍ଷର ହୋଇଥିଲା ନବା ତା ନନା ମଲେ।ମୁଁ ତ ପୁଣି ବ୍ରାହ୍ମଣ ଘର ବୋହୁ ହୋଇ ଆ ତା ଘରେ ମୁଲ ଲାଗି ପେଟ ପୋଷିଲି।କେତେ କଷ୍ଟରେ ମଣିଷ କରିଛି ନେବାକୁ।ମୋ ନବା ଭୁଲ୍ କରି ନଥିବ ଏ ବିଶ୍ୱାସ ମୋର ଅଛି।ତା ଛଡ଼ା ଜୀବନ ତାର ନିଷ୍ପତ୍ତି ସେ ନେଲା।ଏଥିରେ କ୍ଷତି କଣ ହେଲା?ମୋ କଥା ଶୁଣି ନାହାକ ଘର ଭାଇ ମୁହଁଟି ଆମ୍ବିଳା କରି ଚାଲିଗଲେ।


ଲେଙ୍କା ଘର ନେତି ମାଉସୀ ଆସି କହିଲା -ହଇଲେ ବନ୍ଦନା ନବା ତୋ ମୁହଁରେ କାଳି ବୋଳିଲା।ମାଛି କୁ ମ ନ କହିବା ପରି ଲାଗେ ନବା।ଏଡ଼େ ବଡ଼ କାମ କେମିତି କଲା।ମା ଟା କଥା ଟିକେ ଭାବିଲା ନାହିଁ।ତୁ ବି ସେମିତି।କାହିଁକି ଏମିତି ଘୋଡା ମୁହାଁ ପୁଅକୁ ଘରେ ପୁରେଉ ଥିଲୁ? ହେଇଟି ବା କହୁଥିଲା କି ସେ କେଉଁ ଘର ଝିଅଟାକୁ ନେଇ ଆଇଚି?ଜାତି,ଗୋତ୍ର।ତାର କିଏ ଅଛନ୍ତି ନାହିଁ?


ଦେଖ ମାଉସୀ ନବା କଣ ଭୁଲ୍ ଟାଏ କରି ଦେଇଛି ଯେ ଗାଁ ସାରା ଡିବି ଡିବି ହେଉଛି।ରାସ୍ତା ଘାଟରେ ଚଳେଇ ଦେଉନ।ପୁଅଟିଏ,ବାହା ତ ହୋଇଥାନ୍ତା।ତାର ତ କେହି ନାହିଁ।ହେଲା ଏବେ ସେ ମନକୁ ହାତକୁ ଦି ହାତ ହୋଇଗଲା କଣ ଖରାପ ହେଲା?ମୋତେ ତ ଖରାପ ଲାଗୁନାହିଁ ,ଏ ଗାଁ ବାଲାଙ୍କୁ ଏତେ କାଇଁ ମାଡି ପଡୁଛି?


ନେତି ମାଉସୀ ମୁହଁ ନେଫେଡେଇ କହିଲେ- ମଲା ଯା

ତୋ ଭଲ ପାଇଁ କହୁଥିଲି ନା।ତୁ ଏବେ ଜାତି ଅଜାତିକୁ ଘରେ ପୁରେଇ ଥେଇ ଥେଇ କର ଆମର କ୍ଷଣ ଅଛି।ଆରେ ହେ ଆଜିକାଲି ଭଲ କହିଲେ ଭେଲ ହେଉଛି ହେ।


ଏମିତି ନାନା ରୂପରେ ଢଙ୍ଗରେ କିଏ ସିଧା ସିଧା ତ କିଏ ବୁଲେଇ ବଙ୍କେଇ ଆସି ନାନା କଥା ପଚାରୁଛନ୍ତି।ଇରେ ଗୋସେଇଖିଆଏ ମୋ ପୁଅ ମନ ହେଲା ସେ ଯାହାକୁ ବାହା ହେଲା ।ଯୋଗନୀଖିଆଏ ତୁମର କଣ ଅଛି।ତୁମେ ଖାଇବାକୁ ଦେବ ନା ପିନ୍ଧିବାକୁ ଦେବ।ତୁମ ମାନଙ୍କ ଘରେ ନିତି ଏଇ ନାଟ ହେଉଛି।କାଇଁ କେବେ ମୁଁ ତୁମ ଘର ବିଷୟରେ ମୁଣ୍ଡ ଖେଳେଇଛି।ତୁମେ କାଇଁ ଏତେ ନାକ ପୁରାଉଛ ମୋ ଘରେ।ଘଡ଼ ଘଡି ପଡୁରେ ଅଳପେଇସେ। ପର ଛିଦ୍ର ନ ଉଣ୍ଡିଲେ ଭାତ ହଜମ ହେବ କେମିତି।ତୁମ ଗୋଇ ଖୋଲିଲେ ପରା ପୋଥି ହେବ।ମୋର ମୁରବୀ ନାହାନ୍ତି ବୋଲି ଯିଏ ଯାହା ପାରିବ କହିବ।କାହିଁକି ବା।ପେଟରେ ଓଦା କନା ଦେଇ ଶୋଇଛି ପଛେ ତୁମ ଦୁଆର ମୁହଁକୁ ଯାଇଛି କେବେ।


ଦେଖେଇ ହେଉଛନ୍ତି ଶାସନୀ ବ୍ରାହ୍ମଣ।ତୁମ ପୁଅ ମାନେ ଗୋଟା ସୁଦ୍ଧା ତୁଳସୀ ତ।ଇଠି ସେଠି ମୁହଁ ମାରି ହଜାର ଥର ଥାନାକୁ ଗଲେଣି।କାଇଁ ମୁଁ କିଛି ତୁମକୁ କହିଛି?।ତୁମ ଝିଅ ଗୁଡା ପରା କିଏ ଡ୍ରାଇଭର କିଏ ପାଆରୁଟି ଵାଲା କିଏ ଇସ୍ତ୍ରୀ ଵାଲା ସାଙ୍ଗେ ପଳେଇଛନ୍ତି।ନିତି ତୁମ ଘରେ ଏ ବାବଦରେ ବାଡ଼ିଆ ବାଡ଼ି।ଆଇଲେ କଜଳ ପାତିଆ ଭଦ୍ର ଲୋକୀ ଦେଖେଇବାକୁ।ଯାଅ ଯାଅ କାହା ଆଗେ ଫୁଟାଣି କାଢ଼ିବ।ଏ ବନ୍ଦନା ବ୍ରାହ୍ମଣୀ ସମସ୍ତଙ୍କୁ ହାଡ଼େ ହାଡ଼େ ଚିହ୍ନିଛି।ହଉ ରୁହ ଏକା ମାଘକେ ଶୀତ ଯାଏ ନାହିରେ ପରଘର ପଶା।


ଧଇଁ ସଇଁ ହୋଇ ଶେଷରେ ବୁଦ୍ଧିଆ ଆସି କହିଲା ନାନୀ ଜାଣିଛ କାଲି ସଂଧ୍ୟାରେ ତୁମକୁ ଓ ନବାଭାଇକୁ ଠାକୁର ମଣ୍ଡପକୁ ଡାକିବେ ମିଶ୍ରେ ପଣ୍ଡିତେ ସବୁ ବ୍ରାହ୍ମଣଙ୍କ ସହ।କଣ ତୁମକୁ ପଚାରିବେ।


ତୋର କୋଟି ପରମାୟୁ ହୋଇଥାଉରେ ବୁଦ୍ଧିଆ।ବେଳ ଥାଉ ଖବରଟି ଦେଲୁ।ହେଉ କଣ ପଚାରିବେ।ଶୁଣ୍ ନବା ଯାହା କହିବି ମୁଁ କହିବି।ତୁ ତୁଣ୍ଡ ଖୋକିବୁ ନାହିଁ।ଦେଖିବା କି ଶାସ୍ତ୍ର ଜ୍ଞାନ ପଢେଇବେ ସେମାନେ।


ଠାକୁର ମଣ୍ଡପ।ଗାଁ ର୍ ସବୁ ଲୋକେ ଜମା ହୋଇ ଥାଆନ୍ତି।ମିଶ୍ରେ ପଣ୍ଡିତେ ପଚାରିଲେ ନବା ମା !ଆମେ ଯାହା ଶୁଣୁଛୁ ତାହା କଣ ସତ?


ଆଜ୍ଞା କଣ ଶୁଣିଛନ୍ତି ମୁଁ କେମିତି ଜାଣିବି?


ଆରେ ଜାଣି ଛୋପରା ହୁଅ ନାହିଁ।ଏଇ ତୁମ ନବା ଦୁଇ ତିନି ଦିନ ହେବ ଗୋଟିଏ ଜାତି ଗୋତ୍ର ଜଣା ନଥିବା ଝିଅ ନେଇ ଆସିଛି।


ପଣ୍ଡିତେ ଆଜ୍ଞା ନେଇ ଆସିଛି କଣ କହୁଛନ୍ତି।ମୋ ପୁଅ ବାହା ହୋଇ ଘରକୁ ବୋହୁ ଆଣିଛି।କୋର୍ଟରେ ବାହା ହୋଇଛି ମଣ୍ଡପରେ ବାହା ହୋଇଛି।କଲିକତା ଏତେ ବାଟ ମୁଁ କଣ ଯାଇ ପାରିଥାନ୍ତି।ଏଣୁ ସେ ସିଆଡେ ବାହା ହୋଇ ତା ସ୍ତ୍ରୀକୁ ଆଣି ଆସିଛି।ନେଇ ଆସିଛି କଣ ଆଜ୍ଞା?


କିନ୍ତୁ ଲୋଜେ କହୁଛନ୍ତି ଝିଅଟି କୁଆଡେ ଅଜାତି।


ଆପଣ ଆଜ୍ଞା ଲୋକ କଥା ଯଦି ବିଶ୍ୱାସ କରୁଛନ୍ତି ମୁଁ ବି ତ ଗୋଟେ ଲୋକ ନା ମୋ କଥା ବିଶ୍ୱାସ କରନ୍ତୁ ମୋ ପୁଅ ଗୋଟିଏ ଝିଅକୁ ବାହା ହୋଇଛି।ମୋ ପୁଅ ଜଣେ ଯୁବକ।ସେ ଝିଅଟି ଜଣେ ଯୁବତୀ।ଯୁବକ ଯୁବତୀ ବାହା ହେବା କଣ ଅପରାଧ କି? ନା କେଉଁ ଶାସ୍ତ୍ର କହିବ ପୁଅ ମଣିଷଟିଏ ଝିଅ ମଣିଷକୁ ବାହା ହେବା ପାପ?


ଦେଖ ନବା ମା ଆମର ଏଇଟା ବ୍ରାହ୍ମଣୀ ଶାସନ ଗାଁ।ଆମର କିଛି ନୀତି ନିୟମ ଅଛି।ଯାହାକୁ ଆମେ ମାନୁ।ସେଇ ଦୃଷ୍ଟିରୁ...


ପଣ୍ଡିତେ ଆପଣେ ଶୁବଳ ବ୍ରାହ୍ମଣଙ୍କର ପୁଅ ,ଜଗତ ରାମଙ୍କ ଝିଅ,ଶ୍ରୀନିବାସ ଗୋସେଇଙ୍କ ଭାଇ,ବାଇନ ନନା ଙ୍କ ଝିଆରି ବେଳକୁ ଏ ଶାସନ ନୀତି ନିୟମ କୁଆଡେ ଯାଇଥିଲା?ଗୋସେଇଁ ମୁଁ ବିଧବା ବ୍ରାହ୍ମଣୀଟିଏ

,ଗରିବ ନିଆଶ୍ରୀ ଟିଏ ବୋଲି ମୋ ପାଇଁ ନୀତି ନିୟମ।ମୋ ପୁଅ ନବ କିଶୋର୍ ଶତପଥୀ ଜଣେ ଶିକ୍ଷିତ ପିଲା।ତାର ବୁଦ୍ଧି ପସନ୍ଦ ଅଛି। ନିଜର ଭଲ ମନ୍ଦ ବିଚାର କରିବାର ଯଥେଷ୍ଟ ବୟସ ହେଲାଣି ତାର।ତାରି ଅଫିସ୍ ରେ ଚାକିରୀ କରୁଥିବା ଜଣେ ସାଙ୍ଗକୁ ଦେଖି ଚାହିଁ ନିଜ ପସନ୍ଦରେ ବାହା ହୋଇଛି।ମଣିଷ ମାରି ନାହିଁ କି ବଳତ୍କାର କରି ନାହିଁ କି କାହା ଝିଅ ଉଠେଇ ଆଣି ନାହିଁ।ଖୋଦ୍ ବାହା ହୋଇ ଆଣିଛି।ମୋର ମୋ ପୁଅ ଆଣିଥିବା ଝିଅକୁ ବୋହୁ କରିବାରେ ଆପତ୍ତି ନାହିଁ ଆଜ୍ଞା।ଆପଣ ମାନଙ୍କ ଏତେ ମୁଣ୍ଡ ବିନ୍ଧା କିଆଁ?


ଜଣେ ସେମାନଙ୍କ ଭିତରୁ କହିଲେ ଚାଲ ଚାଲ ମିଛରେ କୁହନ୍ତି "


ଯାହାକୁ ଯିଏ ରସିଲା ,ତାକୁ କିଆ ଫୁଲ ପରି ବାସିଲା।"


କାହିଁକି ଏତେ ଧର ପଗଡ଼।ନିଜ ଇଚ୍ଛାରେ ବଂଚିବା ସମସ୍ତଙ୍କ ଅଧିକାର।ଚାଲ ହୋ ଉଠ।ବେକାର କଥାଟାରେ ସମୟ ବର୍ ବାଦ୍ ହେଲା ।


ନବା ,ମା କହି କୁଣ୍ଢେଇ ପକାଇଲା ବନ୍ଦନାକୁ।



Rate this content
Log in

Similar oriya story from Inspirational