Nityananda Nandi

Inspirational

3  

Nityananda Nandi

Inspirational

"ଯାହା କହିବି, ସବୁ ସତ କହିବି"

"ଯାହା କହିବି, ସବୁ ସତ କହିବି"

4 mins
211



"ରୂପା ! ଯଦି କିଛି କହିବାକୁ ଚାହଁ ! କାଠଗଡା ଭିତରକୁ ଆସି ନିଜ କଥା କୁହ"। ଜଜ୍ ନିର୍ଦ୍ଦେଶ ଦେଲେ..

ଅସହାୟତା ଆହୁରି ଅସହାୟ କରିଦିଏ ମଣିଷକୁ। ଖେଳ ଶେଷରେ ହାରିବା ପୂର୍ବରୁ ହିଁ ବାର ବାର ହାରିବାକୁ ହୁଏ ବୋଲି ବୁଝିବାକୁ ଆଉ କଷ୍ଟ ହେଲା ନାହିଁ ରୂପା ପାଇଁ। ତା ଜୀବନର ଉପନ୍ୟାସକୁ କେହି ଜଣେ ଅଧା ଲେଖି ଛାଡି ଯାଇଛି ଯେମିତି। ଅଧାଲେଖା ଉପନ୍ୟାସ ! ତ୍ରିଛକରେ ଛିଡା ହୋଇ ରୂପା ଆଖ ପାଖ ସବୁ ରାସ୍ତାକୁ ଅନାଏ ସିନା, କିଛି ଲାଭ ହୁଏନି। ଜାଣିପାରେନି କୋଉ ରାସ୍ତା ତା ପାଇଁ ଠିକ୍ । ମନଟା ତା'ର ଆକାଶ ପରି ଶୂନ୍ୟ।


କାଠଗଡା ଭିତରକୁ ଆସିଲା ରୂପା।


ସାହେବ୍ !!


"ମୁଁ ଯାହା କହିବି ସବୁ ସତ କହିବି"।


ଶାଢ଼ୀଟି ଆମ ଘରୁ ବାହାରିଥିଲା ବୋଲି ମୁଁ ଏଇ କେସ ଭିତରକୁ ଟାଣି ହୋଇ ଆସିଲି। ମୋ ଭାଇ ମୋତେ ରାକ୍ଷୀ ପୂର୍ଣ୍ଣିମାରେ ଉପହାର ଦେଇଥିଲା ଶାଢ଼ୀଟିକୁ। ମୁଁ ଜାଣିନଥିଲି ସେ ଚୋରି କରି ଆଣିଛି ବୋଲି। ଭାଇକୁ ମଜାରେ ମଜାରେ କହିଥିଲି, ଭାଇ ! ଏ ବର୍ଷ ତୁ ଯଦି ଭଲ ଶାଢ଼ୀଟିଏ ଉପହାର ନ ଦେଉ, ମୋଠୁ ରାକ୍ଷୀ ଆଶା କରିବୁନି ! ସତକୁ ସତ ଦାମିକା ଶାଢ଼ୀଟିଏ ନେଇ ଆସିଲା ଆମ ଘରକୁ, ରାକ୍ଷୀ ପୂର୍ଣ୍ଣମୀ ଦିନରେ। ଖୁସିରେ ଏତେ ବିଭୋର ହୋଇ ଗଲି ଯେ ପଚାରିବାକୁ ଭୁଲିଗଲି, ଭାଇ ! ଏତେ ଦାମିକା ଶାଢ଼ୀ ତୁ କେମିତି କିଣିଲୁ। ମୋ ଭାଇ ପୋଷ୍ଟ ପିଅନ ଥିଲା, ନିଶ୍ଚୟ ଚୋରି କରିଥିଲା ସେ ବିକ୍ରମ ବାବୁଙ୍କ ପାର୍ଶଲ ଭିତରୁ ! ଏଥିରେ କିଛି ସନ୍ଦେହ ନାହିଁ !!


ସାହେବ୍ !

ଭଉଣୀ ମୁହଁରେ ହସ ହିଁ ସବୁକିଛି ଭାଇ ପାଇଁ, ସାତ ତାଳ ପଙ୍କତଳୁ ସିନ୍ଦୂକରେ ଛୁପା ହୋଇଥିବା ଗୁପ୍ତଧନକୁ ନେଇ ଆସେ । ଭଉଣୀର ଖୁସି ଭିତରେ ଜୀବନର କିଛି ଅପୂର୍ବ ମୁହୂର୍ତ୍ତ ଶଙ୍ଖନାଦ କରେ। ଭାଇ ବି ଗୋଟେ ମାନସ୍ତାତ୍ତ୍ୱିକ ଆବଶ୍ୟକତା ଭଉଣୀର। ଭାଇର ଉପସ୍ଥିତି ନିରାପଦ ଉଷ୍ଣ ପ୍ରସବଣ ପରି, ଭଉଣୀ ଜୀବନରେ ସୁରକ୍ଷାକୁ ସୁନିଶ୍ଚିତ କରେ !!! ଠିକ୍ ସେମିତି ଥିଲା ମୋ ଭାଇ, ମୋ ପାଇଁ। ମାଇଲଖୁଣ୍ଟ ଟିଏ ପରି ଛିଡା ହୋଇ ରହୁଥିଲା ମୋ ଚଲା ପଥରେ। ମୋତେ ଅନେଇ କି ରହୁଥିଲା ସବୁବେଳେ, ମୁଁ ଠିକ୍ ରାସ୍ତାରେ ଚାଲୁଛି ତ !


ସାହେବ୍ ! ଗୋଟେ କଥା କହିବି, ମୋ ଭାଇ କିନ୍ତୁ ପ୍ରକୃତରେ ଚୋର ନୁହେଁ, ଛୋଟ ବେଳୁ ମୁଁ ତାକୁ ଦେଖି ଆସୁଛି। ଅନ୍ୟର ଦୁଃଖ ସହି ପାରେନି। ଜମିରେ କାମ କରୁଥିବା ଲୋକର ପାଦରୁ ରକ୍ତ ଝରୁଥିଲେ, ନିଜ ଚପଲକୁ ପାଦରୁ କାଢି ତାକୁ ଦେଇ ଆସେ। ବୋଉ ଗାଳି କରେ, ପ୍ରଥମେ ଇଆଡୁ ସିଆଡୁ କହେ, ତା ପରେ ମାନିଯାଏ। ବୋଉ ଚୁପ ରହେ , କିଛି କହେନି।

ଦିନକର ଘଟଣା। ରାସ୍ତାରୁ ଶହେ ଟଙ୍କା ପାଇ ସଂଜ ପର୍ଯ୍ୟନ୍ତ ଜଗି ରହିଲା, ଯଦି କେହି ଆସି ପଚାରେ, ତେବେ ଫେରେଇ ଦେବ। କେହି ନ ଆସିବାରୁ ଗାଆଁ ଜଗନ୍ନାଥ ମନ୍ଦିର ପଇସା ବାକ୍ସରେ ଟଙ୍କା ଜମା କରି ଦେଇ ଆସିଲା। ମୁଁ ଏଇ ଘଟଣାକୁ ନିଜେ ଦେଖିଛି। ଭାରି ସରଳ ଥିଲା ମୋ ଭାଇ।


ଜୀବନରେ ଛୋଟ ବଡ଼ ସୁଖକୁ ସାଉଁଟୁ ସାଉଁଟୁ ଦୁଃଖର ପାହାଡ କାଞ୍ଚନଜଂଘାଠୁ ବି ବଡ ହୋଇ ଠିଆ ହୋଇଯାଏ ଆଖି ଆଗରେ, ଭାଇ ବୁଝି ପାରି ନ ଥିଲା। ଜୀବନଟା ସାପ ସିଡିର ଖେଳ, ବୁଝୁ ବୁଝୁ ସାପ କାବୁ କରିନେଲା ଭାଇର ବାକିଥିବା ଅସ୍ତିତ୍ତ୍ୱକୁ। ସବୁ ଏକ ତରଫା । ନା ଦୁଃଖ ନା ସୁଖ କେହି ହେଲେ ସାଥୀ ଦେଲାନି ଭାଇକୁ !!

ଯକ୍ଷ୍ମା ରୋଗରେ ହିଁ ମୋ ଭାଇ ଚାଲିଗଲା ଆର ପାରିକୁ। ପଇସାପତ୍ରର ଭାରି ଅଭାବ ଥିଲା ତା ପାଖରେ। କଟକ ଯାଇ ଭଲ ଡାକ୍ତର ଦେଖେଇ ଥିଲେ ହୁଏତ ଭଲ ହୋଇ ଥାଆନ୍ତା। ଭାଇର ଘରଡିହ ବିକ୍ରି କରି ଦୁଇ ଝିଅଙ୍କ ବାହାଘର ମୁଁ ନିପଟେଇ ଦେଇଛି।

 

ସାହେବ୍ ! ମୁଁ ଯଦି ସେଦିନ ମୋ ଭାଇକୁ ମଜାରେ ମଜାରେ ଶାଢ଼ୀ କଥା କହି ନ ଥାଆନ୍ତି, ସେ ଚୋରି କରିବାକୁ ସାହାସ କରି ନ ଥାଆନ୍ତା। ସେଇ ସମୟରେ ଭାରି ଅଭାବ ଥିଲା ମୋ ଭାଇର। ଏତେ କମ ଦରମାରେ ଚଳିବା କଷ୍ଟ ଥିଲା ମୋ ଭାଇ ପାଇଁ। ସେ ବର୍ଷ ମରୁଡି ପଡ଼ିଥିଲା ଆମ ଗାଆଁରେ। ଏମିତି କି ଭାଉଜ ଆଉ ଦୁଇ ଛୁଆଙ୍କୁ ନେଇ କେବେ କେବେ ଭୋକ ଉପାସରେ ଦିନ କାଟୁଥିଲା ସେ। ବୁଭୂକ୍ଷିତ କିମ୍ ନ କରୋତି ପାପ...

ସାହେବ୍ ! ସବୁ ଦୋଷ ମୋର। ଯାହା ଦଣ୍ଡ ଦେବେ, ଶାଦରେ ଗ୍ରହଣ କରିବି।


ବିକ୍ରମ ! ତମେ କିଛି କହିବ


ହାଁ ଜୀ ! ମୁଁ କିଛି କହିବି।

ସାହେବ୍ ! ମୋ ଦିଦି ଆଜି ଏ ଦୁନିଆରେ ନାହିଁ। ମୁଁ ବହୁତ ଭଲ ପାଉଥିଲି ମୋ ଦିଦିକୁ। ମୁଁ ବି ଠିକ ସେମିତି ନୂଆ ନୂଆ ଚାକିରୀ କରିଥାଏ। ପ୍ରଥମ ଦରମାରେ ମୋ ଦିଦି ପାଇଁ ଶାଢ଼ୀ କିଣିବି ବୋଲି ମନସ୍ଥ କରିଥିଲି। ରାକ୍ଷୀ ପୂର୍ଣ୍ଣମୀ ଆଗରେ ଥାଏ। ଡାକରେ ରାକ୍ଷୀ ପାଇଲି ମୋ ଦିଦି ପାଖରୁ, ଦଶ ଦିନ ଆଗରୁ। ଦିଦିକୁ ସରପ୍ରାଇଜ ଦେବି ବୋଲି ରେଜିଷ୍ଟ୍ରି ପାର୍ସଲ ମାଧ୍ୟମରେ ଏଇ ଶାଢ଼ୀଟିକୁ ପଠେଇ ଥିଲି ଦିଦି ପାଖକୁ। ଦିଦି ଫୋନ କରି ଜଣେଇଲା ବିକ୍ରମ ! ତୋ ପାଖରୁ ପାର୍ଶଲ୍ ଆସିଛି। କିନ୍ତୁ ତା ଭିତରେ କିଛି ନାହିଁ, ଅଧା କେଜିରୁ ଅଧିକ କାଗଜ ତୁକୁଡ଼ା ତା ଭିତରେ। ସ୍ନେହ ମମତାର ବାର୍ତ୍ତା ନେଇ ଯାଇଥିବା ସାନଭାଇ ର ଅଭିମାନ ଧରାଶାୟୀ ହୋଇଗଲା ଡାକବାକ୍ସ ଭିତରେ, ସାର୍। 

ସ୍ୱପ୍ନ ବିସ୍ଫୋରିତ ହେଲେ ମନ ଇଲାକାରେ ନିସ୍ତବ୍ଧତା ଘେରି ହୋଇଯାଏ। ସ୍ନେହର ବାସ୍ନା ସବୁ ବାଷ୍ପ ହୋଇ ଆକାଶକୁ ଉଡିଯାଏ ଯେମିତି।

ମନଟା ଭାଙ୍ଗି ପଡ଼ିଲା, ସେତେବେଳେ ଦୁଇହଜାର ଟଙ୍କାର ଶାଢ଼ୀ ମୋ ପାଇଁ ବହୁତ ବଡ କଥା ଥିଲା ସାର୍। ଡାକ ବିଭାଗରେ ଏଇ ଅବହେଳାକୁ ମୁଁ ସହି ନ ପାରି କେସ ଫାଇଲ କଲି, ଭାରତୀୟ ଡାକସେବା ବିରୁଦ୍ଧରେ। କୋଡିଏ ବର୍ଷ ବିତି ଯାଇଛି ଏହା ଭିତରେ। ମୋ ଦିଦି ବି ଦୁନିଆ ଛାଡି ଯାଇ ସାରିଛି କେତେ ଦିନରୁ। 


ସାହେବ୍, ଶାଢ଼ୀ ନେଇ ମୁଁ ଏବେ କଣ କରିବି, ରୂପା ଭିତରେ ସ୍ପଷ୍ଟ ଭାବରେ ମୋ ଦିଦିକୁ ମୁଁ ଦେଖି ପାରୁଛି ! ଦୁନିଆରେ ନ ଥାଇ ବି, ମୋତେ ଲାଗୁଛି ମୋ ଦିଦି ବଞ୍ଚିଛି ଏଇ ଅସହାୟ ରୂପା ଭିତରେ। ସ୍ନେହ ମମତା ଭରା ଉପହାରଟି ଚୋରି ହୋଇନି ସାହେବ୍, ପ୍ରତିଦାନରେ ମୁଁ ଏଇ ମହିଳା ଙ୍କୁ ପାଇଛି ମୋ ଦିଦି ରୂପରେ। ମୋ ଦିଦି ପାଖରୁ ଏଇ ରୂପା ପର୍ଯ୍ୟନ୍ତ ସମ୍ପର୍କର ପୋଲଟିଏ ନିର୍ମାଣ କରିଛି ଏଇ ଶାଢ଼ୀଟି।

ସୁତରାଂ ମୋର କିଛି ଡିମାଣ୍ଡ ନାହିଁ, ରୂପାକୁ ଶାଢ଼ୀ ଫେରେଇ ଦିଅନ୍ତୁ, ତାର ବି ଅଧିକାର ଅଛି ଏଇ ଶାଢ଼ୀ ଉପରେ ଯେତିକି ମୋ ଦିଦିର ଥିଲା, ତାକୁ ବି ତା ଭାଇ ଦେଇଥିଲା ରାକ୍ଷୀ ପୂର୍ଣ୍ଣମୀରେ, ବିଚାରୀ ରୂପାର ଭୁଲ କୋଉଠି ??? ମୁଁ ଏଇ କେସଟିକୁ ଉଠେଇ ନେବାକୁ ଚାହୁଁଛି ସାର୍..


ଜଜ ଅନେଇଲେ ଦୁହିଁଙ୍କୁ, କହିଲେ କେସ ଇଜ ଡିସମିସଡ।


ବିକ୍ରମ ଅନେଇଥିଲା ନିଃସହାୟ ମହିଳାଙ୍କୁ ଯାହାଙ୍କୁ ସେ ମନ ଭିତରେ ଭଉଣୀର ଜାଗା ଦେଇ ସାରିଥିଲା.. ଦୁଇ ଟୋପା ଲୁହ ବହି ଆସିଲା ମହିଳାଙ୍କ ଆଖି ଭିତରୁ...ଆନନ୍ଦାଶ୍ରୁ ବିକ୍ରମଙ୍କ ଗାଲ ଉପରେ। ଅଜଣା ମହିଳାଙ୍କୁ ଭଉଣୀ ରୂପରେ ପାଇ ଖୁସିରେ ଗଦଗଦ ହୋଇ ଉଠିଲେ ବିକ୍ରମ। । ଅଜାଣତରେ ସ୍ନେହ, ପ୍ରେମ ଆଉ ମମତାର ସଉଦା ବି ହୋଇଯାଏ, ଜାଣି ହୁଏନି। ସମସ୍ତଙ୍କ ଆଖି ବିକ୍ରମ ଆଉ ରୂପା ଉପରେ ଲାଖି ରହିଲା।

ସତରେ, ବେଳେବେଳେ କେତେ ସୁନ୍ଦର ଲାଗେ ଏଇ ପୃଥିବୀଟା...ଏମିତି ଏଇ ଭିଡ ଭିତରେ।



Rate this content
Log in

Similar oriya story from Inspirational