ଉତ୍ତରାୟଣ
ଉତ୍ତରାୟଣ
ଧର୍ମେଚାର୍ଥେ ଚ କାମେଚ ମୋକ୍ଷେଚ ଭରତର୍ଷଭ l
ଯଦିହାସ୍ତୀ ତଦନ୍ୟତ୍ର ଯନ୍ନେ ହାସ୍ତୀ ନ କୁତ୍ରଚିତ ll
ଧର୍ମ,ଅର୍ଥ,କାମ,ମୋକ୍ଷ ହେଉଛି ମହା ଭାରତୀୟ ଜୀବନ ଧାରାର ଚାରି ଗୋଟି ପ୍ରଧାନ ପୁରୁଷାର୍ଥ l ସେ ସମସ୍ତ ବିଷୟରେ ଏଥିରେ(ମହାଭାରତରେ) ଯାହା ଅଛି,ତାହା ଅନ୍ୟ କେଉଁଠାରେ ଥାଇପାରେ କିନ୍ତୁ ଏଥିରେ ଯାହା ନାହିଁ, ତାହା ଅନ୍ୟ କେଉଁଠି ନାହିଁ l ଏହି କଥାଟିକୁ ସରଳଭାଷାରେ କୁହାଗଲା ଯାହା ନାହିଁ ଭାରତେ ତାହା ନାହିଁ ମରତେ l ମହାକାବ୍ୟ ମହାଭାରତ ହେଉଛି ଏହିଭଳି ଏକ ଅମୁଲ୍ୟ ଗ୍ରନ୍ଥ l ସେହି ଗ୍ରନ୍ଥର କଥାଟିଏ :-
ମହାଭାରତ ଯୁଦ୍ଧରେ ପିତା ମହ ଭୀଷ୍ମ ଅର୍ଜୁନଙ୍କ ବାଣରେ ଧରାଶାୟୀ ହେଲେ l ତାଙ୍କ ଅନୁରୋଧ ରକ୍ଷାକରି ଧନଞ୍ଜୟ ନିଜର ଅସ୍ତ୍ର ବିଦ୍ୟା ବଳରେ ଏକ ଶରଶଯ୍ୟା ପ୍ରସ୍ତୁତ କରିଦେଲେ l ପିତାମହ ସେଇଠି ଶୋଇରହିଲେ l ଭୀଷଣ ପ୍ରତିଜ୍ଞାଧାରୀ ଭୀଷ୍ମ ଥିଲେ ପିତା ଶାନ୍ତନୁଙ୍କ ଠାରୁ ଇଚ୍ଛା ମୃତ୍ୟୁ ବର ପ୍ରାପ୍ତ ଓ ଅଷ୍ଟବସୁମାନଙ୍କ ମଧ୍ୟରୁ ଅନ୍ୟତମ l ସେ ସେଇଠାରେ ପଡ଼ି ରହି ଉତ୍ତରାୟଣ ମାର୍ଗକୁ ଅପେକ୍ଷା କରି ରହିଲେ l ଉତ୍ତରାୟଣ କାଳରେ, ବିଶ୍ୱାସ ରହିଛି,ଏହି ମର୍ତ୍ତ୍ୟଲୋକ ଛାଡ଼ିଲେ ଆଉ ପୁନର୍ବାର ଫେରିବା ପାଇଁ ପଡ଼ିନଥାଏ l ପିତାମହ ତେଣୁ ଏହି ସମୟକୁ ଶରୀର ତ୍ୟାଗର ଉପଯୁକ୍ତ ମୁହୂର୍ତ୍ତ ବୋଲି ବାଛି ନେଇ ଥିଲେ l କୁରୁକ୍ଷେତ୍ରର ରଣ ଭୂମିରେ ପୁଣ୍ୟତୋୟା ଓଘବତୀ ନଦୀ ତଟ ଶରଶଯ୍ୟାରେପଡ଼ି ପ୍ରାପ୍ତ ଦିବ୍ୟଦୃଷ୍ଟି ବଳରେ ସେ ସମସ୍ତ ମହାଭାରତ ଯୁଦ୍ଧର ବିବରଣୀ ଜାଣିପାରୁ ଥିଲେ l
ପିତାମହ ସରଶଯ୍ୟାରେ ଶାୟିତଥିବା ଅବସ୍ଥାରେ ଦିନେ ଧର୍ମରାଜ ଯୁଧିଷ୍ଠିର କୃଷ୍ଣଙ୍କ ପାଖରେ ଯାଇ ପହଞ୍ଚି ଆଶ୍ଚର୍ଯ୍ୟ ହୋଇ ଦେଖିଲେ ପ୍ରଭୁ ଶ୍ରୀକୃଷ୍ଣ ଧ୍ୟାନରତ l ଯୁଧିଷ୍ଠିର ପାଖରେ ଠିଆ ହୋଇଥିଲେ ମଧ୍ୟ କୃଷ୍ଣ କୌଣସି ଉତ୍ତର ଦେଉ ନଥାନ୍ତି l ଧର୍ମ ରାଜ ଯୁଧିଷ୍ଠିର କହିଲେ,"ହେ ଗୋବିନ୍ଦ! ଆପଣ ସକଳ ଜଗତର ଧ୍ୟେୟ l ପୁଣି କାହାଠାରେ ଧ୍ୟାନ ଲଗାଇଛନ୍ତି ଆପଣ l କୃଷ୍ଣ କହିଲେ,"ଦୀପ୍ତ ଅଗ୍ନି ଲିଭି ଯାଉଥିବା ପରି ଭୀଷ୍ମ ପିତାମହଙ୍କ ଜୀବନ ଦୀପ ଲିଭି ଆସୁଅଛି l ପରମ ଜ୍ଞାନୀ, ଧର୍ମନୀତି, ରାଜନୀତି ଆଦି ସମ୍ପର୍କରେ ତାଙ୍କ ଜ୍ଞାନର ତୁଳନା ନାହିଁ l ପିତାମହ ଚାଲି ଗଲା ପରେ ଏହି ସମସ୍ତ ଜ୍ଞାନ ଏ ସଂସାରରୁ ଅସ୍ତମିତହୋଇଯିବ l ଚନ୍ଦ୍ରମା ଅସ୍ତ ଗଲେ ରଜନୀ ତେଜହୀନ ହୋଇଯିବା ପରି ପିତାମହଙ୍କ ପ୍ରୟାଣରେ ସଂସାରର ସେହି ଅବସ୍ଥା ହେବ l ମୁଁ ଏହି କଥା ଭାବି ସେହି ପରମଜ୍ଞାନୀଙ୍କୁ ଧ୍ୟାନ କରୁଛି l ହେ ଧର୍ମନନ୍ଦନ,ଆପଣ ଶୀଘ୍ର ଯାଇ ପିତାମହଙ୍କ ନିକଟରୁ ସେ ସବୁ ଜ୍ଞାନକୁ ଶ୍ରବଣ ଓ ଆହରଣ କର l"ଯୁଧିଷ୍ଠିର କହିଲେ,"ହେ ମାଧବ! ମୁଁ ଜାଣେ ଉତ୍ତରାୟଣ ସମୟ ଉପସ୍ଥିତ ହେଲେ ପିତାମହ ମହାପ୍ରୟାଣ କରିବେ l ଆପଣଙ୍କ କଥା ଓ ଉପଦେଶ ଅନୁଯାୟୀ ମୁଁ ତାଙ୍କ ନିକଟକୁ ଯିବି, ଆପଣ ମଧ୍ୟ ମୋ ସହିତ ଚାଲନ୍ତୁ l"
ତତପରେ ପଞ୍ଚପାଣ୍ଡଵ,ଶ୍ରୀକୃଷ୍ଣ,ସାତ୍ୟକି,ସଞ୍ଜୟ, ଯୁଜୁଛୁ ଓ କୃପାଚାର୍ଯ୍ୟ ସାଥୀ ହୋଇ ପିତାମହଙ୍କ ନିକଟରେ ପହଞ୍ଚିଲେ l ସେତେବେଳକୁ ବ୍ୟାସାଦି ମୁନି ଋଷି ମାନେ ପିତାମହଙ୍କ ନିକଟରେ ପହଞ୍ଚି ସାରିଥାନ୍ତି l ସେମାନେ ପିତାମହଙ୍କ ଚରଣବନ୍ଦନା କରୁଥାନ୍ତି l ଭଗବାନ ଶ୍ରୀକୃଷ୍ଣ ସମସ୍ତ ମୁନି ଋଷି ମାନଙ୍କ ଚରଣରେ ପ୍ରଣାମ କରି ତାଙ୍କର କୁଶଳ ଜିଜ୍ଞାସା କଲେ l ତତ୍ପରେ ସେ ପିତାମହଙ୍କ ଚରଣ ବନ୍ଦନା କରି କହିଲେ,"ହେ ବିଶ୍ବବନ୍ଦନୀୟ,ପରମ ଜ୍ଞାନୀ ! ବତ୍ସ ଯୁଧିଷ୍ଠିର ଆତ୍ମୀୟସୋଦର,ଆଚାର୍ଯ୍ୟ ଗୁରୁଜନଙ୍କୁ ହରାଇ, ବିଭୀଷିକା ମୟ କୁରୁକ୍ଷେତ୍ର ଯୁଦ୍ଧ ପରେ ଅତ୍ୟନ୍ତ ଶଙ୍କାଗ୍ରସ୍ତ,ଶୋକ ଗ୍ରସ୍ତ ଏବଂ ମ୍ରିୟମାଣ ହୋଇପଡ଼ିଛନ୍ତି l ଆପଣ ତାଙ୍କ ଶୋକ ଦୂର କରି ଜ୍ଞାନୋପଦେଶ ଦିଅନ୍ତୁ l"
ଭୀଷ୍ମ କହିଲେ,"ହେ ହୃଷିକେଶ ! ଆପଣ ସମସ୍ତ ଜଗତର ସ୍ବାମୀ l ଆପଣଙ୍କୁ ଅଜଣା କଅଣ ଅଛି ଯେ ମୁଁ ଜ୍ଞାନୋପଦେଶ ଦେବି,କ୍ଷତବୀକ୍ଷତ ପୀଡ଼ା ଗତ ମୋର ଶରୀର ପାଇଁ ମୋର ମନବୁଦ୍ଧି କିଛି ସ୍ଥିର ନାହିଁ l ମୋର ବାକଶକ୍ତି ମଧ୍ୟ କ୍ଷୀଣ ହୋଇ ଯାଇଛି l ଏପରି ଅବସ୍ଥାରେ ମୁଁ କିଛି ଉପଦେଶ ଦେବା ପାଇଁ ଅସମର୍ଥ"l ଶ୍ରୀକୃଷ୍ଣ କହିଲେ ," ହେ ପରନ୍ତପ,ମହାଜ୍ଞାନୀ ଆପଣଙ୍କର ସମସ୍ତ ପୀଡ଼ା ଏହି ମୁହୂର୍ତ୍ତରେ ଦୂରହୋଇଯିବ l ଆପଣଙ୍କ ମନ ମୃତ୍ୟୁ ପର୍ଯ୍ୟନ୍ତ ସ୍ଥିର ହୋଇ ରହିବ l ଆଜି ଠାରୁ ଛପନ ଦିନ ପରେ ଉତ୍ତରାୟଣ କାଳରେ ଆପଣ ଧରାଧାମରୁ ବିଦାୟ ନେବେ l ଆପଣ ଦିବ୍ୟଚକ୍ଷୁ ଲାଭକରି ସମସ୍ତ ବିଷୟ ମନନ ଓ ସ୍ମରଣ କରି ପାରିବେ l ଆଜି ସନ୍ଧ୍ୟା ଉପଗତ ପ୍ରାୟ l ଆମ୍ଭେ ଯାଉଛୁ କାଲି ପୁଣି ସାକ୍ଷାତ ହେବ l"
ପରଦିନ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର କର୍ତ୍ତୃକ ଅନ୍ୟମାନେ ଯାଇ ପିତାମହଙ୍କ ଶରଶଯ୍ୟା ନିକଟରେ ଉପସ୍ଥିତ ହେଲେ l ଶ୍ରୀକୃଷ୍ଣ ପିତାମହଙ୍କ ସର୍ବ କୁଶଳ ପୁଛା କରନ୍ତେ ସେ କହିଲେ," ହେ ଅଚ୍ୟୁତ ! ଆପଣଙ୍କ ଅନୁଗ୍ରହରୁ ମୋର ସମସ୍ତ କଷ୍ଟ,ଦୁଃଖ ଏବଂ ଗ୍ଲାନି ଦୂର ହୋଇଛି l ବର୍ତ୍ତମାନ,ମୁଁ ଅତୀତ,ଭବିଷ୍ୟତ ସବୁକିଛି ଦେଖିପାରୁଛି lଏବେ ଯୁଧିଷ୍ଠିରଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ମୁଁ ସମର୍ଥ l" ଶ୍ରୀକୃଷ୍ଣ କହିଲେ,"ଯୁଦ୍ଧରେ ଜ୍ଞାତି କୁଟୁମ୍ବ ମାନଙ୍କୁ ବିନାଶ କରି ଯୁଧିଷ୍ଠିର ଅତ୍ୟନ୍ତ ଅନୁତପ୍ତ ଓ ଲଜ୍ଜିତ l ସେ ଅଭିଶାପ ଭୟରେ ଆପଣଙ୍କ ସମ୍ମୁଖକୁ ଆସିବାକୁ କୁଣ୍ଠାବୋଧ କରୁଛନ୍ତି l" ପିତାମହ କହିଲେ,"ସେ ନିଷ୍ପାପ, ଯୁଧିଷ୍ଠିର କ୍ଷାତ୍ରଧର୍ମ ପାଳନ କରିବାପାଇଁ ଯାଇ କେବଳ କର୍ତ୍ତବ୍ୟ ମାତ୍ର କରିଛନ୍ତି,ସତ୍ୟନିଷ୍ଠ ଧର୍ମଜ୍ଞ କୁନ୍ତୀ ନନ୍ଦନ ନିଃସଙ୍କୋଚ ହୋଇ ମୋତେ ପ୍ରଶ୍ନ ପଚାରନ୍ତୁ l ମୁଁ ମୋର ଯଥାଶକ୍ତି ବିଚାର ବୁଦ୍ଧି ଦ୍ୱାରା ତାଙ୍କର ସମସ୍ତ ସଂଶୟ ଦୂର କରିବି l"
ତାପରେ ଯୁଧିଷ୍ଠିର ରାଜନୀତି,ଧର୍ମ ନୀତି,ଅର୍ଥ ନୀତି,ନ୍ୟାୟ,ଦଣ୍ଡ,ଭେଦ ଇତ୍ୟାଦି ବିଷୟକ ପ୍ରଶ୍ନ ମାନ ପଚାରି ଚାଲିଲେ l ପିତାମହ ତାଙ୍କୁ ଗୋଟି ଗୋଟି କରି ସେ ସବୁ ବୁଝାଉ ଥାନ୍ତି l ବୁଝାଇବା ଛଳରେ ସେ ବହୁ କାହାଣୀ ଓ ଆଖ୍ୟାୟିକା ଯଥା ତିନିମତ୍ସ୍ୟ,ମାର୍ଜାର ମୂଷିକ ଆଦି କହି ଚାଲିଥାନ୍ତି l ବହୁ ମନୋରମ ଉପାଖ୍ୟାନ,ଆଖ୍ୟାୟିକା ଛଳରେ ପିତାମହଙ୍କର ଏହି ଉପଦେଶ ମହାଭାରତ ଗ୍ରନ୍ଥ ମଧ୍ୟରେ ଏକ ବିଶାଳ ଅଧ୍ୟାୟ l ମହାଭାରତ ଶାନ୍ତି ଓ ଅନୁଶାସନ ପର୍ବରେ ଏହା ଲିପିବଦ୍ଧ ହୋଇଛି l ଏଥିରେ ରାଜନୀତି, ଧର୍ମନୀତି,ସମାଜଶାସ୍ତ୍ର,ଅର୍ଥ ନୀତି ବିସ୍ତାରିତ ଭାବରେ ବର୍ଣ୍ଣିତ ହୋଇଛି l ଦୀର୍ଘ ପାଞ୍ଚଦିନ ଧରି ଯୁଧିଷ୍ଠିର ଏହା ପିତାମହଙ୍କ ଠାରୁ ଶ୍ରବଣ କରିଥିଲେ l
ପିତାମହଙ୍କ ଉପଦେଶ ଶୁଣି ଯୁଧିଷ୍ଠିରଙ୍କ ସମସ୍ତ ଶଙ୍କା ଦୂରହେଲା l ସେ ଅତୀବ ପ୍ରସନ୍ନ ହେଲେ l ସର୍ବ ଶେଷରେ ପିତାମହ ତାଙ୍କୁ କହିଲେ," ଏବେ ତୁମେ ଯାଅ l ଦେଵଗଣ ଓ ପିତୃ ଗଣଙ୍କୁ ସନ୍ତୁଷ୍ଟ କରି ପ୍ରଜା ମାନଙ୍କର ମନୋରଞ୍ଜନ କର l ସୁହୃଦ ମାନଙ୍କୁ ସ୍ନେହ ପାଶରେ ବାନ୍ଧି ରଖ l ପକ୍ଷୀମାନେ ଯେପରି ବଳବାନ ବୃକ୍ଷକୁ ଆଶ୍ରୟ କରି ରୁହନ୍ତି, ସେମାନେ ସେପରି ତୁମକୁ ଆଶ୍ରୟ କରି ରୁହନ୍ତୁ l" ପିତାମହଙ୍କ ଠାରୁ ଧର୍ମରାଜ ସମସ୍ତ ଉପଦେଶ ଗ୍ରହଣ କରି ଫେରିଗଲେ l
ପଚାଶ ଦିନ ପରେ ଭୀଷ୍ମଙ୍କ ସ୍ଵର୍ଗାରୋହଣ ସମୟ ଆସିଗଲା l ବିଦାୟ ପାଇଁ ପୁଣି ସମସ୍ତେ ଉପସ୍ଥିତ ହେଲେ,ସୂର୍ଯ୍ୟଦେବଙ୍କ ଉତ୍ତରାୟଣ ହେବା ସଙ୍ଗେ ସଙ୍ଗେ ଯୋଗ ଧ୍ୟାନ ପୂର୍ବକ ପରମାତ୍ମାଙ୍କ ଠାରେ ଧ୍ୟାନଲଗାଇ ପିତାମହ ଭୀଷ୍ମ ଦେହତ୍ୟାଗ କଲେ l ଦେହତ୍ୟାଗ ଅଵ୍ୟବହିତ ପୂର୍ବରୁ ସେ ଯୁଧିଷ୍ଠିରଙ୍କୁ କହିଲେ," ହେ କୁନ୍ତୀନନ୍ଦନ ! ଶୋକ କର ନାହିଁ l ସତ୍ୟକୁ ଆଶ୍ରୟ କରି ରାଜ୍ୟ ଶାସନ କର l" ଧୃତରାଷ୍ଟ୍ରଙ୍କୁ କହିଲେ,"ରାଜା ! ତୁମେ ଶାସ୍ତ୍ରବେତ୍ତା ଓ ଧର୍ମଜ୍ଞ l ଯାହା ଘଟିବାର କଥା ଘଟି ଯାଇଛି l ପାଣ୍ଡୁ ପୁତ୍ରମାନଙ୍କୁ ନିଜର ପୁତ୍ର ମନେକରି ପାଳନ କର l ତୁମର ଦୁରାତ୍ମା ପୁତ୍ର ମାନଙ୍କ ପାଇଁ ଶୋକ କର ନାହିଁ l"
କୃଷ୍ଣଙ୍କୁ ଚାହିଁ କହିଲେ," ହେ ଦେବେଶ, ସୁରାସୁର ବନ୍ଦିତ ତ୍ରିବିକ୍ରମ,ହେ କୃଷ୍ଣ,ହେ କେଶବ, ବିଶ୍ୱାତ୍ମା ପୁରୁଷୋତ୍ତମ !ଏବେ ମୋତେ ଯିବାପାଇଁ ଅନୁମତି ଦିଅ l ତୁମେ ପାଣ୍ଡଵ ମାନଙ୍କର ରକ୍ଷା କର୍ତ୍ତା l ଯୁଦ୍ଧ ଆରମ୍ଭହେବା ପୂର୍ବରୁ ମୁଁ ମୂର୍ଖ ଦୁର୍ଯ୍ୟୋଧନକୁ ଏହା କହିଥିଲି ଯେଉଁ ଠାରେ ଶ୍ରୀକୃଷ୍ଣ ସେ ଠାରେ ଧର୍ମ ଓ ଯେଉଁଠି ଧର୍ମ ସେଇଠି ଜୟ l ପାଣ୍ଡଵ ମାନଙ୍କ ସହିତ ତୁମେ ସନ୍ଧିକର l କିନ୍ତୁ ତାହା ହେଲାନାହିଁ l ହେ କେଶବ ! ଏହି ଶରୀର ତ୍ୟାଗ ପାଇଁ ଆପଣ ମୋତେ ଅନୁମତି ଦିଅନ୍ତୁ,ମୋ ଆତ୍ମା ପରମ ଗତି ପ୍ରାପ୍ତ ହେଉ l" ସେ ଯୁଧିଷ୍ଠିରଙ୍କୁ କହିଲେ,"ମୋତେ କିଛି ପୁଷ୍ପ ଆଣି ଦିଅ l ମୁଁ ଶ୍ରୀକୃଷ୍ଣଙ୍କ ପଦବନ୍ଦନା କରେ l" ପୁଷ୍ପ ଆସିଲା l ଅଣାଯାଇଥିବା ପୁଷ୍ପରେ ଭଗବାନ ଶ୍ରୀକୃଷ୍ଣଙ୍କ ପଦ ବନ୍ଦନା କରି ଦେବବ୍ରତ ଗଙ୍ଗାନନ୍ଦନ ଭୀଷ୍ମ ଭକ୍ତି ଗଦଗଦହୋଇ କହିଲେ, "ହେ ଜନାର୍ଦ୍ଦନ, ହେ ଅନ୍ତର୍ଯ୍ୟାମୀ,ହେ ସୃଷ୍ଟି, ସ୍ଥିତି, ପାଳନ ଏବଂ ଲୟର କାରଣ, ମୋତେ ଆପଣଙ୍କ ସେହି ଭୁବନ ମୋହନ ବିଶ୍ଵରୂପ ଟିକିଏ ଦେଖାଇ ଏ ଦୁଃଖ ଶୋକ ମୟ ସଂସାରରୁ ଚିର ଦିନ ପାଇଁ ମୁକ୍ତି ଦିଅନ୍ତୁ l ହେ ପ୍ରଭୁ ! ମୋତେ ଶ୍ରେଷ୍ଠ ସ୍ଥାନକୁ ଗମନ କରିବାର ଆଶୀର୍ବାଦ ଦିଅନ୍ତୁ l"
ଅନ୍ୟ ମାନଙ୍କୁ ଅଦୃଶ୍ୟ, ଭଗବାନ ତାଙ୍କର ଅପୂର୍ବ ବିଶ୍ୱରୂପକୁ ଭୀଷ୍ମଙ୍କୁ ଦର୍ଶନ କରାଇ ତାଙ୍କର ହାତ ମୁଠାକୁ ପରମ ଶ୍ରଦ୍ଧାରେ ଜାବୁଡି ଧରି କହିଲେ, "ପିତାମହ ଆପଣ ନିଷ୍ପାପ,ପିତୃଭକ୍ତ ଓ ମହାମୁନି ମାର୍କଣ୍ଡେୟଙ୍କ ତୁଲ୍ୟ l ମୃତ୍ୟୁ କ୍ରୀତ ଦାସ ଭାବେ ଆପଣଙ୍କ ଆଜ୍ଞାଧୀନ l ଆପଣଙ୍କ ଯଶ,କୀର୍ତ୍ତି ଏ ସଂସାରରେ ସ୍ୱର୍ଯ୍ୟଙ୍କ ଜ୍ୟୋତି ପରି ଝଲସୁଥାଉ l ମୁଁ ଅନୁମତି ଦେଉଛି ଆପଣ ଦେହ ତ୍ୟାଗ କରି ପରମ ଧାମ ପ୍ରାପ୍ତ ହୁଅନ୍ତୁ ଓ ଶୀଘ୍ର ବସୁ ଗଣଙ୍କ ସହିତ ମିଳିତ ହୁଅନ୍ତୁ l
ଭୀଷ୍ମ ସମସ୍ତଙ୍କ ଠାରୁ ବିଦାୟ ନେଇ ମୂଳାଧାର ଚକ୍ରରେ ଧ୍ୟାନ ନିବିଷ୍ଟ କଲେ ଏବଂ ତାଙ୍କର ଆତ୍ମା ଓ ଅବରୁଦ୍ଧ ପ୍ରାଣ ଉର୍ଦ୍ଧ୍ୱଗାମୀ ହେବାକୁ ଲାଗିଲା l ମୃତ୍ୟୁ ସମୟରେ ତାଙ୍କର ଯେଉଁ ଅଙ୍ଗପ୍ରତ୍ୟଙ୍ଗରୁ ପ୍ରାଣ ଛାଡ଼ି ଯାଉଥିଲା, ସେଥିରୁ ଶର ସବୁ ଖସି ପଡୁଥିଲା l ତାଙ୍କର ସମସ୍ତ ଶରୀରରୁ ପ୍ରାଣ ବାୟୁ ଉଡ଼ିଯିବା ପରେ ଶରୀର ଶର ଶଯ୍ୟା ଛାଡ଼ି ଭୂମି ଶଯ୍ୟା ଗ୍ରହଣ କଲା l ଶ୍ରୀକୃଷ୍ଣ, ଯୁଧିଷ୍ଠିର ଓ ତାଙ୍କ ଭାଇମାନେ,ଗାନ୍ଧାରୀ,ଧୃତରାଷ୍ଟ୍ର, କୁନ୍ତୀ,ଦ୍ରୌପଦୀ ଆଦି କୁରୁବଂଶୀ, ଜ୍ଞାତିବର୍ଗ ସମସ୍ତେ ଶୋକପୂର୍ଣ୍ଣ ନୟନରେ ଏହି ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖୁଥିଲେ l
ପିତାମହଙ୍କ ସ୍ୱର୍ଗାରୋହଣ ସମୟରେ ପ୍ରକୃତିରେ ସଙ୍ଗୀତର ମର୍ମର ଧ୍ୱନୀ ଗୁଞ୍ଜରି ଉଠିଲା l ଶହଶ୍ର କଦମ୍ବର ସୁରଭିତ ହିଲ୍ଲୋଳ ଦେବଲୋକରୁ ପୃଥ୍ଵୀ ଲୋକକୁ ଭାସି ଆସିଲା l ଉପସ୍ଥିତ ସମସ୍ତ ସଜ୍ଜନ ହୃଦୟରେ ଅଦ୍ଭୁତ ପ୍ରଶାନ୍ତି ଲାଭ କଲେ l ଶ୍ରୀମଦ ଭାଗବତରେ ଏ ଦୃଶ୍ୟର ଅତି ସୁନ୍ଦର ବର୍ଣ୍ଣନାକରି ଅତିବଡ଼ି କହିଛନ୍ତି :-
ଦେଖନ୍ତି ସୁର ନର ମୁନି l
ଗଙ୍ଗା ନନ୍ଦନ ହେଲେ ତୁନି ll
ଶରୀର ତେଜି ଭାବ ମୋହେ l
ପଶିଲେ ଗୋବିନ୍ଦର ଦେହେ ll
ଭୀଷ୍ମ ମରଣ ଦେଖି ଭଲେ l
ଯେ ଅବା ଥିଲେ କୃଷ୍ଣ ତୁଲେ ll
ମଉନେ ବସିଲେ ସମସ୍ତେ l
ପକ୍ଷୀଏ ଯେହ୍ନେ ଦିନ ଅନ୍ତେ ll
ତକ୍ଷଣେ ଦୁନ୍ଦୁଭି ଶବଦ l
ଦେବମାନବେ କଲେ ବାଦ୍ୟ ll
ଏହିସମୟରେ ଉପସ୍ଥିତ ସମସ୍ତେ ଶ୍ରୀକୃଷ୍ଣଙ୍କୁ ଚାହିଁ ପ୍ରାର୍ଥନା କରୁଥିଲେ ହେ ମାଧବ!ହେ କେଶବ! ହେ ନାରାୟଣ ! ହେ ପରମାନନ୍ଦ ! ଆପଣଙ୍କର କୃପା ବଳରେ ଏ ସଂସାରରେ କଅଣ ବା ସମ୍ଭବ ହୋଇ ନ ପାରେ !
ନାରାୟଣଂ ନମସ୍କୃତ୍ୟ ନରଂ
ଚୈବ ନରୋତ୍ତମମ୍ l
ଦେବୀଂ ସରସ୍ୱତୀଂ ବ୍ୟାସଂ
ତତୋଜୟମୁଦୀରୟେତ୍ll
ମୂକଂ କରୋତି ବାଚାଳଂ
ପଙ୍ଗୁ ଲଙ୍ଘୟତେ ଗିରିମ୍ l
ଯତ୍କୃପାତମହଂ ବନ୍ଦେ ପରମାନନ୍ଦ ମାଧବମ୍ ll
